Unknown

 

 

 

 

 

 

 

 

 

ଅସୂର୍ଯ୍ୟ ଉପନିବେଶ

ଚନ୍ଦ୍ରଶେଖର ରଥ

 

ମୁଖବନ୍ଧ

 

ସୂର୍ଯ୍ୟ ବୁଡ଼ିଗଲେ ପୁଣି ଉଇଁବାର ଗୋଟାଏ ପ୍ରତିଶ୍ରୁତି ଆକାଶ ସାରା ପ୍ରତିଧ୍ୱନିତ ହେଉଥାଏ । ନିର୍ବାଣ ଦୀପ ପରି ସେ ଲିଭିଗଲେ । କିନ୍ତୁ ସବୁ ଦିଗଗୁଡ଼ିକ ହଜିଯାନ୍ତି । ଅହୋରାତ୍ର ଲିଭିଯାଏ । ସେଇଠି ସୂର୍ଯ୍ୟ ଆଉ ଅନୁପସ୍ଥିତ ନୁହେଁ, ବଂର ଅସୂର୍ଯ୍ୟ ରାଜ୍ୟରେ ସେ ତଥାକଥିତ ଆଲୋକ ପିଣ୍ଡଟି ଆଦୌ ନାହିଁ, କେବେ ବି ନଥିଲା ।

ସେପରି ଗୋଟାଏ ଉପନିବେଶର ଭୌଗୋଳିକ ଠିକଣା କ’ଣ ଥାଇପାରେ ? ତାହା ହୁଏତ ଏଇଠି ଅଛି, ପୁଣି ଏଇଠି ନାହିଁ । ବେଳେବେଳେ ଦେଖିଲେ ଅତି ବିଶାଳ କୈଳାସ ଶୃଙ୍ଗପରି ଗୋଟାଏ ସନାତନ ମୂଲ୍ୟ ଦେବତାତ୍ମା ହିମାଳୟର ମୁକୁଟ ମଣ୍ଡନ କରୁଥାଏ; ଏବଂ ସେଇଭଳି ଗୋଟାଏ ସାନୁମାନ ମୁହୂର୍ତ୍ତର ସୃଷ୍ଟି ହେଉଛି ‘ଯନ୍ତ୍ରାରୂଢ଼’ ଉପନ୍ୟାସ । ଆଉ ବେଳେ କିନ୍ତୁ ସବୁ ଭାସ୍କର ମୂଲ୍ୟ ଲିଭି ଯାଇଥିବା ଗୋଟାଏ ବିବର ଦିଶିଯାଏ, ଏବଂ ସେଇ ଦିଗହରା ନିରାଲୋକ ବିସ୍ଫୋଟ ଗର୍ଭରୁ ଜନ୍ମନିଏ ‘ଅସୂର୍ଯ୍ୟ ଉପନିବେଶ’ ।

ଦୁହେଁ ସତ୍ୟ, ଦୁଇଟି ବିପରୀତ ମେରୁ ପରି । ସେମାନଙ୍କ ମଝିରେ ବିରାଟ ବର୍ତ୍ତୁଳ ଏ ପୃଥିବୀରେ ଅସଂଖ୍ୟ ଅକ୍ଷାଂଶ ଉଭୟ ଦିଗରେ ସଙ୍କୁଚିତ, ସମନ୍ୱିତ ହୋଇ ଦୁଇଟି ବିନ୍ଦୁରେ ସମାହିତ ହୋଇଯାନ୍ତି । ସେ ଦୁହିଁଙ୍କ ଭିତରେ ବ୍ୟବଧାନ ଏବଂ ସେ ବ୍ୟବଧାନରେ ପ୍ରଚ୍ଛନ୍ନ ସଂପର୍କ ବାରିବେ ସୁଧୀ ପାଠକବର୍ଗ ।

ମହାବିଷୁବ

ଲେଖକ

୧୯୭୪

 

 

ଆକାଶରେ ସେଦିନ ଅନେକ ମେଘ । ଇସ୍ପାତ୍ କାରଖାନା ଉହା ଭିତରୁ ଆଉଟି ହୋଇ ଉଠୁଥିବା ବହୁ ବିଷାକ୍ତ ତମ୍ବାଳିଆ ବାଷ୍ପ ପରି ମେଘ ଆକାଶର ଅନ୍ଦିସନ୍ଧି ଆବୋରି ରହିଥାଏ । ସାରା ପୃଥିବୀ ସିଝୁଥାଏ; ଦୁଃସହ ଜ୍ଵର ଭୋଗୁଥାଏ ତା'ର ଦଶ ଦିଗ । ରୁନ୍ଧି ହୋଇଆସୁଥାଏ ତାର ଶ୍ୱାସନଳୀ । ଗଛଗୁଡ଼ାକ ଡାଳରେ ପତ୍ରରେ ଜବ୍‍ଦମାରି କୁହୁଳୁଥାନ୍ତି । ନିହାଣ ମୁଗୁର ଧରି ସତେ ବା କିଏ ମଞ୍ଜହାଡ଼ ଉପରୁ ପ୍ରସ୍ତ ପ୍ରସ୍ତ ମାଉଁସ ଛେଲି ଫୋପାଡ଼ି ଦେଉଥାଏ । ଆଦ୍ୟ ଆଷାଢ଼ର ଅସହ୍ୟ ଗୁଳୁଗୁଳି ସେଦିନ ।

 

ତଥାପି ସେଦିନ ଟିକିଏ ହାଲୁକା ହୋଇ ପବନ ବୋହିଥିଲେ ବା ସେଇ ନିର୍ଜଳ ମେଘର ଆସ୍ତରଣ ଆଡ଼େଇ ସୋରାଏ ଜହ୍ନ ତା' ବେଳ ଜାଣି କିଛି ସମୟ ପାଇଁ ଉଇଁଆସିଥିଲେ କ'ଣ ବିଶେଷ କ୍ଷତିଟା ହେଇଯାଇଥାନ୍ତା କାହାର ?

 

ଜୟରାମ ଭିତରପିଣ୍ଡା ଦାଢ଼ରେ ଲଣ୍ଠନଟାକୁ ତେଜି ରଖିଥାନ୍ତି । କାଚଯାକ ଉପରେ ବିଧେ ବହଳରେ କଳା ଜମିଯାଇଥାଏ । ତା' ଭିତରୁ ଦିଶୁଥାଏ ସୋରାଏ ରୋଗିଣା ହଳଦିଆ ଆଲୁଅ । ସେଇଟା ଆହୁରି ମଳିଛିଆ ଦିଶୁଥାଏ, ଯେତେବେଳେ ତା' ପାଖେ ଚିରା କାଗଜଗଦାଟା ହଠାତ୍ ନୂଆ ଆହାର ପାଇ ପୁଣି ଜଳିଉଠୁଥାଏ । ଖଣ୍ଡେ ପୁରୁଣା ସୁଟ୍‍କେସ୍ ଭିତରେ ପ୍ରାୟ ବୋଝେ ହେବ ପୁରୁଣା ଚିଠିପତ୍ର ଓ କାଗଜ । ଜୟରାମ ସେଥିରୁ ଖଣ୍ଡିଏ ଲେଖା କାଢ଼ି ତା' ଉପରେ ଆଖି ବୁଲେଇ ନେଉଥାନ୍ତି; ପକେଇଦେଉଥାନ୍ତି କୁହୁଳୁଥିବା ନିଆଁ ଉପରକୁ । ବୋଧହୁଏ ବହୁ ଦିନର କାଗଜପତ୍ର ! ସୁଟ୍‍କେସ ଖଣ୍ଡ ସେମିତି ବହୁଦିନର । ଅଠର କି ଊଣିଶ ବର୍ଷ ତଳେ ସେ ଖଣ୍ଡ ତାଙ୍କ ଘରକୁ ଆସିଥିଲା । ଅଠର କି ଊଣିଷ ବର୍ଷ ତଳେ ଜୟରାମ ବିଭାହୋଇଥିଲେ ।

 

ଶିଖରେଶ୍ୱର ଭାଇନା ଲେଖିଛି–"ନନାଙ୍କ ଦେହାନ୍ତ ପରେ ଘରେ ଆଉ କେହି ନାହାନ୍ତି । ମୋର ମଧ୍ୟ ଆଉ ବେଶି ଦିନ ନାହିଁ । ତୁ ତ ଜାଣୁ, ଏ ସଂସାରରୁ କିଛି ପ୍ରତ୍ୟାଶା ନ କରିବାକୁ ମୁଁ ତୋତେ କେତେ ଥର କହିଛି । ଏଠି କେହି କାହାକୁ ଚିହ୍ନନ୍ତି ନାହିଁ । ହେଲା, ସେଥିପାଇଁ ଏତେ ରୁଷାରୁଷି କାହିଁକି ?" ସତକୁ ସତ ଭାଇନା ଚାଲିଗଲେ ସେଇ ବର୍ଷ । ଚିଠିଖଣ୍ଡ ଆସ୍ତେ ନିଆଁ ଉପରକୁ ଟେକିଦେଲାବେଳେ ଜୟରାମଙ୍କ ସ୍ଥିର ପିତୁଳା ପଛଆଡ଼େ ଠିଆହୋଇଥାନ୍ତି ଭାଇନା, ସେମିତି ଶାଣିତ ଚେହେରା, ସେଇ ଦପ୍‍ଦପ୍ ଜଳୁଥିବା ଦୁଇଟି ସୁଜାତା ଆଖି । ଏଇ ଖଣ୍ଡ ବୋଧହୁଏ ବାହିନୀପତିର ନିମନ୍ତ୍ରଣ । ତିନି ଲକ୍ଷ ଟଙ୍କାର ତିନିତାଲା କୋଠା ! ସେଥିରେ ଗୃହ ପ୍ରବେଶ ପାଇଁ ବନ୍ଧୁ ମିଳନ ଆଉ ଭୋଜି । ଅମଲା ଅଫିସରଙ୍କ ଘୋ-ଘା' ହାଟ ! ବାହିନୀପତି ମୁଣାରେ ସବୁବେଳେ ଶହେଟଙ୍କିଆ ନୋଟ୍ । ମୋଟା ନିମନ୍ତ୍ରଣପତ୍ରଟା ପୋଡ଼ିଗଲା ପରେ ମୋଡ଼ିହୋଇ ଲେଉଟି ପଡ଼ିଲା । ଚିକ୍‍ଚିକ୍ ହୋଇ ନିଆଁ ର ସନ୍ତ୍ରୀ କେତୋଟି ତା' ଉପରେ ପହଁରିଚାଲିଗଲେ ।

 

ଗୌରମୋହନ ବାବୁଙ୍କ ପୁଅର ବିଭାଘର ନିମନ୍ତ୍ରଣ ଡେଙ୍ଗୁରିଡ଼ିହ କଲେଜର ପ୍ରଥମ ବାର୍ଷିକ ଉତ୍ସବ ଫିଲିପ୍‍ସ ରେଡ଼ିଓର ନୂଆ ବିଜ୍ଞାପନ ପାତଳା କାଗଜ । ସବୁ ଅତୀତର ସ୍ୱତନ୍ତ୍ର ଗୁଡ଼ାଏ ଚଢ଼େଇ; ଫୁର୍ ଫୁର୍ ଉଡ଼ିଗଲେ । ଫୁର୍ ଫୁର୍ ଜଳିଗଲେ ସେ କାଗଜଗୁଡ଼ିକ ଗୋଟି ଗୋଟି ହୋଇ । ତା’ପରେ ବେଶ୍ ବିଡ଼ାଏ ଚିଠି । ହଳଦିଆ ରେଶମୀ ରିବନ୍‍ରେ ବନ୍ଧା ହୋଇଥାଏ । ଜୟରାମ ତାକୁ କିଛି ସମୟ ନାକ ପାଖରେ ଧରିରଖି ଆସ୍ତେ ଆଡ଼େଇ ଥୋଇଦେଲେ । ତାରୁଣ୍ୟର କିଛି ମୋଲାଏମ୍ ଗନ୍ଧ ତାଙ୍କ ଆଖି ମୁହଁରେ ପାତଳ ଫଗୁ ବୁଣିଦେଲା । ବିବାହର ପ୍ରଥମ ବର୍ଷର ସେ ଚିଠିଗୁଡ଼ିକୁ ଜୟରାମ ନିଆଁ ରେ ବିସର୍ଜି ଦେଇ ପାରିଲେ ନାହିଁ । ସ୍ୱପ୍ନର ଫାନ୍ଦ ଭିତରୁ ଫିଟିଆସି ତାଙ୍କର ହାତ ଦି'ଟା ପୁଣି ଅଣ୍ଡାଳି ହୋଇ ଝୋଜିଗଲା ସେଇ ଆଳୁ-ମାଳୁ କାଗଜଗଦା ଭିତରେ ଆଉ କିଛି ସ୍ମୃତି ।

 

ଖଣ୍ଡେ ଦି'ଖଣ୍ଡ ଏମିତି ସେମିତି କ'ଣ ଚିଠି ! ପୁରୁଣା ମଲାଟଚିରା ଦି'ଖଣ୍ଡ ମାଗାଜିନ୍ । ତା'ପରେ ହାତ ପଡ଼ିଗଲା ଲମ୍ବାଳିଆ ଖଣ୍ଡେ ଖାମ୍ ଉପରେ । ହଠାତ୍ ସବୁ କେମିତି ଗୋଟାଏ ନିସ୍ତେଜ, ହେମାଳିଆ ଧରିଗଲା । ଜୟରାମଙ୍କ ଭିତରୁ ସବୁ ଓଜନ ଶୁଖିଗଲା । ସେ ସତେ ବା କାଗଜରେ ତିଆରି ଗୋଟିଏ ହାଲୁକା କଣ୍ଢେଇ କେବଳ ! ବହୁ ବହୁ ଦିନର ନିର୍ଜୀବ ମମିଟିଏ ! ଖୋଳଟିକୁ ଥରେ ଦେଖି ଆଉ ଥରେ ଦେଖିବାର ପ୍ରବୃତ୍ତି ବା ସାହସ ତାଙ୍କର ନଥିଲା । ଢୋକେ ବିଷ ପିଇଦେଇ ମଣିଷ ଯେମିତି ଶୂନ୍ୟକୁ ଚାହିଁ ଟଳେ; ତା' ଭିତରଯାକ ପୋଡ଼ି ପାଉଁଶ ହେବା ପର୍ଯ୍ୟନ୍ତ ଯେମିତି ସେ ଯନ୍ତ୍ରଣାଟାକୁ ମଧ୍ୟ ବୁଝିପାରେ ନାହିଁ ।

 

କପାଳରୁ ତାଙ୍କର ଝାଳ ନିଗିଡ଼ି ଆସିଲା । ମୁହଁ ଦିଶିଲା ନଇଁଆସିଥିବା ବର୍ଷନ୍ତ ମେଘପରି ଗୋଟାଏ ମୁହୂର୍ତ୍ତରେ ଅଜାଡ଼ି ହୋଇଯିବ ନା' କ'ଣ ! ପେଟ ଭିତର ହୁଡ଼ା ହୁଡ଼ା ହୋଇ ଭାଙ୍ଗି ପଡ଼ିଲା । ଦେହ ଗୋଟାଯାକ ଥରିଲା । ଲୁହର ବନ୍ୟା ବୁକୁ ଭିତରୁ ଉଛୁଳି ଆସି ଘଣ୍ଟିକା ପାଖରେ ଉଭାରି ରହିଲା । ଖୁବ୍ ଅସରାଏ କାନ୍ଦିପକେଇଥିଲେ କ'ଣ ମନ୍ଦ ହୋଇଥାନ୍ତା ? ଜୟରାମ କାନ୍ଦିଲେ ନାହିଁ ।

 

ସେମିତି ସେଦିନର ମେଘ ମଧ୍ୟ ବର୍ଷିଲା ନାହିଁ । ଭିତରେ ବାହାରେ କେବଳ ରୁନ୍ଧା ବାମ୍ଫୁଆ ଗୁଳୁଗୁଳିର ଯନ୍ତ୍ରଣା । ଲମ୍ବା ଖାମ୍‌ଟାକୁ ଖୁବ୍ ଆସ୍ତେ ଆଣି ତା' ଭିତରୁ କିଛି ଖୋଲା ଚିଠି ସେ ବାହାର କଲେ ।

 

ବିପିନବାବୁ ପଣ୍ଡିତ ଲୋକ । ଲେଖିଛନ୍ତି ''ୟା'ଠାରୁ ବଳି ଜୀବନରେ ଆଉ କ'ଣ ଅଗ୍ନି-ପରୀକ୍ଷା ହୋଇପାରେ, ଜୟରାମବାବୁ ! ଆପଣଙ୍କୁ ଆଶ୍ୱାସନା ଦେବାକୁ ମୋର ଭାଷା ନାହିଁ, ସାହସ ମଧ୍ୟ ନାହିଁ । ରାମଚନ୍ଦ୍ରଙ୍କୁ ପ୍ରବୋଧ ଦେବାକୁ ବଶିଷ୍ଠଙ୍କର ମଧ୍ୟ ଭାଷା ନଥିଲା ସୀତାଙ୍କ ପାତାଳପ୍ରବେଶ ପରେ ।''

 

ଗୁରୁକୃଷ୍ଣ ବାବୁ ତାଙ୍କ ଆଶ୍ରମରୁ ଲେଖିଛନ୍ତି ''ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ଆପଣ ଜାଣିବା-ଶୁଣିବା ଲୋକ । ସୁଖ-ଦୁଃଖରେ ସମଚିତ୍ତ ରହିବା ଅଭ୍ୟାସ କରିଛନ୍ତି । ଏହା ଆପଣଙ୍କ ଜୀବନର ଘୋର ପରୀକ୍ଷା ।'' ଯଦୁମଣି, ତାଙ୍କ ବାଲ୍ୟବନ୍ଧୁ ଲେଖିଛି ‘‘ଆହା ଜୟି ! ତୋତେ ପୁଣି ଏଇଆ ସହିବାକୁ ଥିଲା ! ଦୋଷ ଦେଖି କ'ଣ ଦଣ୍ଡ ଦେବାକୁ ଉପରେ ଆଖିଥିଲାବାଲା କେହି ନାହିଁ ? ତୁ ଭଲା କାହାର କ'ଣ କରିଥିଲୁ । ତୋର ନିଛାଟିଆ ଘରେ ରାନୀ ଅବୁଝା ହେଇ କାନ୍ଦୁ ଥିବ । ସାତବର୍ଷର ମା'ଖିଆ ପିଲାଟିକୁ ନେଇ ତୁ ସତେ କ'ଣ କରିବୁ ? ଓଃ, ପ୍ରଭୁ ହେ, ଯଦି ତୁମେ ଥାଅ ଏମିତି କାହିଁକି କର !" ଜୟରାମଙ୍କର ମୁଣ୍ଡଠାଉଁ ଗୋଡ଼ଯାଏଁ ପ୍ରତି ଲୋମକୂପରୁ ଯାହା ନିଗିଡ଼ିଯାଉଥିଲା ସେଗୁଡ଼ା ବୋଧହୁଏ ଝାଳ ନୁହେ ଲୁହ ! ସେ କିନ୍ତୁ ଦାନ୍ତ ନିକୁଟି ଦେଇଥିଲେ ହସିଲା ପରି । ଦଶବର୍ଷ ତଳର ଏସବୁ ଚିଠି । ଦଶବର୍ଷ ତଳର ଏ ଘାଆ । ଜୟରାମ କୋଳ ଉପରେ ସେଇ ଚାରିପାଞ୍ଚ ଖଣ୍ଡ ଚିଠି ବିଛେଇ ଦେଇ ଅଥର୍ବ ପରି ବସିଥାନ୍ତି । ତାଙ୍କ ସର୍ବାଙ୍ଗ କଇଁକଇଁ ହୋଇ କାନ୍ଦୁଥାଏ । ଶେଷରେ କ'ଣ ହେଲା କେଜାଣି, ସେମିତି ହସିଲା ପରି ଦାନ୍ତ ନିକୁଟି ସେ ଆଞ୍ଜୁଳାରେ ଚିଠି ଖଣ୍ଡିକ ଧରି ନିଆଁ ଉପରକୁ ଟେକିଦେଲେ । ଲମ୍ବାଳିଆ ଖାମ୍‌ଟି ମଧ୍ୟ । କଳା କଳା କାଗଜର ମଶାଣି ତଳୁ ନିଆଁ ଚହଟି ଆସିଲା-। ଉଠିଲା ଧୂଆଁ । ବାଲିକୁଢ଼ ଉପରୁ କିଏ କହୁଛି, "ଆରେ ସେ ଘିଅ ଟିଣଟା ତଳକାଠ ଉପରେ ଇଡ଼ିଦେ ନିଆଁ ଧରିନେବ ! ଉପରୁ କନାଟିକୁ କାଢ଼ିଦିଅ, ନହେଲେ କଳା ବୋଳ ଲାଗିଗଲେ ଦାହ ହୋଇପାରିବନି-!" ଶଶାପିଲାଟାକୁ ବାଘ ଏମିତି ବୋଧହୁଏ ରଟମଟ ଚୋବେଇ ଯାଉଥିବ । ଶୀତଦିନର ପାହାନ୍ତା ପହର । ଜୟରାମର ହାତ ଧରି କେହି ଜଣେ ନେଇଆସିଲେ କାକର ଆମ୍ବଗଛ ଛାଇ ରାସ୍ତା ଉପରକୁ ।

 

ଚିଠିଗୁଡ଼ାକ ହୁତ୍‍ହୁତ୍ ହୋଇ ଜଳୁଥାଏ । ଜୟରାମ ହଠାତ୍ ଚମକିପଡ଼ି ବାଁହାତରେ ରେଶମୀ ରିବନ୍ ବନ୍ଧାହୋଇଥିବା ଚିଠିଗଣ୍ଡାକ ଝିଙ୍କି ଆଣିଲେ । ରିବନ୍‌ଟାକୁ ଛିଣ୍ଡେଇ କର୍ପୂର ଗୁଣ୍ଡିପରି ନିଆଁ ଉପରେ ବୁଣିଦେଲେ ତାଙ୍କ ଜୀବନର ସମସ୍ତ ସୌରଭ ଚିଠିଯାକ । ତାପରେ ନଇଁପଡ଼ି ବାକ୍‌ସ ଭିତରୁ ଦୁଇହାତରେ ଯାହା ଧରିଲା ପୁଳା ପୁଳା ଚିଠିପତ୍ର କାଗଜ ସବୁ ନିଆଁ ଉପରେ ନଦିଦେଇଗଲେ । ବାକ୍‌ସ ତଳି ଦରାଣ୍ଡି ସବୁ ଫୋପାଡ଼ି ଦେଲା ବେଳକୁ ମୁହୂର୍ତ୍ତକ ପାଇଁ ହାତ ଅଟକିଗଲା ।

 

ଚାରିକଣରେ ହଳଦୀଗାର ପଡ଼ି ମଝିରେ ଖଣ୍ଡେ ଗୀତ ! ତାଙ୍କ ବିଭାଘର ଉପଲକ୍ଷେ ତାଙ୍କ ଶଳା ଶାଳୀ ମିଶି ସେଖଣ୍ଡ ଉପହାର ଦେଇଥିଲେ । ତାକୁ ନିଆଁରେ ପକେଇ ସେ ଉଠିଲେ । ଯିବେ କୁଆଡ଼େ ? ସବୁ ଘର ଅନ୍ଧାର । ସବୁ ଘର ନିଶୂନ । ରାନୀର ବିଭାଘର ସାରି ସେଇ ସନ୍ଧ୍ୟାରେ ସେ ଆସି ପହଞ୍ଚିଛନ୍ତି ।

 

ରାନୀ ସୁଖରେ ରହୁ । ରାନୀ ଘରକରୁ । ରାନୀ ସୌଭାଗ୍ୟବତୀ ହେଉ ।

 

ତାକୁ ନେଇ ଘର ଛାଡ଼ି ଗଲା ଦିନ ରାନୀ ଝରଝର କାନ୍ଦୁ ଥାଏ ଓ ତାଙ୍କ ଟେବୁଲ, ତାଙ୍କ ବହିଥାକ ସଜାଡ଼ି ଦେଉଥାଏ । ସବୁ ନିର୍ମଳ କରି ଝାଡ଼ି ରଖିଦେଉଥାଏ । ବୁଝୁଥାଏ ଯେ ବାପା ଆସିଲେ ଏ କାମ ତାଙ୍କ ପାଇଁ କରିଦେବାକୁ ଆଉ କେହି ନାହିଁ । ସେଆଡେ଼ ଗାଡ଼ି ସମୟ ହେଇଯାଉଥାଏ ।

 

ଦାଣ୍ଡପିଣ୍ଡାରୁ ଜୟରାମ ଡାକପକେଇଥିଲେ 'ରାନୀ, ରାନୀ, ଆ ମା', ଟାଇମ୍ ହେଇଗଲା !' କିଛି ଉତ୍ତର ନପାଇ ଭିତରକୁ ପଶିଯାଇଥିଲେ । ଦେଖିଲେ ରନ୍ଧାଘର କବାଟଟାକୁ ରାନୀ ଆଉଜେଇ ଆଣୁଛି । ତାକୁ ହୁଏତ ସେ ବିଦାୟ ମାଗୁଛି । ବହୁ ଦିନର ପଛକଥା, ବହୁ ଆଗକୁ ହେବା କଥା ସବୁ ମିଶେଇ ସେ ଯେମିତି ତାକୁ କହୁଚି-ମୋ ମା' ଏଇଭଳି ଗୋଟାଏ କଣରେ ବସି ମୋତେ କୋଡ଼ରେ ବସେଇ ଖୁଆଇଦେଉଥିଲା । କିଛି ଦିନ ପରେ ବାପା ବୋଧହୁଏ ଏ ଘରେ ପଶିବେ । ସେ କେବେ ୟା' ଭିତରେ ପଶିନାହାନ୍ତି । ଧାର ଧାର ହେଇ ଲୁହ ନିଗିଡ଼ି ଆସିଲା । ରାନୀ ରନ୍ଧାଘରେ ଶିକୁଳି ଲଗେଇ ଦେଇ ଶୁଣିଲା ବାପା ଡାକୁଛନ୍ତି । ତାଙ୍କ ରୂପା ଗ୍ଳାସରେ ଟିକିଏ କଫି ନେଇ ଲୁହ ପୋଛି ପୋଛି ଅଗଣା ପାରିହୋଇ ପଢ଼ାଘର ଦୁଆରବନ୍ଧ ପାଖରେ ତାଙ୍କୁ ବଢ଼େଇଦେଲା ।

 

ଜୟରାମ କ'ଣ କଫିଟିକକ ପିଇପାରିଥିଲେ ? କେଜାଣି ! ଗାଡ଼ି ସମୟ ହୋଇଯିବ ବୋଲି ବୋଧହୁଏ ବ୍ୟସ୍ତହୋଇ ବାହାରିପଡ଼ିଥିଲେ ।

 

ଜୟରାମ ଲଣ୍ଠନଟା ଧରି ବାହାରିଲେ ରନ୍ଧାଘର ଆଡ଼େ । ରାତିରେ ସେ ସହଳ ଖାଇ ଆସିଛନ୍ତି ଜୀବନଯାକ । ପଛରେ କାଗଜ-ନିଆଁ ଜଳୁଥାଏ । ସେ ଆଗେଇଲେ ରନ୍ଧାଘର ଆଡ଼େ । ରିଟ୍‌ରିଟିଆ ଭୋକ ବି ଲାଗିଲାଣି । ଶିକୁଳି ଫିଟେଇ ଘର ଭିତରକୁ ଅନେଇଲେ । ଲଣ୍ଠନ ଟେକି ଅନେଇଲେ ପଟା ଉପରେ ଧାଡ଼ି ଧାଡ଼ି ହୋଇ ଟିଣଡ଼ବା ସବୁ ସଜାହୋଇ ଥାଏ । ପ୍ରତ୍ୟେକ ଡବା ଉପରେ ଖଣ୍ଡେ ଲେଖାଁ କାଗଜ ଚିଠା-'ଜିରା', 'ଧନିଆଁ', 'ଲଙ୍କା' ।

 

ଗୋଡ଼ ବଢ଼େଇ ସେ ଘରେ ପଶିଗଲେ । ପାଦ ତଳ ସିର୍ ସିର୍ ଲାଗିଲା । ସେ ହୁଏତ ଅନୁଭବ କଲେ, ପୁଣି କଲେ ନାହିଁ । ଦୁଇ ତିନି ଖଣ୍ଡ ଲମ୍ବା କାଗଜପଟା ଦାଢ଼ରେ ଅଠା ଲଗାହୋଇ ଓହଳିଥାଏ । ସେ ତାକୁ ପଢିବାକୁ ପାଖେଇଆସିଲେ ।

 

"ବାପା ! ତୁମେ କ'ଣ ଚୁଲି ଲଗେଇ ଜାଣିବ ? କେମିତି ଲଗେଇବ ? କଣରେ ନଡ଼ିଆ କତା ଗୁଳା କରି ରଖିଦେଇଛି, ପାଳ ଚେକି ବାନ୍ଧି ରଖିଦେଇଚି, ଆଗ ତାକୁ ଥୋଇବ, ତା ଉପରେ ଗୁଣ୍ଡ କାଠ କିଛି ଥୋଇ "

 

ଆର କାଗଜରେ–"ଉପମା କରିବାକୁ ସୁଜିମେରସିଙ୍ଗା ପତ୍ର "

 

ଉପମା ତାଙ୍କୁ ଭଲଲାଗେ । ତାଙ୍କୁ ସୁବିଧା ହେବ ବୋଲି ରାନୀ ସବୁ ଲେଖିଦେଇ ଯାଇଚି ।

 

ହେଁ ହେଁ ହୋଇ ଜୟରାମ ହସିଉଠିଲେ । କିନ୍ତୁ ସେତିକିରେ ରୁନ୍ଧି ହୋଇଥିବା ବାଟ ଫିଟିଗଲା । ସେଇ ପଟା ଉପରେ ମୁଣ୍ଡଟି ରଖି ଦେଇ କଇଁ କଇଁ ହୋଇ ଫାଟିପଡ଼ିଲା ତାଙ୍କର ବହୁ ଦିନର ସଂଚିତ କୋହ । ତାଙ୍କ ଆଖିରେ ଲୁହ କେହି କେବେ ଦେଖିନାହିଁ । ସେଦିନ ବି କେହି ନଥିଲେ ଦେଖିବାକୁ । ଅସରା ପରେ ଅସରା ଅଜାଡ଼ି ହୋଇଗଲା ଅଶ୍ରୁ । ସମଗ୍ର ଘରେ ଜୟରାମଙ୍କ ଧକେଇ ଧକେଇ କାନ୍ଦର ଉଜାଣି ଗୁମୁରିଉଠିଲା । ତାଙ୍କୁ ଜଣାଗଲା, ବାହାରେ ମଧ୍ୟ ଫାଟିପଡ଼ିଲା ମେଘ । ପବନ ବତାସି ଭିତରେ ଗୁମୁଗୁମୁ ହୋଇ ଅଜାଡ଼ି ହୋଇଗଲା ଅଜସ୍ର ବର୍ଷା ।

 

ଅନେକ ସମୟ ପରେ ପିଣ୍ଡାକୁ ଆସି ସେ ଦେଖିଲେ ଯେ ଟୋପାଏ ବି ପାଣି ଝରିନାହିଁ-। ପୂର୍ବପରି ସେମିତି ରାତି ଗୋଟାଯାକର ଅନ୍ଧ କୃପଣତା ଜମାଟ ବାନ୍ଧି ରହିଥାଏ । ତୃଷାର୍ତ୍ତ ମେଘଗୁଡ଼ିକ ଚାହିଁରହିଥାନ୍ତି–ତାଙ୍କ ଲୁହରୁ କିଛି, ତାଙ୍କ ଝାଳରୁ କିଛି ପିଇ ବଞ୍ଚିଯିବେ; ତାଙ୍କ କୋହରୁ କିଛି ଆଞ୍ଜୁଳା ପାତି ଶୋଷିନେଲେ ତାଙ୍କ ରୁନ୍ଧି ହୋଇଥିବା ଶ୍ୱାସନଳୀରେ ସାମାନ୍ୟ ପବନ ଚଳପ୍ରଚଳ ହୋଇପାରିବ ।

 

ଭୟଙ୍କର ଗୁଳୁଗୁଳି । ବିରାଟ ଗୋଟାଏ ହାଣ୍ଡି ପରି ପୃଥିବୀ ସାଉଁ ସାଉଁ ହେଉଥାଏ । ଉପରୁ ଢାଙ୍କି ରହିଥାଏ ଗୋଟାଏ ନିରନ୍ଧ୍ର ତାତିଲା ତେଲୁଣି । ମଝିରେ ସିଝୁଥାନ୍ତି, ଆଉଟି ହେଉଥାନ୍ତି, ଗୁରାଣ୍ଡି, ସନ୍ତୁଳି ହେଉଥାନ୍ତି ଗୁଡ଼ିଏ ଜୀବ !! କାଗଜକୁଢ଼ର ତଷୁ ନିଆଁ , ଲଣ୍ଠନର କଳା ଅଳନ୍ଧୁଭିତରେ ରୁନ୍ଧି ହୋଇଯାଉଥିବା କିରାସିନି ନିଆଁ , ଆକାଶରେ ତାତିଲା ବାମ୍ଫ ପରି ଅସହ୍ୟ ନିଆଁ । ମନ ଭିତରେ ଦଶବର୍ଷ ଧରି ଅହରହ ଜଳୁଥିବା ଚିତାଗ୍ନି ସହିତ ଜୟରାମ ବାବୁଙ୍କ ହାଉଁ-ହାଉଁଆ ଭୋକର ନିଆଁ କେମିତି ମିଶିଥିବ କହିବା କଠିନ ।

 

ସେ ରାତି ପାହିବାର ଗଭୀର ସକାଳ ।

 

କେହି ପଶିଆସିଲେ ହଠାତ୍‌ ତାକୁ ଦିଶିବ ଯେ ଜୟରାମଙ୍କ ଘର, ତାଙ୍କ ଟେବୁଲ, ବହିଥାକ ଓ ସେ ନିଜେ ଧୂଆଁ ହୋଇଯାଇଛନ୍ତି । ଅସୀମର ସେହି ଧଳା ଧଳା ନିର୍ଜଳ ମେଘଗୁଡ଼ାକ ଯେମିତି ପୃଥିବୀର ଶ୍ୱାସରୋଧ କରିବା ପରେ ତାଙ୍କ ଘର ଭିତରର ସୀମାକୁ ବି ନିବୁଜ କରିନେଉଛନ୍ତି । ସେ ଧୂଆଁ ଭିତରେ ଜୟରାମଙ୍କର ଅସଂଖ୍ୟ ପୂର୍ବପୁରୁଷ ପହଁରିବୁଲୁଛନ୍ତି; ପହଁରି ବୁଲୁଛନ୍ତି ତାଙ୍କ ନିଜ ଜୀବନର ଅସଂଖ୍ୟ ଅତୀତ ମୁହୂର୍ତ୍ତମାନେ ।

 

ବହୁ ବହୁ କଥା ଜୟରାମ ବୋଧହୁଏ ମନେ ପକେଇ ବସିଛନ୍ତି । ସେଥିରୁ ଗୁଡ଼ାଏ ଏଡ଼େ ବିକଟାଳ ଯେ ତାଙ୍କ ଉପରେ ଧୂଆଁ ର ଖୋଳଟାଏ ମଡ଼େଇ ଦେଖିଲେ ମଧ୍ୟ ଚାହିଁହେଉ ନାହିଁ ।

 

ଏତିକିବେଳେ କେହି ଜଣେ ଘର ଭିତରକୁ ପଶିଆସିଛି । ଦାଣ୍ଡରେ ବେଶ୍ ଆଲୁଅ । କିନ୍ତୁ ଏ ଧୂଆଁ-ସମୁଦ୍ରରେ ଉବୁଟୁବୁ ସେ କିଏ ? ରାନୀ କ'ଣ ସ୍କୁଲରୁ ଫେରିଆସିଛି ? ତା' ହେଲେ ଠିଆରହିଛି କାହିଁକି ? ସବୁବେଳେ ଏ ଝିଅଟା ଏମିତି ଓଲୀ । କିନ୍ତୁ ତାକୁ ଭଲ ନ ପାଇ ଉପାୟ ନାହିଁ । ରାନୀଟା ଗୋଟିପଣେ ତାଙ୍କ ଝିଅ । କିନ୍ତୁ

 

"କଣ ଜୟରାମ ବାବୁ, କାଲି ଫେରିଲେ ?"

ସେ ତାଙ୍କ ନାଁ ଧରି ତ କେବେ ଡାକେ ନାହିଁ !

"ମୁଁ ଭାବିଥିଲି କାଲି ରାତିରେ ଆପଣଙ୍କୁ ଆସି ଦେଖିଯିବି ।"

 

ଏଁ ଏତେ ମୋଟା ସ୍ୱର ନମିତାର ବି ତ ନୁହେଁ । ଓ ଏଇଟା ତା' ହେଲେ ଆଉ ଜଣେ କିଏ !

 

‘‘କିଏ ??’’

‘‘ମୁଁ ।’’

‘‘ଓ, ବିଶ୍ୱମ୍ଭର ବାବୁ ! ବସନ୍ତୁ ।’’

‘‘କାଲି ରାତିରେ ଯାହା ଗରମ ହେଲା ନା ! ଆପଣ କିନ୍ତୁ ଖୁବ୍ ଚଞ୍ଚଳ ଶୋଇଗଲେ-।’’

ଜୟରାମ ବାବୁ ଖୁଁ-ଖୁଁ ଦି'ଥର କାଶିଲେ । ବୋଧହୁଏ ସେମିତି ହସିଲେ ନା କଣ !

 

ସେଥିପାଇଁ ସତେ ଯେମିତି ସେ ନିଜେ ପ୍ରସ୍ତୁତ ନ ଥିଲେ । ସିଗାରେଟଟା ମୁହଁରୁ କାଢ଼ି ଫିଙ୍ଗି ଦେଲେ କେବଳ ।

 

ପବନରେ ଧୂଆଁ ଲିଭି ଲିଭି ଆସୁଥାଏ ।

 

ବିଶ୍ୱମ୍ଭର ମଧ୍ୟ ତାଙ୍କ ନୀରବତାରେ ସଂକ୍ରମିତ ହୋଇ ଆଉ କିଛି କହି ପାରୁ ନଥାନ୍ତି । ଧୂଆଁ ଘୁଞ୍ଚିଗଲା ।

 

ବାହାର ଆଲୁଅରେ ବିଶ୍ୱମ୍ଭରକୁ ଦେଖି ତାଙ୍କ ଶୋକସଭା ପରି ମୁହଁ ମଝିରେ କଳାପଟି ପରି ନିଶହଳକ ଦେଖି ଜୟରାମ ବାହାରର ମଣିଷ ହେବାକୁ ଚେଷ୍ଟା କଲେ । ସେ ପ୍ରୟାସର ଫଳ ହୁଏତ ତାଙ୍କ ମୁହଁରେ ଦିଶିଯାଇଥିବ; ନହେଲେ ବିଶ୍ୱମ୍ଭର ଏତେ ବିସ୍ମିତ କାହିଁକି ହୋଇଥାନ୍ତା ?

 

ସିଗାରେଟ୍‍ମୁଣ୍ଡି ବୋଧହୁଏ ଏତେ ସଂଖ୍ୟାରେ ସେ କେବେ ଏକାଠି ଦେଖି ନଥିଲା । ଗୋଟାଏ ରାତି ନ ଶୋଇଲେ, ଆଖି ତଳେ ଏତେ ଗହୀର କଳା ଦାଗ ହେବାର ସେ ଦେଖି ନଥିଲା; ଏ ଉଦାସ ହସର ମୃତ ପଟୁଆର ସେ କେବେ ଦେଖିନଥିଲା ।

 

‘‘ଆପଣ, ଜୟରାମବାବୁ ! କାଲି ବୋଧହୁଏ ଖାଇନାହାନ୍ତି । ବୋଧହୁଏ ଶୋଇନାହାନ୍ତି ନା' କ’ଣ ? ମୁଁ ସେଇଆ ଅନୁମାନ କରି କାଲି ଆସି ଡାକିଲି । ନ ହେଲା ବେଳକୁ ଆମର କ'ଣ ରନ୍ଧା ହୋଇଥିଲା, ଗଣ୍ଡେ ଆଣିଦେଇଥାନ୍ତି । ଦେଖିଲି ଯେ ଆପଣଙ୍କ ଘର ଅନ୍ଧାର । ଆପଣ ହାଲିଆରେ ଶୋଇଯାଇଥିବେ ବୋଲି ଉଠେଇଲି ନାହିଁ । ଆପଣ କିନ୍ତୁ କାଲି ଖାଇନାହାନ୍ତି କି ଶୋଇନାହାନ୍ତି ।’’

 

ଜୟରାମ କେବଳ ଚାହିଁଲେ । ଆଖିଯୋଡ଼ିକ ହୁଏତ କହୁଛନ୍ତି, ‘ଓ ! ବୁଝିଲି ! କିନ୍ତୁ ସେଥିରେ କ’ଣ ସତେ କିଛି ଯାଏ-ଆସେ ଛାଡ଼ନ୍ତୁ !

 

‘‘ବିଶ୍ୱମ୍ଭରବାବୁ ! ଏ ରିକ୍‌ସାଖଣ୍ଡକ ବିକେଇଦିଅନ୍ତେ ନାହିଁ !’’

 

ବିଶ୍ୱମ୍ଭର ବୁଝିଗଲା ଯେ ସେ ତାଙ୍କୁ ଆଦୌ ଶୁଣିନାହାନ୍ତି; ନ ହେଲେ ପ୍ରସଙ୍ଗ ନ ଥାଇ ହଠାତ୍‌ ଏମିତି ଏ ରିକ୍‌ସା କଥା କାହିଁକି ଉଠାଇଥାନ୍ତେ ?

 

‘‘ଥାଉ, ଏ ଖଣ୍ଡ ଥିଲେ ଆପଣଙ୍କୁ ଯାତାୟାତ ପାଇଁ ସୁବିଧା ହେବ !’’

 

‘‘ଉହୁଁ !’’ ଆଉ ଖଣ୍ଡେ ସିଗ୍ରେଟ ମୁହଁରେ ଦେଇ କହିଲେ ଜୟରାମ । ଧୂଆଁ ଛାଡ଼ି କହିଲେ–‘‘ସେଇଟା ରାନୀ କଲେଜ ଯିବ ବୋଲି କିଣାହେଇଥିଲା ।’’

 

ଜୟରାମଙ୍କ ଗମ୍ଭୀର ପ୍ରକୃତି ହେତୁ ତାଙ୍କ ସଙ୍ଗେ ସମସ୍ତେ ଟିକିଏ କରଛଡ଼ା ଦେଇ ଚଳନ୍ତି । ବିଶ୍ୱମ୍ଭର ସହକର୍ମୀ ହିସାବରେ କିନ୍ତୁ କିଛି ଅଧିକାରପ୍ରାପ୍ତ; ବିଭିନ୍ନ ପରିସ୍ଥିତିରେ ଜୟରାମଙ୍କ ମୁହଁରେ ଭାବାନ୍ତର ଲକ୍ଷ୍ୟ କରିଥିବା ଖୁବ୍ ଅଳ୍ପ ଲୋକଙ୍କ ଭିତରୁ ଜଣେ ।

 

ବିଶ୍ୱମ୍ଭର ଆଉ କ'ଣ ହୁଏତ ପଚାରିଥାନ୍ତା; କିନ୍ତୁ ରାନୀ ବିଷୟରେ କୌଣସି ପ୍ରକାର କୌତୂହଳ ପ୍ରକାଶ ପାଇଲେ ଜୟରାମ ଅସହିଷ୍ଣୁ ହୋଇ ଉଠନ୍ତି । ସେ ଅଫିସ ଯାଇଥିବାବେଳେ ରାନୀର ଛୁଟି ଥିଲେ ସେ କେବେ କେମିତି ତାଙ୍କ ଘରକୁ ଚାଲିଆସୁଥିଲା । କିନ୍ତୁ ବାପ ଯେପରି ଆଦୌ ଟେର୍ ନ ପାଏ, ସେଥିପାଇଁ ସେ ଯତ୍‌ପରୋନାସ୍ତି ଚେଷ୍ଟା ମଧ୍ୟ କରୁଥିଲା । ରାନୀଟା ତ ଦେଖିବାକୁ ଅଦ୍ଭୁତ ସୁନ୍ଦର ! ସେ ଚାଲିଗଲେ ତାକୁ ବୁଲିପଡ଼ି ଚାହିଁ ନ ଦେବ ଏମିତି ସେ ସହରରେ କେହି ନାହିଁ । କିନ୍ତୁ କେହି କେବେ ବୁଝିଛନ୍ତି ନ ନାହିଁ କେଜାଣି ରାନୀଟାକୁ କେବଳ ଦୂରରୁ ଦେଖିହୁଏ । ତା’ ମୁହଁରେ ସେ ଅସମ୍ଭବ କାରୁଣ୍ୟ ଦେଖି ତା' ପାଖରେ ପଶିହୁଏ ନାହିଁ । ସେ ଦୁର୍ନିବାର ଭାବରେ ଟାଣେ; କିନ୍ତୁ ଆପଣେଇ ପାରେନାହିଁ । ଖୁବ୍ ତତାଏ; କିନ୍ତୁ ଜାଳିପାରେ ନାହିଁ । କିନ୍ତୁ କି ସୁନ୍ଦର ରାନୀଟି !

 

କିଛି ମୁହୂର୍ତ୍ତ ଏମିତି ଅମାନିଆ ବୁଲି ଫେରିଆସି ବିଶ୍ୱମ୍ଭର ଦେଖିଲା ଯେ କାନ୍ଧରେ ବନ୍ଧୁକ ପକେଇ ଦୁଇଟି ସନ୍ତ୍ରୀ ନିରବ ନିଶ୍ଚଳ ଅପେକ୍ଷା କରିଛନ୍ତି–ଜୟରାମଙ୍କ ଦୁଇଟି ଅପଲକ ଆଖି-

 

ବିଶ୍ୱମ୍ଭର ଟିକିଏ ଇତସ୍ତତଃ ହେଲା; କିନ୍ତୁ ସନ୍ତ୍ରୀ ଯେମିତି ସେମିତି ଠିଆରହିଥାନ୍ତି । ଆକାଶର ଶୂନ୍ୟ ପଡ଼ିଆଟାକୁ ଜଗିଛନ୍ତି ଯେମିତି ।

 

ବିଶ୍ୱମ୍ଭର ଗଳା ସଫାକରି କହିଲା–‘‘ମୋର ଗୋଟିଏ ଅନୁରୋଧ ଥିଲା ।’’

ସନ୍ତ୍ରୀ ହଲଚଲ ହେଲେ । ତାଙ୍କ କାନ୍ଧରେ ଆଉ ସେ ବନ୍ଧୁକ ନାହିଁ–‘‘କ’ଣ ?’’

‘‘ଏ ଓଳିଟା ଆପଣ ଆମ ଘରେ ଖାଇବେ ।’’

 

ଜୟରାମଙ୍କୁ ବୋଧହୁଏ ଖୁବ୍ କୌତୁକ ଲାଗିଲା । ତାଙ୍କ ମୁହଁ ଉପରେ ଗୁଡ଼ାଏ କୁଞ୍ଚକୁଞ୍ଚିଆ ହସ । ସତକୁ ସତ ତା’ହେଲେ ସଂସାର ବୁଝିପାରିଲେଣି ଯେ ତାଙ୍କୁ କିଛି ସହାନୁଭୂତି ସେ ଦେଖେଇବ !! ବାଃ ! ମନ୍ଦ କ’ଣ !

 

ବିଶ୍ୱମ୍ଭର କଥାଟାକୁ ଏତେ ସନ୍ତର୍ପଣରେ ବାଢ଼ିବାର କାରଣ ଥିଲା । ତା ଜାଣିବାରେ ଜୟରାମ ନିର୍ଭୁଲ ଶିଷ୍ଟାଚାରରେ ହସି ତା ମୁହେଁ ମୁହେଁ ନାହିଁ କରିଦେବାର ସମ୍ଭାବନା ଶହେରେ ଅନେଶତ-ଏଣୁ କହିସାରି ସେ କେବଳ ଅପେକ୍ଷା କଲା ଶୁଣିବାକୁ ଟିକିଏ ହସ ଏବଂ, ‘ଓହୋ ! ବହୁ ଧନ୍ୟବାଦ ବିଶ୍ୱମ୍ଭରବାବୁ ! ଆପଣଙ୍କ କଥା ରଖିପାରିଥିଲେ ଖୁସି ହୋଇଥାନ୍ତି ।’ କିନ୍ତୁ ଶୁଣିଲା ଜୟରାମ କହୁଛନ୍ତି, ‘‘ଆପଣ କାହିଁକି ମୋ ପାଇଁ ଏତେ କଷ୍ଟ ସ୍ୱୀକାର କରିବେ !’’

 

ପ୍ରଥମ ବିସ୍ମୟ ଜିରେଇ ସାରି ଅଳ୍ପ ବିଳମ୍ବରେ ବିଶ୍ୱମ୍ଭର କହିଲା, ‘‘ନାହିଁ ଆଜ୍ଞା, ମୋଟେ ନୁହେଁ, ଏଥିରେ ଗୋଟାଏ କଷ୍ଟ କ'ଣ ? ଆପଣ ଆମ ଘରେ ପାଦପକେଇବେ; ଏଇଟା ତ ଆମ ପାଇଁ ପରମ ସୌଭାଗ୍ୟର କଥା । -ହଉ, ତେବେ ମୁଁ ଆପଣଙ୍କୁ ପୁଣି ଡାକିଆସିବି ।’’

 

ବିଶ୍ୱମ୍ଭର ଏ ଘଟଣାରେ ଏକରକମର ଚମକିଲା ଚମକିଲା ପରି ଉଠି ଚାଲିଗଲା ! ତାକୁ ଦିଶିଯାଉଥାଏ ଆଗର ଅନେକ ଅନେକ ଘଟଣା : କାଉଁରିଆକାଠି ପରି ଏଇ ଜୟରାମ ବାବୁ । ନୀତି-ନିୟମରେ ଖଣ୍ଡାଧାରରେ ଚାଲିବା ଲୋକ । ତାଙ୍କ ଆଗରେ ପାନ ଚୋବେଇ ହୁଏ ନାହିଁ । ‘ଭଲ ଅଛନ୍ତି’ ବୋଲି ପଚାରିଦେବା ମଧ୍ୟ ଖୁବ୍ ସାହସର କଥା । ସମସ୍ତଙ୍କ ସାଙ୍ଗେ ମିଶି ସମସ୍ତଙ୍କ ହସ-ଖୁସିରେ ଭାଗ ନେଇ ଜୟରାମ ତାଙ୍କ ଅଜସ୍ର କ୍ଷତକୁ ଖୋଳପା ବାନ୍ଧିବାକୁ ସୁଯୋଗ ଦିଅନ୍ତୁ ବୋଲି ସମସ୍ତଙ୍କର ଇଚ୍ଛା; ତଥାପି ତାଙ୍କୁ ଏ କଥା କହିହୁଏ ନାହିଁ । ତାଙ୍କୁ ବରଂ ପଛକରି, କରଛଡ଼ା ଦେଇ ନିଜ ଗୋଷ୍ଠୀ ଭିତରେ ଚଳିବା ବିଶ୍ୱମ୍ଭର ବା ତାଙ୍କ ସହକର୍ମୀମାନଙ୍କର ଏକରକମ ଅଭ୍ୟାସରେ ପଡ଼ିଗଲାଣି । ଛୋଟ ଚାରାଟିଏ ହୋଇଥିଲେ ପାଣି ଦେଇ ଠୁଙ୍ଗା ଘୋଡ଼େଇ ତାକୁ ବଢ଼େଇ ହୁଏ । ବଜ୍ରାଘାତରେ ଦରପୋଡ଼ା ଗୋଟାଏ ବିରାଟ ମହାନିମ୍ଵଗଛର ଧ୍ଵଂସାବଶେଷକୁ ଦେଖିଲେ ନିର୍ବାକ୍ ରହିଯିବାକୁ ହୁଏ । ସହାନୁଭୂତି ପାଇଁ ଚେତନାର କୁଣ୍ଢ ପାଏ ନାହିଁ । ଜୟରାମ ଅନେକ କଥା ଜାଣନ୍ତି । ତାଙ୍କ ସମୟରେ ସେ ମାନ୍ଦ୍ରାଜରୁ ବି.ଏ. ପାସ୍‍କରି ଆସିଛନ୍ତି । ଖୁବ୍ ବଡ଼ଲୋକ ହୋଇପାରିଥାନ୍ତେ । ଲୋକଟା ଆଦୌ ନଇଁ ପାରେ ନାହିଁ, ଆଦୌ ସହିପାରେ ନାହିଁ, ତଳ ହାତରେ କିଛି ନେଇ ଜାଣେ ନାହିଁ । ଏଣୁ ସେ ସବୁ ହରେଇ କେବଳ ଟେକ ରଖିଆସିଛି । ଦୂର ଲୋକଙ୍କର ଅଶ୍ରଦ୍ଧା ଏବଂ ପାଖ ଲୋକଙ୍କର ସହାନୁଭୂତିର ଉପର ଧାପରେ ଏକପ୍ରକାର ବିସ୍ମୟାନୁଭୂତିର ପାତ୍ର ହୋଇ ଆସିଛି । ଏମିତି ଅକ୍‌କଡ଼ବାଜିଆ ଗୁଣ ଯୋଗୁଁ ବିଶ୍ୱମ୍ଭରକୁ ଲୋକଟା ଭଲଲାଗେ; କିନ୍ତୁ ଭଲଲାଗେ ନାହିଁ ଯେତେବେଳେ ସେ 'ଜୟନ୍ତ'କୁ ସହିପାରନ୍ତିନାହିଁ । ସେ ଯେତେ ତାଙ୍କୁ ସୁବିଧା ଦେଖି ବୁଝେଇଲେ ମଧ୍ୟ ବୋଧହୁଏ ସେ ବାରଲୋକଙ୍କ କଥାରେ ବିଶ୍ୱାସ କରିଯାଇଛନ୍ତି । ଜୟନ୍ତ କିନ୍ତୁ ବହୁଥର ତାଙ୍କ ସାଙ୍ଗେ ଦୋସ୍ତି କରିବାକୁ ଆଗେଇଆସିଛି, ତାଙ୍କ ଘରକୁ ବି ଥରେ ଦି'ଥର ଯାଇଛି; କିନ୍ତୁ ତାଙ୍କୁ ପରିଷ୍କାର ଘଉଡ଼ିଦେବା ଦିନୁ ଆଉ ଯାଉନାହିଁ । ଜୟନ୍ତ ତାର ପିଲାଦିନର ସାଙ୍ଗ । ସେ କ’ଣ ତା ଘରକୁ ଆସନ୍ତା ନାହିଁ, ନା' ସେ ମନା କରିଦିଅନ୍ତା-? ସୁଜାତା ସାଙ୍ଗରେ ସେ ଖୋଲାଖୋଲି କଥାବାର୍ତ୍ତା ହେବା କ'ଣ ଗର୍ହିତ ହୋଇଗଲା-ଜୟନ୍ତ ତ ସୁଜାତାକୁ ତା’ ବାପଘରେ ଥିଲାବେଳୁ ଜାଣେ ।

 

ବିଶ୍ୱମ୍ଭରର ଆଖିପତା ଘୋଡ଼େଇ ହୋଇ ଆସିଲା ବାହାର ଜଗତ୍‍ରୁ । ପତା ତଳ ଅନ୍ଧାରରେ ଅସଂଖ୍ୟ ଅଚିହ୍ନା ସାପ ଫଣା ତୋଳି ପୁଣି ଅନ୍ଧାରରେ ଛପିଗଲେ । ବିଶ୍ୱମ୍ଭର ବିଚଳିତ ହୋଇ ସାଧାରଣ ଆଲୁଅକୁ ଚେଇଁଉଠିଲା । ତାଙ୍କର ବିନାନୁମତିରେ ଗୋଟିଏ ଅନନୁଗତ ଦୀର୍ଘଶ୍ୱାସ ତାକୁ ଦୋହଲାଇ ବାହାରିଗଲା । ସେ ମଟମଟ ଅନେଇଲା, ଫେରିଆସିଲା ତାର ସାମାଜିକ କର୍ତ୍ତବ୍ୟ-ବୋଧ-ଶିଷ୍ଟାଚାର-ଭଦ୍ରଲୋକଙ୍କୁ ନିମନ୍ତ୍ରଣ । 'ହୁଁ ! ଜୟରାମବାବୁ ଖାଇବାକୁ ଆସିବେ । ଲୋକଟା ବାଛି ବିଚାରି ଖାଇଜାଣେ । ରସୁଲ ମିଆଁ କୁ ଟିକିଏ ଆଗରୁ କହି ମାଂସ ଯୋଗାଡ଼ କଲେ ହୁଏ ।'

 

ବିଶ୍ୱମ୍ଭର ଚାଲିଯିବା ପରେ ଜୟରାମ ସାମାନ୍ୟ ଆଶ୍ଵସ୍ତିରେ ଏରୁଣ୍ଡି ବନ୍ଧଟାକୁ ଅନେଇ ରହିଲେ । ଘର ବାହାରର ଏ ବ୍ୟବଧାନ ତାଙ୍କୁ ଲାଗିଲା କାଚବାଡ଼ ପରି ପାତଳ ହୋଇ ଶେଷକୁ ନିଶ୍ଚିହ୍ନ ହୋଇଯାଉଛି । ଆକାଶର ନିଛାଟିଆ ପ୍ରାନ୍ତରଗୁଡ଼ାକ ତାଙ୍କ ଘର ଭିତରକୁ ଲହଡ଼ି ମାରି ଆସୁଛନ୍ତି । ଘର ଭିତରଯାକ କେବଳ ଭରପୁର ଆକାଶ, ଖୁବ୍ ଥଣ୍ଡା, ଖୁବ୍ ନିର୍ମମ; ଏକେବାରେ ନିଃସଙ୍ଗ । ପଥର ଓ ଚୂନ ଗୋଳେଇ ସେ ଯେଉଁ ପାଚେରି ତୋଳିଥିଲେ, ତା' ମଝିରେ ନିଜ ଅଧିକାରର ସ୍ୱାଦ ଖାଇ ବଞ୍ଚିବାକୁ, ସେଇଟା ମାଟିଘଟ ଭଳି ଭୁଷୁଡ଼ି ପଡ଼ିଛି । ଭିତର ବାହାର ଏକାକାର ହୋଇଯାଇଛି । ମଝିଗାର ଲିଭିଯାଇଛି ! ବିଶ୍ୱମ୍ଭର ବୋଧହୁଏ ଗଲେ ଖାଇବା ଯୋଗାଡ଼ କରିବାକୁ । ହୁଁ ! ମନ୍ଦ ନୁହେଁ ।

 

ସେ କିନ୍ତୁ ବସିରହିଲେ ଧ୍ରୁବ ଉପରେ କାତର ବକଟିଏ ପରି । ଗୋଟିଏ ଚଳନ୍ତାଗାଡ଼ିର ଘୋ-ଘା' ଗହଳି ଭିତରୁ ସେ ହଠାତ୍ ଗଳିପଡ଼ିଛନ୍ତି ତରା-ରାତିର ଗୋଟିଏ ଦୋ-ଦୋ-ଚିହ୍ନା ବିସ୍ତୀର୍ଣ୍ଣ ପଡ଼ିଆ ଉପରକୁ । ତାଙ୍କ ଆଗରେ ଲମ୍ବା ରେଳଗାଡ଼ିଟା ଧଡ଼ଧଡ଼ ହୋଇ ପଇ ପିଟି ଚାଲିଯାଉଛି । ତାଙ୍କ ଚାରିଆଡ଼େ କିନ୍ତୁ ରାତି ଆଉ ତାରାର ଗୁଡ଼ାଏ ହେମାଳ ।

 

ଏଇ ରେଳରେ ଦିନେ ସେ ବି ଯାତ୍ରୀ ଥିଲେ । ବହୁ ସାବ୍‍ଜା ସାବ୍‍ଜା ଷ୍ଟେସନ କଞ୍ଚା କୃଷ୍ଣଚୂଡ଼ାର ହାତ ହଲେଇ ତାଙ୍କୁ ସ୍ୱାଗତ ଜଣେଇଛନ୍ତି । ବହୁ ବ୍ୟଗ୍ରତା, ବହୁ ଯାତ୍ରୀ, ଅନେକ ଠେଲାଠେଲିର ଗୁଞ୍ଜରଣ; କିନ୍ତୁ ତା' ଭିତରେ ମଟରମଞ୍ଜି ଭଳି ସମସ୍ତେ ଅଲଗା ଅଲଗା । ସମସ୍ତଙ୍କୁ ଏମିତି ନିଖାରି ଫିଟେଇ ଦେଖିବାର ଖୋଇ ତାଙ୍କର ସବୁବେଳେ ଥିଲା । ଏଣୁ ବୋଧହୁଏ କାହାକୁ ସେ ମିଞ୍ଜେଇ ପାରିନାହାନ୍ତି, କାହା କକ୍ଷ ଭିତରେ ନିଜେ ପଶିପାରିନାହାନ୍ତି । ଶିବରାମ ପରା ତାଙ୍କ ଭାଇ ଲେଖା । ସେ ଅନେକ ଦିନ ପରେ ଥରେ ତା' ପାଖକୁ ଯାଇଥିଲେ ଏକୁଟିଆ । ଗୋଟାଏ ଉପରଠାଉରିଆ ମନଧରା ହୋ-ହୋ ଛଡ଼ା ସେ ତ ତା' ଅନ୍ତରର ସ୍ପର୍ଶ ପାଇଲେ ନାହିଁ । ସେ ହୁଏତ କୁଣିଆ-ଚର୍ଚ୍ଚା କଲା; କିନ୍ତୁ କୌଣସି କେନ୍ଦ୍ରରେ ସେ ଅନୁଭବ କରିପାରିଲେ ନାହିଁ ଯେ ଶିବରାମ ତାଙ୍କୁ ଗ୍ରହଣ କଲା । ମନ ଭିତରେ କେଉଁଠି ହେଲେ ହୁଏତ ସେ କହିଲା ନାହିଁ, ‘ଭାଇନାଙ୍କୁ ନ ହେଲେ ମୋ ଜୀବନ ଅପୂର୍ଣ୍ଣ ହୋଇଯିବ ।’ ଜୟରାମ କେବଳ ଦିନଟିଏ ରହିଲେ ଏବଂ ସେ ଦିନକ ଭିତରେ ଚା' ଜଳଖିଆ ଭାତ ମଧ୍ୟ ଢେର୍ ଖାଇଲେ; କିନ୍ତୁ ସେ ପରିଷ୍କାର ଅନୁଭବ କଲେ ଯେ ସେ କେବଳ ଦାଣ୍ଡଘରର କୁଣିଆ । ସେଇ ଗାଁରେ ଭଉଣୀ ଭିଣେଇ; ସେଇ ଗାଁରେ ପିଉସା ପିଉସୀ ! ସମସ୍ତେ କେବଳ ସେଇ ମନଧରା ସାମାଜିକତାର ସଂକୋଚ ଭିତରେ ଚାଁହୁ ଛନ୍ତି, ହସୁଛନ୍ତି, ଡାକୁଛନ୍ତି, ପଞ୍ଜୁରିର ଶାରୀ ପରି । ସବୁଠେଇ କେବଳ ବ୍ୟବସାୟ, ଲାଭ, ମୂଳ କଳନ୍ତରର ହିସାବ-। ସେ ଚାଲିଆସିବା ପରେ ଶିବରାମ ମୁଣ୍ଡରେ ହାତମାରି ଉଶ୍ୱାସ ହୋଇଥିବ, ମାସର ହିସାବ-ଖାତାରେ ଗମ୍ଭୀର ହୋଇ ଖର୍ଚ୍ଚ ଉଠେଇଥିବ ।

 

ଆଜି କିନ୍ତୁ ବିଶ୍ୱମ୍ଭର ଡାକିଛି ଖାଇବାକୁ ।

 

ବିଶ୍ୱମ୍ଭର ମଙ୍ଗରାଜ ନିଜେ ଜାଣେ ନାହିଁ ସେ କାହିଁକି ମାୟାଧର ରାୟ ଝିଅକୁ ବିଭାହେଲା । ହୁଲସ୍ତୁଲ ପଡ଼ିଗଲା ଯେ ମାତ୍ର ଗୋଟାଏ କିରାଣିକୁ ମାୟାଧର ରାୟ ତାଙ୍କ ଝିଅକୁ ଜାଣିଶୁଣି ଖଞ୍ଜି ଦେଲେ । ସେ କିନ୍ତୁ ଜାଣିଥିଲା ଯେ ଶେଷରେ ଜୟନ୍ତ ପରିଡ଼ା ହିଁ ସୁଜାତାକୁ ବିଭାହେବ । ସେ ଏସ୍‍. ପି. ଙ୍କ ପୁଅକୁ ପାଠ ପଢ଼ାଏ; ତାଙ୍କ ଘରେ ପ୍ରାୟ ରହେ । ସୁଜାତା ସହିତ ପ୍ରଗାଢ଼ ଘନିଷ୍ଠତା କଥା ବିଶ୍ୱମ୍ଭରକୁ ଆସି କହେ । କାହିଁ କୁଆଡ଼େ କଥା ନାହିଁ, ହଠାତ୍ ଦିନେ ଗୁଜବ ଉଠିଲା ଯେ ସୁଜାତା ବିଭା ହେବ ଏବଂ ସାତଦିନ ଭିତରେ ବିଭା ହେବ । ଅଚାନକ ପ୍ରସ୍ତାବ ଉଠିଲା ଯେ ବିଶ୍ୱମ୍ଭର ହିଁ ତାକୁ ବିଭା ହେବ । ଆବାକାବା ହୋଇ ସେ ଏପ୍ରକାରର ପରମ ସୌଭାଗ୍ୟକୁ ବିଶ୍ୱାସ କରିପାରିନଥିଲା । ଶେଷକୁ ଜୟନ୍ତ ନିଜେ ଆସି ତା' ହାତ-ଓଠ ଧରି ତାକୁ ରାଜି କରେଇନେଲା । ସାତଟା ଦିନର ଧାଦଉଡ଼ ଏବଂ ପ୍ରବଳ କୋଳାହଳ ଭିତରେ ବିଭାଘର ହୋଇଗଲା । ସୁଜାତା ସୁନ୍ଦରୀ ସୁଜାତା ଏସ୍. ପି. ଙ୍କ ଝିଅ । ସେ କନ୍‍ଭେଣ୍ଟରେ ପାଠ ପଢ଼ିଛି । ସେ ଗୀତ ଗାଏ ଚମତ୍କାର; ନାଚେ ମଧ୍ୟ ଚମତ୍କାର । ବଡ଼ଘର ଝିଅ । ଖୁବ୍ ଆଦବ୍ କାଇଦାରେ ବଢ଼ିଛି । ହାତରେ କେମିତି ବା ରାନ୍ଧି ପାରିବ ? ହାତରେ କଳା ଲାଗିଗଲେ ସେ ହୁଏତ ବିଶ୍ୱମ୍ଭରର ଚୌଦପୁରୁଷକୁ ଗାଉଁଲିଆ ଠଉରେଇ ହସିଦେବ । ସେ କ'ଣ ତଳେ ବସି ଖାଇବ ? ସୂତା ଶାଢ଼ୀ ପିନ୍ଧିବ ? ବିଶ୍ୱମ୍ଭରର ଜମିଦାରୀ ଇଜ୍ଜତ୍ ସବୁ କଥାରେ ଟିକିଏ ଦେଶିଆ । ସେମାନେ ପାଟ ପିନ୍ଧନ୍ତି-। ବଡ଼ ବଡ଼ ଭାରି କଂସା ଥାଳିରେ ଖେଚେଡ଼ି ଖାଆନ୍ତି । ତାଙ୍କ ଗୁଆକାତିରେ ସୁନା ଗୋବ ବସିଥାଏ-। ଆମ୍‍ଲେଟ୍ କଟଲେଟ୍ କଣ୍ଟା ଛୁରୀ ସେମାନଙ୍କ ପାଇଁ ଟିକିଏ ନୂଆ । ବିଶ୍ୱମ୍ଭର ନିଜର ସହଜ ବଡ଼ପଣରେ ସବୁ ସହି-ସମ୍ଭାଳି ନେଇଛି । ସେହିପରି ଉଦାରପଣରେ ଅନେକ କଥା ଶୁଣି ମଧ୍ୟ ଶୁଣିନାହିଁ; ଦେଖି ମଧ୍ୟ ଦେଖିନାହିଁ । କୁଆଡ଼େ ଏବେ ମଧ୍ୟ ସୁଜାତା ଏବଂ ଜୟନ୍ତଙ୍କର ଭିତିରିଆ ଭାବଦୋସ୍ତି ରହିଛି ! ଜୟନ୍ତ କୁଆଡ଼େ ରଖୁଣୀ ଆଡ଼ର ପୁଅ ବୋଲି ସୁଜାତା ତାକୁ ବିଭା ହୋଇ ପାରିଲା ନାହିଁ । ସେ କୁଆଡ଼େ ବିଶ୍ୱମ୍ଭରକୁ ଓଲୁ ଠଉରେଇ ତା' ଉପରେ ଏ ବିଭାଘର ଲଦିଦେଇଛି ଅବାଧ ମିଳାମିଶାର ସୁବିଧା ପାଇଁ । ଛବି ଜନ୍ମ ହେଲାବେଳକୁ ସମସ୍ତେ ଫୁସ୍‍ଫାସ ହେଲେ ଯେ ସେ କୁଆଡ଼େ ବିଶ୍ୱମ୍ଭରର ଝିଅ ନୁହେଁ । 'ଇସ୍ ! ଏ ସଂସାରଟା ସତେ କେଡ଼େ ଅସହିଷ୍ଣୁ-!'--କହୁଥିଲା ଜୟନ୍ତ । କେହି ତାଙ୍କୁ ସହିପାରୁନାହାନ୍ତି । ସେଥିପାଇଁ ଗୁଡ଼ାଏ ଅପବାଦ ରଟିଦେଲେ ସେମାନଙ୍କର ଅସୂୟା ମେଣ୍ଟି ଯାଏ । ସେ ବୋଧହୁଏ ସତ କହୁଥିଲା । ଭୋପା, ସରଳିଆ, ଜମିଦାରିଆ ମଣିଷଟିଏ ! ଘରୁ ଚାଉଳପତ୍ର ଆଣି ଖାଏ । ଟଙ୍କା କେଇଟା ପାଇଁ ଚାକିରି କରେ । ଅମଲା ଅଫିସର ହେବା କୁଆଡ଼େ ପାଠପଢ଼ୁଆଙ୍କ ପାଇଁ ନିହାତି ଇଜ୍ଜତ୍ କଥା । ତାଙ୍କ ସାତପୁରୁଷୀ ଅଭିଳାଷ !

 

ଜୟନ୍ତ ଗୋଟାଏ କ'ଣ ପରୀକ୍ଷା ଦେବ ବୋଲି ଆଉ ଅଫିସ ଗଲା ନାହିଁ । ଏକାଠି ରହିଆସିଛି ଏତେ ଦିନ ହେଲା; ଏବେ ଯାଇ ଆଉ କୁଆଡ଼େ ରହିବ ନା' କ'ଣ ? ସେଦିନ କିନ୍ତୁ ଦି'ପହରେ ସେ ଦୁଇଜଣ ଧଡ଼ପଡ଼ ହୋଇ ଆସି ଯେମିତି ତା' ଆଗରେ ଠିଆହେଲେ, ତାକୁ ହସ ମାଡ଼ିଲା । ତା'ପରେ କିନ୍ତୁ ଅନ୍ଧାର ଦିଶିଗଲା ଚାରିଆଡ଼େ । ମୁହଁ ଉପରକୁ ଉତୁରି ଆସିଲା କେମିତି ଗୋଟାଏ ନାଲି ନାଲି ରଡ଼ ନିଆଁ ର ତାତି । ବୁକୁପବନଟାକୁ ସେ ହଠାତ୍ ଖଲାସ କରି ଟିକିଏ ଚଢ଼ା ଗଳାରେ ପଚାରିଥିଲା, ‘‘କ'ଣ ଚାଲିଛି ?’’

 

ହି-ହି, ହା-ହା ହୋଇ ହସିଉଠିଥିଲା ସୁଜାତା ।

ନାକରେ ହାତ ଦେଇ କହିଥିଲା, ‘‘କ'ଣ ଆଉ ଚାଲନ୍ତା-ପ୍ରେମ ଚାଲିଛି !’’

 

"ହି-ହି, ହା-ହା ! ତୁମେ ସହରକୁ ଆସିବାର ଏତେ ଦିନ ହୋଇଗଲା । ତୁମର ଆଉ ଟିକିଏ ବୁଦ୍ଧି କୁଆଡ଼ୁ ହେଲା ନାହିଁ ! କିଓ, ଫ୍ରେଣ୍ଡ୍ ସହ କ'ଣ ଟିକିଏ କଥା ହେବାକୁ ମନା ? ବି ଏ.ରେ ଆମ ଦି'ଜଣଙ୍କର ଗୋଟାଏ ବିଷୟ ଥିଲା ତ; ସେଇଆ ଟିକେ ଅନେକ ଦିନ ପରେ ବସି ଡ଼ିସ୍‍କସ୍ କରୁଥିଲୁ । ଏବେ ଗୋଟାଏ କ'ଣ ନୂଆ ସୁବିଧା ମିଳିଛି । ତୁମେ ତ ଖବର ରଖିବ ନାହିଁ ଜୟନ୍ତ ପରା ଓ. ଏ. ଏସ୍. ପରୀକ୍ଷା ଦେଉଛନ୍ତି ।’’

 

‘‘ଆଇ ସି, ଓହୋ ହୋ ହୋ ହୋ " ଶୁଖିଲା ହସର କାଠ ଢେଉଗୁଡ଼ିକ ତୋଟି ପାଖରେ ଲାଖିଗଲେ ; ସ୍ୱାଭାବିକ ଗଡ଼ିଆସିବା ସମ୍ଭବ ହେଲାନାହିଁ । କାନ୍ଥଗୁଡ଼ିକ ଆଉ ସରଳ ଠିଆ ନ ରହି ଢେଉଢ଼େଉକା ନଇଁପଡ଼ିଲେ । ସେଇ ଦିନଠାରୁ ବିଶ୍ୱମ୍ଭର ମଙ୍ଗରାଜ ଜୟନ୍ତ ପରିଡ଼ାକୁ ନିଃସଂକୋଚ ଚାହିଁ ପାରିଲା ନାହିଁ । ବଜାର ପାଖରେ ଗୋଛାଏ ଟୋକା ହୋ-ହୋ ହୋଇ ହସୁଥିଲେ, ସେଇ ବାଟେ ଜୋର୍ ଦେଇ ଚାଲିଯାଇ ପାରିଲା ନାହିଁ । ସେଇଦିନଠାରୁ ତାକୁ ଜଣାପଡ଼େ ଅନ୍ଧାରରେ ଗୁଡ଼ିଏ ଛାଇ ଛପ୍ ଛପ୍ ଲୁଚିଯାଉଛନ୍ତି, କାନ୍ଥକଣରୁ ଫିସ୍ ଫିସ୍ ଅଶ୍ଳୀଳ ଶବ୍ଦଗୁଡ଼ିଏ ମୁହଁ କାଢ଼ି ପୁଣି ଲୁଚି ଯାଉଛନ୍ତି ।

 

ଆଉ ସେଦିନ ଜୟରାମବାବୁଙ୍କୁ ନିମନ୍ତ୍ରଣ କରାହୋଇଥାଏ ସକାଳଓଳି ଖାଇବାକୁ । ଜୟନ୍ତ ପ୍ରାୟ ପନ୍ଦର ଦିନ ହେବ ଅନ୍ୟ କାମରେ ଆଉ କୁଆଡ଼େ ଯାଇଥାଏ ।

 

ଘର ଭିତରକୁ ପଶି ଆସି ବିଶ୍ୱମ୍ଭର କହିଲା, ‘‘ଶୁଣୁଛ, ଆଜି ଜୟରାମବାବୁ ଏଠି ଖାଇବେ ।’’

 

ଘରେ କେହି ଗେଷ୍ଟ୍ ଆସି ଖାଇବା ଗୋଟାଏ ଖୁବ୍ ଆଧୁନିକ ରୁଚି କଥା । ଏସ୍ ପି. ମାୟାଧର ରାୟଙ୍କ ଘରେ ଦୈନିକ ଦି'ଚାରି ଜଣ ଗେଷ୍ଟ୍ ପହଞ୍ଚିବା କଥା କ'ଣ ସୁଜାତା ଦେଖିନାହିଁ-?

 

ବାଞ୍ଛାକୁ ବରଗିବାକୁ ସୁଜାତା ଗଲା ରୋଷଘରକୁ । ବିଶ୍ୱମ୍ଭର ଗଲା ରସୁଲ ମିଆଁ ପାଖକୁ ନିଜେ କିଛି ଭଲ ମାଂସ ବାଛିଆଣିବା ପାଇଁ ।

 

ଜୟରାମ ବାବୁ କିନ୍ତୁ ସେମିତି ବସି ଅନେଇ ରହିଛନ୍ତି ଏରୁଣ୍ଡି ବନ୍ଧ ପାଖକୁ; ଯେଉଁଠି ବିଶ୍ୱମ୍ଭରର ପିଠି ହଠାତ୍ ଅଦୃଶ୍ୟ ହୋଇଗଲା । ଏଇ କକ୍ଷର ଗାର ଡେଇଁ ସେ କ୍ଵଚିତ୍ ଯାଇଛନ୍ତି ବାହାରକୁ । କ୍ଵଚିତ୍ ମଧ୍ୟ ବାହାରୁ କେହି ପଶିଛନ୍ତି ତା' ଭିତରେ ।

 

କ'ଣ ପ୍ରୟୋଜନ ଥିଲା ଆଜି ବିଶ୍ୱମ୍ଭର ମଙ୍ଗରାଜର ଏ ଅନ୍ନଗଣ୍ଡାକ ପାଇଁ ଏମିତି ଜିଭ ଲମ୍ବେଇଦେବାକୁ ? ଇଡ଼ିଅଟ୍ କିଛି ଅନ୍ନ, କିଛି ନାରୀ, କିଛି ବନ୍ଧାଛନ୍ଦା, କିଛି ସ୍ନାୟୁ ନେଇ କ'ଣ ଏ ସଂସାର ମପା ସରିନାହିଁ ?

 

ଜୟରାମବାବୁଙ୍କ କହରା ଆଖି ଉପରକୁ ସିଗାରେଟ୍ ଧୂଆଁ ପହଁରି ଆସିଲା । ସବୁ ପୁରୁଣା ତେଲଘଣା ବୁଲିଲା ପରି କେବଳ ପୁନରାବୃତ୍ତି । ତାଙ୍କୁ ଗଣ୍ଡେ ଖୁଆଇ ଦେଇ ପାରିଲେ ହୁଏତ ସମାଜରେ କିଛି ସୁନାମ ମିଳିଯିବ । କଥା-କଥାକେ ଏଇ ପୂର୍ବାପର ଯୋଡ଼ି ସେମାନେ କଥା କହିପାରିବେ । ତା'ପରେ ହୁଏତ ଆଉ ଦିନେ, ଆଉ ଦିନେ ହୋଇ ଶେଷକୁ ତାଙ୍କ ଘରେ ସେ ହୋଇଯିବେ ପେୟିଂଗେଷ୍ଟ୍‌ । ତା'ପରେ ବଦ୍‌ନାମ୍‌, କୁତ୍ସା । ସବୁ ଭାଙ୍ଗି ଚୁରମାର ହୋଇଯିବ ! ପୁଣି ନୂଆ କ୍ଷତ ବହନ କରି ଜୀବନ ଲଇଁଯିବ । ସବୁ ସମ୍ପର୍କ ହୁଗୁଳିଯିବେ । ଦୂରେଇଯିବେ ସବୁ ବିଶ୍ୱମ୍ଭର ମଙ୍ଗରାଜମାନେ । ଶେଷକୁ ସେଇ ଅବିନଶ୍ଵର ସତ୍ୟ 'ଏକୁଟିଆ' ନିଝୁମ ଅରଣ୍ୟ ଭିତରେ ଗୋଟିଏ ପକ୍ଷୀ ଥରେ ଡେଣା ଝାଡ଼ି ନିରବ ହୋଇଗଲା । ଚାରିଆଡ଼କୁ ବିଛେଇ ହୋଇ ପଡ଼ିଲା ତା'ରି ନିରବତା । 'ମୁଁ ଭାରି ଦୁଃଖିତ ବିଶ୍ୱମ୍ଭରବାବୁ ! ଆଜି ନୁହେଁ, ଆଉ କେବେ ଦେଖିବା ! ଭାବିଲେ ଜୟରାମ ।’ ବିଶ୍ୱମ୍ଭର ଏହାର ଉତ୍ତର ଦେବାକୁ ଯାଇ ସତେ ଯେମିତି କେବଳ ଠାରିବ,'ଆଜ୍ଞା, ଆପଣ ହଁ କହିବାରୁ ମୁଁ ଯାଇ ସବୁ କିଣାକିଣି କରି ନେଇଆସିଲିଣି ।' ଅଳ୍ପ ହସି ଜୟରାମ କହିବେ, 'ଦେଖନ୍ତୁ ବିଶ୍ୱମ୍ଭରବାବୁ ! ମୁଁ ନାଚାର ; ଅନେକ ଅନିବାର୍ଯ୍ୟ କାରଣରୁ ଆଜି ମୁଁ ଆଉ ଆପଣଙ୍କର ଅନୁରୋଧ ରକ୍ଷା କରିପାରୁନାହିଁ ।'

 

ବିଶ୍ୱମ୍ଭର ନିଶ୍ଚୟ ତୁନିପଡ଼ି ଚାଲିଯିବ । ବିଶ୍ୱମ୍ଭର ଭଲଲୋକ, ସେ ବଡ଼ଘରର ପିଲା । ଆଉ ତା' ସ୍ତ୍ରୀ ! ଓଃ, ଅନେକ ଲୋକ ଅନେକ କଥା କହିଲେ କ'ଣ ହେଲା ସେ'ତ ସେପରି କହିବେ, କହିଆସିଛନ୍ତି ମାନବ-ଇତିହାସର ପ୍ରାରମ୍ଭରୁ । ସୁନ୍ଦରୀ ନାରୀଙ୍କ ପାଇଁ ସେଇ ମାତ୍ର ଗୋଟିଏ କଥା କହିବା ଆମର ଚିରାଚରିତ ଅଭ୍ୟାସ ।

 

କିନ୍ତୁ ପୁରୁଷ ଜରାୟୁରୁ ବାହାରି ସେଇ ଜରାୟୁରେ ବିସ୍ତୃତ ହୁଏ, ବିଲୀନ ହୁଏ । ନାରୀ ତାର ସନ୍ତାନଟିକୁ ହିଁ ଶୋଷି ଶୋଷି ଖାଏ । ଏଇ ଦୁଇପଦ କଥାକୁ ଘୋଡ଼େଇ ବହୁ ଆଳୁମାଳୁ ସାରୁ, ଶେଯ, ପୋଷାକ, ବହୁ ଜାଲ, ବହୁ ମେଘ । ଏଥିପାଇଁ ମଣିଷ ଅନେକ କଥା ବୁଝିପାରେ ନାହିଁ । ବୁଝିପାରେ ନାହିଁ ପୁରୁଷର ଅନ୍ଧ ଅବଶ ଆକର୍ଷଣ, ନାରୀର ଲେଲିହାନ କ୍ଷୁଧା । ସବୁ ଘୋଡ଼େଇ ହୋଇଯାଏ ଗୋଟାଏ ଦୁର୍ଭେଦ୍ୟ ଖୋଳ ଭିତରେ, ଚଉରାଣୀକୁ ଚର୍ମ ଘୋଡ଼େଇ ରଖେ-

 

ବିଶ୍ୱମ୍ଭର ଚାଲିଛି ରସୁଲ ମିଆଁ ଛକ ଆଡ଼କୁ । ସକାଳୁ ସକାଳୁ ବହୁ ଲୋକଙ୍କର ତୀର୍ଥଭୂମି ସେଇ ଛକଖଣ୍ଡ । ସହରର ବହୁ ସଉକିନ୍ ଲୋକ ଖଣ୍ଡେଲେଖାଁ ଝୋଲା ଧରି ଆସି ସେଇଠି ଠିଆହୁଅନ୍ତି । ମିଆଁ ଦୋକାନ ଆଗରେ ପୁଞ୍ଜାଏ ଛ'ଟା ଖାସି ବନ୍ଧାହୋଇ ନିର୍ବିକାର ପାଗୁଳି କରୁଥାନ୍ତି । ଯେତେବେଳେ ଖରିଦ୍‍ଦାର ଖାଉନ୍ଦ ବରାଦ କରେ, ତାଙ୍କ ଭିତରୁ ଗୋଟାକୁ ରସୁଲ ମିଆଁ ର ମଜବୁତ୍ ନୌକାର ଟୋକା ଗମ୍ଭୀରା ଭିତରକୁ ଟାଣି ନେଇଯାଏ । ବାକିଯାକ ତାକୁ ଟିକିଏ ଚାରିଆଡ଼ୁ ଶୁଙ୍ଘି ଦିଅନ୍ତି; କିଛି ବୁଝନ୍ତି ନାହିଁ ବୋଧହୁଏ ! ଆଉ କିଏ ଭଲା ବୁଝେ ? ଆମେ ଭଲା ବୁଝୁ ?

ବିଶ୍ୱମ୍ଭର ପ୍ରାୟ ସେ ବାଟେ ଯାଏ ନାହିଁ । ବାଞ୍ଛା କେବେ କେମିତି ଆସି ମାଂସ ନେଇଯାଏ । ସେଦିନ ଅବଶ୍ୟ ଜୟରାମ ବାବୁଙ୍କ ଖାତିରିରେ ସେ ନିଜେ ନେବାକୁ ଆସିଛି । ଜୟରାମବାବୁଙ୍କୁ ରୁଚି ଖୁବ୍ ଚାଇଁଚାଇଁଆ କିନା !

"ଆରେ ବିଶ୍ୱମ୍ଭର ଯେ, କ'ଣ ଖବର ?"

ମୁହଁ ଟେକି ବିଶ୍ୱମ୍ଭର ଅନେଇଲାବେଳକୁ ଆଗରେ ଜୟନ୍ତ ପରିଡ଼ା ବୋଧହୁଏ ଜୟନ୍ତର ପରୀକ୍ଷା ସରିଗଲା । ଛୁଟି ବି ସରିଗଲା ।

"ଆଜି ବାଞ୍ଛା କ'ଣ କରୁଚି କି ! ସାଆନ୍ତେ କେମିତି ଝୋଲା ଧରି ବାହାରିଛନ୍ତି ?"

ବିଶ୍ୱମ୍ଭରର ବିରାଟ ପଡ଼ିଆ ପରି ମୁହଁ ରେ ଗୋଟିଏ ମାତ୍ର କ୍ଳାନ୍ତ ଖେଳାଳି ଦେଖାଦେଲା–ଛୋଟ ହସଟିଏ ! ସେ ଅନେକ ଦୂରରୁ, ଅନେକ ବେଳୁ ଦୌଡ଼ିଛି, କାଳେ ବିଳମ୍ବ ହୋଇଯିବ ବୋଲି ।

"ହଁ, ଆଜି ଜୟରାମବାବୁଙ୍କୁ ଡାକିଛି ଖାଇବାକୁ !"

 

'ରାନୀର ବାପ କଥା କହୁଚଟି ! ସେ ଶିଙ୍ଗଟାଳିଆ କ'ଣ ରାଜି ହେଲା ?' ହଉ, ତୁମେ ବୋଧହୁଏ ଆଗ ଫେରୁଚ–ମୋର ଟିକିଏ କାମ ଅଛି । ଘରେ କହିଦେବ ମୁଁ ଆସିଛି ବୋଲି ।"

 

ବୁଲିପଡ଼ି ଜୟନ୍ତ ପରିଡ଼ା ବାଁ ପାଖ ରାସ୍ତାରେ ଚାଲିଗଲା । ଝୁଣାଗୁଣ୍ଡରେ ହଠାତ ନିଆଁ ଲାଗିଗଲା; କିନ୍ତୁ ସେମିତି ଫାଉଁ କରି ଲିଭି ମଧ୍ୟ ଗଲା ! ବିଶ୍ୱମ୍ଭର କିଛି ସମୟ ତଳକୁ ମୁହଁ ପୋତି ଚାଲିଥାଏ । କାନ୍ଧ ଉପରେ ତୋଳି ହୋଇ ରହିଥାଏ ଢିମା ଢିମା ମୃତ ପଥରର ଅସଂଖ୍ୟ ବୋଝ ।

 

କିନ୍ତୁ ଏଇ ଜୟନ୍ତ ପରିଡ଼ା-ତା'ର ବାଲ୍ୟବନ୍ଧୁ । କେଡ଼େ ଅମାୟିକ, କେଡ଼େ ଆତ୍ମୀୟ ସେ ନଥିଲା ? ସେ ଆସି ଘରେ ପଶିଗଲେ ହଠାତ୍ ମେଘ ଓହ୍ଲେଇଯାଏ । ପାଖୁଡ଼ା ପାଖୁଡ଼ା ହୋଇ ମେଲିଯାଏ ସୁଜାତାର ବ୍ୟକ୍ତିତ୍ୱ । ଛବି, ରବି ଆଷାଢ଼ ବର୍ଷାର ହରିଣଛୁଆ ପରି ଡେଇଁବୁଲନ୍ତି । ବିଶ୍ୱମ୍ଭର ଆଶ୍ୱସ୍ତ ଅନୁଭବ କରେ, ଭାବେ ଯେ ଜୟନ୍ତ ତା ପରିବାରର ଗୋଟିଏ ବର୍ଦ୍ଧିଷ୍ଣୁ ଶାଖା । ତା'ର ଗତ ସାତବର୍ଷର ବିବାହିତ ଜୀବନର ଯେତୋଟି ଫୁଲ, ସବୁରି ବୃନ୍ତରେ; ଜୟନ୍ତ ଯେତୋଟି ପିକ୍‌ନିକ୍‌ ଭୋଜି, ହସଖୁସି, ସବୁରି କେନ୍ଦ୍ରରେ ଜୟନ୍ତ । ଲୋକଙ୍କ କଥା କାନରେ ପଡ଼ି ଭିତରୁ ଫଣା ତୋଳି ଉଠିଲେ, ସେ ଉଦାର ହେବାକୁ ଚେଷ୍ଟା କରିଆସିଛି ।

 

ଏବେ ଆଉ ସେମିତି ଘୋଡ଼େଇ ହୋଇ ଚଳିବା ସମ୍ଭବ ନୁହେଁ । ଜୟନ୍ତ ବୋଧହୁଏ ଏମିତି ଖବର ନେଇ ଅନ୍ୟ ବାଟେ ବୁଲିଯାଇଥିବ । ଏଠୁ ଫେରିଗଲେ କେମିତି ହୁଅନ୍ତା ? ମାଂସଟା କ'ଣ ଏତେ ଜରୁରୀ ! ନା ନା ! ଭଦ୍ରଲୋକଟାକୁ ଡାକିଦେଇ ଆଉ ପଛେଇବା କ'ଣ ଭଲ ! ହେଇ ତ ଛକ ! ଚଞ୍ଚଳ ନେଇ ଫେରିଗଲେ ହୁଏ । ବରଂ ଦେଢ଼ କିଲୋ ନ ନେଇ ଦୁଇ କିଲୋ ନେଇଯିବା କଥା ଜୟନ୍ତ ପୁଣି ତ ଖାଇବ !

 

ସୁଜାତା ତା' ଦର୍ପଣ ଭିତରର ଅତି ଘନିଷ୍ଠ ପ୍ରକୋଷ୍ଠଟିକୁ ଅନେଇ ବସିଛି । କିଛି ସମୟ କେବଳ ଅଳସ ମନ୍ଥର ଚାହାଣିରେ ସେଇ ଆତ୍ମୀୟ ବିଶ୍ୱଟିକୁ ଆଦର କରିନେଲା ପରେ ସେ ବସିଲା ପ୍ରସାଧନ ପାଇଁ । ଇସ୍, ବିଭା ହେବାର ସତେ ସାତବର୍ଷ ହୋଇଗଲା; ହେଇ କାଲିପରି ଲାଗୁଛି । କୁମାରୀ ସୁଜାତା ରାୟ ମା'ଙ୍କ ସାଙ୍ଗରେ କ୍ଳବ ଡ଼ିନର୍‍କୁ ଯିବ । ସେଇ ଗୌରବ, ସେଇ ଆଭିଜାତ୍ୟ ଅନୁପାତରେ ଘଣ୍ଟା-ଘଣ୍ଟା ଧରି ଚାଲିଛି ତୂଳି ଧରି ନିଖୁଣ ସଜବାଜ ।

 

ସେଇ ଅତୀତରୁ ରେଖାଏ ଅଞ୍ଜନ ନେଇ ସୁଜାତା ଭବିଷ୍ୟତର ଭୁରୁଟାକୁ ଚିକକଣେଇ ନେଲା । ଥାକ ଥାକ ସିଲ୍‍କ ବ୍ଲାଉଜ୍ ପରି ଖୁବ୍ ନିକଟର ଗୁଡ଼ିଏ ମୋଲାଏମ ସ୍ମୃତି । ପ୍ରତ୍ୟେକଟିକୁ ଯତ୍ନରେ ଥରେ ଦେଖି ସେ ପୁଣି ଥୋଇଦିଏ । କେହି କାହା ଉପରେ ମଡ଼େଇ ହୋଇ ତାକୁ ଲୋଚାକୋଚା କରିଦେବାକୁ ସେ ପ୍ରଶ୍ରୟ ଦିଏ ନାହିଁ । ପ୍ରତ୍ୟେକଟି ସ୍ୱତନ୍ତ୍ର, ପ୍ରତ୍ୟେକର ମୂଲ୍ୟ ଅଲଗା ।

 

ଏ ଦର୍ପଣ ବାଡ଼ ପଛରେ ସେ ଧାଡ଼ି ଧାଡ଼ି ସଜେଇ ରଖିଛି ତା'ର ବିସ୍ତୀର୍ଣ୍ଣ ସମୁଦ୍ର କୂଳରୁ ଗୋଟେଇ ଆଣିଥିବା ବିଭିନ୍ନ ବର୍ଣ୍ଣର ଶାମୁକା, ଶିପ, ବାଲିଗରଡ଼ା । ତାର ଦୁର୍ବାର ଅଭିଳାଷ ଯେ ସମସ୍ତଙ୍କୁ ପ୍ରଲୁବ୍‍ଧ କରି ରଖନ୍ତା ଯେମିତି ରଖିଥିଲା .. ରାଶି ରାଶି ଆଦରର ଫୁଲ କୁଢ଼େଇ ହୁଅନ୍ତା ତା'ର ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗରେ । ଫୁଲର ସୌନ୍ଦର୍ଯ୍ୟ ପରି ନାରୀ । କୌଣସି ଗୋଟାଏ ମାତ୍ର ଅନିଶ୍ଚିତ ରୁଚି ଥିବା ବ୍ୟକ୍ତିର ଉପେକ୍ଷା କିମ୍ବା ଆଦର ପାଇଁ ତାକୁ ପଥର ବାଡ଼ ଘେରେଇ ରଖିବା ଘୋର ମୂର୍ଖତା, ଅସହ୍ୟ ଅପମାନ । ମନର ବିଳାସଭୂମିରେ ସେ ଅନେକ ନିଷିଦ୍ଧ ଅଞ୍ଚଳର ଆଶ୍ଳେଷ ପାଇ ଶିହରି ଉଠିଲା, ଅବାରିତ ପ୍ରଣୟରେ ବିଳସିଗଲା କିଛି କାଳ ।

 

ହଠାତ୍ ଦର୍ପଣରେ ଦିଶିଗଲା ଜୟନ୍ତ । ତା' ପଛେ ପଛେ ବିଶ୍ୱମ୍ଭରର ହଳେ ଆଖି । "ଆରେ ଜୟନ୍ତ ଯେ !" ବେଣୀ ଫଟଉଥିବା ଭଙ୍ଗୀରେ ସୁଜାତା ଠିଆହୋଇ ବୁଲି ଚାହିଁଲା ।

 

"ମୁଁ ଆସିଛି ବୋଲି ବିଶ୍ୱମ୍ଭର ହାତରେ ଖବର ଦେଲି । ପୁଣି ଭାବିଲି ଯେ ନିଜେ ଆସି ରିପୋର୍ଟ କରିବା ଭଲ ।"

 

ଖୋଲାହସର ଧାରଟି ହଠାତ୍ ସରୁହୋଇ ଲିଭିଗଲା । ବିଶ୍ୱମ୍ଭର କେବଳ ଜାମା ଖୋଲୁ ଖୋଲୁ କହିଲା, "ଆଜି ରସୁଲ ମିଆଁ ମାଂସ କାଟେନାହିଁ । ଆଜି ଶୁକ୍ରବାର ।"

 

"କିଓ, ଆଉ କାହାଠୁ ଆଣିଲେ ହୁଅନ୍ତା ନାହିଁ ? ଜୟନ୍ତ ଆସିଛନ୍ତି ।"

"ନା, ଆଜି ମାଂସ ମିଳିବ ନାହିଁ ।"

 

ଜୟନ୍ତ ବିଶ୍ୱମ୍ଭର ପାଖକୁ ଲାଗିଆସି ତାକୁ ବାଁ ହାତରେ ଦାବି ଦେଲା-"କିଓ ସାଆନ୍ତେ, କ'ଣ ରାଗିଗଲ କି ?"

 

ଏତିକିରେ ବିଶ୍ୱମ୍ଭର ମଙ୍ଗରାଜ ଗୁଡ଼ିଏ ପୁରୁଣା ସ୍ମୃତିର ଉଷୁମ କମ୍ବଳ ଭିତରେ ନିରବ ଦାଣ୍ଡଆଡ଼େ ଚାଲିଗଲା ।

 

ଭିତରୁ ଶୁଭିଲା, "ତୁମେ ଯାଅ ଜୟନ୍ତ-କିଛି ମାଂସ ନେଇ ଆସିବ ।"

 

"ଆଜ୍ଞା ଅଛନ୍ତି ?"-କିଏ ଜଣେ ଡାକିଲା ବାହାରୁ । ଦାଣ୍ଡଦୁଆରେ 'କାଲୁ' ଠିଆ ହୋଇଥାଏ । ତା' ହାତରେ ଖଣ୍ଡେ ଟିଫିନ୍‍କେରିଅର ସେ ଜୟରାମବାବୁଙ୍କ ରିକ୍‌ସା ବୁହାଏ ।

 

ବିଶ୍ୱମ୍ଭର ପଚାରିଲା, "କଣ କି ରେ ?"

"ବାବୁ କହିଲେ ଆଜି ସେ ଆସିପାରିବେ ନାହିଁ ।"

 

ହଠାତ୍ କାହାର କିଛି ଆଉ ପଚାରିବାର ପ୍ରବୃତ୍ତି ହେଲା ନାହିଁ । କାଲୁ ଏ ସମସ୍ତଙ୍କୁ ପଛକରି ରୋଡ଼ ପର୍ଯ୍ୟନ୍ତ ଯାଇସାରିଥିଲା । ବୋଧହୁଏ ବିଶ୍ୱମ୍ଭର ଦି'ପାଦ ପାହାଚ ପାଖରୁ ଆଗେଇଯାଇ ଧୀରେ ପଚାରିଲା "କାହିଁକି ?" –ଉତ୍ତର ପାଇଁ ସେ ମଧ୍ୟ ଅପେକ୍ଷା କରି ନଥିଲା । କାଲୁ ପଛକୁ ନ ଚାହିଁ ଏକମୁହାଁ ଚାଲିଗଲା । ତାକୁ ଶୁଭେ କମ୍, ତା ବୟସ ପଚାଶ ସେପାରି ।

 

ବୋଧହୁଏ ତିନି ମାସ ପରେ କାଲୁ ଛାଞ୍ଚୁଣୀଟା ବାରଣ୍ଡା କାନ୍ଥକୁ ଡେରିଦେଇ ଚାରିଆଡ଼କୁ ଥରେ ଚାହିଁ ଥକା ହୋଇ ଠିଆହୋଇଗଲା । ତଳ, ଉପର, କବାଟକଣ, ବହିଥାକ, ସବୁ କାଚ ପରି ସଫା ହୋଇ ରହିଛି । ମଳିଝଳି କୋଉଠି କିଛି ନାହିଁ । ହଜାରେ ମାଇକିନିଆ ଥିଲେ କ'ଣ ଘର ଏତେ ନିର୍ମଳ ହୁଏ ? ନିଜେ ଜୟରାମ ଚମତ୍କାର ପାଇଜାମା ଖଣ୍ଡେ ପିନ୍ଧି ଗାଧୋଇ-ପାଧୋଇ ଆରାମଚେଆରରେ ବସିଥାନ୍ତି କାଲୁ ଆସିଲାବେଳକୁ । ସବୁ ଘରୁ ଅଳିଆଯାକ ଅଗଣାରେ ଜମା ହୋଇଥିଲା । ତାକୁ ଆଗ ସଫା କରି ସେ ଆସି ତା' ବାବୁ ଆଗରେ ଠିଆହେଲା-। ଗୋଟାଏ ଥୁଣ୍ଟା ଡାଳ ମୂଳେ ପାଣି ମଡ଼େଇ ମଡ଼େଇ ମାଳୀ ଦିନେ ସକାଳେ ହଠାତ୍ ଦେଖିଲା ଯେ ସେଥିରୁ ଗୋଟିଏ ସରୁ ଗଜା ମୁହାଇଆସୁଛି । ଓହୋ, ଯାହାହେଉ ତା'ହେଲେ ଇଏ ବଞ୍ଚିଛି କାଲୁ ଆଖିରେ ପ୍ରାୟ ସେଇ ଭାବ ।

 

"ଆଜ୍ଞା, କଣ ଜଳଖିଆ ଆସିବ ?"

 

ଜୟରାମ ଖବରକାଗଜ ଆଡ଼େଇ ତାକୁ ଚାହିଁ ହସିଲେ । କ୍ଷୌର ହୋଇଗଲେ ତା' ବାବୁଟା ସତେ ଟୋକା ପରି ଦିଶିଯାଏ ।

 

"ଆରେ ନାଇଁ, ଆଜି ପରା ଷ୍ଟୋଭରେ ନିଜେ ହାଲୁଆ ତିଆରି କରିଛି । ହାଣ୍ଡି ଶାଳ ପାଖେ ତୋ' ପାଇଁ ଗୁଳାଏ ଅଛି-ତାକୁ ଚାଖି କହିବୁ କେମିତି ହେଇଚି ।"

 

କାଲୁ ପ୍ରାୟ ବିଭୋର । ସେ ଠିକ୍ ଦେଖି ଶୁଣି ପାରୁଛି ତ ? ଏ ତ କ'ଣ ବଡ଼ ଅଦ୍ଭୁତ କଥା ! ସେ ଖାଇସାରି ଆନନ୍ଦ-ଗଦ୍‌ଗଦ ହୋଇ ଚାରିଆଡ଼କୁ ଚାହିଁ ବାବୁଙ୍କୁ ପଚାରିଲା "ଆଜି କିଏ ଆସିବ କି ବାବୁ-ଘରଟା ଏମିତି ଚିକ୍‍କଣ ହେଇ ସଜାହେଇଚି ଯେ ?"

 

ହୋ-ହୋ ହୋଇ ହସିଉଠିଲେ ଜୟରାମ । କାଲୁକୁ ଭାରି ଅଡ଼ୁଆ ଲାଗିଲା ଏ ନୂଆ ଧରଣର ହସ । ସେ ବି କିଛି ନବୁଝିଲା ନବୁଝିଲା ହୋଇ ଦାନ୍ତ ନିକୁଟି ଠିଆହେଲା ।

 

"କିଏ ଆସିବ ବୋଲି ତୁ ଭଲା ଭାବୁଛୁ ?"

 

ଜୟରାମଙ୍କ ଆଖିର ଗହୀର ଭିତରେ ଗୋଟିଏ ଅଚିହ୍ନା ନିଆଁ, ଗୁଡ଼ାଏ ଲମ୍ବା ଲମ୍ବା ଧୂସର ଛାଇ ସନ୍ଧ।ରେ ଦହକିଆସୁଛି ।

 

ଗଛଟାକୁ ହାଣି ମାରି ପୋଛିଦେଲେ ମଧ୍ୟ ତା' ପେଟ ତଳର ଚେର ତା' ଗଣ୍ଡି ରେ ଉଚ୍ଚାଟ ସୃଷ୍ଟି କରିବ; ତାକୁ ବାଧ୍ୟ କରିବ ନୂଆ ପତ୍ର ପକେଇବାକୁ, ନୂଆ ଡେଣା ମେଲିବାକୁ, ସବୁ କୁରାଢ଼ିର ଚୋଟଗୁଡ଼ାକୁ ଭୁଲିଯିବାକୁ, ଅସ୍ୱୀକାର କରିବାକୁ । ସେ ହୁଏତ ତାଙ୍କ ନିର୍ଲଜ୍ଜପଣିଆ ସତ୍ତ୍ୱେ ବୁଝନ୍ତି ଯେ ବଞ୍ଚିବା ତାଙ୍କର ଅନିବାର୍ଯ୍ୟ ଧର୍ମ । ତାଙ୍କ ଭିତର ଚେର ଶୁଖି ଶୁଖି ଅନ୍ଧାରରେ ଝଡ଼ି ନପଡ଼ିବା ପର୍ଯ୍ୟନ୍ତ ଅସଂଖ୍ୟ ଲହଡ଼ି ଉଠିବ ହିଁ ଉଠିବ ତାଙ୍କ ନାଡ଼ ଭିତରେ, ରକ୍ତପ୍ରବାହରେ, ମୁଣ୍ଡ ଭିତରର ନିସ୍ତେଜ ଦହି ଉପରେ । ସଂସାରର ଉଞ୍ଚ ଉଞ୍ଚ ଲହଡ଼ି ହୁଏତ ନିଜ ଛନ୍ଦ ଭିତରେ ଏ ସମସ୍ତକୁ ପୂରେଇ, ଆପଣେଇ ନେଇଯିବ ।

 

ଗୋଟାଏ ଶୀତଳ ଚିତା ଉପରେ ଶୋଇରହିବାର ଅର୍ଥ ନାହିଁ । ସଂସାରକୁ ଚିହ୍ନିସାରିବା ପରେ ତା' ଭିତରେ ନିହାତି ଯଦି ରହିବାକୁ ପଡ଼େ ତା'ହେଲେ ବଞ୍ଚାଯ।ଉ । ମଣିଷ କ'ଣ କେବଳ ନିଜ ପାଇଁ ବଞ୍ଚିବାକୁ ମନ। ! ଯେତିକି ଗୋଳିଆମିଶା ହେବାର ଥିଲା, ହୋଇଗଲା । ଏଣିକି ନିଜେ ନିଜ ପାଇଁ ନିଜ ଉପରେ ଯେତେଦୂର ସମ୍ଭବ ବଞ୍ଚାଯାଉ ।

 

କାଲୁ ତା' ବାବୁର ପ୍ରଶ୍ନ କଥା ଏପର୍ଯ୍ୟନ୍ତ ଭାବୁଥିଲା । 'ସତେ ତ ବାବୁର କେହି ନାହିଁ କିଏ ଆଉ ଆସିବ ?'

 

ଜୟରାମ କିନ୍ତୁ ଅପେକ୍ଷା କରୁଥିଲେ । ଖୁବ୍ ନିଭୃତରେ, ଖୁବ୍ ଅଜାଣତରେ ଅପେକ୍ଷା କରୁଥିଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ, କେତୋଟି ଅନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସକାଶେ ।

 

ନିଜେ ହୁଏତ ସେ ବଞ୍ଚିବେ ହେ ହେ ହେ କିନ୍ତୁ କେଉଁଠି ? କାହା ପାଇଁ ? ଏ ଘୂର୍ଣ୍ଣନର କେନ୍ଦ୍ର କାହିଁ ?

 

ଦାଣ୍ଡଦୁଆରେ କ'ଣ କିଏ ଜଣେ ଡାକୁଚନ୍ତି .

କାଲୁ ଦେଖିଆସି କହିଲା, "ଜୟନ୍ତବାବୁ !"

 

ହେ ହେ ହେ ମନ୍ଦ କ'ଣ ? ବଞ୍ଚିବା ପାଇଁ ଘନିଷ୍ଠ କେନ୍ଦ୍ର ନ ରହୁ, ଏଭଳି ଗୁଡ଼ିଏ ଉଲ୍‍କାପିଣ୍ଡକୁ ନେଇ ଶୂନ୍ୟରେ ବିସ୍ମୃତ ହୋଇଗଲେ କ'ଣ ଚଳିଯିବ ନାହିଁ ?

 

"ନମସ୍କାର ଜୟରାମବାବୁ । ଆପଣଙ୍କୁ ଏତେ ସକାଳୁ ଆସି ହଇରାଣ କଲି ବୋଲି କିଛି ଭାବିବେ ନାହିଁ ।"

 

"ନା, ସେ କିଛି ନୁହେଁ । ଆପଣଙ୍କର ସେଭଳି କିଛି ନିଶ୍ଚୟ ଜରୁରୀ କାମ ପଡ଼ିବାରୁ ହୁଏତ ଆସିଥିବେ ! କହନ୍ତୁ ।"

 

"ଆପଣ ଜୟରାମବାବୁ, ଅଯଥା ଲୋକଙ୍କୁ ଆହତ କରିବାରେ କ'ଣ ସୁଖ ପାଆନ୍ତି ?"

"ମୁଁ ସତ କହେ ଲୋକେ ହୁଏତ ଆହତ ହୁଅନ୍ତି ।"

"ଆପଣଙ୍କର ସେଇ ସତଟି ଆହତ କରେ ବୋଲି ଆପଣ ହୁଏତ ନିଶ୍ଚୟ ଜାଣନ୍ତି ?"

"ହୁଏତ ଜାଣେ ।"

 

"ତେବେ ଆପଣ ସତ କହନ୍ତି ନା ଜାଣିଶୁଣି ଆଘାତ କରନ୍ତି କେବଳ ? ସତ କହିବା ମାତ୍ର ଗୋଟିଏ ବାହାନା ।"

 

"ଆରେ ବାଃ, ମୁଁ ଦେଖୁଛି ଆପଣଙ୍କର ୟା ଭିତରେ ହଠାତ୍ ଅନେକ ବିକାଶ ଘଟିଯାଇଛି । ଆପଣ ଖୁବ୍ କହିଶିଖିଲେଣି । ମୁଁ ବାସ୍ତବିକ ଖୁସି ହେଲି ।"

 

"ନା ଆପଣ ଆହୁରି ଆଘାତ କରିବାକୁ ଚେଷ୍ଟାକଲେ କେବଳ । ମୁଁ ସବୁ ବୁଝିପାରୁଛି ଜୟରାମବାବୁ । ଆପଣଙ୍କର ମନର ଅବସ୍ଥା ସ୍ୱାଭାବିକ ନ ହେବାର ଯଥେଷ୍ଟ କାରଣ ଅଛି । ତା' ବୋଲି ଆପଣ ଯାହାକୁ ପାଇଲେ ତାହାକୁ ଏମିତି ଆଘାତ କରିବାର ଅଧିକାର ପାଇଗଲେ କେଉଁଠୁ ?"

 

"ଆଚ୍ଛା, ଘଟଣା କ'ଣ ? ଆପଣ ଖୁବ୍ ସକାଳୁ ଏତେ ଉପଦେଶ ବିତରଣ କରିବାର କାରଣ କ'ଣ ?"

 

"ଉପଦେଶ ନୁହେଁ, ଗୋଟାଏ ପ୍ରକାର ସତର୍କବାଣୀ ଶୁଣେଇବାକୁ ଆସିଥିଲି । ମୁଁ ଅନେକ ଦିନରୁ ଅପେକ୍ଷା କରିଥିଲି ଏଇ ମୁହୂର୍ତ୍ତଟାକୁ । ଖବରଟା କାଲି ଶୁଣିଲି ଏଣୁ ଭାବିଲି, ସକାଳେ ଆସି ଆପଣଙ୍କୁ କହିଦେବା ଭଲ ।"

 

"ଆଚ୍ଛା, ଏଭଳି କ'ଣ ଭୂମିକମ୍ପର ସୂଚନା ନେଇ ଆପଣ ମୋତେ ସତର୍କ କରିବାକୁ ଆସିଛନ୍ତି ?"

 

"ଆପଣ ବଳେ ନିଜେ ବୁଝିଯିବେ । ମୋର ଓ.ଏ. ଏସ୍. ହୋଇଯାଇଛି ଏବଂ ଏଇଠି ପୋଷ୍ଟିଂ ହେଉଛି ।"

 

"ଆରେ ବାଃ ! ଏ ଶୁଭ ଖବର ତ ମୋ ଅପେକ୍ଷା ଆଉ ବହୁ ଲୋକଙ୍କର ଜାଣିବା ପ୍ରୟୋଜନ । ତାଙ୍କ ଅଧିକାର ମଧ୍ୟ ମୋ'ଠାରୁ ଢେର୍ ଅଧିକ । ମୁଁ କିନ୍ତୁ ବିଶେଷ ବିସ୍ମିତ ହୋଇପାରୁନାହିଁ । ଉପରମହଲରେ ଆପଣଙ୍କର ଯେମିତି ପ୍ରଭାବ, ମୁଁ ଭାବୁଛି ଆପଣଙ୍କ ପ୍ରମୋଶନ ଓ.ଏ.ଏସ୍. ନହୋଇ ମଧ୍ୟ ହୋଇପାରିଥାନ୍ତା ।"

 

"ମୋର ଉପରମହଲ ସମ୍ପର୍କ ବିଷୟରେ ମୋତେ ଲଜ୍ଜିତ ବା କୁଣ୍ଠିତ ହେବାକୁ ଆଶା କରୁଛନ୍ତି କି ? ଆପଣଙ୍କ କହିବା ସ୍ୱରରୁ ମୁଁ ସେଭଳି ସୂଚନା ପାଉଛି । ଶୁଣିରଖନ୍ତୁ ଜୟରାମବାବୁ-। ଯେ ଉଠିବାକୁ ଚାହେଁ ସେ କାହା କାନ୍ଧରେ, କାହା ମୁଣ୍ଡରେ ପାଦ ଦେଇ ଉଠେ; ସେ କଥା ବିଚାର କରିବାକୁ ତା'ର ବେଳ ନଥାଏ, ପ୍ରୟୋଜନ ନଥାଏ ଜାଣିବାକୁ । ନୀତିନିୟମ, ଲଜ୍ଜା-ସଙ୍କୋଚ ଦୁର୍ବଳଙ୍କ ପାଇଁ; ଅପାରଗ ନିକମାଙ୍କ ପାଇଁ; ମୋ ପାଇଁ ନୁହେଁ । ମୁଁ ଯାହା ଚାହିଁଛି ତା କରିଆସିଛି । ଯାହା ଚାହିଁବି ତା କରିବି ମଧ୍ୟ । ମୋତେ କେହି ବାଧା ଦେଇନାହାନ୍ତି, ଦେଇପାରିବେ ନାହିଁ । ଆପଣ ନିଜକୁ ପାଦ୍ରି ମନେକରି ଅନେକ ସମୟରେ ମୋତେ ଆକ୍ଷେପ କଲାଭଳି କଥା ଅନ୍ୟମାନଙ୍କ ଆଗରେ କହିବାର ମୁଁ ଶୁଣିଛି । ଆପଣଙ୍କୁ କୌଣସି କାରଣରୁ ଏ କିରାଣିଦଳ ଖୁବ୍ ଖାତିର୍ କରିବାର ମୁଁ ଲକ୍ଷ୍ୟ କରିଛି । ମୋ'ଠାରୁ ସେସବୁ ଆଶା ନକଲେ ହୁଏତ ସାଧାରଣ ବୁଦ୍ଧିର ପରିଚୟ ଦେବେ । ମୁଁ ଆପଣଙ୍କ ବିଷୟରେ ସବୁ ଶୁଣିଛି ଏବଂ ସେଥିପାଇଁ ସାମୟିକ ଦୟା ହିଁ ଯଥେଷ୍ଟ ବୋଲି ମନେକର । ଏ ମାସ ପହିଲାରୁ ତୁମେ ମୋର ଅଧସ୍ତନ କର୍ମଚାରୀ ।"

 

ଏଇଠି ଜୟନ୍ତ ଉଠିବାର ଉପକ୍ରମ କଲା; କିନ୍ତୁ କ'ଣ ଭାବି ପୁଣି ବସିରହିଲା । କାଲୁ କେବଳ ସ୍ୱର, ଭଙ୍ଗୀ ଏବଂ ଚାହାଣିରୁ କ'ଣ ବୁଝିଗଲା କେଜାଣି, ମୁଣ୍ଡ ପଛ କୁଣ୍ଡେଇ କୁଣ୍ଡେଇ ଘର ଭିତରକୁ ଚାଲିଗଲା । ଜୟରାମ ନିରବରେ ଖଣ୍ଡେ ସିଗାରେଟ୍ ଲଗେଇ ପ୍ରଥମ ଧୂଆଁ ଟା ଛାଡ଼ି ସାମାନ୍ୟ ବୋଧହୁଏ ହସିଲେ ।

 

"ଶୁଣନ୍ତୁ ଜୟନ୍ତବାବୁ ! ହଠାତ୍ ଏ ଖବରଟିକୁ ବା ଖବରବାହକଟିକୁ ବିଶେଷ ମୂଲ୍ୟ ଦେଇ ପାରୁ ନଥିବାରୁ ମୁଁ ଦୁଃଖିତ । ଯେଉଁମାନଙ୍କ ଅନୁଗ୍ରହ ପାଇ ଆପଣ କୃତ।ର୍ଥ, ସେମାନଙ୍କୁ ମଧ୍ୟ ଏ ଅଧମ ଯଥେଷ୍ଟ ସମ୍ମାନ ଦେଇପାରିନାହିଁ । ତା' ହୋଇଥିଲେ ଆପଣଙ୍କୁ ଆଜି ଏପରି ଚମତ୍କାର ସୁଯୋଗ ମିଳିନଥାନ୍ତା ।"

 

"ମୂଲ୍ୟବୋଧ ନଥିଲେ ମୂଲ୍ୟ ଦେଇହୁଏ ନାହିଁ । ସମ୍ମାନବୋଧ ନଥିଲେ ସମ୍ମାନ ମଧ୍ୟ ଦେଇହୁଏ ନାହିଁ । ଏମିତି ହୋଇଥିଲେ ସେମିତି ହୋଇଥାନ୍ତା-ଏଇଟା କେବଳ ପରାସ୍ତ ଅଯୋଗ୍ୟ ବ୍ୟକ୍ତିର ନିଜକୁ ଠକିବାର ଯୁକ୍ତି । ଯେ ଅସନ୍ତୁଷ୍ଟ ଅପାରଗ, ଯାହା ପାଇଁ ସାରା ଭବିଷ୍ୟତଟା କେବଳ ଗୋଟାଏ ଅନ୍ଧାରୁଆ ନାଳ, ସେ ନିଜ ତିକ୍ତତାରେ ସମସ୍ତଙ୍କୁ ତିକ୍ତ କରେ । ସେ ଅସାମାଜିକ ହୋଇଯାଏ; ପରନିନ୍ଦା, ପରକୁତ୍ସା ହୋଇଯାଏ ତାର ବୃତ୍ତି । ମୁଁ ବି ରୋକଠୋକ ସତ କଥା କହେ-ଅନ୍ୟ କେହି ସେଥିରେ ଆହତ ହେଲେ ସେଥିରେ ମୋର ବିଶେଷ ବିଚଳିତ ହେବାର କିଛି ନାହିଁ । ଆପଣ ଅନେକ ଦିନରୁ ଚାକିରି କଲେଣି । ଯାହାର ଅନ୍ନରେ ବଞ୍ଚିଆସିଛନ୍ତି, ଏଣିକି ତାକୁ ସମ୍ମାନ ଦେବାକୁ କୁଣ୍ଠିତ ହୁଅନ୍ତୁ ନାହିଁ । ଏଣିକି ସରକାରଙ୍କ ନିନ୍ଦାବାଦର ପ୍ରତିଫଳ ତତ୍‍କ୍ଷଣାତ ମିଳିବାର ଆଶଙ୍କା କରିପାରନ୍ତି । ମୋ ପାଖରେ ସହି-ସମ୍ଭାଳି ଚଳିଲେ ମୁଁ କାହାରି କ୍ଷତିକରେନାହିଁ ହଉ, ମୁଁ ତା'ହେଲେ ଆସେ ।"

 

"ବସନ୍ତୁ । ଆପଣଙ୍କୁ ତଡ଼ିଦେବି ବୋଲି କ'ଣ ଭୟ କରୁଛନ୍ତି କି ? ଆପଣଙ୍କ ନୀତିଶିକ୍ଷା ପାଇଁ କିଛି ଧନ୍ୟବାଦ ନେଇଯାନ୍ତୁ । ଶୁଖିଲା ପତ୍ର ପରି ସୁଅରେ ପଡ଼ିଜାଣିଲେ ଜଣେ ଅନାୟାସରେ ଆଗକୁ ଆଗକୁ ଠେଲା ଖାଇ ଗଡ଼ିଚାଲିଯିବ । ସୁଅ ମଝିରେ ରହି ସ୍ରୋତକୁ ଅସ୍ୱୀକାର କଲେ ପାଣିଦାଢ଼ରେ ହାଣି ହୋଇ ମଥାନ ଝଡ଼ିଯାଏ । ଆପଣ ସୁଅରେ ଭାସୁଛନ୍ତି ଏବଂ ଭାସିବେ । ମୁଁ ସେଇ ସୁଅଟାକୁ ଦେଖି ଦେଖି ସ୍ଥାଣୁ ହୋଇ ଆସିଲିଣ । ଆପଣଙ୍କ ଧର୍ମ ମୋ ଧର୍ମ ନୁହେଁ । ମୁଁ ଯାହା ରହିଆସିଛି ତାହାହିଁ ରହିବି, ଯାହା କହିଆସିଛି ତାହା ହିଁ କହିବି । ଆଜି ଆପଣ ମୋ ହାକିମ ହୋଇଗଲେ ବୋଲି ମୁଁ ସବୁକଥାରେ ଲଇଁ ପଶିବି ବୋଲି ଆପଣ ଆଶା କରିବା ବୃଥା .."

 

ଥରେ ସିଗାରେଟ୍‌ ଟାଣି ସେଇ ଧୂଆଁ ଟାକୁ ମିଶେଇ ପୁଣି କହିଲେ, "ଏମିତି ପନ୍ଦରଗଣ୍ଡା ପ୍ରମୋଶନ ଦେଖିଲିଣି; ଆଉ ପନ୍ଦରଗଣ୍ଡା ବୋଧହୁଏ ଦେଖିବି । ଆପଣ ଏବଂ ଆପଣଙ୍କ ଅନୁଗ୍ରାହକମାନେ ସେ ବିଷୟରେ ନିଶ୍ଚିନ୍ତ ରହିପାରନ୍ତି ।"

 

"ଜୟନ୍ତ ପରିଡ଼ା ଆଉ ସେ ଅଫିସ୍‌ରେ କିରାଣି ନୁହେଁ, ଏ କଥା ବୋଧହୁଏ ପୂରା ବୁଝିପାରୁନାହଁ । ଆଚ୍ଛା ପାଣିରେ ଘରକରି କୁମ୍ଭୀର ସାଙ୍ଗେ ବାଦ କଲେ କ'ଣ ହୁଏ ତା' ଅଳ୍ପଦିନେ ଜଣାପଡ଼ିଯିବ ।"

 

ଆହତ ହାକିମଗିରି ବାତୁଳ ଅଗ୍ନି ଧାର ପରି ବୋହି ଚାଲିଗଲା ।

 

ଜୟରାମ କିନ୍ତୁ ସେଇଠି ବସି ଅପେକ୍ଷା କଲେ କେବଳ । ସେ ପ୍ଲାଟଫର୍ମ ଉପରୁ ଠିଆରହି ଦେଖିଲେ ଯେ ଆଉ ଜଣେ ଗାଡ଼ିରେ ଓହଳି ତାଙ୍କ ଆଗରେ ଚାଲିଗଲା-ସେ ତାଙ୍କ ପାଦତଳେ ଇଟା ସିମେଣ୍ଟ ସହିତ ଲାଖି ରହିଗଲେ । ତାଙ୍କ ପାଖରେ କୌଣସି ଟ୍ରେନ ପାଇଁ ଟିକେଟ୍ ନାହିଁ, କୌଣସି ଟିକେଟ୍ ପାଇଁ ଅର୍ଥ ନାହିଁ । ତାଙ୍କ ପାଖରେ ଯେଉଁ କେତୋଟି ମୁଦ୍ରା ଅଛି ସେଗୁଡ଼ିକର ଧାତୁ ଠକ୍ କିନ୍ତୁ, ସେ ସମସ୍ତ ଅଚଳନ୍ତି । ତାଙ୍କ ଉପରର ଛାପାଗୁଡ଼ିକ ପୁରୁଣା । ଧାତୁ-ଦରରେ ସେ ହୁଏତ ବିକ୍ରି ହୋଇଯିବ; କିନ୍ତୁ ଜୟରାମ ଏ ବଦଳ ବିଷୟ ଭାବିପାରିନାହାନ୍ତି ।

 

ଏମିତି ବହୁ ଜୟନ୍ତଙ୍କୁ ଲସରପସର ହୋଇ ବର୍ଷ ଅନ୍ଧାରରେ କୁକୁଡ଼ା ଯୋଗାଡ଼ କରିବା ସେ ଦେଖିଛନ୍ତି । ହାକିମଙ୍କ ସମଗ୍ର ପରିବାର ପାଇଁ ମନ ଜାଣି ବିଭିନ୍ନ ସାମଗ୍ରୀ ଯୋଗାଡ଼ କରିବା ସେ ଦେଖିଛନ୍ତି । ହଠାତ୍ କିନ୍ତୁ ଦିନେ ଦେଖିଲାବେଳକୁ ସେ କାର୍‌ ଚଢ଼ି ଗସ୍ତ କଲେଣି । ଆଉ ମଟକାଏ ଆଖି ମାରିଦେଲାବେଳକୁ ତାଙ୍କର ବିରାଟ କୋଠା ତୋଳାଚାଲିଛି; ଦେଢ଼ ହଜାର ଟଙ୍କା ଭଡ଼ା ହେବ ବୋଲି ସ୍ଥିର ହେଲାଣି । ଅନ୍ଧାର ମସୃଣ ରୋଡ଼ ଉପରେ ତାଙ୍କର ଘୁମନ୍ତ ଗାଡ଼ି ନିଶାରେ ଟଳି ଟଳି ଗଡ଼ିଯାଏ । ବଂଶ-ପରମ୍ପରାର ଦାରିଦ୍ର୍ୟ ଭିତରେ ଯେଉଁ ପ୍ରଭୃତ୍ୱ, ପ୍ରତିପତ୍ତି ଧନର ସ୍ୱପ୍ନ ତାଙ୍କର ପୂର୍ବପୁରୁଷ ଦେଖିଆସିଥିଲେ, ସେଇସବୁ ହଠାତ୍ ତାଙ୍କ ଦିମାକରେ ନିଆଁ ଚହଟେଇ ଦିଏ । ଜୟନ୍ତ ତାଙ୍କ ପିତୃପୁରୁଷଙ୍କୁ ତୃପ୍ୟନ୍ତାଂ କହି ଜଳ ତିଳ ସହିତ ଟେକିଦିଅନ୍ତି ହଟଚମଟରେ ତୋଳାହୋଇଥିବା ତିନିତାଲା କୋଠା ଏବଂ ଲାଞ୍ଚ ଚକ୍‍ସିସ୍ ଶତକଡ଼ା ହିସାବରେ ପ୍ରାପ୍ୟ ପଇସାର ସୁଅ । ଇଡ଼ିଅଟ୍‌ସ !!

 

ଜୟନ୍ତ ପରିଡ଼ା କିରାଣି ଚାକିରି କରିବା ଦିନଠାରୁ ଏମିତି ଭୋକଉପାସରେ ସଦାଶିବନ୍‌ ସାହାବ ବା ମୁଥ୍‌ଥୁ ସ୍ୱାମୀ ସାହାବକୁ ରାତିଦିନ ସେବା କରି ସନ୍ତୁଷ୍ଟ କରିବାର ସମସ୍ତେ ଜାଣନ୍ତି । ମନ୍ତ୍ରୀଙ୍କ ଆଗପଛ ଲୋକଙ୍କୁ ବିଭିନ୍ନ ଆୟ ଉପାୟରେ ବଶୀଭୂତ କରିବାର ମଧ୍ୟ ଲୋକେ ସ୍ୱୀକାର କରନ୍ତି । ଓ. ଏ. ଏସ୍‍. ପରୀକ୍ଷାରେ ନମ୍ବର ଗୋଟେଇବାକୁ ଭିକ୍ଷାଚାଙ୍ଗୁଡ଼ି ଧରି ପରୀକ୍ଷକମାନଙ୍କ ଜ୍ଞାତିକୁଟୁମ୍ବଙ୍କ ପାଖରେ ଧାରଣା ଦେବା କଥା ସମସ୍ତଙ୍କୁ ଗୋଚର ଅଛି । ଜୟରାମ ସବୁ ଶୁଣି କେବଳ ନିରବରେ ଅଳ୍ପ ହସି ସେତିକିରେ ତାକୁ ନାଜଚ କରିବା ମଧ୍ୟ ଜୟନ୍ତ-ଗୋଷ୍ଠୀ ଲକ୍ଷ୍ୟ କରିଛନ୍ତି .ଅନେକ ଦିନର ଅସୂୟା ଆଜି ଆତ୍ମପ୍ରକାଶ କଲା ଏବଂ ଘା' ନକାଟି ଏ ସାପ ହୁଏତ ଗାତ ଭିତରକୁ ଲେଉଟିବ ନାହିଁ ।

 

ଜୟରାମ ଅବହେଳାରେ ଏମିତି ସିଗାରେ‌ଟ୍ ଫୁଙ୍କିଲାବେଳେ ତାଙ୍କୁ ହଠାତ୍ ମନେହେଲା ଯେ ବହୁଦୂରରୁ ପୁରୁଣା ସ୍ୱରରେ କିଏ ଗୋଟାଏ କ'ଣ କହୁଛି । ଖୁବ୍ ପରିଚିତ ଗୁଡ଼ାଏ ପାଦଶବ୍ଦ ଅନ୍ଧାର ବାରଣ୍ଡା ଉପରେ ପାଖେଇଆସୁଛି । ତାକୁ ଚିହ୍ନି ବାକୁ ଚେଷ୍ଟାକଲେ ଜୟରାମ । ଜଣାଗଲା ଯେ ଅନେକ ଦିନର ପରିତ୍ୟକ୍ତ ଶିଳ ଉପରେ କିଏ ଗୋଟାଏ କ'ଣ ବାଟିଲାଗିଛି । ରାନୀ ତ ସେଥିରେ ବାଟି ଜାଣେନାହିଁ ବୋଲି ତା' ପାଇଁ ଇଲେକ୍‍ଟ୍ରିକ୍ ଗ୍ରାଇଣ୍ଡର ଆସିଥିଲା-ଏଇଟା ସତେ ବହୁ ବହୁ ଦିନର କଥା । କୌତୂହଳରେ ସେ ଉଠିଲେ ଦେଖିବା ପାଇଁ ।

 

ଦେଖିଲେ ଯେ କାଲୁ ନଇଁପଡ଼ି କ'ଣ ଗୁଡ଼ାଏ ବାଟିପକଉଛି । ପଚାରିଲେ, "ସେଗୁଡ଼ାକ କଣ କି ରେ କାଲୁ ?"

 

"ଆଜ୍ଞା, ପିଡ଼ିଆ ଆଉ ଲଙ୍କା ।"

"କଣ କରିବୁ ?"

 

"କାଣ୍ଡି ଆକୁଣ୍ଡା ଗହମ ଚୁନାରେ ମିଶେଇ ରୁଟିକରି ଏହାରି ସାଥିରେ ମୁଁ ଖାଇଦିଏ । ବୁନୁ ପ୍ରତିଦିନ ଭାତ ଖାଏ; ଭେଣ୍ଡି ପୋଡ଼ା ଖାଏ । କିଲେ ରେସନ୍‌ ଚାଉଳ ତାର ଛ'ଦିନ ଚଳିଗଲେ ରଇବାର ଦିନ ବାକିତକ ଦି'ବାପପୁଅ ମିଶି ଖାଇଦେଉ । ମୋର ହପ୍ତାରେ ବକ୍ତେ ଭାତ ।" ଟିକିଏ ହସି ପୁଣି କହିଲା, "ତା ବୋଉକୁ ତ ଜଣାନଥିଲା ଏମିତି ମହର୍ଗ ଯୁଗ ହୋଇଯିବ ବୋଲି-ମଲାବେଳକୁ କହିଦେଇଗଲା, ତା 'ବୁନୁ'ର ପ୍ରତିଦିନ ଭାତ ପଡ଼ି ଊଣା ହେବନାହିଁ ।"

 

କାଲୁ ଶିଳମୁଣ୍ଡ ପିଡ଼ିଆତକ ରାମ୍ପିନେଇ ଦୋହରେଇବାକୁ ଶିଳପୁଆ ମଡ଼େଇଲା । ଅତୀତର ରାଶି ରାଶି ପାତଳ କୁହୁଡ଼ି ଦିଗ୍‍ବଳୟକୁ ଘୁଞ୍ଚିଗଲେ । ପଥର ଦେହରେ ପଥରକୁ ଘଷୁଥିବା ଏ ଅଥର୍ବ ବୁଢ଼ା ଜୀବନଯାକ ଏପରି ନିରର୍ଥକ ଝୁଲି ଝୁଲି ନିଶଥୋଡ଼ରୁ ଝାଳ ଚାଟୁଛି । ଭାବିଛି ଯେ ସେ 'ବୁନୁ'କୁ ପୋଷୁଛି । ହସ୍ତାର ଆଉ ଛ'ଦିନ ଭାତର ସ୍ୱପ୍ନଯାକ ଏକାଠି ଗୁନ୍ଥି ସେ ତା ପୁଅ, ପୁଅର ପୁଅ, ଏମିତି ଅଗଣିତ ପୁରୁଷ ପର୍ଯ୍ୟନ୍ତ ଅଭିଷେକ କରୁଛି ! ଇଡ଼ିଅଟ୍‌ !

 

କାଲୁ ତା ବୟସ ଥିବାବେଳର ବେହିସାବୀ ମରଦପଣିଆ ଛାଡ଼ିଦେଲେ ସମସ୍ତଙ୍କ ଜଣାଶୁଣାରେ ତିନିଥର ବିଭା ହୋଇଚି । ଯୋଡ଼ାଏ ଛାଡ଼ି ପଳେଇଲେ । ତୃତୀୟଟା କାଲୁ ଠଉ ତିରିଶ ବର୍ଷ ସାନ । ବର୍ଷ ଯୋଡ଼ାକରେ ତାର ପୁଅ ହେଲା । କାଲୁକୁ ସେତେବେଳେ ପଚାଶ । ସମସ୍ତେ କହନ୍ତି-ବୁନୁ ଉଚ୍ଛବ ପାଇକର ପୁଅ ।

 

ଜୟରାମ ବାଟଘରେ ଆସି ଠିଆହୋଇ ରହିଲେ । ତାଙ୍କ ଚାରିଆଡ଼େ ଗୁଡ଼ାଏ ଅଗ୍ନି ଯେମିତି ଦହକୁଛି । ଗୋଟାଏ ମୁହୂର୍ତ୍ତରେ ମନେହେଉଛି, ଯେମିତି ଏ ନିଆଁ ତାଙ୍କୁ ଚାରିଆଡ଼ୁ ଘେରି ପୋଡ଼ି ଖାଇଯିବ । ଆଉ ଗୋଟାଏ ମୁହୂର୍ତ୍ତରେ ମନେହେଉଛି ତାଙ୍କ ଭିତରୁ ଏ ନିଆଁ ଟା ଜିଭ ଲମ୍ବେଇ ଚହଟିଆସୁଛି-ସାରା ସୃଷ୍ଟି ଟାକୁ ପାଉଁଶ କରିପକେଇବ । ଶଠତା ଓ ପ୍ରତାରଣାର ସ୍ତୂପ ସ୍ତୂପ ମୁଖା ସେ ପର୍ବତ ଆକାରରେ କୁଢ଼େଇଛନ୍ତି ତାଙ୍କ ଚାରିଆଡ଼େ । ଚେଷ୍ଟା କରିଛନ୍ତି ସଂସାର ଉପରୁ ଏ ଅଜସ୍ର ଆବରଣ ଆଡ଼େଇ ଦେଖିବାକୁ-ତା' ଭିତରେ କିଛି ଅଛି ନା ସବୁ କେବଳ ଫମ୍ପା ! ଏ ମୁଖାର ପର୍ବତ ପୋଡ଼ିବାକୁ ପଡ଼ିବ । ତା' ପଛରେ କିନ୍ତୁ ଏମିତି ପଥରରେ ପଥର ପକେଇ ଦାରିଦ୍ର୍ୟକୁ ଅହରହ ଘୋରୁଥିବା ଗୁଡ଼ିଏ ମୂର୍ଖ ଦୁର୍ବଳ ବିଡ଼ମ୍ବିତ ଜୀବହିଁ ମିଳିବେ ।

 

ଏଇ ବୁନୁର ଦୁଷ୍ଟ ରକ୍ତ ଏବେ ମଧ୍ୟ ସପ୍ତାହରେ ଛ'ଦିନ ଏ ବୁଢ଼ା ଶିରରୁ ସାର ଶୋଷି ନେଇ ନିଜର ଧାର ବଢ଼େଇଚାଲିଛି-ଏଇ ଜାରଜ ହେବ ଜୟନ୍ତ ୟାକୁ କ'ଣ ଅଭିଶାପରେ ମାରିହେବନାହିଁ ? ୟା'ର ଦୁଷ୍ଟା ଜନନୀ କ'ଣ ତା ସନ୍ତାନର ବିଷାକ୍ତ ଶବ ଉପରେ ଆଭିଚାରିକ ପାଠ କରି ତାର କଳେବର ପାନ କରିପାରିବ ନାହିଁ ? ବେଣ ରାଜାର ମେଦ ମନ୍ଥନ କରି ପୃଥୁକୁ ଜନ୍ମ ଦେଇହେବନାହିଁ ?

 

ଜୟରାମଙ୍କର ଟେବୁଲ ଉପରେ ନଜର ପଡ଼ିଲା, "କରିଡ଼ରର୍ସ ଅଫ୍ ପାୱାର" ଆଧୁନିକ ଶାସନକାଳର ଗୋଲକଧନ୍ଦା । ତାର ଅନିବାର୍ଯ୍ୟ ଜଟିଳତା । ତା'ର ଅନ୍ଧ ଅଣନିଃଶ୍ୱାସୀ ଗଳି ଭିତରେ ସମସ୍ତଙ୍କର ଅସହାୟତା ! ଭବିଷ୍ୟତର ଗୁଡ଼ାଏ ଝାପ୍‍ସା ଝାପ୍‍ସା ବିଷଣ୍ଣ ଅଗଣା ସନ୍ଧ୍ୟାରେ ଗୋଟାଏ ନିରାଲୋକ ଅନିଶ୍ଚିତତା ଭିତରକୁ ନଇଁପଡ଼ିଛନ୍ତି । ଏ ନିଶାଚର ରକ୍ତର ଜୀବଗୁଡ଼ାକ ଜୟରାମଙ୍କର ଚାରିଆଡ଼ୁ କୃମି ପରି ସାଲୁବାଲୁ ହୋଇ ଉଠିଆସିଲେ । ଅସଂଖ୍ୟ ଜୟନ୍ତ ଜୟନ୍ତ ପରିଡ଼ା ଆପୋଗଣ୍ଡ ବୟସରୁ ବହୁ ପ୍ରଭାବଶାଳୀଙ୍କର କ୍ରୋଡ଼ାଶ୍ରିତ- ତା'ର ଦୁଷ୍ଟ ପରମ୍ପରା, ତା'ର ବିଷାକ୍ତ ଭବିଷ୍ୟତ ସେ କିନ୍ତୁ ବର୍ତ୍ତମାନ ତାଙ୍କ ଉପରସ୍ଥ ହାକିମ ଜୟନ୍ତ ପରିଡ଼ା ଓ. ଏ. ଏସ୍‌.
 

 

କାହିଁକି କେଜାଣି, ଏ ସମସ୍ତ ତନ୍ତୁ ଆଡ଼େଇ ତାଙ୍କ ଆଗରେ ଠିଆହେଲା ରାନୀ । ତନ୍ତୁ ଆଢ଼ୁଆଳର ଅନ୍ଧାର ଭିତରେ ଶୋଇଥିବା ଗୋଟାଏ ଜନ୍ତୁ ତା ଜଟା ଝାଡ଼ି ଖୁଣିହେଇଉଠିଲା । ଜୟରାମଙ୍କ ସମଗ୍ର ସତ୍ତା ଚିତ୍କାର କଲା–ନା' ନା' ନା' ।

ସୃଷ୍ଟିର ଆଲୁଅ ଲିଭିଗଲା । ତା' ଭିତରେ କେବଳ ଏ କଦାକାର ଜନ୍ତୁଟାର ନିରବ ହାଇ ଏବଂ ଗୁଡ଼ାଏ ବିକଟ ଛାୟାବାଜି ।

କାଲୁ କେତେବେଳୁ ଆସି ତା' ବାବୁକୁ ଡାକିଲାଗିଛି ।

ଜୟରାମଙ୍କ ମୁଣ୍ଡରୁ ଝାଳ ଗାଧୋଇଲା ପରି ଛିଡ଼ିପଡ଼ୁଛି । ଆଖିଯୋଡ଼ାକ ସ୍ଥିର ହୋଇ ରହିଛି । ମୁହଁ ବିବର୍ଣ । ବୁକୁ ପଡ଼ୁଛି ଉଠୁଛି ।

"ବାବୁ, ବାବୁ !"

ଜୟରାମଙ୍କୁ ସେଇ ଅନ୍ଧାର ସୃଷ୍ଟିର ଦିଗ୍‌ବଳୟରୁ ଶୁଭୁଛି ଜୟନ୍ତର ଆକ୍ରୋଶ-‘ମୁଁ ତୋତେ ସର୍ବସ୍ୱାନ୍ତ କରିବି । ତତେ ଉଲଗ୍ନ କରି ତୋର ତଣ୍ଟି କାମୁଡ଼ି କଣା କରିଦେବି । ତୋର ନମିତା, ତୋର ରାନୀକୁ ଦୁଇ ବାହୁରେ ଧରି ଘିରିଘିରି ବୁଲିବି । ସେଗୁଡ଼ାକ ମୋର ଗୋଟାଏ ଗୋଟାଏ ନିଶାର ମୁହୂର୍ତ୍ତ । ତାଙ୍କ ବୁକୁ ଉପରେ ମୁଁ ଗାଡ଼ି ମଡ଼େଇ ଚାଲିଯିବି ।’

ଗୋଟାଏ ଗୁଳିମରା ଜନ୍ତୁ ଟଳିପଡ଼ିଲା । ଜୟରାମ ଚୌକି ଉପରେ କୁଢ଼େଇ ହୋଇପଡ଼ିଲେ । ପାଣି ଛିଟା ମାରି ବାବୁଙ୍କୁ ସାଷ୍ଟାମ କଲା କାଲୁ । ଜୟରାମଙ୍କ ହାତଗୋଡ଼ କେତେବେଳଯାଏଁ ଫଡ଼୍ ଫଡ଼୍ ଥରୁଥାଏ । ଆଖିର ପିତୁଳା ଅସ୍ଥିର, ଢିମଢ଼ିା ମା ।

 

"ମୋ ଝିଅ ଅଲବତ୍‌ ସିନେମା ଦେଖି ଯିବ । ସେଇ ଭିଖମଗା ମାଷ୍ଟ୍ରଟାର ଜିଭରେ ହାଡ଼ ହେଲାଣି ତାକୁ ତିଆରି କହିବାକୁ ! ସେ କ'ଣ ଭାବିଛି ଘରକଣରେ ତା ଗାଁର ସେଇ ମାଈଘୁଷୁରିଙ୍କ ପରି ମୋ ଝିଅ ଅନ୍ଧାରରେ 'ଚୁ' ଫୁଟେଇବ ? କାଲିଠଉଁ ସେ କାଙ୍ଗାଳ ମୋ ଦୁଆର ମାଡ଼ିପାରିବ ନାହିଁ । ମୋ ଝିଅ ପାଠ ନପଢ଼ିଲା ତ ତା' ବୋପାର କ'ଣ ଗଲା ? ସେ ନିଜେ ଏମିତି କି ପାଠଟା ପଢ଼ିପକେଇ ଏମିତି ଦେଖେଇହଉଚି ? ମୁଁ ଗ୍ରେଜୁଏଟ, ଆମ ବାପ ମା' ସମସ୍ତେ ଗ୍ରେଜୁଏଟ । ଆମ ଝିଅ ତ ପୁଣି ତା' ସମାଜରେ ଚଳିଲା ଭଳି ଆଚରଣ ଶିଖିବାକୁ ହେବ, ନା ୟା ବୋଲରେ ପଡ଼ି ପାତିମାଙ୍କଡ଼ ଡେଇଁଲା ପରି କଉପୁନି ମାରି ଡେଉଁଥିବ । ରେ ବାଞ୍ଛା ! କାଲି ଆସିଲେ ସେ ମାଷ୍ଟ୍ରଟାକୁ କହିବୁ, ସେ ତା' ବିଦ୍ୟା ଆଉ କୁ'ଠି ନେଇ ବିକୁ । ବାପାଙ୍କ ଭଳି ଅଫିସ୍‍ର ଆଜିକାଲି ନାହାନ୍ତି ବୋଲି ଏମାନଙ୍କ ମୁହଁ ଉପରକୁ–ନହେଲେ ବୁଟ୍‌ମାଡ଼ରେ ତା' ଦାନ୍ତ ଝଡ଼ିଯାଇ ନଥାନ୍ତା ।"

 

"କ'ଣ ହେଲା କି ଓ, କାହିଁକି ଏମିତି ପାଟି କରୁଚ ?"

 

"ପାଟିର ପ୍ରୟୋଜନ ଥିଲେ ପାଟି କରାଯାଏ । ତୁମେ ତ କୁଆଡ଼େ କାମରେ ଯାଇଥିଲ ଯେ କାଲି ଆସିବା କଥା, ଆଜି ଆସି ଗଳିପଡ଼ିଲ । ତୁମେ କ'ଣ ଜାଣିମ କ'ଣ ଚାଲିଛି ?"

 

ବିଶ୍ଵମ୍ଭର ଗୋଟାଏ ଧୂସର ଧୂଆଁ ଖମ୍ବପରି ନିଶ୍ଚଳ ନିର୍ବାକ୍‌ । ଏଇ ବୋଧହୁଏ ନିଆଁ ଫାଟିପଡ଼ିବ । କିନ୍ତୁ କେବଳ ଶୁଭିଲା-"ପିଲାଙ୍କ ଟିଉସନ-ମାଷ୍ଟ୍ରେ କିଛି ଦୋଷ କଥା କହିନାହାନ୍ତି । ମୁଁ ଥିଲି ନିଜେ । ବାଡ଼ିଆଡ଼ୁ ଗୋଡ଼ହାତ ଧୋଇ ଆସିବା ଭିତରେ ଏତେ କାଣ୍ଡ ହୋଇଗଲା; ସେ ବିଚାରା ଅପମାନ ପାଇଁ ଚାଲିଗଲା ?’’

 

"କ'ଣ ହେଲା ? ଅପମାନ ପାଇଗଲା ସେ ବାରଜାତିଆ କିରୀଟିଆ ମାଷ୍ଟ୍ର, ଆଉ ଆମେ ସବୁ ଆସିଲୁ ତୁମ ସାଆନ୍ତ ଘର ପୋଇଲୀ ! ସେ ଝିଅକୁ ବେଜିତ୍ କରିବ ! ଏଇଟା ପୁଣି ବାପ ! ମୁଁ ମରଦ ହେଇଥିଲେ ତା' ଅନ୍ତ ସେଇଠି ଦୁହିଁଦେଇଥାନ୍ତି ।"

 

ବିଶ୍ଵମ୍ଭରର ସ୍ୱର ଗମ୍ଭୀର ହେଲେ ମଧ୍ୟ ସ୍ୱାଭାବିକ–"ସେ ତ କାହାକୁ ବେଜିତ୍ କରିନାହିଁ .ତୁମେ ବରଂ ସାରା ସଂସାରକୁ ବେଜିତ୍ କରୁଛ ବୋଲି ମୁଁ ଭାବୁଛି । ତୁମେ ମରଦ ନୁହଁ ବୋଲି ଭାବିବା ତୁମର ବିନୟ ! ଅନ୍ତ ଦୁହିଁବା ତ ଭାରି ଚମତ୍କାର ହୋଇପାରିବ ତୁମ ହାତରେ !"

 

ସେ କୌଣସି ଅପରିଚିତ ବ୍ୟକ୍ତି ପରି ଗମ୍ଭୀର । ସ୍ୱର ଭିତରେ କୌଣସି ପର୍ଦାରେ ଟିକିଏ ବୋଲି ଆବେଗରେ କମ୍ପନ ନାହିଁ ।

 

ସୁଜାତା କିଛି ସମୟ ଚକିତ ଗମ୍ଭୀର ରହିଗଲା । ତାର ବାକି କଥାରୁ କେମିତି ଗୋଟାଏ ତେଜ ମରିଗଲା । କୌଣସି କାରଣରୁ ସେ ସତର୍କ ହୋଇଗଲା ବୋଲି ମନେହେଲା ।

 

"କେବେଠୁ ଏମିତି କଥା କହିଶିଖିଲଣି ମ ? ଖେଳିଲା ବୁଲିଲା ପିଲାଟା–ମୁଁ ତାକୁ ଡ଼ାକିଲାରୁ ସିନା ସେ ଗଲା–ସେ କ'ଣ ତା ମନକୁ ଯାଉଥିଲା ? ସେଥିପାଇଁ ସେ ମାଷ୍ଟ୍ର ତାକୁ କାହିଁକି ଏଡ଼େ ହଟହଟା କରିବ ଯେ ? ପିଲାଙ୍କୁ ଶାସନ କରିବାକୁ ମୁଁ କ'ଣ ନାହିଁ କରୁଚି ? ତୁମେ ତ ନିଜେ ଥିଲ–କହିବଟି ସେ କ'ଣ କହୁଥିଲା ?"

 

"ପ୍ରୟୋଜନ ନାହିଁ । କିଲୋ ଛବି, ତୁ କାଲି କି ସିନେମା ଦେଖିଲୁ କହିବୁ !"

 

ସେମିତି ନିସ୍ପୃହ, ଅବିକମ୍ପିତ ସ୍ୱର । ମୁହଁରେ ରେଖାଏ ବୋଲି ଚିହ୍ନା ଭାବ ନାହିଁ କେଉଁଠି-

 

"ଆମେ କାଲି ସିନେମା ଯାଇନୁ ବାପା ! ମା' କହିଲେ ସିନେମା ଯାଇଚୁ ବୋଲି କହିବାକୁ । ଆମେ "

 

"ଚୁପ୍‌, ବଦମାସ୍ ଟୋକୀ ! ବାପ ଆଗରେ ମିଛ କହିବା କେବଠୁ ଶିଖିଲୁଣି ଏଁ ?"

ତା'ପରେ ଛବିର ବୋବାଳି, "ବାପା, ମରିଗଲି ମରିଗଲି "

ସୁଜାତା ପାଗଳ ପରି ତାକୁ ଚଟକଣି ମାରିଲାଗିଛି ।

ବିଶ୍ଵମ୍ଭର ଆହୁରି ଭୟଙ୍କର ଭାବରେ ନିରବ, ନିସ୍ପୃହ ।

 

ଯେତେବେଳେ ଛବି 'ବାପା' ବୋଲି ଚିତ୍କାର କରିଉଠିଲା ବିଶ୍ଵମ୍ଭର ଦେଖିଲା ଯେ ସୁଜାତା ତା ତୋଟିକୁ ଦୁଇ ହାତରେ ଚିପିଧରିଛି । ଗୋଟାଏ ମୁହୂର୍ତ୍ତରେ ଅନେକ ଯୁଦ୍ଧ, ଅନେକ ଶବ ରାତିର ଅନ୍ଧାରକୁ ଆଉଜି ପଡ଼ିଲେ । ବିଶ୍ଵମ୍ଭରର ସଂଯତ ଆବରଣ ଭିତରୁ ଗୋଟାଏ ବୃଷଭ ବାହାରିଆସି ମାଡ଼ିଗଲା । ସେଇ ଧକ୍‍କାରେ ସୁଜାତା କାନ୍ଥମୂଳେ ଯାଇ କୁଢ଼େଇ ହୋଇପଡ଼ିଛି ।

 

ସବୁ ପୁଣି ସ୍ୱାଭାବିକ ହେଲାବେଳକୁ ବାଞ୍ଛା ଆଖିରେ ଆଖିଏ ଲେଖାଁ ବିସ୍ମୟ, ଗ୍ଳାନି ଆଉ ଆତଙ୍କ ନେଇ ଧକଉଥିବା ପିଲାଟାକୁ ସାଉଁଟିନେଉଛି ।

 

ସୁଜାତା କାନ୍ଥ ଦେହରେ ସତେ ବା ଲେସି ହୋଇଯାଇଛି ।

 

ବିଶ୍ଵମ୍ଭର ଏ ସମସ୍ତକୁ ପଛ କରିଦେଇ ଆଗେଇଯାଇଛି ଦାଣ୍ଡଘର ଆଡ଼େ । ମୁହଁରେ ଗୋଟାଏ ବାଘୁଆ ମଣିଷଖିଆ ବଣର ନିସ୍ତବ୍‍ଧ ଛାଇ । ଆଖିର ରଡ଼ ପଛଆଡ଼େ ସମ୍ଭ୍ରାନ୍ତ ପିତୃପୁରୁଷଙ୍କର ଲଜ୍ଜା ବାଟହୁଡ଼ା ହରିଣୀ ପରି ଲୁଚିପାରୁନାହିଁ ।

 

ଅଗଣାଧାରରେ ଠିକ୍ ସାମ୍‍ନାସାମ୍‍ନି ଆସି କେତେବେଳୁ ଠିଆରହିଛି ଜୟନ୍ତ ଏବଂ ତା'ର ସ୍ପର୍ଦ୍ଧିତ ସିଗାରେଟ୍‍ର ଧୂଆଁ । ସେଇ କେତୋଟି ମୁହୂର୍ତ୍ତ ଗ୍ରହ ନକ୍ଷତ୍ର ଜବ୍‍ଦ ହୋଇ ରହିଗଲେ ଆକାଶରେ–ମଣିଷର ବିଡ଼ମ୍ବିତ ଖୋଳ ଭିତରେ ଡେଇଁଆସି ଅଗଣାଯାକ ଲଟେଇ ହୋଇ ଘୂରିବୁଲିଲେ ଅଗଣିତ ପ୍ରବୃତ୍ତି–ଚତୁଷ୍ପଦ, ଦ୍ୱି ପଦ ଓ ସରୀସୃପଙ୍କର ନଗ୍ନ ସ୍ଵେଚ୍ଛାଚାର ।

 

ଧୂଆଁ ପଛଆଡ଼ୁ ମଣିଷ ସ୍ୱରରେ ଶୁଭିଲା–"କିଓ ବିଶ୍ଵମ୍ଭର, ତୁମେ କେବେ ଗସ୍ତରୁ ଫେରିଆସିଲ ?"

 

ସବୁ ଜନ୍ତୁଗୁଡ଼ିକ ସାଉଁ ସାଉଁ ହୋଇ ପଞ୍ଜୁରି ଭିତରେ ପଶିଗଲେ । ଦେଖାଗଲେ କେବଳ ସତର୍କ ମଣିଷଗୁଡ଼ିଏ । ଗୋଟାଏ ଜନ୍ତୁ କିନ୍ତୁ କଟମଟ ଅନେଇଲା ଧୂଆଁ ପଛର ଶବ୍ଦଟାକୁ । ତା'ପରେ ଖୁବ୍ ଅନିଚ୍ଛାରେ ସେ ବି ପଶିଗଲା ।

 

ବିଶ୍ଵମ୍ଭର କେବଳ ଆଡ଼େଇ ହୋଇ ପଶିଗଲା ଦାଣ୍ଡଘର ଭିତରେ । ସେଇଠି ଶୁଭିଲା, "ଆଜି ସକାଳେ ।"

 

ଅଗଣା ଏପଟୁ ଶୁଭିଲା ସୁଜାତାର କାନ୍ଦଣା ।

 

"ଆଚ୍ଛା, ଆଇ ଆମ୍‌ ସରି । ମୁଁ ସବୁ ବୁଝିଗଲି । ମୁଁ କେବଳ କହିବାକୁ ଆସିଥିଲି ଯେ ମୁଁ ଆଜି ଖାଇବାକୁ ଆସିପାରୁନାହିଁ । ମୋ ଭାଗଟା ଏଥର ବିଶ୍ଵମ୍ଭର ଖାଇନିଅନ୍ତୁ । ମୁଁ ତା'ହେଲେ ଆସେ ।"

 

"ମୋଟେ ନୁହେଁ । ତୁମେ ମୋଟେ କିଛି ବୁଝି ନାହଁ, ମାନେ ହୁଏତ ଓଲଟା ବୁଝିଛ । ଆଇ ଆମ୍ ରାଦର୍ ସରି ! ତୁମ ନିମନ୍ତ୍ରଣ ପାଇଁ ମୁଁ ମଧ୍ୟ କିଛି ପ୍ରସ୍ତୁତ ରଖିପାରିନାହିଁ ।" କାନ୍ଦ ହସ, ଭଦ୍ରତା, ଅଭିଯୋଗ ଗୋଟାଏ ଜରୁରୀ ପରିସ୍ଥିତିରେ ଭିଡ଼ି ଓଟାରି ହୋଇ ସହାବସ୍ଥାନ କରିଛନ୍ତି ସୁଜାତା ମୁହଁର କ୍ଷୁଦ୍ର ପରିସର ଭିତରେ ।

 

କେଉଁଠି କିଛି ପରିବର୍ତ୍ତନ ନାହିଁ ।

 

ଜୟନ୍ତର ସିଗାରେଟ୍‌ ଧୂଆଁ ଆମ୍ବାସେଡ଼ରର ନିଃଶବ୍ଦ ପାଦ ପକେଇ ଦାଣ୍ଡଘରକୁ ଚାଲିଆସିଲା ।

 

ବିଶ୍ଵମ୍ଭର ଭୂଇଁକୁ ଅନେଇ ଚୌକି ଉପରେ ବସିଥାଏ ।

 

ତା' ପିଠି ଥାପୁଡ଼େଇ ଜୟନ୍ତ କହିଲା, "କାହିଁକି ଏମିତି ବୋକାଙ୍କ ପରି ହଉଚ ? ତୁମ କେସ୍ ଚାଲିଗଲାଣି, କାଲି ସେକ୍ରେଟେରୀଙ୍କ ପାଖେ ପହଞ୍ଚିବ । ମୁଁ ସବୁ ବୁଝୁଚି । ଡିଲିଙ୍ଗ୍ ଏସିଷ୍ଟେଣ୍ଟ ଖୁସି ଅଛି । ଏଣେ ସେଇ ବିଭାଗ ମନ୍ତ୍ରୀ ମଧ୍ୟ ଖୁସି ଅଛନ୍ତି । ବିଭିନ୍ନ ଜରିଆରେ ସେକ୍ରେଟାରୀ ମଧ୍ୟ ଖୁସି ଅଛନ୍ତି । ଏଇଟା କ'ଣ ମତେ ବଳେଇଯିବ ? ଆଚ୍ଛା, ମୁଁ ଆସେ । ତୁମେ ଆଜି ଅଫିସକୁ ଆସୁଛ ? ଅବଶ୍ୟ ତୁମର ଆଜିପାଇଁ ଅର୍ଡ଼ର ଅନୁସାରେ ଷ୍ଟେସନ ଲିଭିଂ ଅଛି । ହଉ, ସେ କଥା ମଧ୍ୟ ବୁଝିଦେବା ।"

 

ଦାଣ୍ଡପିଣ୍ଡାରୁ ଶୁଭିଲା, "ଛବି ରବିଙ୍କର ଡ୍ରେସ ଖଲିଫା ମିଆଁ ସିଲେଇ କରିସାରିଲାଣି, ଆଜି ଆସି ଦେଇଯିବ । ଦାମୋଦର ମିଲ୍‌ ମାଲିକ ସୁରଜିତ ଜୈନ ସରୁ ଚାଉଳ ବସ୍ତେ ଦେଇଯିବ । ଚମ୍ପାକୁଳ ପଞ୍ଚାଏତ ପୋଖରୀର ମାଛ ପାଇଁ ସେ ବି. ଡ଼ି.ଓ.ଟାକୁ କହିଛି; ସେ ପଠାଇଦେବ ।"

 

ଗାଡ଼ିର ହର୍ଣ୍ଣ ଶୁଭି ଲିଭିଗଲା । ସବୁ କ'ଣ ଓଲଟପାଲଟ ହୋଇଯାଉଛି ।

 

ବିଶ୍ଵମ୍ଭରର ଆଖିଯୋଡ଼ାକ ସ୍ଥିର ହୋଇ ରହିଯାଇଛି । ସାମ୍‍ନା କାନ୍ଥରେ ଦିଗମ୍ବର ମଙ୍ଗରାଜର ଫଟୋ । ଛବି, ରବି ତା ଉପରେ ଚନ୍ଦନ ଟୋପା ଲଗେଇ ଦେଇଛନ୍ତି ।

 

ସେଇ ନାକ, ସେଇ ପାଟି, ସେମିତି ଯୋଡ଼ାଏ ବ୍ୟଭିଚାରୀ ଆଖି !! ବିଶ୍ଵମ୍ଭରକୁ ଶୁଭିଲା ସାରା ଘରଟା ଚିତ୍କାର କରି ଉଠିଲା । ବାକି ସମସ୍ତେ ଶୁଣିଲେ ଯେ ବିଶ୍ଵମ୍ଭର ଚିତ୍କାର କଲା । ଟେବୁଲ ଉପରୁ ପିତ୍ତଳ ଫୁଲଦାନିଟାକୁ ଉଠେଇ ସେ ଫଟୋଟାକୁ ଛେଚିଯାଉଥାଏ ପାଗଳ ପରି । କାଚଯାକ ଛିଡ଼ିପଡ଼ିଲା ଝଣଝାଣ ହୋଇ । ଦିଗମ୍ବର ମଙ୍ଗରାଜର ଦୀର୍ଘ ଅଭିଜାତ କପାଳ ଟୋଲା ହୋଇଗଲା । ନାକ ଆଖି ସବୁ ପିତ୍ତଳ ଗୋବ ମାଡ଼ରେ ଲେସି ହୋଇଗଲେ ।

 

ବିଶ୍ଵମ୍ଭର ଆଖିରେ ଧାର ଧାର ଲୁହ ଆଉ ନିଆଁ । ପିତ୍ତଳ ଫୁଲଦାନି ମାଡ଼ରେ ସେ ତା' ବାପାକୁ ହତ୍ୟା କରିଛି । ସେ ସେଇ ଦହକୁଥିବା ଆଖିଯୋଡ଼ାକୁ ଏବଂ ସେ ଲମ୍ବା ନାକଟାକୁ ଆଦୌ କ୍ଷମା ଦେଇପାରୁନାହିଁ । ଦିଗମ୍ବର ମଙ୍ଗରାଜର ଚେହେରା ଗୋଟାଏ ଆଦିମ ସରୀସୃପର ମୁଣ୍ଡ ପରି ଗଳି ଅନେଇଚି କୌଣସି ଗର୍ତ୍ତଭିତରୁ । ତା ମୁହଁର ଫୁଟନ୍ତ ବିଷଜ୍ୱାଳାରେ ବିଶ୍ଵମ୍ଭର ରୋମେ ରୋମେ ଜଳିଯାଉଛି ।

 

ତା' ଆଖି ଆଗରେ ବାଞ୍ଛା, ରବି, ଛବି ଏବଂ ଶେଷକୁ ସୁଜାତା । ତାକୁ କିଛି ଦିଶୁନାହିଁ; ତଥାପି ଆଖି ଯୋଡ଼ାକ ହୁଏତ ସେମିତି ଦହକୁଚି । କାନ୍ଥଗୁଡ଼ାକ ହୁଡ଼ାହୁଡ଼ା ହୋଇ ଦୋହଲିବାକୁ ଲାଗିଲେ । ମଣିଷ-ମୂର୍ତ୍ତିଗୁଡ଼ିକ ଦିଶିଲେ ଲହଲହ ଅଗ୍ନି ଶିଖା ପରି ବିଶ୍ଵମ୍ଭର ନିଜ ମୁହଁକୁ ହାତରେ ଘୋଡ଼େଇ ନେଲାବେଳକୁ କପାଳ ଉପରେ ଲୁହ, ଝାଳ ଆଉ ରକ୍ତର ଗୋଟାଏ ବିଷମ ତରଳ ପରିସ୍ଥିତି । ନାକଟା କିନ୍ତୁ ବୋଧହୁଏ ସେଇଭଳି ଲମ୍ବା ଓ ଖୁବ୍‌ ସଳଖ । ଓଃ, ବିଶ୍ଵମ୍ଭର ହୁଡ଼ା-ହୁଡ଼ା ହୋଇ ଦୋହଲି ପଡ଼ିଯିବା ପୂର୍ବରୁ ବାଞ୍ଛା ତା ଖାଉନ୍ଦକୁ ଟେକିନେଇ ପାଖ ଘର ଖଟ ଉପରେ ଶୁଆଇଦେଲା ।

 

ବିଶ୍ଵମ୍ଭର ଆଖି ଫିଟାଇ ଚାହିଁଲାବେଳକୁ ତାକୁ ଦିଶିଲା ଗୋଟାଏ ଶୂନ୍ୟ କାନ୍ଥ । ହୋଇପାରେ ସେଇଟା ଗୋଟାଏ ବିରାଟ ଚଉକୋଣିଆ ଆଖି, ତା ମଝିରୁ କଳା ଡୋଳାଟା ବୋଧହୁଏ ଲିଭିଯାଇଛି ।

 

କଥା ତା'ହେଲେ କ'ଣ ଏତେ ଭୟଙ୍କର ଭାବରେ ସତ ? ମଣିଷ କ'ଣ ଏତେ ଦେଲାପରେ ଏତିକି ମାତ୍ର ପାଏ ? ଜୀବନରେ ଆଉ ଅଧିକ ମେଘ ବା ନଫୁଟିଲା, ଅନ୍ତତଃ ବଣିଜ ତ ଚଳିବା ଉଚିତ । ସେତିକି ମାତ୍ର ବ୍ୟବସାୟୀ ଶିଷ୍ଟାଚାର ପାଇଁ ଏ ସଂସାର ଏତେ କୁଣ୍ଠିତ କାହିଁକି-? ଜଣକୁ ଅନ୍ଧପୁଟୁଳି ବାନ୍ଧି ତା'ର ସର୍ବସ୍ୱ ଲୁଟିନେବେ; କାହିଁକି ନା ସେମାନେ ବଳୁଆ, ସେମାନେ ଚତୁର, ସେମାନେ ଚମତ୍କାର ଅଭିନୟ କରିପାରନ୍ତି ! ଦ୍ରୌପଦୀ ବାରମ୍ବାର ବିବସ୍ତ୍ର ହେବାର ଅଜସ୍ର ଅପମାନ ସତେ ବା ଆଉ ସହିହେଉନାହିଁ ! ଗୋଟାଏ ଦ୍ୱାପର ଯୁଗର କ୍ରୋଧ ବିଶ୍ଵମ୍ଭର ମଙ୍ଗରାଜ ଭିତରେ ଗର୍ଜିଉଠିଲା–ସେ ନୀଳାମ୍ବର ମଙ୍ଗରାଜର ନାତି, ଯେ ଇଜ୍ଜତ ପାଇଁ ମୁକୁନ୍ଦ ପରିଜା ସାଙ୍ଗରେ ଜିଦାଜିଦିରେ ଗୋଟାଏ ରୋହିପିଲାକୁ ପାଞ୍ଚଶ' ଟଙ୍କା ଫିଙ୍ଗି ଦେଇ କିଣିନେଇଥିଲା । ‘ହମ୍‌ ନେହୀ ଛୋଡ଼ଗା ! ହମ୍‌ ମାର ଡାଲେଗା; ହମ୍ ଖା ଯାଏଗା, ହମ୍‌ ଐସେ କରେଗା, ତୈସେ କରେଗା ।’

 

ବିଶ୍ଵମ୍ଭରର ହାତମୁଠାରେ ଜାବ ପଡ଼ିଗଲା; କିନ୍ତୁ ପୁଣି ଶେଯ ଉପରେ ବିଛେଇ ହୋଇଗଲା ଗୋଟାଏ କୁଣ୍ଠା–କେମିତି ଗୋଟିଏ ଅସହାୟତା । ଫୁଟନ୍ତ ଲାଭା ଉପରେ ପାଉଁଶର ଗୋଟିଏ ଭାରଶୂନ୍ୟ ଆସ୍ତରଣ ବିଛେଇ ହୋଇଗଲା । ଶିଖା ଲିଭିଗଲା, ଧୀରେ ଧୀରେ ଲିଭିଗଲା ଟବ୍‍ଟବ୍‍ ହୋଇ ଫୁଟୁଥିବା ଉତ୍ତପ୍ତ ଅସ୍ଥି ରତା ।

 

ବିଶ୍ଵମ୍ଭର ତ ଭୀମ ନୁହେଁ, ଇଜ୍ଜତ ଉପରେ ଖୋଲାଖୋଲି ଜଣକ ବାହୁ ଉପାଡ଼ି ରକ୍ତ ପିଇଯିବାକୁ । ତଥାପି ଭିତରଯାକ ଗୁଡ଼ାଏ ଯୁଦ୍ଧ ଲାଗିଯିବା ଫଳରେ ସେ ଖୁବ୍ କ୍ଳାନ୍ତ ଅନୁଭବ କଲା-

 

ଆଖି ଫିଟେଇ ଚାହିଁଲାବେଳକୁ ଦାଣ୍ଡଘରର ଗୋଟିଏ ଚୌକିରେ ସୁଜାତା ନିର୍ବେଦ ବସିରହିଛି । ବିଭିନ୍ନ ଦିଗରୁ ବିଶ୍ଵମ୍ଭର ଉପରକୁ ଗୁଡ଼ାଏ ହସର ଜୁଆର ମଡ଼େଇ ହୋଇପଡ଼ିଲା । ସାରା ସହରର ହସ, ଲୋକନିନ୍ଦାର ଅଜସ୍ର ଜୁଆର, ସେ ଭିତରେ ବଡ଼ବାଗ୍ନିର ସରୁ ଧାର ପରି ଗୁନ୍ଥି ହୋଇ ରହିଛି ବୋଧହୁଏ ସୁଜାତାର ହସ । ଇସ୍‌, ତା' ପାଇଁ ଏତେ ଘୃଣା ନେଇ ସେ ଏତେ ଦିନ ବଞ୍ଚିଥିଲା କେମିତି ?

 

ବିଶ୍ଵମ୍ଭର ଖଟରୁ ଭୂସ୍‌କିନା ଉଠିପଡ଼ିଲା । ଜାମାଟା ଗଳେଇ ହୋଇ ଚପଲ ହଳକ ଗୋଡ଼ରେ ଘୋଷାରି ନେଇଗଲା ଦାଣ୍ଡପିଣ୍ଡା ପର୍ଯ୍ୟନ୍ତ । ପଛରୁ ଚାହିଁ ରହିଥାଏ ସେଇ ଡୋଳାନଥିବା ଚାରିକୋଣିଆ ଆଖିଟା ସୁଜାତା ନିର୍ବେଦ ବସିଥାଏ, ବୋଧହୁଏ ଖୁବ୍‌ ଅନ୍ୟମନସ୍କ-

 

ଇସ୍‌ ଏଇଟା ସତେ ଏମିତିଆ ଅପୁରୁଷଟାଏ !

 

ବିଶ୍ଵମ୍ଭରକୁ ସତେ ମନ ଦେଇହୁଏନା । ତା' ପାଖରେ ହିଂସ୍ରତାର ଏକାନ୍ତ ଅଭାବ । ସେ ନଖ ନାନ୍ତ ନଥିବା ଗୋଟିଏ ଗୃହପାଳିତ ଶଶା । ତାକୁ ନେଇ କେଉଁ ମାଇକିନିଆ ଭଲା ଘର କରିପାରେ ? ସେ ଖାଲି ତତେଇଦିଏ । ସେ ଗୋଟାଏ ପୁରୁଷର ଛାଇ କେବଳ, ପୁରୁଷ ନୁହେଁ । ଗୋଟାଏ ଖୋଳ, ଫମ୍ପା ଢାଞ୍ଚାଟିଏ କେବଳ ! ବାହା-ବାହାରେ ସାଆନ୍ତପୁଅ ମାଇଗୁଲିଆ !!

 

ଏ ଘଟଣା ପରେ ସେ ସୁଜାତାକୁ ଚୁଟି ଧରି ଘୋଷାଡ଼ି ଚକଟି ଦେଇପାରିଲାନାହିଁ ତଣ୍ଟି କାମୁଡ଼ି କଣା କରି ଦେଇପାରିଲା ନାହିଁ ! ଚାପିଧରି ଶ୍ୱାସରୋଧ କରିପାରିଲା ନାହିଁ ! ଏତିକିରେ ହୁଏତ ସୁଜାତାର ବିବାହିତ ଜୀବନ ସାର୍ଥକ ହୋଇଯାଇଥାନ୍ତୋ । ସେ ଗୋଟାଏ ପ୍ରବଳ ପୁରୁଷକୁ ଅନ୍ତତଃ ଏଇ ଥରକ ଭଲପାଇପାରିଥାନ୍ତା !!

 

ବିଶ୍ଵମ୍ଭର ବାଁହାତରେ ଜାମାବୋତାମ ଲଗେଇ ଲଗେଇ ଚପଲ ଘୋଷାରି ବାହାରିଗଲା-। ଦ୍ୱିପ୍ରହର ଖରାରେ ରାସ୍ତାଘାଟ ଝିଲିମିଲି ଆଲୁଅ । ଏତେ ବେଶି ଆଲୁଅରେ କେମିତି ଗୋଟାଏ ଅନ୍ଧାର ତାକୁ ଘୋଡ଼େଇ ପକାଉଥାଏ ମଝିରେ ମଝିରେ । କିଛି ବାଟ ଗୋଟାଏ ଧଡ଼ସରେ ଚାଲିଗଲା ପରେ ବିଶ୍ଵମ୍ଭରକୁ ଶୁଭିଲା, କେହି ଜଣେ ତାକୁ ଅନେକ ଦୂରରୁ ଡାକୁଛି; ବହୁ ଦୂରରୁ-! ନାଁଟା ବେଶ୍ ପରିଷ୍କାର ଶୁଭୁଛି; କିନ୍ତୁ ଅତି କ୍ଷୀଣ । ହୁଏତ ବାଉଁଶବଣରେ ପବନ ଡାକୁଛି !

 

କିଛି ଦୂରରୁ ସହରର କୋଠାଗୁଡ଼ାକ ଦେଖାଗଲା ପାଣିକାଚ ପରି ଢଳଢ଼ଳ । ପାଦତଳେ ବୋଧହେଲା ଭୂଇଁଟା ଧକେଇଲା ପରି ପଡ଼ିଲା ଉଠିଲା, ଟଳମଳ ହେଲା ।

 

ଏଥର ଖୁବ୍ ନିକଟରୁ ଶୁଭିଲା, କିଏ ଜଣେ ତାକୁ ଡାକୁଛି । ପିତ୍ତଳ ଫୁଲଦାନି ମାଡ଼ରେ କାଚଟା ଭାଙ୍ଗି ଝଡ଼ିପଡ଼ିବା ବେଳେ ବୋଧହୁଏ ଦିଗମ୍ବର ମଙ୍ଗରାଜଙ୍କ ପ୍ରତିକୃତି ତାକୁ ସେମିତି ଡାକୁଥିଲା ! ବିଶ୍ଵମ୍ଭର ହୁଏତ ନିଜକୁ ହତ୍ୟା ନକରି ନିଜର ପରମ୍ପରାକୁ ହତ୍ୟା କରିଥିଲା । ସେଇ ପରମ୍ପରା ତ ପୁଣି ତାକୁ ସାଧୁ ସଚ୍ଚୋଟ ସରଳ କିନ୍ତୁ ଏମିତି ଦୁର୍ବଳ, ବୋକା, ଓଲା, ଗଧ, ଅଲାଜୁକ, ଥୋବଡ଼ ହେବାକୁ ବାଧ୍ୟ କରିଛି–ନା ନୁହେଁ ? ସେ ତାକୁ ଅବଧାନଙ୍କ ପଞ୍ଚତନ୍ତ୍ର, ଚାଣକ୍ୟ ଭର୍ତ୍ତୃହରି, ମନୁ ଆଦିରେ ମହାଦେବଙ୍କ ଜଳସେଇ ପାଦୁକ ପରି ଚଳୁ ଚଳୁ କରି କ'ଣ ଗୁଡ଼ାଏ ପିଆଇ ହୀନବୀର୍ଯ୍ୟ କରିପକେଇଚି । ଆଘାତ ପାଇଲେ ସୁଦ୍ଧା ଚିତ୍କାର କରିବାକୁ ତା'ର ବଳ ହରଣ କରିନେଇଚି । ଆରେ ବୋକା ! ଏତେ ଉଦାର ହେବାର ଅର୍ଥ କ'ଣ ? ଏମିତି ଚାରିକବାଟ ମେଲାରଖି କ'ଣ ଏ ବତାସିଆ ସଂସାରରେ ବଞ୍ଚିହୁଏ ? ନିଜେ ଜଣେ ନିପାରିଲା ହେଲେ ତାକୁ ଯଦି ଲୋକେ ଲୁଟି ଖାଇଯାନ୍ତି, କ'ଣ ଦୋଷ ହୋଇଗଲା ? ତୋ ଗୋସେଇଁବାପ ଅମଳରେ ଏମିତି କ'ଣ ହୋଇଯାଇଥିଲେ ସେ ଆଗ ପୁଞ୍ଜାଏ ଲୋକଙ୍କୁ ବାଉଁଶ ଚିରିଲା ପରି ଫଡ଼ା ଫଡ଼ା କରି ଫୋପାଡ଼ି ଦେଇଥାନ୍ତା ନା ନାହିଁ ? ତୁ ବି ତାହା ପାରନ୍ତୁ । ପଛଉଛୁ କାହିଁକି? ବିଶ୍ଵମ୍ଭର ମଙ୍ଗରାଜର ନାତି ହୋଇ ଏତେ ବେଜିତ୍ ସହିପାରୁଛୁ କେମିତି ?

 

ଠିକ୍‍ କଥା । ଏ ପ୍ରକାର ଅପମାନରୁ ବଞ୍ଚିବାକୁ ହେଲେ ଆଉ ଅନ୍ୟ ଉପାୟ ନାହିଁ । ସେଇ ଗୋଟିଏ ମାତ୍ର ଅନିବାର୍ଯ୍ୟ ପନ୍ଥା ! କିନ୍ତୁ ତା'ହେଲେ ତ ଫାଶୀ ପାଇବା ମଧ୍ୟ ଅନିବାର୍ଯ୍ୟ । କୌଣସି ଗୋଟିଏ କଳା ଗାଉନପିନ୍ଧା ଜଜ୍‌ର ଇଜଲାସ୍‍ରେ ପଳ ପଳ କରି ପୁଣି ଏ ସମସ୍ତ ଘଟଣାରେ ଜଳିବାକୁ ହେବ ଏବଂ ଝୁଲିବାକୁ ହେବ ଫାଶୀକାଠରୁ । ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ହୁଏତ ବାହାରିବ ଯେ ଦିଗମ୍ବର ମଙ୍ଗରାଜକୁ ବୋହୂ ଦୁଶ୍ଚରିତ୍ରା । ତା'ର ପୁଅ ନରହନ୍ତା ଆସାମୀ । ପାହାନ୍ତିଆ ପହରର ଜେଲ ହତା ଭିତରେ ତା' ମୁହଁରେ କଳାକନା ବାନ୍ଧି ତାକୁ ଫାଶୀ ଦିଆଗଲା ! ମନ୍ଦ କ'ଣ ? ପରମ୍ପରା ଠାରେ ଦେଖୁ, ତା' ପୁରୁଣା ଡାଳରେ କେମିତି ନୂଆ ମହାକାଳ ଫଳ ଧରିଛି ।

 

କେଞ୍ଚୁଆ ଦେହରେ କମଳକଣ୍ଟା ଫୋଡ଼ିଦେଲେ ବାମ୍ଫୁଆ ମାଟିରେ ସେ ଯେମିତି ସେଇଠି ସେଇଠି ସାଲୁବାଲୁ ହୁଏ, ମଣିଷ ବୁକୁରେ ଛୁରୀ ଭୁଷିଦେଲେ ସେ କ'ଣ ସେମିତି ହେଉଥିବ ? ଠିକ୍ କଲିଜା ଉପରେ ଗବ୍‍କିନା ବସିଗଲେ ଗୋଟାଏ ଥର ବୋଧହୁଏ ଛଟପଟ ହେବ; ତାପରେ ଶୋଇଯିବ ମାଛ ପରି । କିନ୍ତୁ ଲୋକଟା ପଛ କରି ଚାଲିଯାଉଥିଲାବେଳେ ତାକୁ ଗୁଳିଚୋଟ ବାଜିଲେ, ସେଇଟା ମୁହଁମାଡ଼ି ପଡ଼ିଯିବ ନା ପଛକୁ ଚିତ୍‌ ହୋଇ ଲେଉଟି ପଡ଼ିବ–ଧର, ସାପ ଯେମିତି ପେଟ ଦେଖେଇ ମରିଯାଏ ? ଗୋଟାଏ ବିଷଧର ସାପକୁ ପିତ୍ତଳ ଫୁଲଦାନିର ଗୋବମାଡ଼ରେ ଛେଚି ଛେଚି ମାରିବା ଭାରି ଗୋଟାଏ ଅଦ୍ଭୁତ ଆନନ୍ଦ ହେଉଥିବ । ଖୁବ୍ ଗୋଟାଏ ସାହସିଆ କାମ ମଧ୍ୟ ସେଇଟା ।

 

କିଛି ସମୟ ପରେ ବିଶ୍ୱମ୍ଭର ଅନୁଭବ କଲା ଯେ ସେ କୌଣସି ଗଛଛାଇର ଅଯାଚିତ ଶୀତଳତାରେ ହାତଗୋଡ଼ ମେଲିଦେଇ ପଡ଼ିରହିଛି । ଚାରିଆଡ଼କୁ ସେ ଆଖି ବୁଲେଇନେଲା । ଜାଗାଟା କିଛି ଅପରିଚିତ ନୁହେଁ । ହେଇ, କିଛି ଦୂରରେ ଖ୍ରୀଷ୍ଟାନ୍‌ମାନଙ୍କର କବର ଦିଶୁଛି; ତା' ଚାରିପଟେ ଉଚ୍ଚ ଉଚ୍ଚ ପାଚେରି । ଆଗରେ ସନ୍ତ୍ରୀ ପରି ଖୁବ୍ ଉଚ୍ଚ ଉଚ୍ଚ ଦୁଇଟି ଇଉକାଲିପଟସ ଗଛ-। ଚାରିଆଡ଼େ ଦ୍ୱିପହରର ପାତଳ ନୀରବତା । ସେଇବାଟେ ବିଶ୍ଵମ୍ଭର ଅନେକ ଥର ଏକୁଟିଆ ହେଉ ବା ସାଙ୍ଗ-ସୁଖରେ ହେଉ ଗହଳିଆ ସଞ୍ଜବେଳେ ବୁଲିଯାଇଛି; କିନ୍ତୁ କେବେହେଲେ ଏମିତି ତୀବ୍ର ନିର୍ଜନତା ସେ ଅନୁଭବ କରିନାହିଁ ।

 

ଦ୍ଵିପ୍ରହରଟା ସତେ ଏକ ଜ୍ୱାଳାମୟ ସମୟ । ସେ ବହୁ ଅନ୍ଧାରୁଆ ରହସ୍ୟକୁ ପ୍ରକଟିତ କରିପକାଏ; ବହୁ ନିଭୃତ ପ୍ରକୋଷ୍ଠରେ ନିଆଁ ଲଗେଇଦିଏ । ଗାଁ ପାଖ ବୁଦାଗହଳିରେ କଞ୍ଚା ଗଛରୁ ବାମ୍ଫ ବାହାରୁଥିଲାବେଳେ ଜୟନ୍ତ ତାକୁ ପ୍ରଥମ ପୁରୁଷ ଜ୍ଞାନ ବତେଇଛି । ବହୁ ଉଷ୍ଣ ଘର୍ମ।କ୍ତ ଦ୍ଵିପ୍ରହରର କ୍ଳାନ୍ତି ନେଇ ସେ ତାକୁ ଜୀବନର ଘନିଷ୍ଠ ବନ୍ଧନୀ ଭିତରେ ଗ୍ରହଣ କରିଛି । ତା'ପରେ ଆଉ ଗୋଟିଏ ଦୂରନ୍ତ ଦ୍ୱି ପ୍ରହର । ଖୁବ୍‌ ଗୋରୀ, ଖୁବ୍ ମାଂସଳ ନୌକରାଣୀ ଝିଅଟିଏ । ନଈଦାଢ଼ରେ ରଙ୍ଗମାଟି ଗୁମ୍ଫା ଖୁବ୍‌ ନିଭୃତ, ଖୁବ୍‌ ଶୀତଳ । ସେ ଜୟନ୍ତ ଆଉ ଲକ୍ଷ୍ମୀ ଦ୍ୱି ପ୍ରହର ଖରାରେ ହାଉହାଉ ଜଳୁଥିବା ଉତ୍ତପ୍ତ ଯୌବନର ତିନୋଟି ଆଦ୍ୟଶିଖା ।

 

ଖ୍ରୀଷ୍ଟିଆନ୍‌ କବର କିଛି ଦୂରକୁ କୁଷ୍ଠାଶ୍ରମ ।

 

ଜ୍ୱଳନ୍ତ ଦ୍ଵିପ୍ରହରର ଖରାରେ ଟୋପା ଟୋପା ଝାଳ ପରି ରୋଡ଼୍‍ର ଏଠି ସେଠି ଆଲକାତରା ତରଳି ଉପରକୁ ଉତୁରି ଆସିଛି । ମୋଡ଼ ପାଖରୁ ହଠାତ୍ ଗୋଟାଏ ଅଦ୍ଭୁତ ମୂର୍ତ୍ତି ବାହାରିଆସିଲା । ଥୁଣ୍ଟା ହାତପାପୁଲିରେ ଯୋଡ଼ାଏ ନଡ଼ିଆ ଖୋଳପା ବାନ୍ଧି ଅକର୍ମଣ୍ୟ ଗୋଡ଼ ଦି'ଟାକୁ ଆଗକୁ ଛାଟି ପିଚାରେ ଘୁଷୁରି ଘୁଷୁରି ଆସିଲା ଗୋଟାଏ ବିକଳାଙ୍ଗ କୋଢ଼ି । ତା'ର ଫୁଲୁକିଆ ମୁହଁ ଓ ନାକ ଉପରେ ଝାଳ ନିଗିଡ଼ି ବୋହିଯାଉଥାଏ । ତଥାପି ସେ ଚାଲିଥାଏ ଏକଲୟରେ । ସେ ଖଣ୍ଡକ ପାରିହେବାକୁ ତାକୁ ଅନେକ ସମୟ ଲାଗିଗଲା । ପ୍ରତିଟି ଦୁର୍ବହ ମୁହୂର୍ତ୍ତକୁ ଅପଲକ ଅନେଇ ରହିଥାଏଁ ବିଶ୍ଵମ୍ଭର । ଓଃ, ସେ ତାତି, ସେ ପ୍ରୟାସ ଏବଂ ଜୀବନରେ ସେ ଜ୍ୱଳନ୍ତ ଯନ୍ତ୍ରଣା ! ଇଏ ତ ଫେର୍‌ ବଞ୍ଚିଛି, ବଞ୍ଚିପାରିଛି ! ବଞ୍ଚିବାକୁ ଭୟଙ୍କର ଦୁର୍ବାର ଇଚ୍ଛା ଅଛି ୟା'ର ! ୟା'ଠାରୁ ତ ଅଧିକ କଷ୍ଟ କେହି ପାଇପାରେନା, ୟାଠାରୁ ଅଧିକ ବେଜିତ୍ ହୋଇପାରେନା-! ତଥାପି ଲକ୍ଷ୍ମୀ ହସୁଛି । ତା'ର ଆରପଟେ ଜୟନ୍ତ, ଆରପଟେ ବିଶ୍ଵମ୍ଭର । ଉଭୟେ କ୍ଳାନ୍ତ, ଉଭୟେ ଅନୁରକ୍ତ । କୌଣସି ବିରୋଧ ନାହିଁ । ବେଶ୍‌ ତ ତିନିହେଁ ବଞ୍ଚିଛନ୍ତି ଗୋଟାଏ ରଙ୍ଗମାଟିର ଗୁମ୍ଫା ଭିତରେ ।

 

ନିଜ ହସ ଶୁଣି ବିଶ୍ଵମ୍ଭର ଚମକିପଡ଼ିଲା । ମନ୍ଦ କଣ ? ଯଦି ଆଜି ଲକ୍ଷ୍ମୀ ସୁଜାତା ହୋଇଯାଏ ! ଗୋଟାଏ ପରନାରୀ ସହିତ ବଞ୍ଚିବା ତ ବେଶ୍ ରୋମାଞ୍ଚକର ଅନୁଭୂତି । ତା ପାଇଁ ଅନେକ ସ୍ୱପ୍ନ, ଅନେକ ସ୍ୱର୍ଣ୍ଣ ବ୍ୟୟ କରାଯାଇପାରେ । ବହୁ ଆବେଗ ପ୍ରବେଗର ଲୀଳାଭୂମି ଗୋଟିଏ ପରକୀୟା ନାରୀ । ସୁଜାତା ସୁରମ୍ୟ।, ସୁଶ୍ରୀ, ସୁରସିକା ! ତାକୁ ଉତ୍କୋଚ ଦେଇ, ତାକୁ ବଶୀଭୂତ କରି ଭୋଗକରାଯାଇପାରେ । ଧରାଯାଉ, ତା'ର ସ୍ୱାମୀ ପ୍ରବାସୀ ବା ଅଜ୍ଞାତ, ହୋଇପାରେ ମୃତ । ଭାରି ପ୍ରଶସ୍ତ କ୍ଷେତ୍ର ମିଳିଗଲା କିଛି ପ୍ରଣୟ ପାଇଁ । କେବଳ କିଛି ଭୁଲିଯାଇପାରିଲେ, ଅତୀତରୁ କିଛି ହତ୍ୟା କରିଦେଇପାରିଲେ ହୋଇଗଲା ।

 

ସେ ପୁଣି ହୋ-ହୋ ହୋଇ ହସିଉଠିଲା; ଅତୀତ ଆର୍ତ୍ତନାଦ କଲା । ସେ ବିପତ୍ନୀକ । ସେ ଏକାକୀ । ସେ ସେଇ କୋଢ଼ି ପରି ବଞ୍ଚିବାକୁ ଚାହେଁ ।

 

ସେଦିନ ସନ୍ଧ୍ୟାରେ ବିଶ୍ଵମ୍ଭର ଯେଉଁ ଶାଢ଼ି ଟା ନେଇ ଘରେ ପହଞ୍ଚିଲା ତା'ର ଦାମ୍ ଅନେକ ବେଶି ।

 

ସୁଜାତା ଟିକିଏ କଣେଇ ଚାହିଁଦେଇ ହସ ରୋକିନେଲା । 'ଇସ୍ କେମିତି ବେହିଆ, ଅଣପୁରୁଷିଆଟିଏ ମ ! କେଡ଼େ ହୀନିମାନିଆ ଖୋସାମତିଆ ନିଲଠିଆ ମୂଷାଟିଏ ଏଇଟା ! ଛି ଛି !’ ବିଶ୍ଵମ୍ଭର କିନ୍ତୁ ଅନୁଭବ କଲା ପ୍ରଥମ ବ୍ୟଭିଚାରର ମାଦକତା ଏବଂ ଅନୁଭବ କଲା କିପରି ସେ ଦୃପ୍ତ ମାଦକତା ଜୀବନରେ ବାକି ସବୁ ଜ୍ୱାଳା ଘୋଡ଼େଇପକାଏ ! ୟା'ପରେ ପ୍ରେମ ପୁଣି କ'ଣ ? ସେ କି ବସ୍ତୁ ? ଜୀବନରେ ସେଇଟା ବୋଧହୁଏ ଗୋଟାଏ ଅବାନ୍ତର ଅତିରିକ୍ତତା ! ଗୋଟାଏ ଅନ୍ଧବିଶ୍ୱାସ ହୁଏତ ! ଘୃଣା ନେଇ କ'ଣ ବଞ୍ଚି ହେବନାହିଁ ? ଜୀବନରୁ ନହେଲା ନାହିଁ, ଅଭିନୟରୁ କିଛି ଆନନ୍ଦ କ'ଣ ମିଳିବ ନାହିଁ ? ସେଥିରେ ବି ଅଦ୍ଭୁତ ଗୋଟାଏ ପୀଡ଼ା ଅଛି । ତାକୁ ଜୀବନର ଉପଜୀବ୍ୟ କଲେ କ'ଣ ବିଶେଷ ଅସୁବିଧା ହୋଇଯିବ ? ଘୃଣା ? କାହାପାଇଁ ? ହେଇ ନିଜ ପାଇଁ-! ସୁଜାତା ପାଇଁ; ବୋଧହୁଏ ମାନ୍ୟାସ୍ପଦ ଜୟନ୍ତ ପାଇଁ ।

 

କଚେରି ପାଖ ବଟଗଛମୂଳ ଜନାକୀର୍ଣ୍ଣ । ବହୁଲୋକ କାନ ଡେରି ଶୁଣୁଛନ୍ତି ବକ୍ତୃତା । ଗୋଟାଏ ତୀବ୍ର ତରୁଣ ଚିତ୍କାର କରି ଆକାଶ ଛିଣ୍ଡେଇ ପକଉଛି–"ଏ ଜାଲୁଆ ସରକାର, ଜୁଆଚୋର, ଧପ୍‍ପାବାଜ ସରକାରକୁ ଆମେ ଅସ୍ୱୀକାର କରୁଛୁ । ନିରନ୍ନ ଜନତା ଏହାକୁ ଅସ୍ୱୀକାର କରୁଛି । ବନ୍ୟା-ମହାମାରୀ-ପ୍ରପୀଡ଼ିତ ଦରିଦ୍ର ମୋର ଦେଶ ଏହାକୁ ଅସ୍ୱୀକାର କରୁଛି । ମହାତ୍ମାଗାନ୍ଧି ଅଦୂରଦର୍ଶୀ ଅପରିଣାମଦର୍ଶୀ । ଆମ ଭଳି ଅଯୋଗ୍ୟ ଅପରିପକ୍ଵ ଲୋକଗୁଡ଼ାକୁ ଘୋଷାଡ଼ି ନେଇ ଆମ ଉପରେ ସ୍ୱାଧୀନତା ଲଦିଦେଲା । ଧଳା ସାଇବଙ୍କଠାରୁ ମୁକୁଳେଇ କଳାସାଇବଙ୍କ କବଳରେ ଆମକୁ ଛାଡ଼ିଦେଲା । ଏମାନେ ଜାତିର ଘାତକ, ବିଶ୍ୱାସଘାତକ ଏମାନେ-। ଅମଲାତନ୍ତ୍ରର ଧ୍ୱଂସ ହେଉ; ମନମୁଖୀ ଶାସନ ଲୋପ ହେଉ ।"

 

ସଭାର ଗୋଟିଏ ପ୍ରାନ୍ତରୁ ଶୁଭିଲା, "ବାଦାମଭଜା, ବାଦାମଭଜା, ମଟରଚଣା !" ପ୍ରାୟ ଅନ୍ୟ ପ୍ରାନ୍ତରୁ ଶୁଭିଲା "କଷ୍‌ଷି କାକୁଡ଼ି କଷ୍‌ଷି କାକୁଡ଼ି କଲିଜା ହେ ଏ ମ୍ କରିବ ।"

 

ଟିକିଏ ଚାଞ୍ଚଲ୍ୟ ଖେଳିଗଲା ସଭା ଉପରେ । ସମସ୍ତେ ବୁଲି ଚାହିଁଲେ ଏ ଦୁହିଁଙ୍କୁ । ବରଗଛ ମୂଳରୁ ପୁଣି ହୁଙ୍କାର ଶୁଭିଲା, "ଏଇ ଯେ ଆମର ଦରିଦ୍ର ଭାଇ ଚିନାବାଦାମ୍‌ ଆଉ କଷ୍‌ଷି କାକୁଡ଼ି ବିକି ପେଟ ପୋଷୁଛନ୍ତି, ତାଙ୍କ କଥା କିଏ ବୁଝୁଛି ? ଯେଉଁମାନଙ୍କୁ ମିଲ୍ ମାଲିକ ପୋଷୁଛନ୍ତି, ମାରୱାଡ଼ି ଚୋରା ଚାଉଳ ବ୍ୟବସାୟୀଙ୍କ ଅଧରାତିଆ ଗର୍ଜୁଥିବା ଟ୍ରକ୍‍ତଳୁ ଯେଉଁମାନଙ୍କ ପାଇଁ ଟଙ୍କା ଛାଞ୍ଚୁ ଣୀରେ ଓଳେଇ ଗଦାକରାଯାଏ, ସେମାନେ ଆମର ଶାସକ ! ସେମାନଙ୍କୁ ଚିହ୍ନି ରଖ ! ସେମାନଙ୍କ ହାତରେଆମର ରକ୍ତ ଲାଗିଛି । ସେମାନଙ୍କ କପାଳରେ ଦେଶର ରକ୍ତଛିଟା ପଡ଼ିଛି । ସେମାନେ ସମସ୍ତେ ନରହନ୍ତା ! ତାଙ୍କ ଚାରିଆଡ଼େ, ତାଙ୍କ ମଟର ଚକ ତଳେ, ତାଙ୍କ ସରାବ ବୋତଲ ତଳେ, ତାଙ୍କ କୋଠା ପାଚେରିରେ କେବଳ ରକ୍ତ, ରକ୍ତ, ରକ୍ତ ! ସବୁ ଆମରି ରକ୍ତ !!" ଜନତା 'ହଇ' 'ହଇ’ କହି କୁହାଟିଉଠିଲା । ଆଦିମ ଅଭ୍ୟାସରେ କରତାଳି ବାଜିଲା । ବାଦାମ ଓ କାକୁଡ଼ି ବିକାଳିର ସ୍ୱର ସେ ଚଡ଼ଚଡ଼ ଚଟକଣିଆ ଶବ୍ଦରେ ଲିଭିଗଲା !

 

ପୁଣି ନିସ୍ତବ୍‌ଧତା ଭଙ୍ଗକରି ବକ୍ତାଙ୍କ ବିସ୍ଫୋରଣ ହେଲା ! "ଏ ମଦୁଆ ଜୁଆଚୋରଙ୍କ ସଂଖ୍ୟା ଦିନୁଦିନ ବଢ଼ିଚାଲିଛି । ଏମାନଙ୍କୁ ରାତିରେ ଛକିଲେ ଦେଖିବେ କେମିତି ପରସ୍ତ୍ରୀକୁ ବୁକୁରେ ଆଉଜେଇ ନିଶା ଜରଜର ଆଖିରେ ସେମାନେ ଗାଡ଼ି ଚଳେଇ ଯାଆନ୍ତି ତାଙ୍କ ପୈତୃକ ସାଇବି ତାଲିମ ପାଇବାକୁ । ଲମ୍ପଟ ନହେଲେ, ନିଶାଖୋର ହୋଇ ନପାରିଲେ, ସେମାନେ ଆଧୁନିକ ନୁହନ୍ତି । ଲାଞ୍ଚ ନେବା ଏ ଯୁଗର ଧର୍ମ, ମିଛ କହିବା ବୁଦ୍ଧିର ଲକ୍ଷଣ । କୌଣସି ପ୍ରକାରେ ବିଦେଶୀ ଅପଶାସକଙ୍କର ଅବୈଧ ସନ୍ତାନ ପରି ସେଇ ଦୁଷ୍ଟ ପରମ୍ପରା ଜାରି ରଖିବା ଏମାନଙ୍କ ଲକ୍ଷ୍ୟ ।" ଗଳା ଝାଡ଼ି, ସ୍ୱରରେ ଅନେକ ଜରୁରୀ ତୀକ୍ଷ୍‍ଣତା ଲଗେଇ ସେ ପୁଣି କହିଲା–"ଆଜି ଯାହା ଘଟିଯାଇଛି, ଆପଣମାନେ ଶୁଣିଲେ ଥରିଉଠିବେ । ଆପଣ ଏଇ ମୁହୂର୍ତ୍ତରେ ଏଇଠି ନିଆଁ ଲଗେଇ ସମସ୍ତଙ୍କୁ ପୋଡ଼ିଦେବେ ।"

 

ହାବେଳିର ରସବଳିତାରେ ନିଆଁ ସରସର ହୋଇ ଉଠିଆସୁଛି, ଲାଛିହୋଇଯିବ । ହଠାତ୍ ସମସ୍ତେ ନିସ୍ତବ୍‌ଧ ହୋଇଗଲେ । ହେଇ ବୋଧହୁଏ ଫୁଟିଲା ।

 

ବକ୍ତା ନିଜ ସୁଅ ନଛାଡ଼ି କହିଲେ, "ତାଙ୍କ ଶୋଷଣ-ନୀତି ନିର୍ବିରୋଧ ଚାଲିବାକୁ ସେମାନେ ସବୁ ସଚ୍ଚୋଟ କର୍ମଚାରୀଙ୍କୁ କଳେ-ବଳେ-କୌଶଳେ ହଟେଇ ଦେଉଛନ୍ତି । ଦୀର୍ଘ ବାଇଶ ବର୍ଷ ଚାକିରି ପରେ ଆଜିକୁ ପନ୍ଦରଦିନ ହେବ ଜୟରାମବାବୁ ପରି ଋଷିପ୍ରତିମ କର୍ମଚାରୀ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ତାଙ୍କ ନାଁରେ ଅଯଥା ମିଥ୍ୟା ଅଭିଯୋଗର ଜାଲ ପାତି ତାଙ୍କୁ ବହିଷ୍କାର କରାଗଲା !"

 

"କିଏ ? କିଏ ? କାହାକୁ ? କ'ଣ ହେଲା ? ଜୟରାମବାବୁ କିଏ ? ସେ କାହାନ୍ତି ?"

 

ବିକ୍ଷୁବ୍‌ଧ ସମୁଦ୍ରର ଭଙ୍ଗା ଭଙ୍ଗା ଚଞ୍ଚଳ ଢେଉଗୁଡ଼ିକ ଏମିତି କଳରବ କରିଉଠିଲା । ବକ୍ତାଙ୍କ ପଛପଟୁ ଖୁବ୍‌ ଧୀରେ, ଖୁବ୍‌ ଗମ୍ଭୀର ଆଦେଶ ଭଙ୍ଗୀରେ ଜଣେ ଚଷମା ପରିହିତ ପ୍ରୌଢ଼ କହିଲେ, "ବେଶ୍ ! ସେତିକିରେ ବନ୍ଦକର ! ଶୋଭାଯାତ୍ରା ବାହାରିବ, ପଟୁଆର ପ୍ରସ୍ତୁତ କରାଅ ।’’ ବକ୍ତା, 'ହଁ ସାର୍' କହି ତତ୍‌କ୍ଷଣାତ୍‌ ସ୍ଳୋଗାନ୍‌ ଶିଖେଇବା ଆରମ୍ଭ କରିଦେଲେ-

 

‘ଚୋର ସରକାର’ 'ଚାଲିଯାଅ', 'ଅନ୍ଧ ସରକାର'–'ଧ୍ଵଂସ ହେଉ' ଇତ୍ୟାଦି ପଟୁଆର ଆଗେଇଗଲା । ଚଷମା ତଳୁ ପ୍ରୌଢ଼ଙ୍କ ଆଖିରେ ତାଙ୍କ ସ୍ୱପ୍ନ-ରାଜ୍ୟର ବହୁ ତାରୁଣ୍ୟ, ବହୁ ଉତ୍ସାହ ଧାଡ଼ି ବାନ୍ଧି ଆଗେଇଗଲେ । ସେ ଫେରିପଡ଼ି କହିଲେ, "ତା'ହେଲେ ଜୟରାମବାବୁ, ଆପଣ ମୋ ସାଙ୍ଗରେ ଆମ ଅଫିସକୁ ଆସନ୍ତୁ । କିଛି ପରବାଏ କରନ୍ତୁ ନାହିଁ । ଏ ବିଷମ ପରିସ୍ଥିତିରେ ସମତା ରଖିବାକୁ ପଡ଼ିବ । ପ୍ରୟୋଜନ ହେଲେ ବିଦ୍ରୋହ କରିବାକୁ ପଡ଼ିବ । ଆପଣ ଏ ସମସ୍ତ ଆନ୍ଦୋଳନର ମନ୍ତ୍ରଦାତାରୂପେ କାର୍ଯ୍ୟ କରନ୍ତୁ । ଆପଣଙ୍କର ବିସ୍ତୀର୍ଣ୍ଣ ଜ୍ଞାନ ଓ ଅଭିଜ୍ଞତା ଏ ନୂତନ ସ୍ୱାଧୀନ ଦଳର ଦିଗ୍‌ଦର୍ଶନ କରୁ ।"

 

ଜୟରାମବାବୁଙ୍କ ଆଖିରେ ଆକାଶରେ ବିମ୍ବ ବହୁ ଗହୀରକୁ ଭେଦି ରହିଛି । ଏତେ ଶୂନ୍ୟତା ଭିତରେ ପ୍ରଶ୍ନ ଉତ୍ତର ସହଜେ ହୋଇପାରେନା ।

 

ଗୋଟାଏ ଫିଆଟ୍‌ ଗାଡ଼ି ହର୍ଣ୍ଣ ମାରି କଚେରି ମୋଡ଼ରେ ଅଟକିଗଲା । ତା'ଭିତରୁ ପାଉଁଶ ରଙ୍ଗର ଟେରିଲିନ୍‌ରେ ତିଆରି ନଳିପେଣ୍ଟ୍‌ ଏବଂ ତାକୁ ଖାପିଲାଭଳି ବୁସ୍‌ ସାର୍ଟ, ଆମ୍ବାସେଡ଼ୋର ଡେକ୍‌ ଜୋତା, ଡାହାଣ କଚଟିରେ ରୋଲେକ୍‌ସ ଅଇଷ୍ଟର ଘଣ୍ଟା ! ଗୋଟାଏ ଅଦୃଶ୍ୟ ବ୍ୟକ୍ତି ବା ବଲ୍‌ଟାକୁ ଗୋଡ଼ରେ ଆଡ଼େଇଲା ପରି ପାହାଚ ଉଠି ଚାଲିଗଲା ଜୟନ୍ତ ପରିଡ଼ା-

 

ଅଫିସ୍ ଭିତରେ

 

କାହାରି କାମରେ ମନ ନାହିଁ । ସିନିଅର ସୁପରିନ୍‍ଟେଣ୍ଡେଣ୍ଟ ବାଇଶ ବର୍ଷ ଚାକିରି ପରେ ଇସ୍ତଫା ଦେଇଦେଲେ । ସମସ୍ତେ ପୁଞ୍ଜି ପୁଞ୍ଜି ହୋଇ ଫିସ୍ ଫିସ୍ କଥା ଚଳେଇଛନ୍ତି ।

 

ହଠାତ୍ ସମସ୍ତେ ଫାଇଲ୍‌ଗଦା ପଛପଟେ କୋକିଶିଆଳି ପରି ମୁହଁ କାଢ଼ି ବସିଗଲେ । 'ସାହେବ ଆସିଗଲେ', 'ଆସିଗଲେ' କହି ଗୋଟାଏ କାନ୍ଥ ପୁଲକିଉଠିଲା । ଆଉ ଗୋଟାଏ କାନ୍ଥ ଦାନ୍ତସନ୍ଧାର ବିଡ଼୍ ବିଡ଼୍ ହେଲା–"ବେଇମାନ, ହାରାମ୍‌ଜାଦା, ଚରଣଚୁଟିଆ ଶଳା ।" ଗୋଟାଏ କାନ୍ଥ କହିଲା-ବଡ଼ଘର ପିଲା, ତାଙ୍କର ସମସ୍ତେ ଆଇ. ସି. ଏସ୍. ଥିଲେ । ଏ ମଧ୍ୟ ଯେତେ ପରୀକ୍ଷା ଦେଇଛନ୍ତି କୌଣସିଥିରେ ପ୍ରଥମରୁ ଆଉ ଦ୍ଵି ତୀୟକୁ ଖସିନାହାନ୍ତି । ଇଏ ଗୋଟାଏ ଡ୍ରାଫ୍‍ଟ ଲେଖିଦେଲେ କେବଳ ଚିଫ୍‍ ସେକ୍ରେଟାରୀ ବୁଝିଲେ ଅଧେ ବୁଝିବ ସିନା; ନ ହେଲେ ଆଉ କେହି ନାହିଁ ।

 

ଆର କାନ୍ଥ ଅଙ୍ଗାର ପରି ଆଖି ଭିତରୁ କେବଳ ନୀରବରେ କୁହୁଳିଲା–"ଶଳା ଭିକମଗା ଶଳା ! ତା ମା' ଦିଗମ୍ବର ମଙ୍ଗରାଜ ଘରେ ଧାନ କୁଟୁଥିଲା ଏବେ ଶଳା ତାର ପୂର୍ବଋଣ ଶୁଝୁଛି !"

 

ଗୋଟାଏ ଲମ୍ବା ଘଣ୍ଟି ସାଇବ ଅଫିସରୁ ଚିରଚିରେଇ ଉଠି ସୂଚନା ଦେଲା ଯେ ସମସ୍ତେ ଏକାଠିହେବେ ।

 

ଶୁଣିବାମାତ୍ରେ ଅଧେ ଯେମିତି ଅବସ୍ଥାରେ ଥିଲେ ଉଠି ଦୌଡ଼ିଲେ । କିଏ ପାନଟା ପାଟିରେ ପୂରେଇ ଚାଲିଛି । କିଏ କଲମଖଣ୍ଡ ଧରି ପଳଉଥିଲା, ଲେଉଟି ଆସି ଟେବୁଲ ଉପରେ ଫିଙ୍ଗି ଦେଇ ଚାଲିଲା ପଡ଼ିଥାଉ, ଆସିଲେ ଖୋଜି କାଢ଼ି ବା । କିଏ ଯାଉ ଯାଉ କଛା ଫିଟିପଡ଼ିଲା, ତାକୁ ଗୋଟେଇ ଆଳୁମାଳୁ କରି ବିଣ୍ଡା ମାରି ଚାଲିଗଲା । ଆର ଅଧକ ଏ ତୁରନ୍ତ ପଟୁଆର ଦେଖିସାରିଲାପରେ କୁନ୍ଥେଇ-ମୁନ୍ଥେଇ ଉଠିଲେ । ଫାଇଲ ସଜଡ଼ା ହୋଇ ଥୁଆହେଲା । ଡିବାରୁ ପାନ କାଢ଼ି ଖିଆହେଲା । ଉଠିଲାବେଳକୁ କଞ୍ଚି, କଲମ, ପାନଡ଼ିବା ଯଥାସ୍ଥାନରେ ଅଛି ନା ନାହିଁ ଦରାଣ୍ଡି ଜାଣିବା ପରେ କାନ୍ଥଘଣ୍ଟାକୁ ଅଳ୍ପ ଅନେଇ ଦେଇ ସେମାନେ ଚାଲିଲେ ଅଫିସର ପାଖକୁ । ସେଇଠି ଆଗରୁ ଗୋଟିଏ ଛୋଟ ସଭାର ଆୟୋଜନ ହୋଇଥିଲା । ଆଗବାଲା ଆଗରେ ଏବଂ ପଛବାଲା ପଛରେ ଯାଇ ବସିଗଲେ । ଆଗଧାଡ଼ିରୁ ମୁଣ୍ଡ ବାରମ୍ବାର ହଲେଇବାକୁ ହେବ । ମୁଣ୍ଡହଲା ସାହେବକୁ ମଧ୍ୟ ନିହାତି ନଦିଶିଲେ ନଚଳେ । ସେଇଠୁ ହସିଲେ ସାହେବ ହସରେ ମଧ୍ୟ ମିଶିବା ପ୍ରୟୋଜନ । ପଛଧାଡ଼ିରେ କିନ୍ତୁ ଏସବୁ ଲୁଚେଇବା ସହଜ ।

 

ସମସ୍ତଙ୍କ ଉପରେ ଥରେ ଆଖି ମଡ଼େଇ ଆଣି ଜୟନ୍ତ ପରିଡ଼ା, ଓ. ଏ. ଏସ୍. କହିଲେ–ବୋଧହୁଏ ଆପଣମାନେ ଅନୁମାନ କରିପାରୁଥିବେ, ମୁଁ ଆପଣଙ୍କୁ କାହିଁକି ଏଠାକୁ ଡକାଇଛି । ଅବଶ୍ୟ ଶୃଙ୍ଖଳା କିମ୍ବା ନିୟମ ଦୃଷ୍ଟି ରୁ ଏସବୁ କିଛି ପ୍ରୟୋଜନ ନଥିଲା । ଆମକୁ କେହି ବାଧ୍ୟ କରୁ ନଥିଲା ଏ ସଭା ଡାକିବାକୁ; କିନ୍ତୁ କିଏ ଉପରେ, କିଏ ତଳେ–ଆମେ ସମସ୍ତେ ଚାକିରି କରୁଛୁ । ଏଣୁ ସମସ୍ତେ ସମସ୍ତଙ୍କ ସହିତ ସଂପୃକ୍ତ । ଆଜି ଜୟରାମବାବୁ ତାଙ୍କ ଇସ୍ତଫା ପଠେଇଦେଇଛନ୍ତି । ନିୟମ ଉପରେ ହୁଏତ ତାଙ୍କୁ ମାସେ ପରେ ଅନୁମତି ମିଳିବ କାମରୁ ନିଷ୍କୃତ ପାଇବାକୁ ; କିନ୍ତୁ ସାଧାରଣ ଦୃଷ୍ଟି ରୁ ସେ ଆଉ ଆଜିଠାରୁ କାମରେ ନାହାନ୍ତି । ତାଙ୍କ ବିରୁଦ୍ଧରେ ଯାହା ଅଭିଯୋଗ ସବୁ ହୋଇଥିଲା, ତାହା ଆପଣମାନେ ଜାଣନ୍ତି । କାଦମ୍ବିନୀ ପ୍ରତି ଅସଦ୍‍ବ୍ୟବହାର ଏବଂ କପିଳା ଏଣ୍ଡ୍‍ କମ୍ପାନୀର ପ୍ରତିନିଧିଙ୍କଠାରୁ ଉତ୍କୋଚ ନେବା ଉଭୟ ଅଭିଯୋଗ ଏଇଠି ପ୍ରମାଣ ହୋଇସାରିଛି-। ଆପଣମାନେ ହୁଏତ ବିଶ୍ଵାସ କରିପାରିବେ ନାହିଁ ଯେ ଏଥିରେ ମୁଁ କେତେଦୂର ବିସ୍ମିତ ଏବଂ ମର୍ମାହତ । ଜୟରାମବାବୁଙ୍କ ପରି ଚରିତ୍ରବାନ୍ ସଚ୍ଚୋଟ ଲୋକଙ୍କ ପେଟରେ ଏତେ ସବୁ ଲୁଚିଥିଲା ବୋଲି କିଏ ବା ଭାବିବ ! ମୁଁ କେବଳ ଚିନ୍ତା କରୁଛି, କାହିଁକି ତାଙ୍କର ଏପରି ଦୁର୍ଗତି ହେଲା ? ମଣିଷ ମନ ଭିତର କଥା ବାସ୍ତବିକ ବୁଝିବା କଠିନ । ଯାହା ହେବାର ତ ହୋଇଗଲା–"ଏତେ ବର୍ଷ ଚାକିରି ପରେ ତାଙ୍କୁ ଦାଣ୍ଡରେ ଠିଆହେବାକୁ ପଡ଼ିବ ଏକଥା ଅନ୍ତତଃ ମୁଁ ଆଦୌ ସହିପାରିବି ନାହିଁ । ଏଣୁ ଯଦି ଆପଣମାନେ ରାଜି ହୁଅନ୍ତି, ମୁଁ ପ୍ରସ୍ତାବ ଦେଉଛି ଯେ ଆମେ ସମସ୍ତେ ଜଣପିଛା କିଛି ପଇସା ଦେଇ ତାଙ୍କୁ ତାଙ୍କର ବର୍ତ୍ତମାନ ଅବସ୍ଥାରେ ସାହାଯ୍ୟ କରିବା । ମୁଁ ଏଇ ପଚାଶଟଙ୍କା ଦେଇ ଆରମ୍ଭ କରୁଛି ।" ଘନ ଘନ କରତାଳି ଆଗ ଧାଡ଼ିରୁ ଆସି ପଛ କାନ୍ଥରୁ ପ୍ରତିଧ୍ଵନିତ ହୋଇ ବାହୁଡ଼ି ଆସିଲା । ବିସ୍ମୟ, କୃତକୃତ୍ୟତା, 'ଓହୋ, ଓହୋ, ନିସ୍ତରିଲୁ' ଭାବ ମିଶାଗୋଳିଆ ହୋଇ ସଭାଟିକୁ ଆନ୍ଦୋଳିତ କଲା ।

 

ସାହେବ ପୁଣି କହିଲେ, "କୌଣସି କାରଣରୁ ଜୟରାମବାବୁ ମୋ ଉପରେ ସନ୍ତୁଷ୍ଟ ନଥିଲେ । ତାହା ଆପଣଙ୍କ ଭିତରୁ ଅଧିକାଂଶ ଜାଣିଥିବେ ତାଙ୍କର ଅସମ୍ମାନସୂଚକ କଥାବାର୍ତ୍ତାରୁ । ମୁଁ କିନ୍ତୁ ସେସବୁ ଆଦୌ ମନରେ ଧରେନାହିଁ । ତାଙ୍କ ବୟସ ଅନୁପାତରେ ମୁଁ ବରଂ ତାଙ୍କୁ ଭକ୍ତିକରେ । ସେ ଯାହାହେଉ, ଏତେ ଅପ୍ରତ୍ୟାଶିତ ଭାବରେ ହଠାତ୍ ଅନେକ ଘଟଣା ଘଟିଗଲା; ଫଳରେ ସେ ଇସ୍ତଫା ଦେବାକୁ ଏକରକମ ବାଧ୍ୟ ହେଲେ । ବର୍ତ୍ତମାନ ପରିସ୍ଥିତି ଯାହା, ତାଙ୍କୁ ଇସ୍ତଫା ପାଇଁ ଅନୁମତି ଦେବା ହିଁ ତାଙ୍କ ପ୍ରତି ଯଥେଷ୍ଟ ସପକ୍ଷ ବିଚାର କରାଗଲା ବୋଲି କହିବାକୁ ହେବ ।"

 

"ସିଓର; ସିଓର, ନିଶ୍ଚୟ !" ସ୍ୱୀକୃତିରେ ଝାଡ଼ିହେଉଥିବା କେତେଗୁଡ଼ିଏ ମୁଣ୍ଡ ଚିତ୍କାର କରିଉଠିଲେ ।

 

"ମୁଁ କିନ୍ତୁ ଏତିକିରେ ସନ୍ତୁଷ୍ଟ ରହିପାରୁନାହିଁ । କିଏ ଜଣେ କହୁଥିଲା ଯେ ତାଙ୍କର ମାନସିକ ବିକୃତି ଘଟିଛି ।"

 

ଟେବୁଲ ଉପରେ ଢାଇକିନା ଗୋଟାଏ ଚାପୁଡ଼ା ମାରି ସାହେବ କହିଲେ, "ମୁଁ କଦାପି ତାଙ୍କୁ ପାଗଳ ହେବାକୁ ଅନୁମତି ଦେବିନାହିଁ । ତାଙ୍କୁ ଏବଠୁ ରାଞ୍ଚି ପଠାଇ ଚିକିତ୍ସା କରିବାର ସମସ୍ତ ଦାୟିତ୍ୱ ବ୍ୟକ୍ତିଗତ ଭାବରେ ମୋର । ମୁଁ ସେ ବାବଦକୁ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲି ।"

 

ପଛପଟର ଦୁଇଧାଡ଼ି ଆଖି ହଠାତ୍‌ ସ୍ଥିର ଜଣାଗଲେ; କିନ୍ତୁ ବହୁ କରତାଳିରେ ଘରଖଣ୍ଡ ପ୍ରତିଧ୍ଵନିତ ହେଲା । ବହୁ ପ୍ରଶଂସାରେ ତୁଣ୍ଡ ଉଛୁଳି ପଡ଼ିଲା । ସଭା ସାଙ୍ଗ ହେଲା ।

 

"କିଏ ସେ କହୁଥିଲା ଯେ ଏମନ୍ତ ଲୋକ କେବେହେଲେ ଜଣକ ନାଁରେ ମିଛ କେସ୍‌କରି ଷଡ଼ଯନ୍ତ୍ର କରିବ ! ଏଡ଼େ ବିଚାରଶୀଳ ଲୋକ କ'ଣ କେବେ ସେପରି ଚିନ୍ତା କରିପାରେ ?"

 

ଆଉ ଜଣେ ହଠାତ୍ କହିଲା, "ଆହେ, ସେ ସବୁ ଛାଡ଼ ! ବିଶ୍ଵମ୍ଭରବାବୁ ସୁପରିନ୍‌ଟେଣ୍ଡେଣ୍ଟ ହେଲେ । ସେ ଅର୍ଡ଼ର ଟାଇପ୍ ସରିଲାଣି । ଆଜି ବାହାରିଯିବ । ବିଶ୍ଵମ୍ଭର ତ ବୟସରେ ବା ଚାକିରିରେ ସିନିଅର ନୁହଁନ୍ତି ।"

 

"ହଅ, ରଖିଥା ତମ ସିନିଅର । ସି. ସି. ଆର.ଟା କୁଆଡ଼େ ଗଲା ବାହାରିକି ? ଏ ସାଇବ ଚାହିଁଲେ ସବୁ କ୍ଷଣକେ ହୋଇଯିବ ।"

 

ସମସ୍ତେ ଏମିତି ଗଜର-ଗଜର ହୋଇ ଫେରିଗଲେ ଯିଏ ଯାହା ଫାଇଲ୍‌ଗଦା ପଛଆଡ଼କୁ । ଘୋଡ଼େଇ ହୋଇ ଆସୁଥାଏ ଗୋଟାଏ ପାତଳ ପରଦା, ଯାହା ବୁଢ଼ିଆଣୀ ଜାଲପରି ଲଟେଇ ହୋଇଯାଏ; ଯେତେ ଝାଡ଼ିହେଲେ ଆହୁରି ଗୁଡ଼େଇ ହୋଇଯାଏ । ତାକୁ ସମସ୍ତେ ଅସହାୟ ଭାବରେ ଗ୍ରହଣ କରିଯାନ୍ତି, ଜାଣିପାରନ୍ତି ନାହିଁ । ସେ ଦିନ ଦିନ ବେଶି ବେଶି ନିବୁଜ ହୋଇଯାଏ ।

 

ଅଫିସ ଭିତରେ ଜୟରାମବାବୁଙ୍କର ଖାଲି ଚୌକିଖଣ୍ଡ ସେମିତି ଆଗଭଳି ତୁଳି ଉପରକୁ ନାକ ଟେକି ହାତ ମେଲାଇ ପଡ଼ିଥାଏ । ଉପରୁ ଦେଖିଲେ ସେମିତି ଟେକ, ସେତିକି ଗମ୍ଭୀର, ସେତିକି ମାନନୀୟ; କିନ୍ତୁ ତା' ଭିତରେ ଭରିରହିଥାଏ ଗୋଟିଏ ଦୀର୍ଘଶ୍ୱାସ ପରି ବିମର୍ଷଶୂନ୍ୟତା ।

 

କାନ୍ଥଘଣ୍ଟାରେ କଣ୍ଟାଗୁଡ଼ିକ ବୁଲିଗଲେ । ସାଇବଙ୍କ ଲଞ୍ଚ୍‌ ସମୟ ! ଡାକରା-ଘଣ୍ଟି ଟିକୁ ଟିକିଏ ଜୋର୍‍ରେ ଚିପିଲା ଜୟନ୍ତ । ଆପ୍‍ପେୟା ଆସି ନୀରବରେ ଅପେକ୍ଷା କଲା ।

 

ଟେବୁଲ ତଳକୁ ଗୋଡ଼ ଛାଟିଦେଇ ଚଉକିର ଉପର ଦଣ୍ଡାରେ ବେକଟାକୁ ଢାଳି ଜୟନ୍ତ ସେଇ ଧୂଆଁ ର କୁଣ୍ଡଳୀଟାକୁ ଅପେକ୍ଷା କଲା, ସେ କେତେବେଳେ ଯାଇ ଛାତରେ ବାଜିବ ।

 

ସେମିତି ଉପରକୁ ଚାହିଁ କହିଲା,"ଅପ୍‌ପେୟା, ହମ୍‌ ଅଭି ଲଞ୍ଚ୍‌ ଖାନେକୋ ଯାଏଗା ।"

 

କିଛି ଉତ୍ତର ନାହିଁ । ଆପ୍‌ପେୟା ହିନ୍ଦୀ ଜମା କହିବନାହିଁ । "ଆରେ ଆପ୍‌ପେୟା ବୁଝିଲୁ ନା ନାହିଁ ? ମୁଁ ଏବେ ଲଞ୍ଚ୍‌ ଖାଇବାକୁ ଯିବି । ତୁ ତ ହିନ୍ଦୀ କହିଲେ ବୁଝିପାରୁନୁ ..ହିନ୍ଦୀ ଆଉ କହିବୁ କେବେ ?"

 

ହିନ୍ଦୀଗିନ୍ଦି ମୁକୁ ବୁଜ୍ଜି ବନି ଆଜ୍ଞା ! କ' ବେଇଲେ ଉଡ଼୍‌ଡ଼ିଆଟା କଇପକେଇବି ସିନା ହିନ୍ଦୀ ହେଲେ ମାଲୁମ୍‍ନାଇ ।"

 

ଦୁଇ କଳରୁ ଧୂଆଁ ଗବ୍‌ଗବ ହୋଇ ହସରେ ଫାଟିପଡ଼ିଲା । "ଆପ୍‌ପେୟା ! ଶୁଣ୍‌ ! ମୁଲଚାନ୍ଦ କେଶବଚାନ୍ଦ ଆସିବ । ତାକୁ କହିବୁ, ସେ ଆଜି ସନ୍ଧ୍ୟାରେ ମୋ ବସାକୁ ଆସିବ ! କୁଆଡ଼େ ଯାଇଚନ୍ତି କହିଲେ କହିବୁ କେଜାଣି !"

 

"ପରୱା ନାଇ ଆଜ୍ଞା, ମୁଁ ସେତ୍‍ତା ଏକା କଇଦେବି !" ଖୁବ୍‌ ହାଲୁକା ପାଦ ପକେଇ ଗୋଟାଏ ହସ ପାହାଚ ଓହ୍ଲେଇ ଚାଲିଗଲା । ଏପର୍ଯ୍ୟନ୍ତ ଜାଣେ ନାହିଁ, ଜାଣିବାକୁ ଚାହେଁ ନାହିଁ ଯେ ସେ କେତେ ଦୁର୍ବାର !

 

ଫିଆଟ୍‌ ଖଣ୍ଡ ସେଇ ସୁଅରେ ଉଡ଼ିଚାଲିଲା ବିମଳେନ୍ଦୁ ଆଉ ରୋଜିଙ୍କର ଅପେକ୍ଷମାଣ ସ୍ୱାଗତକୁ ଗ୍ରହଣ କରିବାକୁ । ପୋଲ ଉପରେ ହଠାତ୍ ଚକଗୁଡ଼ାକ ଭିଡ଼ିହୋଇଗଲେ । ବ୍ରେକ୍‌ର କିଳିକିଳା ଶବ୍ଦ ଦି'ପହର ଖରାରେ ଆକସ୍ମିକ ଦୁର୍ଘଟଣାର ହାୱାଟାଏ ସୃଷ୍ଟି କରିଦେଲା ।

 

କିନ୍ତୁ ଗାଡ଼ି ଓ ତା'ର ଚାଳକ ନିସ୍ତବ୍‌ଧ । ଗୋଟାଏ ସିଗାରେଟ୍ କେବଳ କୁହୁଳୁଥାଏ ।

କିଛି ସମୟ ପରେ ଦୁଇଟି ବ୍ୟକ୍ତି ପ୍ରାୟ ପଚାଶ ହାତ ପଛରୁ ପାଖେଇ ଆସିଲେ । କାର୍ ଭିତରୁ ମୁହଁ ଗଳେଇ ଜୟନ୍ତ କହିଲା, "ଜୟରାମବାବୁ ! ଆପଣ ଯଦି ଘରକୁ ଯିବାକୁ ଚାହାନ୍ତି, ଆସନ୍ତୁ ଡ୍ରପ୍‌ କରିଦେବି; ମୁଁ ସେଇଆଡ଼େ ଯାଉଛି ।"

ପ୍ରୌଢ଼ଜଣକ ନବୁଝିଲା ଆଖିରେ ମୋଟା ମୋଟା ଚଷମା ତଳୁ ଅନେଇ ରହିଲେ । ଜୟରାମବାବୁ ମଧ୍ୟ ବହୁ ବିକ୍ଷିପ୍ତ ଚିନ୍ତାଗୁଡ଼ିକୁ ଏକାଠି କରୁ କରୁ ଜୟନ୍ତ ପରିଡ଼ାର ଧୂଆଁ ଆଢ଼ୁଆଳରେ ଆଖିଯୋଡ଼ିକୁ ଚାହିଁଲେ କେବଳ ।

ରାସ୍ତାକଡ଼ରୁ ଗୁଡ଼ିଏ ପରିଚିତ ମୁହଁ କୌତୂହଳରେ ଅନେଇଲେ । ତା ଭିତରୁ ଦୁଇଚାରି ଜଣ ଠିଆହୋଇଗଲେ ଦେଖିବାକୁ କ'ଣ ହେଉଛି ।

ଅସ୍ୱାଭାବିକ ଧୀର ଏବଂ ଶାନ୍ତ ସ୍ୱରରେ କହିଲେ ଜୟରାମବାବୁ–"ନା, ଅଶେଷ ଧନ୍ୟବାଦ ! ମୁଁ ଆସିପାରୁନାହିଁ ।"

ଜୟନ୍ତକୁ ମନେହେଲା ଯେ ଠିଆହୋଇ ରହିଥିବା ଲୋକଙ୍କ ଭିତରୁ ଦୁଇଜଣ ଖେଞ୍ଚାଖେଞ୍ଚି ହୋଇ ଟିକିଏ ହସିଦେଲେ ନା କ'ଣ ।

କାର୍ କବାଟ ଫିଟେଇ ଜୟନ୍ତ ଉହୁଁ କି ଆସିଲା, "ଅଲବତ୍ ଯିବେ । ଆପଣ ଯିବେ ଏବଂ ଏ ଭଦ୍ରଲୋକ ମଧ୍ୟ ।" ଗୋଟାଏ ପାଦ ଭୂଇଁରେ ଓହ୍ଲେଇଚି କି ନାହିଁ ସେମିତି ଲଇଁଲା ଅବସ୍ଥାରେ ରହିଗଲା ଜୟନ୍ତ ।

ଜୟରାମ ଚିତ୍କାର କରିଛନ୍ତି, "ନା !" ପୋଲତଳ ନାଳରୁ ଶୁଖିଲା ବାଲିଗୁଡ଼ାକ ବୋଧହୁଏ ପ୍ରତିଧ୍ୱନି କରିଛନ୍ତି ।

 

ଜୟନ୍ତ ନଥ୍‌କିନା ଷ୍ଟିଅରିଂ ପାଖରେ ବସିପଡ଼ି ଗୋଟାଏ ଲାତରେ ଗାଡ଼ିଟାକୁ ତଡ଼ିନେଲା ଏବଂ ତଡ଼ିନେଲା ନିଜକୁ ମଧ୍ୟ । ଖୁବ୍ ଚାପି ହୋଇ ରହିଥିବା ଦାନ୍ତସନ୍ଧାରୁ ଶୁଭିଲା, "ଶାଲା, ସୁଅର୍ କା ବଚ୍ଚା । ବ୍ଲାଡ଼ି ବାଷ୍ଟାର୍ଡ଼ !"

 

ଗାଡ଼ିଖଣ୍ଡ ପାଗଳ ହେଲା ପରି ରୋଡ଼ ମାଡ଼ି ଚାଲିଯିବାର କିଛି ସମୟ ପରେ ଏ ଦୁଇ ଜଣ ପୁଣି ଆଗେଇଲେ । ଉଭୟେ ନୀରବ । କାର୍‌ର ତୀବ୍ର ଗତି ଭିତରେ ଗୁଡ଼ିଏ ପରିଚିତ ଅଥଚ ଅନାମଧେୟ ଗଛ, ଛକ ଏବଂ ଘର ମୁହୂର୍ତ୍ତେ ପାଇଁ ମୁହଁ କାଢ଼ି ପୁଣି ଲୁଚିଗଲେ । ଜଣାଗଲା ସେମାନେ ମଧ୍ୟ ଗୋଟିଏ ଗୋଟିଏ ଅମାନିଆ ତୀବ୍ର ସ୍ରୋତ । ଏ ଭିତରେ କିଛି ଗୋଟାଏ ଘଟିଗଲା-। କ'ଣ ବୋଲି ଭାବୁ ଭାବୁ ରସୁଲ ମିଆଁ ଛକ ପାରିହୋଇଗଲାଣି । ବିଶ୍ଵମ୍ଭର ମଙ୍ଗରାଜ ଘର ଅଯଥା କ'ଣ ଗୁଡ଼ାଏ ପୁରୁଣା କଥା କହିବାକୁ ଚେଷ୍ଟା କଲା ବୋଧହୁଏ । ଅତି ସରଳ କଥାଗୁଡ଼ାକୁ ଜଟିଳ କରିବା ପଞ୍ଝାଏ ମୂର୍ଖଙ୍କ କାମ । ଦିବାଲୋକ ପରି ପରିଷ୍କାର ସ୍ପଷ୍ଟ ଜିନିଷଟାକୁ ସେ ଗର୍ଦଭ କାହିଁକି ଦେଖିପାରୁନାହିଁ ? ଏଥିରୁ ଗୁଡ଼ାଏ ଅପାରଗ ଲୋକ କାହିଁକି ଘର–ସଂସାର କରି ଲୋକହସା ହୁଅନ୍ତି ? ପରିବାର ପାତି ସମାଜରେ ଚଳିବାର ସାହସ ଏଗୁଡ଼ା ପାଆନ୍ତି କେଉଁଠି ? ବ୍ଲଡ଼ି, ଫୁଲ୍‌ସ୍‌–ସୁଜାତାର ରୁଚି ଅଛି, ରୂପ ମଧ୍ୟ ଅଛି ! ଏସବୁ ଭିତରେ ପୋଷା ମାନୁଥିବା ସୁନ୍ଦର ବଣ୍ୟ ମନଟି ମଧ୍ୟ ଅଛି । ତାକୁ ନବୁଝି, ଆୟତ୍ତ ନକରି, ସବାର ହେବା ପାଇଁ କ'ଣ ଏ ବିଭାବେଦି ଉପରର ବଳଦ ଭାକୁଡ଼ାଗୁଡ଼ାକ ଆଜୀବନ ପଟ୍ଟା ପାଇଛନ୍ତି ? ବିଶ୍ଵମ୍ଭର ମଙ୍ଗରାଜଟା କିନ୍ତୁ ଗୋଟାଏ ଦୃଷ୍ଟିରୁ ମନ୍ଦ ନୁହେଁ । ସେମିତି ଗୋଟାଏ ଭଦ୍ର, ମଜବୁତ୍ ଚାରିଗୋଡ଼ିଆ ଷ୍ଟୁଲ ନଥିଲେ ମଣିଷ କାହା ଉପରେ ପାଦ ଦେଇ ଚଢ଼ନ୍ତା ? ଏତେ ବର୍ଷ ପରେ ସେ ଏବକୁ ଏମିତି କାହିଁକି ଗୁଡ଼ାଏ ମର୍ଦପଣ ଦେଖଉଚି । ଶଳା, ଇଡ଼ିଅଟ୍‌ ! ଗୋଟିଏ ଦି’ କେନିଆ ହସ ଜୟନ୍ତ ପରିଡ଼ାର ଦୁଇ ଡେଣାରେ ଲହରୀ ମାରି ଚାଲିଗଲା ।

 

"କିନ୍ତୁ ଜୟରାମବାବୁ ! ଆପଣ ସେ ଟୋକା ଖଣ୍ଡକର ସାହସ ଦେଖିବା ଉଚିତ । କି ଧୃଷ୍ଟତା ! ଏତେ ସବୁ ଘଟଣା ପରେ ସେ କେଡ଼େ ସାହସରେ ଆପଣଙ୍କୁ ଡାକିଲା କେବଳ ଅପମାନ ଦେବାପାଇଁ । ସ୍କାଉଣ୍ଡ୍ରେଲ୍‌, ମୁଁ ତାକୁ ଦେଖିନେଉଚି । ଆପଣ ସେ ବିଷୟରେ ନିଶ୍ଚିନ୍ତ ରହନ୍ତୁ ! ମୁଁ ଶକ୍ତି ସଞ୍ଚୟ କରୁଚି ତା'ରି ଭଳି ଲକ୍ଷ ଲକ୍ଷ ସାପଙ୍କୁ ମାରି ଦେଶଟାକୁ ବିଷମୁକ୍ତ କରିବାକୁ । ଏ ଗୋଟାକ କ'ଣ ବଳେଇଯିବ ? ମୁଁ ତା'ର ଅନ୍ତ ଦୁହିଁଦେବି ନାହିଁ ? ମୁଁ କ'ଣ ତାକୁ ଜାଣିବାକୁ ବାକି ଅଛି ? ଆମ ବଡ଼ଭାଇ ପୁଲିସି ସାହାବ୍‍ଙ୍କ ଘରକୁ ଧାଁଦଉଡ଼ ଲଗେଇଥିବା ଦିନୁ ମୁଁ ତାକୁ ଜାଣେ । ସେବଠୁ ମୁଁ ତାଙ୍କୁ କହିଆସିଥିଲି ଯେ ଏ ସାପଛୁଆକୁ ଘରେ ପ୍ରଶ୍ରୟ ଦେବା କଥା ନୁହେଁ । ୟାର ଜନ୍ମ ମଧ୍ୟ ସେମିତି ବାରଚାଉଳିଆ । ଅନେକେ କହୁଛନ୍ତି, ଏଇଟା ଦିଗମ୍ବର ମଙ୍ଗରାଜଙ୍କ ଅବୈଧ ସନ୍ତାନ; ବଡ଼ଭାଇଙ୍କ ଘରେ ଆଶ୍ରା ପାଇ ପଶିଗଲା । ସୁଜାତା ସାଙ୍ଗରେ ଘନିଷ୍ଠ ହେବା କଥା ମୁଁ ପ୍ରଥମେ ଦେଖି ତାଗିଦା କରିଦେଇଥିଲି । ଭାଇ ତ ଚାକିରିଭୟରେ ମୋତେ ଜମା ପାଖ ପୂରେଇ ଦେଉନଥିଲେ । ତାଙ୍କ ମତରେ ମୁଁ ଉଚ୍ଛୃଙ୍ଖଳ ଅପାଂକ୍ତେୟ; ଗୋଟାଏ ଭବିଷ୍ୟତହୀନ ଯାଯାବର । ଏଣୁ ଯାହା ହେବା କଥା ହେଲା । ସେ ବିଶ୍ଵମ୍ଭର ଟୋକା ଏ ଅସଂଯତ ନଗ୍ନତା ଉପରେ କମ୍ବଳ ପରି ଘୋଡ଼େଇ ହୋଇଗଲା । ସୁଜାତା ମୋ ଝିଆରୀ; ତଥାପି ତା'ର ବିବାହ ପରେ ମଧ୍ୟ ତା'ର କୌଣସି ସଂଶୋଧନ ହେବାର ଲକ୍ଷଣ ଦେଖିନାହିଁ ବୋଲି ମାନିବାକୁ ପଡ଼ୁଛି । କିନ୍ତୁ ଜୟରାମବାବୁ-! ଏଥିରେ ମୁଁ ଆଦୌ ବିଚଳିତ ନୁହେଁ । ଗୋଟାଏ ଦୁଷ୍ଟ ଦୁର୍ମଦ କର୍କଟ ରୋଗ ଏ ମାନବଜାତିଟାର ବିଭିନ୍ନ ଅଙ୍ଗରେ ଲାହୁଡ଼ ଛାଟିବାର ମୁଁ ଦେଖିଆସିଛି । ମୁଁ ଯେଉଁ ବିକଟ ଚିତ୍ର ଦେଖିଆସିଛି, ଆଜୀବନ ସୁଜାତା ସେ ଜଟିଳ ବିବର୍ଣ୍ଣତା ଭିତରେ ମେଞ୍ଚାଏ ବୈଷମ୍ୟ କେବଳ । ମୋର ନୀତି କିନ୍ତୁ ଆପଣଙ୍କୁ ମୁଁ କହିପାରିନାହିଁ । ମୁଁ ସଂସାରଟାକୁ ଯେକୌଣସି ବୈରାଗୀ ପରି ଘୃଣାକରେ; କିନ୍ତୁ ତା' ବିଷୟରେ ସମ୍ପୂର୍ଣ୍ଣ ନିରାଶ ହେଇପାରେନାହିଁ । ଯଦି ଗୋଟାଏ ଅଚଳ ଅନ୍ଧକାର ଜମାଟ ବାନ୍ଧି ସ୍ଥାଣୁ ହୋଇଯାନ୍ତା, ମୁଁ ହୁଏତ ହତାଶ ହୋଇପଡ଼ନ୍ତି; କିନ୍ତୁ ମଣିଷ ଗତିଶୀଳ-। ସେ ଯଦି ଏମିତି ଦୁର୍ବାର ଭାବରେ ନିଜକୁ ପଛକୁ ଗଡ଼େଇଦେଇପାରେ, ଉପଯୁକ୍ତ ପ୍ରୟାସ ହେଲେ ସେ ଆଗକୁ ମଧ୍ୟ ସେମିତି ମାଡ଼ିଯିବ । ତା'ର ଦିଗଭ୍ରମ ହୋଇଯାଇଛି କେବଳ, ନହେଲେ ସେ ଶକ୍ତିମାନ୍ । ତା'ର ମୂଲ୍ୟବୋଧ ବଦଳେଇବାକୁ ହେବ । ତାକୁ ପଶୁତ୍ୱର ପ୍ରଲୋଭନରୁ ବଞ୍ଚେଇବାକୁ ହେବ । ଏ ସଂସାରକୁ ରୋଗମୁକ୍ତ କରିବାକୁ ହେବ । ଏଥିରୁ ଗୁଡ଼ାଏ ସାପଙ୍କୁ ମାରିବାକୁ ହେବ ।"

 

ସେ ତାଙ୍କର ପୁରୁଣା ଅଭ୍ୟାସରେ ଗତରେ ପଡ଼ିଯାଇଥିବା ବକ୍ତୃତା ଦେଇଚାଲିଥାନ୍ତି । ଜୟରାମ କିନ୍ତୁ ବୋଧହୁଏ ଖୁବ୍ ଅନ୍ୟମନସ୍କ । ତାଙ୍କଠାରୁ କୌଣସି ପ୍ରତିଧ୍ୱନି ନପାଇ ବକ୍ତା ହଠାତ୍ ନୀରବ ରହିଗଲେ । ସେ ସେମିତି ଟିକେ ଅପ୍ରତିଭ ହୋଇ ତାଙ୍କ ମୋଟା ମୋଟା ଚଷମା ଭିତରୁ ଅନେଇଲେ । ଜୟରାମ କୌଣସି ବ୍ୟକ୍ତିବିଶେଷ ନୁହନ୍ତି । ସେ ଗୋଟିଏ ଅଚିହ୍ନା ନିର୍ଜନ ପ୍ରାନ୍ତର; ତା'ଭିତରେ ବକ୍ତାଟି ନିହାତି ଏକୁଟିଆ । ଗୋଟାଏ ତେନ୍ତୁଳି ଗଛର ଦି'ପହରିଆ ଛାଇରେ ଦୁହେଁ ଦୁହିଁଙ୍କୁ ଚାହିଁ ଠିଆହେଲେ । ଜଣକ ଆଖିର ପିତୁଳାରେ ଲେଲିହାନ୍‌ ଅଗ୍ନି ଶିଖାର ପ୍ରତିବିମ୍ବ; ସେ ହୁଏତ ଖୁବ୍ ଜଳିବା ଦେଖିଛି । ବହୁ ଅଗ୍ନି ଦାହର ସାକ୍ଷୀ ସେ । ଆରଜଣକ ଆଖିରେ କିନ୍ତୁ ନିର୍ବାକ୍‌ ଅସଫଳତାର ଅଙ୍ଗାର । ସେ ନିଜେ ଅନେକ ଜଳିଛି । ବହୁ ଅଗ୍ନି ଦାହରେ ପୋଡ଼ି ପୋଡ଼ି ଛାରଖାର ହୋଇଯାଇଛି ।

 

ଚଷମା ତଳେ ଆଖିଯୋଡ଼ିକ ଚଞ୍ଚଳ ହୋଇଉଠିଲେ । ଭଦ୍ରଲୋକ କହିଲେ, "ଚାଲନ୍ତୁ ଅନେକ ବିଳମ୍ବ ହୋଇଗଲାଣି । ଆମ ଅଫିସରେ ଆଉ ବାକି କଥାବାର୍ତ୍ତା ହେବା ।" ଜୟରାମ ସଂପୂର୍ଣ୍ଣ ନିଶ୍ଚଳ-ମନରେ ଦେହରେଆଖିରେ । କିଛି ସମୟ ପରେ କହିଲେ, ‘‘ଆଜି ଥାଉ, ଆଉ କେବେ ଦେଖିବା ।" ସେଇଠୁ ବାଟ ଭାଙ୍ଗି ଦୁହେଁ ଦୁଇଟି ନିର୍ଜନ ରାସ୍ତାରେ ତଳକୁ ମୁଣ୍ଡ ପୋତି ବାହାରିଗଲେ ଏକୁଟିଆ ଏକୁଟିଆ ।

 

ରୋଜି ଏବଂ ବିମଳେନ୍ଦୁ ଉଭୟେ ଆସି ଜୟନ୍ତକୁ ଦୁଆରମୁହଁରୁ ପାଛୋଟି ନେଇଗଲେ-। ଉଭୟଙ୍କ ଦାନ୍ତଗୁଡ଼ିକ ଖୁବ୍ ଧଳା; ହସ ଖୁବ୍‌ ନିର୍ମଳ, ଅମାୟିକ । ବେଶପୋଷାକ ନିରାଡ଼ମ୍ବର; ହାଲ୍‍କା ହାଲକା ରଙ୍ଗର, ବେଶ ଦାମୀ ଓ ସୁନ୍ଦର । ଦେହର ପରିସରକୁ ଖାପିଲା ଭଳି ଅତି ଚମତ୍କାର ଦରଜି-କାରିଗରିର ନମୁନା । ଆଧୁନିକତାର ଦୁଇଟି ଶାଣିତ କଢ଼ ରୋଜି ଆଉ ବିମଳ । ପୁରାତନ ଯେମିତି ବହୁ ରହସ୍ୟର ବେଢ଼ ଭିତରେ ଧୂଆଁ ଳିଆ ଝାପ୍‌ସା ଦରବୁଜା ଜଣାପଡ଼େ, ସେମିତି ଏ ଅତି ନୂତନତାକୁ ମଧ୍ୟ ସହଜରେ କଳିହୁଏନା । ତା' ଉପରେ କାଚ ପରି ଝଲ୍‌ଝଲ୍ ଅନେକ ଶାଳୀନତାର ପ୍ରଲେପ, କଡ଼ା ମଣ୍ଡଦିଆ ଠିଆ ଠିଆ ହସ, ସେମିତି ମପା ଯୋଖା, ନିର୍ଦ୍ଦିଷ୍ଟ ଆୟତନ ।

 

"ଆମେ ହେଇ ଆପଣଙ୍କ କଥା ହେଉଛୁ କି ନାହିଁ, ଆପଣ ଆସି ପହଞ୍ଚିଗଲେ । –ହେଇ ତ ଜଷ୍ଟ୍ ଆପଣଙ୍କ ନାଁ ଧରିଚୁ "

 

"ଆରେ ଆରେ, କି ଚମତ୍କାର–ମାନେ ତୁମ ଦୁହିଁଙ୍କୁ ଦେଖିବା । –ଆଉ, ମୁଁ କାହାକୁ ମିନିଟିଏ ସୁଦ୍ଧା ଅପେକ୍ଷା କରି ବସେଇବାକୁ ଚାହେନା ।"

 

ତିନି ଧାଡ଼ି ସଫା ଦାନ୍ତ ସମାନ୍ତରାଳ ହସର ମୁଦ୍ରାରେ ତିନୋଟି ଆହୁଲା ମାରୁଥିବା ବକ ପରି ସେମାନେ ଘର ଭିତରକୁ ପରଦା ଟେକି ପଶିଗଲେ ।

 

"ବାଃ ଏ ସୋଫା ସେଟ୍‍ଟା ତ ଖୁବ୍ ନୂଆ ଜଣାପଡ଼ୁଚି । ଏଇଟା ଗୋଦରେଜ କମ୍ପାନୀର ନୂଆ ଆର୍ମଲେସ୍‌ ଡିଜାଇନ୍‌–ବେଶ ବଢ଼ିଆ ହେଇଚି ।"

 

"ହେଇ, ବସାଉଠା କରିବା ପାଇଁ ଖଣ୍ଡେ କ'ଣ ହେଲେ ପକାଇବା ଭାବି ଏଥିରୁ ଗୋଟିଏ ସେଟ୍‌ ନେଇଆସିଥିଲୁ । ନ ହେଲେ ଏ ମହାତ୍ମା ଯାହା ବାପଘରୁ ଆଣିଛନ୍ତି ତାକୁ ଥରେ ଘୁଞ୍ଚେଇ ଆଣିବା ମାନେ ଗୋଟିଏ ଟ୍ରେନ୍ ୱାଗନ୍ ରିଜର୍ଭ କରିବା । ଖଣ୍ଡିଏ ଲେଖା ଚୌକି ଦୁଇ ଟନ୍ କରି ଓଜନ୍ । ଗୋଡ଼ଗୁଡ଼ିକ ଠିକ୍‌ ବିଲିଆର୍ଡ଼ ଟେବୁଲର ଗୋଡ଼ ଭଳି ତା' ଉପରେ ଯେକୌଣସି ସର୍କସର ହାତୀ ନିରାପଦରେ ବସି ଥୋଡ଼ପାହାରରେ ମାଉଥ୍‌ ଅର୍‌ଗାନ୍‌ ବଜାଇପାରେ ।"

 

"କଥାଟାକୁ ଏମିତି ବଢ଼େଇ ଆବସର୍ଡ଼ କରିବା ତୁମର ଗୋଟାଏ ଷ୍ଟାଇଲ ।"

"ମୁଁ କିନ୍ତୁ ବିଶେଷ ବଢ଼େଇ କହିପାରୁନାହିଁ ବୋଲି ମନ ଦୁଃଖ କରୁଥିଲି ।"

 

ଜୟନ୍ତ ଅତି ଢଳଢ଼ଳ ଗୋଟାଏ ବେପରୁଆ ଚଢ଼େଇ ପରି କାନ୍ଥରେ ମରାହେଇଥିବା ତିନୋଟି ବଗର ଧାଡ଼ିକୁ ଦେଖୁଥାଏ । ଗୋଟିଏ ମାଟିର ଝିଟିପିଟି ସେମିତି ମାଟିର ଗୋଟିଏ ଅସର୍ପାକୁ ଟାକିରହିଛି । ଦେଖିଲାଲୋକକୁ ଉତ୍ତେଜିତ କରୁଛି; ପ୍ରତି ମୁହୂର୍ତ୍ତରେ ଝାମ୍ପୁ ନାହିଁ କାହିଁକି ବୋଲି ଗୋଟିଏ ତୀବ୍ର ପ୍ରଶ୍ନ ଉଠେଇ ଅତିଷ୍ଠ କରୁଛି ।

 

ହଠାତ୍ ରୋଜି କଣ୍ଠରେ ଶୁଭିଲା "ଆପଣ କ'ଣ ଅଫିସ କାମ ସାରିଆସିଛନ୍ତି ତ ?"

 

ବୁଲିପଡ଼ି ଜୟନ୍ତ ଦେଖିଲା ଯେ ରୋଜି ଗୋଟିଏ ସୋଫାରେ ଫିଲ୍‌ମ ଫେଆର୍‌ଟି ଉପରେ ନଜର ଦେଇ ତାକୁ ପ୍ରଶ୍ନ କରୁଛି । ସେ ଆଉ ଗୋଟିଏ ସୋଫାରେ ବସିପଡ଼ିଲା କେବଳ । ରୋଜି ମୁହଁ ଟେକି ଅନେଇଲା । ନୀରବ ଚାହାଣିରେ ସେଇ ପ୍ରଶ୍ନ । ଉପରେ ପାତଳ ହସଟିଏ ବୋଳିହୋଇଯାଇଛି । ଜୟନ୍ତ ଆସ୍‌-ଟ୍ରେରେ ସିଗ୍ରେଟ୍‌ଟାକୁ ଲିଭେଇଦେଲା । ଆଉ ଟିକିଏ କମ୍ ଜୋର୍ ଦେଇ ତାକୁ ଦବେଇଥିଲେ ମଧ୍ୟ ବୋଧହୁଏ ଚଳିଥାନ୍ତା ।

 

"କାମ ସରିବା ନସରିବା ଉପରେ କିଛି ନିର୍ଭର କରୁନାହିଁ । ଫାଇଲଗୁଡ଼ିକ ପ୍ରବାସୀ ପକ୍ଷୀ ପରି ନୀଳନଦୀର ଉପତ୍ୟକା ଆଶାରେ ହଜାର ହଜାର ମାଇଲ ଉଡ଼ିବୁଲନ୍ତି, କାହା ଡାଳରେ କେଉଁଠି ବସିଗଲେ ତାଙ୍କ ଇଚ୍ଛା ଅନୁସାରେ ।"

 

"ଫାଇଲ୍‌ ଆସିବା ଯିବା କ'ଣ ଗୋଟାଏ କାମ ? ତା'ର ତ ଗୋଟାଏ କିଛି ଉଦ୍ଦେଶ୍ୟ ଥିବ "

 

"ତାହାହିଁ ଏକମାତ୍ର କାମ ଏବଂ ତାର କିଛି ଉଦ୍ଦେଶ୍ୟ ନାହିଁ । ଆକାଶରେ ଉଡ଼ି ଯାଉ ଯାଉ ଫାଇଲ୍ ଫାଇଲ୍ ମିଶି ଆଉ ନୂଆ ଫାଇଲ୍‍ଟିଏ ଜନ୍ମନିଏ । ଫାଇଲସଂଖ୍ୟା ମଧ୍ୟ ବଢ଼େ; ବଢ଼ିବା ଉଚିତ । ତାହାରି ଉପରେ ଅଫିସରେ କିରାଣି ଓ ଅଫିସର ସଂଖ୍ୟା ମଧ୍ୟ ବଢ଼େ । ଅତଏବ କାମ ସରିବ କ'ଣ ? ସରିବ ବା କେମିତି ଓ କାହିଁକି ? ଚା' ସମୟକୁ ଥରେ ଯାଇ ଚୌକିରେ ବସିଗଲେ ଆଜି ପାଇଁ ଛୁଟି ।"

 

ସାମାନ୍ୟ ହସ ।

 

"ଆପଣ ଯାହା କହନ୍ତୁ, ଯଦି ଏଇଆ କାମ ହୋଇଥାଏ, ତେବେ ଏଇଟା ରୀତିମତ ଠକାମି ।"

 

"ହୋଇପାରେ ! ଏଠି କେବଳ ଦେଖେଇଦେବାକୁ ହେବ ଯେ କାମ ହେଉଛି । ଉପର ହାକିମକୁ ସନ୍ତୁଷ୍ଟ ରଖିବା ହିଁ କାମ । ଏଇ ଧରନ୍ତୁ, ମୁଁ ଏଠୁ ତିନିଟାକୁ ଅଫିସ ଫେରିବି, ପହଞ୍ଚିବା ପୂର୍ବରୁ ଗେଟ୍ ପାଖରେ ଥରେ ଦି'ଥର ହର୍ଣ ବଜେଇଦେବି; ଫଳରେ ସମଗ୍ର ଅଫିସ ସତର୍କ ହୋଇଯିବ । ଯେ ଯାହା ଟେବୁଲ ପାଖରେ ରାମ୍ପି ବା ଆରମ୍ଭ କରିଦେବେ । ପ୍ରବାସୀ ପକ୍ଷୀ ସେଇ ଫାଇଲ୍‌ଗୁଡ଼ିକ କଳରବ କରିଉଠିବେ । ଜାଣିଶୁଣି ଟିକିଏ ଅଫିସରେ ମୁହଁ ମାରିଦେଇ ଆସିବି । କାମ ଚାଲିଛି–ମୁଁ ଦେଖିଛି; ଏତିକି କହିପାରିବି । ସେମାନେ ମଧ୍ୟ ଜାଣିଲେ ଯେ ଦିନ ଗୋଟାକରେ କାମ ସେ ହର୍ଣ ସାଙ୍ଗରେ ଆସିଲା ଏବଂ ମୁଁ ବୁଲି ପଡ଼ୁ ପଡ଼ୁ ମୋ ପିଠିରେ ବୋଝେଇ ହୋଇ ବାହାରିଗଲା । ଯୋଡ଼ିଏ ସୁଦୃଢ଼ ବନ୍ଧନୀ ଭିତରେ ଯେତେସବୁ ଫମ୍ପା; କିନ୍ତୁ ଏ ଅଦ୍ଭୁତ କଳଟିକୁ ଦୂରରୁ ଦେଖି ଜଣାହୁଏ ନାହିଁ; ଯେମିତି ଜାଣିହୁଏ ନାହିଁ ମହୁଘରାକୁ ଦେଖି ଯେ ସେଇଠି କେନ୍ଦ୍ରରେ ପରିପୁଷ୍ଟ ରାଣୀଟିଏ ଅଛି ଏବଂ କେତୋଟି ମଧୁଭକ୍ଷୀ ପୁରୁଷ ତା' ଚାରିଆଡ଼େ ଘେରି ରହି ଢୁଳୋଉଛନ୍ତି ।"

 

ଜୟନ୍ତ କଥା କହେ ଚମତ୍କାର । ବେଳେବେଳେ ଟିକିଏ ଅଙ୍ଗଭଙ୍ଗୀ ମଧ୍ୟ କରେ ।

କୌଣସି କାରଣରୁ କଥାଟା ଉଭୟଙ୍କ ମନକୁ ପାଇଗଲା । ଦୁହେଁ ହସିଉଠିଲେ ।

 

ବିମଳ ପଶି ଆସି ଖୁବ୍‌ ପରିଷ୍କାର ଭାବରେ ଗୋଟିଏ ସୋଫାରେ ବସି ପେଣ୍ଟ୍‍ର ଇସ୍ତ୍ରି ଧାରଟାକୁ ସଜାଡ଼ୁ ପଚାରିଲା––

 

"କ'ଣ ହେଲା କି ? ଭାରି ମଜା କଥାଟାଏ ପଡ଼ିଥିଲା ବୋଧହୁଏ ?"

 

"ଜୟନ୍ତବାବୁ ତୁମର ପରା ଏଠିକା ବଡ଼ ଅଫିସ୍‍ର–ସେ କହୁଥିଲେ କେମିତି ତାଙ୍କ ଶାସନକାଳ ଭିତରେ ସମସ୍ତେବସି ଢୁଳୋଉଛନ୍ତି ।"

 

"ଓ, ଏଇ କଥା ତ ! ଢୁଳେଇବା ତ ଆମର ଜାତୀୟ ଲକ୍ଷଣ । ମୋତେ ଅଳ୍ପ ଦିନ ହେବ ଫିଲ୍‍ଡ଼ କାମ ଛଡ଼ା ଅଫିସ କାଗଜପତ୍ର କିଛି ଦେଖିବାକୁ ପଡ଼ୁଛି । ମୁଁ ଭାବିଥିଲି, ଇଞ୍ଜିନିୟର ହେବା ଗୋଟାଏ ଭାରି ଏକଟିଭ୍ କାମ । କିଛି ଦିନ ସେଇ କଥା ମଧ୍ୟ ବୋଧହେଲା; ମାତ୍ର ଦେଖିଲି ଯେ କୁଲି, କାମ ସର୍ଦାରଠଉଁ କଣ୍ଟ୍ରାକ୍‍ଟର, ଶେଠ ପର୍ଯ୍ୟନ୍ତ ସମସ୍ତେ ଢୁଳୋଉଛନ୍ତି । ଢୁଳୋଉଥିଲେ ଯେ କାମଟା ଧିମା ପଡ଼ିଯାଏ ତା'ନୁହେଁ । ଗୋଟାଏ ସିମେଣ୍ଟରେ ଛ'ଟା ବାଲି ନ ମିଶି ବାରଟା ମିଶିଯାଏ; ନିଦବାଉଳାରେ ରୋଡ଼୍‍ରେ ଷୋହଳ ଟ୍ରକ୍ ମାଟି ବିଛେଇ, ବିଲ୍‍ରେ ଷାଠିଏ ଟ୍ରକ୍ ଚଢ଼ିଯାଏ । ଏସବୁ ହୁଏ ।"

 

ସେଣ୍ଟର୍‌ ଟେବୁଲ ଉପରୁ ପାତଳ ଝିଲ୍‍ ଝିଲ ଛୋଟ କାଚହରିଣଟିକୁ ଉଠେଇ ଜୟନ୍ତ ପୁଣି ଥୋଇଦେଲା ।

 

"ଆଚ୍ଛା, ବିମଲ୍‌, କିଛି ମନେ କରିବ ନାହିଁ ମୁଁ ଯଦି ଦୁଇପଦ ରୋକ୍‍ଠୋକ କଥା ପଚାରିଦିଏ । ଆଚ୍ଛା, ତୁମେ କ'ଣ ସେଇ ପୁରୁଣା ନୀତି-ନିୟମ ଉପରେ ବିଶ୍ୱାସ କର ? ତୁମେ କ'ଣ କହିବାକୁ ଚାହିଁ ଯେ ଗୁଡ଼ାଏ ସତ କହି ସବୁ ଗୋଳମାଳ କରିଦେଲା ଭଳି ମୂର୍ଖ ହୋଇ ମଣିଷ ରହିଛି ? କିଓ, ଯଦି ତୁମ କଣ୍ଟ୍ରାକ୍‍ଟର ଛ' କହିଲେ ଛ' ବୁଝୁଥାନ୍ତା, ଷୋହଳ କହିଲେ ଷୋହଳ ଲେଖନ୍ତା, ତେବେ ସେ କାହିଁକି କଣ୍ଟ୍ରାକଟର କରନ୍ତା ? ସେ ତ ଫେର ହଠାତ୍ ଅଫିସର କ୍ଳବ୍‍ରେ ପ୍ରୟୋଜନ ହେଲେ ଗୋଟାଏ ଡିନର୍ ଦେବ । ତୁମର ବା ତୁମ ଚିଫ୍‌ ଇଞ୍ଜିନିୟର ପ୍ରଭାକର ବାବୁଙ୍କର ବ୍ରତଟାଏ ବା ବିଭାଟାଏ ହେଲେ ଦି'କଥା ସାହାପକ୍ଷ ହେବ । ତୁମ ଘରକୁ ଭଲଲୋକ ପାଞ୍ଚଜଣ ଆସୁଛନ୍ତି; ସେମାନେ ବସିବାକୁ ଏମିତି ସୋଫା ଖଣ୍ଡେ ପକେଇଦେବ । ଓହୋ; ମୁଁ କହୁନାହିଁ ଏଇଟା ସେମିତି ଆସିଛି ବୋଲି–ଯଦି ନ ଆସିଥାଏ ମୁଁ ବରଂ କ୍ଷୁଣ୍ଣ ହେବି । କାରଣ ଏସବୁ ପାଇଁ ସରକାର କ'ଣ ଆମକୁ ଦରମା ଦେଉଛି ? ଅତଏବ ବଞ୍ଚିବାକୁ ହେଲେ କିଛି କୌଶଳର ପ୍ରୟୋଜନ ଅଛି । ସେଇ କୌଶଳରେ ପୁରୁଣାକାଳିଆ 'ସତ' କହିବାର ସ୍ଥାନ ନାହିଁ । 'ଲାଞ୍ଚ' 'ମିଛ' ଏ ଯୋଡ଼ିକ ସେଇ କାଳର ଶବ୍ଦ । ଏବେ ସେମାନଙ୍କର ଅର୍ଥ ଭାରି ସଫା ଏବଂ ସମ୍ମାନସ୍ପଦ । ପଞ୍ଝେ ପୁରୁଣାକାଳିଆଙ୍କୁ ନେଇ ଦେଶଟାରେ ଅଯଥା ଗୋଟାଏ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଆଜି ସେଥିରୁ ଗୋଟାକୁ ବିଦାକରି ଆସିଲି ।"

 

ବିମଳ ଓ ରୋଜି ଅର୍ଥନୀତି କ୍ଳାସ୍‌ର ସୁବୋଧ ଛାତ୍ର ପରି ଅପେକ୍ଷା କଲେ ବକ୍ତୃତାର ବାକି ଅଂଶକୁ ।

 

"ସେ ଭାବିଥିଲା ଯେ ତାକୁ ଟପି କେହି ଯାଇପାରିବେ ନାହିଁ । ଆଗ ଅଫିସରମାନେ ତାକୁ ବ୍ଳକ୍‍ରେ ପୂରେଇ, ଟେନିସ ଖେଳେଇ ତା ମୁହଁ ବଢ଼େଇ ଦେଇଥିଲେ । ସେ ସେଇ ବଳରେ ମୋତେ ଦୁର୍ନାମ କରିବା ଆରମ୍ଭ କରିଦେଲା ।–ହୁଃ; ଇଡ଼ିଅଟ୍ ! ସେ ଚାହେଁ ଯେ ମୁଁ ତା' ଉପଦେଶ ଅନୁସାରେ ଚଳିବି, ସତ କହିବି, ପାଟି ବୁଜି କେବଳ ଦରମାଗଣ୍ଡାକ ନେଇ ବିକିଭାଙ୍ଗି ଚଳିବି-ଗାଡ଼ି ଚଢ଼ିବି ନାହିଁ, କୌଣସି ନାରୀମୁଖ ଦର୍ଶନ କରିବ ନାହିଁ ।"

 

"ହେ, ହେ, ହେ ଶୁଣ !"

"କିଏ ସେଇଟା ମ ? କେମିତି ତାକୁ ବିଦାକଲେ ?"

 

"ହେ, ହେ ! ସେଇଟା, ବିମଲ୍‌, ଗୋଟାଏ ଟ୍ରେଡ଼୍‌ ସିକ୍ରେଟ୍‌ । ତୁମେ ଆଉ କିଛି ଦିନ ଏ ଭିତରେ ରହିଗଲେ ବଳେ ଜାଣିଯିବ ଯେ !" ରୋଜି ସାମାନ୍ୟ ଗମ୍ଭୀର ହୋଇଗଲେ ସୁଦ୍ଧା ମୁହଁରେ ସେଇ ନିର୍ଭୁଲ ରେଖାଏ ହସ ।

 

"ଆଇ ଏମ୍ ସରି ! ମୁଁ ବୋଧହୁଏ ଆପଣଙ୍କୁ ବୋର୍ କରୁଛି । ଆମେ ଅଫିସ ଛାଡ଼ି ଆସିଲେ ମଧ୍ୟ ଦେଖନ୍ତୁ ଅଫିସ କେମିତି ଆମକୁ ଛାଡ଼ୁ ନାହିଁ ? ଆପଣ ସିନା କହିବେ ଏସବୁ ରୀତିମତ ଠକାମି ବୋଲି ।"

 

"ନା, ତା ନୁହେଁ ଯେ ! ମୁଁ ବରଂ ସିରିଅସ୍‍ଲି ଭାବୁଥିଲି ଆପଣଙ୍କ ମତଟାରେ ବେଶ୍ ଗୋଟାଏ ସେନ୍‍ସ ଅଛି । ଗୋଟାଏ ଷ୍ଟାଣ୍ଡାର୍ଡ଼ ନେଇ ତ ମଣିଷ ପୁଣି ପାଞ୍ଚଜଣରେ ବଞ୍ଚିବ ! ଦରିଦ୍ର ଭଳି ହୀନିମାନିଆ ହୋଇ ବଞ୍ଚିବାର ଅର୍ଥ ନାହିଁ ।"

 

"ବିଲ୍‌କୁଲ ଠିକ୍ । ବର୍ତ୍ତମାନ ସେଇ ଷ୍ଟାଣ୍ଡାର୍ଡ଼ ଜିନିଷଟିକୁ ଖୋଜି ବାହାର କରିବାକୁ ହେବ-।" –କହିଲା ବିମଲ ।

 

ଜୟନ୍ତ ସ୍ୱରରେ ଗୋଟିଏ ପ୍ରଚ୍ଛନ୍ନ ଅଭିଭାବକ ।

 

"ବିମଲ୍, ତୁମେ ଦେଖୁଛି ଭାରି ଚଗଲା । ସିରିଅସ୍ କଥାଟାକୁ ଏମିତି ଥଟ୍ଟା କରିବା ସତରେ ତୁମର ଗୋଟାଏ ଅଭ୍ୟାସ ।"

Unknown

 

ଏତିକିବେଳେ ଡ୍ରଇଂରୁମ୍‌ର ପର୍ଦ୍ଦା ଆଡ଼େଇ ଆସି ସନ୍ତର୍ପଣରେ ଠିଆହେଲା ଗୋଟିଏ ଢେଗାଆଖିଆ ରୂଢ଼ିଆ ନୌକର ପିଲା । ବୟସ କହିବା କଠିନ; ସତରରୁ ସଇଁତିରିଶ ଭିତରେ କିଛି ଗୋଟାଏ । ବାବୁଙ୍କ ଘରେ ଏଇ କେତେ ଦିନ ହେଲା ଭାତ ରାନ୍ଧେ ।

 

"କି'ରେ, କ'ଣ ସବୁ ହେଲା ନା ନାହିଁ !"

"ଆଜ୍ଞା !"

"ଉଠନ୍ତୁ ଜୟନ୍ତବାବୁ !"

 

ଚମତ୍କାର ଡାଇନିଂ ଟେବୁଲ । ଆଠଜଣ ବସିବାକୁ ଆଠଟି ସୁନ୍ଦର ଚଉକି । ସବୁ ନୂଆ ସବୁ ସୁନ୍ଦର, ଚିକ୍‌ଚିକ୍‌ । ଗୋଟିଏ ପଟେ ଦୁଇଜଣ ଏବଂ ଆରପଟେ ଜଣକ ପାଇଁ ପ୍ଲେଟ, କଣ୍ଟା ଚାମଚ ସଜଡ଼ା ହୋଇଛି । ନେପ୍‍କିନ୍‍ଗୁଡ଼ିକ ବେଶ୍‌ ଫୁଟାଇ ରଖାହୋଇଛି ଗ୍ଳାସ୍ ଭିତରେ । ସବୁଠି ଭଦ୍ର, ଆଧୁନିକ, ସାହେବି ରୁଚି-ନିର୍ଭୁଲ୍‌, ନିର୍ମଳ, ପକ୍‌କା । ଜୟନ୍ତ ସବୁ ଅତି ସ୍ୱାଭାବିକ ଭଙ୍ଗୀରେ ଗ୍ରହଣ କରି ଗୋଟିକିଆ ଚୌକିଟାକୁ ଟାଣିନେଇଛି ।

 

ପ୍ରାୟ ଏକ ସମୟରେ ତିନିହେ ବସିଛନ୍ତି, ତିନିହେଁ ନେପ୍‍କିନ୍ ଫିଟେଇ କୋଳରେ ବିଛେଇ ନେଇଛନ୍ତି, ତିନିହେଁ ପ୍ଲେଟ୍‌ଟିମାନ ଲେଉଟେଇ ଉପରକୁ ମୁହଁଟେକି ଅନେଇଛନ୍ତି ଚାବିଦିଆ କୁଣ୍ଢେଇଗୁଡ଼ିଏ ।

 

ଟେଲିଫୋନ୍‌ ବାଜିଉଠିଲା । ଉଭୟ ବିମଲ୍‌ ଏବଂ ଜୟନ୍ତଙ୍କ ମୁହଁରେ ପ୍ରଶ୍ନ ।

ବିମଲ୍‌ ପଛକୁ ଚୌକିଟା ପେଲି ଉଠିପଡ଼ିଲା । "ଗୋଟାଏ ମିନିଟ୍‌ରେ ଶୁଣି ଆସୁଛି ।"

 

ଜୟନ୍ତ ଟେବୁଲ ଉପରୁ ଛୁରୀଟାକୁ ଓଲଟପାଲଟ କରି ଅନ୍ୟମନସ୍କଭାବେ ଅପେକ୍ଷା କଲା ।

 

"ଆପଣଙ୍କ ଅଫିସରୁ ହୁଏତ କିଏ ଡାକିଥିବେ ? ଇଏ ତ ଆଜି ଛୁଟି ନେଇଛନ୍ତି ।"

"ବୋଧହୁଏ ! ଆପଣଙ୍କ ଗୋଟିଏ ଭାଇ ପାଇଲଟ୍ ଅଫିସର ପରା ?"

 

"ସେ ଏଇଲାଗେ ଫ୍ଲାଇଟ୍ ଲେପ୍‌ଟ୍‌ନାଣ୍ଟ ହୋଇଗଲାଣି । ଲାହୋର୍ ସେକ୍‍ଟରରେ ତାର ସବୁ ଅଦ୍ଭୁତ ଅଭିଜ୍ଞତା କଥା ଲେଖିଥିଲା । ସେ ସବୁ ଶୁଣି 'ଅନି' ବସିଛି ଏଆର୍‌ଫୋର୍ସରେ ପଶିବାକୁ ।"

 

"ଅନି କିଏ ?"

"ସେ ମୋ ସାନଭାଇ ।"

 

ବିମଳ ପଶିଆସି କହିଲା, "ମୁଲଚାନ୍ଦ କେଶବଚାନ୍ଦ ସୋନ୍ଧି ଆପଣଙ୍କ ସାଙ୍ଗେ କଥା ହେବାକୁ ଚାହୁଁ ଛନ୍ତି ।"

 

"ଓ, ଆଇ ସି ! ସେ କ'ଣ ଫୋନ୍‌ ଧରିଛି ?"

"ମୁଁ କହିଛି ଧରିରଖିବାକୁ ।"

 

ବିମଲ୍ ହସି ହସି ରୋଜି ପାଖରେ ବସିବା ପରେକହିଲା–"ବଡ଼ ଇଣ୍ଟରେଷ୍ଟିଂ ଲୋକ ଏ ଜୟନ୍ତବାବୁ; କିନ୍ତୁ ବଣିଆ ଲୋକ ।"

 

ବିନା ପ୍ରୟୋଜନରେ ଶାଢ଼ି ଟାକୁ ବୁକୁ ଉପରୁ ସଜାଡ଼ିନେଇ ରୋଜି ଉତ୍ତର ଦେଲା "ମୁଁ ବରଂ କହିବି ଭାରି ଓରିଜିନାଲ୍ । କେଡ଼େ ରୋକ୍‍ଠୋକ୍, ଏକଦମ୍ ଫ୍ରାଙ୍କ୍ ଖୋଲାଖୋଲି କଥାଗୁଡ଼ାକ ସେ କହୁଛନ୍ତି ! ଦେଖୁନା ତମେ ସେଦିନ ପଟୁଆରୀ କଣ୍ଟ୍ରାକ୍ଟର କଲିକତାରୁ କିଛି କନା ନେଇ ଆସିଥିଲା ବୋଲି ତାକୁ ତିନିପାଣିଆ କରିଦେଲ-କ'ଣ ନା ସାଧୁ ।-ଆମେ ତୁଳସୀ ପାଣି ସିବ କିଛି ଛୁଇଁବୁ ନାହିଁ । ଦେଖୁଚ ତ ପୁରୁଣା ଅଫିସରୁ ସବୁ କେମିତି ଖୋଲାଖୋଲି ନୂଆ ନୀତିର ସମର୍ଥନ କରୁଛନ୍ତି, ଉପୁରି ଦୁଇପଇସା ନ ମିଶିଲେ ଚଳିହେବ ନାହିଁ ଏବଂ ଏ ଉପୁରି ଦୁଇପଇସା ନେବା ଲାଞ୍ଚ ମଧ୍ୟ ନୁହେଁ ।"

 

ବିମଲ୍‌ ଅନ୍ୟମନସ୍କଭାବେ ଚାମଚଟା ଗଡ଼ଉଥାଏ କେବଳ ।

ଜୟନ୍ତ ହସି ହସି ଆସି ଚୌକିରେ ବସିପଡ଼ିଲା ।

‘‘ଇଡ଼ିଅଟ୍‌ଟାଏ । ସ୍ୱରରେ କିଛି ସ୍ନେହ ଶ୍ରଦ୍ଧା ମିଶିଯାଇଛି ।

"କିଏ ସେଇ ମାରୱାଡ଼ି ?"

 

"ହଁ, ସେ ଜାଣିଶୁଣି ବେକାମି ଦେଖାଏ ତା' ଠୁ ବଳି ଚାଲାକ ଏ ସଂସାରରେ ନଥିବେ । ସେ ମୋ ଅଫିସରୁ ଫୋନ୍‌ କରିବ ସମସ୍ତେ ଶୁଣିଲାଳିଆ ଯେ ମୁଁ ଯାହା କହିଥିଲି ସେ ଆଣିଛି । କେତେବେଳେ କେଉଁଠି ଆଣି ପହଞ୍ଚେଇବ, ସେ କଥା ପଚାରୁଛି ।"

 

‘‘କ’ଣ ଏମିତି ଗୁପ୍ତ କିଛି ନୁହେଁ ତ ?"

 

‘‘ନା-ଡ଼ାମ ଇଟ୍‌-ମୁଁ କୌଣସି ଗୁପ୍ତରେ ବିଶ୍ୱାସ କରେନା । ତାକୁ କହିଥିଲି କଲିକତାରୁ ଭଲ ପିଇବା ଜିନିଷ କିଛି ଆଣିଥିବ; ଆଉ କିଛି ହାତଖର୍ଚ୍ଚ ଯେ ଗାଡ଼ କରିଥିବ–ପକେଟରୁ ସରିଆସିଲାଣି । –ମୋ ସାଙ୍ଗେ ତା'ର ଦୋସ୍ତି ଅଛି ବୋଲି ସମସ୍ତଙ୍କୁ ଜଣାଇବାକୁ ଏ ଫୋନ ।"

 

ଗୋଟିଏ ନିର୍ବିକାର କ୍ଳାନ୍ତ ମୁହଁରେ ହଳେ ଢେଗା ଆଖି ପୁଣି ଦିଶିଗଲା ଏବଂ ଟେବୁଲ ଉପରେ ଗୋଟିଏ ସୁଦୃଶ୍ୟ ବାଉଲରେ ଖୁବ୍‌ ଲାଲ୍‌, ଭାରି ବାମ୍ଫୁଆ, ଭାରି ମହକିଆ ଭରପୂର କୁକୁଡ଼ା ଝୋଳ ଆସି ଥୁଆହୋଇଗଲା ।

 

ତା' ପରେ ପରେ ଆସି ପହଞ୍ଚିଲା କିଛି ଲୁଚି; କିଛି ପଲାଓ । ଖଣ୍ଡିଏ ଲୁଚି ବାଢ଼ି ନେଇ ରୋଜି ବିମଲ୍‍କୁ ଚାହିଁ ଜୟନ୍ତ କହିଲା, "ଏ ମୁଲଚାନ୍ଦ ସୋନ୍ଧିକୁ କମ୍ ଠଉରେଇବ ନାହିଁ । ସେ ବହୁ ଘାଟରେ ପାଣି ପିଇ ପିଇ ଆସିଚି । ତାକୁ ଚାଲାଖିରେ ଛିଣିଯିବ ଏମତି ଏପର୍ଯ୍ୟନ୍ତ କାହାକୁ ମୁଁ ଦେଖିନାହିଁ । କିନ୍ତୁ ବଢ଼ିଆ ଦିଲ୍‌ଦାରିଆ ଲୋକଟାଏ । ଥରେ ଯାହାକୁ ମନ ଦେଇଥିବ, ତାକୁ ମଲା ପର୍ଯ୍ୟନ୍ତ ଭୁଲିବ ନାହିଁ । ଯାହା ମାଗିଲେ ତା ଦେଇଦେବ । ସବୁକାମକୁ ହିମ୍ମତ୍ ଯୋଗାଇବାକୁ ମୁଲଚାନ୍ଦ ସୋନ୍ଧି । ବାଃ ! ଏ ଝୋଳଟା ୱାଣ୍ତର୍‌ଫୁଲ ହେଇଚି ! କୁକୁଡ଼ାଟା ମଧ୍ୟ ମାଲ୍‍ଦାର । କୋଉଠୁ ଯୋଗାଡ଼ କରିନେଲ ବିମଳ ?"

 

କିଛି ନୀରବ ହସ

 

ହଠାତ୍‌ ପ୍ରଶ୍ନ ଶୁଭିଲା, "ଆଚ୍ଛା ବିମଳ ! ତୁମେ 'ଟୁର୍‍'ରେ ଗଲେ ଘରେ କିଛି ବ୍ୟବସ୍ଥା କରିଦେଇ ଯାଅନା ନାହିଁ ?"

 

‘‘ମାନେ, ମୁଁ ବୁଝିପାରିଲି ନାହିଁ । ବ୍ୟବସ୍ଥା କ'ଣ କିଛି କରିବାର ଥାଏ ନା କ'ଣ ? ମୁଁ ଭାବେ ରୋଜି ତ ରହୁଛନ୍ତି ଟିକିଏ ନିଛାଟିଆ ତାକୁ ହୁଏତ ଲାଗୁଥାଇପାରେ; ମାତ୍ର ସେ ବେଶ୍‌ ସାହସୀ ବୋଲି ପ୍ରମାଣ ଦେଇସାରିଲେଣି ।"

 

ଉଭୟଙ୍କର ଆଖିରୁ ଜଣାଗଲା ଯେ ଟେବୁଲ ତଳେ ସେମାନେ ଚିମୁଟାଚିମୁଟି ହଉଛନ୍ତି-

 

"ମୁଁ ଏକୁଟିଆ ରହିବାକୁ ଆପତ୍ତି କରେ ନାହିଁ, କାରଣ ସେତିକିବେଳେ କେତେ ଖଣ୍ଡ ବଢ଼ିଆ ଉପନ୍ୟାସ ମୁଁ ପଢ଼ିପାରିଛି । ଖାଲି ଗୁଡ଼ାଏ ବୋରିଂ ଲାଗେ । ସାରା ଦିନ ପାଟି ଫିଟେଇବାକୁ ଉପାୟ ନାହିଁ ।"

 

"ତା ଠିକ୍ ! ଆପଣ ବୁଲାବୁଲି କରି ଯାଉଥିଲେ ହୁଏତ ଏତେଟା ବୋରିଂ ଲାଗନ୍ତା ନାହିଁ-।"

 

"ବୁଲିଯିବେ ? କୁଆଡ଼େ ? ଏଠି ବୁଲିଯିବାକୁ ଘର କାହିଁ ? ସେ ଯେଉଁ କ୍ୱାଟର୍ସଟା ଆପଣ ଆସିବା ବାଟରେ ପଡ଼ୁଛି ସେଠି ଜଣେ ଲେକଚରର୍‌ ମହୋଦୟ ରହନ୍ତି । ଯେତେବେଳେ ଦେଖିବ ସେ ତାଙ୍କ ଧନ୍ଦା ମଝିରେ ଚେକାମାରି ପଡ଼ିଛନ୍ତି । ମୁଁ ଥରେ ଦୁଇଥର ଯାଇ ବୋର ହୋଇ ଫେରିଲିଣି । ସେ ଭଦ୍ରଲୋକ ଏତେ ଲାଜକୁରା ଯେ ମୁହଁଟି ତଳକୁ ପୋତି କଥା କହନ୍ତି ସେ ଯେମିତି ଗୋଟିଏ ନୂଆବୋହୂ !’’

 

"ହା ହା ହା"

‘‘ଆଉ କିଛି ବ୍ୟବସ୍ଥା ଭଲା ବିମଳ କରିଦେଇ ଯାଆନ୍ତି ?’’

‘‘କି ବ୍ୟବସ୍ଥା, ଆଉ କିଛି ନାହିଁ ।’’

 

‘‘ମୁଁ ଦେଖୁଛି ମୋତେ ହିଁ ଆସି ସବୁ ଦେଖି-ଚାହିଁ ଯିବାକୁ ପଡ଼ିବ, ସୁବିଧା–ଅସୁବିଧା ବୁଝିବାକୁ ପଡ଼ିବ ?

 

‘‘ଏବେ ମତେ ବିଶେଷ ଟୁର୍‌ ପଡ଼ୁ ନାହିଁ । ପଡ଼ିଲେ ଦେଖିବା ।’’

 

‘‘ବିମଳ ! ମୁଁ ଦେଖୁଚି ତୁମେ ନିହାତି ଛୁଆ । ଇଂଞ୍ଜିନିୟର କାମ କରୁଚ । ଟୁର୍ ହେବ ନାଇଁ ତୁମ ପାଇଁ କ'ଣ ଆମ ପାଇଁ ହେବ ? ଆଜି ହୁଏତ ଷ୍ଟେସନ୍ କାମ ଚାଲିଛି; କାଲି ଫିଲ୍‍ଡ଼ ଡ୍ୟୁଟି ଆସିଯିବ ।"

 

‘‘ୟାଙ୍କର କ’ଣ ସେଥିପାଇଁ ଟିକିଏ ଖାତିରି ଅଛି ? ଜମିଦାର ସାଆନ୍ତଙ୍କର ମିଜାଜ୍ ସେଇ ରକମ । –ସବୁ ତା ମନକୁ ଚାଲିଥିବ । ତାଙ୍କ ଉପରକୁ କିଛି ଦାୟିତ୍ୱ ଆସିବ ନାହିଁ କି ତାଙ୍କ ପାଉଣାରୁ ଧାନେ ଊଣା ହେବ ନାହିଁ ।

 

‘‘ଆଦୌ ବିଶ୍ୱାସ କରିବେ ନାହିଁ ଜୟନ୍ତବାବୁ ! ସେସବୁ ମିଜାଜ୍‌ ମୋର ଆଦୌ ନାହିଁ: ବରଂ ପିଅନଟିକୁ ସାଙ୍ଗରେ ନ ନେଇ ଛାଡ଼ିଦେଇଯାଏ ବଜାର ସଉଦା ଆଣିଦେବାପାଇଁ । ଏ ଟୋକା ରହେ ରାନ୍ଧିବାକୁ । ଯାହା ଚାହିଁବେ ଆମ କରଜିଆ ଦୋକାନ ନିଜ ପାଖରେ ନଥିଲେ ସୁଦ୍ଧା ଯେଉଁଠୁ ହେଲେ ଯୋଗାଡ଼ କରି ଆଣି ପହଞ୍ଚେଇଦେବ । ଆଉ ଫେର୍ କ'ଣ ? ୟାପରେ ଆଉ କିଛି ବନ୍ଦୋବସ୍ତଯେ କରିବାକୁ ବାକିଥାଏ ବୋଲି ମୋର ଧାରଣା ନଥିଲା ।"

 

‘‘ଆଚ୍ଛା, ଆଚ୍ଛା, ମୁଁ ସବୁ କଥା ବୁଝିଗଲି । ଏସବୁ ପରେ ପ୍ରୟୋଜନ ନଥିଲା ପରି ଜଣାପଡ଼େ । ତେବେ ରୋଜି କାହିଁକି ବୋର ହେଉଛନ୍ତି କହିଲ, ଶୁଣେ ? ବୁଝିଲ ବିମଳ ! ମୁଁ ଖୁବ୍ ଷ୍ଟଡ଼ି କରିଛି ଏବଂ ଜାଣିଛି ଯେ ପର୍‍ସୋନାଲ୍ ଏଟେନ୍‍ସନ୍ ହେଉଛି ସବୁଠୁ ବଡ଼ କଥା । ଏଣିକି ମୁଁ ନିଜେ ସେ ଟିକକ ସେବା କରିଦେଉଥିବି ।"

 

ସମସ୍ତେ ଆମୋଦରେ ହସିଲେ ।

 

ହାତଧୋଇ ଟାୱେଲରେ ମୁହଁ ପୋଛିଲାବେଳକୁ ଜୟନ୍ତ ପୁଣି ପଚାରିଲା–ଆଚ୍ଛା ବିମଲ୍ ଏ ଟୋକା କ'ଣ ତୁମ ଗାଁର ? ବେଶ୍ ଚାଲାକ ଜଣାପଡ଼ୁଚି ଯେ !"

 

ଏକାସାଙ୍ଗରେ ରୋଜି ବିମଳ ହସିଉଠିଲେ ।

 

‘‘ତା ଅପେକ୍ଷା ଅଧିକ ବୋକା ଯେ ଈଶ୍ୱର-ସୃଷ୍ଟିରେ ସମ୍ଭବ ତା ମୁଁ କେବେ ଭାବି ନାହିଁ । ତା' ପାଖରେ ଆମର ଆଉ ବୁଦ୍ଧି ଖାଟୁନାହିଁ । ସେ କିଛି ବୁଝିପାରେ ନାହିଁ ବୋଲି ଆମେ ତାକୁ ଡାକୁ ଓଲା ।"

 

‘‘ଆଇ ସି ! କିରେ ଓଲା, ତୁ କିଛି ବୁଝିପାରୁନାହିଁ ?’

‘’ଆଜ୍ଞା !’’

‘‘ହାଃ, ହାଃ, ହାଃ !’’ ତିନୋଟି ହସର ସୁଅ ।

 

ସେଥିରୁ ଗୋଟିଏ କିନ୍ତୁ ଟିକିଏ ଧୂଆ ମିଶା ସାମାନ୍ୟ ଗହିରିଆ ଭଉଁରିଖିଆ । ଆର ଯୋଡ଼ିକ ସାଙ୍ଗରେ ମିଶୁଛି, ମିଶାଉଛି ଅଥଚ ମିଶୁନାହିଁ ।

 

‘‘ଥେଙ୍କ ୟୁ ଭେରି ମଚ୍‌ ! ଅଶେଷ ଧନ୍ୟବାଦ । ମୁଁ ତା’ ହେଲେ ଆସୁଛି !’’ –ରୋଜି ଆଡ଼କୁ ଚାହିଁ–‘‘କିଛି ତ ପୁଣି ରୀତିମତ ଠକାମି କରିବାକୁ ପଡ଼ିବ ।’’

 

ରୋଜି ଆଉ ଥରେ ହସି ନମସ୍କାର ଜଣାଇଲା ।

 

ଗାଡ଼ି ରାସ୍ତା ଉପରେ ପହରି ଗଲା ବେଳେ ଡାହାଣ ହାତର ଘଣ୍ଟା ଓ ସିଗ୍ରେଟ୍‌ ପୋଷା ସାପର ଫଣାଟିଏ ପରି ଟା' ଟା' କରୁଥାଏ । ଭିତରୁ କଳା ଚଷମା ତଳେ ଖୁବ୍‌ ସଫା ହସରୁ ଗାରେ ଝଲଝଲ ଦିଶୁଥାଏ ।

 

ଜୟରାମଙ୍କ ସିଗ୍ରେଟ୍‌ଖିଆ ଏ ଭିତରେ ଟିକିଏ ବଢ଼ି ଯାଇଚି । କାଲୁ ଦୁଇଓଳି ମୁଣ୍ଡି ଗୋଟେଇ ଝାଡ଼ୁ କଲାବେଳେ ଭାବେ ଯେ ତା' ବାବୁଟା ବୋଧହୁଏ ଖୁବ୍‌ ହାଲିଯାଇଚି–ନହେଲେ ଗୁଡ଼ାଏ ଧୂଆଁ କାହିଁକି ପିଅନ୍ତା ?

 

ଦିନରାତି ଜୟରାମ କେବଳ ବହିରେ ମୁହଁ ଲଗେଇ ପଢ଼ୁଥିବା ଦେଖି ସେ ଭାବେ ଯେ ବାବୁଟା ପାଠୁଆ ! ଚାକିରି ଛାଡ଼ିଦେଇ ଏ ବୟସରେ ଏକୁଟିଆ ଏମିତି ପଢ଼ୁଚି କାହିଁକି ? କ'ଣ ଖୋଜୁଚି ସେ ଥାକ ଥାକ ବହି ଭିତରୁ ?

 

ଟିଫିନ୍‌ କେରିଅରରେ ଅଧେ ଲେଖା ସବୁଦିନ ବଳକା ଭାତ; ବାବୁ ଖାଉନାହିଁ । ଦେହ ଅଧେ ଝଡ଼ି କଣ୍ଟା ହେଲାଣି । କାହିଁକି ସେ ଏମିତି ଅନ୍ନ ଛାଡ଼ିଦେଉଛି ?

 

ବାବୁକୁ ତ କେବେ ଉପରେ ପଡ଼ି କିଛି କହିନାହିଁ କାଲୁ । ତଥାପି ସେ ଆଉ ସମ୍ଭାଳି ନପାରି ପଚାରିଦେଲା-"ତୁମ ଦିହ ଆଉ ଆଗ ପରି ଭଲ ରହୁନାହିଁ ବାବୁ ! ତୁମେ ଭାତ ଖାଉନାହଁ କାହିଁକି ? ସେ ନନା-ଦୋକାନଟା ଭଲ ଖାଇବାକୁ ଦଉନାହିଁ, ଯଦି ଆଉ କାହାଠୁ ବଦଳେଇ ଆଣିବା ?"

 

ସିଗାରେଟ୍‌ ଟାଣି ଜୟରାମ କାଲୁକୁ ଚାହିଁଲେ । ଦୁର୍ବଳ ବୁଢ଼ାଟାଏ । ବଞ୍ଚିବା କ'ଣ ଜାଣିବା ଆଗରୁ ପ୍ରସ୍ତୁତ ହୋଇସାରିଲାଣି ଆରପାରି ପାଇଁ । ଭଲକରି ଗଣ୍ଡେ ପେଟପୂରା ଖାଇନାହିଁ; ଭଲ ଖଣ୍ଡେ ପିନ୍ଧିନାହିଁ । କ'ଣ ନା, ତା' ଜୀବନଟା ସରିଗଲା ! ଊଣା ସମୟ ବି ନୁହେଁ । ପଚାଶ ପଚାଶ ବର୍ଷ ଧରି ସେ ଗୋଟାଏ ଲାଞ୍ଚଖୋର, ଜୁଆଚୋର, କୁକୁରିଆ ସମାଜରେ ଅଧେ ଦିନ ଉପାସରେ ରହି ରହି ମରିଯିବ । ସେଥିରେ ପୁଣି ସେଇ ସମାଜକୁ ତା'ର କୃତଜ୍ଞତା ଜଣାଇବ; ଅନ୍ତତଃ ସେତିକି ହେଲେ ସେ ତାର ଦୟାରୁ ପାଇଛି ! ମନ୍ଦ ନୁହେଁ !

 

କହିଲେ, "ତୁ କାଲି ଖାଇଚୁ ? ତୋର ଭାତ ପାଳି କେବେ ?"

 

କାଲୁ ଟିକିଏ ହସିଲା । କହିଲା, "ମୋର କେବଳ ରବିବାର ଦିନଟା ଭାତ ପାଳି; ବାକି ଦିନତକ ରୁଟି ଚଟଣି ଖାଇ ପାଣିମୁନ୍ଦେ ପିଇଦିଏ । କାଲି ଖାଇଚି ଯେ ଚେମାଘର ଦାମୁଡ଼ିଟା ଆସି ଦି'ଖଣ୍ଡ ରୁଟି କବାଟ ସଂଧାରେ ମୁହଁ ଗଳେଇ ଖାଇଦେଲା । ତାକୁ ଚଟକଣିଟାଏ ଦେଲି କଷିକରି । ବାହାରେ ଆସି ତାକୁ କାଞ୍ଜିହାଉଦାକୁ ଘଉଡ଼ିବି କ'ଣ ତା' ରୂପ ଦେଖି ତା' ଆଡ଼କୁ ହାତ ଉଠିଲା ନାହିଁ । ଢଣା ପଶି ତା' ଦେହସାରା ଉକୁଟିଲା ପରି ହୋଇ ତା'ର ଆଉ ଗତି ନାହିଁ । ଧଇଁ ପେଲିଲାପରି ନିଃଶ୍ୱସ ନେଉଛି । କେତେବେଳେ ଆଖି ଖୋସିଦେବ ତା'ର ଠିକଣା ନାହିଁ । ମୁଁ ଗୁଡ଼ାଏ ଛି-ଛା ହେଲି–କାହିଁକି ଚଟକଣିଟାଏ ମାଇଲି ବୋଲି । ଯେଉଁ ଦି'ଖଣ୍ଡ ଭିଡ଼ିଆଣିଥିଲା ତାକୁ ବସି ଖୁଆଇଦେଲି । ମନ ଟିକିଏ ଭଲ ଲାଗିଲା-ଓଃ, ଗୋରୁ ଜନ୍ତୁ ତା' ପାଟି ଫିଟୁନାହିଁ ବୋଲି ସିନା-!"

 

‘ଇଡ଼ିଅଟ୍‌ !‘’’

‘‘ବାବୁ ?’’

‘ଆଜି ଭଲ ମାଂସ ଦେଖି ଦୁଇଟା ମିଲ୍‌ ଯା ନେଇଆସିବୁ !

‘‘ଦି’ଟା ?’’

 

ଧୂଆଁ ପଛଆଡ଼ୁ ଜୟରାମ କେବଳ ମୁଣ୍ଡ ଟୁଙ୍ଗାରିଲେ । କାଲୁ ଭାବିଲା, ଆଜି ଗୋଟାଏ କିଏ ପୁଣି ଭାତୁଆ ଆସି ପଡ଼ି ଖାଇଯିବ । ବାବୁଟାର ଘରସଂସାରକୁ ଆଉ ଲୋଭ ନାହିଁ । ଚାକିରି ଛାଡ଼ି ଏତେ ଖର୍ଚ୍ଚ କେତେ ଦିନ ଚଳିବ ? ବାରଜାତି ମଣିଷ ଆସି ବାର ପ୍ରକାର ଗପି ବାବୁଠଉ ଠକି ଖାଇଯାଉଛନ୍ତି, ସେ ମୋଟେ ଜାଣିପାରୁନାହିଁ ।

 

ଦାଣ୍ଡପିଣ୍ଡାରୁ ଶୁଭିଲା, "ଜୟରାମବାବୁ ଅଛନ୍ତି ?" ଉତ୍ତର ଅପେକ୍ଷା ନକରି ଭିତରକୁ ପଶିଆସିଲେ ଜଣେ ପ୍ରୌଢ଼ । ମୋଟା ମୋଟା ଚଷମା ଏବଂ ମୋଟା ବଗଡ଼ିଆ ଧୋତିଫତେଇ ଭିତରୁ ତାଙ୍କର ବେଶ୍ ଗୋଟାଏ ବ୍ୟକ୍ତିତ୍ୱ ଉତୁରି ଆସୁଛି । ଝୋଲାମୁଣାଟାକୁ କାନ୍ଥକୁ ଡେରି ଦେଇ ବଳକା ଚୌକି ଖଣ୍ଡକରେ ବସିଗଲେ ।

 

ଜୟରାମ ସିଗାରେଟ୍‌ରୁ ପାଉଁଶ ଝାଡ଼ି ବିଦ୍ୟାଧର ରାୟଙ୍କୁ ଅନେଇଲେ ଏବଂ ଆରାମଚୌକି ଉପରକୁ ଆସ୍ତେ ଆଉଜିଗଲେ ।

 

‘‘ଆପଣ ପଢ଼ୁଥିଲେ ବୋଧହୁଏ !’’

 

ଜୟରାମ କିଛି କହିଲେ ନାହିଁ, ଅନେଇ ରହିଲେ କୌଣସି ଗୋଟାଏ ଅନିଶ୍ଚିତ ଶୂନ୍ୟକୁ-

 

ଗୋଡ଼ ଉପରେ ଗୋଡ଼ ଥୋଇ ଗୋଟାଏ ଲମ୍ବା ପ୍ରବନ୍ଧର କ୍ରମଶଃ ଅଧ୍ୟାୟ ପରି ଭଦ୍ରଲୋକ ଆରମ୍ଭ କଲେ-"ଆପଣ ଯାହା କହନ୍ତୁ ଜୟରାମବାବୁ, ଦେଶର ଯାହା ପରିସ୍ଥିତି ହେଲାଣି ମୋର ମନେହେଉଛି ଯଦି ହଠାତ୍ ତାର କିଛି ବ୍ୟବସ୍ଥା କରାନଯାଏ, ଜାତି ଉଚ୍ଛନ୍ନ ହୋଇଯିବ । ଆଖିଆଗରେ ଜଳଜଳ ଦିଶୁଥିବ ବିକଟ ସତ୍ୟଟାକୁ ଆଉ ଏଣିକି ଅସ୍ୱୀକାର କରିବା ମୂର୍ଖତା । ମୋର ମନେହେଉଛି ଯେ ଆମ ଜୀବନର ମାନ-ବୈଷମ୍ୟ ପାଇଁ ଧନ-ବୈଷମ୍ୟ ଦାୟୀ ଏବଂ ଏଇ ଧନ-ବୈଷମ୍ୟ କ୍ଷମତା-ବୈଷମ୍ୟ ଉପରେ ନିର୍ଭର କରେ; ଯଦିଓ କ୍ଷମତା ଏଇ ଧନ ଉପରେ ହିଁ ତୋଳା ହୋଇ ସେଇ ଧନର କଳସରେ ହିଁ ମୁଣ୍ଡିମାରେ ।"

 

ଜୟରାମ ଅଳ୍ପ ହସିଲେ । ଏଇ କଥାଗୁଡ଼ାକ ଠିକ୍ ଏଇ ବାଗରେ ସେ ତାଙ୍କୁ ନିଜେ କହିଛନ୍ତି ଆଉ ଦିନେ । କହିଲେ–"ତାପରେ "

 

"ତା'ପରେ କେତେଗୁଡ଼ିଏ ଶଠ ଜୁଆଚୋର ଅଛନ୍ତି, ଯେଉଁମାନଙ୍କ ପାଇଁ କୌଣସି ନୈତିକ ଅର୍ଗଳ ନାହିଁ; ସର୍ବଗିଳା ହାରାମଜାଦାର ଦଳ । ଦେଶଟାକୁ ଲୁଟି ଖାଇଯାଉଛନ୍ତି ଦିନ ଦି'ପହରେ, ଅଥଚ କେହି କିଛି କହିପାରୁନାହାନ୍ତି; କେହି କିଛି କରିପାରୁନାହାନ୍ତି । ସାରା ପୃଥିବୀର ସବୁ ଛୋଟ ବଡ଼ ଦେଶ ଦୁଆରେ ଲାଉତୁମ୍ବା ଧରି ଆମେ ଭିଖ ମାଗିଆସିଲୁଣି । ତାକୁ ଆଣି ଏ ସଇତାନଦଳ ଶୋଷି ଖାଇଯାଉଛନ୍ତି । କେତୋଟି ବ୍ୟକ୍ତି କେବଳ ଜୋକ ପରି ଫୁଲୁଛନ୍ତି ସାରା ଦେଶର ଲହୁ ନିଗାଡ଼ି ନେଇ । ବନ୍ୟାରେ ଦେଶ ଭାସିଗଲା, ଆମେ ସମସ୍ତେ ପିଠିରୁ କାଟି ପୋଷାକ ଯୋଗାଇଲୁ; ତାକୁ ଉଇ ଖାଇଗଲେ–ବୁଝ୍‌ ବୁଝ୍‌ କ’ଣ ନା ଗାଣ୍ଠି ଗାଣ୍ଠି ହୋଇ ରାତିଅଧିଆ ନିଲାମ ହୋଇଗଲା । ଆମେ ପେଟରୁ କାଟି ଚୁଡ଼ା ଚାଉଳ ଦେଲୁ; ସେଇଟା ଶେଠର ଅମାରରେ ସାଇତା ହୋଇଗଲା । ଆମେ ଟଙ୍କା ଦେଲୁ; ତା' ପରିବର୍ତ୍ତେ ପାଇଲୁ କେତେଗୁଡ଼ିଏ ଅସହାୟ ଟିପଚିହ୍ନ । ଯେ ଭୋକରେ ମରିବା କଥା, ମରିଗଲା । ଯେ ଶୀତରେ ମରିବା କଥା, ମରିଗଲା । ଏ ନରହନ୍ତାଦଳ ନିଶରେ ଚିକ୍‍କଣ ମାରି କୋଠା ବାଡ଼େଇଲେ । ମୁଁ ତାଙ୍କୁ ଗୋଟି ଗୋଟି କରି ଫାଶୀକାଠରେ ଝୁଲେଇବି ଝୁଲେଇବି । ମୋ ସମାଜର ଏ ହିଂସ୍ରଜନ୍ତୁଗୁଡ଼ାଙ୍କୁ ଗୋଟି ଗୋଟି କରି ଗୁଳି ମାରି ଶୁଆଇଦେବି ।"

 

ଶେଷରେ ଦୁଇଟା ଚିତ୍କାରରେ ହାଲିଆ ଜଣାଗଲେ ବିଦ୍ୟାଧର ରାୟ । ତାଙ୍କ ମୁହଁ ରଙ୍ଗା ପଡ଼ିଗଲା । ହାଉଁ ହାଉଁ ଗୁଡ଼ାଏ କାଠ ହାଣିଦେଇଗଲେ ପବନ ତୋଳିଲା ପରି ନିଃଶ୍ୱାସ ବୋହିଲା । ସେ ନିଜକୁ ସଂଯତ କରି ଟିକିଏ କାନ୍ଥକୁ ଆଉଜି ବସିଚନ୍ତି, ଆଗପରି ଅବିଚଳିତ ସ୍ୱରରେ ଜୟରାମ ପଚାରିଲେ–‘‘ତା’ପରେ’’

 

"ତା'ପରେ କ'ଣ ଆଉ ? ଏଗୁଡ଼ାକ ଚାଲିଗଲେ ସମାଜ ପରିଷ୍କାର ହୋଇଯିବ, ସ୍ୱାଭାବିକ ହୋଇଯିବ ଜୀବନର ଧାରା । ଭଣ୍ଡାମି ଚାଲିଯିବ; ମିଥ୍ୟାଚାର, ଅନୈତିକତା ଦୂର ହେବ-। ମଣିଷ ମଣିଷ ପରି ବଞ୍ଚିବ । କେହି ଅନାହାରରେ ମରିବେ ନାହିଁ । କାହାରି କିଛି ଅଭାବ ରହିବ ନାହିଁ । ସତ୍ୟର ପ୍ରତିଷ୍ଠା ହେବ "

 

ଅତି ଅପ୍ରତ୍ୟାଶିତ ଭାବରେ ହୋ-ହୋ ହୋଇ ହସିଉଠିଲେ ଜୟରାମ । ବିଦ୍ୟାଧର ରାୟଙ୍କୁ ଟିକିଏ ଆହତ ଅପ୍ରତିଭ କରି ମଧ୍ୟ ଜୟରାମ ଅସମ୍ଭାଳ ହସିବାକୁ ଲାଗିଲେ ।

 

"ଆପଣଙ୍କର ସବୁବେଳେ ଗୋଟାଏ ସନ୍ଦେହୀ ମନ ! ଆପଣ ଏସବୁ ବିଶ୍ୱାସ କରିପାରୁନାହାନ୍ତି ବୋଲି ଏମିତି ହସିଲାଗିଛନ୍ତି । ଏଥିରେ କ'ଣ ଏମିତି ହୋ–ହୋ ହୋଇ ହସିବାର ଅଛି ? ଆପଣ ଜୟରାମବାବୁ ଅନେକ ସମୟରେ ଅପ୍ରାପ୍ତବୟସ୍କ ତରୁଣଭଳି ବ୍ୟବହାର କରିବସିଲେଣି ।’’

 

ଜୟରାମ ହଠାତ୍‌ ଗମ୍ଭୀର ହୋଇଗଲେ ।

 

"ଦେଖନ୍ତୁ ବିଦ୍ୟାଧରବାବୁ ! ଆପଣଙ୍କର ଏପରି ଗୁରୁତର ସନ୍ଦେହ କରିବାର କୌଣସି କାରଣ ନାହିଁ । ମୁଁ ଯେ ଆଦୌ ତରୁଣ ନୁହେଁ, ଏଇଟା ମୁଁ ନିଜେ ବେଶ୍ ଅନୁଭବ କରିପାରୁଛି । ମୁଁ ହସିଲି କେବଳ ଗୋଟିଏ କାରଣରୁ । ଆପଣ ଯେତେବେଳେ କଥା କହିବା ଆରମ୍ଭ କଲେ, ମୁଁ ବୁଝିଗଲି ତା'ର ବାଗ । ମେଣ୍ଢାଧାଡ଼ି ପରି ଗୋଟିଏ ପରେ ଆଉ ଗୋଟିଏ କଥା ଗଡ଼ିଆସିଲା ପୁରୁଣା ଅଭ୍ୟାସରୁ । ମୁଁ ଭାବିଲି, ଦେଖାଯାଉ ଏ ନଳୀର ଲମ୍ବ କେତେ; କେଉଁଠି ଛିଡ଼ିବ ଏ ସୁଡ଼ଙ୍ଗ-। ଦେଖିଲି, ଅଳ୍ପ ସମୟ ପରେ ଆଲୁଅ ଦିଶିଗଲା ଏବଂ ଭୁସ୍‍କିନା ବାହାରିଆସିଲା 'ସତ୍ୟ' ! ମୁଁ ଜମା ତା ପାଇଁ ପ୍ରସ୍ତୁତ ନଥିଲି; ଏଣୁ ହସମାଡ଼ିଲା ।"

 

ବିଦ୍ୟାଧର ନିଜେ ଦି' ଝଲକା ହସିନେଲେ । ଜୟରାମ ସେଇଭଳି ଗମ୍ଭୀର ।

 

"ଭାବିଲି, ହାୟ ରେ ବିଚରା ସତ୍ୟ ! ତୋତେ ଖୋଜି ଖୋଜି ମଣିଷ ଯୁଗ–ଯୁଗଧରି ବାୟା ହୋଇଗଲା, ତୁ ଆସି ବିଦ୍ୟାଧର ରାୟଙ୍କ ଝୋଲା ଭିତରେ ପୋଷା କୁକୁରଛୁଆ ପରି ଏମିତି ଲୁଚିବସିଛୁ ? ଡାକିଲେ କରୁଛୁ ଭୋ !! ଯେତେବେଳେ ତାକୁ ଚାହିଁ ହସିଲି ମୋତେ ଦିଶିଲା ଆଖି ଡ଼ିମା ଡ଼ିମା କରି ଚାହିଁଥିବା କୁକୁରଛୁଆଟିଏ କେବଳ । ସତ୍ୟ ସେଥିରେ କାହୁଁ ଆସିଲା ? ତାକୁ ସତ୍ୟ ବୋଲି ଡାକିଲେ ଅବଶ୍ୟ ତା ତରଫରୁ କିଛି ଆପତ୍ତି ନାହିଁ ।"

 

"ଆପଣ ଏମିତି ପରିହାସ କରିବା ଅପେକ୍ଷା ଆପଣଙ୍କ ମତାମତ ଦେଲେ ବୋଧହୁଏ ଭଲହୁଅନ୍ତା !’’

 

"ଆପଣ ମତ ଶୁଣିବେ ? ଶୁଣନ୍ତୁ । ଆପଣ ଯେଉଁ ଲମ୍ବା ତାଲିକାଟିଏ ପ୍ରସ୍ତୁତ କରିଛନ୍ତି, ତା'ର ମୌଳିକ ପ୍ରତିକ୍ରିୟାଗୁଡ଼ିକ ବେଶ୍ ଆନ୍ତରିକ । ନିଜ ଜୀବନର କେତେଗୁଡ଼ିଏ ଘଟଣାକୁ କେନ୍ଦ୍ର କରି ଆପଣଙ୍କର ବିଶ୍ୱାସ ହୋଇଯାଇଛି ଯେ ସାରା ସଂସାରର ମୂଲ୍ୟବୋଧ ଘୁଞ୍ଚିଯାଇଛି ।"

 

"ଅନ୍ୟମାନେ ମଧ୍ୟ ସେଇଆ କହୁଚନ୍ତି । ଏଥିରେ ତ କୌଣସି ମତ ପାର୍ଥକ୍ୟ ନାହିଁ "

 

"ମୁଁ କ'ଣ ସେକଥା କେବେ କହୁଛି ? ଆପଣଙ୍କ ଭଳି ଯେଉଁ କେତେ ଜଣ କିଛି ବାଟ ସୁଅ କାଟି ଆସିଲେଣି ସେମାନେ ବୁଝିଛନ୍ତି ଯେ କ'ଣ ଗୋଟାଏ ପରିବର୍ତ୍ତନ ହୋଇଗଲା । ଏଇଟା ବୋଧହୁଏ ଆପଣଙ୍କର ବା ଏ ଯୁଗର କୌଣସି ବିଶିଷ୍ଟ ଧର୍ମ ନୁହେଁ । ଏହା ଇତିହାସର ଏକ ସବୁଦିନିଆ ସ୍ୱର । ଅର୍ଥ-ଚିନ୍ତା କରୁଥିବା ଲୋକଙ୍କୁ ଦିଶେ–ସବୁ ଦୁର୍ମୂଲ୍ୟ ହୋଇଗଲା, ଆଉ ବଞ୍ଚିବା କଷ୍ଟ । ନୀତିବାଦୀ ଲୋକଙ୍କୁ ଦିଶେ–ସାରା ଜାତିର ଅଧଃପତନ ହୋଇଗଲା; ଆଉ ନର୍କରେ ସ୍ଥାନ ହେବ ନାହିଁ । ସବୁବେଳେ ଜଣକ ଦୃଷ୍ଟି ଭଙ୍ଗୀରୁ ସଂସାର ଗୋଟାଏ ପ୍ରକାର ଦିଶିବ ହିଁ ଦିଶିବ ।"

 

"ଆପଣ କଣ ଶେଷରେ ସବୁ 'ମାୟା' ବୋଲି କହିବାକୁ ଚେଷ୍ଟା କରୁଛନ୍ତି କି ?"

 

"ଜାଣି ଖୁସି ହେଲି ଯେ ଆପଣ ମୋ ଅବସ୍ଥାରେ ଥିଲେ ଏଇ ପ୍ରସଙ୍ଗରେ ସେପରି ଚେଷ୍ଟା କରିଥାନ୍ତେ; ମୁଁ କିନ୍ତୁ ତାହା କରୁନାହିଁ । ମୁଁ ଚାହୁଁଛି ଦେଖେଇବାକୁ ଯେ ଆପଣଙ୍କର ହତାଶା ଭାବ ହୁଏତ ସମସ୍ତଙ୍କର ନାହିଁ । ଆପଣଙ୍କର ଚିନ୍ତା ସାର୍ବଜନୀନ ନୁହେଁ । ଏପରି ବହୁଲୋକ ନିଶ୍ଚୟ ଅଛନ୍ତି, ଯେଉଁମାନେ ହୁଏତ ଏପରି କିଛି ହୋଇଯାଇଛି ବୋଲି ଜାଣନ୍ତି ନାହିଁ ବା ଜାଣିଲେ ମଧ୍ୟ ବେଶ୍ ଖୁସି ଅଛନ୍ତି । ଆପଣଙ୍କର ଆକ୍ରୋଶ ସେଇମାନଙ୍କ ଉପରେ; କାରଣ ଆପଣଙ୍କ ମତରେ ସେମାନେ ସବୁ ବିଧର୍ମୀ, ସେମାନେ ଅସାମାଜିକ, ସେମାନେ ଆପଣଙ୍କର ତଣ୍ଟି କଣା କରି ରକ୍ତ ଶୋଷୁଛନ୍ତି ।"

 

"ଆପଣଙ୍କର ମତ କ'ଣ ସେଇଆ ନୁହେଁ ?"

 

"ଠିକ୍ ସେଇଆ ନୁହେଁ । ଯେ ବର୍ତ୍ତମାନ ଜୀବନର ମାନକୁ ସ୍ୱାଭାବିକ ଗ୍ରହଣ କରି ଖୁସି ରହିପାରୁଛି, ମୁଁ ତାକୁ ଅସାମାଜିକ ବୋଲି କହେ ନାହିଁ । ବରଂ ଆପଣ ଯାହାଙ୍କୁ ସବୁ ଦଗାବାଜ, ଜାଲୁଆ, ଜୁଆଚୋର ବୋଲି କହନ୍ତି, ସେମାନେ ଏ ସନ୍ତୁଷ୍ଟଗୋଷ୍ଠୀରେ ବଳେ ଆସିଯାଉଛନ୍ତି । ଉଭୟ କ୍ଷେତ୍ରରେ କିନ୍ତୁ କାରଣ ସମାନ ନୁହେଁ ।"

 

"ମୁଁ କିନ୍ତୁ ଦେଖିପାରୁଛି ଯେ ସେ ସମସ୍ତେ ସନ୍ତୁଷ୍ଟ ରହିବାର ଏକମାତ୍ର କାରଣ ହେଲା ସେମାନେ ଗୋଡ଼ ଉପରେ ଗୋଡ଼ ଥୋଇ ଖାଇ–ପିନ୍ଧି ପାରୁଛନ୍ତି । ପେଟରେ ନିଆଁ ଜଳିଲେ, ସେମାନେ 'ହ।–ଅନ୍ନ' ଚିତ୍କାର କଲାବେଳେ ସନ୍ତୋଷ କ'ଣ ଛାତବାଟେ ତାଙ୍କ ଉପରେ ଅଜାଡ଼ି ହୁଅନ୍ତା ? ଲାଞ୍ଚ ଜୁଆଚୋରୀରେ ଯେଉଁମାନେ ସରୁ ଚାଉଳ, ଘିଅ, ଭାକୁରମୁଣ୍ଡ ଖାଇଜାଣିଲେଣି, ସେମାନେ ତ ନିଶ୍ଚୟ କହିବେ ଯେ ଏବେ ରାମରାଜ୍ୟ ଚାଲିଛି । ସେମାନେ ଏହାର ଜୟଜୟକାର ଗାଇବେ ।’’ ଯେ ଦିନସାରା ପରିଶ୍ରମ କରି ବେଳଲେଉଟାଣି ଏକଓଳିଆ ପଖାଳ ଖାଏ, ତା'ର କାଲି ପାଇଁ ବ୍ୟବସ୍ଥା ନଥିଲେ ମଧ୍ୟ ସେ ଯେ ସନ୍ତୁଷ୍ଟ, ଏଥିରେ ସନ୍ଦେହ ନାହିଁ । ତାକୁ ଟିହେଇ ଅସନ୍ତୁଷ୍ଟ କରିବେ ଆପଣମାନେ । ସାରା ଜାତିର ଅସନ୍ତୋଷଭାର ସତେ ଯେମିତି ଆପଣଙ୍କ ଗୋଷ୍ଠୀଟା ଉପରେ ନଦିହେଇଛି ! ଆପଣ ଅସନ୍ତୁଷ୍ଟ ହେବାର କାରଣ ନୁହେଁ ଯେ ଆପଣଙ୍କ ଦେଶରେ ଅଧେରୁ ଅଧିକ ଓଳିଏ ଉପାସ ରହନ୍ତି । ଅସନ୍ତୋଷର କାରଣ ହେଲା–ଆପଣଙ୍କଠାରୁ ଅନେକ ଗୁଣରେ ଗୁଡ଼ିଏ ନ୍ୟୂନ ଲୋକ କାହିଁକି ଖାଇପିଇ ସୁଖରେ ରହିଛନ୍ତି ! ଏଣୁ ଏ ଅସନ୍ତୋଷ ପଛରେ ଗୋଟାଏ ପ୍ରକାର ହୀନମନ୍ୟତା, ଈର୍ଷା, ଅସହନଶୀଳତା କାର୍ଯ୍ୟ କରୁଛି । ଆପଣମାନଙ୍କ ଭିତରୁ ଶହେରୁ ସତୁରିକୁ ସୁବିଧା-ସୁଯୋଗ ମିଳିଲେ ସେଇ ଲାଞ୍ଚମିଛରେ ଗଣ୍ଡି ଫୁଲେଇବେ; ସବୁ ଅସନ୍ତୋଷ ନିମେଷକରେ କୁଆଡ଼େ ଉଭେଇଯିବ ।"

 

"ଆପଣ ଚିରଦିନ ସେଇ ରକ୍ଷଣଶୀଳ ସଂପ୍ରଦାୟର ହିଁ ରହିଗଲେ ଜୟରାମବାବୁ ! କୌଣସି ବୈପ୍ଳବିକ ଚିନ୍ତା ଗ୍ରହଣ କରିବାକୁ ଆପଣଙ୍କର ସାହସ ନାହିଁ । ଆପଣଙ୍କର ବର୍ତ୍ତମାନ ପରିସ୍ଥିତି ମଧ୍ୟ ଆପଣଙ୍କୁ ଯଦି କିଛି ଶିକ୍ଷା ଦେଇ ନ ପାରିଲା, ତେବେ ଆମେ ଲାଗିଲେ କ'ଣ ହୋଇପାରିବ ?"

 

"ମୁଁ ରକ୍ଷଣଶୀଳ ନୁହେଁ-ସାମାନ୍ୟ ବିଚାରଶୀଳ କେବଳ । ନିର୍ବିଚାର କୌଣସି ସୁଅରେ ଭାସିଯିବା ମୋର ଧର୍ମ ନୁହେଁ । ଏଣୁ ମୁଁ ପ୍ରାୟ ପ୍ରତିରୋଧ କରେ, ସ୍ରୋତରେ ବେଗ ପରୀକ୍ଷା କରେ, ଦିଗ ପରୀକ୍ଷା କରେ । ଯଦି ତାହା ଦିଶେ ରକ୍ଷଣଶୀଳ ପରି, ସେଥିରେ ମୋର ଭାବିବାର କିଛି ନାହିଁ । ଅବଶ୍ୟ ଜାଣିଶୁଣି କାହାକୁ ବିରୋଧ କରିବା ମୋର ଅଭ୍ୟାସ ନୁହେଁ । ଆପଣ ମୋର ମତାମତ ଚାହିଁବାରୁ ମୁଁ ଦି'ପଦ କହିବାକୁ ବାଧ୍ୟ ହେଲି ।"

 

‘‘କୁହନ୍ତୁ ନା ! ଆପଣଙ୍କ ଦୃଷ୍ଟି ଭଙ୍ଗୀଟା ବେଶ୍‌ ଇଣ୍ଟରେଷ୍ଟିଂ । ତା'ହେଲେ ଆପଣଙ୍କ ମତରେ ଆମେ ସବୁ ସୁବିଧା–ସୁଯୋଗ ପାଇନାହୁଁ ବୋଲି ଅସନ୍ତୁଷ୍ଟ ଅଛୁ; ମନ ଭିତରେ କିନ୍ତୁ ଲାଞ୍ଚ ଜୁଆଚୋରୀ ପାଇଁ କୌଣସି ବିରୋଧ ନାହିଁ ।"

 

‘‘ବାଆସ୍‌ ! କୌଣସି ନୀତି ବା ପଦ୍ଧତିକୁ ମଧ୍ୟ ଆପଣ ବିରୋଧ କରନ୍ତି ନାହିଁ । କେତେ ଟି ବ୍ୟକ୍ତି ଆପଣଙ୍କ ଆଖିରେ ନାଚୁଛନ୍ତି । ତାଙ୍କୁ ହିଁ କେନ୍ଦ୍ର କରି ଆପଣଙ୍କର ସବୁ ଆକ୍ରୋଶ ଏବଂ ଅସନ୍ତୋଷର ଅଗ୍ନି ବାଣ । ଏଣୁ ସେ ବ୍ୟକ୍ତିଗୁଡ଼ାକ ଯେଉଁ ପଦ୍ଧତିରେ ପୋଷିପାଳି ହେଉଛନ୍ତି ବୋଲି ଆପଣଙ୍କର ଧାରଣା, ତାକୁ ଆପଣ ଅଗତ୍ୟା ବିରୋଧ କରୁଛନ୍ତି ବୋଲି ପ୍ରଚାର ଚାଲିଛି ମାତ୍ର । ଆପଣ ବୋଲି କହିଲାବେଳେ ଅବଶ୍ୟ ମୁଁ ବିଦ୍ୟାଧର ରାୟଙ୍କୁ ଲକ୍ଷ୍ୟ କରି କହୁନାହିଁ ।"

 

"ଓହୋ, ମୁଁ ବୁଝିଗଲି । ମାନେ, ଆପଣ ଯାହା କହୁଛନ୍ତି ତା' ଯେ ମୋଟଉପରେ ସତ ନୁହେଁ, ଏକଥା ମୁଁ କହୁନାହିଁ । କିନ୍ତୁ ପଦ୍ଧତିକୁ ଖୋଜି ତ ବିନାଶ କରିହୁଏ ନାହିଁ । ସେଇ ପଦ୍ଧତିକୁ ମୁକୁଟ କରି ଯେଉଁମାନେ ପିନ୍ଧିବୁଲନ୍ତି ସେମାନଙ୍କୁ ହିଁ ବିନାଶ କରିବାକୁ ହେବ । ମୋର ବିଶ୍ୱାସ ଯେ ଏ ବ୍ୟକ୍ତିଗୁଡ଼ିକଙ୍କଠାରୁ ତାଙ୍କ ପଦ୍ଧତି ଭିନ୍ନ ନୁହେ । ତେଣୁ ଏଗୁଡ଼ିକୁ ରୋଗା କୁକୁର ପରି ବାଡ଼େଇ ମାରିଦେଲେ ସମାଜର ସ୍ୱାସ୍ଥ୍ୟ ପ୍ରତିଷ୍ଠା ହୋଇଯିବ ।"

 

"ଧରନ୍ତୁ ବା ଆପଣଙ୍କର ବୁଝାମଣାଟା ହିଁ ଠିକ୍‌ । କିନ୍ତୁ ଏ କଥା କହିବା କଠିନ ଆଗ ଇଟା ନା ଆଗ ଖୋପ । ଆଗ ମିଥ୍ୟାଚାର ଥିଲା; ଏମାନେ ତାକୁ ଆଦରିଗଲେ ତାଙ୍କୁ ସୁହାଇଲା ବୋଲି ନା ଏମାନଙ୍କ ପରି ଦଳେ ସର୍ବପ୍ରଥମେ ମିଥ୍ୟାର ପ୍ରଚାର କଲେ ? ମୋ ମତରେ ମିଥ୍ୟା ମଣିଷ-ଚରିତ୍ରର ଏକ ଆଦିମ ସତ୍ୟ । ଆମ ସମସ୍ତଙ୍କ ଭିତରେ ସେ ଅଛି । ତାକୁ ନାନାପ୍ରକାର ପଲସ୍ତରା ମାରି ଘୋଡ଼େଇ ଦେଇପାରିଲେ ଆମେ ହେଲୁ ସଚ୍ଚୋଟ । କିନ୍ତୁ ଘୋଡ଼େଇ ନପାରି ଯଦି ଏଠିସେଠି ତା'ର ଲୋମଶ ହାତଟାଏ ବା ହଳଦିଆ ମହକିଆ ଦାନ୍ତଗୁଡ଼ାଏ ଦିଶିଗଲା, ଆମେ ଚିତ୍କାର କରୁ 'ମାର୍ ମାର୍' । ମୋ କହିବାର ଅର୍ଥ ହେଲା, କିଏ କାହାକୁ ମାରିବ ? ଅଳ୍ପ ବହୁତ ସମସ୍ତଙ୍କର ଯଦି ଏ ଗୁଣଟି ଅଛି, ଆମେ ପରସ୍ପରକୁ ବିଚାର କରିପାରିବା କି ? ସେ ଅଧିକାର ଦେଲା କିଏ ?"

 

"ଏସବୁ ଯୁକ୍ତି ଆମେ ଶୁଣି ଶୁଣି ବୁଢ଼ା ହେଲୁଣି । ରକ୍ଷଣଶୀଳଙ୍କ ଯୁକ୍ତି ଯୁଗ-ଯୁଗଧରି ଅନ୍ୟମାନଙ୍କୁ ନିଷ୍କ୍ରିୟ କରିଦେଇ ଆମ ଭିତରୁ ନିଆଁ ଟିକୁ ଲିଭାଇଦିଏ । ନାନାପ୍ରକାର ବିଦ୍ୟାର ଅଟ ଟୋପ ସେମାନଙ୍କ ଅସ୍ତ୍ର । ସମସ୍ତଙ୍କ ଭିତରେ ମିଥ୍ୟାଚାର ଦେଖେଇ ଦେଇପାରିଲେ ତାଙ୍କୁ ସୁବିଧା ମିଳିଗଲା ଯାହା ଇଚ୍ଛା ତାହା କରିବାକୁ । କେହି ତାଙ୍କର ବିରୋଧ ମଧ୍ୟ କରିପାରିବ ନାହିଁ । ତେଣିକି ଚାଲିଲା ବିଳାସର ଗାଡ଼ି । ଆଗ ତାଙ୍କ ତଣ୍ଟି କାମୁଡ଼ି ଝିଙ୍କି ଆଣିଲା ପରେ ତାଙ୍କ ସାଙ୍ଗେ ଅନ୍ୟ କଥାବାର୍ତ୍ତା । ଆମେ ହିଁ ତାଙ୍କୁ ବିଚାର କରିବୁ ଅବଶ୍ୟ କରିବୁ । ମିଥ୍ୟା ଆମ ପାଖରେ ଥିଲେ ଥିଲା-। ଆମେ ତ ଖାଇବାକୁ ପାଉନାହୁଁ–ଆମେ ତାଙ୍କୁ ସେଇ ଅଧିକାରରେ ବିଚାର କରିବୁ ଏବଂ ମାରିବୁ-

 

"ତାହେଲେ ଆପଣ କାହିଁକି ପ୍ରଚାର କରୁଛନ୍ତି ଯେ ସତ୍ୟର ପ୍ରତିଷ୍ଠା ହେବ । ଆପଣ କେତେ ଜଣକୁ ମାରି ତାଙ୍କ ସମ୍ପତ୍ତି ଲୁଟି ଆଣି ନିଜେ ଖାଇବେ । ସେମାନେ ଆଉ କ'ଣ ଅଧିକ ପାପଟାଏ କରୁଛନ୍ତି କି ? –ବୁଝିଲେ ବିଦ୍ୟାଧରବାବୁ ! ଆପଣମାନଙ୍କର ଯୁକ୍ତି ବଡ଼ ଅଦ୍ଭୁତ । ଆପଣ ହୁଏତ କିଛି ଦିନ ପାଇଁ କେତେ ଜଣଙ୍କୁ ହତ୍ୟା କରି ତାଙ୍କର ଲୁଣ୍ଠିତ ସଂପତ୍ତିରେ ସ୍ୱୟଂ ବିଳାସ ଭୋଗ କିଛି କରିଯିବେ । ଆପଣଙ୍କର ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । କିନ୍ତୁ ସେତିକିରେ ଡିଙ୍ଗୁରା ବାଡ଼େଇ ଚାଲିଛନ୍ତି ଯେ ସାମ୍ୟ ପ୍ରତିଷ୍ଠା ହେବ, ସ୍ଵର୍ଗ ଖସିଆସି ଏଇଠି ବୁଣିହୋଇଯିବ । ମଣିଷଟା ମଧ୍ୟ ବଡ଼ ଅଦ୍ଭୁତ ଜନ୍ତୁଟାଏ ! ଏଣେ ବୁଡ଼ିଥିବ କାଦୁଅରେ; କିନ୍ତୁ ସତ୍ୟ ନାଁ ଶୁଣିଦେଲେ ତାକୁ ବିକଳରେ ଝାମ୍ପିବ । ବନ୍‍ଶି କଣ୍ଟାର ଅଗରେ ଏ 'ସତ୍ୟ' ନାରେ ଚାରା ଗୁଳାଏ ଖଞ୍ଜିଦେଲେ ପଟାପଟ୍‍ ଲୋକେ ତାକୁ ଗିଳିଯିବେ ।"

 

"ଓହୋ, ମାର ଗୁଲି ସତ୍ୟକୁ ! ସତ୍ୟ ଗୋଟିଏ କ'ଣ ? ଆପଣମାନେ ମିଶି ଆମକୁ ଶୁଆ ରଟେଇଲା ପରି ରଟେଇଦେଇଛନ୍ତି ବୋଲି ଆମ ତୁଣ୍ଡକୁ ସେଇଟା ଅଭ୍ୟାସରେ ଆସିଯାଉଛି ନା ନହେଲେ ଆମ ପାଇଁ ତା'ର କିଛି ଅର୍ଥ ନାହିଁ । ଆମେ ଚାହୁଁ, ଦୁଇଓଳି ମୁଠାଏ ଖାଇ ଖଣ୍ଡେ ପିନ୍ଧି ଚାଳିଘରେ ବଞ୍ଚିବାକୁ । ଏତକ ହୋଇଗଲେ ଆମେ ଆପଣଙ୍କ 'ସତ୍ୟ'ରେ ହସ୍ତକ୍ଷେପ କରିବୁ ନାହିଁ-। ଆପଣ ସେଥିରେ ଯେମିତି ଇଚ୍ଛା ହେଲା ବିଳାସ କରିପାରନ୍ତି ।"

 

‘‘ବାଆସ୍‌ ! ବାଆସ୍‌ ! ଏଇ କଥାଟା ଆପଣଙ୍କ ତୁଣ୍ତରୁ ଶୁଣିବା ପର୍ଯ୍ୟନ୍ତ ମୋର ଯୁକ୍ତି ଚାଲିଥିଲା ।’’ ଜୟରାମଙ୍କ ହସରେ ଉଶ୍ୱାସିଆ ବେପରୁଆ ଭାବ । ଯୁଦ୍ଧ କରି ଗୋଟାଏ ଆତ୍ମୀୟକୁ ମୁକୁଳେଇ ଆଣିଲା ଭଳି ଚେହେରା ।

 

"ମୁଁ ଦେଖୁଛି, ଆପଣଙ୍କୁ ଭରସା କରି କିଛି ଲାଭ ନାହିଁ । ଆପଣ କେବଳ ଗୁଡ଼ିଏ କଥା ବନେଇଚୁନେଇ କହିଜାଣୁଛନ୍ତି; କାରଣ ସେଗୁଡ଼ିକ ବହି-ଫହିରୁ ଯୋଗାଡ଼ କରି ରଖିଛନ୍ତି । କାମବେଳେ ହଲିଲା ପାଣିକୁ ଗୋଡ଼ ଦେବେ ବୋଲି ମୋର ବିଶ୍ୱାସ ହେଉ ନାହିଁ ।"

 

"ଆପଣଙ୍କ ଝଣ୍ଡା ଧରି ହନୁମନ୍ତ ଡିଆଁ ମାରିଲା ଭଳି କାମ ମୋଠାରୁ ଆଶା କରି ନପାରନ୍ତି ।"

 

ୟା' ପରେ ବିଦ୍ୟାଧର ରାୟଙ୍କ ସ୍ୱର ଖୁବ୍ ନରମ–"ନାଇଁ ଜୟରାମବାବୁ ! ତା' କ'ଣ ଗୋଟାଏ ଇଣ୍ଟେଲେକ୍‌ଚୁଏଲ୍ ପାଖରୁ ମୁଁ କେବେ ଆଶା କରିପାରେ ? ଆପଣ ଯେଉଁ ସ୍ତରର ଲୋକ, ସେଇ ସ୍ତରରେ କ'ଣ ଆଉ ରାମା ଶାମା କେଉଁ କାଳେ ପହଞ୍ଚିପାରିବେ ? ଆଚ୍ଛା, ଆପଣଙ୍କୁ ଯେଉଁ ଆର୍ଟିକଲ୍‌ ଖଣ୍ଡ ଲେଖିବାକୁ ସେ ଦିନ କହିଥିଲି ସେଇଟା ହେଲା କି ? ତା' ପାଇଁ ତାରିଖ ହୋଇଗଲା । କାଲି ସେ ଏଡ଼ିଟର୍ ଆଉ ଖଣ୍ଡେ ଚିଠି ଲେଖିଛି । ମୁଁ ଯେମିତି ଇଣ୍ଟ୍ରୋଡ଼କ୍‌ସନ୍‌ଟାଏ ଦେଇଛି ନା ଆପଣଙ୍କ ବିଷୟରେ, ତା'ର ଏମିତି ଆଗ୍ରହ ହେବା ସ୍ୱାଭାବିକ । ଆପଣଙ୍କ ଲେଖାକୁ ସେ ଚାହିଁବସିଛି ।"

 

ଜୟରାମ ଖଣ୍ଡେ ସିଗ୍ରେଟ୍‌ ଲଗେଇଲେ ।

 

ମୁହଁ ଉପରେ ଗୋଟାଏ ନିଆଁ ଜଳି ଲିଭିଯାଇଛି । ଏଇଟା ହିଁ ତାଙ୍କର ସ୍ୱାଭାବିକ ଅବସ୍ଥା-। ଏଥିରେ ବହୁ ଘମାଘୋଟ କ'ଣ ଗୁଡ଼ାଏ ହଲ୍ ଚଲ୍ ହେଲେ ସମାନ୍ୟ ଉଷ୍ମା ଭିତରେ ତାଙ୍କ ଚାଇଁଚାଇଁଆ, ଖୁରଧାର ପରି ଚମକୁଥିବା ଯୌବନର ଟିକିଏ ଝୁଲ ଚିକ୍‍କିନା ଦିଶି ଲିଭିଯାଏ । ତା'ଉପରେ ପୁଣି ଶୋଇଯାଏ ଅଜସ୍ର ଓଜନର ଭାର ଭାର ପାଉଁଶ ।

 

ବିଦ୍ୟାଧର ରାୟ ସେଦିନର ସେ ମିଟିଂ ଏବଂ ଶୋଭାଯାତ୍ରା ପରେ ବହୁବାର ତାଙ୍କୁ ଦେଖିଲେଣି । ଯେତେବେଳେ ସେ ଏଭଳି ନିବୁଜ ହୋଇଥାନ୍ତି ସେ ତାଙ୍କୁ ଦେଖାଯାନ୍ତି ଭାରି ଶୁଖିଲା, ଖୁବ୍ ଶୀର୍ଣ୍ଣ ଓ ଖୁବ କରୁଣ-ଏତେ କରୁଣ ଯେ ବିଦ୍ୟାଧର ରାୟଙ୍କୁ ସାହସ ହୁଏ ନାହିଁ ତାଙ୍କୁ କିଛି କହିବାକୁ । ତାଙ୍କ ଭିତରେ କିନ୍ତୁ ଜଳୁଥିବା ନିଆଁ ଶାଖା ମେଳିଯାଏ । ସେ ଭାବନ୍ତି, 'ଏପରି ଗୁଡ଼ାଏ ସରଳ ଅଥଚ ମାନନୀୟ ଲୋକଙ୍କୁ ପଞ୍ଝାଏ ପେଞ୍ଚୁଆ ତାଙ୍କ ଇଚ୍ଛା ଅନୁସାରେ ନାନା ଖଚ-ମିଛ କହି ଦୁର୍ଦ୍ଦଶାରେ ପକେଇଚାଲିଛନ୍ତି । କ'ଣ ନା ଏଇ ଲୋକଟା ଲାଞ୍ଚ ଖାଏ, ଏ ବୟସରେ ଆଉ ସବୁ ଅନୀତି କର୍ମ ମଧ୍ୟ କରେ ! ମୁଁ ତାକୁ ଚିହ୍ନି ନାହିଁ ? ଯଦି ସେ ଜୟନ୍ତ ପରିଡ଼ାର ଅନ୍ତ ଦୁହିଁ ମୁଁ ଦୁନିଆକୁ ଦେଖେଇ ନ ଦେଇଚି କୁମ୍ଭୀର ପାଣି ଭିତରେ ବୁଡ଼ି କ'ଣ ସବୁ ଗିଳେ, ତେବେ ଜାଣିବ ।'

 

ଜୟରାମଙ୍କୁ ନୀରବରେ ସିଗ୍ରେଟ୍‌ ଖଣ୍ଡେ ଟାଣିବାର ଦେଖି ବିଦ୍ୟାଧର ରାୟ ଉଠିବାର ଉପକ୍ରମ କଲେ । 'ଛାଡ଼ ! ଲୋକଟାଠାରୁ କାମ ଆଦାୟ କରିବା ଅପେକ୍ଷା ବରଂ ତା'ପାଇଁ କିଛି କାମ କଲେ ହୁଏ; କିନ୍ତୁ ଏଇଟା ଭିତରେ ଯାହା ମସଲା ଅଛି, ଯଦି ସେ ଥରେ ମାତ୍ର ପାଟି ଖୋଲିଦିଅନ୍ତା, ଏ ସହରରେ ସେଇ ଦିନ ନିଆଁ ଲାଗି ଯାଆନ୍ତା ! ଦେଖାଯାଉ' !

 

‘‘ବସନ୍ତୁ ! ଏତେ ସକାଳୁ ଯାଇ କ’ଣ କରିବେ ।’’ –ଗୋଟାଏ ଅଭ୍ୟସ୍ତ ସୁର୍ । ତାର ଅର୍ଥ, ଉଦ୍ଦେଶ୍ୟ କିଛି ନାହିଁ ।

 

ନ ଶୁଣିଲା ପରି ବିଦ୍ୟାଧର ରାୟ ଉଠିଲେ । ଜୟରାମ ପ୍ରତିବାଦ କଲେ ନାହିଁ ; କେବଳ କହିଲେ, "ବ୍ୟକ୍ତି ସାଙ୍ଗରେ ଲଢ଼ି ହୁଏ; ଜାତି ସାଙ୍ଗରେ ନୁହେ । ଗୋଟାଏ ଲୋକ ବଦଳି ଯାଇପାରେ; କିନ୍ତୁ ଗୋଟାଏ ଜାତିର ବା ଯୁଗର ବାଙ୍କ ମୋଡ଼ିଦେବା ସହଜ ନୁହେ । ଆପଣ ଶହେରେ ଦଶ୍ । ଯେଉଁମାନେ ନେବେ ତାଙ୍କ ସାଙ୍ଗରେ ଟକ୍‌କର ଦେବାର ଅର୍ଥ କଣ ? ଛୋଟ ଢେଉକୁ ବଡ଼ ଢେଉ ନିଶ୍ଚୟ ଗିଳିଦେବ ।"

 

ଏଇଟା ମଧ୍ୟ ନଶୁଣିଲା ପରି ବିଦ୍ୟାଧର ରାୟ ତାଙ୍କ ଗାନ୍ଧୀୟ ଚପ୍‌ପଲ୍‌ରେ ପାଦ ଗଳେଇଲେ ! "ଲାଭ କ୍ଷତି ପଛ କଥା । ଆଗ ତାକୁ ବୁଝେଇବାକୁ ହେବ ଯେ ଯେଉଁଗୁଡ଼ାଙ୍କୁ ସେ ଚକଟି ଚାଲୁଛନ୍ତି, ସେ ସବୁ ଦୂବଘାସ ନୁହନ୍ତି–ତାଙ୍କ ଭଳି ମଣିଷ ସେମାନେ । ସେମାନେ କାମୁଡ଼ିଲେ ମଧ୍ୟ ବିଷ ଧରେ । ଆଉ ସେମାନେ ଶହେରେ କଦାପି ଦଶ ନୁହନ୍ତି । ଦିଶନ୍ତି ସେପରି ଅପାରଗ, ଊଣାପଣିଆ ! ଏ ଅମଲା ଅଫିସର ଲାଞ୍ଚଖୋର, ଜୁଆଚୋର, କଳାବଜାରୀଙ୍କ ମେଣ୍ଟ ଭାଙ୍ଗି ତାଙ୍କୁ ଗୋଟି ଗୋଟି କରି ଭିଡ଼ିଆଣି ବତିଖୁଣ୍ଟରେ ନଝୁଲେଇଲେ ଆଉ ଶାନ୍ତି ନାହିଁ ।"

 

ଜୟରାମ ସାମାନ୍ୟ ହସିଲେ ବୋଧହୁଏ ।

 

କାଲୁ ଟିଫିନ୍‌ କେରିଅର୍‌ଟ। ଧରି ପଶିଆସିଲା । ‘ଓ ! ତାହେଲେ ଏଇ ପଟୁଆର ବୁଢ଼ା ଖାଇବା ପାଇଁ ଯୋଡ଼ାଏ ମିଲ୍ ବାବୁ ମଗେଇଲା’–ଭାବିଲା କାଲୁ ।

 

ବିଦ୍ୟାଧର ରାୟଙ୍କୁ କାଲୁ ପତାକା ପଟୁଆରରେ ବରାବର ଦେଖିଆସିଛି ଅନେକ ଦିନଧରି । ଭିଡ଼ ହେତୁରୁ ଗୁଡ଼ାଏ ରିକ୍‌ସା ଧାଡ଼ିବାନ୍ଧି ଅଟକିଯାନ୍ତି । ସେଇ ସମୟତକ କାଲୁ ୟାଙ୍କୁ ଆଉ ୟାଙ୍କ ପଛରେ ବୋବାଳି ଛାଡ଼ି ଚାଲିଥିବା ରକ୍ତମୁଖା ଲୋକଗୁଡ଼ାଙ୍କୁ ଦେଖିଛି । ତା' ଭିତରୁ ଅଧେ ପାଳି ଧରିପାରନ୍ତି ନାହିଁ, ଆଉ ଅଧେ ଗମାତିଆ ଟାପରାକରି ଚାଲିଥାନ୍ତି । ସେଗୁଡ଼ାକ ସବୁ ଟୋକା । କାଲୁ ଆଖିକୁ ଏଇଟା ଦିଶେ ଦୋମିଶା ଭଣ୍ଡୁର ଖେଳ ପରି । ସେ କିଛି ବୁଝିନପାରି ରିକ୍‌ସା କୁଦି ଚାଲିଯାଏ ।

 

ପ୍ରାୟ ଏକାବେଳକେ କାଲୁ ଭିତର ପିଣ୍ଡାରେ ଏବଂ ବିଦ୍ୟାଧର ରାୟ ବାହାର ପିଣ୍ଡାରେ ପହଞ୍ଚିଛନ୍ତି । କାଲୁ କହିଲା, "ନନା କହୁଥିଲା କ'ଣ ତମ ସାଙ୍ଗେ କଥା ହେବ ବୋଲି କ’ଣ ପଇସା କଥା ।" ହେବା କଥା । ବହୁ ପୁରୁଣା ସମସ୍ୟା ତାର ସମାଧାନ ଏ ଜୀବନରେ ବୋଧହୁଏ ନାହିଁ; କାରଣ କେବେହେଲେ ପାଖରେ ଯଥେଷ୍ଟ ପଇସା ନାହିଁ ।

 

ହଠାତ୍ ବିଦ୍ୟାଧର ରାୟ ପୁଣି ପଶିଆସିଲେ "ଗୋଟାଏ କଥା ଭୁଲିଗଲି । ସମ୍ପାଦକ ଲେଖିଛନ୍ତି ଯେ ତାଙ୍କ ପତ୍ରିକାର ନିୟମ ଅନୁସାରେ ଚିନ୍ତାମୂଳକ ପ୍ରବନ୍ଧ ପାଇଁ ପଚାଶଟି ଟଙ୍କା ଲେଖକଙ୍କ ସମ୍ମାନାର୍ଥେ ଦିଆଯାଏ । ସେଇଟା ପାରିଶ୍ରମିକ ନୁହେଁ ବା ଲେଖାର ଖରିଦ ମୂଲ୍ୟ ନୁହେଁ-। ଆପଣଙ୍କ ଲେଖାଟା ପାଇଁ ମୁଁ ଜବାବ ଦେଇସାରିଛି; ଆପଣ କଲମ ଧରିଲେ ହେଲା । ଆପଣ ସାଧାରଣତଃ ଯାହା ମୋ ପାଖରେ କହନ୍ତି, ତାକୁ ହିଁ ଲେଖିଦେଲେ ଯଥେଷ୍ଟ ।"

"କାଲି ଦେଲେ ଚଳିବ ?"

ବିଦ୍ୟାଧର ରାୟ ଚମକି ପଡ଼ିଲେ କି ହସିପକାଇଲେ କେଜାଣି, କୁହାଟିଲା ପରି କହିଲେ, "ଚଳିବ ମାନେ ଅଲବତ୍ ଚଳିବ, ଅଦ୍ଭୁତ ଭାବରେ ଚଳିବ । ଆପଣ ମୋତେ କାଲି ନହେଲେ ପଅର ଦିନ ଦିଅନ୍ତୁ ନା; ମୁଁ ବାକି ସବୁ ବୁଝିନେବି । ଅଶେଷ ଧନ୍ୟବାଦ ! ମୁଁ ତା'ହେଲେ ଆସୁଛି ଜୟରାମବାବୁ ! ଆଜି ସନ୍ଧ୍ୟାବେଳେ ଆମ ଆଡ଼େ ଆସନ୍ତୁ !"

"ନା, ମୁଁ ଆସିପାରୁନାହିଁ ।" –ସ୍ୱର ପ୍ରାୟ ରୁକ୍ଷ ।

ବିଦ୍ୟାଧର ରାୟ କିଛି ନକହି ଚାଲିଗଲେ ।

କାଲୁ କବାଟ ଉପରେ ଗୋଟାଏ ହାତରେ ଭରା ଦେଇ କହିଲା, "ମୁଁ ଦି'ଟା ମିଲ ନେଇଆସିଛି ଯେ ! ଏ ବାବୁ କ'ଣ ଚାଲିଯାଉଛନ୍ତି; ଆଉ ଥରେ ଆସିବେ ତ !"

"ସେ ବାବୁ କାହିଁକି ଆସିବେ ?" ଚିହିଁକି ଉଠିଲେ ଜୟରାମ । "ତୁ କ'ଣ ଏଡ଼ିକି ଓଲୁ ଯେ କିଛି ଜାଣିପାରୁନାହୁଁ ? ତୋତେ କହିବାକୁ ପଡ଼ିବ ଯେ ସେ ସବୁ ତୋର ? ତୋର ଭୋକ କ'ଣ ତତେ କିଛି କହେ ନାହିଁ ? ହତଭାଗା, ମୂର୍ଖ, ବୋକା, ମୁମୂର୍ଷ !"

ସିଗ୍ରେଟ୍‌ ଖଣ୍ଡ ଫିଙ୍ଗିଦେଇ, "ତୁ କାହିଁକି ନଖାଇବୁ ଯେ ! ତୁ କ'ଣ ମୋ'ଠୁ ବଳୁଆ ନୋହୁଁ ? ମୋତେ ଆଉ ମୋ ରିକ୍‌ସାକୁ ମିଶେଇ ପରା ଚକଟି ଗଡ଼େଇ ନେଇଯାଉ ମାଇଲ ! ମାଇଲ୍ ! ସେଥିରେ ପୁଣି ସାତ ଦିନରେ ଓଳିଏ ଭାତ ଖାଉ । ତୁ ମୋତେ ଧକ୍‍କା ଦେଇ ଆଡ଼େଇ ମୋ ହାତରୁ ଭିଡ଼ିନେଇ କାହିଁକି ନ ଖାଇବୁ ?"

କାଲୁ ଶଙ୍କି ଯାଇଥିଲା । ତା ମୁହଁରେ ଟୋପାଏ ରକ୍ତ ନଥାଏ । ଯେତେବେଳେ ସେ କହିଲା, "କେଡ଼େ କଥା କହିଲ ବାବୁ ! ମୁଁ ପୁଣି ତମଠୁ ଛଡ଼େଇ ଖାଇବି ! ବଡ଼ ଅଭାଗ୍ୟ କଥା ଏତେ ଦିନେ ମୋତେ ଶୁଣିବାକୁ ଥିଲା ବାବୁ ! ମୋର ଖାଇବା ଲୋଡ଼ା ନାହିଁ ।"

କାଲୁର ଶେଷ କଥାଟା ବେଶ୍ ଟାଣୁଆ । ତା ବିଶ୍ୱାସ ଉପରେ କାଲୁ ମଧ୍ୟ ବେଶ୍ ଜୋର ଲଗେଇପାରେ ।

ଜୟରାମ ହସିଲେ; "ବିଦ୍ୟାଧର ରାୟ ପୂରା ଭୁଲ ! ସେ ଏ ଦିଗଟା ବୁଝିନାହିଁ । ତା ପଟୁଆରରେ ଗୁଡ଼ାଏ ଓଲଟା ବୁଝିଲାବାଲା ଚାଲିଛନ୍ତି । ତାକୁ ଶୁଭୁଛି ସ୍ଳୋଗାନ–ଦିଶୁଚି ଝଣ୍ଡା ।"

ଏଥର ତାଙ୍କ ସ୍ୱର ଖୁବ୍ ସ୍ୱାଭାବିକ–ଭଙ୍ଗୀ ଖୁବ୍ ସ୍ୱାଭାବିକ ।

"ତୁ ଏଠି ଆଜି ଖାଇବୁ । ତୋର ଗୋଟାଏ ମିଲ୍, ମୋର ଗୋଟାଏ ମିଲ୍–ସାଙ୍ଗ ହେଇ ଖାଇବା ।"

କାଲୁ ନାହିଁ କରି ପାରିଲା ନାହିଁ । ମାଉଁସର ବାସ୍ନାଟା ଭାରି ସୁଆଦିଆ ଜଣାଯାଉଥିଲା । ତାକୁ ଭୋକ ଲାଗୁଚି ବୋଲି ସେ ବୁଝିପାରୁ ନଥିଲା ! ତା' ମନ କିନ୍ତୁ ଭାରି କଷ୍ଟ । ତା' ବାବୁଟା ଏମିତି ବାୟା ପରି ଗପୁଚି କାହିଁକି ? କେତେବେଳେ କ'ଣ ଗୁଡ଼ାଏ କହିପକୋଉଚି କାହିଁକି ? ଜୟରାମ ଅଳ୍ପ ସମୟ ଭିତରେ ଆର୍ଟିକଲ୍‌ ଲେଖା ଆରମ୍ଭ କରିଦେଇଥିଲେ ।

 

ରବି ଖୁବ୍‌ ତରବରରେ ଆଞ୍ଚେଇ ପକେଇ, ଓଦା ହାତରେ ମୁହଁ ପୋଛି ବାହାରିପଡ଼ିଲା । ବାଁକାନ୍ଧରେ ବସ୍ତାନି । ଆଜି ତା'ର ପରୀକ୍ଷା । ଘରୁ ବାହାରିଲା ବେଳକୁ ବାଁ ପାଖେ ପୂର୍ଣ୍ଣକୁମ୍ଭ ଦେଖି ଗଲେ ସବୁ ଶୁଭ ହେବ ବୋଲି ବାଞ୍ଛା ପୁରୁଣା ତାଲିମ ଅନୁସାରେ ଢାଳେ ପାଣିରେ ଖଣ୍ଡେ ଆମ୍ୱଡ଼ାଳକୁ ପୋତି ତା' ଉପରେ ଶୁଖିଲା ପଇଡ଼ଟାଏ ଥୋଇଦେଇଛି ।

 

ଛବିର କିନ୍ତୁ ଘଣ୍ଟେ ପରେ ସ୍କୁଲ । ତଥାପି ସେ ମଧ୍ୟ ବାଦ କରି ଦରସିଝା ତରକାରି ଆଉ ଦହି ସାଙ୍ଗରେ ନାକରେ କାନରେ ଭାତଗଣ୍ଡେ ଖାଇଦେଇ ରବି ପଛରେ ବାହାରିପଡ଼ିଛି । ରବିର ପରୀକ୍ଷା–ତା'ର କିଛି ନାହିଁ; ହେଲେ କ'ଣ ହେଲା ? ସେ ସବୁଦିନ ପରି ସାଙ୍ଗ ହୋଇ ଯିବେ ସିନେମା ଛକ ପର୍ଯ୍ୟନ୍ତ । ସେଇଠୁ ଛବି ବଙ୍କେଇଯିବ ତା' ହାଇସ୍କୁଲର ବଡ଼ ପାଚେରି ଦିହରେ ଲାଗିଥିବା ବଡ଼ ଫାଟକ ଆଡ଼କୁ । ସେଇଠି ଥରେ ରବିକୁ ଚାହିଁବା ତା'ର ଅଭ୍ୟାସ । ରୋଡ଼୍‍ ରେ ସେ ବାଁକଡ଼କୁ ମାଡ଼ି ଚାଲିଚି ତ । ସେଇଠି ଦିଶେ ରବିର ପଛପଟ ଗୋଜିଆ ମୁଣ୍ଡ । ଦେହକୁ ଲାଖି ଫିଟ୍ ବସୁଥିବା କଳା ହାପ୍‍ପେଣ୍ଟ, ଆଉ ବଳିଲା ବଳିଲା ପେଣ୍ଡା ଦି'ଟି । ରବି ତା'ଠୁ ଚାରିବର୍ଷ ସାନ, ଭାରି ବଢ଼ିଆ ପିଲା ।

 

ଆଗ ହୋଇ ରବି ରୋଡ଼ ଉପରକୁ ବାହାରିଆସିଲା । ବାଞ୍ଛା ଦୁଆରମୁହଁ ପର୍ଯ୍ୟନ୍ତ ବଳେଇ ଦେଇଗଲା ।

 

"ରବି, ଟିକିଏ ରହିଥାରେ, ମୁଁ ଆସୁଛି"–କହି ଛବି ପାହାଚ ଓହ୍ଲୋଉଛି, ବାଞ୍ଛା ତାକୁ ତାବଡ଼େଇ କହିଲା, "ହାଁ, ହାଁ, ପଛରୁ କାହିଁକି ଡାକିଦଉଚ ! ଅନୁକୂଳରେ ଗଲାବେଳେ ପଛରୁ ଡାକନ୍ତି ନାହିଁ । ତୁମେ ଯାଅ ରବିବାବୁ ! ତୁମ ପଛେ ପଛେ ଇଏ ଯାଇ ମିଶିବେ ।" ଛବି ନିଜ ଭୁଲ ପାଇଁ ଟିକିଏ ଲଜ୍ଜିତ ହୋଇ ଦୌଡ଼ିଯାଇ ଭାଇ ପାଖରେ ପହଞ୍ଚିଲା । ଦିହେଁ ହସି ହସି ହେଇ ଆଗେଇଗଲେ ।

 

"ତୋର ଆଜି କେତେବେଳେ ପରୀକ୍ଷା ସରିବ ?"

 

"ଆଗ ଗଣିତ ଅଛି, ତା' ପରେ ଡ୍ରଇଁ । ଆଜି ଆମର ଖେଳଛୁଟି ହେବ ନାହିଁ । ମୁଁ ଆଉ ଘରକୁ ଖାଇବାକୁ ଆସିବି ନାହିଁ ଜାଣିଚୁ ନା, ପରୀକ୍ଷା ସରିଲେ ଚାରିଟା ବେଳେ ଯାଇ ଆସିବି ।"

 

"ଆମର ଆଜି ନୂଆ ଦିଦି ଆସିବେ । ସେ କେଡ଼େ ଗୋରା ଜାଣିଚୁ ନା । ସାଇବାଣୀମାନଙ୍କଠାରୁ ବି ଆହୁରି ଗୋରା । ସେ ଭାରି ବଢ଼ିଆ ଗୀତ ବୋଲନ୍ତି । ତାଙ୍କର ସବୁଦିନ ସିଲ୍‍କି ସିଲ୍‍କି ବ୍ଲାଉସ୍, ସିଲ୍‍କି ସାୟା, ସବୁ ।"

 

‘‘ଓ ଯେମିତି ଆମ ବୋଉର ଅଛି ତ ! ମୁଁ ଜାଣିଚି !’’

‘‘ତା’ ଠୁଁ ବି ଆହୁରି ବଢ଼ିଆ !’’

‘ଇସ୍‌, କ’ଣ ରାଣୀ ପରି ?’’

‘‘ହଁ !’’

‘‘ଆଚ୍ଛା, ମହାଲକ୍ଷ୍ମୀଙ୍କ କାଣିଆଙ୍ଗୁ ଠିଠୁଁ ବି ବଡ଼ ?’’

‘‘ନା, ନା, ନା ! –ସେତେ ନାଇଁ !’’

 

ଏମିତି ପ୍ରାୟ ହାର-ଜିଣ ଦୌଡ଼ରେ ସେମାନେ ପହଞ୍ଚନ୍ତି ଗୋଟାଏ ଆକାଶଛୁଆଁ ପାଚେରି ପାଖରେ; ଯାହାର ଆରପାରିରେ ପହଞ୍ଚିବା ପାଇଁ ତାଙ୍କର କୌଣସି ମାପ ନାହିଁ । ସେଇଠି ସେମାନେ ପରାସ୍ତ ହୁଅନ୍ତି; ହାର ମାନିଯାଆନ୍ତି ଉଭୟେ । ମହାଲକ୍ଷ୍ମୀଙ୍କ କାଣିଆଙ୍ଗୁଠି ବା ମହାପ୍ରଭୁଙ୍କର ପଇତାଗଣ୍ଠି ହେଉଛି ସବା ଶେଷ କଥା । ତା' ଆଗକୁ ଆଉ କିଛି କହିବାର ନାହିଁ ! ୟା' ପରେ କିଛି ସମୟ ସେମାନେ ପ୍ରାୟ ନୀରବ ରହନ୍ତି ।

 

"ଆମ ସ୍କୁଲରେ ଆଜି ମାଉଁସ ଚପ୍‌ ଟିଫିନ୍‌ ଦେବେ । ତମ ସ୍କୁଲରେ କାହିଁକି କିଛି ଦଉନାହାନ୍ତି ଲୋ ?"

 

"ଯେଉଁ ସ୍କୁଲରେ ଭାରି ଛୋଟ ଛୋଟ ପିଲା ପଢ଼ନ୍ତି, ସେଇଠି ଏମିତି ବଣ୍ଟାହୁଏ । ମାତ୍ର ଯେଉଁଠି ବଡ଼ ପିଲା ସବୁ ପଢ଼ନ୍ତି, ସେଠି ଏସବୁ ହବ ନାହିଁ ।"

 

"ତୁ କ'ଣ ତା'ହେଲେ ଭୋକରେ ରହିବୁ ? ବୋଉକୁ ପଇସା ମାଗିଲୁ ନାହିଁ ?"

 

"ବୋଉକୁ ମତେ ଭାରି ଡରମାଡ଼ୁଚି । ସେ ଖାଲି ସବୁ କଥାରେ ରାଗୁଚି । ମୁଁ ତାକୁ ଆଉ କେବେ ପଇସା ମାଗିବି ନାଇଁ ।" ଅଭିମାନରେ ଭାଙ୍ଗିପଡ଼ୁଥିଲା ଛବିର ସ୍ୱର ।

 

‘‘ମତେ ବି ବୋଉ ପାଖକୁ ଯିବାକୁ ଡରମାଡ଼ୁଛି । ମୁଁ ସେ ଫଟୋଟାରେ ଫୁଲଚନ୍ଦନ ଦେଉଥିଲି । ବାପା ରାଗି ସେଦିନ ତାକୁ ଭାଙ୍ଗି ଦେଲେ । ବୋଉ ସେଇଥି ପାଇଁ ଏମିତି ହଉଚି ?’’

 

‘‘ଆମ ସ୍କୁଲରେ ମୋର ଦୁଇ କ୍ଳାସ ଉପରେ ଯୁ ସୁଷମା ବୋଲି ଝିଅ ପଢ଼େ ନାହିଁ ସେ କହୁଥିଲା ଯେ ଆମ ବୋଉ କୁଆଡ଼େ ଭାରି ଖରାପ । ତା’ ବୋଉ ତାକୁ କହୁଥିଲା, ଆଉ ତାକୁ ମୋ ସାଙ୍ଗେ ମିଶିବାକୁ ମନାକରୁଥିଲା ।’’

 

‘‘ହଅଅ ! ତା’ ବୋଉଟା ତ ଭାରି ଭଲ ! ତା’ ବୋଉ ତ ପେଚି, ମୁଁ ଦେଖିଚି–ତା ଆଙ୍ଗୁ ଠିଯାକ ବଙ୍କା । ସେ ଭାରି ମଇଳା ପିନ୍ଧେ । ଆମ ବୋଉ କ’ଣ ସେମିତି ହେଇଚି ?’’

 

ରବି ନାଗବଚ୍ଚା ପରି ମର୍ଦପଣିଆରେ ଫଣା ତୋଳି ଫୁଲିଆସିଲା । ଛବି ଭାଇ ଆଗରେ ପୁଣି ସାକୁଲେଇ ହେଲା !

 

"ଆଉ ମୋତେ ପଚାରୁଥିଲା, ଜୟନ୍ତ ବାବୁ ତୋ'ର କ'ଣ ? ମୁଁ କହିଲି, ସେ ଆମ ମଉସା । ଏତିକିରେ ସେ ଖାଲି ଖିଲଖିଲ୍ ହୋଇ ହସିଲା, ଆଉ କିଛି ଶୁଣିଲା ନାଇଁ ।"

 

"ହଁ ଜୟନ୍ତ ମଉସା, ଆମ ମଉସା ତ–ତା'ର ସେଥିରେ କ'ଣ ଗଲା ? ତା' ଭାଇ ଆମ ସ୍କୁଲରେ ପଢ଼ୁଚି । ରହ, ମୁଁ ତାକୁ ଏକଥା ପଚାରେ ! ଯଦି ସେମିତି ସେ କ'ଣ କହିଲା ତାକୁ ସେଇଠି ଛେଚିଦେବି ।"

 

ମୁରବିପଣିଆରେ ଛବି ଉପଦେଶମୁଖର ହୋଇଉଠିଲା–"ତୁ ତା' ଭାଇ ସାଙ୍ଗେ କାହିଁକି କଳି ଲାଗିବୁ ? ଆମ ବୋଉକୁ ସେ ଖରାପ୍‌ ବୋଲି କହିଦେଲେ ସେ କ'ଣ ସତକୁ ସତ ଖରାପ ହୋଇଯାଉଚି ? ଜୟନ୍ତ ମଉସା କେଡ଼େ ବଢ଼ିଆ ! ସେ ଆମ ପାଇଁ ଜାମା ଆଣିଦେଇଛନ୍ତି-ସେଇଟା କେଡ଼େ ବଢ଼ିଆ !

 

କଥାର ତାତି ଖସିଗଲା ଜାମାଟା ସତେ କେଡ଼େ ବଢ଼ିଆ !

 

"ଜୟନ୍ତ ମଉସା ଘରକୁ ଆମେ ସେଦିନ ରାତିରେ ଯାଇଥିଲୁ ! ତୁ' ତ ଶୋଇପଡ଼ିଲୁ, ନହେଲେ ତୁ ବି ଆମ ସାଙ୍ଗେ ଯାଇଥାନ୍ତୁ । ମଉସା ଘରେ ଭୋଜି ! ମାଉଁସ, ମିଠେଇ ଆଉ ଆଉ କେତେ କଣ ! ମୋତେ ବୋଉ ଆଉ ଜୟନ୍ତ ମଉସା ଦି'ଆଡ଼ୁ ବସି ଖୁଆଇ ଦଉଥାନ୍ତି, ଆଉ ଦି'ଜଣଯାକ ମୋତେ ଚୁମା ଦଉଥାନ୍ତି, ଗେଲ କରୁଥାନ୍ତି !"

 

ଅଜାଣତରେ ଛବିର ସ୍ୱର ଖୁବ୍ ଧିମା ହୋଇଯାଇଛି । ତା' ଉପରେ ବୋଝେଇ ହୋଇପଡ଼ିଚି ଅକାରଣ ଅପମାନ, ଲଜ୍ଜା ଆଉ ସଂକୋଚ ।

 

ରବି ଅନ୍ୟମନସ୍କଭାବେ ଶୁଣିଚାଲିଚି ।

 

"ମୁଁ ଆଉ ଖାଇପାରୁ ନଥାଏ । ନିଜେ ହାତରେ ନଖାଇ ମୋତେ ଭାରି ଲାଜ ମାଡ଼ୁଥାଏ-। ମୁଁ ଉଠିପଡ଼ିଲି । ବୋଉ କହିଲା, ‘ହାତ ଧୋଇ ଯା ସୋଫାରେ ଗଡ଼ୁଥା କି, ମୁଁ ଆସୁଚି !' ମୁଁ କହିଲି, "ଆମେ ସିନେମା ଦେଖିଯିବା ନାଇଁ ବୋଉ !' ବୋଧ କହିଲା-'ଆରେ ଓଲୀ, ଆଜି ପରା ସିନେମା ନାଇଁ ବୋଲି ଏଠିକି ବୁଲିଆସିଚେ !’ 'ଓହୋ ! ସିନେମା ଗଲିନାହିଁ କହିବାକୁ ତତେ ଲାଜ ମାଡ଼ିବ–ନୁହେଁ ? ଏତେ ସଜବାଜ ହୋଇ ପିଲାଟା ସିନେମା ନ ଦେଖି କେମିତି ହେଲେ ଫେରିବ ? ସବୁ ହସିଦେବେ, ନାଇଁ ? ଜୟନ୍ତ ମଉସା ଟେବୁଲ ଉପରେ ହାତ ବାଡ଼େଇ ଖୁବ୍ ଜୋର୍‍ରେ ହସିଲେ । ସେମିତି ସେ କେବେ ହସନ୍ତି ନାଇଁ ।

 

"ମୁଁ ଡ୍ରଇଁରୁମ୍‌କୁ ଯାଉଚି ବୋଉ ପଛରୁ କହିଲା–ଆଚ୍ଛା ତତେ ଯିଏ ପଚାରିବ କହିଦେବୁ ଯେ ସିନେମା ଦେଖିଚୁ ବୋଲି । ଆମେ ଠିକ୍‌ ସେକେଣ୍ତ ସୋ’ ସରିଲାବେଳେକୁ ଫେରିବା ! କେହି ଆଉ କିଛି କହିପାରିବେ ନାହିଁ ! ଯା ସୋଫାରେ ଗଡ଼ୁଥା !’’

 

‘‘ସେଇଠୁ’’–ରବି ଏଥର ଖୁବ୍ କାନେଇଚି କଥାକୁ ।

 

"ମୁଁ ଯାଇ ଦେଖୁଚି, ମଉସା ଘର କେମିତି ବଢ଼ିଆ ସଜାହୋଇଚି–ଛବିବହି ଥାଏ ଟେବୁଲ ଉପରେ, ତାକୁ ଦେଖିଲି । ନିଦ ମାଡ଼ିଲା–ମୁଁ ଗଲି ବୋଉକୁ ଡାକିବାକୁ " ଗଛ ଛାଇରେ ହଠାତ୍ ଛବି ଥମ୍‍କି ଠିଆହୋଇଗଲା । ରବି ଚାହିଁଲା ତା' ଭଉଣୀର ବଡ଼ ବଡ଼ ଆଖିକୁ ।

 

"ମୁଁ ଦେଖିଲାବେଳକୁ ମୁହଁଧୁଆ ବେସିନ୍‌ ପାଖରେ ମଉସା ବୋଉ କାନ୍ଧରେ ହାତ ଗୁଡ଼େଇ ତାକୁ ଗେଲ କରୁଛନ୍ତି । ବୋଉ ବି ତାଙ୍କୁ ଜୋର୍‌ରେ ଧରିଚି ! ମୋତେ ପୁଣି ଲାଗିଲା ଦୁହେଁ କାହିଁକି ମାଡ଼ ଲାଗୁଛନ୍ତି, ଆଉ ବୋଉ ପାରୁନାହିଁ । ମୁଁ ଜୋର୍‌ରେ ପାଟି କରିଦେଲି ଦିହେଁଯାକ ଚମକି ପଡ଼ିଲେ । ମଉସା କିଛି ନ କହି ଶୋଇବାଘରକୁ ଚାଲିଗଲେ । ବୋଉ ମୋତେ କଟମଟ୍‍ ଚାହିଁଲା, ତା'ପରେ କହିଲା, 'ମୁଣ୍ଡଟା ବୁଲେଇଦେଲା ଲୋ ଝିଅ, ପଡ଼ିଯାଇଥାନ୍ତି ପରା । ମଉସା ଧରିନେଲେ ବୋଲି ରହିଗଲି । ଏବେ ବି ମୁଣ୍ଡଟା ବୁଲଉଚି । ତୁ କାହିଁକି ଆସିଲୁ ଯେ !'

 

ବୋଉ ଖାଲି ମିଛଗୁଡ଼ାକ କହିଲା ପରି ଲାଗିଲା । ମୋତେ ଭାରି ରାଗ ଲାଗିଲା; ଆଉ ରାଗରେ କାନ୍ଦ ମାଡ଼ିଲା । ମୁଁ ଖାଲି କହିଲି–‘ଚାଲ ଆମେ ଘରକୁ ଯିବା !' ବୋଉ କିଛି ନକହି ଠିଆ ରହିଥାଏ । ମଉସା ଆସି ସିଗ୍ରେଟ୍‌ ପିଇ ମୋତେ ଚାହିଁଲେ, ମୋ ଓଠ ଧରିଲେ । ମୁଁ ତାଙ୍କ ହାତ ଛିଞ୍ଚାଡ଼ିଦେଲି । –‘ଆରେ ଛବିଟା ଏତେ ବୁଦ୍ଧିଆ ପିଲା; ଏମିତି କ'ଣ ପାଗଳୀ ପରି ହଉଚି ! ଆରେ, ବୋଉଙ୍କୁ ପରା ଅସୁସ୍ଥ ଲାଗୁଚି, ଆଉ ଟିକିଏ ବିଶ୍ରାମ କରି ଯିବେ ! ଏମିତି କାହିଁକି ବ୍ୟସ୍ତ ହଉଚୁ । ଆସିବୁଟି, ମୁଁ ତତେ ବଢ଼ିଆ ଜିନିଷଟାଏ ଦଉଚି ।

 

ଜୟନ୍ତ ମଉସା ଭାରି କଅଁ ଳେଇ ଜାଣନ୍ତି । ମୁଁ ଗଲି ତାଙ୍କ ବୈଠକଘରକୁ । ଗୋଟେ ଭାରି ମୋଟା ବହି ଧରେଇଦେଲେ । ସେଥିରେ ଛବି ଛବି, ଖାଲି ଭର୍ତ୍ତି । ମୁଁ ସେଠି ବସିଗଲି । ଗଣ୍ଡାର, ମଇଁଷି, ବାର୍‍ହା, ଗୟଳ କେତେ ଛବି ! ସବୁ ପତ୍ରରେ ଛବି । ମୁଁ ବସିଗଲି । ଏତେ ବଡ଼ ବହି ସରିଆସୁଥାଏ । ବଣମଇଁଷି, ବାଘ, ହେଟା କେତେ କ'ଣ–ବୋଉ ମୋ ପଛପଟୁ ଲଇଁ କହିଲା, 'ତୋର ଛବିଦେଖା ସରିବ ନାହିଁ କି ଲୋ ? ଘରକୁ ଯିବା ପରା ଚାଲ ।' ମୋର ସବୁ ପୁଣି ମନେପଡ଼ିଗଲା । ମୁଁ କହିଲି, ‘ହଉ ଚାଲ ।' ମଉସା ହସି ହସି ମୋ ଗାଲ ଟିପିଦେଲେ । ଆମକୁ ଗାଡ଼ିରେ ବସେଇ ଆଣି ସେ ଛକ ପାଖରେ ଓହ୍ଲେଇ ଦେଇଗଲେ । ସେଇଠୁ ଆମେ ଚାଲି ଚାଲି ଆସିଲୁ ।

 

‘‘ଆମେ ସିନେମା ଦେଖିଯାଇନାହୁଁ ବୋଲି ବାପାଙ୍କୁ କହିଦେଲି ବୋଲି ବୋଉ ମତେ ମାଇଲା । ବୋଉ କାହିଁକି ମିଛ କହିବାକୁ ମୋତେ ବତଉଚି ଯେ ! ବୋଉଟା ବୋଧେ ଭାରି ଖରାପ୍‌-।’’

 

ରବି ଏତେବେଳଯାଏ ଆଖିରେ ପଲକ ନ ପକାଇ ଶୁଣୁଲା । କ’ଣ ବୁଝିଲା କେଜାଣି କହିଲା–‘‘ଆମ ବୋଧ କାହିଁ ଖରାପ ହେବ ? ଆମ ବୋଉ ବଢ଼ିଆ । ଖରାପ ସେହି ଜୟନ୍ତ ମଉସା । ସେ ଆମ ଘରକୁ ଆସିଲେ ମୁଁ ଏଥର ବାପାଙ୍କୁ କହି ତଡ଼ିଦେବି ।"

 

‘‘ଜାମା କେମିତି ପାଇଚୁ ଯେ ଆଉ ସେମିତି ପାଇବୁ ନାହିଁ ।"

‘‘ନ ପାଇଲେ ନାଇଁ ଯା ।’’

 

ରବି ଆଗେଇଗଲା । ଅଳ୍ପ ବାଟ ପରେ ଛକ । ସେଇଠୁ ଛବି ଚାଲିଯିବ ତା'ର ଉଚ୍ଚ ଉଚ୍ଚ ପାଚେରିଘେରା ନିବୁଜ ସ୍କୁଲକୁ, ଆଉ ରବି ବଙ୍କେଇ ଚାଲିଯିବ ଆଉ କିଛି ଦୂର ।

 

ଉଭୟେ ଭଲ ପିଲା । ପଢ଼ନ୍ତି ମଧ୍ୟ ଚମତ୍କାର । ଉଭୟେ ହୁଏତ ଚମକି କଥାଟାକୁ ମନେପକାଇବେ । ସୁଷମା ହୁଏତ ଆସି ଛବିକୁ ପୁଣି ପଚାରିବ, ଛିଗୁଲେଇ ହେବ, ତା'ର ଭାଇ ରବି ଆଗରେ କିଛି କହିନପାରି ଦୂରରୁ ଖତେଇ ହେବ, ଟିହେଇବ ।

 

ଏଇ କଥା ଉପରେ ଲାଜରେ ରଙ୍ଗା ହେଇ ଫେରିବ ଛବି ।

 

ଟେକା ଫୋପାଡ଼ି, ମାଡ଼ ମରାମରିରେ ଲହୁଲୁହାଣ ହେଇ ଚିରା ଜାମା ଭିତରେ ରାଗରେ ଆଉ ଅପମାନରେ ଫେରିବ ରବି ।

 

ଅଫିସ ଫାଇଲପତ୍ରରେ ସୂତାବନ୍ଧା ସମୟ । ଆଉ ପନ୍ଦର କୋଡ଼ିଏ ମିନିଟ୍ କଥା । ଦିନଯାକର କାମରେ କୋଲପ ପଡ଼ିବ । ଦଳ ଦଳ ହୋଇ ଏହି କିରାଣି-ଶାଳ ଭିତରୁ ବାହାରିବେ ପରିବାରର ମୁରବି, ବିଭାବଇଷିଆ ଝିଅର ବାପ, ବି. ଏ. ପଢ଼ୁଆ ପୁଅର ବାପ, ନୂଆ ବିଭା ହୋଇ ଭଡ଼ା ଘରଟିରେ ସଂସାର ବସାଉଥିବା ପ୍ରେମିକ ସ୍ୱାମୀ । ଫାଟକ ଏ ପଟର ଅଫିସର ନୋଟ ଫାଇଲ, ସି. ସି. ଆର, ଦରମା, ମହଙ୍ଗା–ଭତ୍ତାର ଗୋଲକଧନ୍ଦା ସେ ପଟେ ଫାଟିପଡ଼ିବ ବହୁ ବହୁ ଦାୟିତ୍ୱରେ । ସରକାରୀ ଧାର ଟଙ୍କାରେ ଲିଣ୍ଟେଲ୍‍କୁ ଉଠିଥିବା ଘର ପାଇଁ ସିମେଣ୍ଟ, ବୁଢ଼ୀ-ମା'ର ଔଷଧ ବିଲ୍‌, ପତ୍ନୀ ସେନଟୋରିୟମ୍‍ରେ ଏ–ଶନିବାର ଚାନ୍ଦିପୁର ଯିବା ପାଇଁ କିଛି ହାତକରଜ, ଶାଳୀ ପାଇଁ ବରପତ୍ର ଠିକଣା, ଜମିଖଣ୍ଡ ଭାଗୁଆ ଖାଇଗଲେ ବୋଲି ତାଙ୍କ ନାଁରେ ନାଲିଶା ।

 

ବିଭିନ୍ନ ଚିନ୍ତାର ବଙ୍କା ଗହୀରିଆ ରେଖାଗୁଡ଼ିଏ ବୋଝେଇ ହୋଇ ରୂଢ଼ିଆ, ଟାକୁଆ ଗାଲ ଏବଂ ଖୋଳ ଖୋଳ ଆଖିଗୁଡ଼ିଏ ପହରିଯିବେ ବିଭିନ୍ନ ଦିଗରେ, ଆଉ ଗୋଟିଏ ଚେତନାର ସୁଅରେ, ସୁଆଙ୍ଗର ଆଉ ଗୋଟିଏ ଭୂମିକାରେ ଠେଲାପେଲା ଭିଡ଼ ଭିତରକୁ !

 

ସମୟ ପାଞ୍ଚଟା ବାଜିବାକୁ ଦଶମିନିଟ୍‌ । କଲିଂ ବେଲ୍‌ ବାଜିଉଠିଲା । ନିଃଶବ୍ଦରେ ଆସି ଠିଆହେଲା ଆପ୍‌ପେୟା । ଅପେକ୍ଷା କଲା, ସିଗାରେଟ୍ ଧୂଆଁ ପଛଆଡ଼ୁ ଗୁଳି ଫୁଟିଲା ପରି ଯଦି କିଛି ହୁକୁମ ଫୁଟିଆସେ । ତା'ର ସାନ ନଳୀ ପେଣ୍ଟ ତଳେ ଦି' କଡ଼କୁ ଲେସେଡ଼ି ଯାଉଥିବା ବେଢ଼ଙ୍ଗିଆ ଦୁଇଟି କାଳିଆ ଖାଲି ପାଦ ଓ ତା' ଉପରକୁ ମୁଠୁଣିଏ ଲେଖା ସରୁ ସରୁ ଶିରାବହୁଳ ଟାଣୁଆ ଲୋମଶ ଗୋଡ଼ । ସରକାରୀ ପୋଷାକ ପାଇଁ ଆପ୍‍ପେୟାର ଲମ୍ବ ଲମ୍ବ ଗୋଡ଼ହାତ ଯେମିତି ଭାରି ଅମଙ୍ଗ ।

 

‘‘ଆରେ ଆପ୍‌ପାୟ ! ବଡ଼ବାବୁ ଚଲାଗୟା କି ନାହିଁ ଚଲାଗୟା ଦେଖେ !’’

 

ଆପ୍‌ପେୟା କସରୀ ଟାଆଁ ସା ନିଶତଳେ ପିକା ଧୂଆଁ ରେ କସୁଟିଆ ହଳଦିଆ ଦାନ୍ତ ନିକୁଟି ହୋଇଗଲା । ସତେ ଯେମିତି ସେ ସବୁ ବୁଝିଗଲା । ତାକୁ ଜଣାଗଲା ଯେ, ଏ ଅସମୟରେ ଘଣ୍ଟି ବାଜିଥିଲେ ଯେମିତିଆ ସବୁ ଅର୍‌ଜେଣ୍ଟ ସମସ୍ୟା ଆସି ଜୁଟିବାର କଥା- ଏ ସେମିତିଆ କିଛି ନୁହେଁ ।

 

ସେ ଯୋଡ଼ାଏ ନିଃଶବ୍ଦ ଖେପାରେ କବାଟ ଭିତରେ ବୋହିଯାଇ ପୁଣି ଗଳି ଚାଲିଆସିଲା । ମୁଣ୍ଡ କୁଣ୍ଡାଇ କହିଲା, "ବାଅବୁ ଅଚ୍ଚି ଅଗ୍ୟା ! କିସ୍‌ସ, ତାଙ୍କେ ଉଠ୍‌ଠୁକୁ ଆସ୍‍ଯିବାର ନା ? ବେଇଲେ, ମୁଁ ଯାଇକରି ତାଙ୍କେ ଡାକ୍‌କି ଦେବି ନା ?"

 

ଜୟନ୍ତ ପରିଡ଼ା କଲମ ଥୋଇ ଦେଇ ଭୁସ୍‌ ଭୁସ୍‌ କରି ଗୁଡ଼ାଏ ଧୂଆଁ ହସିପକାଇଲା । "ବେ ଆପ୍‌ପାୟା, ତୁ ହାରାମି ଓଡ଼ିଆ କାଇଁ କହୁଚୁ ବେ ? ନ ହେଲା ନାଇଁ, ତୁ ଏଣିକି ହିନ୍ଦୀ କହ ।'

 

‘‘ହିନ୍ଦୀ-ଗିନ୍ଦି ମୁଁ କୁ ବୁଜ୍ଜିବ ନାଇଁ ଆଗ୍ୟ ! ’’ ହେଲେ ମୁଁ କଇବାଟା କିସ୍‌ସ ବେଇଲେ ମୁଁ ଏବ୍‍ବେ କଇବାର ସବ୍‍ବୁ ଉଡ଼ଡ଼ିଆ ନାଇଁ ବଲିବାର କି ?"

 

"ତୁ, ଶାଲା ଗଲୁ ବଡ଼ବାବୁକୁ ଡାକିବୁ ।"

‘‘ବଡ଼୍‌ଡ଼ ବାବୁ ?’’

‘‘ହଁ, ବିଶ୍ଵମ୍ଭର ମଙ୍ଗରାଜକୁ ଏଠିକି ଆସିବାକୁ କହ ।"

 

କିଛି ସମୟ ନୀରବ ଧୂଆଁ ଭିତରେ ଆଗରେ ଆସି ଠିଆହେଲା ବିଶ୍ଵମ୍ଭର । କ୍ଷୌର ନହେଲେ ମଧ୍ୟ ଲୋକ ଏମିତି ଦିଶେ ! ଅଭ୍ୟାସ ବେଳେ ଚା’ ଟିକିଏ ନ ଖାଇଲେ ମଧ୍ୟ ଆଖି ରଙ୍ଗିଲା ଦିଶେ । ଗୁଡ଼ାଏ ବିଡ଼ି ଶୋଷିଲେ ଗାଲ ଟାକୁଆ ହୋଇ ବେକଠୁ ଶିରସବୁ ଏମିତି ଦୁହିଁହୋଇଯାଏ ।

 

ସେ ଯାହାହେଉ, ଲୋକଟା ଦିନକୁ ଦିନ କେମିତି ଗୋଟାଏ କଦାକାର ଦେଖାଗଲାଣି । ଲକ୍ଷ୍ମୀଛଡ଼ା, ଓଲାଭଗିଆଟାଏ–କାହିଁ ସେ ସେମିତି ହଉଚି !

 

ଜୟନ୍ତ ପରିଡ଼ାର ହସ ବେଶ୍‌ ଆତ୍ମୀୟତାରେ ନିବିଡ଼ ।

‘‘କିଓ, ଠିଆଟା କାହିଁକି ହେଇଚ, ବସୁନା ।"

‘‘ନାଇଁ ସାର୍, ଏମିତିଆ ମୁଁ ବେଶ୍‌ ଅଛି ।"

 

‘‘ଏଇ ଶିଙ୍ଗ୍‍ ଟାଳିଆ କଥା ତ ତମର କେବେ ଗଲାନାହିଁ । ତୁମେ କାହିଁକି ଭାବୁଛ ଯେ ନିଜକୁ ଗୁଡ଼ାଏ ଅଯଥା କଷ୍ଟ ଦେଇ ପକେଇଲେ କୌଣସି ସମସ୍ୟାର ସମାଧାନ ହୋଇଯାଏ ବୋଲି । ତା'ର ମୁକାବିଲା କରିବାକୁ ହେଲେ ନିଜେ ଆଗ ସୁସ୍ଥ ହେବା ଦରକାର ।"

 

ଶାଳଗଣ୍ଡି ଫାଟିଲା ପରି କିଛି କଡ଼କଡ଼ ହସ ଶୁଭିଲା "ମୋର ତ କିଛି ସମସ୍ୟା ଥିଲା ପରି ମୋତେ ବୋଧ ହେଉନାହିଁ ସାର୍ ! ଆଉ ହାକିମଙ୍କ ଆଗରେ ଠିଆରହିବା ତ ଖୁବ୍ ପୁରୁଣା ଅଭ୍ୟାସ । ତା'ବି ଅଯଥା କଷ୍ଟ ବୋଲି ମୁଁ ଭାବୁନାହିଁ । ତେବେ ସମସ୍ୟା କ'ଣ, ସମାଧାନ ବା କ'ଣ-? ଆପଣ ସାର୍ କହିଦେଲେ ସବୁ ହେଇପାରିବ ।"

 

‘‘ବିଶ୍ୱମ୍ଭର ! ତୁମେ ଏତେଟା ବ୍ୟଙ୍ଗ ନକଲେ ହୁଏତ ଚଳନ୍ତା । କେତେବେଳେ ଭଲା ତୁମକୁ ମୁଁ ଅଫିସର କାଇଦାରେ ବ୍ୟବହାର କଲିଣି ? ମୋର ଆତ୍ମୀୟତାଟା କ'ଣ ତୁମେ ବୁଝି ମଧ୍ୟ ଏମିତି ଉପହାସ କରୁଛ ? ତୁମେ ବୋଧହୁଏ ମୋତେ ଆତ୍ମୀୟ ବୋଲି ସ୍ୱୀକାର କରୁନାହିଁ ।"

 

‘‘ହେଃ, ହେଃ, ହେଃ’’ କାଠଗଣ୍ତିଟା ଚଡ଼ଚଡ଼ ହୋଇ ଦୁଇ ଫାଳ ହୋଇଗଲା, ‘‘ଆଶ୍ଚର୍ଯ୍ୟ-! ଆପଣଙ୍କୁ ଆତ୍ମୀୟ ବୋଲି ସ୍ୱୀକାର କରିବି ନାହିଁ ? ଲୋକେ ମୋତେ ଅକୃତଜ୍ଞ କହିବେ ନାହିଁ ? ଆପଣ ଯେ ମୋର ପରମ ଆତ୍ମୀୟ; ମୋର ଖୁବ୍‌ ଆପଣାର ଲୋକ–ଏ କଥା କ'ଣ କିଏ ଜାଣିବନାହିଁ ?"

 

‘‘ଆଇ ସି । ତୁମେ ତା' ହେଲେ କଥାବାର୍ତ୍ତା ହେବା ମୁଡ଼୍‍ରେ ନାହଁ । ଅଲ ରାଇଟ୍ । ମୁଁ ଭାବିଥିଲି ତୁମ ସାଙ୍ଗ ଗୋଟାକେତେ ବିଷୟ ନେଇ ଟିକିଏ ଡିସକସ୍ କରିଥାନ୍ତି । ଆଜି ଏବେ ନହେଲା ନାହିଁ, ଆଉ କେବେ ଦେଖିବା ।"

 

‘‘ଆପଣ ଯାହା କହିବେ ସାର୍‌ !’’

 

‘‘ହିଃ, ହିଃ କିଓ କଥା-କଥାକେ ଏମିତି ଗୁଡ଼ାଏ ‘ସାର ସାର୍‌’ କାହିଁକି ହଉଚ ? ଆମେ ତ ପରସ୍ପରର ଅପରିଚିତ ନୋହୁ; ବରଂ ସହଜ ଭାବରେ କଥାବାର୍ତ୍ତା ହେଲେ ଶୁଣିବାକୁ ଭଲଲାଗନ୍ତା-।"

 

"ଆପଣଙ୍କୁ ଯଦି ଶୁଣିବାକୁ ଭଲଲାଗିବ, ତା' ହେଲେ ଆପଣ ଯେମିତି ହୁକୁମ କରିବେ ମୁଁ ସେମିତି କହିବାକୁ ରାଜି ।"

ହଠାତ୍‌ ଜୟନ୍ତ ପରିଡ଼ାର ବେପାରୁଆ ହସ ଶୁଣାଗଲା । ଟହଟହ ହୋଇ ଗୋଟାଏ ଯୁଦ୍ଧ ବିଜେତ ର ହସ ଯେମିତି ଶିଖରେ ବାଜି ଝଡ଼ିପଡ଼ୁଛି ।

‘‘ବୁଝିଲ ବିଶ୍ୱମ୍ଭର ! ତୁମକୁ ଆଉ ପାରିହେଲା ନାହିଁ । ତମେ ବସିବଟି ଆଗ-ବସ । ଆରେ ଆପ୍‍ପେୟା, ଯିବୁଟି ମିଷ୍ଟାନ୍ନ ଭଣ୍ଡାରରୁ ସ୍ପେଶାଲ ଚା' ଦି' କପ୍ ନେଇ ଆସିବୁ । କିଓ, ବସୁନା କାଇଁକି ମ ?"

ବିଶ୍ୱମ୍ଭରର କାନ୍ଧ ଉପରେ ହାତ ରଖି ହସି ହସି ବେଶ୍‌ ଜୋର୍‌ରେ ଠେଲିଦେଲା ଗୋଟିଏ ଚୌକି ଉପରକୁ !

ଏମିତି ମଧ୍ୟ ଆଦେଶ ଦିଆଯାଏ !

ଜୟନ୍ତ ବସିପଡ଼ି ଗମ୍ଭୀର ହୋଇଗଲା !

‘‘ଆଚ୍ଛା ବିଶ୍ୱମ୍ଭର, ଏସବୁ ମୁଁ କ'ଣ ଶୁଣିବାକୁ ପାଉଛି ? ତୁମେ କୁଆଡ଼େ ଘରକୁ ଠିକ୍ ସମୟରେ ଫେରୁନାହଁ; ଅନେକ ରାତିରେ ଫେରୁଛ ? ଅନେକ ଦିନ ହୋସ୍ ନଥିବା ଅବସ୍ଥାରେହିଁ ଫେରୁଛ ।"

"ଆପଣଙ୍କର ସେଥିରେ କୌଣସି ଦପ୍ତରୀୟ ବାଧା ଉପୁଜୁଥିବାର ତ ମୁଁ ଦେଖିପାରୁନାହିଁ ।

‘‘ଦେଖ ବିଶ୍ୱମ୍ଭର ! ସେ ଚାଲାଖି କଥା ଛାଡ଼ । ତୁମେ ନିଶାଖାଇବା ଶୁଣି ସୁଖୀ ହୋଇପାରୁନାହାନ୍ତି । ଅନ୍ତତଃ ତୁମର ପରିବାର ଦାୟିତ୍ୱ ଦୃଷ୍ଟିରୁ ତୁମକୁ କଥାଟାର ବିଚାର କରିବାକୁ ହେବ । ମୁଁ ମଧ୍ୟ ନିଶା ଖାଏ । ନିଶାଖିଆଟାକୁ ଅନ୍ୟମାନେ ଯେତେଟା ଦୂଷଣୀୟ ବୋଲି ଭାବନ୍ତି, ମୁଁ ଅବଶ୍ୟ ତା' ଭାବେ ନାହିଁ । ୱେଲ ମୋ ପାଇଁ ସେଟା ଗୋଟେ ପ୍ଳେଜର୍ । କିନ୍ତୁ ସେଥିରେ ତ ପୁଣି ମାତ୍ରା ଅଛି; ମାନେ ଗୋଟେ ଲିମିଟ୍‌ । ତା' ବାହାରେ ତୁମେ ମଦ ପିଇବା ମୁଁ ମଦ ପିଇବା ଭିତରେ ଯଥେଷ୍ଟ ପାର୍ଥକ୍ୟ ଅଛି । ତୁମ ଭଳି ଦାୟିତ୍ୱ ତ ମୋର ନାହିଁ ।"

‘‘ସାର୍ !’’

"ତୁମେ ଏଣିକି ନିଜ ଉପରେ ଆଉ ତମ ପିଲାମାନଙ୍କ ଉପରେ ଯଥେଚ୍ଛାଚାର କରିପାରିବ ନାହିଁ । ମୁଁ ତୁମକୁ ଏସବୁ କରିବାକୁ ଆଲାଓ କରିବି ନାହିଁ ।"

ଜଞ୍ଜିର ଭିତରୁ ଗୋଟାଏ ସିଂହ ଟହଟହ ହୋଇ ହସିଉଠିଲା । ବଡ଼ ବଡ଼ ମେଘ ପିଠିରେ ଗୁଡ଼ାଏ ପାହାଡ଼ କିଏ ଯେମିତି ଗଡ଼େଇଦେଲା ଆକାଶର ଗଡ଼ାଣି ଆଡ଼କୁ । ବହୁ ବର୍ଷଧରି ସଉଦା କିଣାବିକାର ହାଟଟାରେ, ହୁଲସ୍ତୁଲ ପକେଇ କାଠଗଣ୍ଡି ଫାଟିଲା ଭଳି ଗୋଟାଏ ହସ ସେ ଅଫିସଟାକୁ ବିଦ୍ରୂପ କଲା କିଛି ସମୟ ଧରି । ଜୟନ୍ତ ହୁଏତ ମନେକରିଥିବ ଯେ ତା'ପରେ ଗୁଡ଼ାଏ ବଜ୍ରବିଦ୍ୟୁତ ବର୍ଷା ହୋଇଯିବ । କିନ୍ତୁ ହଠାତ୍ ଗୋଟାଏ ନିଶ୍ୱାସ ରୋଧିଲା ଭଳି ନୀରବତାରେ ଶୁଭିଲା–

‘‘ସାର୍‌ !’’

ଏ ଶବ୍ଦଟା ବୋଧହୁଏ ଏଡ଼େ ତିକ୍ତ, ଏଡ଼େ ବିଷାକ୍ତ, ଏମିତି ତୀକ୍ଷ୍‍ଣ ଓ ଅବାଞ୍ଛିତ; କେବେ ଶୁଭି ନଥିଲା । ଜୟନ୍ତ ଚାହିଁଲା ବିଶ୍ୱମ୍ଭର ମୁହଁକୁ । ଆଗଭଳି ସେମିତି ମାତାଲ ମୁହଁଟିଏ । ଖୁବ୍‌ ଗହୀର ଗଣ୍ଡ ଭଳି ଭାରି ଉଦାସ; କିନ୍ତୁ ଭାରି ଭୟଙ୍କର । ଏଇ ମୁହଁଟା ପାଟିରୁ ଲାଳ ଗଡ଼େଇ, କୋରଡ଼ିଆ ବୁଜିଲା ଆଖିରେ ଭୋକିଲା ରିକ୍‍ସାବୁହାଳିଟିଏ ପରି ଧୂଳିର ନିଶା ଖାଇ ଗଡ଼ିଯାଇପାରେ । ଏଇ ମୁହଁଟା ପୁଣି ଟାଆଁ ସା ଟାଆଁ ସା ନିଶଦାଢ଼ି ସଂଧାରୁ ଫେଣ ଗଜଗଜ ଦାନ୍ତ କାଢ଼ି ଛୋଟ ଛୋଟ କହରା ଆଖିର ବିନ୍ଦୁ ଭିତରୁ ନିଆଁ ଝୁଲ ବର୍ଷା କରି ନିର୍ମମ ହାଇନାଟାଏ ଭଳି ଗର୍ଜିପାରେ । ଉଭୟ ଅବସ୍ଥା ଏ ଚେହେରା ପାଇଁ ସମ୍ଭବ ହେଲେ ସୁଦ୍ଧା କାହିଁକି କେଜାଣି ହାଇନାଟା ହିଁ ବେଶି ଦିଶିଯାଉଛି ବୋଲି ଜୟନ୍ତ ମନେକରୁଛି । ହାଇନା ହିଁ ଖୁବ୍ ସ୍ୱାଭାବିକ; ତା'ର ହିଂସ୍ର ଦାନ୍ତ, ସରୁ ସରୁ କଟା କାଚ ପରି ଆଖି ! କିନ୍ତୁ ଅସହାୟ ରିକ୍‍ସାବୁହାଳିଟି ପରି ମଧ୍ୟ ଦିଶୁଚି ତ ! ୟା ଝାଳ-ସରସର ଦେହରେ ବେଶ୍ ଗୋଟାଏ ନରମ ଗଦ୍‍ଦି ଥିବା ରିକ୍‍ସା ଯୋଖି ୟାକୁ ବାହନ କରାଯାଇପାରେ । କ୍ଷତି କ'ଣ ? –ସେ ତ ତା'ର ମାଇଲପିଛା ପାଉଣା ପାଇଯାଉଛି ।

 

ନୀରବତା ଭିତରେ ଖସ୍‌ଖସ୍‌ ହୋଇ ଗୋଟାଏ ହସ ଖେପା ମାରି ପାରିହୋଇଗଲା–ନିଜ ଅଜାଣତରେ ଜୟନ୍ତ କିଛି ଚମକି ପଡ଼ିଲା; ପରେ ପରେ କିନ୍ତୁ ଭାରି ଅବିଚଳିତ ମୁଦ୍ରାରେ ସିଗ୍ରେଟ ଖଣ୍ଡକ ଅଗେଇ ଅଗେଇ ଶୋଷିନେଲା ଏବଂ ପଚାରିଲା, "କିଓ, ଏମିତି ବାୟା ଭଳି କାହିଁକି ବିନା କାରଣରେ ଗୁଡ଼ାଏ ହସୁଚ ! ମୁଁ ପ୍ରଥମେ ଶୁଣି ବିଶ୍ୱାସ କରୁନଥିଲି; କିନ୍ତୁ ଏବେ ଦେଖୁଚି ଯେ ତୁମ ଚାଲିଚଳଣ ଢଙ୍ଗଢ଼ାଙ୍ଗ କେମିତି ଗୋଟାଏ ବେଖାପ୍ ଧରିଗଲାଣି । ତୁମେ ହୁଏତ ନିଜେ ଜାଣିପାରୁଥିବ ତୁମ ବିହେଭିଅର୍‌ଟା କେଡ଼େ ଷ୍ଟ୍ରେଞ୍ଜ୍‌ !’’

 

ସ୍ୱରରେ କିନ୍ତୁ ଆଶଙ୍କା ! କୌଣସି ପାନୀୟର ଚାଇଁ ବାହାରିଲା ପରି ବିଶ୍ୱମ୍ଭର ପାଟିଟାକୁ ସୁଆଦିଆ ସୁଆଦିଆ କରି ଅନେଇଥାଏ । କିଛି ସମୟ ପରେ ଦାନ୍ତସଂଧାରୁ ଶୁଭିଲା–"ସାର୍ !!"

 

ଜୟନ୍ତ ଚଞ୍ଚଳ ହୋଇଉଠିଲା । ତା'ର ଚଞ୍ଚଳ ଆଖି କୌଣସି କାରଣରୁ ବିଶ୍ୱମ୍ଭରର ହାତ ଦୁଇଟିକୁ ଖୋଜି ଚାଲିଆସିଲା ।

 

ଭୁସ୍‌କିନା ଠିଆହୋଇପଡ଼ିଲା ବିଶ୍ୱମ୍ଭର ଏବଂ ସେହି ମୁହୂର୍ତ୍ତରେ ବାଁ ହାତର କହୁଣି ଖୋପରେ ମୁହଁ ଲୁଚାଇ ଅସମ୍ଭାଳ ଚମକିପଡ଼ି ଠିଆହେଲା ଜୟନ୍ତ । ତା'ର ଡାହାଣ ହାତ ଆଗେଇ ଆସିଲା କୌଣସି ଅଜ୍ଞାତ ଆଘାତଟାକୁ ରୋକିନେବା ପାଇଁ । ତା'ର ସେ ପ୍ରତିରକ୍ଷା ଭଙ୍ଗୀକୁ ମୁହୂର୍ତ୍ତେ ଅନେଇ ବୁଲି ଚାଲିଗଲା ବିଶ୍ୱମ୍ଭର ।

 

ଜୟନ୍ତ ମୁହଁ ଟେକି ଅନେଇଲାବେଳକୁ ସେ ପ୍ରାୟ ଦ୍ୱାର ପାଖରେ ପହଞ୍ଚିଗଲାଣି ।

 

ହାତ ଛିଞ୍ଚାଡ଼ି ଦାନ୍ତ କଡ଼ମଡ଼ କରି ସେ ଚିତ୍କାର କଲା-‘‘ଷ୍ଟପ୍‌ !’’ ବିଶ୍ୱମ୍ଭର କିନ୍ତୁ ଅବାରିତ ପହଁରିଗଲା, ଯେମିତି ଗୋଟାଏ ପ୍ରେତାତ୍ମା ପହଁରିଯିବା କଥା !

 

ଭୟଙ୍କର ଉତ୍ତେଜନାରେ ଜୟନ୍ତ ପରିଡ଼ା ତା ଟେବୁଲ ଉପରୁ କାଚର ଓଜନଟାକୁ ସେଇ ଅପସରିଯାଉଥିବା ଛାଇ ଉପରକୁ ଫିଙ୍ଗି ଦେଲା ।

 

ଝଣଝାଣ୍‌ ହୋଇ ଭାଙ୍ଗି ଗଲା କବାଟର କାଚ ।

 

‘‘ଇଡ଼ିଅଟ୍‌ ! ବାଷ୍ଟାର୍ଡ଼୍‌ ! ହାରାମଜାଦା ! ଶୁଅର କା ବଚ୍ଚା ।’’–ଏସବୁ ଶବ୍ଦ ଚାରି କାନ୍ଥରେ ପିଟିହୋଇ ସତେ ଯେମିତି ଅଜାଡ଼ି ହୋଇପଡ଼ିଲେ ଜୟନ୍ତ ପରିଡ଼ା ମୁଣ୍ଡ ଉପରେ । ଆହୁରି ଜଳିଉଠିଲା ଅପମାନ ଓ ଗ୍ଲାନିର ନିଆଁ ।

 

ସେ ହୁଏତ ଡେଇଁପଡ଼ି ଗୋଡ଼େଇଯାଇଥାନ୍ତା ବିଶ୍ୱମ୍ଭର ପଛରେ–କିନ୍ତୁ ଲଥ୍‌କିନା ଚୌକିରେ ବସିପଡ଼ିଲା ।

 

ଆପ୍‍ପେୟା ଚା' ଟେବୁଲ ଉପରେ ଥୋଇଦେଇ ଚାରିଆଡ଼କୁ ଅନେଇ କ'ଣ ସବୁ ବୁଝିବାକୁ ଗୁଡ଼ାଏ ବାଉଳୁ-ଚାଉଳୁ ହେଲା; କିନ୍ତୁ ଜୟନ୍ତ ମୁହଁକୁ ଚାହିଁ ଶଂକିଗଲା । ତା' ପାଟି ଯାହା ମେଲା ହୋଇ ରହିଥିଲା ଆଉ ବୁଜି ହେଲାନାହିଁ ।

 

‘‘କି ସ ହସ ଲୋକଟାର ! ମୋତେ ଏକୁଟିଆ ପାଇ ଆକ୍ରମଣ କରିବାକୁ ବସୁଚି । ମୁଁ ତାକୁ ଏଇ ମୁହୂର୍ତ୍ତରେ ପୋଲିସ୍‍କୁ ହେଣ୍ଡୋଭର୍‌ କରିଦେଉଛି ।"

 

ଆପ୍‌ପେୟା କେବଳ ତା ସାଇବର ଭଙ୍ଗୀରୁ କ'ଣ ଗୁଡ଼ାଏ ଆରଜେଣ୍ଟ୍‌ ହେଇଛି ବୋଲି ଭାବିନେଇଛି । ତା ମୁଣ୍ଡରୁ ଗୁଡ଼ିଏ ଅଭ୍ୟସ୍ତ କାତର ଶବ୍ଦ ଫାସୁ-ଫାସୁ ହୋଇ ବାହାରିଯାଉଛି–‘‘ଆମ୍ମା ନେଇଁନା ! ଆବ୍‌ବା ବାବ୍‌ବା ! ଇସସ୍‌ ।’’

 

ଜୟନ୍ତର ବାଁହାତ ଫୋନ୍‌ ଉପରୁ ବଳେ ଘୁଞ୍ଚିଆସିଲା ।

ବିଶ୍ୱମ୍ଭର ସେଭଳି ଅନାୟାସରେ ଓ ନିଃଶବ୍ଦରେ ପଶିଆସିଲା ଘର ଭିତରକୁ ।

ତା ମୁହଁରେ କେମିତି ଗୋଟାଏ ହସ ।

‘‘ଗୋଟାଏ ନ୍ୟୁଜ୍‌ ଦେବାକୁ ଚାଲିଆସିଲି ।’’

 

ଜୟନ୍ତ ସେହି ମୁହୂର୍ତ୍ତରେ ନାଲି ନେଳୀ ହୋଇ ବଦଳିଗଲା । ମୁହଁରେ ଗୋଟାଏ ଭିଡ଼ାଓଟରା ଇମରଜେନ୍‍ସି ହସ ।

 

‘‘ଏମିତି କ’ଣ ହଠାତ୍‌ ଚାଲିଗଲ ବୋଲି ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ବସ ନା । ତୁମର ଚା' ଟା ବି ଆସିଗଲାଣି ।"

 

ଆପ୍‌ପେୟାର ଆଖିଯୋଡ଼ାକ ବୋଧହୁଏ ଡବଡ଼ବ ହୋଇ ତଳକୁ ଖସିପଡ଼ିବ । ‘‘ଆଚ୍‌ବା ବାବବା ଆମ୍ମା ନାଇଁନା ଇସ୍‌ସ୍‌ ’’

 

ତା ବାବୁର ଚୌକି ଉପରୁ ଗୁଳିଚୋଟେ ପରି କ ନ ତାବ୍‌ଦା କରି ଶୁଭିଲା–

‘‘ଗେଟ୍‌ ଆଉଟ୍‌ । ଇଡ଼ିଅଟ୍‌ ! ବାଷ୍ଟାର୍ଡ଼୍‌ ! ହାରାମ୍‍ଜାଦା ! ଶୁଅର କା ବଚ୍ଚା !’’

 

ଆପ୍‌ପେୟା ଟିପେଇ ଟିପେଇ ଦୌଡ଼ି ପଳାଇଲାବେଳେ ତାକୁ ଦ୍ୱାର ପର୍ଯ୍ୟନ୍ତ ହାବୁକେଇ ଦେଇ ଫେରିଆସିଲେ ଜୟନ୍ତର ଦାଉଦାଉ ଦି’ଟା ଆଖି ।

 

‘‘ବୁଝିଲ ବିଶ୍ୱମ୍ଭର । ମୁଁ ଏଇ ରାସ୍କେଲଟାକୁ ପୋଲିସକୁ ହେଣ୍ଡୋଭର୍‌ କରିଦେବାକୁ ଚାହେଁ ।"

 

ସ୍ୱର ପୁଣି ସେଇ ଆତ୍ମୀୟର । କିନ୍ତୁ କପାଳ ଉପରେ ଝାଳଟୋପା ଧରିଆସିଥାଏ, ଆଖି ଚାରିକଡ଼ରେ ଜକେଇ ଆସିଥାଏ ।

 

ବିଶ୍ୱମ୍ଭର ସେମିତି ଅବିଚଳିତ । ଥରେ କେବଳ ତଳେ ପଡ଼ିଥିବା ଫୁଲଦାନିଟାକୁ ଆଖି ଫେରେଇ ନେଇଛି ।

 

‘‘ଆରେ, ବସ ନା ବିଶ୍ୱମ୍ଭର ! ଏ ଚା’ଟା ଖାଇଦିଅ !’’ କହି ଜୟନ୍ତ ଗୋଟିଏ କାଚଗ୍ଲାସରେ ଫୁଟନ୍ତା ଚା’ ବଢ଼େଇଦେଲା । ତା’ ହାତଟା ଅନେକ ସମୟରେ ଥରେ । କିନ୍ତୁ ଏଥର ଭିତରର ଚା’ଟା ଛଳଛଳ କରୁଥିଲା ।

 

ବିଶ୍ୱମ୍ଭର ପ୍ରାୟ ଶୂନ୍ୟକୁ ଚାହିଁ କହିଲା–‘‘ଲକ୍ଷ୍ମୀ ଏଇ ତଳସାହିରେ ଅଛି । ଏବେ ତା'ର ପାଞ୍ଚମାସ ।"

 

‘‘ହିଃ-ହିଃ-ହିଃ’’–ଗୋଟିଏ କେମିତି ଘାବରାଇଲା ପରି ହସ । ହାତ ନଡ଼ନଡ଼ ହୋଇ ଗ୍ଲାସଟା ଟେବୁଲ ଉପରେ ଥୋଇବା ପୂର୍ବରୁ ଦି' ଝଲକା ଚା' ଇଡ଼ିଗଲା ଟେବୁଲର କାଚ ଉପରେ ।

 

‘‘ହ୍ୱାଟ୍‌ ନନ୍‌ସେନ୍‌ । ହାଃ-ହାଃ-ହାଃ ଏଇଟା ଗୋଟାଏ ପୁଣି ନ୍ୟୁଜ୍ । ତୁମେ ହିଃ-ହିଃ ମାନେ, ଗୋଟାଏ ଅଦ୍ଭୁତ ଲୋକ । କିଓ ଲକ୍ଷ୍ମୀ କଥା କାହୁଁ ଯୋଗାଡ଼ କଲ ?"

 

ବିଶ୍ୱମ୍ଭରର ଚୋଚଡ଼ା ମୁହଁ ଆଉ କଟା କାଚ ପରି ଆଖିରେ କିଛି ପରିବର୍ତ୍ତନ ନାହିଁ । ଭାରି କ୍ଳାନ୍ତ ମୁହଁଟିଏ ସତେ; କିନ୍ତୁ ଜୟନ୍ତ ଭିତରୁ ସବୁ ହସର ପବନ ଭୁସ୍‌କିନା ବାହାରିଗଲା । ସେ ଅନେଇ ରହିଲା ଗୋଟାଏ ବୋକା ପରି । ମୁହଁ ଉପରକୁ ହଠାତ୍ ଗୋଟାଏ ବହଳିଆ କଳା ଛାଇ ମାଡ଼ିଆସିଲା । ହାତଗୋଡ଼ ଆଖିପତା ଅବଶ ହୋଇ ଝୁଲିପଡ଼ିଲେ । ସବୁଠଉଁ ରକ୍ତଯାକ ଝିମ୍ ଝିମ୍ ହୋଇ ନିଗିଡ଼ି ଯାଇଛି ହଠାତ୍ ଓସାରି ହୋଇଯାଉଥିବା କୌଣସି ଅଦୃଶ୍ୟ କ୍ଷତ ଭିତରକୁ । ଜୟନ୍ତ ସତେ ବା ଠିଆ ରହିଛି ବହୁ ଉଚ୍ଚର ଗୋଟାଏ ନିଶାଖ ଡାଳ ଉପରେ । ପାଦ ତଳିପାରୁ ସିର୍‍ସିର୍ ହୋଇ ଝିମି ଖାଇଯାଉଛି ତଳିପେଟ ପର୍ଯ୍ୟନ୍ତ ।

 

ଦ୍ୱାର ଆଡ଼କୁ ପହଁରିଯାଉଛି ଗୋଟାଏ ଅଶରୀର ଆତ୍ମା ପରି ବିଶ୍ୱମ୍ଭର ମଙ୍ଗରାଜର ଛାଇ । ଏତିକି ବେଳେ ଅତି ପରିଷ୍କାର ଗଳାରେ ଶୁଭିଲା, "ଆରେ, ମୁଁ ସବୁ କିଛି ଜାଣେ । ମୋତେ ସେ ସବୁ କ'ଣ ଭୁରୁଡ଼ି ମାରୁଚୁ ।" ଜୟନ୍ତର ବୁକୁ ଦାଉଁଦାଉଁ ପଡ଼ିଲା, ଉଠିଲା । ସେ ଡ଼ରିଲା ଡ଼ରିଲା ଆଖିରେ ଚାରିଆଡ଼କୁ ଥରେ ଅନେଇଗଲା–କେହି କୁଆଡ଼େ ନାହିଁ ।

 

ପଛପଟେ ଘଣ୍ଟାର ଟିକ୍‌ ଟିକ୍‌ ଶୁଭୁଚି । ନିଃଶ୍ୱାସ ଜବ୍‌ଦ କଲେ ବୁକୁର ଶବ୍ଦ ଶୁଭୁଚି ।

 

କିନ୍ତୁ ଖୁବ୍‌ ନିଃଶବ୍ଦରେ କିଏ ଜଣେ ପଶିଆସିଲା ଅଫିସ ଭିତରକୁ ଏବଂ ତା' ପଛେ ପଛେ ଆଉ ଜଣେ । ହଠାତ୍‌ ଜୟନ୍ତ ଚିହ୍ନି ପାରିଲାନାହିଁ; ବିହ୍ଵଳ ହୋଇ ଅନେଇ ରହିଲା ।

 

ତା'ପରେ ତା' ଆଖିକୁ ସାଧାରଣ ଦୃଷ୍ଟି ଫେରିଆସିଲା । ଖୁବ୍ ଭିଡ଼ଭାଡ଼ ପରିସ୍ଥିତିରେ ମଧ୍ୟ ସେଭଳି ଆଉ ସେ କେବେ ହେବାର ତା'ର ମନେନାହିଁ; ମିସେସ୍‌ କ୍ରିଷ୍ଣାମୂର୍ତ୍ତିଙ୍କର ଶୋଇବା ଘରକୁ ତାଙ୍କ ସ୍ୱାମୀ ପଶିଆସିଲାବେଳେ ମଧ୍ୟ ନୁହେଁ–କିନ୍ତୁ

 

ଜୟନ୍ତ ସେମିତି ନିର୍ବାକ୍ ବସିରହିଥାଏ ।

 

ଚଷମା ତଳୁ ବିଦ୍ୟାଧର ରାୟ କହିଲେ, "ମୁଁ ଭାବିଲି, ମେଗାନିଜ୍‍ର ଏ ଇସ୍ୟୁଟା ନିଜେ ଆପଣଙ୍କୁ ଦେଇଯିବି । ଏ ବାବୁ ବାଣ୍ଟିବା କଥା । ସେ ଏଇଆଡ଼େ ଆସୁଥିଲେ । ମୁଁ ଭାବିଲି ଯେ ମୁଁ ନିଜେ ଦେଇଆସେ । ଏଥିରେ କେତେଖଣ୍ଡ ଲେଖା ଆପଣଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।

 

ଜୟନ୍ତ ପରିଡ଼ା ଧନ୍ୟବାଦ ଦେବାକୁ ଭୁଲିଯାଇଥିଲା ।

 

ଅଳ୍ପ ସମୟ ସେମିତି ଠିଆହେବା ପରେ ବିଦ୍ୟାଧର ରାୟ ଫେରିପଡ଼ି ଚାଲିଗଲେ । ତାଙ୍କ ମୁହଁରେ ମଧ୍ୟ କେମିତି ଗୋଟାଏ ହସ । ଆପ୍‌ପେୟା ଅନେକ ସମୟ ପରେ ଗଳିଚାହିଁଲା । ଅନ୍ଧାର ହୋଇଆସିଲାଣି; ସେ ପୁଣି ଘରକୁ ତ ଫେରିବ । ତା' ମୁହଁର ଛାଇ ବୋଧହୁଏ ଘରର ସ୍ଥିର ଛବିଟାକୁ ଚହଲେଇଦେଲା । ଜୟନ୍ତର ଆଖିପତା ମଟମଟ ପଡ଼ିଗଲା । ସେ ବାଁହାତରେ ଫୋନ୍ ଟେକି ଡାକିଲା–

 

ଇଏସ୍‌ ଥ୍ରି, ସିକ୍‍ସ, ନାଇନ୍ । ହଁ କିଏ ମୁଲଚାନ୍ଦ । ୟାର୍‌ ଆଜ୍‌ ସାମ୍‌ କୋ ହମାରେ ୟହାଁ ଆଓ ବହୁତ୍ ଜରୁରୀ ସମ୍‍ଝୋ ଆଚ୍ଛା ଆଚ୍ଛା ଉସେ ଭି ସାଥ୍ ଲେକେ ଆନା..ୱହି ଠିକ୍ ରହେଗା । ଆଚ୍ଛା ତୋ ଫିର୍ ସାଢ଼େ ଦଶ ବଜେ ନମସ୍ତେ, ନମସ୍ତେ ।

 

ବାବୁର ଜୋତା ଶବ୍ଦ ଅନ୍ଧାରରେ ମିଳେଇଗଲାବେଳେ ଆପ୍‌ପେୟା ଦରାଣ୍ଡି ଥଣ୍ଡା ଚା' ଯାକ ଶୋଷିପକୋଉଥାଏ ।

 

ଏବେ ସୁଜାତା ଦର୍ପଣ ଆଗରେ ଅନେକ ସମୟ ଧରି ବସି ରହିଯାଉଛି । ଚାରିକେରିଆ ବେଣୀ ଉପରେ ହାତ ଅଟକିଯାଉଛି । ଆଖିର ପତା ପଡ଼ୁନାହିଁ । ମନେ ହେଉଛି ଯେମିତି ଷ୍ଟୁଲଟାରେ ତା' ମାଟିପିଣ୍ଡଟା ବସିଛି; କିନ୍ତୁ ଆଖି ପହଁରିଯାଉଛି ଆଉ ଗୋଟିଏ ରାଜ୍ୟକୁ । ସେଇଠି ଜଗତ୍ ଗୋଟାଯାକ ମୁଗ୍‍ଧ । ସମସ୍ତେ କିଣିହେଲା ପରି ଆଖିରେ ଆଖିଏ ଲେଖା ଆଦର ନେଇ ତାକୁ ଘେରିରହିଛନ୍ତି; କିନ୍ତୁ ହଠାତ୍ କ'ଣ ଗୋଟାଏ ଭିତରେ ଚହଲିଗଲେ ସେ ମଟକା ମା ରି ଚେତା ଭିତରକୁ ଫେରିଆସୁଛି ।

 

'ଜୟନ୍ତ ନ ଆସିବାର ଆଜିକୁ ମିଶେଇ ମାସେ ଆଠଦିନ ହୋଇଗଲା । ସେ କ'ଣ ଏମିତି ବେଇଜ୍ଜତିଆ, ବେହିଆ ହେଇଚି । ତା' ସହିତ ଭଦ୍ର ବ୍ୟବହାର ନ କଲେ ସେ ଏ ଗବା ଗାଉଁଲିଆଙ୍କ ପାଖରେ କାହିଁକି ଓଳନାଳ ହେବ ? ମୂର୍ଖ, ଅଣମଣିଷଆଟାର ହାତ ଧରି ଏ ଜୀବନଟା ମାଟି ହୋଇଗଲା । ୟାକୁ କ'ଣ ଏବେ ବି କିଛି ବୁଝିବାକୁ ବାକି ଅଛି ?'

 

‘କିନ୍ତୁ ସତରେ କଣ ଜୟନ୍ତ ମୋ ପାଇଁ ଚିନ୍ତାକରେ ? ସେ ଏବେ ବଡ଼ ଅଫିସର । ତାକୁ କେତେ ଲୋକ ଆଶା କରି ଚାହିଁଥିବେ । ତାର ଅନୁଗ୍ରହ ପାଇଁ ଏମିତି କେତେ ଛୋଟକାଟିଆ କିରାଣି ନିଜର ସର୍ବସ୍ୱ ଦେଇଦେଉଥିବେ । ୟାଙ୍କର କିନ୍ତୁ ଆଉ ବୁଦ୍ଧି ହେଲା ନାହିଁ । ସାଆନ୍ତ କି ନା-!’

 

‘ଆଜି ତ ଗାଡ଼ି ମଗେଇପଠେଇଚି, ଦେଖାଯାଉ ! ଜୟନ୍ତ ସାଙ୍ଗରେ ଅରିସର୍ କ୍ଳବ୍‍କୁ ମୁଁ ନଯିବି କାହିଁକି ଯେ ? ଏଇ ଗଜେନ୍ଦ୍ର ତ ସେଠା ଦୁଆର ଡେଇଁବାକୁ ଅକ୍ଷମ । ନ ହେଲା, ମୁଁ ମୋ ବନ୍ଧୁ ସାଙ୍ଗରେ ଯିବାକୁ କ'ଣ ମନା ଅଛି ? ଲୋକେ ହୁଏତ ଭାବିବେ ମାର ଗୋଲି ଲୋକଙ୍କୁ । ମଣିଷ ଠିକ୍‌ ନିଜ ପରି ବଞ୍ଚିବାକୁ ହେଲେ ଏତେ କଥା ଏତେ ଲୋକଙ୍କୁ ଖାତିର କଲେ ଆଉ ଚଳିବ ନାହିଁ ।"

 

ଖୁବ୍‌ ଅସହିଷ୍ଣୁ ଭାବରେ ଷ୍ଟୁଲ୍‌ଟାକୁ ପେଲି ସେ ଉଠିପଡ଼ିଲା ।

 

'ଲେସେଡ଼ା, ଖୋସାମତିଆ କାହିଁକି ଏମିତି ଶାଢ଼ି ଟିଏ, ବଳାଟିଏ ଧରି ଆସି ଲଙ୍ଗରପଙ୍ଗର ହେଉଛି ? ଏବକୁ ନୂଆ ହେଇ ଘଇତାପଣିଆ ଶିଖିଲା ନା କ'ଣ ? ମାଇଚିଆ ଶାଢ଼ି ଗୁଡ଼ାକ କିନ୍ତୁ ଭାରି ବଢ଼ିଆ । କୁ'ଠୁ ଆଣି ଯୋଗାଡ଼ କରିଦେଉଛି । ଜୟନ୍ତ ସେଦିନ ସେ ସମ୍ବଲପୁରୀଟାକୁ ଖୁବ୍ ଏପ୍ରିସିଏଟ୍‌ କରୁଥିଲା । ଆଉ ଟ୍ୱିଙ୍କଲ୍ ଖଣ୍ଡ ମଧ୍ୟ ମନ୍ଦ ହେଇନି । ଏଣେ ଏମିତି ସବୁ ଯୋଗାଡ଼ କରୁଛି, ତେଣେ କ'ଣ ନା ସନ୍ଧ୍ୟା ହେଲେ ଛୁ –ଆଉ ଏ ଅଞ୍ଚଳରେ ଦେଖାନାହିଁ । ବାକି ରହିଲା ବାଲ୍ୟବନ୍ଧୁ ଜୟନ୍ତକୁ କହିଦେଇ ଯାଉଛି ନା ନାହିଁ, ବୁଝିବା କଥା ।'

 

ଦର୍ପଣକୁ ଚାହିଁ ଛୋଟ ଛୋଟ ଲହଡ଼ିରେ ହସିପକେଇଲା ସୁଜାତା । 'କେମିତି ସତେ ବୋକା ଲୋକଟାଏ ମ ! କିଛି ଏମିତି ଜାଣିପାରୁନାହିଁ ସତେ ?"

 

ହଠାତ୍ ସୁଜାତାର ରାସ୍ତା ଜଗି ଦିଶିଲା ଗୋଟାଏ ପାପୁଲି । ସେ ଯେମିତି ଖୁବ୍ ନୀରବରେ କିନ୍ତୁ ଖୁବ୍ ଦୃଢ଼ଭାବରେ ଜଣେଇଦେଉଛି–'ବାଆସ୍–ସେଇଠି ରୋକି ଯା ।'

 

ରାସ୍ତାର ଧଳା-ପୋଷାକ ସନ୍ତ୍ରୀଠଉଁ ମଧ୍ୟ ଆହୁରି ଅନୁପେକ୍ଷ୍ୟ ସେ ନିର୍ଦ୍ଦେଶ । ସୁଜାତା ଚମକି ପଡ଼ିଲା ।

 

‘ଆଚ୍ଛା, ସେ କ’ଣ ତା’ହେଲେ ସବୁ ଜାଣିଶୁଣି କୌଣସି ଉଦ୍ଦେଶ୍ୟରେ ଏମିତି କରୁଛି ?’

 

ମନେପଡ଼ିଲା ସେଦିନ କଥା । ବିଶ୍ୱମ୍ଭର ରାଗିଗଲେ ବେଶ୍ ଭୟଙ୍କର ହୋଇପାରେ । କ'ଣ ତା'ର ମନରେ ହୁଏତ ଥିବ; ନ ହେଲେ ସେ ଏମିତି କାହିଁକି କରନ୍ତା ? ଆଃ ! ଯାହା ହେଲେ ମଧ୍ୟ ଜୟନ୍ତ କଣ ତାର ଟକ୍‍କର ଦେଇପାରିବ ନାହିଁ ଯେ ଏତେ ଚିନ୍ତା ପଡ଼ିଚି ?’ ଦର୍ପଣରେ ତା'ର ଆଡ଼ପଣତିଆ ଦେହ ଦିଶିଗଲା । ଶୀତେଇ ଉଠିଲା ସୁଜାତା । ଆଖି ଦୁଇଟି ସ୍ଥିର ଅନେଇ ରହିଗଲେ ।

 

ଘଟଣାର ସତ୍ୟତା ଗୋଟିଏ ନିଃଶ୍ୱାସ ଭିତରେ ଜଳିଉଠିଲା । ତା ମଞ୍ଜ ଲଗାତ୍ କିଞ୍ଚିତ୍ ଥରିଗଲା ଗୋଟାଏ ଅଜ୍ଞାନ ବାତ୍ୟାର ଆବେଗରେ । ସୁଜାତା ବାରମ୍ବାର ଛେପ ଢୋକି ଗୋଟାଏ ଅନାତ୍ମୀୟ ଏଜଲାସ୍‍ରେ ଆଖିରେ ମଟକା ନ ପକାଇ ସବୁ ବୟାନ ଶୁଣିଗଲା । ଅନେକ ଚୋରି କରିବା ପରେ ଧରା ପଡ଼ୁ ପଡ଼ୁ ସେ ଖସିଯାଇଛି; ଏଥର କିନ୍ତୁ ଶୁଣିବାକୁ ହେବ ଚରମ ନିଷ୍ପତ୍ତି । ସାରା ସହର ହାଉ-ହାଉ କାଉ-କାଉ କରିପକାଇବେ । ବ୍ୟଭିଚାରିଣୀ ହେବା ତ ସମସ୍ତଙ୍କର ଇଚ୍ଛା-କିନ୍ତୁ ସେ ନିନ୍ଦା ସହିବା ଭଳି କେତେ ଜଣଙ୍କର ସାହସ ଅଛି ?

 

ସୁଜାତା ମନକୁ ମନ ଯେତେ ଦମ୍ଭ ଦେଲେ ମଧ୍ୟ ଓଠଯୋଡ଼ିକି ବାରମ୍ବାର ଶୁଖିଯାଉଥାଏ । ବିନା କାରଣରେ ସେ କ୍ଳାନ୍ତ ବୋଧ କଲା । ଆଖିଯୋଡ଼ିକ ବୁଜି ହୋଇ ଆସିଲା । ସେ ପ୍ରାୟ ଟଳିପଡ଼ିଲା ପାଖରେ ପଡ଼ିଥିବା ଆରାମଚୌକି ଉପରେ । କିଛି ସମୟ ତା' କାନ ପାଖରେ କେମିତି ଗୋଟାଏ ସାଇଁ ସାଇଁ ନିଶାର ଗର୍ଜନ, ବୁକୁ ଭିତରେ ଗୋଟାଏ ଦାଉଁ ଦାଉଁ ଶବ୍ଦ ଶୁଭିଲା । ଭୟଙ୍କର ସ୍ୱପ୍ନ ଦେଖିଲେ ଯେମିତି ହାଲିଆ ଲାଗିଯାଏ, ଗୋଡ଼ହାତରୁ ଜିଅ ଛାଡ଼ିଯାଏ, ସେମିତି ହାଲିଆ ବୋଧକଲା ସେ ।

 

ଖୁବ୍‌ ଅନ୍ଧାର ଆଉ ଖାଲୁଆ ଗୋଟାଏ ଅତଡ଼ା ଭିତରକୁ ସେ ଖସିଯାଉଛି । ଜୟନ୍ତ ଖୁବ୍ ଦୂରରୁ ହାତଟାଏ ହୁଏତ ବଢ଼େଇଚି; କିନ୍ତୁ ପହଞ୍ଚିପାରୁନାହିଁ । ଅତଡ଼ାଦାଢ଼ରେ ଅଣ୍ଟାରେ ଦୁଇ ହାତ ରଖି ଟହଟହ ହସୁଚି ବିଶ୍ୱମ୍ଭର । ସୁଜାତା ଖସିଯାଉଚି ସୁ'ସୁ ପବନ ଭିତରେ । ଦେହରେ ସୂତା କେରାଏ ନାହିଁ ଲାଜ ଘୋଡ଼େଇବାକୁ ।

 

ଅଳ୍ପକେ ସମ୍ଭାଳି ବସିଲା ଯେତେବେଳେ ବାଞ୍ଛା ଆସି କହିଲା, 'ବୋଉମା'–ଚା' ନିଅ ।' ଏତେ ଶୋଷ ମେଣ୍ଟଇଲା ଭଳି ସେ ବୋଧହୁଏ କେବେ ଚା’ ପିଇ ନଥିଲେ । ଚା’ର ବାମ୍ଫ କ୍ରମେ ଥଣ୍ତା ସ୍ନାୟୁଗୁଡ଼ାକୁ ହଲଚଲ କରିଦେଲା-ନାନା ସ୍ୱପ୍ନ ପୁଣି ସେ ବାମ୍ଫ ଭିତରୁ ଡେଣା ମେଲେଇ ବାହାରିବେ ।

 

'ଜୟନ୍ତ ଏଥିପାଇଁ ଦାୟୀ ବୋଲି ପ୍ରମାଣ କ'ଣ ? ଲୋକେ କହିଲେ କ'ଣ ହେଇଗଲା-? ବିଶ୍ୱମ୍ଭର କ'ଣ ଖୋଲାଖୋଲି ଏସବୁ ବିଚ୍‌ ବଜାର ଉପରେ କହିଦେଇପାରିବ ? ୟା ଆଗରୁ ସେ ତ କାହିଁ କିଛି କହିନାହିଁ, କିଛି ସନ୍ଦେହ ମଧ୍ୟ କରିପାରିନାହିଁ । ଏତେ ଦିନ ପରେ ବୋଧେ ପତିଦେବ ନୂଆ କରି ସନ୍ଦେହ କଲେ । ଓଃ ! ସେଥିପାଇଁ କ’ଣ ତା'ହେଲେ ସେ ଏମିତି କପଟରେ କରଛଡ଼ା ଦେଇ ବୁଲୁଚି ? ଏଣେ ସୁଆଗ ଦେଖେଇଲେ ଆମେ ହୁଏତ ତାର ଓଲାମିକୁ ସନ୍ଦେହ କରିବୁ ନାହିଁ–ତେଣେ କିନ୍ତୁ ସବୁଦିନ ସଞ୍ଜବେଳେ ଜାଣିଶୁଣି ଆଉ ଦେଖା ନାହିଁ । ଆଚ୍ଛା, ସେ ତା'ହେଲେ ଏଥର ଖୁବ୍ ସତର୍କ ହେଇଯାଇଛି । ସବୁ ଜାଣିଚ । ଆଗରୁ ଏପର୍ଯ୍ୟନ୍ତ ସବୁ କଥା ସନ୍ଦେହ କରିଚି ।'

 

ପୁଣି ଗୋଟିଏ କାକର ଅଜଗର ସୁଜାତାର ଗୋଡ଼ଆଡ଼ୁ ଗିଳିଆସିଲା ।

 

ସୁଜାତା କିନ୍ତୁ ଏଥିରେ ଏମିତି ହାରିଯିବା ମଣିଷ ନୁହେଁ । ଏଇଟା ବି ତା' ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ କାହିଁ ? ସେ ରାଧାରାଣୀ ଧାଈର ଅମୋଘ ଔଷଧ ଏଥର ତ ଜମା କାଟୁ କଲା ନାହିଁ । ବୋଧହୁଏ କୌଣସି ଡାକ୍ତରର ସାହାଯ୍ୟ ନେବାକୁ ହିଁ ହେବ । ଯାହା ହେଲେ ହେବ ସିନା, ଏ ରୋଗ ନିପାତ ନହେଲେ ନୁହେଁ । ଯଦି କିଛି ନ ଧରିଲା ତେବେ ଅଦାଲତ ଉପରେ ସାହସ କରି କହିବାକୁ ହେବ ଯେ ମୁଁ ଏଇଟା ପାଖରେ ଆଉ ରହିବାକୁ ଚାହେଁ ନାହିଁ; କିନ୍ତୁ ଜୟନ୍ତ କ'ଣ ତାପରେ ? –ଆଚ୍ଛା, ଦେଖାଯାଉ ।

 

"ଆରେ ବାଞ୍ଛା । ମୁଁ ଟିକିଏ ବାହାରକୁ ଯାଉଚି । ମୋ ପାଇଁ ରାନ୍ଧିବୁ ନାଇଁ । ମୁଁ କ୍ଳବ୍‍ରେ ଡିନର୍ ଖାଇ ଆସିପାରେ ।"

 

ବାଞ୍ଛା ଦେହସୁହା ଭଙ୍ଗୀରେ କେବଳ ଅନେଇଲା ମଙ୍ଗରାଜଘରର ବୋହୂକୁ ।

 

ବୁଢ଼ା ଏସବୁ ଦେଖିଲେ ବୋଧେ ପ୍ରାଣ ରଖନ୍ତା ନାହିଁ । କେଡ଼େ ଘର ଥାଟ, କେଡ଼େ ଘର ବୋହୂ । ସେ ଏମିତି ଦାଣ୍ଡୁଆ ହେଇ ପରଅଣ୍ଡିରା ସାଙ୍ଗରେ ରାତିରେ ଘରୁ ଗୋଡ଼ କାଢ଼ିବ, ୟା' କ'ଣ ବୁଢ଼ା ସାଆନ୍ତ ଦେଖିଲେ କଟୁରି ଚଳେଇଦିଅନ୍ତା ନାଇଁ । ହାଣିଦିଅନ୍ତା ନିଜେ ହାଣିଦେଇ ମରିଯାନ୍ତା ।

 

"କିରେ, କାହିଁକି ଏମିତି ଓଲାଭଗିଆ ! ପରି ବାଲୁବାଲୁ ଅନେଇ ଠିଆହେଉଚୁ ?–ନେ, ଏ କପ ପିଆଲା ଜଲଦି ଉଠା ।"

 

ବାଞ୍ଛା ମୁହଁକୁ କାହୁଁ ଗୋଟାଏ ମୁରବିପଣିଆ ଉତୁରି ଆସିଲା । ସେ ସେଇଠି ଠିଆରହି କହିପକେଇଲା, "ରାତିଟାରେ ମା' କାହିଁକି ଘରୁ ଏକୁଟିଆ ଯିବ ? ମୁଁ ଆଉ ସମ୍ଭାଳି ପାରୁନାହିଁ–ଏଗୁଡ଼ା କିଛି ଭଲ କଥା ନୁହଁ ।"

 

ଦହକା ନିଆଁ ରଡ଼ ଉପରେ ମୁଠାଏ ଝୁଣାଗୁଣ୍ଡ ବୁଣିହୋଇଗଲା ।

 

ଫାଉଁକିନା ଜଳିଉଠିଲା ସୁଜାତା । ସ୍ୱର ଏକାଥରେ ସପ୍ତମରେ । ଆଖି ତରାଟ ମାର୍‌ ନମାର୍‌ ହେଇ ଖିଙ୍କାରିଆସିଲା-‘‘ହଇରେ ପୋଇଲୀପୁଅ, କିଣା ମୁଣ୍ଡ ହେଇ ତୁ’ଟା ପୁଣି ହେଲୁଣି ମୋତେ ତିଆରିବାକୁ ? ହଇରେ, ଭଲ କଥା କ'ଣ, ମନ୍ଦ କଥା କ'ଣ ? ମୁଁ ତୋ' ବୋଲ ମାନି ଏଠି ଚଳିବି ? ହଇରେ, ବେଇମାନ୍, ନିମକହାରାମ, ରାସ୍କେଲ୍‌, ଇଡ଼ିଅଟ୍‌-ମାରିବି ଜୋତା ଯେ ତୋ’ କୁହାଳିଆପଣ ଛଡ଼େଇଦେବି ଏକାଥରେ । ନୌକରମୁଣ୍ଡ ହେଇ ଏତିକି ବହପ ତୋର ? କାଲି ନିକଲ୍‌ ଯା ତୁ ଏଇଠୁ । ତୁ ଏଠି ରହି ମତେ ଜଗିବୁ, ନାଇଁ ?"

 

"ତମେ ମଙ୍ଗରାଜଘର ବୋହୂଟି ବୋଉମା' ! ତମ କରଣା ତମକୁ ସୁନ୍ଦର ଦିଶୁଚିଟି । ମୋତେ ଜୋତା ମାରିବ ତ ? ବିଶୁବାବୁକୁ କୋଡ଼ରେ କାଖରେ ମଣିଷ କରି ଆସିଚି, ଏବେ ନ ହେଲା ତମ ହାତରେ ପାଣ୍ଢେଇ ଖାଇବି କ'ଣ ହେଲା ? ଏଡ଼େ ବଡ଼ ଘରର ଟେକ ତଳେ ପଡ଼ିଗଲେ ଦେହ ସୁହା ଯାଉନି ବୋଲି ଏତେ ଦିନ ସହି ସହି ଆଜି ମୁହଁ ଫିଟେଇଦେଲି । ତମେ ମତେ ନତଡ଼ ତଡ଼, ମୁଁ ନିଜେ କାଲି ବାହାରିଯିବି । ମୁଁ ଏଠି ଥିଲେ ତ ଅଡ଼ୁଆ ।"

 

"ହଇରେ ସ୍କ୍ର।ଉଣ୍ଡେଲ୍‌ କ'ଣ କହିଲୁ ? ତୁ ଥିଲେ ଏଠି ଅଡ଼ୁଆ ? ମୁଁ କ'ଣ ତତେ ଏଠି ଲୁଚିଚି ନା ଡରିଚି ? ନା କେଆର୍ କରିଚି ? ତୁ'ଟା ଗୋଟେ କୁକୁର । ତୁ କଣ ବଢ଼ି ବଢ଼ି ଏମିତି କଥା କହୁଚୁ ? ତୋ ବାବୁ ନାଇଁ ଯେ, ତା ବୋପ୍‍ପା ମଧ୍ୟ ତୋ ପିଠିରେ ପଡ଼ି ପାରିବ ନାହିଁ । ସିଧା ପୋଲିସକୁ ହେଣ୍ଡୋଭର୍ କରିଦେବି । ତୋ' ବାକ୍‍ସରେ ଗୋଟାଏ ହାର ଥୋଇଦେଲେ ଦଶବର୍ଷ ଘଣା ପେଲୁଥିବୁ । ହାଁଆରେ, ତୁ ମତେ ମାୟାଧର ରାୟର ଝିଅ ବୋଲି ଚିହ୍ନି ନାହୁଁ ପରା । ବାପା ଥିଲେ ଇଲାଗେ ତତେ ମଣିଷମାରୁରେ ଫାଶୀ ଚଢ଼େଇଦେଇଥାନ୍ତି ।"

 

ହାତର କପ୍‌ ପିଆଲା ଅଗଣାକୁ ଫୋପାଡ଼ି ଦେଇ ସୁଜାତା ଚିର୍‍ଚିରେଇ ଉଠିଲା । ସେମିତି ଉଦାସ ଆଖିରେ ଠିଆରହିଗଲା ବାଞ୍ଛା ।

 

"ନିକଲ୍‌ ଯା ମୋ ଘରୁ ଏଇଲାଗେ । ବାହାରି ଯା' ଏଇଠୁ । ଶାଲା ବାଷ୍ଟ।ର୍ଡ଼ ୟାଙ୍କ ଟେକ ତଳେ ପଡ଼ିଯାଉଚି । ତୁ କ'ଣ ଟେକ ଦେଖଉଚୁ ମାୟାଧର ରାୟର ଝିଅକୁ ବେ ? ଆରେ ତୁ, ତୋ ବୋପ୍‌ପା, ତୋ ବାବୁ, ଆଉ ତା ବୋପପା, ତାଙ୍କ ଚୌଦ୍ଦ ପୁରୁଷ ତ ଯେ ଠି ହଗିବେ ସେଇଠି ଖାଇବେ । ଲୁଗା ଖଣ୍ଡେ ପିନ୍ଧିବେ ନାହିଁ । ଦାନ୍ତରେ ବିଧେ ବହଳରେ ମଳି, ଦେହରେ ମଳି; ଘୁଷୁରି, ବଳଦ ପରି ଗନ୍ଧଉଥିବେ । ସେ କ'ଣ ଜାଣନ୍ତି ସୋସାଇଟି କ'ଣ, ସମାଜ କ'ଣ, ଚଳଣି କ'ଣ ? ମୋ ବାପ ଦାୟରେ ପଡ଼ି ସିନା ମତେ ଆଣି ଏଠି ମାଡ଼ିଦେଲା । ତୁ ଏବେ ମତେ ଦେଖଉଚୁ ଟେକ-। ଟେକ ନା ଆଉ କ'ଣ ବା ?"

 

ମୁହଁସଞ୍ଜବେଳେ ଆଗ ପଛ ହେଇ ପଶିଆସିଲେ ରବି ଆଉ ଛବି । ପାର୍କରେ ଖେଳି ଖେଳି ମୁହଁ ଦେହ ଝାଳ–ସରସର । କିନ୍ତୁ ଦାଣ୍ଡମଝିରୁ ମା'ର ପାଟି ଶୁଣିଦେଇଛନ୍ତି । ଆଖିରେ ଛଳ ଛଳ, କାଉଁକାଉଁଆ ଭୟ ନେଇ ପଶୁଛନ୍ତି ଟିପେଇ ଟିପେଇ । ଖେଳିସାରି ଆସିଲେ ଆଗ ବାଞ୍ଛା ସେମାନଙ୍କ କଥା ବୁଝେ । ତାଙ୍କୁ କୂଅମୂଳେ ପାଣି କାଢ଼ିଦିଏ, ରାତିଓଳି ତିଅଣ ଶାଗ କଥା ସୁଆଦିଆ ସୁଆଦିଆ କରି କହି ତାଙ୍କ ମନକୁ ରଞ୍ଜାଏ ।

 

ଆଜି ବାଞ୍ଛାକୁ ଏମିତି ହାଁ–କରି ଠିଆହୋଇଥିବାର ଦେଖି ସେମାନେ ମଧ୍ୟ ଆଗକୁ ପଛକୁ ଯାଇପାରୁନଥାନ୍ତି ।

 

ସୁଜାତା ବୁଲିପଡ଼ି ପୁଣି ଡ୍ରେସିଂ ଟେବୁଲ ଆଡ଼କୁ ଗଲା । ଅଳ୍ପ ଶୁଭିଲା ପରି ଗରଗର ହେଲା; କହିଲା, "କ'ଣ ନା, ଟେକ ତଳେ ପଡ଼ିଯାଉଚି । ହୁଃ, ନନ୍‌ସେନ୍‌ସ ।"

 

ଛବି ଚାହିଁଲା, ଅନେକ ବୁଝିଲାପରି । ରବି ଚାହିଁଲା ଛବିକୁ । ଦୁହେଁ ଅପସରିଗଲାବେଳକୁ ଦର୍ପଣ ଭିତରୁ ବୋଉ ଡାକିଲା, "ଆରେ ରବି !" –ବେଶ୍ ଚଢ଼ାଗଳା । କ'ଣ କହିବ କେଜାଣି ? ରବି ଚାହିଁଲା ଛବିକୁ, ଆଉ ମୋହିଁଲା ବୋଉ ଆଡ଼କୁ । ରବିଟା ଯେତେହେଲେ ଭାରି ସାହସିଆ–ଭାବିଲା ଛବି, ଆଉ ଆଡ଼େଇହୋଇ ଠିଆହେଲା ।

 

ରାଗ-ନିଆଁ ରେ ଉପରର ଟାଣପଣ ଜଳିଯାଉଛି । ସୁଜାତାର ମୁହଁ କାନ୍ଦୁଣୁ-ମାନ୍ଦୁଣୁ । ମୁହଁଜୋର୍‍ରେ ସିନା ସେ ଏତକ କହିପକେଇଲା–ତାକୁ ୟା ପରେ ଲାଗିଲା ଯେ ଭିତରୁ ଯେଉଁ ଭୟ ଆସିପାରୁନଥିଲା, ତା ପୁଣି ଶଟା ଦୋହଲାଇ ତା'ର ଲୋମଶ ପିଠି ଟେକୁଚି ।

 

ସୁଜାତା ରବିକୁ ବୁକୁ ଉପରକୁ ଆଉଜେଇ ନେଲା ମୁହୂର୍ତ୍ତକ ପାଇଁ । ମନେହେଲା, ସବୁ ସରିଗଲେ ଏଇ ବୋଧେ ଆଶ୍ରାଦେବ ତାକୁ ।

 

ପାପରେ ହଠାତ୍‌ ଚେଇଁଉଠିଲା ପରି ଆଡ଼େଇଦେଲା ତାକୁ । ପାଉଡ଼ର୍‌ ପଫ୍‍ଟାକୁ ଭୁସ୍ ଭୁସ୍ ବେକ ଚାରିଆଡ଼େ ଝାଡ଼ିଆଣି ସେ ଘର ଭିତରକୁ ପଶିଗଲା । ଦୁଇମିନିଟ୍ ଭିତରେ ତାକୁ ବାହାରିଯିବାକୁ ହେବ । ସମୟ ହୋଇଗଲା । ଜୟନ୍ତ ପରିଡ଼ା ତାକୁ ଠକିଦେଇ ପାରିବନାହିଁ । ରବି ବହୁ ଫିଙ୍ଗା-ଫୋପଡ଼ା ସହିଚି; କିନ୍ତୁ ସେଦିନ ତାକୁ କାହିଁକି କେଜାଣି ଭାରି ବାଧିଲା । ସେ କହୁଣିସନ୍ଧାରେ ମୁହଁ ଲୁଚାଇ ସକ୍‍ସକ୍ ହେଇ କାନ୍ଦିପକେଇଲା । କାହିଁକି କାନ୍ଦିଲା ସେ ନିଜେ ବୋଧହୁଏ ଜାଣିନାହିଁ । ତାକୁ ଭାରି କାନ୍ଦମାଡ଼ିଲା ବୋଉକୁ ଦେଖି ।

 

କୁଞ୍ଚଟାକୁ ସଜାଡ଼ୁ ସଜାଡ଼ୁ ଆସି ଠିଆହେଲା ସୁଜାତା । –"କିରେ କାନ୍ଦିଲୁ କାହିଁକି ? କ'ଣ ହେଲା ? ଏଟା ଗୋଟାଏ କାନ୍ଦୁରାଟାଏ ।" ପାଦ ତଳକୁ ଧଡ଼ି ଉପରକୁ ନଜର ଦେଇ ଏଇତକ ଭାରି ଅନ୍ୟମନସ୍କ ଭାବରେ ସେ କହିଲା । ତା'ପରେ ମୁହଁ ଟେକି ଚାହିଁଲା ରବିକୁ । ରବିର ପେଟ ଦି' ଭାଗ ହୋଇ କୋହ ଉଠୁଥାଏ ସତେ ବା' ଛେଉଣ୍ଡଟାଏ । ମୁହୂର୍ତ୍ତକ ପାଇଁ ସୁଜାତାର ପ୍ରଶ୍ୱାସ ବେତାଳିଆ ହୋଇଗଲା; କିନ୍ତୁ ପରିସ୍ଥିତି ଖୁବ୍ ଜରୁରୀ, କ'ଣ କରାଯାଏ ? ଫେରିଆସିଲେ ପିଲାଟା କଥା ବୁଝିହୋଇଯିବ ନାହିଁ ?

 

ଅଭ୍ୟାସରେ ବାଞ୍ଛାକୁ ଡାକ ପକେଇଥାନ୍ତା, କିନ୍ତୁ ଜଗିଦେଇ କହିଲା, "ହଇରେ ଛବି ! ବୁଝିବୁଟି ଇଏ କ'ଣ କହୁଚି ? ବାପପରି ଏଇଟା ବି ମାଇଚିଆଟାଏ ।"

 

ଅଗଣା ସେପାରିରୁ ଏତିକିବେଳେ ଗୋଟାଏ ଠାଇ ଠାଇ ହସ ଶୁଭିଲା । ସୁଜାତା ଆଦୌ ପ୍ରସ୍ତୁତ ନଥିଲା । ହଠାତ୍ ଫଣା ତୋଳି ରହିଥିବା ସାପଟାକୁ ଦେଖି ଚମକି ପଛକୁ ଘୁଞ୍ଚିଗଲାପରି ସେ କାନ୍ଥକୁ ଆଉଜି ଆସିଲା ମୁହୂର୍ତ୍ତକ ପାଇଁ ।

 

ବିଶ୍ୱମ୍ଭର ଆଉ ଦି' ଚାରି କୁହାଟ ହସିଦେଇ ଆସି ଅଗଣାରେ ଗମ୍ଭୀର ହୋଇ ଠିଆ ରହି ଅନେଇଲା । ରବି ସେମିତି ମୁହଁ ଘୋଡ଼େଇ ରଖିଥାଏ । ବିଶ୍ୱମ୍ଭର ସେ ଖେଳୁଆଡ଼ ପିଲାଟାକୁ ତାର ଝାଳରେ ଓଦା ଦେହକୁ ଥରେ କଟମଟ ଅନେଇଦେଲା । ଛବି ଦେଖିଲା, ବାପା ଭାରି ଭୟଙ୍କର ଦିଶୁଛନ୍ତି । ତାକୁ କାହିଁକି କେଜାଣି ଭାରି ଡର ମାଡ଼ିଲା । ସେ ରବି ପଛରେ ଗୋଟିଏ ହାତ ରଖି ତାକୁ ସେଇଠୁ ଚଲେଇ ନେଇଗଲା ।

 

ବିଶ୍ଵମ୍ଭର ଆଖି ଫେରେଇ ଦେଖିଲାବେଳକୁ ସୁଜାତା ତାକୁ ଚାହିଁ ଠିଆରହିଥାଏ । ପୁଣି ସେଇ କ୍ଷୟକାଶ ପରି ଦି'ଚାରି କଳ ଠୁ-ଠୁ ହସ ।

 

ବିଶ୍ଵମ୍ଭର ଆସ୍ତେ ମୁହଁ ବୁଲେଇ ଚାଲିଲା । ସୁଜାତା ଅନେଇଦେଲା ଘଣ୍ଟାକୁ । ଛ'ଟା ବାଜି ପଇଁଚାଳିଶ । ସାତଟା ତିରିଶରେ କ୍ଳବ୍ ସମୟ । ସେ ଚପଲରେ ଗୋଡ଼ ଗଳେଇଲା । ଆଉ ପଟେ ଥାଏ–ତା'ର ମନେହେଲା ଯେ ବିଶ୍ଵମ୍ଭର ଖୁବ ଗହୀରରେ ସବୁ କଥା ଜାଣେ; ତାକୁ ବୋକା ଠଉରେଇବା ଉଚିତ ହେଉନାହିଁ । ହୁଏତ ସେ ଭାରି ଡରୁଆ; କାମ ବେଳକୁ ହୁବ ପାଏ ନାହିଁ । ତା' ହାତରେ କିଛି ହେବନାହିଁ । ଜାଣୁନା ଯାହା ଜାଣିବାର ସୁଜାତା ଆର ଚପଲଟି ପିନ୍ଧିନେଲା । ତଥାପି କଥାଟା ଏମିତି ଖୋଲାଖୋଲି ଭାବରେ ହୋଇନଥିଲା ।

 

ସୁଜାତା ତା' ସ୍ୱାଭାବିକ ଭଙ୍ଗୀରେ ଅଗଣାଟାକୁ ପାରି ହୋଇଗଲା; କିନ୍ତୁ ତା' ମଞ୍ଜ ସେଦିନ ଟାଣ ଧରୁନଥାଏ । ସେ ତା ହାଡ଼ ଭିତରେ କେମିତି ଗୋଟାଏ ସିର୍‌ ସିର୍‌ ଅନୁଭବ କଲା । ମୁହଁରୁ ଗୁଡ଼ାଏ ନିଆଁ ର ହାଉ ଯେମିତି ବାମ୍ଫ ପରି ବାହାରିଆସୁଥାଏ । ହୋଇପାରେ ସୋଟା ହିଁ ସେମିତି ଲାଗୁଥିଲା ।

ତା ଗୋଡ଼ ବଳେ ରହିଗଲା । ପଛକୁ ବୁଲି ଚାହିଁଲା ସେ । ରୋଷଘର ପିଣ୍ଡାର ଖମ୍ବ ଦୁଇପାଖେ ଦୁଇଟି ମୁହଁ ତାକୁ ଅନେଇଛନ୍ତି । ରୋଷଘରେ ଆଣ୍ଠୁ ଉପରେ ମୁହଁ ଥୋଇ ବାଞ୍ଛା ତଳକୁ ଅନେଇ ବସିଛି । ନୌକର ପୁରୁଣା ହେଲା ବୋଲି କ'ଣ ମୁଣ୍ଡରେ ଚଢ଼ିବ ? ତାକୁ ବୁଝିବାକୁ ହେବ ଯେ ସେ ଯାହାହେଲେ ସୁଦ୍ଧା ନୌକର । ପୁଣି ଆଖି ପଡ଼ିଗଲା ସେ ନିଶ୍ଚଳ ମୁହଁଯୋଡ଼ିକ ଉପରେ । ଖୁବ୍ ଗୋଟିଏ ବିସ୍ତୀର୍ଣ୍ଣ ପଡ଼ିଆ ଉପରେ କାଉଁକାଉଁଆ ଦି'ପହର ଖରାରେ କାହିଁ ଉପରୁ ଗୋଟାଏ ଚିଲ ସତେ ବା କୁରୁଳି ଦେଲା । ଗୋଟାଏ ଖଣ୍ଡିଆଭୁତର ବତାସି ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଦହିଖୁଆ ପରି ମନ୍ଥି ଦେଲା ସେ ସମଗ୍ର ଭୂଖଣ୍ଡ । ମୁହଁ ବୁଲାଇ ଆଗକୁ ଯିବା ପରିବର୍ତ୍ତେ ସୁଜାତା ଚାହିଁଲା ତଳକୁ । ମୁହୂର୍ତ୍ତକ ପାଇଁ ମନେହେଲା, ଏଥରକ କ୍ଳବ୍‍କୁ ନଗଲେ ଚଳନ୍ତା ପରା । ତା'ପରେ କିନ୍ତୁ ମୁହଁଟାକୁ ଛିଞ୍ଚାଡ଼ି ନେଇ ସେ ସ୍ୱାଭାବିକ ଭଙ୍ଗୀରେ ଗୋଡ଼ ବଢ଼େଇଦେଲା । ଆଗରେ ଚାଲିଛି ବିଶ୍ୱମ୍ଭର । ଏବେ ଏଇଟା ନିତିଦିନିଆ କଥା । ସଞ୍ଜରେ ଗଲେ ସକାଳେ ସେ ଫେରୁଚି । ସୁଜାତା ବି ଖୁବ୍ ସହଜରେ ଗ୍ରହଣ କରିନେଲାଣି; କିନ୍ତୁ ଆଜି କ'ଣ ଗୋଟାଏ ଗୁରୁତର ଘଣ୍ଟାଚକଟା ହେଇଗଲା ଭିତରେ । ସେ ହଠାତ୍ ପଛରୁ ଡାକିଦେଲା–"କୁଆଡ଼େ ଯାଉଚ ?"

ପ୍ରଶ୍ନଟି ପାଇଁ କେହି ପ୍ରସ୍ତୁତ ନଥିଲେ ସୁଜାତା ମଧ୍ୟ । ଅପରିଚିତ ବିଦେଶୀଟିଏ ଯେମିତି ପାହାଚ ପାରି ହେଇ, କାହା କଥା ନଶୁଣି ଘର ଭିତରକୁ ପଶିଆସିଲା ।

ବିଶ୍ଵମ୍ଭର ଯେଉଁଠି ସେଇଠି ଅଟକିଗଲା । ପଛକୁ ନଚାହିଁ କେବଳ କାନେଇଲା । ସୁଜାତା ମନର ମଞ୍ଚ ଉପରେ ହଠାତ୍ ଗୋଟାଏ ବୈଠକ ରୁମ୍‌ରୁ ଭାରି ଭାରି ଆସବାବ ଉଠେଇ ନେବାକୁ ପଡ଼ୁଛି । ଏହି ମୁହୂର୍ତ୍ତରେ ଦୃଶ୍ୟ ବଦଳ ହେବାକୁ ହେବ । ଗୋଟିଏ ଲମ୍ବା ନିଃଶ୍ୱାସ ଭିତରେ ସେ ସଜେଇନେଲା ସେ ମଞ୍ଚଟିକୁ ଏବଂ ନିଜକୁ ମଧ୍ୟ ।

"ତୁମେ କୁଆଡ଼େ ଯାଉଚ ?"

ବହୁତ ପୁରୁଣା ଫୁଲ, ଅନେକ ପୁରୁଣା ବାସ୍ନା ମହକିଗଲା ପରି ଲାଗିଲା; କିନ୍ତୁ ଉତ୍ତରରେ ସେ ଠୁଁ–ଠୁଁ ହସ ଟିକିଏ । ଭାରି ବେଖାପିଆ । "ଓ, ସତେ କ'ଣ ତୁ ଜାଣିବାକୁ ଏତେ ବ୍ୟାକୁଳ ? ତୋର ସେଥିରେ ବିଶେଷ କିଛି ଯାଏ–ଆସେ ବୋଲି ତ ମୁଁ ଭାବି ପାରୁନାହିଁ ! ନନ୍‌ସେନ୍‌ସ ତୁ ମତେ ପଚାରିବାକୁ କିଏ ? ମୋ ଇଚ୍ଛାର ମୁଁ ମାଲିକ । ମୁଁ କାହାକୁ କୈଫିୟତ୍ ଦେବାକୁ ବାଧ୍ୟ ନୁହେଁ ।" ଏ ସମସ୍ତ କଥା ଗୋଟିଏ ଦରଫୁଟା ହସ ଭିତରେ ରୁନ୍ଧି ହେଇ ବାହାରିବାକୁ ଚେଷ୍ଟା କଲେ ତେଣିକି ଯାହା ଅବସ୍ଥା

ବିଶ୍ଵମ୍ଭର ଆଗେଇଲା । ପଛରୁ ଶୁଭିଲା, "ଟିକିଏ ଶୁଣିବ ?" ଆହୁରି ପଛରୁ ଗୋଟିଏ ମୁହଁ ଚମକି ଫିଟିଆସିଲା ଆଣ୍ଠୁ ଉପରୁ, ଆଉ ଦୁଇହଳ ଆଖି ବଲବଲ ଅନେଇଁ ରହିଲେ ପତା ନ ପକାଇ ।

ବିଶ୍ଵମ୍ଭର ପଛକୁ ନଚାହିଁ କେବଳ ଠିଆ ହେଇଗଲା । ଅଳ୍ପ ସମୟ ପରେ ଖୁବ୍ ଧୀରେ ବୁଲି ଚାହିଁଲା ସୁଜାତାକୁ । ସୁଜାତା ଏମିତି ତା ଆଗରେ ତଳକୁ ମୁହଁ ପୋତି ଲାଜେଇ ଠିଆହେବା ବହୁ ଦିନ ତଳେ ହୁଏତ ସେ ଦେଖିଥିଲା ।

ସୁଜାତା ପତା ତୋଳି ତା ବଡ଼ ବଡ଼ ଆଖିରେ ଥରେ ଚାହିଁଦେଇ ପୁଣି ନୁଆଇନେଲା । କହିଲା, "ତମେ ଆଜି କୁଆଡ଼େ ଯାଇପାରିବନାହିଁ ।" ବହୁ ବ୍ୟଞ୍ଜନାରେ ନଇଁପଡ଼ିଲେ ବହୁ ନରମ ଚିକ୍‌କଣ ମିଠା ଶବ୍ଦଗୁଡ଼ିଏ । ବିଶ୍ଵମ୍ଭରର ରୂଢ଼ିଆ ମୁହଁଟା ଟିକିଏ କୁଞ୍ଚ କୁଞ୍ଚ ହେଇଗଲା । ତା'ର ସେ ନିରକ୍ତିଆ ଓଠ ଆଉ ସେ ଗହିରିଆ ରଙ୍ଗିଲା ଆଖି ବେନାମୀ ମଶାଣି ଚଉତରା ପରି କୌଣସି ବାର୍ତ୍ତା ଦେଇପାରିଲେ ନାହିଁ ।

 

ସୁଜାତାର ବେଶ ଓ ଭଙ୍ଗୀ ଓ କଥା ସେଇ ମୁହୂର୍ତ୍ତକ ପାଇଁ ଖୁବ୍ ଭିଡ଼ାଭିଡ଼ି ହେଲେ ହାତ ଧରାଧରି ହୋଇ ମିଳିଯିବା ପାଇଁ, ଗୋଟାଏ ସୁରରେ କ'ଣଟାଏ କହିବା ପାଇଁ; କିନ୍ତୁ ସବୁ ବେତାଳିଆ, ବେସୁରା ହୋଇଯାଉଥାଏ । କାହାରି ସାଙ୍ଗରେ କାହାରି ମେଳ ହେଉ ନଥାଏ । ଫାଳେ ଘୋଡ଼େଇ ଦେଉ ଦେଉ ଆଉ ଫାଳେ ଦିଶିଗଲେ ଯେମିତି ହସ ମାଡ଼େ, ସେମିତି ବିଶ୍ଵମ୍ଭର ହସିଦେଲା । ତା'ର ସେ ଖୁ ଖୁ ହସଟି ଆସି ଠିଆହେଲା ଉଭୟଙ୍କ ମଝିରେ ।

 

ବିଶ୍ଵମ୍ଭର ରୂଢ଼ିଆ ଥୋଡ଼ ଉପରେ ହାତ ବୁଲେଇ ଚାହିଁଲା । ଆଖିରେ ଛୋଟିଆ ପ୍ରଶ୍ନଟିଏ । ସୁଜାତା କାନ୍ଥ ଆଡ଼କୁ ଚପଲ ଯୋଡ଼ିକ ଥୋଇଦେଲା । ରେଶମୀ ଚାଦର ପରି ଜଗତଜିଣା ହସଟିରେ ଘୋଡ଼େଇଦେଲା ସବୁକଥା । କାଳର ଗତି ବୋଧହୁଏ ପଛେଇଗଲା ଦଶବର୍ଷ । ଶାଗୁଆ ଡାଳଗୁଡ଼ାକରେ ବହୁରଙ୍ଗର ଫୁଲ । ଆକାଶରେ ଅନେକ ନୂଆ ମେଘ, ଅନେକ ମୟୂର । ଏସବୁ କେବଳ ବିଶ୍ଵମ୍ଭର ପାଇଁ । ସୁଜାତା ଯେମିତି ଏବଂ ଯେଉଁଥିପାଇଁ ଦଶବର୍ଷ ତଳେ ହସିଥିଲା, ଆଜି ସେମିତି, ସେତିକି ଜରୁରୀ ସେ ହସଟି । ତଳକୁ ଚାହିଁ ସେ କହିଲା, "ତମେ ଆଜି ଯାଅନାହିଁ ।"

 

ସବୁ ସତ୍ତ୍ୱେ ବିଶ୍ଵମ୍ଭର ଦୁଇଭାଗ ହୋଇଗଲା କି ? ନୂଆ ସ୍ୱପ୍ନର ଡାଳପତ୍ର ଶୁଖିଲା ଗଣ୍ଡି ଟାକୁ ଚାରିଆଡ଼ୁ ନେଳି ନେଳି ଛାଇରେ ଘୋଡ଼େଇ ଆସିଲେ ବୋଧହୁଏ ।

 

ମୁହୂର୍ତ୍ତକରେ କିନ୍ତୁ ହାତ ବାଜିଗଲା ସେଇ ଟାଆଁ ସା ରୂଢ଼ିଆ ଥୋଡ଼ ଉପରେ । ସ୍ୱପ୍ନ ତରଳି ବୋହିଗଲା । ବିଶ୍ଵମ୍ଭର ଦେଖିଲା ଯେ ସୁଜାତା ଆପ୍ରାଣ ଚେଷ୍ଟାକରୁଚି ତାକୁ ଫାନ୍ଦି ନେବାପାଇଁ ଗହୀର ପାଣି ଭିତରକୁ । କଥାରେ ଥୋପ, ଆଖିରେ ବଡ଼ଶୀ, ସର୍ବାଙ୍ଗରେ ଜାଲ ବିଛେଇ ଟାକି ରହିଛି । ନିଜକୁ ବଞ୍ଚେଇବା ପାଇଁ ସେ ବିଶ୍ଵମ୍ଭରକୁ ପେଲିଦେବାକୁ ଚାହେଁ ।

 

ନରମ ଅନ୍ଧାର ଭିତରେ ତା କାନ ପାଖରେ ସେ କହୁଛି–ଏଥର ପୁଅଟିଏ ହେଲେ ତା' ନାଁ ଦେବା 'ଜୟନ୍ତ' ।

 

ଆଗ୍ନେୟଗିରି ଭିତରୁ ଭୁସଭୁସ୍ ହୋଇ ଫୁଟିଲା ପାଉଁଶ, ପାଣି, ନିଆଁ ଉଦ୍‍ଗାର ହେଲାପରି ଗୋଟାଏ କ'ଣ ଶବ୍ଦ ହେଲା–ବିଶ୍ଵମ୍ଭର ବୁଲିପଡ଼ି ଦାଣ୍ଡଦୁଆର ଆଡ଼େ ଆଗେଇଗଲା । ସୁଜାତା–ରବିବୋଉ–ଛବିବୋଉ ସମସ୍ତେ ପଛରେ କୋଳାହଳ କରି ଦୂରେଇଗଲେ । ନଈ ଆରପାରିରୁ ବିଶ୍ଵମ୍ଭର ଆଉ କିଛି ଶୁଣିବାକୁ ପାଉନାହିଁ ।

 

ଛେଲୁଆଏ ଅପମାନ ଜଣେ ଯେମିତି ବେପରୁଆ ଭାବରେ ସୁଜାତା ମୁହଁ ଉପରକୁ ଛାଟିଦେଇ ଚାଲିଗଲା । ନିଆଁ ଝୁଲଗୁଡ଼ାକ ଧାର ଧାର ହୋଇ ଓହ୍ଲେଇ ଆସିଲା ତା' ଆଖିରୁ । ମାୟାଧର ରାୟର ଝିଅ ଲାଞ୍ଜ ଉପରେ ଠିଆହୋଇ ଫୁଫୁକାର କଲା । ନାକପୁଡ଼ାବାଟେ ବୁକୁଯାକର ନିଃଶ୍ୱାସ ଏକାବେଳକେ ବାହାରି ଆସି ପାରୁନଥାଏ । ପାଦଠଉଁ ମୁଣ୍ଡଯାଏ ଥରିଉଠୁଥାଏ ଗୋଟିଏ ବଳୁଆ ଉଜାଣିର ଚାପରେ ।

 

ସୁଜାତା ମୁହୂର୍ତ୍ତକରେ ଚପଲ ଯୋଡ଼ାକୁ ଲାତ୍‍ମାରି ଘୋଷାରି ନେଲା ଦାଣ୍ଡପିଣ୍ଡାକୁ । ରୋଡ଼୍ ଉପରେ ସେଇ ନିମ୍ବଗଛଟି ସେମିତି ଶାନ୍ତ ସେମିତି ନିର୍ବାକ୍ ଠିଆରହିଥାଏ ।

 

ନିମ୍ବଗଛ ଦାଢ଼ରେ ଶୋଇରହିଥାଏ ନିଛାଟିଆ ରୋଡ଼୍‍ । ଡାହାଣକୁ ବିଶ୍ଵମ୍ଭରବାବୁ ସୁଜାତା ଯୋଡ଼ିଏ ଧାର ପରି ବୋହିଚାଲିଗଲେ । କେହି ପଛକୁ ଲେଉଟି ଚାହିଁନାହିଁ ।

 

ନିମ୍ବଗଛ ମୂଳରେ ନିଃଶବ୍ଦରେ ଆସି ଠିଆ ହୋଇ ରହିଗଲେ ତିନୋଟି ଛୋଟବଡ଼ ଛାଇ-ବାତ୍ୟା ଶେଷରେ କପୋତପକ୍ଷୀ ପରି ରବି ଓ ଛବି ଆଶା ନେଇ ଠିଆହେଲେ ସେଇଠି । ନିମ୍ବଗଛ ଓ ବାଞ୍ଛା ମିଶି ସେମାନଙ୍କ ଉପରେ ବହୁ ପ୍ରସାରିଦେଲେ । କିଛି ନ ବୁଝିଲେ ବିକଟାଳ ରାତିଟାରେ ଭୟରେ କାନ୍ଦମାଡ଼େ । ସେଇ କାନ୍ଦକୁ ବୋଧ କରୁ କରୁ ସେମିତି କାନ୍ଦୁରା ସ୍ୱରରେ ବାଞ୍ଛା କହିଲା, "ଆମର ଚାଲ, ଜେଜେବାପାଙ୍କ ପାଖକୁ କାଲି ପଳେଇବା !"

 

ଜୟରାମଙ୍କ ଇସ୍ତଫା ଏବେ ମଧ୍ୟ ଗୋଟିଏ ରହସ୍ୟ । ବହୁଲୋକଙ୍କ ଧାରଣା ଯେ ସେ ଅଣାୟତ୍ତରେ ପଡ଼ି ଚାକିରି ଛାଡ଼ିଦେଲେ । ତାଙ୍କର ଚାକିରିଆ ମନ ହୁଏତ କେତେବେଳେ ନଥିଲା । ନୀତିନିୟମରେ ମୁହଁ ଖୋଲି ଦି’ପଦ କହିଦେବା ଲୋକ ସବୁବେଳେ ଚାକିରିକୁ ହାତମୁଠାରେ ଧରି ଖେଳେ । ବୋଧହୁଏ ଝିଅଟା ହିଁ ତାଙ୍କର ଶେଷ ଦାୟ ଥିଲା । ତାକୁ ବିଦାକରିଦେବା ପରେ ଆଉ ମୁଣ୍ଡ ବିକି ପଡ଼ିରହିବାକୁ ସେ ପସନ୍ଦ କଲେ ନାହିଁ । ସେ ହୁଏତ ବଳେ ଇସ୍ତଫା ଦେଇଥାଆନ୍ତେ । ଖଚମିଛ ଦି'ପଦ ତାଙ୍କ ନାଁରେ ଯୋଡ଼ିଦେବାରୁ ଆହୁରି କଥାଟା ଆଗେଇଗଲା । ତଥାପି ଯେ ଅନ୍ୟାୟ କେବେ ସହି ନାହିଁ, ସେ କେମିତି ମିଛ ଅଭିଯୋଗଗୁଡ଼ାକୁ ପ୍ରତିବାଦ ନକରି ଏମିତି ମାନିନେଲା । ପଞ୍ଝେ ମଝିରେ ମଝିରେ ଫସୁରୁଫାସୁରୁ ହୁଅନ୍ତି । ଏଣିକି ଦାଣ୍ଡରେ ଘାଟରେ ଜୋର୍ ଦେଇ ଶୁଣେଇ ଶୁଣେଇ କହିଲେଣି ଯେ ନିଆଁ ନଥାଇ କ'ଣ ଧୂଆଁ ଅଛି ? କ'ଣ ଟିକିଏ କଥା ସେଥିରେ ଥିବ ନା ! ସେ ବିରାଡ଼ିବୈଷ୍ଣବ ସାଜି ବେଶି ଦିନ ଆଉ ଲୁଚିପାରିଲା କାହିଁ । ଧରାପଡ଼ି ଲୋକହସା ହେବା ପୂର୍ବରୁ ଇସ୍ତଫା ଦେଇ ଖସିଆସିଲା । ଜାତିଆ ଘରର ପିଲା । ବାପଟା ତ' ପଣ୍ଡିତ । ହାତେ ବୋଲି ଭୂଇଁ ନଥାଏ । ତଥାପି ନାକ ଟେକି ବାଟ ଚାଲୁଥାଏ ତା' ବାପ । ଗୋଟାଏ କୋଟିପତିର ଉଜଟାଣ । ପୁଅର ବି ସେମିତି ମଗରା । କାହାକୁ ଖାତିରକୁ ଆଣିବ ନାହିଁ । ସେମିତି ଲୋକଙ୍କ ନାକ ଘୋରି ହେବନାହିଁ ତ ଆଉ କାହାର ହେବ ? କ'ଣ ନା ଆମେ ଖଣ୍ଡାଧାରରେ ଚାଲିବା ଲୋକ-ଲଇଁବା ଆମ ଜାତକରେ ନାହିଁ ! ହୁଃ ! କେମିତି ଲାଞ୍ଜ ଲୁଚେଇ ଚୋରଙ୍କ ପରି ଇସ୍ତଫା ଦେଇ ପଳେଇଅଇଲ ।

 

ଜୟନ୍ତ ପରିଡ଼ା ଅଫିସରେ କିନ୍ତୁ ସମସ୍ତେ ଜାଣନ୍ତି ଯେ ସେସବୁ ମିଛ । ତେବେ ଜୟରାମବାବୁ ନ ଲଢ଼ି ଏମିତି ଓହରିଯିବା ତାଙ୍କୁ ବି କେମିତି ଆଶ୍ଚର୍ଯ୍ୟ ଲାଗୁଛି । ଯେଉଁ ଲୋକ ଗୋଟିଏ ପିଅନ୍‍ର ପେନ୍‌ସନ୍‌ ପାଇଁ ସରକାର ତଣ୍ଟିରେ ଦାନ୍ତ ଲଗେଇ ଦୁହିଁଆଣିଥିଲା, ସେ ତା' ନିଜ ବେଳକୁ ଏମିତି ଧିମେଇଗଲା କାହିଁକି ? ସଫା ସଫା ପ୍ରତିବାଦ କାହିଁକି କଲା ନାହିଁ ?

 

ବିଦ୍ୟାଧର ରାୟ ବାଟରେ ଆସୁ ଆସୁ ପ୍ରାୟ ଏଇଆ ଚିନ୍ତା କରି ଆସୁଥିଲେ । ଜୟରାମ ବାବୁ କ'ଣ ସତରେ ଗୋଟିଏ ଡରୁଆ; ନା ତା ଭିତରେ କେଉଁଠି କିଛି ଦୁର୍ବଳତା ଲୁଚିରହିଛି ? ଆଜି ପଚାରିଦେଲେ କ୍ଷତି କ'ଣ ?

 

ଏବେ ଜୟରାମ ଆସି ଗୋଟେ ଶସ୍ତାଘରେ ଭଡ଼ା ନେଇ ଅଛନ୍ତି । ତାଙ୍କ ରିକ୍‍ସାଖଣ୍ଡ ମାଣିକ ସାହା ଶେଠ କିଣି ନେଇ ଭଡ଼ା ଲଗେଇଦେଲା । ଗୋଟେ ତେଲେଙ୍ଗା ତାକୁ ବୁହାଉଛି । ମଝିରେ ଏମିତି ଥରେ ରିକ୍‍ସା କରି ଗଲାବେଳକୁ ଜୟରାମ ବସୁ ବସୁ ଚିହ୍ନିଦେଲେ । ହ–ଅ–ଅ ଏମିତି ବି ହୁଏ । କାଲୁ ବହୁତ କାନ୍ଦିଲା । ଏବେ ବି କେବେ କେମିତି ଫିଟି ଚାଲିଆସେ । ଉପରେ ପଡ଼ି ଘରଖଣ୍ଡ ଓଳେଇଦିଏ । ବୋଲ–ହାକ କ'ଣ ଟିକିଏ କରିଦେଇ ପିକା ପାଇଁ ଚାରିଅଣା ନେଇ ନିଶା ଖାଇଦିଏ ।

 

ଦି'ପହର ସମୟଟା ଜୟରାମବାବୁ ଘରେ ଅବଶ୍ୟ ଥିବେ ଭାବି ବିଦ୍ୟାଧର ରାୟ ଛକ ପାଖରୁ ନିଘା କରି ଦେଖିଲେ । କବାଟରେ କୋଲପଟିଏ ଝୁଲୁଛି । ନା, ଭିତରୁ ବନ୍ଦ ଅଛି ତାଙ୍କୁ ଦିଶିଲା ସେମିତି । ତା ହେଲେ ଆସିବା ବୃଥା ହେଇନାହିଁ ।

 

କବାଟରେ ହାତ ଦେଉ ଦେଉ ଫିଟିଗଲା । ସିଗ୍ରେଟ୍‌ ଧୂଆଁ ଭିତରେ ବିଦ୍ୟାଧରବାବୁ ପଶୁ ପଶୁ କହିଲେ–"ଜୟରାମବାବୁ ଅଛନ୍ତି କି ? "ଟିକିଏ ଅପ୍ରସ୍ତୁତ ହୋଇ; ମୁଁ ଆସିପାରେ କି ?"

 

ଗୋଟିଏ କୋଠରି । ବୋଧହୁଏ ଦଶଫୁଟରେ ଦଶଫୁଟ । ସେଥିରେ ଖଣ୍ଡିଏ ଖଟ, ଖଣ୍ଡିଏ ଟେବୁଲ, ଖଣ୍ଡିଏ ଚୌକି । ଚୌକିଟିକୁ ଦେଖାଇ ଜୟରାମ କହିଲେ, "ବସନ୍ତୁ ।"

 

ଚାରିଆଡ଼କୁ ଆଖି ପକେଇ ସାରି ବିଦ୍ୟାଧର ରାୟ କହିଲେ, "ଆଉ ଆପଣଙ୍କର କ'ଣ ଏବେ କାମ ଚାଲିଛି ? ସେଦିନ ଆପଣ ଆମ ପାର୍ଟି-ଅଫିସ୍‍ରେ ସବୁ ସମ୍ପର୍କ ଛିଣ୍ଡେଇ ଦେଇଆସିଥିଲେ ମଧ୍ୟ ମୁଁ ଭାବିଲି ଯେ ଆମର ବ୍ୟକ୍ତିଗତ ସମ୍ପର୍କଟା ତ ଅନ୍ତତଃ ରହିବାରେ କିଛି ଆପତ୍ତି ନାହିଁ ! ନହେଲା ବା ଆପଣଙ୍କ ଯୁକ୍ତି ଭିନ୍ନ; ମୁଁ ସେ ସବୁ ଗ୍ରହଣ କରିପାରୁନାହିଁ । ତେବେ ଆପଣଙ୍କୁ କ'ଣ ଜଣେ ସୁହୃଦ୍‌ କରିପାରିବାର ମୋର ଯୋଗ୍ୟତା ନାହିଁ ?"

 

"ଆପଣ ଦ୍ୱି ତୀୟ ଲେଖା ଖଣ୍ଡ ମୋଠାରୁ ଆଦାୟ କରିନେବାର ଦିନ କେବେ ?"

"ମୁଁ ତ ସେଥିପାଇଁ ଆସିନାହିଁ ।"

 

‘‘ସେଥିପାଇଁ ମୋଟେ ନ ଆସିଲେ ମଧ୍ୟ ଚଳିବ-କାରଣ ମୁଁ ଆଉ ଲେଖିବି ନାହିଁ ବୋଲି ସ୍ଥିର କରିଛି ।

 

‘‘ବଡ଼ ଅଦ୍ଭୁତ ଲୋକ ତ ଆପଣ ! ଆପଣ ପରା ମୋତେ କଥା ଦେଇଥିଲେ ? ବିନା କାରଣରେ ଏଭଳି କାହିଁକି ସ୍ଥିର କରିପକାଇଲେ ଅଖାଡ଼ୁଆଙ୍କ ପରି ?’’

 

ଅଳ୍ପ ହସିଲେ ଜୟରାମବାବୁ ।

 

‘‘ଅଖାଡ଼ୁଆର ଗୋଟାଏ କିଛି ଅର୍ଥ ଅଛି; କିନ୍ତୁ 'ଖାଡ଼ୁଆ'ର ତ କିଛି ମାନେ ନାହିଁ । ତା ପରେ ମୁଁ କୌଣସି ବିଷୟ ସ୍ଥିର କରିବାକୁ ଗଲେ, ସକାରଣ କରେ କି ଅକାରଣ କରେ ସେଇଟା କଣ ମୋତେ ବୁଝାଇବାକୁ ପଡ଼ିବ ?"

 

‘‘ତା ଅବଶ୍ୟ କେହି କହୁନାହିଁ; କିନ୍ତୁ କୌଣସି ଆଚରଣ ବୁଝା ନ ପଡ଼ିଲେ ଲୋକେ ପୁଣି ସନ୍ଦେହ କରିବେ ତ ।"

 

‘‘କରନ୍ତୁ ।’’

 

Unknown

ବିଦ୍ୟାଧର ରାୟ କାହାଠାରୁ ଫିଙ୍ଗା-ଫୋପଡ଼ା ସହନ୍ତି ନାହିଁ । ହଠାତ୍ ପଚାରିଲେ, "ଏଇ ଧରନ୍ତୁ ଆପଣଙ୍କ ଇସ୍ତଫା କଥା । ଯଦି କେହି ଭାବେ ଯେ ଆପଣ ସବୁ ଅଭିଯୋଗ ସ୍ୱୀକାର କଲେ ବୋଲି, ବିଶେଷ କିଛି ଭୁଲ ହେବ କି ? ଆପଣ ସେ ଟୋକାଟାକୁ ସାବାଡ଼ ନ କରି ଏମିତି ପଛଘୁଞ୍ଚା ଦେବାଦ୍ଵାରା ଜଣାଗଲା ଯେ ହୁଏତ ଆପଣ ତାକୁ ଡରନ୍ତି ଏବଂ ଜାଣିଶୁଣି ଅନ୍ୟାୟ ଆଗରେ ମୁଣ୍ଡ ନୁଆଇ ଦିଅନ୍ତି ବା ଅଭିଯୋଗଗୁଡ଼ାକ ପ୍ରତିବାଦ କରି ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ଆପଣଙ୍କୁ ସୁବିଧାଜନକ ବୋଧ ହେଲାନାହିଁ । ସମୟ ସମୟରେ ଏଭଳି ଯୁକ୍ତି ମଧ୍ୟ ମୋ କାନରେ ପଡ଼ୁଛି ।"

 

‘‘ଆପଣଙ୍କ କାନରେ ପଡ଼ିଛି ହୁଏତ ପ୍ରମାଣସାପେକ୍ଷ; କିନ୍ତୁ ମୋ କାନରେ ଯେ ବର୍ତ୍ତମାନ ପଡ଼ିଲା, ଏଥିରେ ସନ୍ଦେହ ନାହିଁ । ମନେକରନ୍ତୁ ଏଇଟା ଆପଣଙ୍କ ଯୁକ୍ତି ।"

 

"ଓହୋ, ଆପଣ ତ ସବୁ କଥା ଏମିତି ଅବାଗେ ବୁଝିବେ । ମୁଁ କ'ଣ ଆପଣଙ୍କୁ ଜାଣିନାହିଁ, ନା ଜୟନ୍ତ ପରିଡ଼ାକୁ ଚିହ୍ନି ନାହିଁ ? ସେଗୁଡ଼ାକ ମୁଁ କାହିଁକି କହିବାକୁ ଯିବି ? ମୋର କହିବାର ଅର୍ଥ ହେଲା ଯେ ଆପଣଙ୍କ ପରିସ୍ଥିତିରେ ଥିଲେ ହୁଏତ ମୁଁ ଶେଷ ପର୍ଯ୍ୟନ୍ତ ନ ଲଢ଼ି ହଟି ନଥାନ୍ତି । ମୁଁ ଜାଣେ ଯେ ଆପଣ ମୋ ଚାହି କମ୍ ଲଢ଼ୁଆ ନୁହନ୍ତି । ସେଇଥିପାଇଁ ଆପଣ ଇସ୍ତଫା ଦେବା କଥାଟା ମୁଁ ମଧ୍ୟ ଠିକ୍‌ ବୁଝିପାରିନାହିଁ ନାଇଁ ଜୟରାମବାବୁ ! ଆପଣ ସତେ କାହିଁକି ଇସ୍ତଫା ଦେଲେ ଯେ ?’’

 

"ତା'ହେଲେ କ'ଣ ଆପଣ ଆଶା କରୁଛନ୍ତି ଯେ ଜୟନ୍ତ ପରିଡ଼ାର ଇଜଲାସ୍‌ରେ ନିଜକୁ ନିର୍ଦ୍ଦୋଷ ବୋଲି ଜାହିର୍ କରିଥାନ୍ତି ? ଗୋଟାଏ ସୀମା ଭିତରେ ଅଭିଯୋଗଗୁଡ଼ାକ ବିଚାରଯୋଗ୍ୟ–ତା' ବାହାରେ ନୁହେଁ । ସେମିତି ଗୁଡ଼ାଏ କିଏ କ'ଣ କହିଦେଲେ ଯେଉଁଠି ମନ ସେଇଠି ମୁଁ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିଚାଲିଥିବି ରିଡ଼ିକ୍ୟୁଲସ୍ !! ତଥାପି ମୁଁ ଜଣେ ଯେ ଦୁର୍ଭାଗ୍ୟବଶତଃ ସତଟାକୁ ବାରଂବାର ପ୍ରତିଷ୍ଠା କରିବାକୁ ପଡ଼େ, ଧର୍ମଟାକୁ ବାରମ୍ବାର ସ୍ଥାପନ କରିବାକୁ ପଡ଼େ । ସୀତାଙ୍କୁ ବାରମ୍ବାର ଅଗ୍ନିପରୀକ୍ଷା ଦେବାକୁ ପଡ଼େ । ଅଦ୍ଭୁତ ସଂସାର ! ଆମେ ରାତି ଗୋଟାକ ଭିତରେ ସୂର୍ଯ୍ୟକୁ ଭୁଲିଯାଉ ବୋଲି ସେ ବିଚରା ପ୍ରତିଦିନ ସକାଳୁ ମୁହଁ ଟେକି ନିଜକୁ ସାବ୍ୟସ୍ତ କରିଚାଲିଥାଏ; ଅନ୍ଧାର ପାଇଁ କିନ୍ତୁ ଆମେ କିଛି ପ୍ରମାଣ ଚାହୁଁ ନା । ସେଇଟା ଆମର ଖୁବ୍ ପରିଚିତ ଭିତିରିଆ ଉପାଦାନଟାଏ ତ !"

 

"ତା'ହେଲେ ଆପଣ ତ ନିଶ୍ଚୟ ପ୍ରତିବାଦ କରି ନିର୍ଦ୍ଦୋଷତା ସାବ୍ୟସ୍ତ କରିବାର ପ୍ରୟୋଜନ ଥିଲା !"

 

ଜୟରାମଙ୍କର ଆଖି ଯୋଡ଼ିକ ସରୁଆ ହୋଇ ଦାଢ଼ୁଆ ଦେଖାଗଲା । ସେ ଖୁବ୍ ଅପ୍ରତ୍ୟାଶିତ ଭାବରେ କହିଲେ, "ଆପଣଙ୍କୁ ଯଦି କୁହାଯାଏ ଯେ ଆପଣଙ୍କ ଘରର ଚାକରାଣୀ ଟୋକୀ ସହିତ ଆପଣଙ୍କ ଅଶ୍ଳୀଳ ସମ୍ପର୍କ ଅଛି, ଆପଣ ନିଜର ନିର୍ଦ୍ଦୋଷତା ସାବ୍ୟସ୍ତ କରିବେ ?"

 

ବିଦ୍ୟାଧର ରାୟ ହଠାତ୍ ଖେଁ ଖେଁ ହୋଇ ହସିପକେଇଲେ । ଶେଷଆଡ଼କୁ ଜୟରାମ ମଧ୍ୟ ତାଙ୍କ ସାଙ୍ଗେ ମିଶିଗଲେ । ବିଦ୍ୟାଧର ରାୟଙ୍କ ଚାକରାଣୀ 'ଟୋକୀ ଟିର ବୟସ ଅଣଷାଠିଏ । କାଳୀ, କାଣୀ, କାବେଡ଼ିଟିଏ । ଦେଖିଲେ ଦୟା ବା ଘୃଣା ବ୍ୟତିରେକେ ଅନ୍ୟ କୌଣସି ଭାବର ଉଦ୍ରେକ ହେବା ମଣିଷ ଚରିତ୍ରର ସମ୍ଭବ ନୁହେଁ । ହସୁ ହସୁ ବିଦ୍ୟାଧର ରାୟ କହିଲେ–"ହଁ, କଥାଟା ପ୍ରାୟ ସେଇଆ ନୁହେଁ ତ ଆଉ କ'ଣ ?"

 

ପରିହାସର ଉଷ୍ମା ଆସ୍ତେ ଆସ୍ତେ ମଉଳିଗଲା । ଉଭୟେ ତା'ପରେ ସେଇ ପାଞ୍ଚମିନିଟ୍ ଭିତରେ ପୁଣି ପଚିଶ ବର୍ଷ ଲେଖାଁ ପାକଳ ଧରିଗଲେ । ଜୟରାମ ଦିଶିଲେ ପୂର୍ବପରି ଉଦାସ; ଆଉ ବିଦ୍ୟାଧର ରାଏ ଦିଶିଲେ ସେମିତି ଚିନ୍ତାର ପ୍ରକାଣ୍ଡ ବୋଝତଳେ ନଡ଼ଥଡ଼ ।

 

କିଛି ସମୟ ହାତ ଲେଡ଼ା ଉପରେ ଥୋଡ଼ ରଖି ଶୂନ୍ୟକୁ ମିଟିମିଟି ଅନେଇ ରହିବାପରେ ବିଡ଼ବିଡ଼ ହେଲାପରି ସେ କହିଲେ–"ଆଉ ନୁହେଁ ! ସଂସାରଟାକୁ ପାରିଲା ପରି ଲାଗୁନାହିଁ ! କେମିତି ଗୋଟାଏ ହତାଶ ଲାଗିଲାଣି ।" ସତେବା ତାଙ୍କ ନିର୍ଜନ କୋଠରିରେ ରାତି ଅଧରେ ନିଜର ବୟସ ହିସାବ କରୁ କରୁ ବିଦ୍ୟାଧର ମନକୁମନ ଏତକ କହିପକାଇଲେ ।

 

ଜୟରାମ ସିଗ୍ରେଟଖଣ୍ଡ ଟାଣୁଥାନ୍ତି । ବିଦ୍ୟାଧରବାବୁ ପୁଣି କହିଲେ, "ଏ ମଣିଷଗୁଡ଼ାକ କ'ଣ ସେଇମିତି ରହିଯିବେ ? କିଛି କରିହେବ ନାହିଁ ଏମାନଙ୍କ ପାଇଁ ? ଯେ ଯାହା ପାରିଲା ଖାଇଗଲା ତା ପାଇଁ ପ୍ରତିକାର ନାହିଁ ? ଜୟନ୍ତ–ପରିଡ଼ା ସମସ୍ତଙ୍କ ଉପରେ ଗାଡ଼ି ମଡ଼େଇ ଚାଲିଯିବ–ଅଥଚ ଦୋଷୀ ଭଳି ଆମେ ସବୁ ସହିଯିବା ?"

 

ବିଦ୍ୟାଧରବାବୁ ତାଙ୍କ ଅସହାୟତାର ନିର୍ଜନ କୋଠରିରୁ ଚାଲିଆସିଲେଣି କୌଣସି ଗୋଟିଏ ଅପରାହଣ ସାଧାରଣ ସଭାର ମଞ୍ଚ ଉପରକୁ ।

 

‘‘ଆମେ ତ କ୍ଳୀବ ନୋହୁଁ । ନହେଲା ବା ଆମେ ସାରା ସମାଜର ବିଷାକ୍ତ ନାହୁଡ଼ଟାକୁ ଭାଙ୍ଗି ନପାରିଲୁ- ଅନ୍ତତଃ ସେଇଟା ଅଛି ଏବଂ ସମସ୍ତେ ମିଶିଲେ ତାକୁ ଭାଙ୍ଗି ଦେଇ ପାରିବା ବୋଲି ତ ହିମ୍ମତ୍‌ ଯୋଗାଇ ଦେଇପାରନ୍ତେ ! ଗୋଟାଏ ଗୋଟାଏ ମଣିଷଖିଆକୁ ଘେରି ଗୁଳିକରିଦେଲେ ତ କିଛିଟା ନିରୀହ ଗୋରୁ ବଞ୍ଚିଯାନ୍ତେ !’’ ବିଦ୍ୟାଧର ରାୟ କଥାରେ କମାଣ ଖଞ୍ଜି ବକ୍ତୃତା ଦିଅନ୍ତି । ନିଆଁ ଜଳିଲା କହିଲେ ସତକୁ ସତ ଆଖିରେ ନିଆଁ ଜଳିଉଠେ । ସାରା ସଂସାରଟାକୁ ସେ କୁଟାଖିଏ ପରି ଜାଳିଦେଇ ଚାଲିଯାଆନ୍ତି । ଆଜି କିନ୍ତୁ ଭାରି ଦିକ୍‌ଦିକ୍‌ ହୋଇ ସେ ଝୁଲ ଦହକୁଚି; ତେଜ ନାହିଁ । ଯେମିତି ଗୋଟାଏ ନେସେଡ଼ିଯାଇଛି ତାଙ୍କର ସବୁ ତମ୍ବୁ ଚାନ୍ଦୁଆର ଅଟାଟୋପ ।
 

ଜୟରାମବାବୁଙ୍କ ଉଦାସ ଆଖି ଆଗରେ ପାତଳ ମେଘପରି ସବୁ ଧୂଆଁ ପହଁରିଗଲା । ଭିତରେ ଖୁବ୍ ଗହୀରରୁ ଅପସରିଗଲା ନେଳି ନେଳି ଆକାଶ । ଭାରି ନିର୍ଜନ ବୋଧ ହେଲା ଘରଟା ସାରା । ସାମନା ରୋଡ଼୍‍ରେ ଗୋଟାଏ ମୋଟର ସାଇକଲ୍ ଦୂରରୁ ଆସି ଦୂରକୁ ଚାଲିଗଲା । ଉଭୟେ ହୁଏତ ଚାହିଁ ଚାହିଁଲେ ନାହିଁ–କଥାଟାକୁ ହୁଏତ ବୁଝି ବୁଝିଲେ ନାହିଁ ।

 

ବିଦ୍ୟାଧରବାବୁଙ୍କ ଦୀର୍ଘଶ୍ୱାସରେ ଗୋଟାଏ ସମଗ୍ର ଜୀବନର କାହାଣୀ ବୋହିଆସି ପବନରେ ମିଳେଇଗଲା ।

 

ସେ ଭାବୁଛନ୍ତି ସେଦିନ ସକାଳର ଘଟଣା । ଭୋକିଲା ହେଲେ ଆଉ ମଣିଷ ହୋଇ ରହେ ନାହିଁ । କ୍ଷୁଧାକୁ ଜିଣିପାରିଲେ ସିନା ଆଉ ଯାହା କିଛି ଯୋଜନା କରି ହୁଅନ୍ତା ! କିଏ ଭାବିଥିଲା ଯେ ଆର୍ତ୍ତବନ୍ଧୁ ବେବର୍ତ୍ତା ଭଳି ପୁରୁଖା କର୍ମିଷ୍ଠ ମେମ୍ବର ଏମିତି ଗୋଟାଏ ଜଙ୍ଗଲ ମୁହୂର୍ତ୍ତରେ ସେ ପାହାଡ଼ୀ ଆଦିବାସୀଆ ଝିଅଟାକୁ ବଳତ୍କାର କରିବ ! ଦଇତାରି ପ୍ରଧାନ ଟଙ୍କା ପାଞ୍ଚଶ'ର ଲୋଭରେ କର୍ତ୍ତବ୍ୟ ଭୁଲିଯିବ ! ଧନ୍ୟ କାମିନୀ-କାଞ୍ଚନ ! ତୁମେ ଅଦ୍ୟାବିଧି ମଣିଷକୁ ଗୋଇଠି ମଡ଼େଇ ଶାସନ କରିଚାଲିଛ । କାହା ଉପରେ ଆଉ ଆସ୍ଥା ରଖିବା ! –ସେ ଟୋକାଟା ନାଁ କ'ଣ–ପୀତବାସ ସ୍ୱାଇଁ, କହିଲା ପରିଷ୍କାର ଯେ ସେ ଅନ୍ୟ କୌଣସି ସଂସ୍ଥାରେ ସ୍ଥାନ ନ ପାଇ ପେଟ ପୋଷିବା ଆଶାରେ ତାଙ୍କ ଦଳରେ ଯୋଗଦେଇଥିଲା । ପାଟିତୁଣ୍ଡ କରିବା କେବଳ ସାମୟିକ ବୃତ୍ତି ବୋଲି ସେ ଧରିନେଇଥିଲା । କିରାଣି ଚାକିରି ପାଉ ପାଉ ସେ ଚାଲିଗଲା ପଛକୁ ନଚାହିଁ । ଗଣ୍ଡେ ଭାତ ଦାଣ୍ଡଦୁଆରେ ବୁଣିଦେଇପାରିଲେ ଏ ଦରିଦ୍ର ଦେଶରେ କିଏ ଯେ ଆସି ନ ଗୋଟେଇବ, ଏଭଳି ପୁଅ ନାହିଁ । ସମସ୍ତେ ଅର୍ଥର ଅଧୀନ ହୋଇଗଲେ । ମୋହନ ସାହା–ଟଙ୍କାପଇସା କଥା ବୁଝୁଥିଲା । ସବୁ ପ୍ରକାର ମିଛ ରସିଦ, ଜାଲ୍ ଟିପଚିହ୍ନ ମାରି ସେ ବହୁ ଟଙ୍କା ତୋଷରପାତ କରିଦେଇଛି । ଏଣିକି ଇସ୍ତଫା ଦେଇ ସ୍ୱାଧୀନ ଧନ୍ଦା କରିବାକୁ ମନ । ସବୁଗୁଡ଼ାକ ଠିକ୍ ! ଏଠି ଅନ୍ନର ଅଭାବ । ଏଠି ଚରିତ୍ର ଖୋଜିବା ଭୁଲ ।

 

ଚୌକିଟା ଉପରେ ବିଦ୍ୟାଧର ରାଏ ଅସୁସ୍ଥ ବୋଧ କଲେ । ଘୁଞ୍ଚିପଡ଼ି ଆଡ଼ ବାଗେ ଗୋଡ଼ ଛନ୍ଦି ପଚାରିଲେ–‘‘ଆଚ୍ଛା ଜୟରାମବାବୁ, ଆପଣଙ୍କ ଯୋଜନା କ'ଣ ?"

 

ଜୟରାମ ହୁଏତ କିଛି ଶୁଣିନାହାନ୍ତି । ଗୋଟାଏ ବୁଢ଼ା ଆଗ୍ନେୟଗିରି ଭିତରୁ ଗୁଡ଼ାଏ ନୀରବ ଧୂଆଁ କେବଳ ଆକାଶରେ କୁଣ୍ଡଳୀ ଖାଉଛି । ତା' ଗର୍ଭରେ ଲହଡ଼ି ମାରୁଥିବା ତରଳ ନିଆଁ କଥା ସେ ନିଜେ ବୁଝେ ।

 

ବିଦ୍ୟାଧର ରାଏ ତାଙ୍କ ମନକୁ ମନ ପଚାରିଥିବା ପ୍ରଶ୍ନର ଉତ୍ତର ଦେଲା ଭଳି କହିଚାଲିଲେ, "ଏଠି ଆଉ ଯୋଜନା କ'ଣ ? ଖଜୁରିଗଛଯାକ ତ ପାହାଚ ପାହାଚ; ଯେତେ ମାଠିବ କେବଳ ଆହୁରି, ଆହୁରି ଖୋଡ଼ପା । ଯାହା ଥରେ ସମାଧାନ ହୋଇଗଲା ବୋଲି ଧରିନିଆହୋଇଥିଲା ସେଇଟା ପୁଣି ଖଗ ପିଟୁଛି । ପେପର୍ ତ ପଢ଼ିଥିବେ । ଏଡ଼େ ବଡ଼ ଗୋଟାଏ ସହର–ସେଠି ଶୃଙ୍ଖଳା ବୋଲି ଏତେ ଟିକେ ନାହିଁ । ସମ୍ପୂର୍ଣ୍ଣ ଜଙ୍ଗଲ ହୋଇଗଲେ ଗୁଡ଼ାଏ ଲୋକ । ବିଦ୍ରୋହ ଆମେ ବୁଝୁ ।’’ –ବିଦ୍ୟାଧର ରାଏଙ୍କ ନିଶଟା ଫୁଲିଆସିଲା । ‘‘ବିଦ୍ରୋହ ଆମେ ବୁଝିନାହୁଁ ତ ଶାଲା କ’ଣ ତମେ ବୁଝୁଛ ? ହେଇ ହେଇ ଦି’ଟା ଗୋଡ଼ି ଗୋଟେଇ ଗାର୍ଲସ୍କୁଲ୍‌ ବସ୍‌ ଉପରକୁ ଫୋପାଡ଼ିଛ-କ’ଣ ନା’ ବିଦ୍ରୋହୀ ! ତମେ ଦଳେ ଖାଲି ଅପଶାସିତ ଉଚ୍ଛୃଙ୍ଖଳ ଯଥେଚ୍ଛାଚାରୀ–କ’ଣ ନା ଘରେ ପଶି ମାଇପିଗୁଡ଼ିଙ୍କୁ ଓଟାରି ନେଇ ପୁରୁଷପଣିଆ ଦେଖଉଚ । ଏକୁଟିଆ ଦେଖି ଗୋଟିଏ ଲୋକକୁ ଘେରି ତା ତଣ୍ଟି କଣା କରିପକଉଚ ! ହେଲା ବା ତମେ ଏ ଚଳିତ ଢାଞ୍ଚାଟାକୁ ଅସ୍ୱୀକାର କଲ–ଆମୂଳଚୂଳ ତାକୁ ପରିହାର କଲ–ୟା ମାନେ ନୁହେଁ ଯେ ତୁମେ ପୁଣି ସେଇ ପଥର ଗୁମ୍ଫାରେ କଞ୍ଚା ରକ୍ତ ଖାଇବ । ହୁଃ !"

ବିଦ୍ୟାଧର ରାଏ ଖୁବ୍‌ ତେଜିଉଠିଛନ୍ତି । ଜୟରାମ ହଠାତ୍‌, କହିଲେ, "କଂଗ୍ରେସ୍‌ ଟିକେଟ୍ ପାଇଁ କେତେ ପଇସା ଦେବାକୁ ପଡ଼େ ?"

‘‘ମାନେ ? ଜୟରାମବାବୁ !’’ ବିଦ୍ୟାଧର ରାଏଙ୍କୁ ଯେମିତି ଶବ୍ଦ ପଇଟୁ ନାହିଁ । ‘‘ମାନେ ଆପଣ ରାଜନୀତି ପାଇଁ ଇଲେକ୍‌ସନ୍‌ ଲଢ଼ିବେ ? ହେଃ ହେଃ, ଯୋଜନାଟା ବିଶେଷ ମନ୍ଦ ବୋଲି ମୁଁ କହିପାରୁନାହିଁ, କାରଣ ସେଇ ଦଳଟା ତ କ୍ଷମତାସୀନ । ସେଥିରେ ପଶିପାରିଲେ ବେଶ୍‌ ଥଇଥାନ ହେଇଯିବ । ଖୁଣ୍ଟଟାଏ ସୁଦ୍ଧା ସେ ଯୋଡ଼ିବଳଦ ଟିକଟରେ ଜିଣିଯିବ । ସେ ମୁକୁଟ ଦେଖିଦେଲେ ଏ ଗାନ୍ଧିବାଉଳା ଦେଶ ସବୁଯାକ ଭୋଟ ସେ ଖୁଣ୍ଟମୂଳେ କୁଢ଼େଇଦେବ ! ମୁଁ ଏ କଥା ଆପଣଙ୍କର ମୂଳରୁ ଅନୁମାନ କରି ନଥିଲି । ଆପଣ ବୋଧହୁଏ ଠିକ୍ କରିଛନ୍ତି । ଆପଣଙ୍କୁ ତ ପୁଣି ବଞ୍ଚିରହିବାକୁ ହେବ ! ଘରଦ୍ଵାର ଖଣ୍ଡେ କରିବାକୁ ହେବ । ନିଜ ବିଦ୍ୟାବୁଦ୍ଧିର ଉଚିତ ଦାମ୍ ନ ପାଇଲେ କାହିଁକି ଜଣେ ବଜାରରେ ନିଜକୁ ପଣ୍ୟ କରିବାକୁ ଯିବ ? ଆପଣ ଦି'ଚାରି ଲକ୍ଷ ଅନାୟାସରେ ପାଇଯିବେ ଯଦି ଘୋଡ଼ା-ବଜାରରେ କଂଗ୍ରେସ ଟୋପି ପିନ୍ଧି ପଶିପାରନ୍ତି !"

ଉପରକୁ କୁହୁଳୁଥିବା ଧୂଆଁ ହସିପକେଇ ଚାରିଆଡ଼େ ବୁଣିହେଇଗଲା ।

‘‘ବିଦ୍ୟାଧରବାବୁ ! ଆପଣ ଢେର୍ ଆଗକୁ କଥାଟାକୁ ଗଡ଼େଇ ନେଇ କାହିଁକି ଏମିତି କଷ୍ଟ ପାଉଛନ୍ତି ?’’

"ତା'ହେଲେ ଆପଣ କଂଗ୍ରେସ ଟିକଟ୍‍ର ଦାମ୍ କାହିଁକି ପଚାରୁଛନ୍ତି ? ମୁଁ ଜାଣେ, ଗତ ତେଇଶ୍ ତାରିଖରେ ଛଗନ୍ ଲାଲ୍ ଓଡ଼ିଶା-ଗସ୍ତରେ ଆସିଥିଲା । କିଛି ଜାଲ, କିଛି ଖୁଦ ବୁଣିଦେଇ ଯାଇଛି । ସେ ବୁଢ଼ା ଡାକ୍ତରଟା ମନ୍ତ୍ରୀ ହେବାର ବର୍ଷେ ପରେ 'ଠୋ' କଲା; ଆଉ ତା'ର ଜୀର୍ଣ୍ଣ ନାଡ଼ିଭିତରେ ଏତେ ମାହାଳିଆ ଘିଅ ଧରିପାରିଲା ନାହିଁ । ସେଇ ସିଟ୍‍ଟା ପାଇଁ ଏବେ ଷଣ୍ଢ-ଲଢ଼େଇ ହେବ । ଆପଣଙ୍କ ପାଖକୁ ପ୍ରସ୍ତାବ ହୁଏତ ଅସିଥାଇପାରେ । ସେ ଘୁଣଖିଆ ଦଳ ଭିତରେ ତ ଶହେରେ ଅଶୀ ନିରକ୍ଷର, ମନ୍ତ୍ରୀ ହେବା ପୂର୍ବରୁ ଖଡ଼ି ଗୋଟାଳି ଧରି ଦସ୍ତଖତ ଖଣ୍ଡ ଅଭ୍ୟାସ କରି ଛାଟନ୍ତି । ଦି'ଚାରିଟା ଗାନ୍ଧିବାଣୀ ମୁଖସ୍ଥ କରି ଆଦିବାସୀ ସ୍କୁଲରେ ବାଧ୍ୟ, ଅବୋଧ ଶିଶୁଗୁଡ଼ିକଙ୍କ ଉପରେ ଭାଷଣ ଅଭ୍ୟାସ କରନ୍ତି । ଦର୍ପଣ ଆଗରେ ଚଳାଚିପା କୋଟ୍ ପିନ୍ଧି ଅନଭ୍ୟସ୍ତା ବିଚାରୀ ପତ୍ନୀଟିକୁ ସାମାଜିକ ଅଭିଜାତ ବ୍ୟବହାରରେ ତାଲିମ ଦିଅନ୍ତି; ତା' ହାତରେ ପୁରସ୍କାର ବିତରଣ କରାନ୍ତି । ଯେଉଁ ବାଗେ ଯେମିତି ଟଙ୍କା ଆସିବା କଥା ଆସେ । ଭାରି ଅନାୟାସରେ ନିଜ ଦାୟିତ୍ୱ ନ ବୁଝି ଦେଶଟାର ଭୂଗୋଳ ଇତିହାସ ବିଷୟରେ ଧାରଣା ହେବା ପୂର୍ବରୁ ପାଞ୍ଚବର୍ଷ ବିତିଯାଏ । ଗଚ୍ଛିତ ଧନ ପୁଣି ଖର୍ଚ୍ଚ ହୁଏ; ପୁଣି ଭୋଟ କିଣା ଚାଲେ । ଏମିତି ଏ ଧନ୍ଦା । ରାଣୀଟିଏ ବା ରଜାଟିଏ ପାଇଗଲେ, ଏ ସାମ୍ୟ ମୈତ୍ରୀ ପ୍ରଚାର କରୁଥିବା ଦଳ ଉଲ୍ଲସିତ ହୋଇଉଠେ । ଭୁଲେଇ ଭଣ୍ଡେଇ କ୍ଷମତାକୁ ଆସିଗଲେ ତେଣିକି ଜୀବନରେ ସବୁ ଯୋଜନା ପାଇଁ ସାମର୍ଥ୍ୟ ଆସିଯାଏ–ସବୁ ସ୍ୱପ୍ନ ପାଇଁ ରାତି ଅଣ୍ଟି ଯାଏ ।"

 

‘‘ଆପଣ ତ ଏଇ କଥା କେଇଟା ମୁଖସ୍ଥ କରିସାରିଲେଣି । ମୋର ଆପଣଙ୍କୁ ସେପରି ପ୍ରଶ୍ନ ପଚାରିବା ହୁଏତ ଭୁଲ୍‌ । ଆଚ୍ଛା, ବର୍ତ୍ତମାନ କହନ୍ତୁ, ଆପଣ ମୋ’ଠାକୁ କାହିଁକି ଆସିଥିଲେ ?’’

 

ବିଦ୍ୟାଧରବାବୁ ତାଙ୍କର ସବୁଠାରୁ ପ୍ରିୟ ଉତ୍ତେଜନାରୁ ଅଧାରେ ଓହରିଯାଇ ଚିଡ଼ି-ଚିଡ଼େଇଗଲେ, ହଠାତ କିଛି କହିଲେ ନାହିଁ । ତା'ପରେ ନଇଁପଡ଼ି ବେଗ୍‍ଖଣ୍ଡ ଉଠେଇବା ଭଙ୍ଗୀରେ କହିଲେ, "ହେଇ, ବିଶେଷ କିଛି କାମ ନଥିଲା–ଏ ବାଟେ ଯାଉ ଯାଉ ଟିକିଏ ପଶିଆସିଲି ।"

 

‘‘ମିଥ୍ୟା ! ଆଉ ଥରେ ଚେଷ୍ଟା କରନ୍ତୁ ।"

"ଆଉ ଚେଷ୍ଟା କରି ଲାଭ କ'ଣ ? ଆପଣଙ୍କ ମନଲାଖି ତ କିଛି ଉତ୍ତର ନାହିଁ ।"

ଜୟରାମବାବୁ ଚୁପ୍ ।

 

ବିଦ୍ୟାଧରବାବୁ ଉଠୁ ଉଠୁ ପଚାରିଲେ ଅତି ସହଜ ଏବଂ ନିତିଦିନିଆ ଶିଷ୍ଟାଚାର ସ୍ୱରରେ, "ଆପଣଙ୍କର ଗୁଜୁରାଣ ମେଣ୍ଟି ଯାଉଛି ତ ?"

 

ଜୟରାମବାବୁଙ୍କ ଆଖିରେ କୌତୁହଳ । ସେ ଅଳ୍ପ ହସି କହିଲେ, "ମୋର ଯେ ଗୁଜରାଣ ଚଳୁନାହିଁ, ଏ କଥା ମୋ ତୁଣ୍ଡରେ ଶୁଣିବାକୁ ଏତେ ଆଗ୍ରହ କାହିଁକି ?"

 

‘‘ଠିକ୍‌ ତା ନୁହେଁ; ମୁଁ ହୁଏତ ଚାହୁଁଥିଲି ଆପଣଙ୍କ ପାଇଁ ମୁଁ ଯଦି କିଛି କରିପାରେ ?"

‘‘ଆଇ ସି…’’

 

"ମୋର ଅଣାୟତ୍ତରେ ମୁଁ ଆପଣଙ୍କ ପାଇଁ ପ୍ରତିବାଦ କରିଚାଲିଛି । ଅନୁଭବ କରୁଛି ଯେ ଆପଣଙ୍କର ଏ ଅବସ୍ଥା ପାଇଁ ଆପଣ ଆଦୌ ଦାୟୀ ନୁହନ୍ତି । ଅନ୍ୟାୟରେ ଆପଣଙ୍କ ଉପରେ ୟାକୁ ଲଦି ଦିଆହୋଇଚି । ତା'ର ପ୍ରତିବାଦ ଦରକାର; ତା'ର ପ୍ରତିକାର ମଧ୍ୟ ଦରକାର ।"

 

‘‘ବହୁ ଧନ୍ୟବାଦ !’’

ଖୁବ୍ ଧଳା ବରଫରେ ତିଆରି ପରିଷ୍କାର ଶବ୍ଦଗୁଡ଼ିକ ।

 

ବିଦ୍ୟାଧରବାବୁ ନିଃଶ୍ୱାସଟିଏ ମାରି ମୁହଁ ଫେରେଇନେଲେ । ଏଇଲାଗେ ବୋଧହୁଏ ଆଉ କିଛି କରିବାର ନାହିଁ । ଏମିତି ଲୋକଗୁଡ଼ାକ କାଉଁରିଆ କାଠି ପରି ଜଳିଯିବେ । ଏଥିରୁ ଗୋଟେ ସେମିତି ଜଳିଗଲେ ବୋଧହୁଏ ବଡ଼ବଡ଼ିଆଙ୍କ ଆଲୁଅ ହେବ; ଆଉ କିଛି ନୁହେଁ–ଉଆଁସ ଅନ୍ଧାର ରହିବ ଯେମିତି ସେମିତି ।

 

ରାସ୍ତା ଧରିବା ପୂର୍ବରୁ ବିଦ୍ୟାଧର ରାଏ ଆଉ ପଛକୁ ଚାହିଁନାହାନ୍ତି ।

 

"କଂଗ୍ରେସ ଟିକଟ ପାଇଁ କେତେ ପଇସା ଦେବାକୁ ପଡ଼େ ? –କାହିଁକି ? ଯା' ଶଳା, ଆଉ କାହିଁକି ଟେକ ରଖି କଥା କହିବା । ଯା' ଶଳେ, ସମସ୍ତେ ବିକିହେଇଯାଅ । ଦରିଦ୍ର, ଲୋଚା, ହୀନିମାନିଆ, ବେଇଜ୍ଜତିଆ, ହାରାମଜାଦା ଶଳେ ! ନର୍କକୁ ଯାଉ ଏ ଶଳା ଦେଶ ।"

 

"କଅଣ ହୋଇଗଲା ସେଇଠୁ ? ଯେ ଯାହା କହିଲେ କ'ଣ ସେଥିରେ ଥାଏ ? ଥରେ ରାଜନୀତି କଲେ କ୍ଷତି କ'ଣ ? ଦେଖନ୍ତେ ସେ ରାଜ୍ୟ କେମିତି ।"

 

ସିଗାରେଟ୍‌ର ଗୋଟାଏ ଆଡ଼ୁ କାମୁଡ଼ି କାମୁଡ଼ି ଛିଣ୍ଡେଇଯାଉଥାନ୍ତି ଜୟରାମ । ଶେଷକୁ ଅଧାଳିଆ ସିଗାରେଟ୍‍ଖଣ୍ଡ କେରମ୍‌ ଟିପିଲାପରି ଦାଣ୍ତକୁ ଛାଟିଦେଇ କହିଲେ–‘‘ଯାବେ - ହେଇ ତତେ ଛାଡ଼ିଲି । ଯାଃ, ଆଉ ପିଇବି ନାହିଁ । –ସିଗାରେଟ୍‌ ନୁହେଁ କି ଚା’ ବି ନୁହେଁ ।’’

 

"ସେ କିଏ ?"

 

‘‘ମିଷ୍ଟର ପରିଡ଼ାଙ୍କ ସାଙ୍ଗେ ସେ ଜଣକ କିଏ ? –ସେ ତ କେବେ କ୍ଳବ୍‍କୁ ଆସିବାର ମୋର ମନେପଡ଼ୁ ନାହିଁ । ସେ କ'ଣ ମିସେସ୍‌ ପରିଡ଼ା ?"

 

‘‘ହିଃ ହିଃ ହିଃ ସେ ପରା ମାନେ’’

"ହୋ, ହୋ, ହୋ–ଏଇ ତା'ହେଲେ ସେଇ ! ମନ୍ଦ ନୁହେଁ ତ ।"

‘‘ବେଶ୍‌ ଭଲ ମାଲ୍‌ !’’

 

ଫୁସ୍‌ଫୁସ୍‌ ହୋଇ କାନ୍ଥବାଡ଼ କଡ଼ରେ କିଛି କଥା, ତା’ପରେ ଏମିତି ହୋ-ହୋ ହୋଇ ଅସଂଯତ ହସ ଫାଟିପଡ଼ୁଥାଏ କ୍ଳବ୍‌ରେ ସେଦିନ ।

 

ସୁଜାତା ଖୁବ ନିଃସଙ୍କୋଚରେ ଗାଡ଼ିରୁ ଓହ୍ଲାବା ଜୟନ୍ତ ସାଙ୍ଗରେ ପଶିଆସିବା ପରଠାରୁ ଜାଣିପାରିଲା ନାହିଁ କ'ଣ କରିବ । ଦୁଇ-ତିନି ଜଣଙ୍କୁ ଚାହିଁ ହସିଲେ ମଧ୍ୟ କୌଣସି ହାର୍ଦିକତାର ଚିହ୍ନ ନାହିଁ ।

 

ମହିଳା ମହଲରେ ପଶିଗଲା ସୁଜାତା–ଏକରକମ ଆତ୍ମରକ୍ଷା ପ୍ରୟାସରେ । ସବୁରି ମୁହଁରେ ସେମିତି ପ୍ରଶ୍ନ–ଆଖିରେ ଆଖିଏ ଲେଖାଁ କୌତୂହଳ, ବିଦ୍ରୂପ ଓ ହସ । ସୁଜାତା ଗୋଟିଏ ଚୌକିରେ କ୍ଳାନ୍ତ ହୋଇ ବସିପଡ଼ି ରୁମାଲରେ ଝାଳ ପୋଛିନେଲା ।

 

ମୁହଁ ଉପରକୁ ଅନେକ ରକ୍ତ ଉଭାରି ଆସିଲା । ବୋଧହେଲା ଯେମିତି ପ୍ରତି ଝରକାରେ ଲୋକ ତାକୁ ଚାହିଁ ହସୁଛନ୍ତି; ପ୍ରତି କାନ୍ଥ ଫିସ୍‍ଫିସ୍ କରି କଥା କହୁଛି । ଦୁଇ–ତିନିଜଣ ସ୍ତ୍ରୀଲୋକ ମିଶି କ'ଣ ହସି ହସି କଥା ହେଉଛନ୍ତି, ମଝିରେ ମଝିରେ କାହିଁକି ସେମାନେ ତା ଆଡ଼େ ଏମିତି ଚାହୁଁ ଛନ୍ତି ? ରାଗ ଜଳିଉଠିଲା ।

 

ଖପ୍‌କିନା ଗୋଟାଏ ମେଗାଜିନ୍‌ରେ ସେ ମୁହଁ ଘୋଡ଼େଇ ଚିତ୍ର ଦେଖିବାକୁ ଚେଷ୍ଟାକଲା-। କାନମୂଳ ଭାଁ-ଭାଁ ହୋଇ ଚରମ ଲାଗିଲା–ମୁହଁ ସିଝିଗଲା ତା ଝାଞ୍ଜିରେ । ତାହେଲେ ଏ ସମସ୍ତେ ଜାଣନ୍ତି, ନୁହେଁ । ଅଲରାଇଟ୍‌;-ଏମାନଙ୍କୁ ଏଇଠି ପରାସ୍ତ କରିବାକୁ ହେବ । ହଠାତ୍ ଉଠି ସେ ସିଧା ଚାଲିଗଲା ଆଗକୁ ।

 

ତିନିଜଣ ମହିଳା ଠିଆହୋଇ କଥା ହେଉଥାନ୍ତି ସେତେବେଳୁ । ‘‘ହହ୍ଲୋ ! କ’ଣ ଏମିତିସବୁ ଗାଉଁଲି ମାଇପି ଆଇ ମିନ୍ ରସ୍‍ଟିକ୍ ଉମାନ୍‍ଙ୍କ ପରି ଗପ କରୁଚ ମ ? କିଛି ଗୋଟାଏ ଫୁର୍ତ୍ତି ନାହିଁ, କିଛି ଗେମ୍ ନାହିଁ, କିଛି ମ୍ୟୁଜିକ୍, କିଛି ଡାନ୍‍ସ ନାହିଁ–ନିହାତି ଡଲ୍ ।"

 

ଖୁବ୍‌ ପରିଚୟର ଅଧିକାରରେ ଜଣକ କାନ୍ଧରେ ହାତ ପକେଇ ତାକୁ ହଲେଇଦେଲା ସୁଜାତା । ସେ କେବଳ ବିସ୍ମୟରେ ଅନେଇ ରହିଲା ତାକୁ ।

 

‘‘ଆପଣଙ୍କର ସ୍ୱାମୀ କ’ଣ କରନ୍ତି ? ଆଉ ଆପଣଙ୍କର ଓ ଆପଣଙ୍କର ?" ସେ ତିନିହେଁ ପରସ୍ପରକୁ ଅନେଇ ଆବା-କାବା ହୋଇ ପୁଣି ଅନେଇଲେ ସୁଜାତାକୁ । ତାଙ୍କ ଭିତରୁ ଜଣକ ମୁହଁ କୁଞ୍ଚ କୁଞ୍ଚ ହୋଇ ହଠାତ୍ ଫାଟିପଡ଼ିଲା ହସରେ । ହୋ-ହୋ ହୋଇ ତିନିଜଣଯାକ ଲୋଟିଗଲେ ହସରେ । କିଛି ବିଳମ୍ବରେ ତାଙ୍କ ଅଜାଣତରେ ସୁଜାତା ମଧ୍ୟ ତାଙ୍କ ସାଙ୍ଗେ ମିଶି ହସିବାକୁ ଲାଗିଲା । ପ୍ରତି ହସର ପ୍ରୟାସରେ ତା'ର ଝାଳ ନିଗିଡ଼ି ଆସିଲା; ତଥାପି ସେ ନିଶାଖୋର ପରି ହସିଚାଲିଥାଏ । ସମଗ୍ର କ୍ଳବର ଅତିଥି ଆସି ଝରକା ଆଡ଼କୁ ଚାହିଁରହିଲେ । କାହା ହାତରେ ସିଗାରେଟ୍ ତ କାହା ହାତରେ ବିଲିୟାର୍ଡ଼ ବାଡ଼ି । କିଏ ପାଇପ୍ ଟାଣୁଛି ତ କିଏ ଗ୍ଳାସରେ ଚୁମୁକ୍ ମାରୁଛି–'ସେ କିଏ ?' 'ସେ ଜଣକ ପରା ' 'ଓହୋ ହୋ ହୋ' ସାରା କ୍ଳବ ତା'ର ଇଟା କାନ୍ଥ, ତା' ପାଚେରି ଲଗାତ୍ ବାତୁଳପରି ହସିଉଠିଲା । ସୁଜାତାର ବାଳ ଅଲରା, ଶାଢ଼ି ହୁଗୁଳା । ସେ ମୁଣ୍ଡକୁ ଦୁଇ ହାତରେ ଧରି ହସିବା ଚେଷ୍ଟାରେ କାଶିପକାଇଲା ।

 

"ଓଃ, କି ୱାଣ୍ଡରଫୁଲ ଯୋକ୍ ! ହା, ହା " ଆଉ ହସି ହେଉନାହିଁ । ସେ ତିନିଜଣଙ୍କ ଭିତରୁ ଜଣେ ଟିକିଏ ରହି ଶୁଣିଲେ ଯୋକ୍ ? "ଓଃ ହୋ-ହୋ-ହୋ; ହି-ହି-ହି ।" ହସି ହସି ଗଡ଼ିଗଲେ ସମସ୍ତେ । ହଠାତ୍ ଚିର୍‌ଚିରେଇ ଉଠିଲା ସୁଜାତା ।

 

‘‘ସଟ୍‌ଅପ୍‌ । ଚୁପ୍‌ କର । ଚୁପ୍ କର । ତମେ ସବୁ କଣ ବୋଲି ନିଜକୁ ଭାବିଛ ? ଆଇ ଏମ୍ ଏ ଗ୍ରାଜୁଏଟ୍ ! ଜାଣିଚ, ମୁଁ ବି. ଏ. ପାସ୍ କରିଛି ମୁଁ .ମାନେ ମାନେ କନ୍‍ଭେଣ୍ଟରେ ପଢ଼ିଛି ଛ'ବର୍ଷ । ତୁମେ କ'ଣ ଭାବିଚ ? ତୁମେ ସବୁ କ୍ଳବ୍‍କୁ ନୂଆ ଆସିଚ । ତୁମକୁ କ୍ଳବ୍ ମେନର୍ସ ତ' ଜଣାନାହିଁ ! ଗେମ୍ ଜଣାନାହିଁ–ଡାନ୍‍ସ ଜଣାନାହିଁ । ମୋର କ୍ଳବ୍ ଲାଇଫ୍ ଅନେକ ଦିନର–ଆଇ ମିନ୍, ଭେରି ଓଲ୍‌ଡ଼ । ଡାର୍କ ମୁଭଉନ୍‌ ’’

 

ଗୋଟିଏ ଖୁବ୍‌ ପୁରୁଣା ଇଂରାଜୀ ଗୀତର ପ୍ରଥମ ଧାଡ଼ିଟି ସ୍ୱରରେ ଗାଇ ସେ ଗୁଞ୍ଜରିଉଠିଲା ।

 

ପୁଣି ହସିଉଠିଲା ସାରା କ୍ଳବ୍ । ସେ ତିନୋଟି ମହିଳା ପୁଣି ହସିଲେ ।

‘‘ସଟ୍‌ ଅପ୍‌’’

 

ଏଥର ସୁଜାତା ଗୋଡ଼ଠୁ ମୁଣ୍ଡଯାଏ କ୍ରୋଧରେ ଥରୁଥାଏ–‘‘ତୁମେମାନେ କ’ଣ ମୁଁ ଜାଣିନାହିଁ ? ତୁମେ ପରା ସବୁ ବୁଡ଼ି ବୁଡ଼ି ପାଣି ପିଇବା ଲୋକ ? ତୁମର ଜଣପିଛା ଅନ୍ତତଃ ହାଫ୍ ଏ ଡଜନ୍ ଲଭରର୍ସ । ତୁମେ କ'ଣ ଏମିତି ଶଙ୍ଖରେ ପଶି ଗେଣ୍ଡା ପାଲଟି ଯାଉଛ ?"

 

ସମସ୍ତେ ସ୍ତବ୍‍ଧ ।

 

‘‘ତୁମେମାନେ ଭାବୁଥାଇପାର ମୁଁ ଜୟନ୍ତ ପରିଡ଼ାଙ୍କର କ’ଣ । ମୁଁ ମୁଁ, ମାନେ ତା’ର କଜିନ୍‌ । ତାକୁ ତୁମେ ପଚାରିପାର । ତୁମେ ପଚାରିପାର ନପଚାରିପାର, ମୁଁ ସେଥିପାଇଁ କେୟାର କରିନାହିଁ । ମୁଁ ଆସିଥିଲି ଗେଷ୍ଟ ହିସାବରେ । ଆଜି ନୁହେଁ, ଅନେକ ଥର ଏଇ କ୍ଳବ୍‍କୁ ମୁଁ ଆଗରୁ ଆସିଛି । କିନ୍ତୁ ତୁମେମାନେ ଜାଣନାହିଁ କ୍ଳବ୍‍ରେ ଗେଷ୍ଟ୍ ଜଣକୁ କେମିତି ଟ୍ରିଟ୍ କରାଯାଏ । ମୁଁ ଜାଣେ ମୁଁ ଏଠିକି ଆସିଛି–ମୁଁ ନଟବର ରାଏ ଝିଅ ମାଇଁ ଫାଦର ୱାଜ ଏସ. ପି. ।"

 

‘‘ଖୁବ୍‌ ବୋଧେ ପିଇଦେଇଚି ।’’

‘‘ନର୍ଭସ୍ ହୋଇ ବୋଧେ ଏମିତି ପ୍ରଳାପ କରୁଚି ।’’

‘‘ପରିଡ଼ାବାବୁ କାହାନ୍ତି-ସି ଇଜ୍‌ ଏ ନୁଇସେନ୍‌ସ !’’

‘‘ଜୟନ୍ତ ପରିଡ଼ା କାହାନ୍ତି ? କାହାନ୍ତି ପରିଡ଼ାବାବୁ ?’’

 

ନିଜ ନାଁ ଶୁଣି ପରିଡ଼ା ଟେବୁଲ ଉପରେ ଗ୍ଲାସ କଚିଦେଇ ଉଠି ଠିଆହେଲା । ତା' ସାଙ୍ଗେ ଉଠିଲେ ରୋଜି, ବିମଳ । ବିଲିଆର୍ଡ଼ ଭାରି ଚମତ୍କାର ଗେମ୍‌ । ବିମଲ୍‍ର ଫେଭରାଇଟ ଗେମ୍ । କିନ୍ତୁ ପରିଡ଼ାବାବୁ କେଜାଣି କାହିଁକି ୟେ ଅନ୍ଧାରୁଆ କୁଣଟାକୁ ଭଲପାଆନ୍ତି ?"

 

‘‘କିଏ ? ଜୟନ୍ତ ? ହେଁ-କାହିଁକି କ’ଣ ? ସେ ଜଣକ ପରା ବିମଲ୍‌ବାବୁଙ୍କ ସ୍ତ୍ରୀ । ସେ ଆଜିକାଲି ସୁପ୍ରାମେଣ୍ଟାଲ ଯୋଗ କରୁଛନ୍ତି ।’’ ଜୟନ୍ତ ବୋଧହୁଏ ତାଙ୍କୁ କଣ ବୁଝାଉଥିଲେ-ସେ ବି ଭାରି ପାଠଚକ୍ରବାଲା ଯେ !

 

‘‘ଆଜ୍ଞା, ସେ ଯେ ଆପଣଙ୍କ ସାଙ୍ଗରେ ଆସିଛନ୍ତି ମିସେସ୍ ପରିଡ଼ା ଓ, ଆଇ ଏମ୍‌ ସରି–ଆଇ ମିନ୍ ମିସେସ୍ "

 

‘‘ମଙ୍ଗରାଜ ’’

‘‘ସେ ବୋଧେ ଅସୁସ୍ଥ-ଆପଣ ତାଙ୍କୁ ଶୀଘ୍ର ଘରକୁ ନେବାର ବ୍ୟବସ୍ଥା କରନ୍ତୁ ।’’

 

ଘଟଣା ଦେଖି ଶୁଣି ଜୟନ୍ତ ସିଗାରେଟ୍‌ରୁ ଖଣ୍ଡେ ଚୋବାଇ ଉଞ୍ଚିଆଣିଲା । ବୁଟ୍‌ ମଡ଼େଇ ଅନେଇଲା ସମସ୍ତଙ୍କୁ । ତାକୁ ମଧ୍ୟ ଅନେଇଲେ ସମସ୍ତେ ।

 

ସେ ଆସ୍ତେ ଯାଇ ସୁଜାତା ଆଗରେ ଠିଆହେଲା । ତା' ଆଖିକୁ ସାମାନ୍ୟ ନିଶା ଚଢ଼ିଆସିଥାଏ । ସେ ଭୁଲିଗଲା ଅନେକ କଥା । ଗମ୍ଭୀର ହୋଇ କହିଲା–"ଚାଲ ଯିବା ଏଥର ।"

 

‘‘ନୋ, ନୋ, ଏଇଟା ଅନ୍ୟାୟ ! ମତେ ଆଗରୁ ନକହି ଏମିତି ହଠାତ୍‌ ଡାନ୍‌ସକୁ ଡାକିବା ଅନ୍ୟାୟ । ଦିସ୍‌ ଇଜି୍‌ ଅନ୍‌ଫେଆର୍‌ ।’’

 

ସୁଜାତାର ଓଠ ଧଳା, ଆଖି ପେଜୁଆ । ଜୟନ୍ତ ଆସ୍ତେ ତା' ଡେଣା ଧରି ବାରଣ୍ଡା ଉପରକୁ ନେଇଆସିଲା । ଅନେକ ଚାପା ଚାପା ହସ, ଫିସ୍‌ଫିସ୍‌ କଥା, ଚାରିଆଡ଼ୁ ଭଉଁରି କାଟି ସେମାନଙ୍କୁ ବୁଡ଼େଇ ପକାଉଥାଏ ।

 

ଗାଡ଼ିର ଦର୍ଜା ବନ୍ଦହେଲା । ଗାଡ଼ି ସାଇଁକିନା ମୋଡ଼ ବୁଲି ଛୁଟିଗଲା ।

 

କ୍ଳବ୍‌ ତୁଚ୍ଛେଇ ହୋଇପଡ଼ିଚି ବାରଣ୍ଡାକୁ । ଆଖିଗୁଡ଼ାକ ବୋଝେଇ ହୋଇଯାଇଛି ଝରକାମାନଙ୍କରେ ।

 

ଗାଡ଼ି ଦିଶିଲା ନାହିଁ । ସମସ୍ତେ ଫେରିଲେ; ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରକାର ଆନନ୍ଦ ବିଳାସ । ଯାହା ସେ ଚାହାନ୍ତି ତାହା ବୋଧହୁଏ ସେମାନେ କେମିତି ହେଉ ପାଇଗଲେ । ପୁରୁଷଗୁଡ଼ାକ ମନେ ମନେ ହୋଇଗଲେ ଜୟନ୍ତ ଏବଂ ନାରୀଗୁଡ଼ିକ ସୁଜାତା ସମ୍ପର୍କ ସେଭଳି ଲୋଭନୀୟ, ଅଥଚ ନିଷିଦ୍ଧ ।

 

କେବଳ ରୋଜି କିଛି ସମୟ ଧରି ଆନମନା ହୋଇ ଠିଆହେବାର କେହି କେହି ଲକ୍ଷ୍ୟ କରିଥିଲେ । ବିମଳ ବିଲିଆର୍ଡ଼ସ ଛାଡ଼ି ସିଗାରେଟ୍ ରୋଲ୍ କରିବା ମଧ୍ୟ କେହି କେହି ଦେଖିଛନ୍ତି ।

 

ନିଛାଟିଆ କ୍ଳବ୍ ରାସ୍ତା ଶେଷକୁ ଝଙ୍କାଳିଆ ଓସ୍ତଗଛ ମୂଳେ ଖୁବ୍ ଜୋରରେ ବ୍ରେକ୍ ଦେଇ ଜୟନ୍ତ ପଞ୍ଝା ଟେକି ଝାମ୍ପି ପଡ଼ିଲା ସୁଜାତା ଉପରେ । କ୍ରୋଧ, ଅପମାନ ସାଙ୍ଗକୁ ଆଉ ଗୁଡ଼ାଏ ଉତ୍ତପ୍ତ କ୍ଷୁଧା ମିଶିଗଲେ ଯେମିତି ହିଂସ୍ର ମାରାତ୍ମକ ହେବା କଥା, ସେ ମୁହ୍ୟମାନ ଅବସ୍ଥାରେ ଜୟନ୍ତ ପାଟିରେ ଝୁଣିନେଲାବେଳକୁ ସୁଜାତା ଓଠରୁ କଞ୍ଚା ରକ୍ତର ଲୁଣିଆ ସ୍ୱାଦ ଅନୁଭବ କରିଥିଲା । ଅନେକ ଭିଣାଭିଣି ପରେ ଅବସ୍ଥା ସାମାନ୍ୟ ଆୟତ୍ତକୁ ଆସିଲା । ଦୁଆରେ ଯାଇ ପହଞ୍ଚିଲା ବେଳକୁ ଆଉ ଗୋଟିଏ ଗାଡ଼ି ସେଇଠି ଥୁଆହୋଇଥାଏ । କିଛି ସମୟ ଗାଡ଼ିଟାକୁ ଅନେଇବାକୁ ସବୁ କଥା ମନେପଡ଼ିଲା ।

 

ମୁଲଚାନ୍ଦ ବୋଧେ ଆସିଯାଇଛି ।

ସୁଜାତା ପ୍ରାୟ ନିଶ୍ଚେଷ୍ଟ ।

‘ମୁଲଚାନ୍ଦ୍‌ ? ସୁଜାତା ? ଓ୍ୱେଲ-କ୍ଷତି କ’ଣ ?’

 

‘‘ଆସ ସୁଜାତା, ତୁମକୁ ମୋର ଜଣେ ଅତି ଘନିଷ୍ଠତମ ବନ୍ଧୁ ସାଙ୍ଗରେ ପରିଚୟ କରେଇଦେବି ।"

 

କିଛି ସମୟ ପୂର୍ବର ହିଂସ୍ରତା ପୋଷା ବିଲେଇ ନଖପରି ମଖମଲି ଖୋପ ଭିତରେ ଘୋଡ଼େଇ ହୋଇଗଲା । ସ୍ୱର, ଭାଷା, ଭଙ୍ଗୀ ଖୁବ୍‌ ସଂଯତ ।

 

ଗାଡ଼ି ଭିତରେ ଅଲରା ବାଳ ଓ ଶାଢ଼ିକୁ ଟିକିଏ ସଜାଡ଼ି ନେଲା ସୁଜାତା । ତା' ଭିତରେ ଅପମାନର ଫୁଫୁକାର କରୁଥାଏ ଗୋଟିଏ ହିଂସ୍ର ସର୍ପିଣୀ–ସେଇ ଗାଉଁଲି ମାଇପିଗୁଡ଼ାଙ୍କୁ ସେ କଦାପି କ୍ଷମା ଦେଇପାରିବ ନାହିଁ ।

 

ଡ୍ରଇଁ ରୁମ୍‌ରେ ପଶିଗଲାବେଳକୁ ହାତରେ ଖଣ୍ତେ ମେଗାଜିନ୍‌ ଧରି ହସି ହସି ସେ ଠିଆହୋଇପଡ଼ିଲା ଜୟନ୍ତ ଅପେକ୍ଷା ଅନ୍ତତଃ ଚାରି ଇଞ୍ଚ ଲମ୍ବା ଅଧିନ ଏବଂ ଅନେକ ଗୋରା; ଦାନ୍ତ ବେଶ୍‌ ପରିଷ୍କାର । ନିଶ ଚମତ୍କାର । ବୟସ ସେଇ ତିରିଶି ପଇଁତିରିଶ ଭିତରେ । ବାଃ

 

ଏ ମୋ ବନ୍ଧୁ ମୁଲଚାନ୍ଦ୍‌ ସୋନ୍ଧି । କୋଟିଏ ଟଙ୍କାର ମାଲିକ । ଆଉ ଇଏ ହେଉଛନ୍ତି ସୁଜାତା ଦେବୀ ।"

 

ଗୋଡ଼ ଅଳ୍ପ ଫରକଟେଇ ବା ହାତ ପେଣ୍ଟମୁଣାରେ ରଖି ଠିଆହୋଇଥାଏ ଜୟନ୍ତ । ସିଗାରେଟ ଫିଲ୍‍ଟରକୁ ଅଳ୍ପ ଚାହିଁ, ଭ୍ରୂଲତା ଟେକି ଖୁବ୍ ସରୁ ହସ ଭିତରେ ପୁଣି କହିଲା–"ଇଏ ସୁଜାତା–ମିସ୍ ସୁଜାତା ରାୟ ।"

 

ସୁଜାତାର ଭୁରୁ ମୁହୂର୍ତ୍ତେ କୁଞ୍ଚିତ ହୋଇ ପୁଣି ମିଳେଇଗଲା । ମୁହଁରେ ଗୋଟିଏ ପ୍ରକାର ଦୁର୍ଭେଦ୍ୟ ହସର ମୁଖା । ଖୁବ୍ ତାତିଲା ସୀସା ଉପରେ ପବନ ବାଜି ଗୋଟିଏ ସର ପଡ଼ିଗଲା । ମୁଲଚାନ୍ଦ୍‍ର ଭୁରୁ ଥରେ କୁଞ୍ଚେଇଗଲା- 'କିଉଁ ବେଟା, ମୁଝେ ଛିପାତେ ହୋ ?" ନୀରବରେ ସବୁ ପୁଣି ଫିଟିଗଲା, ପରିଷ୍କାର ହୋଇଗଲା । ତିନିହେଁ ବସିଲେ ।

 

ଜୟନ୍ତ ହଠାତ୍ ଗମ୍ଭୀର ହୋଇ କେବଳ ସିଗ୍ରେଟ୍ ଟାଣୁଥାଏ । ମୁଲଚାନ୍ଦ୍‌ ସୋନ୍ଧି ପଚାରୁଛି ମେଗାଜିନ୍‍ର ପତ୍ରଟାଏ ଓଲଟାଇ–"ତାହେଲେ ଆପଣ ଡିନର ସାରି ଆସିଥିବେ ତ !"

 

ଛପ୍‌ ଛପ୍‌ ହୋଇ ଅନ୍ଧାର ଆଲୁଅରେ ଗୁଡ଼ିଏ ଛାଇ ସୁଜାତାର ମୁହଁ ଉପରେ ପାରିହୋଇ ଚାଲିଗଲା । ଦାନ୍ତ ଜାବିହୋଇଗଲା, ଆଖି ଦପ୍‌ କରି ଜଳିଉଠିଲା; ତଥାପି ଖୁବ୍ ଯତ୍ନରେ ସାଇତା ହୋଇଥିବା ତାର ଅତି ମିଠା ହସରୁ କଳେ ହସିଦେଇ ଆଉ ଖଣ୍ଡେ ମେଗାଜିନ୍‌କୁ ହାତ ବଢ଼ାଇଲା ସୁଜାତା !" ଡିନର୍ ?"

 

‘‘ଆରେ ଠିକ୍‌ କଥା ! ୟାର୍‌ ମୁଲଚାନ୍ଦ୍‌ ! କୁଚ୍ଛ୍‌ କରୋ ୟାର୍ ! ନହିଁ ତୋ ଭୁଖା ରହ ଜାୟେଙ୍ଗେ !’’

 

ଅମାୟିକ ହସ ଭିତରେ ମୁଲଚାନ୍ଦ କହିଲା, "ଖାନା ତୈୟାର ରଖା ହେଁ ହଜୁର ! କପୁର ସେ କୁଚ୍ଛ୍ ନାନ୍, କୁଚ୍ଛ୍ ଚିକେନ୍ ରୋଷ୍ଟ, ଔର୍ କୁଚ୍ଛ୍ କରରି ମଙ୍ଗୱାୟା ହୈ । ଫରମାଇସ୍‌ ହୋ ତୋ ହଜୁର ମେଁ ପେସ କରେଁ- ବ୍ୟାଜଭଙ୍ଗୀ ସଂପୂର୍ଣ୍ଣ ଦରକାରୀ ।

 

ଜୟନ୍ତ ଗୋଟିଏ ଡିଆଁ ରେ ଠିଆହୋଇ ବନ୍ଧୁ ମୁହଁକୁ ଦୁଇ ହାତରେ ତୋଳିନେଇ ଅତର୍କିତରେ ଗୋଟିଏ ଚୁମା ମାରିଦେଲା–"ୟୁ ଆର୍ ଏ ଜୁଏଲ ! ବାଃ, ୱାଣ୍ଡରଫୁଲ୍ !"

 

ପଛକୁ ନ ଚାହିଁ ଗୀତ ଗାଇ ଗାଇ ସେ ଘର ଭିତରକୁ ପଶିଗଲା । କିଛି ସମୟ ଦୁହେଁ ନୀରବରେ ବସିରହିଲେ–ସୁଜାତା ସାମାନ୍ୟ ଆନମନା ହୋଇଗଲା । ତା'ର ଦେହସାରା ଓଟାରି ହୋଇଗଲା । ଗୁଡ଼ାଏ ସୁନ୍ଦର ମୁହଁରୁ ସେ ଆଖିଗୁଡ଼ାକ ତାଡ଼ିନେଲା । ଚୁଟି ଘୋଷାରି ଚିରି ଫଡ଼ା ଫଡ଼ା କରିଦେଲା ସେମାନଙ୍କର ରଙ୍ଗିନ୍ ବ୍ଲାଉସ୍‍ଗୁଡ଼ାକୁ । ତା ପରେ ଚମକି ସଂଯତ ହୋଇଗଲା । ଆଖି ତୀବ୍ର ଚିନ୍ତାରେ ସରୁ ସରୁ କାଚପରି ଦାଢ଼ୁଆ ହୋଇଗଲା । ସେ ପିକ୍‍କିନା ହସିଦେଇ ଅନାଇଲା ମାଗାଜିନ୍‍କୁ, ମୁଲଚାନ୍ଦ୍‍କୁ ! ଭୁରୁ ଖୋଲିଗଲା ।

 

‘‘ଆଚ୍ଛା ହାମିଲଟନ୍‌ ମୁଦିଗୁଡ଼ାକରେ ଯେଉଁ ପଥର ଥାଏ ସେଗୁଡ଼ିକ କ’ଣ ରିଏଲ୍‌ ?’’ ମାଗାଜିନ୍‌ରେ ଗୋଟିଏ ଚିତ୍ର ଆଡ଼େ ଦେଖି ସୁଜାତା ପ୍ରଶ୍ନ କଲା ।

 

‘‘ଓ ୟେସ୍‌ ! ଏଇ ଦେଖୁନାହାନ୍ତି ଏ ଖଣ୍ତକ ପୋଖରାଜ୍‌ ! ମୁଲଚାନ୍ଦ୍‌ ନିଜ ଆଙ୍ଗୁଠିରୁ ମୁଦି କାଢ଼ି ବଢ଼େଇଦେଲା ସୁଜାତାକୁ । ଆଲୁଅ ପଡ଼ିଲା ସୁନାରେ, ପଥରରେ ଏବଂ ସୁଜାତାର ଆଖିରେ । ମୁଦିଟିକୁ ବୁଲେଇ ଦେଖି ସେ କେବଳ କହିଲା–"ବିଉଟିଫୁଲ୍ ! ଖୁବ୍ ଭଲହେଇଚି !’’ ସେ ମୁଦିଟିକୁ ମୁଲଚାନ୍ଦ୍ ଦିଗରେ ବଢ଼େଇଦେଲା–ଆଖି କିନ୍ତୁ ମେଗାଜିନ୍ ଉପରେ ।

 

ମୁଦି ହାତରୁ ନଯିବା ହେତୁରୁ ସେ ଆଖି ତୋଳି ଚାହିଁଲା ।

 

ମୁଲଚାନ୍ଦ ହସି ହସି କେବଳ ମୁଣ୍ଡ ହଲାଉଚି । ହାତରେ ମାଗାଜିନ । "ମୁଁ ଯାହା ଦେଇଦିଏ ତାହା ଆଉ ନିଏନାହିଁ ।"

 

"ମାନେ, ଆପଣ କ'ଣ କହିବାକୁ ଚାହାନ୍ତି ? ମୁଁ ତ କେବଳ ମାନେ ଆପଣ ମୋତେ କେବଳ ଦେଖିବାକୁ ଦେଇଥିଲେ ନା ?"

 

"ସେ ଯାହାହେଉ, ମୁଁ କିନ୍ତୁ ଆପଣଙ୍କଠାରୁ ଆଉ ନେଇପାରିବି ନାହିଁ । ଆମର ପ୍ରଥମ ପରିଚୟରେ ଗୋଟାଏ ଉପହାର ମୁଁ କ'ଣ ଆପଣଙ୍କୁ ଦେଇପାରିବି ନାହିଁ ?"

 

ଇସ୍‌ ! ଏତେ ବଡ଼ ଗୋଟାଏ ପୋଖରାଜ୍‌ ତଥାପି

 

‘‘ଏଇଟା ମୋ ଆଙ୍ଗୁ ଠିକୁ ଜମା ହବ ନାହିଁ । ଖୁବ୍‌ ବଡ଼ ହେବ । ଆପଣଙ୍କ ପାଖେ ଥାଉ, ପରେ ଦେଖିବା ।’’

 

"ନା, ନା ତା' କେମିତି ହେବ ! କାହିଁ ଦେଖି କେମିତି ବଡ଼ ହେବ !" କହି ମୁଲଚାନ୍ଦ ଯାଇ ସୁଜାତା ପାଖରେ କାର୍ପେଟରେ ଆଣ୍ଠେଇ ବସିପଡ଼ିଲା । ସୁଜାତାର ବୁକୁ ଉପର ଶାଢ଼ୀଟା ଧପ୍‍ଧପ୍ ହୋଇ ସଜୀବ ହୋଇଉଠିଲା–ମୁହଁ ଜଳିଉଠିଲା ସତେ ବା ଏତେ ଅପମାନ ପରେ ଏପରି ଅସମ୍ଭବ ସମ୍ମାନ ପାଇ ସେ ଆଶ୍ୱସ୍ତ ବୋଧହେଲା ! ନିଜ ଉପରୁ, ସଂସାରଉପରୁ ଅନାସ୍ଥା ତୁଟିଗଲା-। ସେ ଚେଇଁଉଠିଲା ନୂତନ ଦିଗ୍‍ବଳୟ ଦେଖି ।

 

ମୁଲଚାନ୍ଦ ଖୁବ୍ ଯତ୍ନରେ ସୁଜାତାର ହାତ ଧରି ମୁଦି ପିନ୍ଧେଇବା ଅବସ୍ଥାରେ ପଶିଆସିଲା ଜୟନ୍ତ । ମୁହଁରେ ସିଗାରେଟ୍ । ଆଖି ସରୁ ସରୁ । ମୁହଁ ଧୁଆଧୋଇ ହୋଇ ପରିଷ୍କାର । ପିନ୍ଧିଛି ପାଇଜାମା ଏବଂ ତା'ର ସେ ସୁନ୍ଦର ପଞ୍ଜାବି । ତା'ପରେ ଶୁଭିଲା କିଛି ତାଳି–ବାଃ ! ବାଃ ! ୱାଣ୍ଡରଫୁଲ୍ ! ମୁଁ ଯାହା ଭାବିଥିଲି ପ୍ରାୟ ସେଇଆ । ତୁମ ଦୁହିଁଙ୍କୁ ପାଞ୍ଚମିନିଟ୍ ମଧ୍ୟ ଲାଗିବ ନାହିଁ ବନ୍ଧୁ ହେବାକୁ । ତୁମକୁ ଦେଖି ମୁଁ ବାସ୍ତବିକ୍ ଖୁସି ହେଲି । ଆଇ ଏମ୍ ପ୍ଳିଜ୍‍ଡ଼ । ଆସ, ଏଥର ଖାଇବା ।"

 

ସୁଜାତା ଉଠୁ ଉଠୁ ଜୟନ୍ତ ତା' ଅଣ୍ଟାକୁ ବେଢ଼େଇ ମୁଲଚାନ୍ଦର ହାତଟାକୁ ଧରିନେଲା । "ଓଃ, ଆଉ ଗୋଟାଏ ସଂକୋଚ କ'ଣ ସୁଜାତା ! ୱି ଆର୍ ଅଲ୍ ଫ୍ରେଣ୍ଡସ୍–ମୁଲଚାନ୍ଦ ! ତୁମ୍ ୟାର୍ ବଡ଼େ ଶର୍ମିଲେ ବନ ରହେ ହୋ ।" ସୁଜାତା ବେଶ୍ ଗୋଟାଏ ଛୋଟ ପୋଖରାଜି ହସି ହସି ଦୁଇବାହୁରେ ଦୁହିଁଙ୍କୁ ବଢ଼େଇନେଲା ।

 

ବାଃ, ଏମିତି ସିନା ଲୋକେ ସମାଜରେ ଚଳନ୍ତି, ଆଧୁନିକ ହାୱାରେ ନିଃଶ୍ୱାସ ମାରନ୍ତି ! ନହେଲେ କ'ଣ ନା ହାଣ୍ଡି ଶାଳେ ଆଜୀବନ କେବଳ ରାନ୍ଧି ରାନ୍ଧି ଗୋଟାଏ ଜୀବନ ବିତିଯିବ ! ବେଶ୍ ଆପୋସରେ ଦୁଇବନ୍ଧୁ ମିଶି ଗୋଟାଏ ରୋଷ୍ଟକୁକୁଡ଼ାକୁ ଭାଗ କରି ଖାଇଗଲେ । ବହୁ ପ୍ରକାର ମସଲାରେ ଅଦ୍ଭୁତ ଭାବରେ ସିଦ୍ଧ ହୋଇଥିବା ଅଣ୍ଡା ଲାଗିଥିବା ଚର୍ବିଳ କୁକୁଡ଼ାଟିର ବୋଧହୁଏ ପ୍ରତିବାଦ କରିବାର କିଛି ନଥିଲା ।

 

ସେପଟେ ବିଶ୍ୱମ୍ଭର ମନରେ ଅନେକ ଚିନ୍ତା–"ଏ କଥା କିନ୍ତୁ ସମସ୍ତେ ଜାଣିଗଲେଣି ।"

 

ଲମ୍ବା ଲମ୍ବା ନିଶ ରଖି ସେ ଟୋକାଳିଆ କିରାଣିଟା ମାଧବ ପାଣିଗ୍ରାହୀ, ସେମିତି ଚିପି ଚିପି ହସେ କାହିଁକି ?

 

ତା' ସାଙ୍ଗକୁ ସେ ପେଟା ଭଗିଆ ମହନିକ–ସେଦିନ ଦେଖେଇ ଦେଖେଇ ବଡ଼ପାଟିରେ କ'ଣଟାଏ କହୁଥିଲା । ସେ ବି ହୁଏତ ଜାଣେ ।

 

ଆପ୍‌ପେୟା ବି ଜାଣିଲା ପରି ଦିଶେ ।

 

ସମସ୍ତେ, ଏ ସହରର ଗଳିକନ୍ଦି କୁକୁର ବିରାଡ଼ି ଆଜି ସମସ୍ତେ ଜାଣନ୍ତି । ଏଠା ହାୱାରେ ବିଶ୍ୱମ୍ଭର ମଙ୍ଗରାଜର ଇଜ୍ଜତ୍ ଉଡ଼ିବୁଲୁଚି ସମସ୍ତେ ଜାଣନ୍ତି ।

 

ସେ ନିଜେ ଗୋଟାଏ ଅମଣିଷ, ଓଲୁ ! ମାଇଚିଆ, ଡରକୁଳା, ଭରତ-ଭାରଦା ଆଖି ଆଗରେ ନିଜ ମହତ ଦି'କଡ଼ାର ହେବା ସେ କ'ଣ ଦେଖିନାହିଁ ? ଆହୁରି ଦଳି ହେଇ, ଚକଟି ହେଇ, ମାଟିରେ ମିଶିଯିବା ପାଇଁ ତାର ଇଚ୍ଛା ! ଗୁଡ଼ାଏ ଲୋକ ନିଜ ଦେହକୁ ବ୍ଲେଡ଼୍‍ରେ ସୋରା ସୋରା କରି ଚିରିପକାନ୍ତି । ନିଜକୁ ନିଜେ 'ଆହା ବିଚରା !' ବୋଲି କହିଲେ ଖୁସି ହୁଅନ୍ତି ଇଏ ସେଇଥିରୁ ଗୋଟାଏ ।

 

ନିଜ ମାଇପକୁ ଆଉ ଜଣେ ଏମିତି ବିଚ୍ ବଜାରରେ ଗାଡ଼ିରେ ବସେଇ ନେଇଯିବ, ଅଥଚ ସେ କୋଉ ମହତକୁ ଜଗି ତାକୁ ତୋଟି ଚିପି ମାରିଦେଇପାରୁନାହିଁ ?

 

ଓଲା, ଶଳା ଜଗିଚି ପୁଅ ହବ ବୋଲି !!

 

କ'ଣଟା ହେଇଯିବ ସେଇଠୁ ! ଲୋକେ କହିବେ ସେ ସେଇଟା ଜୟନ୍ତ ପରିଡ଼ାର ପୁଅ ସେଥିରେ କ'ଣ ଭାସିଯିବ ? କି'ବା ହାନି ହୋଇଯିବ ଜୟନ୍ତର ବା ସୁଜାତାର !

 

ବେହିଆ ଭାବିଚି ସେମାନେ ଦି'ଜଣ ପଦାରେ ପଡ଼ିଯିବେ–ଆଉ ପ୍ରମାଣ ହୋଇଯିବ ଯେ ସାଆନ୍ତପୁଅ ବିଶ୍ୱମ୍ଭର ମଙ୍ଗରାଜ ବିଶୁଦ୍ଧ ସାଧୁ !

 

ଅଣପୁରୁଷିଆ ଯାଦବ !

 

ସେଇମାନେ କ'ଣ କହିବେ ନାଇଁ ଯେ ସେ ତା' ମାଇପ ପାଇଁ କାମ ପାଇଥିଲା ? କାହା ମୁହଁରେ ସେ ବତା ଭିଡ଼ିବ ?

 

କ୍ଳାନ୍ତ ଘୋଡ଼ାଟା ଶୀତ ପାହାନ୍ତାରେ ଗାଡ଼ି ଭିଡ଼ି ନ ପାରି ଆଣ୍ଠେଇ ପଡ଼ିଲା ପରେ ତାକୁ ଯେମିତି ମାଲିକ କୋରଡ଼ାରେ ସକ୍‍ସାକ୍ ହାଣିଦେଇଯାଏ, ରକ୍ତ ଝରଉଥିବା ଘା’ ଉପରେ କତା ଦଉଡ଼ିର ମୁଠିଟାକୁ ରଗ୍‍ରଗ୍ ଘଷିଦେଇଯାଏ, ସେମିତି ବିଶ୍ୱମ୍ଭର କ୍ଳାନ୍ତ–ସେମିତି ଘାଉଡ଼ା–ସେମିତି ଅସହାୟ ମଧ୍ୟ । ଅହରହ କାନ ପାଖରେ କିଏ ଏମିତି ତାକୁ ଶୋଧିଦେଇ ଯାଇଛି–ନିର୍ଦୟ, ଅକପଟ, ନିର୍ମମ ଭାବରେ ?

 

ଆଖିରୁ ନିଶା ଲିଭିଆସିଛି–କିନ୍ତୁ ବୁକୁ ପଡ଼ୁଛି ଉଠୁଛି । ନାକପୁଡ଼ା ଫୁଲିଉଠୁଛି । କପାଳରେ ଝାଳ ଗୋଟାଳି ବାନ୍ଧିଯାଉଛି । ବିଶ୍ୱମ୍ଭର ଭିତରୁ ପଞ୍ଝା ପଞ୍ଝା ହୋଇ ନିଶାଚର ପ୍ରାଣୀ ଅନ୍ଧାର ଗହୀରକୁ ପହଁରିଯାଉଛନ୍ତି । ଏଗୁଡ଼ାକ ବୋଧହୁଏ ପୋଷମନା ଜନ୍ତୁ । କାହାରି ଦାନ୍ତ ନାହିଁ, ନଖ ନାହିଁ କି ନାହୁଡ଼ ନାହିଁ ।

 

'ହାରାମଜାଦା, ପେଟେ ନିଶା ଗିଳିଦେଇ ଲକ୍ଷ୍ମୀ କେଉଟୁଣୀ ଉପରେ ଆସି ମର୍ଦପଣିଆ ଦେଖାଇହେଉଚି ! ନିପାରିଲା ମଣିଷର ଆଉ କ'ଣ ହୁଅନ୍ତା ?" କାଳେ ତୋର ବଂଶ-ପରମ୍ପରା ତୋତେ ଚେଙ୍କେଇଦେବ ବୋଲି ତୁ କ'ଣ ସେଦିନ ତୋ ବାପର ଫଟୋକୁ ହତ୍ୟା କରିନାହୁଁ ? ଏତେ ରାଗିମାଗି, ଶେଷକୁ କ'ଣ ସ୍ଥିର ହେଲା ନା, ସୁଜାତାକୁ ନାୟିକା କରି ନିଜେ ଫାଳେ ଭୋଗି ଆର ଫାଳକ ଜୟନ୍ତକୁ ବଢ଼େଇଦେବ ଛି, ଛି, ଶଳା ହୀନିମାନିଆ, ବେଇମାନ୍‌ !

 

ଏ ଉତ୍ତପ୍ତ କୋରଡ଼ା ମାଡ଼ରେ ବିଶ୍ୱମ୍ଭର ଧଡ଼ାସ୍‌କିନା ଉଠି ଠିଆ ହୋଇପଡ଼ିଲା । ଅଣ୍ଟା ବେକ ଠକ୍ ଠକ୍ ହୋଇ ଥରିଉଠିଲା । ନିଶା, ନିଦ ସବୁ ଗୋଟାଏ ପ୍ରଚଣ୍ଡ ତାତିରେ ବାନ୍ଧିହୋଇ ଉଡ଼ିଗଲେ । ଆଖି ତରାଟି ଅନ୍ଧାର ଭିତରକୁ ସେ ଅନେଇ ରହିଲା । ତାକୁ ପୁଣି ଶୁଭିଲା–ଏ ଅପମାନର ପ୍ରତିଶୋଧ ତୁ ନେଇ ପାରିବୁ ନାହିଁ । ମାଇଗୁଲିଆଙ୍କ ହାତରେ ଫାଶୀ ଚଳେନାହିଁ । ନହେଲେ ନିଜେ ମରିଯାଉନୁ ! ଦଉଡ଼ି ଲଗେଇ ମରିଯା । କୂଅକୁ ଡେଇଁପଡ଼ ! ଛୁରି ଭୁସି ହେଇ ଯା-। ବିଷ ଖାଇ ଦେ । ମର୍, ମର୍ !! ସୁଜାତା ହସିଲେ ତା' ଦାନ୍ତ ବଢ଼ିଆ ଧଳା ଦେଖାଯାଏ । ଜୟନ୍ତର ନିଶ ଟେକିହେଇଯାଏ ସିଗ୍ରେଟ୍ ଧୂଆଁ ପଛଆଡ଼େ ।

 

‘‘ଛୁରି ଭୁସି ଦେଇ ଯା ।’’ ମାର୍‌ ମାର୍‌, ଶହେ'ଥର, ଦୁଇଶ'ଥର ମାର୍ ଆ ଆ ଆ ।

 

ଚିର୍‌ଚିରେଇ ଉଠିଲା ସହରତଳିର ସେ ଅନ୍ଧାର ମୂଲକ–ବିଶ୍ୱମ୍ଭରର କାନ ତାବଦା ହୋଇଗଲା ସେ ଚିତ୍କାରରେ । ଆଉ କିନ୍ତୁ କେହି ଶୁଣିପାରିଲେ ନାହିଁ–ସେ କେବଳ ଆତ୍ମାର ଚିତ୍କାର

 

ମଣିଷକୁ ମାଛ କାଟିଲା ପରି/ମାଡ଼ିବସି କାଟିପକେଇଲେ ଦୁଇ ମିନିଟ୍ ହୁଏତ ଲାଗିବ । କିଛି ଚିତ୍କାର, କିଛି ବିକଳ ଛଟପଟ ପରେ ସବୁ ସାଫ୍ ହୋଇଯିବ ! ଇସ, କି ସିଣିସିଣିଆ ! ହାଣଖିଆ ବୋଦା ପରି ଯୋଡ଼ାଏ ସେଥିରୁ ପଡ଼ିଥିବେ–ଅଣ୍ଡିରାଟାଏ, ମାଈଟାଏ ଖୁବ୍ ନରମ, ଚିକ୍‍କଣିଆ ନଙ୍ଗଳା ମାଂସ ଦି ଗଦା !

 

‘‘ଚୋପ୍‌ ! ଅଣମଣିଷିଆ ! ଏମିତି ଏଥିରୁ ଗୁଡ଼ାଏ ଚିତ୍ର ଖଞ୍ଜି କାହିଁକି ପିଇଦେଇଯାଉଚୁ-। ତୁ ଭଲା କେବେ ଗୋଟାଏ ଓଡ଼ଶ ମାରିଛୁ ନିଜ ହାତରେ ? ଜିଅନ୍ତା ମାଛଟାଏ ପନିକି ପକେଇ କାଟିଛୁ ? ଛାଡ଼, ସେସବୁ ତୋ ଦେଇ ହେବନାହିଁ । ପାରିବୁ ତ, ଯଦି ଲଜ୍ଜା ଲାଗୁଛି ନିଜେ ମରିଯା ! ଧିକ ତୋ ହୀନିମାନିଆ ବେଇଜ୍ଜତିଆ ଜୀବନକୁ ! କୋଉ ମୁହଁରେ ତୁ କାଲି ସକାଳୁ ପୁଣି ସେଇ ସାଇରେ ବୁଲିବୁ ? ସେଇ ଅଫିସ ଭିତରେ ଚୋରଙ୍କପରି ପଶି ସେମାନଙ୍କ ମେଳରେ ବସିବୁ ନା ଯିବୁ ?

 

ଧେତ୍‍ତେରି ଅଲାଜୁକ ଶଳା ତୋ କାଠମୁହଁ ପାଇଁ ପାଣ୍ଢେଇ ନାହିଁ ।

 

କଚେରି ଘଣ୍ଟାରେ ଦୁଇଟା ବାଜିଲା । ଶୂନ୍‍ଶାନ ଅନ୍ଧାର ଓ ରାତି । ମୁଣ୍ଡଭିତରେ ଅଜସ୍ର କୋଳାହଳ । ସରୁଖଟିଆଟିରେ ଲଥ୍‍କିନା ବସିପଡ଼ିଲା ବିଶ୍ୱମ୍ଭର । କଟମଟ ଅନେଇଲା । ହେଇ ସେ କାନ୍ଥକୁ ଲେସିହୋଇ ଯେଉଁ କଳା ଛାଇଟାଏ ପରି ଦିଶୁଚି, ସେଇଟା ଲକ୍ଷ୍ମୀ ନା ? ଆଚ୍ଛା, ୟା ପାଖକୁ ଆସିବାର ଅର୍ଥ କ'ଣ ? ଏଥିରେ କ'ଣ ଭାବିଛୁ ତୁ କାହା ଉପରେ ପ୍ରତିଶୋଧ ନେଉଚୁ ବୋଲି ? ତୁ ତୋତେ ହିଁ ମାରିଚାଲିଛୁ–ଲାଞ୍ଛିତ କରିଚାଲିଛୁ । ଯେମିତି ନିଶାରେ ବୁଡ଼େଇ ଚାଲିଛୁ, ସେମିତି ଏ ଖଟିଆଟାରେ ତୋ ଇଜ୍ଜତକୁ ଖୁନ୍ କରିଚାଲିଛୁ–ଠିକ୍ ସେମିତି ଜୟନ୍ତକୁ ଛାଡ଼ିଦେଇଛୁ ତୋର ସବୁ ମାନ ଲୁଟି ଖାଇଯିବାକୁ । ତୁ'ଟା ଜୟନ୍ତ ପରିଡ଼ାର କୁକ୍‍କୁର ! ତା'ରି କାମ ତୁ ଏଠି ପୂରାକରି ଚାଲିଛୁ । ଆମୂଳଚୂଳ ତୁ ଯାହା କରିଆସିଛୁ, ସବୁ ଭୁଲ୍ ସବୁ ମୂର୍ଖତା । ଜୟନ୍ତ କଥାରେ ପଡ଼ି ଏସ୍. ପି. ଝିଅଟିକି କାହିଁକି ଆଗପଛ ନ ବିଚାରି ବିଭା ହେଇପଡ଼ିଲୁ ! ହଁ ହଁ, ତା' ନୁହେଁ ତ ଆଉ କ'ଣ ? ଛବିଟା ତୋ ଭଳି ତ ମୋଟେ ନୁହେଁ । ଆଠବର୍ଷ ବି କିଛି କମ୍ ନୁହେଁ । ଏତକ ଦିନ କ'ଣ ସୁଜାତା ଠକିଆସିଛି ? ନାଇଁ, କାଇଁକି ଆଉ ଠକିବ–ପତିଦେବତାଙ୍କ ଚରଣ ପଖାଳି ପାଦୁକ ପିଇ ଖାଲି ବଞ୍ଚିଚି ।-ଦ୍ଧେ, ଏସବୁ କ'ଣ ନୂଆ ? ତୁ ତ କୋଉ କାଳୁ ଜାଣିଲୁଣି । ତୋର ତ ମରଦପଣିଆ ଜମାରୁ ନାହିଁ । ଜାଣିଲେ ସୁଦ୍ଧା ମୁହଁ ଆଡ଼ କରିଦେଇ ନ ଦେଖିଲାପରି କୌଣସି ପ୍ରକାରେ ଶଗଡ଼ଗୁଳାରେ ଗଡ଼ିଚାଲିଛୁ । ତୋ ଗୁହାଳରେ ଆଉ ଦି'ଚାରିଟା ଜାରଜ।ତକ ଗଡ଼ିବା ପର୍ଯ୍ୟନ୍ତ ଏମିତି ବେଶ ଗୋଟାଏ ତୀବ୍ରତା ଭିତରେ ବଞ୍ଚିଗଲେ ହେଲା । ସୁବିଧା ଉଠେଇ ଜାଣିଲେ ବହୁ ବଡ଼ଲୋକ ସନ୍ତୁଷ୍ଟ ହୋଇଯିବେ । ସୁଜାତା ମୁହଁ ରେ ସେ ହସଟି ଥିବା ପର୍ଯ୍ୟନ୍ତ ତାକୁ ଆଉଜି ଅନ୍ନବସ୍ତ୍ର ଚଳେଇନେ !

 

ନା ! ନା ! ନା !

ଇସ୍‌ ! ମୋ ବାପ ଲୋ ! ସିଂହଟାଳିଆ ଅଣ୍ତିରା ଖାଲି ଗର୍ଜୁଛନ୍ତି !

 

ଦାନ୍ତ ଜ।ବି, ଆଖି ତରାଟି ବିଶ୍ଵମ୍ଭର ଏକା ଖେପାକେ ଲକ୍ଷ୍ମୀ ଉପରେ ଝାମ୍ପି ପଡ଼ିଲା । ଲୁହା ସଣ୍ଡୁ ଆଶି ପରି ହାତରେ ନରମ ଗୋଟାଏ ବେକ ଉପରେ ଶଗଡ଼ ଶଗଡ଼ କ୍ରୋଧ, ହିଂସା, ପ୍ରତିଶୋଧ ଅଜାଡ଼ି ହୋଇଗଲା । ଧପ୍‍ଧପ୍ କାନମୁଣ୍ଡା ପାଖରୁ ଟୋପା ଟୋପା ଝାଳ ନିଗିଡ଼ି ଆସିଲା । ପାଟିରୁ ନାଳ ନିଗିଡ଼ି ଆସିଲା । ସାରା ଦେହ ବଙ୍କା ଗୋଟାଏ କେନ୍ଦୁଆ ପରି ଟାଆଁ ସା ଧରିଗଲା । ବହୁ ଦିନଧରି କୁହୁଳୁଥିବା ଗୋଟିଏ ନିଆଁ ଫାଟିପଡ଼ିଲା । ଦାନ୍ତ ଲଗେଇ ପୁଳାଏ ଖୁଣିଦେଇଗଲା ତାତିଲା ରକ୍ତ ।

 

ଓଃ, ବିଶ୍ୱମ୍ଭର ମଙ୍ଗରାଜ ସୁଜାତାକୁ ଖୁନ୍ କରିପାରିଛି । ଜୟନ୍ତକୁ ଖୁନ୍ କରିପାରିଛି । ନା, ଜା ହାବୁଡ଼ରେ ପଡ଼ି ଆଉ କେହି ବଞ୍ଚିପାରିବେ ନାହିଁ ।

 

ଖୁବ୍‌ ଗୋଡ଼ ଫରକଟେଇ, ଅଣ୍ଟାରେ ହାତ ଦେଇ ଗୋଟାଏ ଅପ୍ରତ୍ୟାଶିତ ପୁରୁଷକାର ନିଜକୁ ଜାହିର୍ କରିବାକୁ ଲାଗିଲା । 'ହୁଁ ଏଇ ଶାଲା ଲକ୍ଷ୍ମୀ, ନାଇଁ ? –ମର୍ ମର–ଗୋଇଠାଯାକ ଭୁସ୍ ଭୁସ୍ ତଳେ ବାଡ଼େଇ ହେଲା । ନଇଁପଡ଼ି ଦୁଇଟା ହାତ ସେ ଅନ୍ଧାରରେ ଓଟାରିଆଣିଲା–କେବଳ ଖଣ୍ତେ କାକର କନ୍ଥା ।

 

ପୁରୁଣା ତକିଆଖଣ୍ଡ ମୃତ ପକ୍ଷୀଟାଏ ପରି ପର ବୁଣିଦେଇ ଭିଣି ହୋଇ ପଡ଼ିଛି ।

ହିଃ, ହିଃ, ହିହି ହା ହା ହା ହା

 

ମୁନ୍ଦୁରା ଉପରକୁ ଟଳିପଡ଼ିଲା ଅତି ଛୋଟ ମଣିଷଟାଏ । ତୁଳା ସାଲୁବାଲୁ ହାତରେ ମୁହଁ ଘୋଡ଼େଇ କାନ୍ଦିପକେଇଲା ବିଶ୍ୱମ୍ଭର ମଙ୍ଗରାଜ । ଗୋଟାଏ ନରହନ୍ତାର କୁହାଟୁଥିବା ପୁରୁଷକାର ତାକୁ ଉପହାସ କରି ସେ ଘରର କାନ୍ଥରୁ କାନ୍ଥ ପର୍ଯ୍ୟନ୍ତ ଓସାରି ହୋଇଗଲା ।

 

ଅଣପୁରୁଷିଆ ମାଇଚିଆଟାଏ–କାନ୍ଦ ଆଉ ସରୁନାହିଁ । ଲୁହର ଉଜାଣି ଅମାନିଆ ଝରିଚାଲିଛି ।

ହି, ହି, ହି, ହି,

ଫିସ୍ ଫିସ୍ କିଏ ସେପଟୁ କ'ଣ କହୁଛି । ଆଉ ଜଣେ ହସୁଚି–ହି ହି ହି ହି ।

 

"ସେଇଟା ନିଶା ଖାଇ ଆସେ ବା ! ତା'ର କ'ଣ ହୋସ୍ ଥାଏ ! ସେଇଟା ସେଇଠି ରାତି ପାଇଲା ପର୍ଯ୍ୟନ୍ତ ଗଡ଼ୁ ଥିବ ହି ହି ।"

 

ମୁଣ୍ଡ ଟେକି ଅନ୍ଧାରରେ ଆସାମୀ ଶୁଣିଚି ତା'ଉପରେ ସଂସାର କ'ଣ ରାୟ ଦଉଚି ।

 

ଲକ୍ଷ୍ମୀ କହୁଚି–'ତୁ କାଇଁକି ଏମିତି ଡରୁଚୁ କିରେ ? ସେଇଟା ତୋ'ର କଣ କରିପକେଇବ ? ସେ ତ ତା' ନିଜ ମାଇପକୁ ସମ୍ଭାଳି ପାରୁନାଇଁ ।'

 

ହି ହି ।

 

ପାଟି ଶୁଖିଯାଉଛି । ଫାଶୀ ହୁକୁମ ହୋଇଗଲା । ଦେହରୁ ଝାଳ ଫିଟିପଡ଼ୁଛି । ଆଉ ନୁହେଁ, ସବୁ ସରିଗଲା ।

 

"ମୁଇଁ କିସ୍‍ସ ବେଲୁଚି କି, ତୁକୁ ମୁଇଁ ରକ୍‍କିବି । ତୁ'ଇ ଶଳାକୁ ଛାଡ଼ କିନା । ଅମ୍‍ମ ହାକିମ୍ ଇ ମାସ ପୂର୍ତ୍ତିକୁ ମୁଁକୁ ଗର ଦବ ବେଲୁଚି ।"

 

ଫାଶୀ ଆସାମୀ ଗୋଟାଏ କଣକୁ ତରତର ଲୁଚିପଡ଼ିଲା । ତା'ପରେ ହଠାତ୍ ଡ଼ିଆଁ ମାରି କବାଟ ଫିଟାଇ ଯୋଡ଼ି ଛାଡ଼ି ଅନ୍ଧାର ଭିତରକୁ ଧାଇଁ ଚାଲିଗଲା–ଗୋଟିଏ ଡରକୁଳା କନକନିଆ ପାତିଚୋର ।

 

ଆପ୍‍ପେୟା କୁହାଟିଲା–"ଚୋରୋ, ଚୋରୋ !"

ଲକ୍ଷ୍ମୀ କେବଳ ହସିଲା–ହିହି, ହିହି ହାହା ।

 

ଗଛପତ୍ର ଭେଦି, ଅନ୍ଧାର କାଟି ଅନେକ ବାଟ ଗୋଡ଼େଇଗଲା ପାତଳ ପାତଳ ହସର ବିଜୁଳି । ବିଶ୍ୱମ୍ଭର ଏକମୁହାଁ ଧାଇଁଚାଲିଥାଏ ।

 

ଅଫିସ୍‌ର ପ୍ରାୟ ସମସ୍ତେ କିଛି କିଛି ଫୁଲ ଆଣି ବଡ଼ ବଡ଼ ଦି'ଟା ଫଟୋ ଉପରେ ମଣ୍ଡି ଦେଇଛନ୍ତି । ଧ୍ୟାନବେଳେ ହାକିମ ଦେଖିପାରୁଥିବା ଥାନରେ ବସି ଆଖି ଭିଡ଼ି, ନିଃଶ୍ୱାସ ଜବ୍‍ଦ କରିସାରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଗଲା । ଧୋତି-ପଞ୍ଜାବରେ ଜୟନ୍ତ ପରିଡ଼ା ଅସମ୍ଭବ ଗମ୍ଭୀର ।

 

କିଛି ସମୟ ଆଖି ବୁଜି ଠିଆହେବା ପରେ ମାଇକ୍‍ରେ ଦୀର୍ଘ ନିଃଶ୍ୱାସଟିଏ ଶୁଭିଲା–"ନୂତନ ଯୁଗର ଆଲୋକ ପାଇଁ ଉନ୍ମୁଖ ଆଧ୍ୟାତ୍ମିକ ବନ୍ଧୁ ଗଣ ! ଆପଣମାନଙ୍କ ମନେଥାଇପାରେ ଯେ ଯେତେବେଳେ ଆମେ ଏ ସଭାର ଆୟୋଜନ କରିବାକୁ ଯାଉଥିଲୁ, କିପରି ଚାରିଆଡ଼ୁ ମେଘ ଘୋଟିଆସିଲା । ଅନେକ ବନ୍ଧୁ ସେଥିରେ ଆତଙ୍କିତ ହୋଇଯାଇଥିଲେ । ମୁଁ କିନ୍ତୁ ମନେ ମନେ ଧ୍ୟାନ କରିନେଲି । ଗୁରୁଙ୍କ ପାଖକୁ ଗୋଟାଏ ଟେଲିଗ୍ରାମ୍ କଲି ବୋଲି ଭାବିନେଲି । ମୋର ପୂର୍ଣ୍ଣବିଶ୍ୱାସ ଯେ ସେଥିରେ ବର୍ଷା ନିଶ୍ଚୟ ଉଡ଼ିଯିବ । ବର୍ତ୍ତମାନ ଗୁରୁଙ୍କ ଆଶୀର୍ବାଦ ଓ ମହିମା ପ୍ରମାଣିତ ହୋଇଗଲା । ବିଶ୍ୱାସ ହେଉନଥିଲେ ଆପଣମାନେ ଆକାଶକୁ ଅନାନ୍ତୁ ।"

 

ଘନ ଘନ କରତାଳିରେ ତିରିଶଜଣିଆ ଆଧ୍ୟାତ୍ମିକ ସଭା ମୁଖରିତ ହୋଇ ଉଠିଲା ।

 

‘‘ଯେତେବେଳେ ଏ ପୃଥିବୀ କେବଳ ଜଡ଼ ଥିଲା, ସେତେବେଳେ ଜୀବନର ପ୍ରଥମ ରହସ୍ୟ କେହି ଜାଣନ୍ତି ନାହିଁ । ଏଥିରେ ବିଜ୍ଞାନ ମଧ୍ୟ ନୀରବ । ତା’ପରେ ଉଦ୍‍ବର୍ତ୍ତନର ଧାରା ଆସି ମଣିଷ ପାଖରେ ପହଞ୍ଚିଛି । ମଣିଷ ପୃଥିବୀର ଶ୍ରେଷ୍ଠ ଜୀବ ସତ; କିନ୍ତୁ କ'ଣ ତାକୁ ଅନ୍ୟ ପ୍ରାଣୀଠାରୁ ପୃଥକ୍ କରୁଛି ? ମୂଳକଥା ହେଲା, ମାନବ ଏକ ମାନସିକ ପ୍ରାଣୀ । ମନ ହିଁ ତାକୁ ଏ ପର୍ଯ୍ୟନ୍ତ ସାହାଯ୍ୟ କରି ଆସିଛି–କିନ୍ତୁ ଏଇଠି ତ ଆସି ସବୁ ଅଟକିଯିବ ନାହିଁ । ଗୋଟିଏ ମହାପ୍ରଭାବ ଆସି ତ ଏଠି ରହିଯିବ ନାହିଁ । ମନ ମଧ୍ୟ କେବଳ ଚିନ୍ତା କରେ, ଯୁକ୍ତି କରେ କିନ୍ତୁ ତା'ର ପୁଣି ସ୍ତର ରହିଛି, ଚେତନାର ସ୍ତର ରହିଛି । ଆସ୍ତେ ଆସ୍ତେ ମଣିଷ ସେଇ ନୂତନ ସମ୍ଭାବନା ଆଡ଼କୁ ଅଗ୍ରସର ହେବହିଁ ହେବ । ମୋର କହିବାର କଥା ଆପଣମାନଙ୍କୁ ଯେ ଗୋଟାଏ ରୂପାନ୍ତର ଅବଶ୍ୟ ହେବ । ସେଥିପାଇଁ ପୃଥିବୀ ପ୍ରସ୍ତୁତ ରହିଛି । ଅନନ୍ତକାଳରୁ ସେଥିପାଇଁ ପ୍ରସ୍ତୁତି ଚାଲିଥିଲା ।"

 

‘‘ବାହା, ବାହା !-ଏମିତି ସିନା ଜ୍ଞାନ ! କେତେ ବଡ଼ ଭକ୍ତ ନ ହେଲେ ଯାଇ ମଣିଷ ଏପରି ଅନ୍ନୁତ ଜ୍ଞାନ ଲାଭକରୁଥିବ ! ସେ ଲୋକ ପରା ଆଜନ୍ମ ବ୍ରହ୍ମଚାରୀ ! ବୟସ ତିରିଶଟା ହବ କି ନାହିଁ, ଯେଉଁଥିରେ କହିବ ସେଥିରେ ପାରଙ୍ଗମ ।’

 

ଆପଣମାନେ ଭାବୁଥିବେ ଯେ ଏ ସାଧନା ଭାରି କଷ୍ଟ । ଏଥିରେ କିନ୍ତୁ ମୋଟେ କିଛି ନାହିଁ; ଖାଲି ମନଟାକୁ କାବୁ କରିଦେଲେ ହେଲା । ସେଇଟା ଛଟପଟ ହେଉଥିଲା ପର୍ଯ୍ୟନ୍ତ କିଛି ହେବ ନାହିଁ । ଯୁକ୍ତି ବନ୍ଦ କର; ଖାଲି ଶୁଣ–ଭିତରୁ ଆବାଜ ଆସିବ । ଅନେକ ସ୍ୱପ୍ନ ସବୁ ଦିଶିବ । ଅହରହ ଆସ୍ପୃହା ରଖି ଗୁରୁଙ୍କ ଧ୍ୟାନ କଲେ ଉପରୁ ଆଲୋକ ଅବତରଣ କରି ରୂପାନ୍ତର କରିଦେବ-। ସିଡ଼ିରେ ଉଠିଗଲା ପରି ମନର ସବୁ ପାହାଚ ପାହାଚ ହୋଇ ବାଇଶିଟା ସ୍ତର ପାରିହୋଇଯିବ । ତା'ପରେ ଏମିତି ଗୋଟାଏ ସ୍ତର ଆସିବ ଯେ ଦେହରୁ କେବଳ ଜ୍ୟୋତି ବାହାରିବ । ଅନ୍ଧାରରେ ମଧ୍ୟ ବହି ପଢ଼ିହେବ । ଆପଣଙ୍କୁ ମୁଁ ସବୁ ଅନୁଭବକୁ ହିଁ କହୁଛି ।"

 

‘‘ମୁଁ ପରା ନିଜେ ଦେଖିଛି ତାଙ୍କ ବୁକୁ ମଝିରୁ ଗୋଟିଏ ଟର୍ଚ୍ଚ ପରି ଆଲୁଅ ବାହାରିଆସି ବହି ଉପରେ ପଡ଼ିଗଲା । ସେ ସେଇ ଆଲୁଅରେ ପଢ଼ିଯାଉଥାନ୍ତି-ମୁଁ ଶୁଣିଛି ।’’

 

‘‘ଇଡ଼ିଅଟ୍‌ !’’

 

ରାସ୍ତା ଉପରେ ବିଶେଷ ଆଲୁଅ ନାହିଁ । ମାଇକ୍‍ରେ କିନ୍ତୁ ପରିଷ୍କାର ଶୁଭୁଚି । ଅନେକ ଚାଲିଗଲା ଲୋକ ଠିଆହୋଇଯାଉଛନ୍ତି–କ'ଣ କିଏ କହୁଛି ଶୁଣିବାକୁ ।

 

'ଇଡ଼ିଅଟ୍‌' କହିଦେଇ ଜୟରାମ ଧୀରେ ଧୀରେ ଆଗେଇଲେ । ଶୁଭୁଚି–"ଆପଣମାନଙ୍କର ପୁରାତନ ସବୁ ପନ୍ଥା ଭଲ । ଆପଣ ଟିକିଏ ପିତୁଳାପୂଜା ଛାଡ଼ି ଦିଅନ୍ତୁ । ଏ ଆଧ୍ୟାତ୍ମିକ ମାର୍ଗ ପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡ଼ିବ ନାହିଁ–ଯେମିତି ଚଳୁଥିଲେ ଠିକ୍ ସେମିତି ଚଳିବେ । ସମଗ୍ର ଜୀବନ ହିଁ ଯୋଗ । ଏଥିରେ ମିଛ ଖଚ ରହିବହିଁ ରହିବ । ତା'ର କ'ଣ ଏବେ ରୂପାନ୍ତର ହୋଇଯିବ ? ଏଇ ଧରନ୍ତୁ, ଆପଣ ଯାହାକୁ 'ଲାଞ୍ଚ' ବୋଲି କହିବାର ଅଭ୍ୟାସ ରଖିଛନ୍ତି ସେଇଟା କେବଳ ଗୋଟାଏ ପୁରାତନ ଅନ୍ଧବିଶ୍ୱାସ–ଠିକ୍ ବୁଝିଲେ ତାହା କେବଳ ଧନର ଆଦାନ ପ୍ରଦାନ ମାତ୍ର । ସେଥିରେ ଟଙ୍କାଟାକୁ ଗୋଡ଼ିମାଟି ପରି ଖେଳିଦିଆଯାଏ–ସେଥିରେ ଯେମିତି ନିରାସକ୍ତି ଅଛି, ଆଉ କେଉଁଥିରେ ନାହିଁ । ଧନ ଗୋଟାଏ ଶକ୍ତି । ତାକୁ ଯେକୌଣସି ପ୍ରକାରେ ଆଦାୟ କରି କିଛି ଗୁରୁସେବା ପାଇଁ ଆଶ୍ରମକୁ ପଠାଇଦେଲେ ବାକି ଯାହା ରହିଯିବ ତାହା ବିଶୁଦ୍ଧ । ପାପ କେବଳ ମନରେ–ଦେହରେ ଯାହା କଲେ ମଧ୍ୟ କିଛି ଯାଏ-ଆସେ ନାହିଁ । ପୁଣି ଦେଖନ୍ତୁ–ଆମିଷ ଖାଇବା କଥା । ଆପଣଙ୍କୁ ଆମିଷ ଖାଇବାକୁହିଁ ହେବ ନହେଲେ ଶରୀର ରୂପାନ୍ତର ହେଲାବେଳକୁ କମ୍‍ଜୋର୍ ହୋଇଯିବ । ଆଧ୍ୟାତ୍ମିକ ଧକ୍‌କା ସହିବାକୁ ଯଥେଷ୍ଟ ଶକ୍ତି ଦରକାର । ଆପଣ ଯାହା ଖାଇଲେ ମଧ୍ୟ ମନଟାକୁ ନିର୍ବିକାର ରଖିଦିଅନ୍ତୁ; ତେଣିକି ସବୁ ଠିକ୍ । ପୁରୁଣା ବ୍ରାହ୍ମୁଣିଆ ଚିତାଚଇତନିଆ ବୁଦ୍ଧି ଛାଡ଼ନ୍ତୁ । ନାକ ଚିପି କୁଣ୍ଡଳିନୀକୁ ତେଜିବା ସବୁ ମିଛ । ଖାଲି ଆଖିବୁଜି ଅଧଘଣ୍ଟାଏ ଧ୍ୟାନ କରିପାରିଲେ ଆଧ୍ୟାତ୍ମିକ ଶକ୍ତି ବଳରେ ବାକି ସବୁ ତା' ମନକୁ ମନ ହୋଇଯିବ । ଯାହା ଚାହିଁବେ ତା' ହୋଇଯିବ ।

 

ସଂଧ୍ୟାର କାକରିଆ ପବନରେ ଅଶିଣର ପୂର୍ବାଭାସ । ଚିହ୍ନା ବନ୍ଧୁ ଟାଏ ପରି ଯେତେ ଦୂରରେ ଥିଲେ ମଧ୍ୟ ଜୟରାମ ଅଶିଣକୁ ବାରିଦିଅନ୍ତି । ଅନେକ ଦିନର ପରିଚୟ ବହୁ ସ୍ୱପ୍ନର ରେଶମୀ ତନ୍ତୁରେ ଗୁଡ଼େଇ ହୋଇ ଶୋଇଯାଇଚି ଅଶିଣ । ତାକୁ ଆଡ଼େଇ ଦେଖିଲେ ଝରଝର ହୋଇ ଅଶ୍ରୁ ବୋହିଯାଏ । ଅଜସ୍ର ମଲା ପାଉଁଶ ଭିତରେ ଜୁଡ଼ୁବୁଡ଼ୁ ତାଙ୍କର ଅଶିଣ । ତଥାପି କିନ୍ତୁ ପ୍ରତିବର୍ଷ ବଉଳଫୁଲର ମହୁଆ ବାସ୍ନା ଗର୍ଭରେ ନେଇ ସେ ଟଳୁଥାଏ । ଜୟରାମ ଭାରି ସନ୍ତର୍ପଣରେ ଗୋଟିଏ ଲମ୍ବା ନିଶ୍ୱାସ ତାକୁ ଭେଟି ଦିଅନ୍ତି । ତାକୁ ସମୟରେ ମାପିଲେ ତିରିଶ ବର୍ଷ, ଗହୀରରେ ମାପିଲେ ଦଉଡ଼ି ପାଏ ନାହିଁ ।

 

ଆଧ୍ୟାତ୍ମିକ ସଭାର କ'ଣ ଗୁଡ଼ାଏ ଯାନ୍ତ୍ରିକ କୋଳାହଳ ଗୋଛାଏ ଅଚିହ୍ନା ବିଲାତି କୁକୁର ଭଳି ଘାଉ ଘାଉ ହୋଇ ତାଙ୍କ ପଛେ ଗୋଡ଼େଇଛନ୍ତି । କିଛି ସମୟ ଆଗେଇଗଲା ପରେ ରାସ୍ତାର ମୁରୁମ ଉପରେ ଆସ୍ତେ ଆସ୍ତେ ନିଜ ପାଦ ଶବ୍ଦ ଶୁଭିବାକୁ ଲାଗିଲା । ସେ ଆସ୍ତେ ଦୂରେଇଗଲେ । ବେଶ୍ ଟିକିଏ ସୁସ୍ଥ ବୋଧ କଲେ ଆପାତ-ନିର୍ଜନତାରେ । ଆଉଜିବାକୁ ତ ହେବ ! ନିରାଲମ୍ବ ଠିଆହେଲା ଭଳି ମଣିଷ ହାଡ଼ରେ ବଳ କାହିଁ ? –କିନ୍ତୁ ଆଉଜିବ କାହା ଉପରକୁ ? ବୁଢ଼ିଆଣୀ ନିଜ ପେଟରୁ ଜାଲ କାଢ଼ି ତା'ରି ଉପରେ ବସି ଘୁମେଇଲା ପରି ମଣିଷ-ମଣିଷ ଭିତରେ ସମ୍ପର୍କ ତନ୍ତୁ । ତାରି ଉପରେ ଆଉଜିଲେ ଚଳିଯାଏ ଯେତେ ବେଳ ପର୍ଯ୍ୟନ୍ତ ନିଜ ପେଟରୁ ରସ ନିଗାଡ଼ି ସେ ତନ୍ତୁକୁ ପରିପୁଷ୍ଟ କରୁଚି । ଅର୍ଥ ଯୋଗେଇ ଗୁଡ଼ାଏ ଲୋକଙ୍କୁ ପୋଷିବା ଯାହା, ବହୁ ଯୁକ୍ତି ଛଳରେ ଗୁଡ଼ାଏ ଆଦର୍ଶ ପୋଷିବା ମଧ୍ୟ ତାହା । ସେଇ ଆଦର୍ଶ ପାଇଁ ବଞ୍ଚିବା ଆଶାରେ ପ୍ରାଣପାତ କଲେ ମଧ୍ୟ ସଂସାର କିଛି ଦିଏ ନାହିଁ । ଲହୁଲୁହ ନିଗାଡ଼ି ମଣିଷ ଶେଷକୁ ମରିଯାଏ ।

 

ବିଦ୍ୟାଧର ରାୟ ! ମନ୍ଦ ନୁହେଁ ଲୋକଟା । ବେଶ୍ କେତୋଟି ଟାଣୁଆ ବିଶ୍ୱାସକୁ ସେ ଜାବୁଡ଼ି ଧରିଛି; କିନ୍ତୁ ଯେଉଁ କେତେ ବିଣ୍ଡା ବିଶ୍ୱାସ ଧରି ସେ ବୁଲୁଥାଏ, ତାକୁ ଫିଟେଇଦେବାକୁ ତା'ର ସାହସ କୁଳାଏ ନାହିଁ । ତାକୁ ଭାରି ଭୟ । ନିଜ ପେଟ ଚିରି ଅନ୍ତନାଡ଼ିର ସତ୍ୟ ଦେଖିବାକୁ ଯେମିତି କୁଣ୍ଠା, ସଙ୍କୋଚ, ଭୟ ତାକୁ କାଲୁଆ କରିଦିଏ । ସେ ଚାହେଁ କେବଳ ଚାଲୁ-ଚମଖଣ୍ଡେ ଘୋଡ଼େଇ ଏ ସମସ୍ତ ଆବର୍ଜନାକୁ ଗୋଟାଏ ଛପା ମୋହର ତଳେ ଚଳେଇ ନେବାକୁ । ସେ ବିଚାରା ହୁଏତ କେବେ ସନ୍ଦେହ କରିନାହିଁ ଯେ ତା'ର ବିଶ୍ୱାସର ବିଣ୍ଡାଟି କେବଳ ଗୋଟାଏ ଖୋଳ-। ତେବେ ବି ମନ୍ଦ କ'ଣ ? ସବୁ ଫିଟେଇ ଖିନ୍‍ଭିନ୍ ଦେଖିବା କ'ଣ ଏପରି ଅପରିହାର୍ଯ୍ୟ ! ନା ବାଞ୍ଛନୀୟ ! ଏମିତି ଫିଟେଇ ଦେଖିବା ମଧ୍ୟ ଗୋଟାଏ ଖୋଇ । ସବୁ ତ ପରିଶେଷରେ ଅର୍ଥହୀନ, ନୀରବ, ଫାଲ୍‌ତୁ ପୁଳାଏ କାଦୁଅ ।

 

ହୋଇପାରେ, ପାସ୍ ବହିରୁ ପ୍ରାୟ ସବୁ ସରିଆସିଲାଣି ସରୁ । ସତ୍ୟ, ଧର୍ମ ବୋଲି ଯେଉଁ ଗୋରୁ ଲାଙ୍ଗୁଡ଼ଟି ଅଛି, ତାକୁ ଧରିଲେ ତ ଅନ୍ୟ କିଛି ବ୍ୟବସ୍ଥା ହୋଇ ନ ପାରେ । ସଂସାରର ବିପରୀତ ଧର୍ମ ନେଇ ସଂସାର ତୁମକୁ କାହିଁକି ପୋଷିବ ? ଖରାଦିନେ ପାଣି ନ ପାଇ ଗଛଟା ଠିଆ ଜଳିଯାଏ । ଯେଉଁ ମାଟି ତାକୁ ସାର ଯୋଗେଇ ଆସିଥିଲା ସେଇଟା ପଥର ହୋଇଯାଏ, ନିର୍ଦୟ ହୋଇଯାଏ । ତାକୁ ନରମ କରିବାକୁ ଉପରୁ ବର୍ଷାଧାର ପଡ଼ିବା ପ୍ରୟୋଜନ । ସେଇଟା କ'ଣ ଏ ଜଳିଯାଉଥିବା ଗଛଟିର କାତର ପ୍ରାର୍ଥନା ଉପରେ କେବେ ନିର୍ଭର କରିଛି ? ସେ ତା'ର ଅନ୍ୟପ୍ରକାର ନିୟମରେ ଆସେ ଏବଂ ଯାଏ । ସେଥିରେ ସେମିତି ଗୁଡ଼ାଏ କରୁଣା ଆଦି କିଛି ନାହିଁ । ଏଠି ତ ପୁଣି ସେମିତି ସବୁ ଘଟୁଚି–ଆଖି ଆଗରେ ସରିଯାଉଚି । ସହିହେଉନାହିଁ ବୋଲି ନାନା ପ୍ରକାର କଳ୍ପନା । ଆତ୍ମା, ଚୈତ୍ୟପୁରୁଷ, ଆରୋହଣ, ଅବରୋହଣ, ସଂସ୍ଥା, ସମିତି–ସବୁ କେବଳ ସତ୍ୟ ଉପରେ କମ୍ବଳ ଘୋଡେ଼ଇବାର ଅବିଶ୍ରାନ୍ତ ପ୍ରୟାସ । କିନ୍ତୁ ଆକାଶଟାକୁ ଘୋଡେ଼ଇବାକୁ ତ ସବୁବେଳେ ମେଘ ଅଣ୍ଟେ ନାହିଁ । ସେଇ ଦିଗହରା ନେଳିଆ ଗହୀରଟାକୁ ଚାହିଁବା କିଛି ସୁଖକର ମଧ୍ୟ ନୁହେଁ । ଆକାଶର ଆକାଶେ ଶୂନ୍ୟତା ସାଙ୍ଗରେ ଟକ୍‍କର ଦେବା ପାଇଁ କୌଣସି ଗିର୍ଜା ବା ମନ୍ଦିର ପର୍ଯ୍ୟାପ୍ତ ନୁହେଁ । ତଥାପି ଯିଶୁ ମିଥ୍ୟା ନୁହେଁ । ଜାରାଥଷ୍ଟ୍ରୋ, ଶଙ୍କର, ଅରବିନ୍ଦ ମିଥ୍ୟାବାଦୀ ହେବାର କାରଣ କିଛି ନାହିଁ । କ'ଣଟାଏ କେଉଁଠି ହୁଏତ ଧୂଆଁ ଭିତରେ ଲୁଚିଛି । ତାକୁ କିଏ କେଉଁ ବାଗେ ଅଣ୍ଡାଳିଚି । ବେଳେବେଳେ ଧୂଆଁ ରୁ ସେଇଟା ବାରିହୁଏ ନାହିଁ; ବେଳେବେଳେ ଚାଇଁକିନା ବାରିହୋଇଯାଏ । ପହଁରୁଥିବା ମେଘକୁ ଅନଉଁ ଅନଉଁ ହୁଏତ କେତେବେଳେ ସେଇଟା ହାତୀ ପରି ତ କେତେବେଳେ ଘୋଡ଼ା ପରି ବା କେତେବେଳେ ପୁଣି ତା ନିଜ ପରି ଅଦ୍ୱିତୀୟ । ସେଭଳି ନାହିଁ, ନଥିଲା ବା ନୋହିବ !

 

ଛାଡ଼ !

 

ଏଠି ତ ଯୁଦ୍ଧ କଲେ ଚଳନ୍ତା–କିନ୍ତୁ କାହା ସାଙ୍ଗରେ ? ଜୟ ପରିଡ଼ା ? ଧେତ୍ ! ତେବେ ତାକୁ ମାନିଯାଅ । ତାହାରି ତ ଏ ସମାଜରେ ଜୟ ହୋଇ ଚାଲିଛି । ସେ ଯେଚ୍ଛାତା' ପରି ତାକୁ ଘୋଡ଼େଇ ଦେଇପାରେ । ସେ ପାରୁଚି–ତମେ କିନ୍ତୁ ପାରୁନାହଁ । ତାକୁ ଯାଇ ସେ ସଭାରେ ଗୋଟିଏ ଦି'ଟି ପ୍ରଶ୍ନ ପଚାରିଦେଇଥିଲେ ତା'ର ହତ୍ୟା ହୋଇଯାଇଥାନ୍ତା–କିନ୍ତୁ ଲୋକେ କହିଥାନ୍ତେ ତାହା ଅସୂୟା, ଆକ୍ରୋଶ । ତାକୁ ତ ମୁହାଁମୁହିଁ ବିରୋଧ କରିବାକୁ ଘୃଣା ବା ଭୟ । ଏଣେ ରାଜନୀତିରେ ଟିପ ଦେବାକୁ ସଙ୍କୋଚ । ତା' ମାନେ ତାକୁ ହିଁ ସୁଯୋଗ ଦିଆହେଉଛି । ଆଗେଇ ହେଇ, ପ୍ରତିବାଦ ନ କରି ଠିଆହେବାର ଅର୍ଥ କାପୁରୁଷତା–ଡରକୁଳା, ଦୁର୍ବଳ ମଣିଷଙ୍କ ସ୍ଵଭାବ ।

 

ହୋଇପାରେ-କେବଳ ବଳ ଥିଲେ ଯେ ଜଣେ ଅହରହ ଯୁଦ୍ଧ କରିବ ତା’ ଠିକ୍ ନୁହେଁ, ଲଢ଼େଇ ପାଇଁ ପ୍ରବୃତ୍ତି ଥିବା ପ୍ରୟୋଜନ । ସବୁ ସରିଆସିଲାବେଳକୁ ନିଆଁ କୁ ଦହକେଇ ଆଉ ଯୁଦ୍ଧ କରିହୁଏ ନାହିଁ । ଯୁଦ୍ଧ କଲେ ମଧ୍ୟ ଯେପରି ପରାଜୟ ଏବଂ ମୃତ୍ୟୁ, ଯୁଦ୍ଧ ନ ହେଲେ ମଧ୍ୟ ସେହିପରି ଅବହେଳା ଏବଂ ମୃତ୍ୟୁ ।

 

ପଣ୍ଡିଚେରୀ ! ଊଣେଇଶ୍‍ଶ’ ଅଠତିରିଶରେ ସେ ମାନ୍ଦ୍ରାଜରୁ ଯାଇ ଦେଖିଛନ୍ତି । ଆଶ୍ରମରେ ଗୋଟାଏ ନୂଆ ପରୀକ୍ଷା କ'ଣ ହେଉଛି ବୋଲି ସେ କୌତୂହଳରେ ସେଇଠି ପହଞ୍ଚିଥିଲେ । ତାଙ୍କ ପାଚେରି ଭିତରେ, ତାଙ୍କ ସଂପ୍ରଦାୟର ବ୍ୟାକରଣରେ ସେମାନେ ଯାହା କହୁଛନ୍ତି ତା' ଠିକ୍ । ସେ ବି କିଛି ସେମିତି ନୂଆ କଥା ନୁହେଁ । ଏଇଠି, ଏଇ ଶରୀରରେ ଦିବ୍ୟଜୀବନ–ଜରାମୃତ୍ୟୁହୀନ ଜ୍ୟୋତିର୍ମୟ ଶରୀର ! ଏସବୁ ଯୋଗକ୍ରିୟାର ବହୁ ପୁରୁଣା ଜଡ଼ିବୁଟି-। ଆରବରେ ସେମାନେ ଖୋଜିଛନ୍ତି, ମଧ୍ୟ–ଆଫ୍ରିକାରେ ମଧ୍ୟ ଖୋଜିଛନ୍ତି–ଅମର ଫଳ, ଅମର ରସ, ଅମର ଜ୍ୟୋତି–କ'ଣଟାଏ ଢୋକିଦେଇ ଆଉ ମରିବେ ନାହିଁ । ବାରମ୍ବାର ସେଥିରେ ପରାହତ ହେଲେ ସୁଦ୍ଧା ସେଇ ଆଡ଼କୁ ପ୍ରଲୁବ୍‍ଧ ହେବା ମଣିଷର ଗୋଟାଏ ପ୍ରବୃତ୍ତି । ସତକୁ ସତ କ'ଣ ତାଙ୍କୁ ସେଇଆଡ଼େ କେହି ଟାଣୁଥାଏ–ନା ଏଇ ଜୀବନର ଲୋଭ ହିଁ ମରୁଭୂମିର ଖଜୁରି ଗଛ ପରି କେବଳ ଗୋଟାଏ ମରୀଚିକା ସୃଷ୍ଟିକରେ ?

 

ଜୟନ୍ତ ପରିଡ଼ା ପାଇଁ ଏ ମୁଖା ପିନ୍ଧିବା ଗୋଟାଏ ଫେଶନ୍ । ଗାନ୍ଧିଟୋପି ପରି, ଗୋଟାଏ ଧର୍ମଗୁରୁ, ଗୋଟିଏ ଆଧ୍ୟାତ୍ମିକ ସୌଦା । ରାମକ୍ରିଷ୍ଣନ୍ ସେମିତି ସାଇବାବାଙ୍କ ଭକ୍ତ । ଗୋଟାଏ ଆକୁଳି ପଣ୍ଡା ଅଛି–ସେ ଅନୁକୁଳଚନ୍ଦ୍ରଙ୍କୁ ଭଜିଛି । କିଏ ଯୋଗାନନ୍ଦ, କିଏ ଚୈତନ୍ୟ, କିଏ ଆନନ୍ଦମାର୍ଗ, କିଏ ରାମକୃଷ୍ଣ ମାର୍ଗ !! ଓଃ, ତେତିଶିକୋଟି ଦେବତାଙ୍କୁ ନେଇ ପଞ୍ଚାବନ କୋଟି ପରୀକ୍ଷା ଅଣ୍ଟିଲା ନାହିଁ ଯେ ଏବେ ପୁଣି ଏମିତି ଗୁଡ଼ାଏ ବିଳାସ ନ କଲେ ଚଳୁନାହିଁ ! ଓଡ଼ିଶାଟା ତ ଧର୍ମ–ବେଉସା ପାଇଁ ବଢ଼ିଆ ଖତିଆନ୍ ଭୂଇଁ ! ଲୋକ ଖୋଳ–କରତାଳ ଧରି, ଘଣ୍ଟା ମୃଦଙ୍ଗ ଧରି ଜଗିବସିଛନ୍ତି । ତାଙ୍କ ମଝିରେ ପଶି ତାଙ୍କୁ ମତେଇ ଦେଲେ ମାତିଲେ । ଗୁରୁ ମଧ୍ୟ ବଙ୍ଗଭୂମିରେ ଗେଙ୍ଗୁଟି ପଡ଼ିଲା ପରି ରାସ୍ତାଘାଟରେ ଗଡ଼ୁଚନ୍ତି । ସାହି ସାହିରେ ସିଦ୍ଧପୁରୁଷ ! ସେମାନେ ନାସା ବାରି ଓଡ଼ିଶାକୁ ମାଡ଼ିଆସନ୍ତି, ଭକ୍ତ ଗୋଟାନ୍ତି, ମଠ ଗଢ଼ନ୍ତି । ତା'ପରେ ତାଙ୍କ ଭିତରେ ଲାଗେ କଳିତକରାଳ–କେଉଁ ଗୁରୁ ବଡ଼, କାହାର ଶିଷ୍ୟ କେତେ, ସେ ଶିଷ୍ୟମଣ୍ଡଳୀରେ ସାଇବ କେତେ ଜଣ । କାହା ଫଟରୁ ମହୁ ଝରୁଚି ବା ବିଭୂତି ବୋହୁଚି । ଫଟଭିତରୁ ଚାଲିଆସି ଭକ୍ତଙ୍କ ହାତରୁ ଚିଲମ ଶୋଷିଦେଇ ପୁଣି ଫଟ ଭିତରେ ପଶିଯାଇପାରୁଚନ୍ତି । ଇଡ଼ିଅଟ୍‌ସ !!

 

'ହେ, ହେ, ହେ, !'

 

ଚମକି ପଡ଼ିଲେ ଜୟରାମ । ସେ ଏସବୁ ବିଷୟରେ ଭାରି ଖୋଲାଖୋଲି ମତ ଦେଇ ଆସିଛନ୍ତି । ମୂଳରୁ ସେ ସ୍ପଷ୍ଟବାଦୀ ।

 

ହଠାତ୍ ସେ ଭାରି ଦୁର୍ବଳ ଅନୁଭବ କଲେ । ଗୋଟିଏ ଛୋଟିଆ ପୋଲ ଉପରେ ବସିପଡ଼ିଲେ । ସେଇଠି କେତେବେଳେ ଗହଳି ନ ଥାଏ । ଗଛପତ୍ର ମଧ୍ୟ ପାଖଆଖରେ ବିଶେଷ ନାହିଁ । ଆକାଶ ବୋଝେଇ ହୋଇ ରହିଥାଏ ତାରାରେ ।

 

ଜୟରାମଙ୍କ ଭିତର କାହିଁକି କେଜାଣି ଶୁଖି ଶୁଖି ଆସିଲା । କାହିଁକି କେଜାଣି କେମିତି ଗୋଟାଏ ଅଜଣା ଭୟ ଚାରିଆଡ଼ୁ ଘୋଡ଼େଇ ହୋଇ ଆସିଲା । କେବେ କେମିତି ଏଭଳି ତାଙ୍କର ହୁଏ । ମୁଣ୍ଡରୁ ବେକରୁ ଯମଝାଳ ବୋହିଗଲା ।

 

ଏତେ ବଡ଼ ପ୍ରକାଣ୍ଡ ମଇଦାନରେ ଅସଂଖ୍ୟ ଚିକ୍‍ଚିକ୍ ଶ୍ରୋତା । ଏ ଆଧ୍ୟାତ୍ମିକ ସଭାରେ ଭାଷଣ ଦେବା କିଛି ସହଜ ନୁହେଁ । ବହୁ ଦୂରରୁ ମାଇକ ଶୁଭୁଥାଏ । ଜୟରାମଙ୍କୁ ମନେହେଲା ସେଇଟା ତାଙ୍କ ନିଜ ସ୍ୱର । ସେ ହସିଦେଲେ ନୀରବରେ ।

 

ସତରେ ସେ ମୂଳରୁ ଭାରି ସ୍ପଷ୍ଟବାଦୀ ।

 

ପିଲାବେଳୁ ସେଇଥିପାଇଁ ବହୁ ଲୋକଙ୍କୁ ସେ ଆଘାତ ଦେଇଛନ୍ତି, ଆହତ ହୋଇଛନ୍ତି । ତାଙ୍କର ସେତେବେଳକୁ କଲେଜପଢ଼ା ସମୟ । ଦିନେ ଆସି ଘରେ ପହଞ୍ଚିଲା ବେଳକୁ ଜଣେ ଗେରୁଆପିନ୍ଧା ଠକ ବସି କ'ଣ ସବୁ ଗାଲୁଗପ ଚଲେଇଚି । ସେ କିଛି ସମୟ ଠିଆ ହୋଇ ତାକୁ ଖୁବ୍‌ ଗୁମର୍‌ ଦୁଇ-ଚାରିଟି ପ୍ରଶ୍ନ ପଚାରିଥିଲେ; ସେ ଉତ୍ତର ଦେଇ ନ ପାରି ସମସ୍ତଙ୍କ ଆଗରେ ଭାଣ୍ଡିଆ ହୋଇଥିଲା । ସେ ନିଜେ କହିଥିଲେ, 'ତମେ କୋଡ଼ି–କୋଦାଳ ନେଇ ମାଟି ହାଣିବ ଆସ; ମୁଁ ତମ ପେଟ ପୋଷିବା ପାଇଁ ବ୍ୟବସ୍ଥା କରିଦେବି । ମାଟି ତଳେ ଯାହା ଥାଏ ସେ ସବୁ ସତ୍ୟ । ଝାଳ ବୋହିଲେ, ପେଟ ଜଳିଲେ, ଆଖିବାଟେ ନିଆଁ ଝୁଲ ଖସିଲେ ତୁମେ ସତ୍ୟର ସନ୍ଧାନ ପାଇବ-। ଏଠି କାହିଁକି ଏମିତି ଗୁଡ଼ିଏ ନିରୀହ ଲୋକଙ୍କୁ ଠକିଲାଗିଚ ? ଏ ଧନ୍ଦା ଆଉ ଚଳିବ ନାହିଁ । ତୁମ ପଛରେ ପୋଲିସ ଲାଗିବ–ଆମେ ତାକୁ ଲଗେଇଦେବୁ ।' ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ ସେଇଠୁ ଉଠିଲାବେଳେ ଲେଉଟି ପଡ଼ି କହିଥିଲା–'ମୁଁ କଥା କହି ଜାଣେନାହିଁ ବୋଲି ସିନା ତୁମେ ମୋତେ ଏମିତି ଅପମାନ ଦେଲ–ହେଲେ ତୁମର ମଙ୍ଗଳ ହବ ନାହିଁ ।' ମଙ୍ଗଳ ତ ହେଲା ନାହିଁ; କିନ୍ତୁ ସେ କହିଥିଲା ବୋଲି ଯେ ହେଲା ନାହିଁ, ଏ ବିଷୟରେ ତାଙ୍କର ଘୋର ସନ୍ଦେହ ।

 

ସେ କିନ୍ତୁ ଅନୁଭବ କଲେଣି ଯେ ବିଶ୍ୱାସ–ରାଜ୍ୟରେ ଗୁଡ଼ାଏ କ'ଣ କହିଦେଇ ବା ଶୁଣିଦେଇ ଜିନିଷଟିକୁ ବୁଝିହୁଏନାହିଁ; କିନ୍ତୁ ସେ ବିଶ୍ୱାସର ଆଙ୍କୁଡ଼ା କେଉଁଠି ଲାଗେ, କେମିତି ଲାଗେ, ସେ ଢେର୍‌ ଚିନ୍ତାକରି ମଧ୍ୟ କିଛି ବୁଝିନାହାନ୍ତି ।

 

ସେ ବାବାଜିଗଣକ କୁମ୍ଭପଟିଆ । ତାକୁ କେହି କହନ୍ତି ସୌର ଉପାସକ । କେହି ବା କହନ୍ତି ଶୂନ୍ୟପୁରୁଷ, ଅଲେଖ–ଉପାସକ । ସେମାନେ କିନ୍ତୁ ଦଳେ ବିଦ୍ରୋହୀ । ସେମାନେ ବୋଧହୁଏ ଧର୍ମ-ପୁରୋହିତମାନଙ୍କଦ୍ୱାରା ନିର୍ଯାତିତ ହୋଇ ନିଜର ଗୋଟାଏ ଧର୍ମ ତିଆରି କରିନେଲେ । ସେମାନେ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି ନାହିଁ; ବ୍ରାହ୍ମଣଙ୍କୁ ଅସ୍ପୃଶ୍ୟ ତଳେ ଗୁଣନ୍ତି । ବାଃ, ଭାରି ଦମ୍ଭ ତ ସେମାନଙ୍କର ! କିନ୍ତୁ ଆସ୍ତେ ଆସ୍ତେ ତାଙ୍କ ଭିତରେ ମଧ୍ୟ ସେଇ ପୁରୁଣା ରୋଗ ବାର ପ୍ରକାର ନୂଆ ଲକ୍ଷଣ ନେଇ ଲେଉଟି ଆସିଛି–ସେଇ ଅନୁଷ୍ଠାନ, ସେଇ ଗୁରୁଗିରି, ସେମିତି ପରଧର୍ମ ନିନ୍ଦା, ଅସୂୟା, ଦ୍ୱେଷ–ମାନେ ଗୋଷ୍ଠୀଚେତନାର ଯାହା ଯାହା ସାଧାରଣ ଦୁର୍ଗୁଣ ଅବଶ୍ୟମ୍ଭାବୀ, ସେ ସବୁ ।

 

ଜୟରାମବାବୁଙ୍କ ମାମୁ ପୁଅ ଭାଇ ଶିଖରେଶ୍ୱର । ଅସମ୍ଭବ ବିଦ୍ୱାନ୍ । ତାଙ୍କଠାରୁ ବୟସରେ କୋଡ଼ିଏ ବର୍ଷ ବଡ଼ । କାଶୀରେ ପନ୍ଦର ବର୍ଷ ରହି ଢେର୍ ପଢ଼ିନେଇଥିଲା । ଶାସ୍ତ୍ର ପ୍ରମାଣ ଦେଇ କହୁଥିଲା ଯେ ଶେଷକଥା କେହି କହିପାରିନାହିଁ । ସବୁ ଗୋଟିଏ ଗୋଟିଏ ପନ୍ଥା ନିଶ୍ଚୟ; କିନ୍ତୁ ସବୁଠି ପରିଶେଷରେ ନିରାଶ ହେବାକୁ ପଡ଼େ । ଗୋଟିଏ ସ୍ତରରେ ସମସ୍ତେ ପ୍ରାୟ କହନ୍ତି ଯେ ଆଉ ଏଣିକି ପ୍ରକାଶ୍ୟ ନୁହେଁ । ଏଇଠି ମନ ବୁଦ୍ଧିର ଦୌଡ଼ ସରିଗଲା । ଯଦି ପାରୁଛ ଆଉ ଗୋଟାଏ କ'ଣ ଗହୀରିଆ ଚେତନାକୁ ଆଶ୍ରୟ କରି ବାକି ବିଷୟ ଉପଲବ୍‍ଧି କରିନିଅ । ନଚେତ୍ ଯାହା ବର୍ତ୍ତମାନ ଏଇଠି ଅଛି, ତା'ପୂର୍ବରୁ କ'ଣ ଥିଲା, କି ପରେ କ'ଣଟାଏ ଆସିବ, ଏ ବିଷୟରେ ନିର୍ଦ୍ଦିଷ୍ଟ କିଛି ନାହିଁ, ଖାଲି 'ଇତିଶ୍ରୁୟତେ' । ଜୟରାମବାବୁ ଖୁବ୍ ଜୋର୍ ଦେଇ ମତଟାକୁ ମଡ଼େଇଧରନ୍ତି । ସେମିତି ବଳୁଆ ନ ହେଲେ ନଇଁଯିବା କଥା । କିନ୍ତୁ ଶିଖରେଶ୍ୱର ନଇଁ ନାହିଁ, ବରଂ ତାଙ୍କୁ ଖୁବ୍ ଗମ୍ଭୀର ହୋଇ ସୂଚନା ଦେଇଛି ଯେ ଦିନେ ବଳେ ମନ ଭିତରେ ସୂର୍ଯ୍ୟ ଉଇଁଲା ପରି ବିଶ୍ୱାସ ଉଇଁଆସିବ । ସ୍ୱତଃ ପ୍ରମାଣ ପାଇଁ ଆଉ ଯୁକ୍ତିର ସମର୍ଥନ ପ୍ରୟୋଜନ ହେବ ନାହିଁ ।

 

କିନ୍ତୁ ଶିଖରେଶ୍ୱର ବୟସ ଚାଳିଶ ବେଳକୁ ଚାଲିଗଲା । ସେଦିନ ଜୟରାମଙ୍କୁ ଲାଗିଥିଲା ଯେ ଗୋଟାଏ ସମ୍ରାଟ୍‍ର ଐଶ୍ୱର୍ଯ୍ୟ ଖର୍ବ ହୋଇଗଲା । କିଛି ଜାଣିହେଲା ନାହିଁ । ଶିଖରେଶ୍ୱର ଦୀପଶିଖା ପରି ଜଳିଲା ଯେମିତି, ଲିଭିଗଲା ମଧ୍ୟ ସେମିତି । ସଂସାର କଲାନାହିଁ; ବିଲାତ ବୁଲିଆସିଲା, ଆମିଷ ଛୁଇଁଲାନାହିଁ । ମନୁସ୍ମୃତିଠାରୁ ପିଙ୍ଗଳ କୋର୍ଡ଼ ପର୍ଯ୍ୟନ୍ତ, ବେଦବେଦାଙ୍ଗଠାରୁ ସ୍ଥିତିବାଦୀୟ ଦର୍ଶନ ପର୍ଯ୍ୟନ୍ତ, ଆଦିମ ମିଶରଠାରୁ ଆଧୁନିକ ଜାପାନ ପର୍ଯ୍ୟନ୍ତ କ'ଣ ସେ ଆୟତ୍ତ କରିନଥିଲା ! ଜୟରାମ ସମ୍ଭ୍ରମରେ କେବଳ ତାକୁ ଶୁଣିଛନ୍ତି, ବେଳେବେଳେ ବିବାଦ ମଧ୍ୟ କରିଛନ୍ତି । ଆଜି ସେ ଥିଲେ ହୁଏତ ତା'ର ଅନେକ କଥା ଜୟରାମଙ୍କୁ ଖୁବ୍ ସୁହାଇଥାନ୍ତା । ଅନେକ କଥା ସେ ନିର୍ବିବାଦରେ ମାନିଯାଇଥାନ୍ତେ ।

 

ଆକାଶରେ ଅନେକ ତାରା ।

 

ଜୟରାମ ନିଜର ଦୀର୍ଘଶ୍ୱାସଟିକୁ ଶୁଣି ଚାରିଆଡ଼କୁ ମଟମଟ ଅନେଇଲେ । ଟିକିଏ ହସିଲେ । ନିର୍ମମ, ନିରାଡ଼ମ୍ବର, ନିରାଲମ୍ବ ଏ ମହାକାଶ । ଏଥିରେ କ'ଣ ସତରେ କିଛି ମଣିଷ ବୁଝିଲା ଭଳି ଲୁଚିରହିଚି ! ସେ ତାକୁ ଦେଢ଼ହଜାର ନାଁ ଦେଇ ଏତେ ଦିନଧରି ଡାକିଲା । ତା'ର ଜୀବନର ଜ୍ୱାଳା, ଯନ୍ତ୍ରଣା, ସୁଖଦୁଃଖର ଛନ୍ଦ ଭିତରେ ତାକୁ ଅଗ୍ରାଧିକାର ଦେଇଆସିଲା; କିନ୍ତୁ ଏ ଅବଧି ତା'ର ଏକମାତ୍ର ଲାଭ ହେଲା କେବଳ ପରସ୍ପର ଭିତରେ ଦୂରନ୍ତ କଳହ, ହଣାହଣି ଏବଂ ଯୁଦ୍ଧବିଗ୍ରହ । ମଣିଷର ଆଦି-ଅନ୍ତ ପ୍ରଥମେ ଯେପରି ରହସ୍ୟାବୃତ ଥିଲା ଏବେ ମଧ୍ୟ ଠିକ୍ ସେପରି ରହିଛି । ସେ ଅହରହ ପ୍ରଶ୍ନ ପଚାରିଲାଗିଛି କେବଳ । ଗଛର ନିଃଶ୍ୱାସ ଭଳି, କୃମିର ଗତି ଭଳି ବୋଧହୁଏ ଖୁବ୍ ସ୍ୱାଭାବିକ ଅଥଚ ଖୁବ୍ ନିରର୍ଥକ ମଣିଷ ମନର ଏହି ଆଲୋଡ଼ନଗୁଡ଼ିକ । ଅକୁଳ ମହାଶୂନ୍ୟରେ ସବୁଦିନ ପାଇଁ ଦୂରରୁ ଦୂରକୁ ଭାସିଯାଉଥିବା ଲହଡ଼ିଗୁଡ଼ିଏ ଏମାନେ । କୂଳ ଛୁଇଁବେ ନାହିଁ–ବାହୁଡ଼ି ଆସି କିଛି କାହାରିକୁ ସନ୍ଦେଶ ଦେବେ ନାହିଁ ।

 

"କାହିଁକି ଦିଅନ୍ତେ ? ଦେବାର ପ୍ରୟୋଜନ କ'ଣ ?" ଅନେକ ଦିନ ତଳେ ଯୁକ୍ତି କରିଥିଲେ ଜୟରାମ । ସେତେବେଳେ ଭାରି ସ୍ଥିର ଭାରି ମଜଭୁତ୍ ଡୋରି ସବୁ ତାଙ୍କୁ ଚାରିଆଡ଼ୁ ଟାଣି ଠିଆ କରି ରଖିଥାନ୍ତି । ଘରେ ନାନା, ବୋଉ, ଭାଇନା । ଗାଁରେ ମଉସା, ପିଉସା, ଖୁଡ଼ୀ, ଦେଠେଈ ସବୁ ଗୋଟିଏ ବର୍ତ୍ତୁଳ ସତ୍ୟ । ଶାଳଗ୍ରାମ ଶିଳା ପରି ଟାଣ ଓ ଓଜନିଆ । ବେଶ୍ ଗ୍ରହଣ କରି ବୁଝିଗଲା ଭଳି ଗୋଟିଏ ଗୋଟିଏ ମୂଲ୍ୟ । ସେତିକିବେଳେ କେବଳ କଲେଜ ଛୁଟି ଭିତରେ ସ୍ନେହ ଆଦର ଓ ଚନ୍ଦନପୋଖରୀରେ ହାତଗୋଡ଼ ଛାଟିଲାବେଳକୁ ନନା ଦିଶୁଥିଲେ ସବୁଠାରୁ ବୋକା । ତାଙ୍କର ସେ ଚନ୍ଦନଟୋପା, ପହଁରିଲା ପହଁରିଲା ଆଖି, ଉଦାସ ହସ ଦିଶୁଥିଲା ଭାରି ଅସହାୟ । 'ମଣିଷ କ'ଣ ନିଜ ଉପରେ, ନିଜ ବାହୁବଳରେ ସବୁ କରିପାରେ ନାହିଁ ?'-ଭାବୁଥିଲେ ଜୟରାମ ! ଆଉ ଦିନେ ପରିଷ୍କାର ମନେଅଛି, ତାଙ୍କର ସେତେବେଳକୁ ବିଭାଘର ସରିଥାଏ । ରାନୀକୁ ବୋଧହୁଏ ଆଠମାସ । ଟେଲିଗ୍ରାମ୍ ଆସି ପହଞ୍ଚିଥିଲା ଯେ ନନାଙ୍କ ଦେହାନ୍ତ ହୋଇଗଲା-। ତାଙ୍କୁ ଜଣାଗଲା, ଯେମିତି ହେଇ ଆର ଗାଁକୁ ଯାଇଛନ୍ତି, ଫେରିଆସିବେ । ଅନ୍ୟମାନଙ୍କ ସାଙ୍ଗରେ ସେ କାନ୍ଦିନାହାନ୍ତି । ଅନୁଭବ କରିଛନ୍ତି କେବଳ ତାଙ୍କୁ ଆବୋରି ଯେଉଁ କାନ୍ଥଟା ଠିଆହୋଇଥିଲା ସେଇଟା ହଠାତ୍ ଧସିଯିବାରୁ କାହୁଁ ଗୁଡ଼ାଏ ଥଣ୍ଡା ପବନ ତାଙ୍କ ମୁହଁ ରେ ଆସି ଅଜସ୍ର ଶୀତ ଅଜାଡ଼ି ଦେଇଗଲା । ଏଣିକି ତାଙ୍କ ପାଳି–ସେଇଠି ସେ ମୃତ୍ୟୁକୁ ସ୍ୱୀକାର କରିଥିଲେ, ସଲାମ କରିଥିଲେ ।

 

ଜୀବନଯାତ୍ରାର ତେଣିକି ସେଇ ଅଥଳ ଶୂନ୍ୟ ହିଁ ବଢ଼ିଚାଲିଲା । ଆସ୍ତେ ଆସ୍ତେ ବାକି ସମସ୍ତେ ଜଣ ଜଣ ହୋଇ ଖସିଗଲେ, ଆଡ଼େଇ ହୋଇଗଲେ, ଉପୁଡ଼ି ପଡ଼ିଲେ । ତାଙ୍କ ଘର ଭାଇଭାଗ ହୋଇ ଛାରଖାର ହୋଇଗଲା । ତାଙ୍କ ବୋଉ ତାଙ୍କୁ ଛାଡ଼ି ଝିଅ ଜୋଇଁ ପାଖରେ ପଶିଲେ । ବନ୍ଧୁ ବାନ୍ଧବ ସବୁ ଫମ୍ପା ଢୋଲ ପରି ତୁମୁଳ ଅର୍ଥହୀନ କୋଳାହଳ କଲେ କେବଳ । ସବୁ ଲିଭିଗଲା, ସାଙ୍କୁଡ଼ିଗଲା । ତାଙ୍କୁ ବୋଧହେଲା ଯେ ତିନିବର୍ଷକାଳ କେବଳ ଗୋଟାଏ ଅସରନ୍ତି ଅନ୍ତ୍ୟେଷ୍ଟିକ୍ରିୟା ଚାଲିଥାଏ । ସେଇ ଭିତରେ ମାମୁ, ଖୁଡ଼ୀ ଶେଷରେ ବୋଉ ସମସ୍ତେ ଚାଲିଗଲେ । ମାମୁ, ଶିଖରେଶ୍ୱରର ନନା ! ସବା ଶେଷ ବେଳକୁ ରଜା ପାଖରୁ ଦୁଇଗୁଣ୍ଠ ଜମି ମାଗିଥିଲେ; ମାଗିଥିଲେ ଦଶ ବାଟି ପାଇଥାନ୍ତେ । ଜୀବନଯାକ ଗେରୁଆ ପିନ୍ଧି ଶିବମନ୍ଦିରରେ ବିତିଗଲା । ଶେଷରେ ପୁଅ ପାଇଁ ଏତକ ସମ୍ପତ୍ତି କରିବାର ଉଦ୍ଦେଶ୍ୟ ହେଲା ଯେ ଗୁଣ୍ଠେ ତାଙ୍କ ପାଇଁ ଏବଂ ଗୁଣ୍ଠେ ତାଙ୍କ ପତ୍ନୀଙ୍କ ପାଇଁ ଶିଖରେଶ୍ୱର ମୃତାହପଞ୍ଚକ ଦାନ ଦେଇପାରିବ । ବୁଢ଼ା ଖାଇବସିଲେ ଆଉ ଠାଏ ପିଢ଼ାପାଣି ପଡ଼ି ଅବିକଳ ସେମିତି ବଢ଼ାହେଉଥିଲା । ସେତେବେଳେ ଦାଣ୍ଡରେ ଯେ କେହି ଅଭ୍ୟାଗତ ମିଳୁଥିଲା, ଆସି ସେଇଠି ବସି ଖାଉଥିଲା । ନଚେତ୍ ନୂଆ ହାଣ୍ଡିରେ ସେତକ ସେ ଓହଳେଇ ରଖୁଥିଲେ ତାଙ୍କ ଶୋଇବା ଖଟ ଉପରକୁ । ସେ ତଦ୍ଦ୍ୱାରା ଅନୁଭବ କରୁଥିଲେ ଯେ ସେତକ ୠଣ ତାଙ୍କୁ ସଂସାରକୁ ଶୁଝିବାକୁ ପଡ଼ିବ । ସେ ବି ଠିକ୍ ସମୟରେ ଚାଲିଗଲେ ! ମୃତ୍ୟୁର ଏପରି ପ୍ରଶସ୍ତ ପଟୁଆର ତାଙ୍କର ଦେହସୁହା ହୋଇଯାଇଥାଏ । ବାଧୁଥାଏ ନିଶ୍ଚୟ; କିନ୍ତୁ ଆହୁରି ବାଧୁଥାଏ ସମସ୍ତଙ୍କର ଅସମଞ୍ଜସ ବ୍ୟବହାର ଦେଖି । ତା' ଭିତରୁ କିଏ ଟଙ୍କା ନପାଇ ମିଥ୍ୟା ପ୍ରଚାର କରିଛି । କିଏ ତାଙ୍କ ଚାକିରି ନହେବା ପାଇଁ ସଦର ଥାନାରେ ନାଲିଶ କରିଛି । ଅତି ଅପ୍ରତ୍ୟାଶିତ ଭାବରେ ଲୋକଙ୍କର ଗୋଟାଏ ରହସ୍ୟମୟ ଆବରଣ ଖସିପଡ଼ିଛି । ତାଙ୍କ ଆଖିରୁ ପରଳ ଖସିପଡ଼ିଛି । ସେ ନୂଆ କରି ସଂସାରକୁ ଆଖି ମେଲେଇ ଦେଖି କେବଳ ଚମକିଛନ୍ତି ! ଇସ୍-! ଯେ ଭାଗବତ ବୋଲୁଥିଲା ଅଧଡ଼ା ବୟସର ବ୍ରାହ୍ମଣ, ସେ ତା ଘରର ଚାକରାଣୀଆଡ଼ୁ ସନ୍ତାନ ଉପଜାତ କରିଛି ଏଁ ! ନାରାୟଣ ରାୟଗୁରୁ ମଦ ପିଉଛନ୍ତି ! ଓଃ, ନନ୍ଦ ପିଉସାଙ୍କ ଝିଅ ଡ୍ରାଇଭର ସାଙ୍ଗରେ ବାହାରିଗଲା ! ଇସ୍, ଶ୍ରୀମନ୍ଦିର ଭିତରେ ଛାଗଳ ବଳି ପଡ଼େ, ଇତିଶ୍ରୀ ମଠରେ ସୁରାନାରୀ ଦୈନିକ ଚାଲେ ? ସେ ରଜାଘର ବଡ଼ବୋହୂ ଗୁଜୁରାଟୀ ନୌକରକୁ ନେଇ ପୁଅ ପାଇଛି ? –ବୁଢ଼ା ମଙ୍ଗରାଜ ବନାରସୀ ବେପାରୀଟାକୁ ହାଣି ଦେଇ ତା' ଟଙ୍କାରେ କୋଠା ପିଟିଛି, କାରବାର କରୁଛି ?

 

ଜୟରାମଙ୍କର ଖରନିଃଶ୍ୱାସ ବହୁଥାଏ । ଆକାଶ ଉପରେ କିଏ ଗୋଟାଏ ବଡ଼ ରୋଲର୍ ମଡ଼େଇ ଦେଉଥାଏ । ତାରାଗୁଡ଼ାକ ଯନ୍ତ୍ରଣାରେ ମିଚ୍‍ମିଚ୍ କରୁଥାନ୍ତି । ଗଡ଼ାଣି ପାଇ ପର୍ବତ ପରି ସେଇଟା ମଡ଼େଇ ହୋଇପଡ଼ୁଥାଏ ଅମାନିଆଁ, ଅଣାୟତ୍ତ ! ପିତେଇ ଖୁଡ଼ୀର ସାନପୁଅ କେଳୁ ମଉସାଙ୍କ ଜାରଜ ! ଅପର୍ତ୍ତି ସାଆନ୍ତ୍ରା ତା' ବୋହୂଟାକୁ ହରଣ କରିନେଲା, ଦି'ପହର ବେଳା, ଯେତେବେଳେ ତା' ପୁଅ ଯାଉଥିଲା କାମକୁ ? –ନା, ନା ! ନା !! ଏଇଟା ନିଶ୍ଚୟ ମିଛ, ତଥାପି ବୀରଭାଇନା ଅବିକଳ ନନାଙ୍କ ପରି କାହିଁକି ଦିଶେ ? ତା' ବୋଉ ପରା ତାଙ୍କର ଭାଉଜଲେଖା ହେବ ?

 

ପ୍ରବଳ ଭୂକମ୍ପରେ ସବୁ ଗିରିଚୂଡ଼ା ଭାଙ୍ଗି ପଡ଼ିଲେ । ପୃଥିବୀର ନିଭୃତ ଗର୍ଭ ଭିତରୁ ତରଳ ନିଆଁ ଉଠି ମାଡ଼ିଗଲା ଦିଗ୍‍ବଳୟ ଯାଏଁ । ପୋଡ଼ାଭୂଇଁ ଉପରେ ଜୟରାମ କେବଳ ଦେଖୁଛନ୍ତି ଗୁଡ଼ିଏ ପାଉଁଶର ଛାଞ୍ଚ । ସେ ନିଜେ ମଧ୍ୟ ଗୋଟିଏ ଛାଞ୍ଚ !

 

ଦିଶିଗଲା ପୁରୀ । ଏଇ ସମୟରେ ବୋଧହୁଏ ସେ ବଦଳି ହୋଇ ପୁରୀ ଆସିଥିଲେ । ରାନୀକୁ ସେତେବେଳକୁ ପାଞ୍ଚ ବର୍ଷ । ସେଦିନ ଅଫିସରୁ ଫେରିଆସି ହଠାତ୍ ଘରେ ପଶିଗଲାବେଳକୁ ଦେଖିଲେ ଧଡ଼ପଡ଼ ହୋଇ ଖଟରୁ ଉଠି ଠିଆହୋଇପଡ଼ିଲା ଶିବରାମ, ତାଙ୍କ ଭାଇ । ତାଙ୍କୁ ଦଶଦିଗ ଅନ୍ଧାର ଦିଶିଗଲା । ସେ ଆଗରୁ କିଛି ଦେଖି ଶୁଣି ମଧ୍ୟ ନ ବୁଝଲାପରି ଆଡ଼ କରିଦେଇଥିଲେ । ବର୍ଷା ବିଦ୍ୟୁତ୍‌ ଝଡ଼ ବତାସି ଭିତରେ କ'ଣ ହୋଇଗଲା, ତାଙ୍କର ହୋସ୍ ନାହିଁ ଜାଣିବାକୁ । ଯେତେବେଳେ ଖୁବ୍ ଦୂରରୁ ସେ ରାନୀର କାନ୍ଦଣା ଶୁଣିଲେ, ସେ ଆସ୍ତେ ଫେରି ଚାହିଁଲେ । ଦାଣ୍ଡ ଗେଟ୍ ମେଲା କରି କେହି ଗୋଟାଏ ଚାଲିଯାଉଛି । କ୍ରୋଧର ବାଟୁଳି ପରି ତା'କୁ ଗୋଡ଼ାଇଯାଇଚନ୍ତି ଗୋଟାଏ ରୋଲବାଡ଼ି, ତାଙ୍କ ଟେବୁଲ ଘଣ୍ଟା, ଗୋଟାଏ ତେଲ ବୋତଲ, ଗୋଟାଏ ଫୁଲଦାନି । ଘରକୁ ଫେରି ଚାହିଁଲାବେଳକୁ ନମିତା ତଳେ ପଡ଼ି ଧକଉଛି । ତାଙ୍କ ନିଜ ଗୋଡ଼ରୁ ଗୋଟାଏ ଚଟି ତାଙ୍କ ହାତରେ ଖଣ୍ଡା ପରି ଥରୁଚି । ରାନୀ ରାହା ଟେକି କାନ୍ଦୁଛି । ଗେଟ୍ ପାଖରେ ଅନେକ ଅଚିହ୍ନା ନୀରବ ମୁହଁ । ମେଘ ଉପରୁ ବୋଝ ବୋଝ ଲଜ୍ଜା ଅପମାନ ସଂକୋଚ ବୋହିଆସୁଛି ଘର ଭିତରକୁ ଇସ୍ ! ସେଇ ଦିନ ଉପରଓଳି ଖଣ୍ଡେ ଟେଲିଗ୍ରାମ ଆସି ପହଞ୍ଚିଲା–ଶିଖରେଶ୍ୱର ଭାଇନା ମରିଗଲା ।

 

ସେଇ ନିରୋଳା ପୋଲ ଉପରେ ବସି ଜୟରାମ ଅନୁଭବ କଲେ ଯେ ତାଙ୍କ କପାଳରୁ ଝାଳ ଟପ୍‌ଟପ୍‌ ଝରିଯାଉଛି, କିନ୍ତୁ ଯେଉଁ ପ୍ରବଳ ଜୁଆର ଉଠିଛି, ତାକୁ ରୋକିବା ସମ୍ଭବ ନୁହେଁ । ତାଙ୍କ ପଞ୍ଜରାର ଲୁହାବାଡ଼ ଉପରେ ପିଟିହୋଇ ସେ ଅନବରତ ଫେରିଯାଉଥିଲା; କିନ୍ତୁ ଆଜି ଏ ତାରାମାନଙ୍କର ଧୀର ଗମ୍ଭୀର ସଭାରେ ତାହା ଅଜାଡ଼ି ହୋଇ ପଡ଼ିବ । ନିଭୃତରେ ଯାହାକୁ ସେ ମନେପକାଇବାକୁ ସୁଦ୍ଧା ଡରୁଥିଲେ ସେ ସମସ୍ତ ଉତ୍ତପ୍ତ ବିଷର ନୀଳ ଲହରୀ ତାଙ୍କୁ ପୋଡ଼ି ଜାଳି ବୋହିଆସିଲା ।

 

ପୁରୀ ! ଓଃ, ଦୁଃସହ ଯନ୍ତ୍ରଣାର ପୁରୀ-ବିଷବିଦଗ୍‌ଧ ପୁରୀ !! ନମିତା ତା’ପରେ ଆଉ ତାଙ୍କୁ କଥା କହିନାହିଁ । ନୀରବ ଅଗ୍ନି ରେ ଦାମ୍ପତ୍ୟର ପାଟମୁକୁଟ ଜଳିଯାଇଛି । ଛଅମାସ ସେ ସବୁଠେଇଁ ବିଷୋଦ୍‍ଗାର କରିଛନ୍ତି ! କି ଏକ ଭୟରେ ତାଙ୍କ ସହିତ କେହି କଥା କହିନାହାନ୍ତି । ସେ ସାଧାରଣ ସଭାରେ ଚିତ୍କାର କରିଛନ୍ତି ଯେ 'କୃଷ୍ଣ ଅନାର୍ଯ୍ୟ ସନ୍ତାନ ! ରାମଚନ୍ଦ୍ର।ଦି ଋଷ୍ୟଶୃଙ୍ଗଙ୍କ ଜାରଜ ! ଜଗନ୍ନାଥ କେବଳ ଖତରା ନିମ୍ଵକାଠ ! ଶିବଲିଙ୍ଗ ଅତି ଆଦିମ ଯୌନଚିହ୍ନ । ପ୍ରତ୍ୟେକ ଦେବୀ ନାରୀରୂପା; ପ୍ରତ୍ୟେକ ନାରୀ ଭାର୍ଯ୍ୟାରୂପା ଶାସ୍ତ୍ର କେବଳ କଳ୍ପନା ପୁରାଣ ଉଦ୍ଭଟ, ଦେବ ବ୍ୟଭିଚାରୀ !!'

 

ଭିତରର ସୌଧ ଅଟ୍ଟାଳିକା ଏଇ ଭୂମିକମ୍ପରେ ଭାଙ୍ଗି ପଡ଼ିଲେ । ଲିଭିଗଲା ସୂର୍ଯ୍ୟର ପ୍ରଦୀପ । ଘରେ ଆସି ଦେଖନ୍ତି ଏକ ଉତ୍ତପ୍ତ ନୀରବତା ଖୁଁ ଖୁଁ କାସୁଛି । ସେ ଯାଇ ନମିତାର ହାତ ଧରିପକାଇଥିଲେ । ଖଣ୍ଡେ ହାଡ଼ ମାତ୍ର ! ଓଃ, ନମିତା ଏତେ ଶୁଖିଯାଇଛି ବୋଲି ସେ ଜାଣି ନଥିଲେ-। ନମିତାର ଆଖି ଗହୀର, ମୁହଁ ଚୋଚଡ଼ା, ଅହରହ କାଶ । ଦେହରେ ତାତି । ତାଙ୍କ ନିଜ ଦେହରୁ ଗୋଟାଏ ନିଆଁ ହୁଳା ଖସିଗଲା । ସେ ନମିତାକୁ ତାଙ୍କର ଶେଷ ସମ୍ବଳରୂପେ ସାଉଁଟିନେଇଥିଲେ । ଦିନ ପନ୍ଦରଟା ଭିତରେ ଡାକ୍ତରଖାନାର ଅଲଗା କୋଠରିରେ ସେ ପ୍ରଥମ ଥର ପାଇଁ ଶୁଣିଥିଲେ ସେଇ ଖୁଁ ଖୁଁ କାଶର ଶୀତଳ ଇଙ୍ଗିତ–ଏବଂ କାଶ ସଂଧ୍ୟାରେ ଅତି ଧୀରେ ଖୁବ୍ ଦୁର୍ବଳ ଖୁବ୍ ତରଳ ଲହୁଲୁହର ଗୋଟିଏ କାହାଣୀ । ପନ୍ଦରଦିନ ଭିତରେ ପନ୍ଦରଟା ଯୁଗ ପାରିହୋଇଗଲା । ଲୁହର ସମୁଦ୍ରରେ ଦୁଃଖର ବୋଇତ ଆସି ତାଙ୍କ କୂଳରେ ଅଜାଡ଼ି ଦେଇଗଲା ଆରପାରିର ଅନେକ ବଣିଜ-। ମହଣ ମହଣ ବାର୍ଲିପାଣି ସିଝିଲା । ଜର ଏବଂ କାଶର ଅକଳନ୍ତି ଥାଟ ସାଙ୍ଗରେ ନମିତା ଏକାକୀ ଲଢ଼ି ଲଢ଼ି ମାତ୍ର ଚଳେ ରକ୍ତ ନିଗାଡ଼ିଦିଏ । ଆଖି ଉପରେ ବଡ଼ ବଡ଼ ଟୋପା ଝାଳ ଜମିଯାଏ । ଆଖି ବୁଜି, ଦାନ୍ତ, ନିକୁଟି, ଅଳ୍ପ ହସି, କ'ଣ ସବୁ ଫିସ୍‍ଫିସ୍ କହି ପୁଣି ଶୋଇଯାଏ ଆଉ ଏକ ସଂଗ୍ରାମର ଅପେକ୍ଷାରେ । ମାନବ-ଇତିହାସରେ ସବୁ ଯୁଦ୍ଧ ଓ ତାର ଯନ୍ତ୍ରଣା, ନିଷ୍କରୁଣ ବାଲି ଓ ଅନ୍ଧାର, ଜୟରାମ ଦିନର କଳା କଳା ଛାଇ ଭିତରେ ରାତିର ରୋଗିଣା ମହମବତିର ପ୍ରତିବାଦ ଭିତରେ ଅନୁଭବ କରୁଥାନ୍ତି । ଦପ୍‍କରି ମୁହୂର୍ତ୍ତେ ସବୁ ଗ୍ରହ ତାରା ଲିଭିଗଲା-। ତାଙ୍କ ରକ୍ତପ୍ରବାହ ଥମିଗଲା । ତା'ପରେ ସେମିତି ଗୋଟିଏ ଅର୍ଥହୀନ ଅସ୍ଥି ର କୋଳାହଳ ଏବଂ ବହୁଦୂରରୁ ରାନୀର କାନ୍ଦଣା ୟାର ବୋଧହୁଏ କିଛି ଅର୍ଥ ଅଛି–କିନ୍ତୁ ସେ ଧରିପାରୁନାହାନ୍ତି,–ବିକଳ ହେଉଛନ୍ତି ।

 

ଜୁଆର ମାଡ଼ି ଚାଲିଗଲା । ଜୟରାମ ଅଳ୍ପ ହସି ଉପରକୁ ଚାହିଁ କହିଲେ, "ଶୁଣିଲେ ତ ସଭାଜନେ !’’ ବିମର୍ଷ ତାରାଗୁଡ଼ିକ ଶିଖା ମଉଳାଇ ସହିଗଲେ । ଜୟରାମଙ୍କର ଆଉ ବଳ ନାହିଁ, ଆୟତ୍ତ ନାହିଁ ଦେହ ଉପରେ ବା ମନ ଉପରେ । ବୁକୁ ପାଖରୁ ଶରଫଳା ଭିଡ଼ିନେଲା ପରେ ଭୁସ ଭୁସ୍ ହୋଇ ସବୁ ନିର୍ଯ୍ୟାସ ଉତୁରିଯାଏ ଏବଂ ତା'ପରେ ଅବଶେଷତକ ଆସ୍ତେ ନିଗିଡ଼ିଯାଏ ।

 

ସେଇଭଳି ଏଗାର-ବାର ବର୍ଷ ପର୍ଯ୍ୟନ୍ତ ଗୋଟିଏ ଚଢ଼େଇଛୁଆକୁ ନେଇ ସେ ତାଙ୍କର ଦାୟିତ୍ୱ ମେଣ୍ଟେଇ ଆସିଛନ୍ତି । ନୂଆ ଜାଗା, କାଲୁ ଓ ତା'ର ରିକ୍‍ସା ପୁଣି ନୂଆ ନୂଆ ମୂଲ୍ୟ ନେଇ ଆସିଛନ୍ତି ।

 

ଜୟରାମ ରାନୀକୁ ସ୍ନେହ କରିଛନ୍ତି; ପ୍ରକାଶ କରିପାରି ନାହାନ୍ତି ଭୟରେ । କାନ୍ଦିଛନ୍ତି, କିନ୍ତୁ ଲୁହ ଲୁଚେଇ ପୋଛିଦେଇଛନ୍ତି । ରାନୀ ପ୍ରଥମେ ରୋଗରେ ସିଝି ସନ୍ତୁଳି ହେଲା ପରେ ତାଙ୍କୁ ଆଦରିଯାଇଛି ଜଙ୍ଗଲର ମିରିଗଛୁଆ ଶୀତ ରାତିରେ ବାଣୁଆ କୋଳକୁ ଆଉଜିଗଲା ପରି । ଡରିଛି, କାନ୍ଦିଛି, ତା'ପରେ ବଡ଼ ବଡ଼ ଆଖିରେ ତାଙ୍କୁ ଅନେଇଛି ଅନେକ ଦିନ । ଆସ୍ତେ ଆସ୍ତେ ଦିନେ ପାଖକୁ ଆସି ଠିଆହୋଇଛି । ସେଦିନ ସେ ଖଣ୍ଡେ ବହି ନେଇ ପଢ଼ୁଥାନ୍ତି । ରାନୀ ତାଙ୍କ ହାତ ଆଙ୍ଗୁ ଠିକୁ ଚିପିଲା, ତା’ପରେ ଜାମା ଉପରେ ଧୀରେ ସାଉଁଳିଲା । ମୁଣ୍ଡବାଳରେ ଆଙ୍ଗୁଠି ପୂରେଇ ରାମ୍ପିଲା । ତାକୁ ଚାହିଁ ଜୟରାମ ବୋଧହୁଏ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ହସ ହସିଥିଲେ । ରାନୀ ମଧ୍ୟ ହସିପକେଇ ତାଙ୍କୁ ଗୋଟିଏ ଚକ୍‌ଲେଟ୍‌ ଦେଇଥିଲା । ତା' ଆରଦିନ ତାଙ୍କର ଠିକ୍ ମନେଅଛି; ତାଙ୍କର ପ୍ରମୋସନ ଆଦେଶ ଆସିଥିଲା । କ'ଣ ଗୋଟାଏ ନୂଆ ଗଜା ମାଟି ଫଟେଇ ଉଠିଆସିଲା–ଦାବି କରିଥିଲା ତାକୁ ଯତ୍ନରେ ବଢ଼େଇବାକୁ; ତା ମୂଳରେ ପାଣି ମଡ଼େଇ ତା'ର ସ୍ନିଗ୍‍ଧ ଶୀତଳ ଛାଇର ସ୍ୱପ୍ନ ଦେଖିବାକୁ । ଜୟରାମ ସେଦିନ ଭାଗ ଭାଗ ହୋଇଯାଇଥିଲେ; ଓଟାରିହୋଇ ଚାଲିଆସିଥିଲେ ଆଉ ଗୋଟିଏ ଭୂମିକାର ତାତ୍ପର୍ଯ୍ୟ ଭିତରକୁ । ତାଙ୍କ ଚାରିଆଡ଼େ କିନ୍ତୁ ଅତଡ଼ା ଖସିଚାଲିଥାଏ, ଭାଙ୍ଗିଚାଲିଥାଏ ମଣିଷ ଓ ଅନୁଷ୍ଠାନର ଛାଞ୍ଚ ।

 

‘ସେ ମନ୍ତ୍ରୀଙ୍କ ନିଜ ଲୋକ । ଖୁନ୍‌ କରିଦେଲେ ମଧ୍ୟ ତାଙ୍କୁ କେହି କିଛି କହିପାରିବେ ନାହିଁ । ରାଜନୀତିର ଷଣ୍ଢଲଢ଼େଇ, ଧପ୍‌ପାବାଜି, ଭଣ୍ଡାମିର ପ୍ରତିଯୋଗିତା । ଓଲୁ ଅଶିକ୍ଷିତଙ୍କୁ ଭୁଲେଇ, କାହାକୁ ହାଣ୍ଡିଆ, କାହାକୁ କଉପୁନୀ ବାଣ୍ଟି ଭୋଟ ସଂଗ୍ରହର ନିର୍ଲଜ୍ଜ ଅପରାଧ । ସେ ବାବୁଜଣକ କନ୍ୟାଶ୍ରମରୁ ନାରୀହାତରେ ଫୁଲମାଳ ନ ପାଇଁ କ୍ଷୁଣ୍ଣ ହୋଇଛନ୍ତି । ଆର ବାବୁଜଣକ ଓଡ଼ିଶାରେ କେତୋଟି ଜିଲ୍ଲା ଅଛି ଜାଣନ୍ତି ନାହିଁ ସେ ଯେଉଁ ଜଣକ ତିନିଘଣ୍ଟା ବତ୍କୃତା ଦେବାର ଅଭିମାନରେ ଭାଙ୍ଗିପଡ଼ୁଛନ୍ତି, ସେ କହୁଛନ୍ତି, ଶିକ୍ଷା ପାଇଥିଲେ ତାଙ୍କର ମୌଳିକ ପ୍ରତିଭାର ବିକାଶ ହୋଇନଥାନ୍ତା । ଏଣୁ ଏସବୁ ସ୍କୁଲ କଲେଜଗୁଡ଼ାକ ଫାଲ୍‍ତୁ । ସେ ଯେଉଁ ଜଣକ ଏକଗୋଡ଼ିଆ ଖୋପା ମାରନ୍ତି, ଭାରି ଜୋର୍‍ଦାର, ସେ ଅଜସ୍ର ଟଙ୍କା ବାଣ୍ଟନ୍ତି ତାଙ୍କ ହାତପାଆନ୍ତି ଥଳିଗୁଡ଼ିକରୁ । ଏଇମାନେ ତ ଦେଶର କର୍ଣ୍ଣଧାର ! ଯେ କୌଣସି ବୌଦ୍ଧିକ ବିଚାରରେ ବଳଦ ପରି ଅନାନ୍ତି–ଅଶିକ୍ଷିତ ଜନତାର ସୁଯୋଗ୍ୟ ପ୍ରତିନିଧି ! ଗୁଡ଼ିଏ ଗାଣିତିକ ସଂଖ୍ୟା ଦେଖାଇ ଦେଲେ ତାଙ୍କ ମୁଣ୍ଡଟିମାନ ଫମ୍ପା ମାଠିଆ ପରି ଭାଉଁ ଭାଉଁ କରେ । କାଗଜ ଉପରେ ଟିପ ମଡ଼େଇ ଦେଖେଇଦେଲେ ଦସ୍ତଖତ୍ ଛାଟିଦିଅନ୍ତି । ତାଙ୍କ ମତ କିନ୍ତୁ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରେ । ତାଙ୍କଠାରେ ଅଖଣ୍ଡ ଜ୍ଞାନର ଭଣ୍ଡାର ! ଆଧୁନିକ ବିଜ୍ଞାନ ଉପରେ ତାଙ୍କର ମୌଳିକ ମତ ! –କରତାଳି ! ‌ଉଦ୍‍ବୋଧନ ! ଚରଣଚୁଟିଆ ସାମ୍ବାଦିକ ତା'ର ରୁଟି ଦି'ଖଣ୍ଡ ପାଇଁ ଦରିଦ୍ର ପତ୍ରିକାଟିମାନ ତାଙ୍କ ସଂସ୍ଥାର ପ୍ରତିପତ୍ତି ପାଇଁ ଏମାନଙ୍କର ଭାଟ-ବନ୍ଦନା ଗାଇବୁଲନ୍ତି । ଶାସନ ଚାଲେ ଅମଲା ଅଫିସର୍‍ଙ୍କ ଖିଆଲ ଉପରେ ।

 

ଅମଲା ଆଉ ଅଫିସର ! ସେମାନଙ୍କୁ ଗୋଟି ଗୋଟି କରି ଚିହ୍ନି ଛନ୍ତି ଜୟରାମ । ତାଙ୍କ ଭିତରେ କେତେଜଣ ବିବେକୀ ବୋକା ଅଛନ୍ତି । ସେମାନଙ୍କୁ ଅବଶ୍ୟ ଟିକିଏ ସୁଯୋଗ ଦେଇଦେଲେ ଗାଉଁକିନା ଶିକାର ଉପରେ ଦାନ୍ତ ଲଗେଇଦେବେ । ସେ ବାବୁଜଣଙ୍କର ପାଞ୍ଚଟା କୋଠା ଖାସ୍ ରାଜଧାନୀ ଉପରେ । ଆର ବାବୁଜଣକ ପନ୍ଦର ଦିନରେ ଥରେ ବାକ୍‍ସ ଫିଟେଇ ଝିଅ-ଜୋଇଁଙ୍କ ଆକାଉଣ୍ଟରେ ନୋଟବିଡ଼ାଯାକ ଅଜାଡ଼ି ଦିଅନ୍ତି । ନିର୍ଲୋଭ ପୁରୁଷ ! ବେଙ୍କ୍‍ରେ ସୁଦ୍ଧା ସେ ଟଙ୍କାଗୁଡ଼ାକ ଜମା କରିବାର ବାଟ ନପାଇ ଏପରି ବିତରଣ କରିଦିଅନ୍ତି । ଏ ସମସ୍ତେ କିନ୍ତୁ ସୋମବାର ଦିନ ପାଟ-ଦେ ସଡ଼ା ପକେଇ ଲିଙ୍ଗରାଜଙ୍କ ଉପରେ ବେଲପତ୍ର ଚଢ଼େଇ ଆସନ୍ତି-। କିଏ ତା' ଭିତରୁ ଦୈନିକ ବଗଳା ଜପ କରେ । ଆଉ କିଏ ବଶୀକରଣ ମନ୍ତ୍ର ଜପୁଥାଏ । କିଏ ବସି ସରକାରୀ ନୌକର ତାଲିକାରୁ ଖୋଜୁଥାଏ କାହା ସାଙ୍ଗରେ କ'ଣ ସମ୍ପର୍କ ଖଞ୍ଜାଯାଇପାରେ-। ସମସ୍ତେ ପିଲାଙ୍କୁ ପାଠ ପଢ଼ାନ୍ତି ଡାକ୍ତର ହେବାକୁ, ଇଞ୍ଜିନିୟର ହେବାକୁ, ଆଇ. ଏ. ଏସ. ହେବାକୁ । ପାଠ ପଢ଼େଇବା ଏକ ଫେସନ । ପାଠପଢ଼ା ମଧ୍ୟ ଏକ ଅଦ୍ଭୁତ ଭଣ୍ଡାମି ! ସେ ଯେଉଁ ଗୋଛାକ ସିନେମା ଛକଟା ଉପରେ ଗୋଡ଼ ଫରକଟେଇ, ବାଟ ଆବୋରି ଠିଆହୋଇଛନ୍ତି, ସେଥିରୁ ଗୋଟାଏ ଟୋକା ପ୍ରଫେସର୍ । ସେ କଣ ଗୁଡ଼ାଏ ପଢ଼ିପକେଇଚି ବୋଲି ତା'ର ଦୋସ୍ତ ପଞ୍ଝାକ ବିଚାର କରନ୍ତି, ପ୍ରଚାର କରନ୍ତି–ଯେ ନମାନିଲା ତାକୁ ଛେଚନ୍ତି । ସେଥିପାଇଁ ସେ ତା' ଛାତ୍ରମାନଙ୍କୁ ଅନୁଗ୍ରହ ବାଣ୍ଟେ, ସିଗାରେଟ୍ ବାଣ୍ଟେ, ସେଇପରି ସରୁ ସରୁ ବଳାହୋଇଥିବା କାଗଜ ବାଣ୍ଟେ ପରୀକ୍ଷାରେ । ତା' ଘରୁ ଅନେକ ପ୍ରକାରର ବୋତଲ ବାହାରେ । ବହୁ ପଢ଼ୁଆ ଝିଅଙ୍କର ବିଭା ନହେବାର କାରଣ ହେଲା ସେ; ଖୁବ୍ ଆଧୁନିକ କବିତା ମଧ୍ୟ ଲେଖେ । ସେଇଠି ଯେଉଁ କୋଳାହଳ ଚାଲିଛି ସେଇଟା ଗୁରୁଙ୍କୁ ଦକ୍ଷିଣା ଦିଆହଉଚି । କାରଣ ସେ ବିଚାରା ପୁରୁଣା ଅଭ୍ୟାସରେ ଗୁଡ଼ିଏ ଅଶ୍ଳୀଳ ଶବ୍ଦ ଉଚ୍ଚାରଣ କରିଦେଲେ, ଯଥା–ସତ୍ୟ, ଧର୍ମ, ନ୍ୟାୟ ! ଇସ୍ ତାକୁ ପେଟ୍ରୋଲ ପକାଇ ଜାଳିଦିଅ ! ସେ ଶଳା ବୁଢ଼ାକୁ ଶୂଳି ଚଢ଼େଇଦିଅ । ଏସବୁ ଛାତ୍ରଙ୍କର ବନ୍ଦନା ! ମୁଣ୍ଡ ଫାଟିଯିବାରୁ ଗୋଟାଏ ରିକ୍‍ସାରେ ସେଇଟାକୁ ତିନିଘଣ୍ଟାକାଳ ବୁହାଇ ନିଆଯାଏ ହାସ୍‍ପାତାଳକୁ । ସେ ସ୍ଥାନ ଆଉ ଏକ ଭୂତଖାନା । ସେଇଠି ଏବେ ଆସି ଯେଉଁ ମାଲିକ ପହଞ୍ଚିଛନ୍ତି ସେ ଏକଦା କୌଣସି କୁଷ୍ଠାଶ୍ରମରେ ଥିବା ସମୟରେ ତାଙ୍କର ତିନି ଲକ୍ଷ ଟଙ୍କାର ଛୋଟ କୋଠାଟି ଟେକିଦେଇଛନ୍ତି । ଅନେକ ବିଦେଶୀ ସଂସ୍ଥାର ଔଷଧ ଏବଂ ପଇସା ସାହାଯ୍ୟରେ ଯଥାଯଥ ବ୍ୟବହାର କରିବା ହେଲା ତାଙ୍କର ବିଶେଷତ୍ୱ । ପୁଅଝିଅଙ୍କ ଗୁଜୁରାଣ ମେଣ୍ଟାଇବାକୁ ମାତ୍ର ପାଞ୍ଚଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏବେ ସବୁ ଛାଡ଼ି ଜନତାର ସେବା କରିବାକୁ ସେ ରାଜନୀତିରେ ପଶିଗଲେଣି । ଡାକ୍ତରଖାନା ନାମକ ସରକାରୀ ସଂସ୍ଥାରେ ସବୁ ସରକାରୀ ଚାକର ଢୋଳାନ୍ତି । ବିଭିନ୍ନ ରଙ୍ଗର ପାଣି ବଣ୍ଟ।ହୁଏ । ବିଦେଶୀ ଦାନ ରୂପରେ ଆସିଥିବା ବହୁ ଦୁର୍ଲଭ ଔଷଧ ଲୋକଙ୍କ ସ୍ୱାର୍ଥଦୃଷ୍ଟିରୁ ଅଧା ଦାମ୍‍ରେ ବଜାରରେ ବିକ୍ରି ହୁଏ । ଘରନିଅଣ୍ଟ; ଯାହା ଥାଏ ସେଗୁଡ଼ିକରେ ପାଣି ଗଳେ । ସ୍ୱୟଂ ବଡ଼ ଇଞ୍ଜିନିୟର ଥାଇ ଘରର ଛାତ ଢଳେଇ ହୋଇଛି । ଗୋଟାଏ ସିମେଣ୍ଟରେ ଚଉଦଟା ବାଲି ପକେଇ କଣ୍ଟ୍ରାକ୍ଟର ତା'ର ଚୌଦପୁରୁଷର କ୍ଷୁଧା ମେଣ୍ଟେଇ ନିଏ; ଦେଶର ମଧ୍ୟ ଚୌଦପୁରୁଷ ଉଦ୍ଧ।ର ହୋଇଯାନ୍ତି । ମାଇଲିଏ ଜାତୀୟ ପଥ ଉପରେ ସରକାରୀ ଖର୍ଚ୍ଚର ଶତକଡ଼ା ହିସାବରେ ଦୁଆର ଜଗୁଆଳିଠାରୁ ବଡ଼ ଫୁଲଦାନି ପଛରୁ ଅନେଇଥିବା ହଳେ ହାକିମି ଆଖି ପର୍ଯ୍ୟନ୍ତ ସମସ୍ତେ ଆପ୍ୟାୟିତ ହୋଇଯାନ୍ତି । ସୁନ୍ଦରଗଡ଼ ଓ କୋରାପୁଟର ଦରିଦ୍ର ଆଦିବାସୀ ଉଚ୍ଛନ୍ନ ହୋଇଯାଏ । ବଣିଆ ଠକେ, ଓକିଲ ଠକେ, ବେପାରି ଠକେ–ଏଣିକି ନ ଠକିବା ଓଲାମି–ନ ଠକିବା ଅପରାଧ ! ପରସ୍ପରର ଗଣ୍ଠି କାଟିବା ତଣ୍ଟି କାଟିବାର ଯୋଜନାରେ ଜୀବନ ବିତିଯାଏ, ଏ ଅଦ୍ଭୁତ ମୂଲ୍ୟ ଛଟେଇ ସମାଜରେ ।

 

ଜୟରାମ ନିଃଶ୍ୱାସଟିଏ ମାରି ଟିକିଏ ଅନେଇଲେ । ଝଡ଼ ବହିଗଲା ପରେ ଖୁବ୍ କ୍ଳାନ୍ତ; କିନ୍ତୁ ଭାରି ଏକୁଟିଆ ଅସହାୟ ବୋଧକଲେ । ଆକାଶ ଯେମିତି ଆହୁରି ଗହୀର ଦେଖାଗଲା–ବେଶି କଳା ବେଶି ଅପରିଚିତ । ତାରାଗୁଡ଼ିକ ମଧ୍ୟ ଖୁବ୍ ଜଳିଲେ, ଆହୁରି ବିଛେଇ ହୋଇଗଲେ, ଦୂରରୁ ଦୂରକୁ । ତାଙ୍କର ସେ ପଥଶ୍ରମୀ ମନଟି ପୁଣି ସେଇ ଅଧବାଟକୁ ଫେରିଗଲା ଆଉ ଥରେ ଜୀବନର ସ୍ରୋତରେ ଭାସିଆସିବାକୁ; ତାକୁ ଦୂରେଇ ଦେଖିବାକୁ ପୁଣି ତା' ଭିତରେ ଆଉ ଥରେ ଉବେଇ ଡୁବେଇ ହେବାକୁ ଢେର୍ ଢେର୍ ଘଟଣା ଭିତରେ କିନ୍ତୁ ରାନୀର ପାଠପଢ଼ା ଚାଲିଥାଏ । ତା'ର ଜାମା ସିଲେଇ, ତା'ର ଜୋତା, ଛତା, କମ୍ପାସ୍ ପେନ୍‍ସିଲ ଇତ୍ୟାଦି ଇତ୍ୟାଦି । ଦିନେ ଗୋଟାଏ ବେଳେ ସେ ଆସିଥାନ୍ତି ଖାଇବାକୁ–ସବୁଦିନେ ସେମିତି ଆସନ୍ତି । ରାନୀ ମଧ୍ୟ ଆସିଥାଏ-। ଦେଖିଲେ ରାନୀର ଛତା ଅଛି; ଜୋତା ଥୁଆହୋଇଚି, କିନ୍ତୁ ରାନୀ ଆଉ ଦାଣ୍ଡଘରେ ବସି ରେଡ଼ିଓ ଲଗେଇ ପତ୍ରିକା ପଢ଼ୁନାହିଁ । ସେ ଡାକିଲେ, 'ରାନୀ', 'ରାନୀ' ! କିଛି ଉତ୍ତର ନାହିଁ । ରାନ୍ଧୁଣୀ ନାନୀ ଆସି ଆଗରେ ଆଡ଼ ହୋଇ ଠିଆହେଲା । କହିଲା–'ରାନୀ ଆସିବେ ନାହିଁ ବାବୁ !' ସାର୍ଟଟାରୁ ବୋତାମ ଅଧା ଫିଟେଇ ଜୟରାମ ତାକୁ ଚାହିଁଲେ–ହେଁ ହେଁ ହୋଇ ହସିପକେଇଲେ । କହିଲେ, "କ’ଣ ରୁଷିଛି ? ଆରେ, ତାର ଜାମା ମୁଁ କାଲି ନିଶ୍ଚୟ ଆଣିଦେବି ।"

 

‘‘ନାଇଁ ବାବୁ, ରାନୀମା ’’

 

ଜୟରାମଙ୍କ ବୁକୁ ଧଡ଼ପଡ଼ ହେଲା । ସେ ପଚାରିଲେ–"କ'ଣ ହେଇଚି କହ, କହୁନୁ କାହିଁକି ?"

 

ସେ କେବଳ ମୁହଁ ଘୋଡ଼େଇ ହସିଲା, ତା'ଆଖିରେ ଆଖିଏ କଥା । ବହୁ ବିଳମ୍ବରେ ଅନେକ ଠାର ଇଙ୍ଗିତରେ ସେ ବୁଝିଲେ । ଫଁ କରି ନିଃଶ୍ୱାସଟିଏ ତାଙ୍କ ଅଜାଣତରେ ବାହାରିଯାଇଥିଲା । ସେ ଆଡ଼େଇ ହେଇଗଲେ । ତାଙ୍କ ଆଖି ଥନଥନ ।

 

ତା'ପରେ ଦିନେ ରାନୀ ତାଙ୍କୁ ଆଣି କଫି ବଢ଼େଇ ଦେଇଥିଲା । ଜୟରାମବାବୁ ମୁହଁ ଟେକି ଅନେଇଦେଲେ । ବହୁ ପରିଚିତ କଞ୍ଜି ବରମ୍ ପାଟ ଭିତରୁ ବହୁ ପରିଚିତ ମୁହଁଟିଏ ତାଙ୍କୁ ଅନେଇ ହସୁଚି । ତାଙ୍କ ହାତରୁ କଫି ଖସିପଡ଼ିଥାନ୍ତା । ସେ ବିସ୍ମୟ ଚମକକୁ ଲୁଚେଇବା ପାଇଁ ହୋ-ହୋ ହୋଇ ହସିପକେଇଥିଲେ–ଭାରି କରୁଣ ଅଶ୍ରୁଳ ଜଡ଼ସଡ଼ ହସଟିଏ । ରାନୀ ଅଦ୍ଭୁତ ଠାଣିରେ ଠିଆହୋଇ କହିଥିଲା, "ଏଇଟା ବୋଉ ଟ୍ରଙ୍କରୁ କାଢ଼ି ପିନ୍ଧିଚି; ବଢ଼ିଆ ହେଇଚି, ନା ?" –ଉତ୍ତରରେ କେବଳ ତଳକୁ ଚାହିଁ ଖୁବ୍ ଧୀରେ ହୁ-ହୁ ହେ-ହେ ହୋଇ ଜୟରାମ ହସୁଥାନ୍ତି, ହୁଏତ କାନ୍ଦୁଥାନ୍ତି ।

 

କାକିନାଡ଼ାରୁ ଏବେ ଚିଠି ଦେଇଥିଲା ଯେ ସେ ଭାରି ଆନନ୍ଦରେ ଅଛି । ତା' ନନାକୁ ଅଫିସରୁ ତ ଛୁଟି ମିଳିବ ନାହିଁ । ବରଂ ସେ ଦୁହେଁ ଛୁଟି ନେଇ ଆସିବେ । 'ଆରେ, ଆରେ ମୋଟେ ନୁହେଁ । ତୁମେ ଏଠିକି ଆସିବା ଆଦୌ ଠିକ୍ ହେବ ନାହିଁ ।' –ମୁଣ୍ଡ ଲଡ଼ିଲେ ଜୟରାମ । ଅତୀତ ବଢ଼ି ପାଣି ଆସି ବର୍ତ୍ତମାନର ସ୍ରୋତରେ ମିଶିଗଲା । ରାତି ମଧ୍ୟ ଢେର୍ ହୋଇଯାଇଥିଲା । ଆସ୍ତେ ଉଠିବାକୁ ଉହୁଁ କିଲେ ଜୟରାମ । କେଜାଣି କାହିଁକି ତାଙ୍କର ମନେପଡ଼ିଗଲା ତାଙ୍କ ପଡ଼ିଶା ଗାଁର ସେଇ ଲୋକଟା–ଯେ ଯୋଡ଼ାଏ ଲେଖା ନିର୍ବାଚନ ସେ ଅଞ୍ଚଳରୁ ଜିଣି ଆସିଛି । କୋଠା, ଜମି କରିଗଲା ସତ; ଏବେ ଅଇଁଠା ଆମ୍ବଚୋପା ପରି ସେ ଫୋପଡ଼ା ହୋଇଯାଇଛି । ତା' ପୁଅ ଏବେ ବି ଭାବେ ଯେ ସେ ମନ୍ତ୍ରୀପୁଅ । ନିଶା ଖାଏ, ସାଙ୍ଗମେଳରେ ଜୁଆ ଖେଳେ । ଦିନେ ପଇସା ପାଇଁ ବୁଢ଼ାକୁ ବାଡ଼େଇ ତଳେ ପକେଇଦେଲା । ପାଖରେ ଅକସ୍ମାତ୍‌ ସେ ବାଉରି ଟୋକାଟା ଥିଲା ବୋଲି-ନହେଲେ ବୁଢ଼ା ଆଖି ଖୋସି ଦେଇଥିଲା । ବୁକୁ ଉପରେ ବସି ପୁଅ ବିଧା ହାଣିଦେଇ ଯାଉଥାଏ । ସେଇ ବାଉରି ଟୋକା ଆସି ସବୁ କହୁଥିଲା । ସେ ମଧ୍ୟ କହୁଥିଲା ସାମନ୍ତରାଏ ଡାକ୍ତରଙ୍କ କଥା । ବୁଢ଼ା ଖଣ୍ଡିଏ ରିକ୍‍ସାରେ ତାଙ୍କର ପଚାଶ ବର୍ଷର ଅଭିଜ୍ଞତା ଓ ମାନ୍ଦ୍ର।ଜୀ ଚମଡ଼ା ମୁଣିଟି ଧରି ରୋଗୀ ଦେଖିବାକୁ ଯାଆନ୍ତି । ଏତେ ଦିନଧରି ବହୁ ରୋଗ ସାଙ୍ଗରେ ଯୁଦ୍ଧ କରି କରି ସବୁ ଦବିଆସିଲାଣି । କମ୍ ଦିଶେ, କମ୍ ଶୁଭେ । ଅଣ୍ଟା ଧରିଲେ ଖଟିଆରେ ପଡ଼ିରହି ସେ ତାଙ୍କ ରୋଗୀଙ୍କୁ ଔଷଧ ଦେଇ ଚାଲିଥାନ୍ତି । ପ୍ରଫେସର ଦାସ–ଅଦ୍ୟାବଧି ଚାଲିଗଲେ ଦୁର୍ବୃତ୍ତ ଛାତ୍ରଙ୍କର ମଧ୍ୟ ମଥା ତଳକୁ ନଇଁଯାଏ । ମୁଜିବୁର୍ ଖାଁ ଓକିଲ ଏବେ ମଧ୍ୟ ସତ କହି ତା'ର ଗୁଜୁରାଣ ମେଣ୍ଟାଏ-

 

ଜୟରାମଙ୍କ ମନର ଗୋଟାଏ ପଟେ ପୁରୁଣା ମୂଲ୍ୟବୋଧକୁ ନେଇ ଏ କେତୋଟି ବ୍ୟକ୍ତି ଏବେ ମଧ୍ୟ ଠିଆ ରହିଛନ୍ତି ବନ୍ୟାରେ ବୁଡ଼ି ନଯାଇଥିବା ପାହାଡ଼ ଚୂଳ ପରି । କିନ୍ତୁ ଆର ପଟେ ଲକ୍ଷ ଲକ୍ଷ ଅସୁରଙ୍କ ଥାଟ । ଊଣାଅଧିକେ ସମସ୍ତଙ୍କର ଜୟନ୍ତ ପରିଡ଼ା ପରି ପାରିଲାପଣିଆ । ବଳ କଷାକଷି ହୋଇଗଲେ ତାଙ୍କୁ ଜଣାପଡ଼େ ଯେମିତି ସତ୍ୟ-ଧର୍ମର ଆଉ ଜୟ ହେବାର ନୁହେଁ । ପଶୁପରି ଦାନ୍ତ ଲଗେଇ ନିଜେ ନିଜ ପାଇଁ ସେମାନେ ଝୁଣିଦେବେ । ତାଙ୍କ ପାଇଁ ନୀତିର ବାରଣ ନାହିଁ । ବିକଟ ସ୍ୱାର୍ଥର ଆଦିମ ରୂପ ଗୋଟିଏ ଲେଖାଁ ସେମାନେ । ଚମକେଇଲା ପରି ମନେପଡ଼ିଗଲା । ମଙ୍ଗରାଜ ପରିବାର ! ବିଶ୍ୱମ୍ଭର ନିରୁଦ୍ଦିଷ୍ଟ ହେବାର ସେ ଜାଣନ୍ତି । ସୁଜାତା ପାଖରେ ଅନେକ ସମ୍ବେଦନକାରୀଙ୍କର ଗହଳି ହେଉଥିବାର ମଧ୍ୟ ସେ ଜାଣନ୍ତି । ବିଦ୍ୟାଧର ରାଏଙ୍କୁ ଏବେ ଖଣ୍ତେ ଚାକିରି ମିଳିଥିଲା–ମାସକୁ ତିନିଶହ ଟଙ୍କା ବେତନରେ । ଟଙ୍କା ହଜାରେ ମିଳିଗଲେ ସେ କୁଆଡ଼େ ଏ ଧନ୍ଦା, ଛାଡ଼ିଦିଅନ୍ତେ । ଯେକୌଣସି ଆଦର୍ଶ ମୁଠାଏ ଲେଖାଁ କୌରବ-ଅନ୍ନ ପାଇଲେ ବିକ୍ରି ହୋଇ ନଯିବ, ଏମିତି ନାହିଁ । ଚାଲୁ ! ଏସବୁ ସତ୍ତ୍ୱେ ବର୍ଷ କେଇଟା ବଞ୍ଚିବା ଆଶାରେ ମଣିଷ ହମା ପେଲି ଚାଲିଥାଏ । ଖାଦ୍ୟରୁଚି ପରି ଆଦର୍ଶ ରୁଚି ମଧ୍ୟ ବଦଳାଇ ଚାଲିଥାଏ-। ନିର୍ଲଜ୍ଜ ଜାନୋୟାର୍ ! ହାତୀଟାକୁ ଶୁଖୁଆ ଖାଇବାକୁ ଦେଲେ ବା ସିଂହଟାକୁ ଚୁଚୁନ୍ଦ୍ରା ଖାଇବାକୁ ଦେଲେ ସେ ବରଂ ମରିଯିବେ, ରୁଚି ବଦଳେଇ ପାରିବେ ନାହିଁ; କିନ୍ତୁ ମଣିଷର ପ୍ରୟୋଜନ ବେଳେ ବେଶ୍ ଘୁଷୁରି ଲଣ୍ଡି ମଧ୍ୟ ଚଳିଯିବ । ଏ ଜନ୍ତୁଟା ତା'ର ସମସ୍ତ ବିଚାର ବୁଦ୍ଧି ସତ୍ତ୍ୱେ ମରି ଜାଣିନାହିଁ. ଏଣୁ ବଞ୍ଚି ମଧ୍ୟ ଜାଣିନାହିଁ ।

 

କ୍ରୋଧ, ଅପମାନ, ବିତୃଷ୍ଣା, ହତାଶାର ଖଣ୍ଡିଆଭୂତଟାଏ ଭଉଁରି କାଟି ଚାଲିଗଲା । ଆକାଶରେ ଶୁଭିଲା ପତ୍ରଗୁଡ଼ାଏ ଅସହାୟ ଉଡ଼ି ଚାଲିଗଲେ । ଅସମ୍ଭବ, ଅର୍ଥହୀନ ଏ ଆକାଶ, ଆଉ ଏ ତାରା । ବଡ଼ ନିର୍ମମ ଏ ପୃଥିବୀ ଆଉ ଏ ମଣିଷମାନେ । ଜୟରାମଙ୍କ ଚାରିଆଡ଼େ ଅସଂଖ୍ୟ ଦିଗ୍‌ବଳୟ, ଅପର୍ଯ୍ୟାପ୍ତ ଶୂନ୍ୟତା । ସେ ସେଇ ତାରା-ଆଲୁଅରେ ଅନେଇ ଠିଆ ହୋଇଛନ୍ତି । ଆଗକୁ ଗଲେ ହୁଏତ ସେଇ ସୋରାଏ ଭଡ଼ାଘର ଓ ନିରର୍ଥକ ଗୁଡ଼ାଏ କାନ୍ଥ ଓ ବାରଣ୍ଡା, ପ୍ରୟୋଜନ ନ ଥାଇ ଗୁଡ଼ାଏ ଦାନ୍ତନିକୁଟା ଆତ୍ମୀୟତା–ଏବଂ ପଛକୁ ଗଲେ ସେହିପରି ନିରର୍ଥକ ଗୁଡ଼ାଏ ଅଚିହ୍ନା ରାସ୍ତା ଓ ମୁହଁ । ସେଠି ଦିଗର ଅର୍ଥ ନାହିଁ, ଗତିର ଅର୍ଥ ନାହିଁ, ସ୍ଥିତିର ମଧ୍ୟ ଅର୍ଥ ନାହିଁ । ଜୟରାମଙ୍କ ଆଖି ବୁଜି ହୋଇଆସିଲା–ହାତଗୋଡ଼ କୌଣସି ଗୋଟାଏ ଆବେଗରେ, ଗୋଟାଏ ଉତ୍କଣ୍ଠାର ତାଡ଼ନାରେ ଥରିଲା ପବନରେ ନିସ୍ତେଜ ନାଡ଼ଗୁଡ଼ିଏ ସତେ ବା !! ଏଠି ଆଖିର ଆବଶ୍ୟକତା ନାହିଁ । ଏଇଟା ଗୋଟାଏ ଅନ୍ଧ ପ୍ରବାହ ମାତ୍ର । ଏଠି ସ୍ୱାଧୀନ ଗତି ନାହିଁ; ଯେପରି ସ୍ରୋତରେ କୁଟାଖିଏ ପଡ଼ିଲେ ତା'ର ନିଜର ଆୟତ୍ତ କିଛି ନ ଥାଏ ! ସ୍ରୋତରେ ମଧ୍ୟ ଆୟତ୍ତ ନାହିଁ-। ତାକୁ କିଏ ଠେଲିଦେଉଚି ପଛରୁ । ଏଠି କାତ ମେଲେଇ ପଡ଼ିଗଲେ ଭାସିଯିବା କଥା ।

 

ଭିତରେ କ'ଣଟାଏ କୁହୁଳି କୁହୁଳି ଜଳିଗଲା । ଠିଆହୋଇ ରହିଲା କେବଳ ନିସ୍ତେଜ ପୋଡ଼ାଖାରର ଗୋଟାଏ ଢାଞ୍ଚା । ସ୍ମୃତିର ଜମାନବିନ୍ଦ ଉପରେ ଯେଉଁ ଅତୀତ ଭରାଦେଇ ରହିଥିଲା ଓ ତାକୁ ଆଉଜି ରହିଥିଲେ ଯେତେପ୍ରକାର ସମ୍ପର୍କ, ସେ ସମସ୍ତ ବିକ୍ଷିପ୍ତ ହୋଇପଡ଼ିଲେ । ଅଭ୍ୟାସବଶତଃ ଜୟରାମ ନାଟାକୁ ଓ ସେଇ ଜରିଆରେ ଅନେକ ବସ୍ତୁ ଓ ବ୍ୟକ୍ତିକୁ ସେ ଗ୍ରହଣ କରିନେଇଥିଲେ । ସେ ସମସ୍ତଙ୍କୁ ଆଡ଼େଇ ଦେଖିଲେ ସତେ ଜୀବନଟା କେତେ ବଡ଼ ରହସ୍ୟ !!

 

ବହୁବାର ଜୟରାମ ଏ ଭାବାନ୍ତରଟିକି ଦେଖିଆସିଛନ୍ତି । ସେ ଆସି କେବଳ ହାଟମଝିଟାରେ ତାଙ୍କୁ ଫୁଙ୍ଗୁଳା କରି ଚାଲିଯାଇଛି । ସମ୍ପର୍କର ବହୁଗୁଣିତ ରଜ୍ଜୁକୁ ଆଡ଼େଇ ଅସମ୍ପର୍କରେ ହାଲୁକା ଅଥଚ ଆକ୍‍ତା କରିପକାଉଥିବା ଶୂନ୍ୟତା ଓ ନିର୍ଜନତା ତାଙ୍କ ଭିତରେ ଦେଇ ଲହଡ଼ି ମାରି ଚାଲିଯାଇଛି । ଜୟରାମ ପୁଣି ଥରେ ଚାହିଁଲେ ଦୂର ବତିଖୁଣ୍ଟକୁ ! ବୁଲିପଡ଼ି ଚାହିଁଲେ ଆହୁରି ଦୂରର ମିଞ୍ଜି ମିଞ୍ଜି ତାରାକୁ ।

 

କିଛି ଯାଏ-ଆସେ ନାହିଁ । କିଛି ପ୍ରଭେଦ ନଥିବାରୁ ଯେଉଁ ଆଡ଼କୁ ଲଇଁଗଲେ ମଧ୍ୟ ଏକା କଥା । ସଂପୂର୍ଣ୍ଣ ଅପରିଚିତ ରାଜ୍ୟର ଦୁଇଟି ସାଇ–ଏଇ ପୂର୍ବ ଆଉ ପଶ୍ଚିମ; ବିରୋଧ ନାହିଁ, ବୈଷମ୍ୟ ନାହିଁ । ମନରେ କୌଣସି ପ୍ରକାର ବିବାଦ, ଦ୍ୱନ୍ଦ୍ୱ ମଧ୍ୟ ନାହିଁ–କାରଣ ଉଭୟଦିଗ ଶୂନ୍ୟ । ଜୟରାମ ଜୋର୍ କରି ହାତମୁଠାଟାକୁ ଚିପିଧରିଲେ ଅନୁଭବ କରିବାକୁ ଯେ ସେ ଆଙ୍ଗୁଠିଗୁଡ଼ାକ ତାଙ୍କର । ତାଙ୍କର ଖୁବ୍ ପଛରୁ, ଖୁବ୍ ଦୂରରୁ ମାଇକ୍‍ର କୋଳାହଳ ଶୁଭିଲା । ଶୁଭିଲା ଜୟନ୍ତର ଧର୍ମସଭାରେ ବକ୍ତୃତା । ଦିଶିଗଲା ବିଦ୍ୟାଧର ରାୟର ଦୁର୍ବଳ ସେଇସବୁ ଆଦର୍ଶ । ବିଶ୍ୱମ୍ଭର, ସୁଜାତା, ରୋଜି, ବିମଳ ଏବଂ ବାକିସବୁ ଝୁଲିପଡ଼ୁଥିବା ସମାଜର ବିସ୍ତୀର୍ଣ୍ଣ ଚାନ୍ଦୁଆ । ବହୁ ଦୂରରେ ରାନୀ ଓ ତା'ର ସ୍ୱାମୀ । ତାଙ୍କ ଗାଁ, ପଡ଼ିଶା ଗାଁ, ଆଉ ଆଖପାଖ ସହସ୍ରେ ଗାଁ–ଏଇ ସହର, ଆର ସହର ଏବଂ ଆଉ ଅନେକ ସହର–ଗଳିଗଳିରେ ଭୋକିଲା କୁକୁର, ରୋଗିଣା ଗାଈ ମନ୍ଦା ମନ୍ଦା ସାଲୁବାଲୁ ଜନ୍ତୁ ଆଉ ମଣିଷପିଲା । କଂସେଇ, ଡାକ୍ତର, ଓକିଲ, ବଣିଆ–ନାନା ବୃତ୍ତି, ନାନା ରୁଚି, ନାନା ଅଭିସନ୍ଧିର ମଣିଷ । କାହାକୁ ତର ନାହିଁ ପଛକୁ ଚାହିଁଦେବାକୁ, ଏପାଖ ସେପାଖ ଅନେଇଦେବାକୁ; ଅଥଚ ଏକାଠି ଦେହକୁ ଦେହ ଘଷିହୋଇ ଗୋଠ ସାଙ୍ଗରେ ସମସ୍ତେ ରହନ୍ତି, ଚାଲନ୍ତି, ବୁଲନ୍ତି । ବୁଝନ୍ତି ନାହିଁ ଯେ ବେଳ ପଡ଼ିଲେ କାମୁଡ଼ାକାମୁଡ଼ି ହୋଇଯିବେ । ଛକିବସିଛନ୍ତି ସଜ ଉଣ୍ଡି କିଏ କାହାକୁ ଦାଉଁ ମାରିଦେବ ।

 

ଗୋଟାଏ ଗହିରିଆ ବ୍ୟବଧାନ ତାଙ୍କୁ ଏ ଉତ୍ତପ୍ତ କୋଳାହଳଠାରୁ ଦୂରକୁ ଘୁଞ୍ଚେଇଦେଲା; ତଥାପି ମନ ହେଲାନାହିଁ ମୁହଁ ଫେରେଇନେବାକୁ । ଅନିଶ୍ଚିତ, ଅଜ୍ଞାତ ପାଇଁ ତାଙ୍କର ହୁଏତ ଭୟ ନାହିଁ । ତା' ଅପେକ୍ଷା ବରଂ ଏ ବହୁଦିନର ଜଣାଶୁଣା ପୃଥିବୀ ଆହୁରି ଭୟାବହ ହୋଇପାରେ । ସବୁ ଛିଣ୍ଡି ଯାଇଛି । ଦରାଣ୍ଡି ଲେ ଚାରିଦଉଡ଼ିରୁ ଗୋଟିଏ ହେଲେ ଆଉ ହାତରେ ବାଜୁନାହିଁ । ତଥାପି

 

ତଥାପି ଚାରିଟି ଅଭ୍ୟସ୍ତ ଖୁରା ଉପରେ ଆରୂଢ଼ ହୋଇ ଗୋରୁ ତା' ଗୁହାଳର ଅପରିଚ୍ଛନ୍ନ ସଂକୀର୍ଣ୍ଣକୁ ଫେରିଆସେ । ଜୟରାମ ଭଡ଼ା ଘରଟିକୁ ଫେରୁ ଫେରୁ ସେଦିନ ରାତି ବାରଟା ସେପାରି ।

 

ଦିନ ଗୋଟାଏ ବେଳକୁ ହସ୍‌ପିଟାଲ୍‌ ପିଣ୍ଡାରେ ଗହଳି ନ ଥାଏ । ସମସ୍ତେ, କ୍ଳାନ୍ତ, ଘୁମନ୍ତ । ରୋଗୀ, ନୀରୋଗ ସମସ୍ତେ ଘୁମେଇଲାବେଳେ ବାହାରେ କଡ଼ା ପହରା ଦେଉଥାଏ ଗୋଟାଏ ଉତ୍ତପ୍ତ ସୂର୍ଯ୍ୟ । ଅପରେଶନ୍ ଥିଏଟରରୁ ଖାକି ହାଫ୍‍ପେଣ୍ଟପିନ୍ଧାଳି ଦୁଇଜଣ ନିଃଶବ୍ଦରେ ଗୋଟିଏ ଷ୍ଟ୍ରେଚର ଧରି ବାହାରିଆସିଲେ । ସାଉଁସାଉଁ ହୋଇ ଗୋଟାଏ ଶବ୍ଦ ହେଉଥାଏ–ଚିକ୍‍କଣ ଚଟାଣ ଉପରେ ସେମାନଙ୍କ ରବର ଜୋତାର ଶବ୍ଦ । ଷ୍ଟ୍ରେଚର ଉପରେ ପିଲାଟିର ମୁଣ୍ଡରେ ବିରାଟ ପଟି । ମୁଣ୍ଡଟି ନୁଡ଼ୁନୁଡ଼ୁ । ରକ୍ତହୀନ ସେଥା ପାଦଯୋଡ଼ିକ ନୁଡ଼ୁନୁଡ଼ୁ । ସେ ଏପାରି ନା ସେପାରି ହଠାତ୍ ଦେଖି କହିହେବ ନାହିଁ । ପାଦ ଘୋଷାରି ଘୋଷାରି ସେମାନେ ଚାଲିଗଲେ । ମୁହଁରେ ତୁଣ୍ଡି ବାନ୍ଧି ଅମହୁଣିଆ ଭୋଗ ନେଇ ଅପସରିଗଲେ କାହାରି ନୈବେଦ୍ୟ ପାଇଁ ।

 

ଲମ୍ବା ବେଞ୍ଚଟା ଉପରେ ବିଦ୍ୟାଧର ରାୟ ଢେର୍ ସମୟ ଧରି ଅପେକ୍ଷା କଲେଣି । ନାନା ଚିନ୍ତା ତାଙ୍କ ଭୁରୁ ଉପରେ ଜମିଯାଉଛି । ନାନା ଦୃଶ୍ୟ ତାଙ୍କ ମୋଟା ଚଷମାର ତରାଟିଲା ପରି ଡୋଳା ଦେହରେ ବାଜି ଛିଟିକି ପଡ଼ିଚି । ମଣିଷର ଯନ୍ତ୍ରଣାରେ ପବନ ବୋଝେଇ ହୋଇ ରହିଛି । ବିଦ୍ୟାଧର ରାୟଙ୍କ ଭିତରେ ଗୋଳିଆ-ମିଶା ହୋଇ ଅନେକ ପ୍ରଶ୍ନ ।

 

ତାଙ୍କ ଘରର ଝିଅ ସୁଜାତା । ମାୟାଧର ରାୟ ତାଙ୍କଠାରୁ ଛ' ବର୍ଷ ସାନ । ଏଇ ସେପଟ ସ୍ପେଶାଲ କେବିନ୍‍ରେ ସେ ଗୁଡ଼ାଏ ଖାକି ପୋଷାକର ଗହଳି ଭିତରେ ମରିଗଲା । ପନ୍ଦର ଦିନ ସେଇଠି ଚେତା ହଜେଇ ପଡ଼ିଥିବା ଭିତରେ ବିଦ୍ୟାଧର ରାୟ ତିନି-ଚାରି ଥର ଆସି ଦେଖିଦେଇ ଚାଲିଯାଇଥିଲେ । ସବୁ କଥା ପଛକୁ ପକେଇ ସେ ଆସିଥିଲେ ଭାଇକୁ ଦେଖିବାକୁ, ଯାହା ପାଇଁ ସେ ବାଡ଼ିରୁ ପିଜୁଳି ତୋଳି ଦେଇଥିଲେ, କଟକ ପଢ଼ିଆସିଲା ଦିନ ତାକୁ ସାଙ୍ଗରେ ଅନେକ ବୁଝେଇ ସୁଝେଇ ନେଇ ଛାଡ଼ି ଆସିଥିଲେ; କିନ୍ତୁ ଡାକ୍ତରଖାନାରେ ସେଦିନ ତାଙ୍କୁ କେହି ଆସ ବୋଲି ଭିତରକୁ ଡାକିନାହିଁ, ବସ ବୋଲି କହିନାହିଁ । ତାଙ୍କ ଭାଇବୋହୂ ଫଡ଼୍‍କିନା ମୁହଁ ବୁଲେଇ ନେଇଥିଲା । ବିଦ୍ୟାଧର ରାୟ ତଥାପି ଦୁଆରବନ୍ଧ ପାଖରୁ ଅନେଇଥିଲେ । ମାୟାଧରର ଆଖି, ନାକ, କପାଳ ମନେହେଲା ଯେମିତି ଆଗପରି ତାଙ୍କୁ 'ବିଦାଭାଇ' ବୋଲି ଡାକି ଗୋଡ଼େଇଆସିଲେ; କିନ୍ତୁ ସେ ବୁଲିପଡ଼ି ଚାଲିଯାଇଥିଲେ । କାହାକୁ ପଚାରିବାକୁ ମଧ୍ୟ ଇଚ୍ଛା ହେଲାନାହିଁ ମାୟାଧରର କ'ଣ ହେଇଚି । ବିଦ୍ୟାଧର ରାୟଙ୍କ କାନମୁଣ୍ଡାରେ ତିନିଇଞ୍ଚିଆ କଟା ଦାଗ ଗାନ୍ଧିଟୋପି ତଳେ ଲୁଚିପାରେ ନାହିଁ । ରାତି ଏଗାରଟାରେ ମାୟାଧର ତାଙ୍କ ଉପରକୁ ମଦଗ୍ଲାସ ଫୋପାଡ଼ି ଗୋଡ଼େଇଆସିଥିଲା । ନିଶାଜୋର୍‍ରେ ତା ଲାତ ଗେଟ୍ ଉପରେ ବସିଥିଲା । କିନ୍ତୁ ବିଦ୍ୟାଧର ରାୟ ସେ ଲାତ ଖାଇ ଆଉ ଥରେ ଫେରି ନଥିଲେ । କାରଣ ? –ଓ, କାରଣ ଢେର୍ ! –ବିଦ୍ୟାଧର ଚାକିରି ନ କରି ଅନ୍ନ ଖାଇ ବଞ୍ଚିବାକୁ ଅଯୋଗ୍ୟ । –ସେ ପୁଣି କିଏ ଏସ୍. ପି. ସାହେବ ମଦ ଖାଇଲେ ନା ଲାଞ୍ଚ ଖାଇଲେ ଦୋଷ ବାଛିବାକୁ ? –ତାଙ୍କର କି ଅଧିକାର ଅଛି ଜୟନ୍ତ ସାଙ୍ଗରେ ସୁଜାତା ଏତେ ରାତିରେ କାହିଁକି ଫେରେ ବା ତାଙ୍କ ଭାଇବୋହୂ ଗାଡ଼ି ଏବଂ କର୍ତ୍ତ ର ମିଆଁ ଡ୍ରାଇଭରକୁ ନେଇ କାହିଁକି ନିତିଦିନ ଅନିର୍ଦ୍ଦିଷ୍ଟ ଗସ୍ତରେ ଯାଆନ୍ତି ପଚାରିବାକୁ ! ତଥାପି–

 

ତଥାପି ବିଦ୍ୟାଧର ରାୟ ସେଦିନ ସକାଳେ ଶୁଣିଲେ ଯେ ସୁଜାତା ତା' ଘରେ ଚେତାବୁଡ଼ି ପଡ଼ିଛି । ବିଶ୍ୱମ୍ଭର ଅଢ଼େଇମାସ ହେଲା ଘରେ ନାହିଁ । ରକ୍ତ ଜୁଡ଼ୁବୁଡ଼ୁ ସୁଜାତାକୁ ରିକ୍‍ସାରେ ଆଣିବାର ଅନେକ ପରେ ମୁଲଚାନ୍ଦର ଗାଡ଼ି ଆସିଥିଲା ଏବଂ ହସ୍‍ପିଟାଲ ପର୍ଯ୍ୟନ୍ତ ଯାଇଥିଲା । ବିଦ୍ୟାଧର ରାୟ ନିଶ୍ଚଳ ବସି ତାକୁ ହାତ ଠାରି ଚାଲିଯିବାକୁ କହିଥିଲେ ।

 

ସୁଜାତା–ସୁଜାତା ତାଙ୍କ ଝିଆରୀ । ତାଙ୍କୁ ଚା' ଆଣିଦେଲାବେଳେ ଦିନେ ହାତରୁ କପ୍‌ ପକେଇ ଭାଙ୍ଗି ଦେଇଥିଲା । ବଜାରରୁ ଲିଚୁକୋଳି ଆଣିଦେବାକୁ ଅଳି କରିଥିଲା । କଲେଜରେ ପଢ଼ିଲାବେଳେ ସୁଜାତା ସୁନ୍ଦର, ତା'ର ବେଣୀ ଖୁବ୍ ଲମ୍ବା–ଆଜି ତା'ର ଜୀବନ ବିପନ୍ନ !

 

ବିଦ୍ୟାଧର ରାୟ ବେଞ୍ଚରେ କଡ଼ମୋଡ଼ି ବସିଲେ । ସରୋଜ ପାଖକୁ ସେ ଟେଲିଗ୍ରାମ୍‌ କରିଛନ୍ତି । ଦିଗମ୍ବର ମଙ୍ଗରାଜଙ୍କୁ ମଧ୍ୟ ଟେଲିଗ୍ରାମ୍‌ କରିଛନ୍ତି । ସେମାନେ ସବୁ ଯେ ଯାହା ଦାୟିତ୍ୱ ମୁଣ୍ଡେଇବା ଉଚିତ । ତା'ପରେ ସମାଜସେବୀ ବିଦ୍ୟାଧର ରାୟ ଭାବିବେ ଯେ ତାଙ୍କ କର୍ତ୍ତବ୍ୟ ସରିଗଲା । –ସରୋଜ ତ ତାଙ୍କୁ ଦଦେଇ ବୋଲି ଡାକିବ ନାହିଁ କି ଦିଗମ୍ବର ମଙ୍ଗରାଜ ତାଙ୍କୁ ସମୁଦିର ସମ୍ମାନ ଦେବ ନାହିଁ ! ସରୋଜ ଜୁଆ ଖେଳି ତିନିମାସ ଜେଲ ଭୋଗି ଆସିବା ପରେ ଗାଁରେ ଗୋଟାଏ ବହି ଦୋକାନ ଖୋଲିଚି । ମା'ର ଅଳଙ୍କାର ମୁକୁଳେଇବାକୁ ଜମି ବିକି, ଟଙ୍କା ଆଣି ଜୁଆ ଖେଳିଦେଇଚି । ଭୁବନେଶ୍ୱରର ଯୋଡ଼ାଏ କୋଠାରୁ ସାତଶ' ଟଙ୍କା ଭଡ଼ା ମିଳେ, ଜମିରୁ ଧାନ କିଛି ଆସେ; ସେଥିରେ ମା' ପୁଅ ଚଳନ୍ତି, ସ୍ନୋ, ପାଉଡ଼ର ଓ ମଦର ଖର୍ଚ୍ଚ ଉଠେ । ସେମାନେ ଭାବନ୍ତି, ବିଦ୍ୟାଧର ରାୟ କୁଆଡ଼େ ସେମାନଙ୍କ ଏପରି ଅବସ୍ଥା ପାଇଁ ଦାୟୀ । ସେ କୁଆଡ଼େ ଭାଇବୋହୂକୁ ଆଶ୍ରା କରି ଚଳିବାକୁ ଚାହୁଁ ଥିଲା । ସେ ନିଜ ଭାଇ ନାଁରେ ମିଛ-ଖଚ ପ୍ରଚାର କରିବାରୁ ତଦନ୍ତ ବସିଥିଲା । ମାୟାଧର ରାୟ ରାଗରେ, ଅପମାନରେ ଏବଂ ରକ୍ତଚାପରେ ମରିଗଲେ । ହୁଃ ! ଏଇଟା ପୁଣି ଦଦେଇ ! –ଦିଗମ୍ବର ମଙ୍ଗରାଜ ସରକାର ଭୟରେ ବାରଲୋକ ନାଁରେ ଜମି ରେଜିଷ୍ଟ୍ରି କରିଦେଇଥିଲା । ଏବେ ସେଇମାନେ ଜମି ଦଖଲ କରିଗଲେ । କେବଳ ନିଜ ଗାଁର ଜମିତକ ଧରି ସେ ଚଳେ । ସରୁ ଚାଉଳ, ଘିଅ, ଭାକୁରମୁଣ୍ଡ ବୁଢ଼ାର ଟିକିଏ ଊଣା ପଡ଼ିଯିବଣି-। ବିଶ୍ୱମ୍ଭର ଉପରେ ବୁଢ଼ା କୋଉକାଳୁ ବିଗିଡ଼ିଛି । ମାଇପବୋଲକରା, କୁଳାଙ୍ଗାର ନାଁରେ ସୋରାଏ ଜମି ଅଛି ନିଶ୍ଚୟ, ମାତ୍ର ତା' ଉପରୁ ବୁଢ଼ା ଆଶା ଛାଡ଼ିଦେଲାଣି । ସେ ଏବେ ଭାବିଛି, ସାନପୁଅ ସୋମନାଥ କଲେଜପାଠ ସାରିଦେଲେ ବଡ଼ଲୋକ ହେବ, ଡାକ୍ତର ହେବ । ସୁଜାତା ଥରେ ଗାଁକୁ ଯାଇଥିଲା । ପାଣ୍ଢେଇ ମଡ଼େଇ ବୁଲିଲା–ଦିଅଁ ଘର, ରନ୍ଧାଘର ମାନିଲା ନାହିଁ । ସେଇଦିନୁ ସେ ଆଉ ବୋହୂକୁ ଘରେ ପୂରେଇଲା ନାହିଁ । ହେଲେ ନାତି-ନାତୁଣୀ ଦି'ଟା ବୁଢ଼ାର ପ୍ରାଣ । ତାଙ୍କ ପାଇଁ ପ୍ରତିମାସ ଶଗଡ଼ଭରି ଯାବତୀୟ ଜିନିଷ ଦେଇପଠାଏ । ଦିନେ ନିଧି ଦଳେଇ ଲେଉଟିଆସି କାନ୍ଦ କାନ୍ଦ ହୋଇ କହିଲା ଯେ ବୋହୂ ସାଆନ୍ତାଣୀ ତାକୁ ବାଡ଼େଇ ତଡ଼ିଦେଲେ । ନିଧି ଦଳେଇ ତିରିଶ ବର୍ଷ ଧରି ମଙ୍ଗରାଜ ଘରେ ଗୁମାସ୍ତା । ବାଞ୍ଛା ବି ସେମିତି କୋଉକାଳୁ ସେ ଘରେ ପୁରୁଣା ନୌକର-। ସବୁ ଶୁଣି ଦିଗମ୍ବର ମଙ୍ଗରାଜ ସେଦିନ କୁଆଡ଼େ ଭାତ ଖାଇନାହିଁ । ଛି କରିଦେଇଛି, ପୁଅ ବୋହୂ, ନାତି ନାତୁଣୀ ସମସ୍ତଙ୍କୁ । ମାୟାଧର ରାୟ ଝିଅ ଆସି ତା'ର ଖାନ୍ଦାନ ଉଜାଡ଼ି ଦେଇଚି; ତା' ନିଶ ତଳକୁ କରିଦେଇଛି । ବିଶ୍ୱମ୍ଭର ତା'ର ମଲାପୁଅ ।-ଆଉ ବିଦ୍ୟାଧର ରାୟ ? ମାୟାଧର ରାୟର ଭାଇ ? ହୁଁ ସେଇଟା କିଏ ବା ?

 

ଖରା ଅନେକ । ହସ୍‌ପିଟାଲ ଶୂନଶାନ ପ୍ରାୟ । ଶୁଖିଲା କନିଅର ଗଛ ଡାଳରେ କଜଳପାତିଟାଏ ଜିଭ କାଢ଼ି ଧକଉଥାଏ । ସେ ପାଖ ୱାର୍ଡ଼ରୁ ଗୋଟାଏ କିଏ ଭାରି କଷ୍ଟରେ କୁନ୍ଥଉଥାଏ । ଅପରେଶନ ଘରୁ ଟାଉଟାଉ ଆସି ଧାଈଟାଏ କହିଲା–"ଆପଣ ଟିକିଏ ଆସନ୍ତୁ । କେସ୍‌ଟା ସିରିଅସ ଜଣାପଡ଼ୁଚି !"

 

ବିଦ୍ୟାଧର ରାୟ ଗୋଡ଼ଯୋଡ଼ାକୁ ଆୟତ୍ତକୁ ଆଣୁ ଆଣୁ ଭିତରେ ପଶିଗଲେଣି । ମୁହଁରେ ତୁଣ୍ଡି ବାନ୍ଧି ଧଳା ଧଳା ଗୁଡ଼ିଏ ଛାଇ ଗୋଟାଏ ନାଲି ଟେବୁଲକୁ ଘେରି ଠିଆହୋଇଥାନ୍ତି । ଆଖିଗୁଡ଼ିକ ସେମାନଙ୍କର ପରିଷ୍କାର, ଅଥଚ କ୍ଳାନ୍ତ ଓ ବିଷଣ୍ଣ । ଲାଲ ସରକାରୀ କମ୍ବଳର ଶେଷକୁ ଗୋଟିଏ ମୁହଁ । ବିଦ୍ୟାଧର ରାୟ ଚିହ୍ନୁ ଛନ୍ତି ଅଥଚ ବିଶ୍ୱାସ କରିପାରୁନାହାନ୍ତି । ଜଣେ କିଏ କହିଲା, "କିଛି ବ୍ୟସ୍ତ ହେବାର ନାହିଁ । କେସ୍ ଟିକିଏ ଡ଼େରିରେ ଆସିବାରୁ ଅନେକ ରକ୍ତ ଚାଲିଯାଇଥିଲା । ଜବରଦସ୍ତି ଗର୍ଭପାତରେ ଏଭଳି ହୋଇଥାଏ । ତଥାପି ରକ୍ତ ଦିଆଚାଲିଛି । କିନ୍ତୁ ନିଜ ଲୋକ ସମସ୍ତେ ପାଖରେ ଥିବା ଉଚିତ । ଆପଣ ଶୀଘ୍ର ତାଙ୍କ ସ୍ୱାମୀଙ୍କୁ ଡକେଇଦିଅନ୍ତୁ ।"

 

ବିଦ୍ୟାଧର ରାୟ ହଠାତ୍‌ ଭାରି ଦୁର୍ବଳ ବୋଧକଲେ । ଚାରିଆଡ଼ୁ ଟିକିଏ ଅନ୍ଧାର ମାଡ଼ିଆସିଲା । ସେ ଶିଷ୍ଟାଚାର ରକ୍ଷାକରି ନିଜ ଅଜାଣତରେ ହୁଏତ କହିଦେଲେ, "ନିଶ୍ଚୟ, ନିଶ୍ଚୟ-! ତାଙ୍କୁ ପ୍ରଥମେ ଡକେଇଦେବାକୁ ହେବ ।" ତା'ପରେ ତଳକୁ ମୁହଁ ଲଇଁଗଲା । କପାଳର ରେଖାଗୁଡ଼ିକ ନିଜ ଓଜନରେ ନଇଁପଡ଼ିଲେ । ସେ ଆଉ କିଛି କହିବା ବା କରିବା ସ୍ଥିର କରିନପାରି ଖୁବ୍ ଧୀରେ ସେଇଠୁ ତଳକୁ ଚାହିଁ ଫେରିଗଲେ । ଆଠହଳ ଆଖି ତାଙ୍କୁ ଦୁଆର ପର୍ଯ୍ୟନ୍ତ ଛାଡ଼ି ଆସି ପରସ୍ପରକୁ ଅନାଅନି ହେଲେ । ସେଇ ଜଣକ ପୁଣି କହିଲେ–‘‘ବୁଢ଼ାକୁ ହୁଏତ ଖୁବ୍‌ ବାଧିଲା; କିନ୍ତୁ କ'ଣ କରାଯାଏ ? ଅଗତ୍ୟା ତା ନକଲେ ଚଳୁନାହିଁ । ଆଚ୍ଛା, ତୁମେ ସବୁ ସତର୍କ ଥାଅ । ରକ୍ତ ଗୋଟାଏ ବୋତଲ ସରିଗଲେ ଦ୍ୱିତୀୟଟା ଲଗେଇଦେବ । ମୁଁ ଲଞ୍ଚ ପରେ ଆସି ଦେଖିଯିବି ।"

 

ବାହାରେ ଗୁମୁଗୁମିଆ ଖରା । ବିଦ୍ୟାଧର ରାୟ ଅଣ୍ଟାରେ ହାତଟାଏ ରଖି ତଳକୁ ଚାହିଁ ପିଣ୍ଡାଦାଢ଼ରେ ଭାବୁଛନ୍ତି କ'ଣ କରିବେ, କ’ଣ ହେବ ! ଏତିକିବେଳେ ଖୁବ୍ ସରୁ ସରୁ ଜୋତାଶବ୍ଦ ତାଙ୍କ ଆଡ଼କୁ ପାଖେଇ ଆସିଲା । ସେ ହୁଏତ ପଛକୁ ଅନେଇଥାନ୍ତେ–ହସ୍‍ପିଟାଲ ଗେଟ୍ ଦେଇ ସାଇଁ ସାଇଁ ଦୁଇଟା ଗାଡ଼ି ପଶିଆସିଲା । ବିଦ୍ୟାଧର ରାୟ ଅନୁଭବ କେ ଯେ ସରୁ ସରୁ ଜୋତାଶବ୍ଦଗୁଡ଼ିକ ତାଙ୍କ ପାଖକୁ ଲାଗି ଅଟକିଗଲେ ଏବଂ ଅନେଇଲେ ସେଇ ଗାଡ଼ି ଆଡ଼େ । ଗାଡ଼ିରୁ ଯେଉଁମାନେ ଧଡ଼ଧାଡ଼ ଓହ୍ଲେଇ ପଡ଼ିଲେ, ଲମ୍ବା ଲମ୍ବା, ମୋଟାରୋଟା ଆଠ-ଦଶ ଜଣ, ସେଥିରୁ ଗୋଟାଏ ବୋଧହୁଏ ମୁଲଚାନ୍ଦ । କିନ୍ତୁ ସମସ୍ତଙ୍କ ଆଗରେ ଯେ ପଛକୁ ନ ଚାହିଁ ଚାଲିଆସୁଛି, ସେ କିଏ ? ସରୋଜ ? ତାର ତ ଏତେ ବଡ଼ ବଡ଼ ନିଶ ନ ଥିଲା ! ବାଳ ଏମିତି ଭୁତୁରା, କଲି ଏତେ ଲମ୍ବା କେବେ ନଥିଲା । ଆଖିଗୁଡ଼ାକ ଏତେ ଭିତରକୁ ପଶିଗଲେ ଯାହାକୁ ହେଲେ ଚିହ୍ନିବା ଟିକେ କଷ୍ଟ । ତଥାପି ସେ ନିର୍ଭୁଲ ଭାବରେ ସରୋଜ । ମନେହେଲା ସେ ଆସି ହଠାତ୍ ବିଦ୍ୟାଧର ରାୟଙ୍କୁ ପଚାରୁଚି, "କ'ଣ, କେସ୍ କେମିତି ଅଛି କହିଲେ ?' ବିଦ୍ୟାଧର ରାୟ କିଛି ଉତ୍ତର ଦେବା ପୂର୍ବରୁ ତାଙ୍କ ପଛରୁ ସେଇ ସରୁ ସରୁ ପାଦଯୋଡ଼ିକ ପରିଚିତ ସ୍ୱରରେ କହିଲେ–"ନା, ବିଶେଷ କିଛି ବ୍ୟସ୍ତ ହେବାର ନାହିଁ; କିନ୍ତୁ ଖୁବ୍ ସିରିଅସ୍ !" –ତା’ହେଲେ ସରୋଜ ତାଙ୍କୁ କିଛି ପଚାରି ନାହିଁ, ତାଙ୍କୁ ଅନେଇ ମଧ୍ୟ ନାହିଁ । ଆଉ ବି କେହି ଅନଉନାହାନ୍ତି, ପଚାରୁନାହାନ୍ତି-

 

ବିଭିନ୍ନ ପ୍ରକାର ଜୋତାଶବ୍ଦ, କିଛି ଅସ୍ପଷ୍ଟ କଥା ତାଙ୍କ କଡ଼ ଦେଇ ଆସ୍ତେ ଦୂରେଇଗଲା-। ପଛର ଦୁଇଜଣଙ୍କ ଭିତରୁ ଜଣେ କହିଲା, "ଜୟନ୍ତବାବୁ ଭାରି ଅଡ଼ୁଆରେ ପଡ଼ି ପରା ଆସିପାରିଲେ ନାହିଁ ! ଦୁଇ-ତିନି ହଳ ପାଦ ଅଟକିଗଲେ ଶୁଣିବାକୁ । "ସେ ପରା ହଠାତ୍ ଖବର ପାଇଲେ ଯେ ଏସିଷ୍ଟେଣ୍ଟ ଇଞ୍ଜିନିୟର୍ ବିମଳବାବୁ ଲୁଲୁଂ ଡାକବଙ୍ଗଳାରେ ଭୀଷଣ ଅସୁସ୍ଥ । ତାଙ୍କ ସ୍ତ୍ରୀ ଏଣେ କାନ୍ଦିକାଟି ହଇରାଣ । ଏ ତ ପରର ଦୁଃଖ ଟିକିଏ ସହିପାରନ୍ତି ନାହିଁ; ବାଧ୍ୟହୋଇ ଆଜି ଛୁଟି ନେଇ ନିଜେ ଗାଡ଼ିରେ ତାଙ୍କୁ ନେଇ ଚାଲିଗଲେ ।" "କାହାକୁ ନେଇ ଚାଲିଗଲେ ?" ପଚାରିଲା ବୋଧହୁଏ ମୁଲଚାନ୍ଦ୍; "ବିମଳବାବୁଙ୍କ ସ୍ତ୍ରୀଙ୍କୁ !" –ଛପ୍‍କରି ଛୋଟ ଶବ୍ଦଟାଏ ହେଲା । ମୁଲଚାନ୍ଦ୍ ଅଧା ସିଗ୍ରେଟ୍‍ଟାକୁ ବାହାରକୁ ଟିପିଦେଲା । ତା'ର ମୋଟା ମୋଟା ଭୁରୁଯୋଡ଼ିକ ପାଖେଇଆସି କିଛି ଫୁସ୍‌ ଫୁସ୍‌ କଥା ହେବାପରେ ପୁଣି ଦୂରେଇଗଲେ । ସେ କିନ୍ତୁ ବୁଲିପଡ଼ି ସମସ୍ତଙ୍କ ଗହଣରେ ଆଗେଇଗଲା ।

 

ଡାକ୍ତର ମିସ୍‌ ସୁଲୋଚନା ବୋଧହୁଏ ଅପରେସନ୍‌ ଘରପାଖରେ ପଚାରିଲେ, "ଆପଣ ବିଶ୍ୱମ୍ଭର ମଙ୍ଗରାଜ ତ ! ମୁଁ ଡାକ୍ତର ମିସ୍ ସୁଲୋଚନା !’’-ଅନେକ ଲୋକ ମିଶି ହସିଲା ପରି ଶୁଭିଲା । କିନ୍ତୁ ମୁଲଚାନ୍ଦ୍ ହିଁ ହସିପକାଇଲା ଏକାଥରକେ ଅନେକ ଭୂମିକାରେ । ତା'ପରେ ଖୁସ୍‍ଖାସ୍ ଚୁପ୍‍ଚାପ୍ ହୋଇ ଖାଲିପାଦଗୁଡ଼ିଏ ଥିଏଟରକୁ ପଶିଗଲେ । କବାଟ ନିଃଶବ୍ଦରେ ବନ୍ଦ ହୋଇଗଲା । ବିଦ୍ୟାଧର ରାୟ ଧୀରେ ଓହ୍ଲେଇଗଲେ ତଳକୁ ଏବଂ ଅତୀତକୁ ।

 

ନିଛାଟିଆ ଉତ୍ତପ୍ତ ରାସ୍ତାଟିରେ ତାଙ୍କୁ ପାଦେ ସୁଦ୍ଧା ଆଗକୁ ବାଟ ନ ଦିଶିଲା ପରି ଲାଗିଲା । ସ୍ମୃତିର ଅସମ୍ଭବ ଭିଡ଼ । ହାତଯୋଡ଼ିକ ପଛରେ ଛନ୍ଦି, ତଳକୁ ଅନେଇ ବିଦ୍ୟାଧର ରାୟ ବିପ୍ଳବୀ ସମାଜବାଦୀ ନେତା ସମାଜ-ସଂସ୍କାରକ ଆଗେଇଯାଉଥାନ୍ତି । ପାଣ୍ଠି ପାଇଁ ଚାନ୍ଦା ସକାଶେ ସେ ନିଜେ ହିଁ ଏଣିକି ଯିବାକୁ ପଡ଼ିପାରେ; ଏଇ ମୁଲଚାନ୍ଦ କୁଆଡ଼େ ଖବର ଦେଇଥିଲା ତିନିହଜାର ଟଙ୍କା ଦେବ ବୋଲି । ତା' ଦୋକାନରେ ପ୍ରତିଦିନ ସନ୍ଧ୍ୟାବେଳେ ଦୁଇଘଣ୍ଟା ହିସାବପତ୍ର ଦେଖିଦେଲେ ମାସକୁ ତିନିଶହ ଟଙ୍କା ଦରମା ଦେବ ବୋଲି ମଧ୍ୟ ଖବର ପଠାଇଥିଲା ।

 

ବିଦ୍ୟାଧର ରାୟ ହଠାତ୍ ରାସ୍ତା ଉପରେ ଲାତ୍‌ଟାଏ ମାରି ଟାଣିହୋଇଗଲେ । ଦରପାଚିଲା ଭ୍ରୂଲତା ଯୋଡ଼ାକ ଆକାଶକୁ ଅନେଇ ଫୁ-ଫୁକାର କଲେ । ଚାରିଆଡ଼ୁ, ନିଛାଟିଆ ସୂର୍ଯ୍ୟ ଓ ନିର୍ଜନ ରାସ୍ତା ଉପରୁ ତାଙ୍କୁ ଶୁଭିଲା, ‘‘ନା ନା, ଅନ୍ୟ ପନ୍ଥା ନାହିଁ ! ସେଇ ମୁଲଚାନ୍ଦ୍ ପାଖରେ ଯୋଡ଼ହସ୍ତ ଭିକ୍ଷା ନ କଲେ ତୁ ବଞ୍ଚିପାରିବୁ ନାହିଁ । ସେ ତୋର ଇଜ୍ଜତ୍ ନେଇପାରେ, ତୋ ନାକରେ ଦଉଡ଼ି ଲଗେଇ ମନଇଚ୍ଛା ଘୋଷାରିପାରେ; କାରଣ ତୋର ପ୍ରାଣରକ୍ଷା ପାଇଁ ସେ ତ ପୁଣି ଅନ୍ନ ଯୋଗାଇଦେବ ! ବଞ୍ଚିବାକୁ ଆଉ କ'ଣ ଉପାୟ ଅଛି କି ? ନା, ନା, ନା !!

 

ବୟସର ଅସହାୟ ପଥରବୋଝ ତଳେ ବିଦ୍ୟାଧର ରାୟ ତଥାପି ଫଣାତୋଳି ଲମ୍ଵ ଲମ୍ଵ ପାହୁଣ୍ଡରେ ତାତିଲା ରାସ୍ତାଗୁଡ଼ାକୁ ପାରିହୋଇଗଲେ । ତାଙ୍କ ନାକ ଅଗରେ ସନ୍ଧ୍ୟାର ନୁଆଣିଆ ଖରା ପଡ଼ି ଚମକୁଥାଏ । ଜଣାଗଲା, ସତେ ବା ଏପର୍ଯ୍ୟନ୍ତ ବୁଢ଼ା ଭିତରୁ ବାରୁଦ ସରିନାହିଁ; ଲାଛିଦେଲେ ଏବେ ବି ବଜ୍ରବିଦ୍ୟୁତ୍‍ର ଢେର ସମ୍ଭାବନା ଅଛି !

 

ନିରୋଳା ଜଙ୍ଗଲରାସ୍ତା ବଙ୍କାଟଙ୍କା ହୋଇ ଉଠିଯାଇଛି ଉପରକୁ । ସାରା ଜଙ୍ଗଲ ଯେମିତି ଉହୁଙ୍କି ଆସିଛି, ଏଇ ସରୁ ଚଢ଼ାଣି ସଡ଼କଟି ଉପରେ ମଣିଷକୁ ଚଢ଼ିବା ଓହ୍ଲେଇବାବେଳେ ଦେଖିନେବ । ସନ୍ତ୍ରୀ ପରି କାନ୍ଧକୁ କାନ୍ଧ ଯୋଡ଼ି, ଏ କୁନି କୁନି ଉଦ୍ଭିଦଛୁଆଙ୍କ ଭିଡ଼ରାଧୀ ଠିଆ ହୋଇଛନ୍ତି ପୋଷମନା ଲିମ୍ଵ, ଜାମୁ, ତେନ୍ତୁଳି ଓ ଆମ୍ବଗଛମାନେ । ଥୋଡ଼ାଏ ବାଟ ଏମିତି ଉଠିଗଲେ ଗୋଟାଏ ସମତଳ ମାଳଭୂମି ପଡ଼େ । ସେଇଠୁ ତେଣିକି ରାସ୍ତା ଆଉ ସେତେ ତୀଖ ନୁହେଁ । ଏ ଘାଟି ମଝିରେ ବାଟୋଇ ଥକା ମାରି ବସନ୍ତି । ପାଣି ପିଇ ନିଃଶ୍ୱାସ ମାରି ପୁଣି ବାହାରିପଡ଼ନ୍ତି । ଗାଡ଼ି ଇଞ୍ଜିନ୍ ଗୁଡ଼ିକର ପ୍ରତିବାଦର ଘାଉଁ ଘାଉଁ ଶବ୍ଦ ଏଇଠି ବଦଳିଯାଏ । ସେମାନେ ଆଉ ସେମିତି କୁହାଟନ୍ତି ନାହିଁ । ସେଇଠି ଘାଟମଙ୍ଗଳା ଅଛନ୍ତି ବୋଲି ଅନେକ ଲୋକଙ୍କର ବିଶ୍ୱାସ । ଗୋଟିଏ ମନ୍ଦିର ମଧ୍ୟ ଇଟା ଚୂନରେ ଗଢ଼ିଉଠିଛି । ଜଣେ ପୂଜକ, କିଛି ସିନ୍ଦୂର ଓ ଗୋଟିଏ ପିତଳ ଥାଳି ବିଭିନ୍ନ ପ୍ରକାର ବାଟୋଇଙ୍କ ଆଖିରେ ପଡ଼େ । କିଏ ମନକଲା ତ ଦୋ'ପଇସିଟାଏ ଫିଙ୍ଗି ଦେଲା, କିଏ ବା ମନ ନକଲା ନାହିଁ, ଆଡ଼େଇହୋଇ ଚାଲିଗଲା । ଗାଡ଼ି ଚଢ଼ିଯିବା ଲୋକଙ୍କର କଥା ନିଆରା । ସେମାନେ ସେଆଡ଼କୁ ମୋଟେ ଚାହିଁ ଦିଅନ୍ତି ନାହିଁ । ତାଙ୍କୁ ପାହାଡ଼ ଉଠାଣିରେ ତର ନଥାଏ ।

 

ବିଶ୍ୱମ୍ଭର ମଙ୍ଗରାଜ ସେଦିନ ରାତିରେ ଗୋଟାଏ ନିଃଶ୍ଵାସରେ ଧାଇଁ ଧାଇଁ ଥକିଯିବା ପରେ ଦେଖାଗଲା ଯେ ଗୋରା କବର, କୁଷ୍ଠାଶ୍ରମ ପାରି ହୋଇ ଘାଟ୍ ରୋଡ଼ର ଜଙ୍ଗଲ ଭିତରେ ସେ ପଶିଗଲାଣି କିଛି ବାଟ । ଯାହା ପାଖରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଛି, ସେ ତା' ଭିତରେ ପଶି ତାକୁ ତଡ଼ୁଛି । କ୍ରୋଧ, ଅପମାନ, ଭୟ ମିଶି ତା' ଭିତରେ ଘଡ଼ିଘଡ଼ିକେ ବିସ୍ଫୋରଣ ହେଉଛି । ଲାଭାଧାର ବୋହିଆସୁଛି ଆଖି ଉଛୁଳେଇ, ବୁକୁ ଉଛୁଳେଇ । ମଝିରେ ମଝିରେ ନିଜ ବେକକୁ ନିଜେ ଚିପି ଧରି ସେ ଗଁ-ଗଁ ଗର୍ଜୁଛି । ମୁଠା ମୁଠା ବାଳ ରାମ୍ପି ଆଣୁଛି ମୁଣ୍ଡରୁ । ବୁକୁ ଉପରେ ଦୁଲ୍‌ଦୁଲ୍‌ ବିଧା ବାଡ଼େଇ ହେଉଛି । ଦାନ୍ତଗୁଡ଼ାକ ଝାଳୁଆ ନିଶ ତଳେ ଫାଉଁ ଫାଉଁ ଧୂଆଁ ଉଦ୍‍ଗାର କରି ଉଭାରି ରହିଛନ୍ତି ଶିକାର ଦେଖିଲେ ରଡ଼ମଡ଼ ଚୋବେଇଯିବାକୁ । ଗତି ସ୍ଥିର ନାହିଁ, ଦିଗ ସ୍ଥିର ନାହିଁ । ବାତୁଳ ବତାସି ପରି ବିଶ୍ୱମ୍ଭର ଧାଇଁଚାଲିଛି । ଟିକିଏ ଧିମେଇଗଲେ ପୁଣି ଶୁଭିଯାଉଛି ଖିଲ୍‍ଖିଲ୍ ପାତାଳ ହସରୁ କଳେ । ସାଙ୍କୁଚ କଣ୍ଟାର ଚାବୁକ୍‌ । ହାମୁଡ଼େଇ ପଡ଼ିଲା ବିଶ୍ୱମ୍ଭର-ଉତ୍ତପ୍ତ କ୍ରୋଧରେ ଟକ୍‌ମକ୍‌ ଫୁଟୁଥିବା ମେଞ୍ଚାଏ ମାଂସପେଶୀ । ଇସ୍‌, ମାଇଚିଆଟା !

 

ସିନ୍ଦୂରାଫାଟିବାକୁ ଆଉ କିଛି ସମୟ ଥାଏ । ନିଝୁମ୍ ଅରଣ୍ୟରେ ଚାରିଆଡ଼େ ଛପ୍ ଛପ୍ ନୀରବତା । ଝଙ୍କା ପବନଟାଏ ପିଟିଚାଲିଥାଏ । ପାହାଡ଼ଚୂଳିଆ ତୀଖ ଗଛଗୁଡ଼ାକର ପ୍ରସାରିତ ଶାଖା ଦୋହଲିଯାଉଥାଏ । କିନ୍ତୁ ଏ ସାରା ସୃଷ୍ଟି ଗୋଟାଏ କ୍ଷିପ୍ର ଛନ୍ଦରେ ବିଶ୍ୱମ୍ଭର ମଙ୍ଗରାଜର କାନମୁଣ୍ଡାରେ ଧପ୍ ଧପ୍ ବାଡ଼େଇ ହେଉଥାଏ; ମୁହଁଯାକରୁ ଗୋଟାଏ ହାଉ ଉତୁରି ଆସୁଥାଏ; ରୋମମୂଳରୁ ନିଆଁ ଝୁଲ ଛିଟିକି ପଡ଼ୁଥାଏ । ଗହଳ ଅନ୍ଧାର ଭିତରେ ବହୁ ଦୂରରୁ ପାହାଡ଼ଟା ପ୍ରଥମେ ଗୁମୁଗୁମୁ କମ୍ପିଉଠିଲା । ଆସ୍ତେ ଗୋଟାଏ ବୋଝେଇ ଟ୍ରକ୍ ଗଁ-ଗଁ ଗର୍ଜି ବାଙ୍କ ମୋଡ଼ିଲା । ବିଶ୍ୱମ୍ଭରର ଶ୍ୱାସ ରୋଧି ହୋଇଗଲା । ମନେହେଲା ସେ ଗୋଟାଏ ଫେରାର୍ ଆସାମୀ; ତାକୁ ଧରି ନେଇ ପୁଣି ଜେଲ୍‍ରେ ଭର୍ତ୍ତି କରିବା ପାଇଁ ଗାଡ଼ିଟା ମାଡ଼ିଆସୁଛି କି ? କଡ଼ଦେଇ ଗାଡ଼ି ଚାଲିଗଲାବେଳେ ମନେହେଲା, ହେଇ ବୋଧହୁଏ ରହିଲା ! ଧଡ଼୍‍କିନା କବାଟ ପକେଇ ଡ୍ରାଇଭର ହୁଏତ ଓହ୍ଲେଇ ଆସିବ ! ପଛ ପଟୁ ଡେଇଁ ପଡ଼ିବେ ଆପ୍‍ପେୟା, ଲକ୍ଷ୍ମୀ, ସୁଜାତା, ଜୟନ୍ତ–ଘୋଷାଡ଼ି ନେବେ ତାକୁ । ବିଚ୍ ବଜାରରେ ସମସ୍ତଙ୍କ ଆଗରେ ସେ ଲଙ୍ଗଳା ହୋଇ ଠିଆହୋଇଥିବ-। ତା' ଚାରିଆଡ଼େ ତାଳି ମାରି ସମସ୍ତେ ହସୁଥିବେ, ତାକୁ ଟେକା ପକେଇ ଛିଗୁଲେଇ ହେଉଥିବେ–‘‘ମାଇଗୁଲିଆ, ମାଇପଟାକୁ ସମ୍ଭାଳି ପାରିଲା ନାହିଁ; ଅଣପୁରୁଷିଆର ମୁହଁକୁ ପାଣ୍ଢେଇ ଫୋପାଡ଼ି–ଛେପ ପକାଅ ! –ଏଇଟା କାହିଁକି ନ ମରି ବଞ୍ଚିଛି ?" ଜୟନ୍ତ ସମସ୍ତଙ୍କ ଆଗରେ ସୁଜାତା ଅଣ୍ଟାରେ ବାହୁ ଘେରେଇ ଟାଣିନେବ । ସୁଜାତା ମୁହଁ ମୋଡ଼ି ବୁଲିପଡ଼ିବ, ଦୁହେଁ ଚାଲିଯିବେ ସେଇଠୁ । ଆପ୍‍ପେୟା ପାଟି ମେଲେଇ ନିଃଶବ୍ଦରେ ସାପ ପରି ଫୁକାରିବ । ସେପଟେ ହୁଏତ ଅନେକ ଚିହ୍ନା, ଅଚିହ୍ନା ବାବୁଭାୟାଙ୍କ ଗହଣରେ ଜୟରାମବାବୁ ମଧ୍ୟ ତଳକୁ ମୁହଁ କରି ଚାଲିଯିବେ । କିରକିର୍‌ ହେଇ ହସିଉଠିବ ଲକ୍ଷ୍ମୀ ଆପ୍‌ପେୟାର ମାଇପ !

 

ଚାବୁକ୍‌ ଖାଇଲା ପରି ଖପ୍‌କିନା ଉଠିପଡ଼ିଲା ବିଶ୍ୱମ୍ଭର । ଟ୍ରକ୍‍ଟା ଅନେକ ବେଳୁ କାହିଁ କୁଆଡ଼େ ବାହାରିଗଲାଣି । ଚାରିଆଡ଼କୁ ଚାହିଁବାରୁ ତାକୁ କେଉଁଠୁ ଗୋଟାଏ ପରିହାସ କଲା ପରି ସ୍ୱର ଶୁଭିଲା–'ତୁ ପରା ଦିଗମ୍ବର ମଙ୍ଗରାଜର ପୁଅ, ସାଆନ୍ତଘର ପିଲା ! –ଏଠି କେମିତି ? ହେ, ହେ, ଏଠି କେମିତି ? ଚୋପ୍‍ବେ ଶାଲା !! ଭଡ଼ଭାଡ଼ କରି ଜାମାଟାକୁ ଦେହରୁ ଉଞ୍ଚିଆଣି ଚିରିପକାଇଲା ବିଶ୍ୱମ୍ଭର । ତୂଳା ଭିଣିଲା ପରି ଭିଣିପକାଇ ବିଣ୍ଡା କରି ଫୋପାଡ଼ିଦେଲା ରୋଡ଼୍ ଆର କଡ଼କୁ । ସେଇ ନିର୍ମମ ସ୍ୱର ପୁଣି ଶୁଭିଲା–'ହେ, ହେ ଅମୁକ ଦପ୍ତରର ପରା ଆପଣ ହେଡ଼୍‌ ଆସିଷ୍ଟେଣ୍ଟ !’ –ହେ ଶାଲା ହେ ! –ବିଧା ଚାପୁଡ଼ା ବସିଗଲା ମୁହଁ ବେକ ଉପରେ ।

 

"ତୁମେ ପରା ମାୟାଧର ରାୟ, ଏସ୍. ପି.ଙ୍କ ଖୋଦ୍ ଜୁଆଇଁ ।"

 

କ୍ରୋଧରେ କାନ୍ଦିପକାଇଲା ବିଶ୍ଵମ୍ଭର । ସେଇ କାନ୍ଦ ଭିତରେ ଗାଉଁ-ଗାଉଁ କରି ନିଜ ଡେଣାଟାକୁ କାମୁଡ଼ି ଦେଇଗଲା । ପଥୁରିଆ ଭୂଇଁଟାକୁ ବିଦାରିଦେଇଗଲା ଦଶ ଆଙ୍ଗୁ ଳିଆ । ଝରଝର ରକ୍ତ ବୋହିଗଲା ଦାନ୍ତସନ୍ଧ।ରୁ, ନଖସନ୍ଧାରୁ ।

 

‘ତୁମେ ବି.ଏ. ପାଶ୍‌ କରିଛ ତୁମେ ମାସକୁ ମାସ ଦରମା ପାଅ ତୁମେ ଛବି-ରବିର ବାପ ହି ହି ତୁମେ ଲକ୍ଷ୍ମୀକୁ ରଖିଛ !’

 

ପଥର ଖୋପ ଭିତରୁ ଉଠିଆସି ପୁଣି ଧାଇଁଲା । ସେତେବେଳକୁ ପାହାଡ଼ ଚୂଳ ଆଲୁଅ ହେଇଆସୁଥାଏ ।

 

ବେଳ ପ୍ରାୟ ଘଡ଼ିଏସରିକି ଘାଟମଙ୍ଗଳାଙ୍କ ପୂଜକ ପାହାଡ଼ ଉପର କୁଡ଼ିଆ ଘରୁ ଆସି ଦେଖିଲା ଯେ ଦେଉଳ ଆଗରେ ସିନ୍ଦୂରବୋଳା ଉଞ୍ଚ ବଳି-ପଥରଟାକୁ କୁଣ୍ଢେଇ ଗୋଟାଏ ଲୋକ ପଡ଼ିଛି । ଦେହ ଫୁଙ୍ଗୁଳା । ପିନ୍ଧିଛି ଖଣ୍ଡେ କୋତରା ଧୂଳିଆ ପୂରାପେଣ୍ଟ । ପଥରଖଣ୍ଟି ଦେହରୁ ଧାର ଧାର ରକ୍ତ ତଳ ପର୍ଯ୍ୟନ୍ତ ବୋହିଯାଇଛି । ଲୋକଟାର ନାକ କପାଳ ମୁଣ୍ଡ ଛେଚି ଫାଟି ନାରଖାର । କିନ୍ତୁ ମଣିଷଟା କୁନ୍ଥଉଚି । ସେ ହଠାତ୍ ସାହସ କଲାନାହିଁ ଛୁଇଁଦେବାକୁ । ଭାବିଲା, କାଳେ କୌଣସି ଲୋକ ନିଜେ ଏମିତି କରି ଯଦି ତା' ମୁଣ୍ଡରେ ବୋଳିବାକୁ ବସିଥାଏ ! ବା ଚଳନ୍ତା ଗାଡ଼ିରୁ ଗଡ଼ିପଡ଼ି ଏମିତି ଅବସ୍ଥା ହୋଇଯିବାରୁ ଭିଡ଼ିଆଣି କିଏ ତାକୁ ଏଠି ପକେଇଯାଇଛି । ଓଃ, ହଉ ! ସଂସାରରୁ କ'ଣ ଧର୍ମ ଉଠିଗଲା ? ଦୟା ଧର୍ମ ନଥିଲେ ସୃଷ୍ଟି ଆତଯାତ ହେଉଛି କେମିତି ? "ଜେ ମା' ମଙ୍ଗଳା" କହି ସେ ଘୋଷାରିନେଲା ବିଶ୍ଵମ୍ଭର ମଙ୍ଗରାଜକୁ ମନ୍ଦିରର ପଛପଟ ପିଣ୍ଡା ପର୍ଯ୍ୟନ୍ତ । ତା'ର ସେଇଠି କେମିତି ମନେହେଲା ଯେ ପିଲାଟା ଖୁବ୍ ହାରିଯାଇଛି । ତା'ର ସବୁ ସରିଯିବାରୁ ସେ ଆସି ମା' ପାଖରେ ଶରଣ ପଶିଛି, ମୁଣ୍ଡ ପିଟିଦେଇଛି ବିକଳରେ ।

 

ବିଶ୍ଵମ୍ଭର ମଙ୍ଗରାଜ ମୁହଁଯାକ ପିତ୍ତଳ ଫୁଲଦାନିରେ ଛେଚିହେଲାପରି ଗୋବ ବସିଯାଇଛି । ଡେଣାତୁ ରକ୍ତ ଝରି ପାପୁଲା ଓଦା ହେଇଯାଇଛି । ଟିପଗୁଡ଼ାକରୁ ଫାଳେ ଲେଖା ମାଉଁସ ଉଲାରି ହେଇ ରହିଛି । ଦାନ୍ତ ଜାବ ପଡ଼ିଯାଇଛି, ଚେତା ବୁଡ଼ିଯାଇଛି । ଅଯୋଗ୍ୟଟାକୁ ଅଯୋଗ୍ୟ କହିଦେଲେ କଣ ସବୁବେଳେ ଏମିତି ବୋଧେ ? ହୁଏତ ବାଧୁଥିବ ! ନିଆଁ ହୁଳାଟାକୁ ଲାଖକରି ଫିଙ୍ଗି ଦେଲେ ସେ ସଚରାଚର ପୋଡ଼ିଦେଇପାରେ; କିନ୍ତୁ ତାକୁ ଅଣ୍ଟି ଭିତରେ ପୂରେଇ ରଖିଲେ, ଆଉ କେହି ହାତପାଆନ୍ତି ନଥିଲେ, ଦୂର୍‍ଦୁର୍ ହୋଇ ସେ ନିଜେ ଜଳିଯିବ । ଗୋଟାଏ କାଚ ଘଡ଼ି ଭିତରେ ରାଗୀ ସପଟାକୁ ପୂରେଇଦେଲେ ସେ ଶେଷରେ ନିଜକୁ ଗଡ଼ ଗଡ଼ କରି କାମୁଡ଼ିପକେଇବ ସିନା, କାଚବାଡ଼କୁ ଭାଙ୍ଗି ପାରିବ ନାହିଁ । ବିଶ୍ଵମ୍ଭର ବିଚାରା ଜାଣିନଥିଲା ଯେ ସରଳ, ଉଦାର, ଭୋପା ସାଆନ୍ତପୁଅଟି ଅନ୍ୟମାନଙ୍କ ଆଖିରେ ଏଡ଼ିକି ହାସ୍ୟାସ୍ପଦ ହୋଇଯାଇପାରେ । ସେ ସବୁ କଥା ଜାଣି ମଧ୍ୟ ସତେ କେଡ଼େ ନିର୍ଲଜ୍ଜ ଭାବରେ ଚାହିଁଥିଲା ଜୟନ୍ତ ସାଙ୍ଗରେ ତା'ର ଉଚ୍ଛିଷ୍ଟ ଖାଇ ବଞ୍ଚିବାକୁ ! ଇସ୍‌, କି ନିର୍ବୋଧ ! ଶେଷକୁ ଭାବିଲା ଯେ ଲକ୍ଷ୍ମୀ କୁଆଡ଼େ ତାକୁ ମାନିଯାଇଛି ! ଓଃ ପ୍ରତିଶୋଧ କୁଆଡ଼େ ଏମିତି ନିଆଯାଏ ! ଇସ୍, ଇସ୍ ମରିଯା' ତୁ ଏଇ ସିନ୍ଦୂରବୋଳା ପଥର ଉପରେ ମୁଣ୍ଡ ପିଟି ପିଟି ମରିଯା !

 

ତିନିମାସ ହୋଇଗଲା ଛବି-ରବି ବାଞ୍ଛା ସାଙ୍ଗରେ ଗାଁଙ୍କୁ ତାଙ୍କ ଜେଜେ ପାଖକୁ ପଳେଇଆସିଛନ୍ତି । ବୁଢ଼ା ଦିଗମ୍ବର ମଙ୍ଗରାଜ ସେମାନେ ଆସିବା ଦିନ ସକାଳେ ଦାଣ୍ଡପିଣ୍ଡାରେ ବସି ପାନ ଉପରେ ଗୁଆ କତୁରି ପକାଉଥାନ୍ତି । ବାଞ୍ଛା ବେକରେ ଗାମୁଛା ଗୁଡ଼େଇ ଓଳଗି ହେଇ ଠିଆହେଲା । ପାଖରେ ଠିଆହେଲେ ଛବି ଆଉ ରବି ।

 

‘‘କିରେ ବାଞ୍ଛା କଥା କ’ଣ ?’’

 

‘‘ସାଆନ୍ତେ ! କଥା ଯାହା ମୋ ଜିଭ ଲେଉଟୁ ନାହିଁ କହିଦେବାକୁ ! ସହିପାରିଲି ନାହିଁ; ମୁହଁ ତୁଟି କହିଦେଲି । କାଲି ରାତି ଝଗଡ଼ା ଆଉ କହି ନାହିଁ । ରାତିସାରା ଦୁହେଁ ଆଉ ଫେରିନାହାନ୍ତି-। ମୁଁ ବଳେ ବଳେ ସକାଳୁ ପିଲାଯୋଡ଼ାଙ୍କୁ ଧରି ପଳାଇଆସିଲି । ୟାଙ୍କର ତ ଆଉ କିଛି ଦୋଷ ନାହିଁ !

 

ନିଧି ଦଳେଇ ଶଗଡ଼ ଲେଉଟେଇ ଆଣିଲା ଦିନୁ ଦିଗମ୍ବର ମଙ୍ଗରାଜ ଏକରକମ ନିଷ୍ପତ୍ତି କରିସାରିଥିଲେ ଯେ ଆଉ ନୁହେଁ ।-ପୋଚା ଫଳଟାକୁ ଡଙ୍କରେ ଓହଳେଇ ଆଉ ଲାଭ ନାହିଁ । ସବାଶେଷକୁ ଏ ପିଲାଯୋଡ଼ାଙ୍କର ମାୟା ମଧ୍ୟ ବୁଢ଼ା କାଟିଦେଇଥିଲେ । ଏଣୁ କିଛି ସମୟ ଗମ୍ଭୀର ହୋଇ ପାନ ଚୋବାଇବା ଦେଖି ବାଞ୍ଛା ଟିକିଏ ଶଙ୍କି ଯାଇଥିଲା । ସ୍କୁଲରେ ପ୍ରାର୍ଥନା ବୋଲାହେଲାବେଳେ ଯେମିତି ସାବଧାନ ହୋଇ ଠିଆ ହୁଅନ୍ତି; ଛବି-ରବି ସେମିତି ନିଶ୍ଚଳ ଠିଆହୋଇ ରହିଥାନ୍ତି । ଛବି ବୋଧହୁଏ ଟିକିଏ କ'ଣ ବୁଝିଲା । ତା' ଆଖିକୁ ପାଣି ଛଳଛଳେଇ ଆସିଲା । ସେ ତଳକୁ ମୁହଁ ପୋତିଦେଇ ଜୋତା ଭିତରେ ବୁଢ଼ା ଆଙ୍ଗୁ ଠିଟିକୁ ଭୂଇଁ ଖୋଳିବା ଢଙ୍ଗରେ ଖୁମ୍ପୁ ରଉଥାଏ ।

 

ଅଳ୍ପ ସମୟ ବୁଢ଼ା ନିଶ୍ଚେଷ୍ଟ ବସିରହିବାର ଦେଖାଗଲା । ତାପରେ ତାଙ୍କ ଆଖି ବୁଜିହୋଇଗଲା । ମୁହଁ ଆମ୍ବି ଳେଇ ସେ ଧଡ଼ପଡ଼ ଉଠିଆସି ଛୁଆଯୋଡ଼ାଙ୍କୁ କୁଣ୍ଢେଇନେଲେ । ଦୁହିଁଙ୍କୁ ଆଉଁସି ପକଉଥାନ୍ତି ଏବଂ ଆଖିରୁ ଧାର ଧାର ଲୁହ ବୋହିଆସୁଥାଏ । ପାନ ଚୋବାଇବା ଆଳରେ ବୁଢ଼ା ଗୁଡ଼ାଏ ଆବେଗକୁ ବୋଧହୁଏ ବାଟ ରୋଧି ଠିଆରହିଥାନ୍ତି । ବାଞ୍ଛା ଆଖିରୁ ଲୁହ ଝରିଗଲା; ସେ ଗାମୁଛା କାନିରେ ପୋଛି ପକାଇ ନାକ ସୁଁ -ସୁଁ କରି ଠିଆହେଲା । କେତେ ବେଳକୁ ଯାଇ ବୁଢ଼ା ମଙ୍ଗରାଜ ପାଟିଏ ପାନପିକ ଦାଣ୍ଡ କୋଣକୁ ପକେଇ ଦେଇ କହିଲେ–

 

"ହଁ ! ପ୍ରଭୁ ଜଗନ୍ନାଥେ ଯାହା କରିବେ ! ବୁଢ଼ୀଟା ଥିଲେ ସିନା ଏବକୁ ଏ ଜଞ୍ଜାଳ ସମ୍ଭାଳିଥାନ୍ତି ! ନେ, ପିଲାଙ୍କୁ ଘରକୁ ନେଇ ତାଙ୍କ କଥା ବୁଝାବୁଝି କର । ସୋମନାଥର ବଖରାଟା କୋଲାପ ଫିଟେଇ ପିଲାଙ୍କ ପାଇଁ ସଜିଲ କରିଦେ । ଏଇ ନେ କଞ୍ଚି ।' ପିଲାଏ ବାଞ୍ଛା ଦେହକୁ ଘଷିହେଲାପରି ଭିତର ଖୁଆଡ଼କୁ ପଶିଗଲେ ।

 

ଆଗକାଳିଆ ପଥର ଘର । ପ୍ରଶସ୍ତ ଅଗଣା । ବଡ଼ ବଡ଼ କାନ୍ଥ । ଭାରି ବଡ଼ ବଡ଼ ଚିକ୍‍କଣ ପଥର ଖୁଣ୍ଟି । ସୋମନାଥ ତାଙ୍କ କକେଇ । ଥରେ ଦୁଇଥର ଯାଇ ସେ ତାଙ୍କୁ ବିସ୍କୁଟ ଦେଇଛନ୍ତି, ଗେଲ କରିଛନ୍ତି । ଆଉ ଦିନେ କ'ଣ ହେଲା କେଜାଣି କାନ୍ଦ କାନ୍ଦ ହେଇ ବାହାରିଗଲେ-। ବୋଉ ରାଗରେ ଘର ଭିତରେ ଗରଗର ହେଇ କମ୍ପୁ ଥାଏ । କକେଇ ଘର କୋଲପ ଫିଟିଲା ପରେ ପିଲେ ଦେଖିଲେ ଯେ ଭିତରଟା ଭାରି ବଢ଼ିଆ ହେଇଚି । ଟେବୁଲ, ଚଉକି, ଖଟ ସବୁ ବଡ଼ିଆ । କାନ୍ଥରେ କେତେ ସବୁ ଫଟୋ । ହଠାତ୍ ରବି କହିଲା, 'ହେଇ ଛବି, ଦେଖ ତୋ ଫଟୋ । ଛବି ଦେଖି ଖୁସିଟାଏ ହେଇଗଲା । କକେଇ ସତେ କେଡ଼େ ବଢ଼ିଆ ଲୋକ ! ଭାଇଭଉଣୀଙ୍କୁ ଠିଆକରେଇ ଥରେ କକେଇ ନିଜେ ଫଟୋ ଉଠାଇଥିଲେ–ଏଇଟା ବୋଧେ ସେଇ-! ସେଦିନ ରାତିରେ ଜେଜେଙ୍କ ପାଖେ ବସି ମାଛମଞ୍ଜି ଭଜା, ମହୁର ଖୁବ୍ ଖାଇସାରିଲା ପରେ କକେଇଘରେ ଶୋଇବାକୁ ଗଲେ । ଜେଜେ ଥରେ ଯାଇ ବୁଲି ଦେଖି ଆସିଥିଲେ । ଚାରିଆଡ଼କୁ ଚାହିଁ ହସି କହିଥିଲେ, "ବାଃ, ଏଥର ଶୋଇଯାଅ !’’ –ଦୁଆରମୁହଁରେ ବାଞ୍ଛା ସଅପ ପକେଇ ଶୋଇଗଲା ।

 

ତା'ଆରଦିନ ଉଠିଲାବେଳକୁ ଟିକିଏ ନୂଆ ନୂଆ, କେମିତି ଟିକିଏ ଛନଛନିଆ ଲାଗିଲା-। ବାଞ୍ଛା ସେତେବେଳେ ହସି ହସି ମୁହଁ ଧୋଇବାକୁ ପାଣି ପହଞ୍ଚେଇଦେଲା । ପୁଣି ସବୁ ବାଗରେ ପଡ଼ିଗଲା । ଯୋଡ଼ିକଯାକ ପୁଣି ଛଳଛଳେଇ ଉଠିଲେ । ଜେଜେଙ୍କ ମୁହଁରେ ହସ; ଘରର ସମସ୍ତଙ୍କର ମୁହଁରେ ହସ । ସେ ଯୋଡ଼ିକି ନୂଆ ଗଜାକୁ ଘେରି ମଳେଇ ହୋଇଗଲେ ଘରର ଯେତେ ସବୁ ଚାକର-ନୌକର, ରାନ୍ଧୁଣିଆ ଓ ଗୁମାସ୍ତା–ମଙ୍ଗରାଜ ସାଆନ୍ତଙ୍କ ଘରେ ଜୀବନର ନୂଆ ଅଙ୍କୁରଟାଏ, ନୂଆ ଅର୍ଥଟାଏ କାହୁଁ ଆସି ସମସ୍ତଙ୍କୁ ଚହଲେଇଦେଲା । ଆଜି ଆମ୍ବତୋଟା, କାଲି ମାଛଚାଷ ପୋଖରୀ, ପଅରଦିନ ନାଳକୂଳିଆ ତିନିଫସଲ କିଆରି, ତା’ ଆରଦିନ ଗାଈଗୋଠ ! ପିଲାଏ ବି ମଜ୍ଜି ଗଲେ । ମାସକ ପରେ ହଠାତ୍ କେତେବେଳେ କେମିତି ଚମକେଇଲା ପରି ମନେପଡ଼ିଯାଏ ବୋଉ ! ମନେପଡ଼ିଯାନ୍ତି ବାପା ! ମନ ଟିକିଏ ବିରସ ହୋଇଯାଏ । ଭୟ, ଛନଛନିଆ ଆତଙ୍କ ଘେରିଯାଏ । ପୁଣି ଆଖିମିଟିକା ମାରି ଚାରିଆଡ଼କୁ ଚାହିଁଦେଲେ ସେସବୁ ଉଭେଇଯାଏ । ପିଲାଏ ଡିଆଁ ମାରି ଚାଲିଯାନ୍ତି । ବୁଢ଼ା ମଙ୍ଗରାଜେ ଏବେ ଜଣେ ଅବଧାନକୁ ଘରେ ପାଣି ରଖିଲେଣି–ପିଲେ ପାଠ ପଢ଼ିବେ । ବେଳ ଦେଖି ତାଙ୍କୁ ନେଇ ଗାଁ ସ୍କୁଲରେ ନାଁ ଲେଖାହେବ-

 

ଦିନେ ହଠାତ୍ ଆସି ପହଞ୍ଚିଗଲେ କକେଇ । ତାଙ୍କର ଖରାଛୁଟି ହୋଇଗଲା । ସେ ଛବି ରବିକୁ କାଖେଇ ଆଗ ବୁହାଟେ ଡେଇଁଗଲେ । ହଜାରେ ପ୍ରକାର ବରାଦ ଚାଲିଲା । ପାଠ ପଢ଼ିବା ପାଇଁ ଛୋଟ ଟେବୁଲ, ତାକୁ ଚାହିଁ ଚୌକି, ନାନା ପ୍ରକାର ଛବି ବହି–ଇଂରାଜୀ, ହିନ୍ଦୀ, ବଙ୍ଗାଳୀ । ମୋଟା ମୋଟା ବହିରେ ଅଦ୍ଭୁତ ରଙ୍ଗର, ଅଦ୍ଭୁତ ଆକାରର ଜୀବଜନ୍ତୁଙ୍କର ଚିତ୍ର ଦେଖି ଛବି ରବି ମସଗୁଲ ହେଇଥାନ୍ତି । କକେଇ ପାଖ ମିନିଟିଏ ପାଇଁ ସୁଦ୍ଧା ଛାଡ଼ିବାକୁ ତାଙ୍କର ମନ ବଳେ ନାହିଁ । କକେଇର କଳବନ୍‍ଶୀ ନେଇ ତିନିହେଁ ଯାଇଁ ପୋଖରୀକୂଳରେ ସେଦିନ ଏଡ଼େ ବଡ଼ ରୋହିମାଛଟାଏ ଧରିଲେ । ଯେତେ ମନାକଲେ ମଧ୍ୟ ରବି ସେଇଟାକୁ କାନ୍ଧେଇ ଆଣିବାକୁ ଜିଦ୍ ଲଗେଇଲା । ଆଗରେ ପଛରେ ଲୋକ ଚାଲିଥାନ୍ତି । ସମସ୍ତଙ୍କୁ କଉତୁକ ଲାଗୁଥାଏ–ସବୁଠୁ ବେଶି ରବିକୁ । ବାକି ସବୁ ଜଗିଥାନ୍ତି, ପିଲା ସାଆନ୍ତଙ୍କ ସଉକ ମେଣ୍ଟିଲେ ମାଛ ଘର ପର୍ଯ୍ୟନ୍ତ ଟେକିନେବେ । ମଝିରେ ମଝିରେ ଜିଅନ୍ତା ମାଛଟା ଲାଞ୍ଜ ଛାଟି କଲବଲ ହେଇଯାଉଥାଏ, ରବି ତାକୁ ଜାବୁଡ଼ି ଧରୁଥାଏ ଆହୁରି ଜୋର୍‍ରେ । ସବା ପଛରେ କଳବନ୍‍ଶୀ ଧରି ଆସୁଥାଏ ସୋମନାଥ । ପିଲାଙ୍କର କେମିତି ବଢ଼ିଆ କକେଇ ! –ଛବି କକେଇ ହାତ ଧରି ଚାଲିଥାଏ; ପଚାରୁଥାଏ ମାଛ ପାଣି ଭିତରେ କ'ଣ ଖାଆନ୍ତି, ସେଇଠି ତାଙ୍କୁ କେମିତି ଦିଶେ–ସେମାନଙ୍କର ଛୋଟ ପିଲାମାନଙ୍କୁ ପାଣିରେ ପହଁରିବା କିଏ ଶିଖାଏ–ଏମିତି ହଜାରେ କଥା ।

 

ଏମିତି ତିନିମାସ ବିତିଗଲାଣି ।

 

ସେଦିନ ରାତିରେ, ଏକାଠି ସମସ୍ତଙ୍କ ପାଇଁ ଠାଆ ହୋଇଥାଏ । ଜେଜେଙ୍କ ପାଇଁ ବଡ଼ ପିଢ଼ା, ବଡ଼ ଥାଳି, ଏଡ଼େ ବଡ଼ ଢାଳ । କକେଇ ପାଇଁ ସେସବୁ ଟିକିଏ ସାନ ସାନ । ଛବି ରବି ପାଇଁ ନୂଆ ତିଆରି ହୋଇଥାଏ ଛୋଟ ଛୋଟ ପିଢ଼ା । ଚାରିକଣିଆ ଛୋଟ ପିଢ଼ା ଯୋଡ଼ିଏ, ଭାରି ଚିକ୍‍କଣ ଆଉ ହଳଦିଆ । ସେମାନଙ୍କ ପାଇଁ ଷ୍ଟିଲ୍‍ର ଛୋଟ ବାସନ କକେଇ ଆଣିଦେଇଛନ୍ତି । ସେଥିରେ ବାଞ୍ଛା ସବୁ ସମତୁଲ କରି ବାଢ଼ିଦେଇଥାଏ । କଚେରିଘରୁ ଜେଜେ ଆସିଲେ । ପାଟିରୁ ପାନ କାଢ଼ି କୁଳି କରିବାକୁ ତାଙ୍କୁ କାହିଁକି ଏତେ ସମୟ ଲାଗେ ବୋଲି ପିଲାଏ ପିଢ଼ାରେ ଆଗରୁ ବସିପଡ଼ି ଭାବୁଥାନ୍ତି । କକେଇ ଠିଆ ହୋଇଥାନ୍ତି, ଜେଜେ ବସିସାରିଲେ ବସିବା ପାଇଁ ।

 

‘‘କିରେ ରବି ! ଆଜି କଅଣ ସବୁ ତିଅଣ କରିଚ ?’’-କହି ଜେଜେ ବସିଗଲେ ।

 

ପିଲାଙ୍କର ଆଉ ଉତ୍ତର ଦେବାକୁ ମନ ନାହିଁ, କେତେବେଳେ ଖିଆ ଆରମ୍ଭ ହୋଇଯାଇଥାଏ । ମଝିରେ ଜେଜେ ମୁହଁ ଟେକି ଛବିକୁ ଚାହିଁଲେ । କହିଲେ, "କିରେ ତୋର କ'ଣ ନୂଆ ଜାମା ଆଜି ସିଲେଇ ହେଇ ଆସିବା କଥା, ଆସିଲା ?" –ଏକା ଥରକେ ତିନିହେଁ କହିଲେ, "ହଁ ।" କିନ୍ତୁ ରବି ମାଛରୁ ଖଣ୍ଡେ ମୁହଁରେ ପୂରେଇ ଦେଇ ହୁଙ୍କା ପିଟିଲା ପରି ହଠାତ୍ କହିଲା, "ଜୟନ୍ତ ମଉସା ଯେଉଁ ଜାମା ଦେଇଥିଲେ ସେଇଟା ୟା' ଠୁଁ ଭାରି ବଢ଼ିଆ !" ହଠାତ୍ ଜଣାଗଲା ଯେମିତି ସମସ୍ତଙ୍କ ହାତ ଅଟକିଗଲା । ରବିର ପରବାଏ ନାହିଁ । ସେ କହିଚାଲିଥାଏ, ଖାଇଚାଲିଥାଏ ।

 

‘‘ଜୟନ୍ତ ମଉସା ଛବିକୁ ଭାରି ଗେଲ କରନ୍ତି; ମତେ ମୋଟେ ନୁହେଁ । ତା' ଜାମାଗୁଡ଼ାକ ସବୁବେଳେ ସିଲ୍‍କରେ, ଖାଲି ଜରି, ଟ୍ୱିଙ୍କିଲ, ଭାରି ବଡ଼ିଆ ବଢ଼ିଆ ଜାମା । ମୋର ସବୁବେଳେ ସେଇ ସ୍କୁଲକୁ ଯିବା ପାଇଁ ନେଳି ପେଣ୍ଟ, ଧଳା ସାର୍ଟ-ବେଶ୍ !" ହାଟ ଭିତରେ କେତେବେଳେ ରବି ଜେଜେଙ୍କ ହାତ ଛାଡ଼ିଦେଇ ଲୋକଗହଳିରେ ପଶିଯାଇଛି, ଜାଣିପାରିନାହିଁ । ମୁହଁ ଟେକି ଚାହିଁଲାବେଳକୁ ଗୋଛା ଗୋଛା ଅପରିଚିତ ଲୋକ । ଜେଜେଙ୍କ ମୁହଁ ତଳକୁ । କକେଇ ମୁହଁ ତଳକୁ । ଛବି ଆଉ ଖାଉନାହିଁ । କ'ଣଟାଏ ମଡ଼େଇ ହୋଇପଡ଼ିଛି ସମସ୍ତଙ୍କ ଉପରେ ! ରବି ବ୍ଲୁ ବିଅର୍ଡ଼ର ନିଷିଦ୍ଧ କୋଠରି ଫିଟେଇ ଦେଇଛି ବୋଧହୁଏ ! ସେଇଠି ଗୁଡ଼ାଏ ମୁଣ୍ଡ ଝୁଲୁଚନ୍ତି । ତାକୁ କେହି ଦେଖିବାକୁ ଚାହାନ୍ତି ନାହିଁ, ଦେଖିବାକୁ ଭୟ କରନ୍ତି, ଏଣୁ ସେଇଠି କୋଲପ ପଡ଼ିଥାଏ । ରବି ମଧ୍ୟ କ'ଣ ଭୁଲଟାଏ କରିପକାଇଲା ବୋଲି ଶଙ୍କି ଗଲା । ଜୟନ୍ତ ମଉସା ଭଲ ଲୋକ ନୁହନ୍ତି–ଏଇଟା ରବି କୋଉକାଳୁ ଛବିକୁ କହିଛି । ସେ ସିନା ମାନୁ ନ ଥିଲା ! ତାଙ୍କ କଥା କହିବା ଭୁଲ ହୋଇଗଲା । ରାତିରେ ଯେମିତି ସାପ ନାଁ ଧରିବାକୁ ବାଞ୍ଛା ମନା କରିଛି, ସେମିତି ଜୟନ୍ତ ମଉସା ନାଁ ଧରିବା ଦୋଷ; କିନ୍ତୁ କ'ଣ କରାଯାଏ, କହି ତ ଦେଲାଣି ! ଏଡ଼େ ବଡ଼ ପିଣ୍ଡାଟା, ଭାରି ନିଛାଟିଆ ଜଣାଗଲା । ମାଛକଣ୍ଟାଗୁଡ଼ିକ ତଳେ ପଡ଼ିବାର ଶବ୍ଦ ଶୁଭିଲା ।

 

ବାଞ୍ଛା ଅନୁଭବ କଲା ଯେ ଗୋଟାଏ ଅଦୃଶ୍ୟ ବୋଝ ମଡ଼େଇ ହୋଇପଡ଼ୁଛି । ସେ ଖଣ୍ଡି କାଶ ଦେଇ ପଚାରିଲା, "ସାଆନ୍ତେ ! ଆଉ ମାଛଭଛା ଦି'ଖଣ୍ଡ ଆଣିବି ?"

 

ଜେଜେ ଗଳା ସଫାକରି କହିଲେ, "ନା !" ଏତିକି କହିଦେଇ ପାଣି ଢାଳ ଟେକିଲେ । କାହାର ଆଉ କିଛି କହିବାର ନାହିଁ ସେ ସିଧାସଳଖ ମୁହଁ ଧୋଇ ଖଡ଼ମ ମଡ଼େଇ ଚାଲିଗଲେ ।

 

ଛବି ଚାହିଁଲା ରବିକୁ । କକେଇ ଚାହିଁଲେ ରବିକୁ । ତାଙ୍କ ଆଖିରେ ଆଖିଏ ଲେଖାଏଁ ଅଭିଯୋଗ, ଆଖିଏ ଲେଖାଏଁ ଭର୍ତ୍ସନା ! "ତୋର ତ ଭାରି ମୁହଁ ବଢିଯାଉଚି ରେ ରବି !" ମୁରବିପଣିଆରେ ଛବି ଗାଳିଦେଲା, "ତୁ ଜେଜେଙ୍କ ଆଗରେ ଏମିତି କ'ଣ ଏଣୁତେଣୁ ଗୁଡ଼ାଏ କହିଯାଉଚୁ ?"

 

କକେଇ ଛବିକୁ କହିଲେ, "ହଁ, ପିଲାଲୋକ, କହିଦେଲା ତ କହିଦେଲା–କଣ ହେଇଗଲା ସେଇଠୁ ? ଆରେ ବାଞ୍ଛା, ଭଲ ପେଟିମାଛ ଦେଖି ଦି'ଖଣ୍ଡ ରବି ପାଇଁ ଆଣିବୁ ।"

 

ରବିର ଆଖି ଥନଥନ । ନାକ ଭିତରେ ଲୁହ ପଶି ଜଳିଯାଉଥାଏ । ତା' ପେଟ ଦି'ଭାଗ ହୋଇଗଲା । ଏମିତି କ'ଣ କହିଦେଇ ସେ କେବେହେଲେ ମୁକୁଳି ପାରିନଥାନ୍ତା ! କକେଇ ଏଡ଼େ ବଢ଼ିଆ ଲୋକ ସତେ ! ଜୟନ୍ତ ମଉସା କ'ଣ ଏମିତି, ନା ବାପା ବି ଏମିତି ?

 

କକେଇ କହିଲେ, "ବୁଝିଲୁ ରବି, ତୁ ଯାହାକୁ ଜୟନ୍ତ ମଉସା ବୋଲି କହୁନୁ ସେ ପ୍ରକୃତରେ କାହାରି ମଉସା ନୁହନ୍ତି । ସେ ଆମର କେହି ନୁହନ୍ତି । ସେ ଭାରି ଦୁଷ୍ଟ ଲୋକ !"

 

‘ନିଶ୍ଚୟ ହେଇଥିବେ’–ଭାବିଲେ ଛବି, ରବି ! ନ ହେଲେ କକେଇ ଏଡ଼େ ବଢ଼ିଆ ଲୋକ ହୋଇ ମିଛରେ କ’ଣ ସେମିତି କହିଥାନ୍ତେ ? ରବି ମନେ ମନେ ସ୍ଥିର କରିନେଲା ଯେ ସେ ଆଉ କେବେ ଜୟନ୍ତ ମଉସା କଥା କହିବ ନାହିଁ । ସେ ନିଶ୍ଚେ ଭାରି ଦୁଷ୍ଟ ଲୋକ । ନ ହେଲେ ଜେଜେ କାହିଁକି ଭାତ ନଖାଇ ଉଠିଯାଇଥାନ୍ତେ ? କିନ୍ତୁ ସେ ଯେଉଁ ଜାମା ଛବି ପାଇଁ ଆସିଥିଲେ, ସେଇଟା ଯେ ଆଜିର ଏ ଜାମାଠୁଁ ଭଲ ନୁହେଁ, ସେଥିରେ ରବି ମୋଟେ ରାଜିହୋଇ ପାରୁନାହିଁ । ହଉ, ଜାମା ଭଲ ହେଲା ବୋଲି କ'ଣ ମଉସା ଭଲ ହେଇଯିବ ନା କ'ଣ ?

 

ଛବି ଭାବୁଥାଏ ପ୍ରାୟ ସେଇ କଥା–'କାହିଁ ଜୟନ୍ତ ମଉସାଙ୍କ ଜାମା, ଆଉ କାହିଁ ଇଏ !' ତଥାପି ଜୟନ୍ତ ମଉସା ପାଇଁ ବୋଧହୁଏ ବୋଉ ବାପା କଳି କରୁଥିଲେ ! ଆଉ ସେଦିନ ! ସିନେମା ଦେଖି ନଯାଇ ତାଙ୍କ ଘରକୁ ବୋଉ ଯାଇନଥିଲା ? ବାପ୍‍ରେ ! ଛବି ଆଉ ଆଗକୁ ଚିନ୍ତା କରିପାରିଲା ନାହିଁ ଟାଉ ଟାଉ କରି ଖାଇ ଉଠିପଡ଼ିଲା ।

 

ସେଦିନ ଆଉ ପିଲାଙ୍କର ସେତେ ଗପସପ ହୋଇନାହିଁ । ସୋମନାଥ କକେଇ ମଧ୍ୟ ଅନେକ ସମୟ ଧରି କଡ଼ ଲେଉଟଉଥାନ୍ତି । ନିଦ ହେବାକୁ କ’ଣ ଧରି ପଢ଼ୁଥାନ୍ତି । ଉପରମହଲା ଘରେ ଦିଗମ୍ବର ମଙ୍ଗରାଜ ବି ସଂପୂର୍ଣ୍ଣ ଚେଇଁ ପଡ଼ିଥାନ୍ତି । ପାନ ଚୋବାଉଥାନ୍ତି ଓ ଭାବିଯାଉଥାନ୍ତି ଅନେକ କଥା । ଚେମି ତାଙ୍କ ଘରକୁ ଆସିବାକୁ ତ ସେ ନିଜେ ଚାହିଁନଥିଲେ; ବିଶିଆବୋଉ ନିଜେ ବିକଳ ପାଇ ତାକୁ ଆଣି ଏଠି ରଖିଲା–କ'ଣ ନା କୋଟେଇତୁଣୀଟିଏ ଥିଲେ ବହୁତ କାମକୁ ସାହା । କୋଡ଼ିଏ ବର୍ଷ ବାପଘରେ ଅନେକ କଷ୍ଟ ପାଇ ରହିବା ପରେ ତା' ଗେରସ୍ତ ଆସାମରୁ ଫେରିଲା । ହେଲେ ଶାଶୂଘରକୁ ଯାଇ ମାସ ଦି'ଟା ଖାଲି ରୋଗୀଣା ଗେରସ୍ତର ସେବା କରି ଶେଷକୁ ବିଧବା ହେଇଗଲା । ତା'ର ସରିଗଲା ଉଭୟ କୁଳ । ଏଠି ନ ହେଇଥିଲେ ସେ କୋଉଠି ହେଲେ ପେଟ ପୋଷିଥାନ୍ତା । ଶୁଖିଲା ଗଛରେ ପାଣି ପଡ଼ିଲା ପରି ମାସ ଗୋଟାକରେ ତାକୁ ଆଉ ଚାହିଁହେଲାନାହିଁ । ମୁହଁବାଟେ ବୟସ ଉତୁରି ପଡ଼ିଲା । ଚାଲିଗଲା ଲୋକ ତାକୁ ଘଡ଼ିଏ ଅନେଇ ଠିଆହେଲା । ମଣିଷ ମନ ତ !-ବିଶିଆ ବୋଉ ମଧ୍ୟ ପୁଅକୁ ନେଇ ଚାଲିଗଲା ବାପଘର ଯେ ଏକାଥରେ ପନ୍ଦର ଦିନ !

 

ଦିଗମ୍ବର ମଙ୍ଗରାଜ କରମୋଡ଼ି ଶୋଇଲେ । ମନେପଡ଼ିଗଲା ବର୍ଷା ଅନ୍ଧାରରେ ଆଗପଛ ବିଚାରଶୂନ୍ୟ ସେ ରାତିଟା । କେତେ ଭୋକ ମଣିଷ ମନରେ ଲୁଚି ଲୁଚି ଥାଏ ସତେ ବେଳ ପଡ଼ିଲେ ଜଳିଉଠେ । ଇସ୍, ଚେମିଟା ପରା ତୋ ଘରେ ଆଶ୍ରିତା, ନିର୍ମାଖି, ଦୁଇକୁଳ ଶୂନ୍ୟ; ତାର ଆଗକୁ ପଛକୁ କେହି ନାହିଁ । ଦିଗମ୍ବର ମଙ୍ଗରାଜ ତକିଆରେ ମୁହଁ ମାଡ଼ି ଲାଜ ଲୁଚାଇବାକୁ ଚାହିଁଲେ । ଗତ ତିରିଶ ବର୍ଷର ଲାଜ, ତିରିଶ ଖଣ୍ଡ ମୌଜାରେ ଘରେ ଘରେ ସମସ୍ତେ ଶୁଣିଥିବା ଲାଜ–ମଙ୍ଗରାଜ ବୟସ ଉଜାଣିରେ ମଧ୍ୟ ଗୋଡ଼ ଖସେଇ ନାହାନ୍ତି । ବିଭାହୋଇ ଘରଦ୍ୱାର କରି ଏମିତି ବିପର୍ଯ୍ୟୟରେ ସେ ନଇଁପଡ଼ିଲେ । କଥା ପ୍ରଘଟ ହେଲା । ସେ ନିଜର କର୍ତ୍ତବ୍ୟ ମଧ୍ୟ ସ୍ଥିର କରିନେଲେ । ଚେମି କିନ୍ତୁ ମୁଣ୍ଡ ଟେକି ସମସ୍ତଙ୍କ ଆଗରେ ଚାଲିପାରିଲା । ପୁଅ ଜନ୍ମ ହେବ ଦିନ ଟିକିଏ ଦୁଃଖ ବା ଲାଜ କେହି ତା' ମୁହଁରେ ଦେଖିନାହିଁ । ସେଇ ଏଇ ଜୟନ୍ତ, ତାଙ୍କ ପାପର ଫଳ–ପରିଡ଼ା ଘର ବିଧବା ବୋହୂର ଫଳ–ଜୟନ୍ତ ପରିଡ଼ା ।

 

ଏ ଉତ୍ତପ୍ତ ଘଟଣାଟା । ଉପରେ ଜଳିଯାଇଛି ତାଙ୍କ ଘର-ସଂସାର । ପତ୍ନୀ ବିମୁଖ ହୋଇ ଆଉ ତାଙ୍କୁ କଥା କହିନାହାନ୍ତି । ବିଶ୍ଵମ୍ଭରକୁ ବାରବର୍ଷ ହେବା ପରେ ଯାଇ ସୋମନାଥ । ତା' ପୂର୍ବବର୍ଷ ଚେମି ହଠାତ୍‌ କ'ଣ ଗୁଡ଼େ ଖାଇ ମରିଗଲା । ସେଥିରେ ବି ଲୋକେ କହିଲେ କେତେ କଥା । ଦାରୋଗା ଆସି ନାନା ପ୍ରକାର ଜେରା କରିଥିଲା । ବାର ବର୍ଷର କଳି ସେଇଠି ସରିଥିଲା । ଓଃ; ଦୁର୍ବଳ ସିନା ବିଶିଆବୋଉ, କି ଭୟଙ୍କର ଜିଦ୍‍ଖୋରିଆଣୀ ! ସୋମନାଥକୁ ମାସ ତିନିଟା ହେଇଚି ନା ନାହିଁ ଡାକିହାକି ଅଭିଶାପ ଦେଇ ଚାଲିଗଲା । କହିଲା, 'ଏଥର ତୁମ ସଂସାର ତୁମେ ବୁଝୁଥା । ମୁଁ କଣ୍ଟା ହେଇଥିଲି; ଆଡ଼େଇ ହେଇଯାଉଚି । ଆଉ ଯାହା କଲେ ତୁମକୁ କେହି ପଦେ କହିଦେବାକୁ ନାହିଁ । ମୋ ପାଇଁ ସିନା ସବୁ ! ଏଣିକି ଘରେ ଆଣି ପୁଞ୍ଜାଏ ରଖିଲେ ମଧ୍ୟ କେହି ମନା କରିବେ ନାହିଁ ।' ଦିଗମ୍ବର ମଙ୍ଗରାଜ ତାଙ୍କ ହାତ ଧରିପକାଇ କହିଥିଲେ, "ନା ନା, ତୁ ତୁଛାରେ ମତେ ଗୁଡ଼େ ଝିଙ୍ଗାସ କରନା । ଦୋଷ କରିଛି ବୋଲି ତତେ କେତେଥର ନେହୁରା ହେଇଚି, ତୁ ଶୁଣିନାହୁଁ ! ଏମିତି କଣ ନିର୍ଦୟ ହୁଅନ୍ତି ?' ସେ ଆଉ କିଛି ନ ଶୁଣି ସେମିତି ନିର୍ଦୟ ହୋଇ ଚାଲିଗଲେ ।-ଜୟନ୍ତକୁ ମଧ୍ୟ, କ'ଣ ମନେହେଲା, ମଙ୍ଗରାଜେ ଘରୁ କାଢ଼ିଦେଲେ । ସେଇ ଦିନଠୁ ସୁଖରେ ଦି'ପଦ କଥାହେବା ତାଙ୍କୁ କେହି ଦେଖିନାହିଁ । ଢେର୍ ଦିନ ହୋଇଗଲା । ତା' ଉପରେ ଅନେକ ଘଟଣା ପ୍ରସ୍ତ ପ୍ରସ୍ତ ହୋଇ ଘୋଡ଼େଇ ହେଇ ରହିଛି । ଦିଗମ୍ବର ମଙ୍ଗରାଜ ଭାରି ସନ୍ତର୍ପଣରେ ନିଜକୁ ଆଡ଼କରି ରଖିଛନ୍ତି । ସମୟର ମଧ୍ୟ ଗୋଟାଏ ପରଳ ମାଡ଼ିଯାଏ । ଆସ୍ତେ ଆସ୍ତେ ଲୋକଙ୍କ ମୁହଁରୁ ମଧ୍ୟ କଥା ଲିଭିଆସିଲା । ଦିଗମ୍ବର ମଙ୍ଗରାଜଙ୍କର ପୁରୁଣା ପ୍ରତିଷ୍ଠା ପ୍ରତିପତ୍ତି ଫେରିଆସିଲା । ମଝିରେ ମଝିରେ ସେ ଜୟନ୍ତ ପରିଡ଼ା କଥା ଶୁଣନ୍ତି, ତା'ର ପାଠପଢ଼ା ବୃତ୍ତି କଥା ଶୁଣି ଟିକିଏ ଲାଜେଇ ଯାଆନ୍ତି । ପୁଣି ନିରୋଳାରେ ଜାଣିଶୁଣି ମନେପକାନ୍ତି, ବୋଧହୁଏ ଭଲଲାଗେ । ଇଚ୍ଛାହୁଏ ସେଥିରେ ନିଜର ଦାୟିତ୍ୱ ସ୍ୱୀକାର କରିବାକୁ, ଅଧିକାର ଜାହିର୍ କରିବାକୁ; କିନ୍ତୁ ଓହରିଯାଇଛନ୍ତି ସେ ଲୋକଲଜ୍ଜା ଭୟରେ । ତାପରେ ବିଶ୍ଵମ୍ଭରର ବିଭାଘର । ସେ ଗୋଟାଏ ସ୍ମରଣୀୟ ଘଟଣା । ବିଶ୍ଵମ୍ଭର ଓ ଜୟନ୍ତର ଘନିଷ୍ଠତା ତାଙ୍କ କାନରେ ପଡ଼ିଥିଲେ ସୁଦ୍ଧା ସେ ପ୍ରତିବାଦ କରିନାହାନ୍ତି । ଯାହାହେଲେ ତ ଉଭୟଙ୍କର ରକ୍ତ ଏକ ! ଯେତେବେଳେ ବିଭାଘର ଦିନ କନ୍ୟା ପକ୍ଷରୁ ଆସି ଜୟନ୍ତ ତାଙ୍କୁ ଦଣ୍ଡବତ ପକେଇ ଠିଆହେଲା, ସେ ତାକୁ ଦେଖି ଚମକିପଡ଼ିଲେ । ଚେମି କ'ଣ ଏମିତି ନୂଆ ରୂପରେ ଆସିଗଲା କି ? ସେତିକି ଗୋରା, ସେଇମିତି ଠିଆନାକ, କଳା ମଚମଚ ଭୁରୁ ମଲ୍ଲୀକଢ଼ି ପରି ଦାନ୍ତ, ହସିଦେଇ ଗାଲ ଟୋଲାହୋଇଯାଏ ।

 

ବିଜୁଳି ମାରିଲା ପରି ଦିଗମ୍ବର ମଙ୍ଗରାଜ ଶେଯ ଉପରେ ବସିପଡ଼ିଲେ । ତାଙ୍କ ଆଖିଯୋଡ଼ାକ ତରାଟି ହୋଇ ରହିଥାଏ । ପାଟି ଓହଳି ପଡ଼ିଥାଏ । ହାତ, ଦେହ, ମୁଣ୍ଡ ଥରୁଥାଏ ଠକ୍‍ ଠକ୍ ହେଇ ।

 

ସେ ସେଇଠୁ କୌଣସି ପ୍ରକାରେ ଟଳି ଟଳି ଯାଇ ପହଞ୍ଚିଲେ ସୋମନାଥର ଘରେ । ସୋମନାଥ ବତି ଜାଳିଦେଇ କ'ଣ ଖଣ୍ଡେ ଟେକି ବହି ଧରି ପଢ଼ୁଥାଏ–ବାପା ଆସିବା କଥା ସେ ଜାଣିନାହିଁ । ଆର ଖଟରେ ଛବି ରବି ଏକାଠି ଶୋଇଯାଇଥାନ୍ତି । ବୁଢ଼ା ଆସି କିଛି ସମୟ ସେମିତି ଆଖି ତରାଟି ଛବି ମୁହଁକୁ ଅନେଇ ରହିଲେ । ତାଙ୍କର ହାତଗୋଡ଼ ଆହୁରି ଥରିଲା । ସେ ପାଟିରେ ଗୋଟେ ହାତ ଜାବି ପଳେଇ ଆସିଲାବେଳକୁ ସୋମନାଥ ଛାଇନିଦରୁ ଉଠିପଡ଼ି ପାଟିକରିପକାଇଲା, "କିଏ ? –ବାପା !!" ଏରୁଣ୍ଡି ବନ୍ଧ ଉପରେ ଗଛ କାଟିଲା ପରି କୁଢ଼େଇହୋଇପଡ଼ିଲେ ଦିଗମ୍ବର ମଙ୍ଗରାଜ । ସୋମନାଥ ଏକ ଡିଆଁ ମାରି ଓ ଉଠିଆସି ତାଙ୍କୁ ଧରି ଉଠେଇଲା । "କ'ଣ ହେଲା, କହି ବାଞ୍ଛା ଉଠି ଅଣ୍ଡାଳି ଧରିଲା । ବୋଲକରା ଟୋକା ମଧ୍ୟ ଧାଇଁଆସିଲା ।

 

ବୁଢ଼ାଙ୍କୁ ତାଙ୍କ ଖଟ ଉପରକୁ ଟେକି ନେଇ ବିଞ୍ଚାବିଞ୍ଚି କରିବାରେ କେତେବେଳକୁ ତାଙ୍କର ଚେତା ଆସିଲା । ସେ ଖାଲି ବଲବଲ କରି ଅନେଇଲେ କିଛି କହିପାରିଲେ ନାହିଁ । ସମସ୍ତଙ୍କ ମନକୁ ପାପ ଛୁଇଁଲା । ସୋମନାଥକୁ ପାଖରେ ଠିଆହୋଇଥିବା ଦେଖି କହିଲେ, ‘‘ବିଶ୍ୱମ୍ଭରକୁ ଡକା ବିଶ୍ୱମ୍ଭର ବିଶ୍ୱମ୍ଭର !!’’ ସୋମନାଥକୁ ଆହୁରି ଅସମ୍ଭାଳ ଲାଗିଲା । ସେ ବାପାଙ୍କ ହାତ ଧରି କହିଲା, ‘‘କ'ଣ ହେଲା ବାପା, କାହିଁକି ଏମିତି ହଉଚ ?" ଦିଗମ୍ବର ଭାରି ଅସ୍ଥିର ହେଉଥାନ୍ତି । ମୁଣ୍ଡକୁ ଏପଟ ସେପଟ ଗଡ଼େଇ କହୁଥାନ୍ତି, "ନା ନା, କେବେ ନୁହେଁ । ତା' କେବେ ସମ୍ଭବ ନୁହେଁ । ବିଶ୍ଵମ୍ଭର ଶୁଣିଲେ ହାଣିଦେବ । ମୁଁ ତାକୁ ଜାଣେ, ସେ ହାଣିଦେବ !! ସାବଧାନ ! ଡକା ବିଶ୍ୱମ୍ଭରକୁ !!’’

 

ବୁଢ଼ାଙ୍କ ବୁକୁ ଦାଉଁ ଦାଉଁ ପଡ଼ୁଥାଏ । କପାଳରେ ଝାଳ ବଡ଼ ବଡ଼ ଟୋପା ଧରି ଟଳି ପଡ଼ୁଥାଏ । ବାଞ୍ଛା ଦଉଡ଼ିଗଲା ତଳ ସାହିରୁ ହେଡ଼ମାଷ୍ଟ୍ରଙ୍କୁ ଡାକିବାକୁ । ସେ ହୋମିଓପାଥି ଓଷୁଅ ଦିଅନ୍ତି । ସୋମନାଥ କ'ଣ କରିବ, କିଛି ବୁଝିନପାରି ସେଇଠି ଅଥର୍ବ ପରି ବସିଗଲା । ବୁଢ଼ା ସେମିତି ଚାରିଆଡ଼କୁ ଆଖି ତରାଟି ଚାହିଁଲାଖିଥାନ୍ତି ।

 

‘‘ନା–ମୁଁ ତତେ ନିଶ୍ଚେ ହାଣିଦେବି ଇ ଇ ’’ କହିଲା ବେଳକୁ ସେ ଝୁଣିହୋଇ ଅଣ୍ଟାଠଉଁ ଉପରକୁ ଧନୁ ପରି ଟାଣିଯାଉଥାନ୍ତି । ‘‘ବିଶୁର କିଛି ଦୋଷ ନାହିଁ । ତାକୁ କେହି ଛୁଇଁ ପାରିବେନାହିଁ ସାବଧାନ ! ଦୋଷ ମୋର । ମୋତେ ମାର, ଦୋଷ ମୋର, ଦୋଷ ମୋର ।’’

 

ହେଡ଼ମାଷ୍ଟ୍ରେ ଆସୁ ଆସୁ ଘଣ୍ଟେ । ମଙ୍ଗରାଜେ ଟିକିଏ ପ୍ରକୃତିସ୍ଥ ହୋଇଆସିଲେ । ହୁଏତ ଶୋଇପଡ଼ିଥାନ୍ତେ ।

 

ପାଟିତୁଣ୍ଡ ଡକାହକା ଭିତରେ ଛକି ରବି ଉଠିପଡ଼ିଛନ୍ତି । ସେ ଦୁହିଙ୍କୁ ଡର ମାଡ଼ିବାରୁ ସେମାନେ ବି କେତେବେଳେ ନିଃଶବ୍ଦରେ ଆସି ଜେଜେଙ୍କ ଖଟ ପାଖରେ ଠିଆହୋଇଯାଇଛନ୍ତି ।

 

ଦିଗମ୍ବର ମଙ୍ଗରାଜ ହଠାତ୍ ମଟମଟ ଚାହିଁଲେ । ଛବିକୁ ଚାହିଁ, ଆଖି ତରାଟି ସେ ଗୋଟାପଣେ ପୁଣି ଥରିଲେ । ଗୋଟାଏ ବିକଟାଳ ରଡ଼ିରେ ସମସ୍ତେ ତାବ୍‍ଦା ହୋଇଗଲେ । ବୁଢ଼ା ଶାଳଦଣ୍ଡା ପରି ହାତ ଦି'ଟା ବଢ଼େଇ ଖପ୍‍କିନା ଛବିର ତୋଟିକି ଧରିନେଲେ । ଦାନ୍ତସନ୍ଧାରୁ ଫେଣ କାଢ଼ି କହୁଥାନ୍ତି–"ଚେମି, ମୁଁ ତତେ ମାରି ଖଣ୍ଡ ଖଣ୍ଡ କରିଦେବି । ତୁ ମୋ ବଡ଼ବଡ଼ିଆଙ୍କ ପିଢ଼ାରେ ବସିପାରିବୁ ନାହିଁ..ଇ ଇ "

 

ରଡ଼ି ଛାଡ଼ିଲା ସୋମନାଥ । ରଡ଼ି ଛାଡ଼ିଲେ ବାଞ୍ଛା ଆଉ ରବି । ଛବି ଆଖି ଖୋସି ମାଛ ପରି ଛଟପଟ ହେଲା । ତା' ଜିଭ ଲମ୍ବି ଆସିଲା । ମୁହଁ ଜାମୁକୋଳିଆ ଧରିଗଲା । ତିନିଜଣ ମଣିଷ–ଭିଡ଼ିଓଟାରି ବୁଢ଼ାର ଜାବ ଫିଟେଇ ପାରୁନାହାନ୍ତି; ସବୁ ଠକ୍ ଠକ୍ ଥରୁଥାନ୍ତି । କାହାରି ହାତଗୋଡ଼ ଥୟ ଧରୁନଥାଏ; ଓହୋ, କି ଅଘଟଣ ! ବଡ଼ କଷ୍ଟରେ ଜାବ ଫିଟିଲା ।

 

ଲାଉଡ଼ଙ୍କ ପରି ଝାଉଁଳିପଡ଼ିଲା ଛବି । ତା' ଦେହ ଠକ୍‍ଠଖ୍‍ ହୋଇ ଥରୁଥାଏ । ତାକୁ ଦି'ଜଣ ଟେକିନେଲେ ଆର ଘରକୁ । ଦିଗମ୍ବର ମଙ୍ଗରାଜର ଦେହ କାଠ ପରି ଚେତା ହଜେଇ ପଡ଼ିଥାଏ । ଛବି ଦେହରେ ଖଇ ଫୁଟିଯିବ, ଏମିତି ତାତି । ସେ ଖାଲି କୁନ୍ଥଉଥାଏ । ରବି ଛାନିଆ ହେଇ ତାକୁ ଡାକିଲାଗିଥାଏ । ଖୁଣ୍ଟିଆ ହେଡ଼ମାଷ୍ଟ୍ରେ ନିଜେ ଛାନିଆ ହେଇ ଆଉ କିଛି କହିପାରୁନଥାନ୍ତି । ସୋମନାଥ ବାଉଳା ହୋଇ ଏ ଘରୁ ସେ ଘରକୁ ଖାଲି ଧାଁ-ଦଉଡ଼ କରୁଥାଏ ।

 

ଛବିର ଜର ବଢ଼ିଚାଲିଥାଏ । ଅସାଷ୍ଟମ ଅବସ୍ଥାରେ ପରିସ୍ରା ହୋଇଗଲା ଶେଯରେ । ସୋମନାଥ ପିଲାଲୋକ । ତା' ମୁଣ୍ଡ ଘାଉଁରିଗଲା । ସେ ଚୌକିରେ ବସିପଡ଼ିଲା କିଛି ସମୟ । ପାଟି ଶୁଣି ଚାହିଁଲା ବେଳକୁ ଛବିର ମୁହଁକୁ ଦୁଇହାତରେ ଧରି ରବି ଭିଡ଼ିଲାଗିଥାଏ । ତା' ମୁଣ୍ଡରେ ଗୋଟାଏ ଜରି ମୁକୁଟ । ସେକହୁଥାଏ, "ଛବି, ମୁଁ ତୋ ଜରି ମୁକୁଟ ଫିଙ୍ଗିବି ନାଇଁ ଲୋ ! ମୁଁ ତାକୁ ପିନ୍ଧିଛି–ଦେଖୁନୁ ! –ଦେଖ ଛବି, ଦେଖ !" ରବି ମୁହଁ ସାତବାଙ୍କ ହୋଇ ଲୁହ ନିଗିଡ଼ି ଆସିଲା । ବାଞ୍ଛା ଶେଯ ଉପରେ ମୁହଁ ରଖି ପିଲାଙ୍କ ପରି କାନ୍ଦିପକେଇଲା ।

 

ସୋମନାଥ କ'ଣ ଭାବି ଏକା ଡିଆଁ କେ ପହଞ୍ଚିଲା ଦାଣ୍ଡଘରେ । କାହାକୁ ନଚାହିଁ ସାଇକେଲ ଧରି ବାହାରିପଡ଼ିଲା । ନିଧି ଦଳେଇ ବାଟ ଜଗି କହିଲା, "ଅଧରାତିରେ ସାଆନ୍ତେ କୁଆଡ଼େ ଯିବ ? ମୁଁ ଆସୁଚି, ଚାଲ ।"

 

"ନା, ନା ମୋତେ ବେଳ ନାହିଁ । ତୁମେ ସବୁ ଜଗିଥା । ମୁଁ ରାତି ନପାହୁଣୁ ଭାଇନାକୁ ନେଇ ଚାଲିଆସିବି । ଡାକ୍ତରଙ୍କୁ ନେଇ ଚାଲିଆସିବି ।"

 

ଟଳମଳ ହୋଇ ସାଇକେଲ ଆଗେଇଲା । ବାହାରେ ଛାପଛାପୁଆ ତରା ଆଲୁଅ । ଟର୍ଚ୍ଚଟା ଆଣିଥିଲେ ହୋଇଥାନ୍ତା । ହଁ, ଥାଉ ! ବେଳ ନାହିଁ । ଅନୁକୂଳ ଭଣ୍ଡୁର କରିବା ବିଧି ନୁହେଁ । କାହିଁ ଦୂରରେ ଚକ୍ କରି ବିଜୁଳି ମାରିଦେଲା ।

 

ନିଧି ଦଳେଇ ମୁହଁ ଫେରେଇ ଘରେ ପଶିଲାବେଳକୁ ଘିଡ଼ିଘିଡ଼ି ଗୁମୁଗୁମୁ ହୋଇ ମେଘ ଗର୍ଜିଉଠିଲା ।

 

ଡକାହକା ହୋଇ ଗାଁରୁ ଅଧେ ଲୋକ ଆସି ନିଃଶବ୍ଦରେ ଦାଣ୍ଡପିଣ୍ଡାରେ ଫୁସୁରୁ-ଫାସୁରୁ ହେଲେ, "ବୁଢ଼ା କୁଆଡ଼େ ଅଜ୍ଞାନରେ ନାତୁଣୀର ତୋଟି ଚିପି ମାରିଦେଲା । ଓହୋ, ଶିଶୁହତ୍ୟା ପାପ ବ୍ରହ୍ମହତ୍ୟାଠୁ ବଳି ।"

 

ଆଉ କିଏ କହିଲା, "ନାଇ ମ, ପିଲାଟା ଭୟରେ ସେମିତି ହେଇଯାଇଚି । ତା ଆତ୍ମାପୁରୁଷ ଚହଲିଯାଇଚି । ସେ ସ୍ଥିର ହୋଇଗଲେ ଜର ବଳେ ଓହ୍ଲେଇଯିବ ।"

 

ଆଉ ଜଣେ କିଏ କହିଲା, "ସକାଳ ହେଲେ ସୁବର୍ଣ୍ଣମେରୁଙ୍କୁ ଜଳଶାୟୀ କରିଦେଲେ ସବୁ ଅନିଷ୍ଟ ଖଣ୍ଡନ ହୋଇଯିବ । ସେ ପ୍ରଭୁଙ୍କୁ ସୁମରଣା କଲେ ଗ୍ରହଦୋଷ ଶାନ୍ତ ହେଇଯିବ । ଏଇଟା ଗୋଟାଏ ପାପଗ୍ରହ ଦୋଷ ।"

 

କୁଣରେ ଥାଇ କିଏ କହିଲା, "ହଅ-ଅ ସୁବର୍ଣ୍ଣମେରୁଙ୍କ ପାଟ ଅଗଣାରେ ତ ଯାଇ ହଗିଲେଣି । ତାଙ୍କ ମାଳୀ ତ' ବାର ପ୍ରକାର ପାପକାର୍ଯ୍ୟ କଲାଣି । ବାବୁଭାୟା ଅଇଲେ–ଗଲେ ମଦ ଯୋଗାଣ କରୁଚି । ଆଉ ଦିଅଁ ସେ ଗମ୍ଭୀରାରେ ବସିଛନ୍ତି ଯେ ଡାକିଲେ ଖାଲି 'ଓ' କରିପକେଇବେ-!"

 

ପାଞ୍ଚ ଛ' ଜଣ ସେ ଅନ୍ଧାର ଭିତରୁ ଏକାଥରକେ କହିଲେ, "ହଅ-ଅ ଆଉ ଦିଅଁ ବସିଛନ୍ତି-!"

 

ଆଉ ଜଣେ କହିଲା–ଖୁଣ୍ଟିଆ ଲାଗିଚନ୍ତି ପରା । ସେ ଲୋକ ଲାଗିଗଲେ ନିଶ୍ଚୟେଁ ଭଲ କରିଦେବ । ନିଶା ବେହେରା ଝିଅର କାନ-ଘା'ଟାକୁ ପରା ପାନେ ଓଷୁଅରେ ସେ ଲୋକ ଭଲ କରିଦେଲା ହୋ !"

 

କେହି ଜଣେ କହିଲା–"ହଅ-ଅ, ଚେନିଗୁଳିଗୁଡ଼ାକ ଗିଳିଗିଳି ଶଙ୍କରା ମାଇପ ମରିଗଲା ନା ନାଇଁ ? ତା ରକ୍ତ-ଅତିସାର ଆଉ କ'ଣ ଛାଡ଼ିଲା ? ସବୁଗୁଡ଼ାକ ଶଳେ ଠକ ।"

 

"ହେ ହେ; ଧୀର୍ କହୁନୁ ।"

 

"କାହିଁକି କିଓ ? କ'ଣ ଡର ପଡ଼ିଚି କି ? ସେ ଶଳା ସହରୀ ଡାକତର ମଧ୍ୟ ସେଇଆ । ବିକଳରେ ଘାଟ ପାରିହୋଇ ଧାଇଁଗଲେ ଡାକ୍ତରଖାନା ଭିତରେ ଦବଖାଲି ରଙ୍ଗପାଣି । ଘରକୁ ଗଲାମାତ୍ରେ ଆଗେ ଦର୍ଶନୀ ପାଞ୍ଚଟଙ୍କା ଥୋଇଲେ ଓଷୁଅ କୋଡ଼ିଏ ଟଙ୍କାର ଲେଖିଦେବ; ଖାଲି ବଟିକା, ଓଷୁଅ, ପାଣି ଓଷୁଅ ସବୁ ତିନିଘଣ୍ଟା ଚାରିଘଣ୍ଟା ଅନ୍ତରରେ ତେଣ୍ଡେଇବାକୁ ବତେଇବ । ଶେଷକୁ ସେଇ ଅବସ୍ଥା । କେହି ଆଉ ରୋଗ ଭଲ କରୁନାହାନ୍ତି । ସମସ୍ତିଙ୍କର ଖାଲି ତାଙ୍କ ଛାଣିବାର ବେପାର ।"

 

ଅନ୍ଧାର ଭିତରେ ଏମିତି ଟୁପୁଟୁପୁ କଥା ଚାଲିଥାଏ । ସ୍ୱର ବାରି ମଣିଷକୁ ଚିହ୍ନିବା ସବୁବେଳେ ସହଜ ନୁହେଁ । ଅଶରୀରୀ ସତ୍ୟଗୁଡ଼ିକ ଦିନ ଆଲୁଅରେ ଲୁଚି ଅଧାନିଦ ଅଧା ଚିଆଇଁଥିବା ମଣିଷ-ଚେତନାରେ ଯେମିତି ଏ ଅଧରାତିରେ ବିଜୁଳି ମାରି ପୁଣି ଲିଭିଯାଉଥାଏ ।

 

ଆକାଶରେ ମେଘ ଟେକିଆସିଲାଣି, ତରା ସବୁ ଲିଭିଗଲେଣି । ଜଣେ କିଏ କହିଲା, "ଚାଲ ଉଠ, ସକାଳ ହେଲେ ଆସି ବୁଝିବା ।"

 

‘‘ଚାଲ, ଚାଲ’’–କହି ଆଉ ପାଞ୍ଚଜଣ ଉଠିଲେ ।

 

ଜଣେ ସେ ଅନ୍ଧାରରୁ କହିଲା, "ଯିବାକୁ ତରତର ଯେବେ ଆସୁଥିଲ କାହିଁକି ? ଗାଁରେ ଘର କରି କ'ଣ ଆଉ ରହିବ ନାହିଁ କି ? ଜଣକୁ ବିପତ୍ତି ପଡ଼ିଲେ ଆସି ପାଖରେ ଠିଆହେବାକୁ କ'ଣ ଭରସା ନାହିଁ ? ଆଉ କିଛି ସିନା ନାହିଁ ଦିଅଁ ଦେବତା, ଡାକ୍ତର ବଇଦ ତମକୁ କ'ଣ ରୋଗ ନାହିଁ ନା ବିପତ୍ତି ନାହିଁ ?" –ଏ ସେଇ ସ୍ୱର, ଯେ କହିଥିଲା–ରାତି ପାହିଲେ ସୁବର୍ଣ୍ଣମେରୁଙ୍କୁ ଜଳଶାୟୀ କରାଯିବ ।

 

ଯେ ସବୁ ଉଠୁଥିଲେ ଅମଙ୍ଗ ହେଲେ ମଧ୍ୟ ଗୋଟାଏ ଅଜଣା ଭୟରେ ଆସି ପୁଣି ପିଣ୍ଡାରେ ବସିପଡ଼ିଲେ । ତୁନିପଡ଼ିଯିବାରୁ ବୁଢ଼ାର ବାଉଳିଚାଉଳି ସବୁ ଶୁଭିଲା ।

 

"ଚେମି, ତୁ ଆଡ଼ ହେଇଯା । ଛାଡ଼ିଦେ ମୋ ପିଲାଙ୍କୁ । ଆରେ ଧର ଧର, ଖାଇଗଲା । ବିଶୁ ତୋଟିକୁ ସେ କଣା କରିଦେଲା । ହାଁ, ହାଁ, ଦେଖ୍ କହୁଚି, ସେଇଟା ମୋ ସାତପୁରୁଷ ଦିଅଁ ଙ୍କ ଖଟୁଲି; ଛୁଇଁଲେ ଗଡ଼ ଗଡ଼ କରି ହାଣିଦେବି, ହାଣିଦେବି !" ଏତିକିରେ ଗୋଟାପଣ ଝାଳ ବୋହିଯାଏ ବୁଢ଼ା ଦିହରୁ ।

 

ଛବି ପାଟିରେ ପାଣି ଦେଲେ ବୋହିଯାଉଚି । ତା' ନାଡ଼ି ଦେଖି ଖୁଣ୍ଟିଆ ଭୁରୁ କୁଞ୍ଚେଇଲେଣି । ରବିକୁ ତଳ ଖୁଆଡ଼କୁ ନେବାରୁ ସେ ଝିଙ୍କି ହେଲା । ତାକୁ ନେଇ ସୋମନାଥ ଖଟରେ ଶୁଆଇଦେଲେ । ସେ ସେମିତି ଜରିମୁକୁଟ ପିନ୍ଧି ଶୋଇଗଲା ।

 

ବର୍ଷା ଟେକିଆସିଲାଣି । ସୁ-ସୁ ପବନ ବୋହିବାରୁ ପିଣ୍ଡାରୁ ଉଠି ସମସ୍ତେ ନିଃଶବ୍ଦରେ ଦାଣ୍ଡ ଘରକୁ ପଶିଗଲେ । କିଏ ଭିତର ପିଣ୍ଡାକୁ ଯାଇ ସୋମନାଥ ଘରେ ପଶି ସେମିତି ନୀରବରେ ଠିଆହେଲେ । ଗୋଟାଏ ସେ ଅନ୍ଧାରରେ ପଥରଖୁଣ୍ଟିଟାକୁ ସାଉଁଳି ସେଇଟା କେତେ ମୋଟ ଆଉ କେତେ ଉଞ୍ଚ ଦେଖିନେଉଥାଏ ।

 

ଖୁଣ୍ଟିଆ ମଝିରେ ମଝିରେ ମୁଣାରୁ ବୋତଲ କାଢ଼ି କେତୋଟି ବଟିକା ବୁଢ଼ା ତୁଣ୍ଡକୁ ଝାଡ଼ିଦେଇ ଆଣ୍ଠୁ ମୁଣ୍ଡ ହେଇ ଖଣ୍ଡେ ଚୌକିରେ ବସିଥାନ୍ତି । ଗୁମୁଗୁମୁ ହେଇ ବର୍ଷା ଅଜାଡ଼ିଦେବ ନା କ'ଣ ! ରାତି ବି ଆଉ ବୋଧେ ବେଶି ନାଇଁ ସେତେବେଳକୁ । ସମସ୍ତେ ଲଗାଲଗି ହେଇ କାନ୍ଥକୁ ଆଉଜି ବସିଗଲେ । ଆକାଶରେ ଦୁରୁଦୁରୁ କମ୍ପୁ ଥାଏ ମେଘ । ଘରେ ଦିଗମ୍ବର ମଙ୍ଗରାଜର ଷାଠିଏ ବର୍ଷର ପୁରୁଣା ଦୁର୍ବଳ ବୁକୁ ? ଆଉ ରହି ରହି କମ୍ପୁ ଥାଏ ଛବିର କାବ୍‌ତା ପଞ୍ଜରାଟି ।

 

ପବନରେ ବିଳାପ ମିଶିଗଲା । ଅନ୍ଧାରରେ ସବୁ ସ୍ୱର ଲୀନ ହୋଇଗଲା । ଜଣାଗଲା ଯେମିତି କୌଣସି ସଂଭ୍ରାନ୍ତ ଅତିଥି ଆସିବାର ସୂଚନାରେ ସବୁ ସ୍ତବ୍‍ଧ ହୋଇଗଲେ । ମଙ୍ଗରାଜ ଘରର କୋଣେ କୋଣେ ବୋଝେଇ ହୋଇଗଲା ଏଇ ଅନାଗତରେ ପଦଧ୍ୱନି । ଗାଁଭାଇଏ ଛାନିଆ ହୋଇ ଅପେକ୍ଷା କରିଥାନ୍ତି ଅଧେ ନିଦ ଅଧେ ଚେତା ଭିତରେ ଅପେକ୍ଷା କରିଥାନ୍ତି କେତେ ବେଳେ ରାତି ପାହିବ । ବିଶ୍ୱାସ ହେଉ ନଥାଏ, ଏ ଅନ୍ଧାର ବତାସି ଭେଦି ସତେ ସୂର୍ଯ୍ୟଟାଏ ଅତୁଟ ହୋଇ ଉଇଁପାରିବବୋଲି !

 

ମୁଲଚାନ୍ଦ୍‌ ସୋନ୍ଧି କବାଟ କିଳି ତା' ଖାସ୍‌ ମହଲ୍‌ରେ ବସିଛି । ଚମତ୍କାର ଗାଲିଚା ଉପରେ ତା'ଠୁ ଅଧିକ ଚମତ୍‍କୃତ ଗଦି ଥିବା ସୋଫା । କୁଣରେ ଲମ୍ବା ଲମ୍ବା ତୈଳଚିତ୍ର–ଖୁବ୍ ଦାମୀ, ରୁଚିପୂର୍ଣ୍ଣ । ମୁଲ୍‍ଚାନ୍ଦ୍ ନିଜେ ଠିକ୍ ସେହିପରି ଚିକ୍‍କଣ, ସୁନ୍ଦର, ଭଦ୍ର । ସୋଫା ଉପରେ କିନ୍ତୁ ଯେଉଁମାନେ ଗୋଡ଼ହାତ ଛାଟି ବେପରୁଆ ବସିଛନ୍ତି, ସେମାନଙ୍କ ଭିତରୁ କେତେକଙ୍କ ଚେହେରା ଭଦ୍ର ନୁହେଁ । ସେମାନେ ସୁନ୍ଦର ନୁହଁନ୍ତି, ଚିକ୍‍କଣ ନୁହଁନ୍ତି । କାହା ଗାଲରେ ଦୁଇଇଞ୍ଚିଆ କଟାଦାଗ ତ କାହା ନିଶଦାଢ଼ି ତମ୍ବୁାତାର ପରି ଟାଉଁସା । ସେମାନଙ୍କ ପୋଷାକ ମଧ୍ୟ ତଦ୍ରୂପ । ଭିକମଗାଳିଗୁଡ଼ିଏ ହଠାତ୍ ଯେ ଖାସ୍ କାମରାରେ ପଶିଯାଇ କିଛି ନବୁଝି ହୁଏତ ବସିଯାଇଛନ୍ତି ଏବଂ ମାଲିକ ନିଜ ସହଣିକପଣିଆରେ ସେମାନଙ୍କର ଏ ଧୃଷ୍ଟତା କ୍ଷମାକରିଦେଇଛି । ସେ ଭିତରୁ ଆଉ କେତେ ଜଣ ଜନ୍ତୁ ଚିତ୍ରତାରକା ଭଳି ସୁନ୍ଦର । ତାଙ୍କ ବେଶପୋଷାକ ବି ଖୁବ୍ ଦାମୀ । ଜଣେ ହୋଇପାରେ ଅଧ୍ୟାପକ ଅମୁକ । ବାଳ ଅଧେ ପାଚିଲା, ଚେହେରା ବେଶ୍ ପୋଖତ, ଖୁବ୍ ମାନନୀୟ । ଆଉ ଜଣେ ହୋଇପାରେ ଦୁଇ ଚାରିଟା ମିଲ୍‍ର ମାଲିକ; ହାତରେ ହୀରାମୁଦି, କାନରେ ହୀରାଫୁଲ, ସୁନାହାର, ସିଲକ୍ ପଞ୍ଜାବି ଇତ୍ୟାଦି ।

 

ମୁଲଚାନ୍ଦ୍ ସୋନ୍ଧି ସିଗ୍ରେଟ୍‍ଖଣ୍ଡ ଲିଭେଇ, ମୁଣ୍ଡ ଉପରକୁ ହାତ ଆଙ୍ଗୁଳିଗୁଡ଼ିକ ଛନ୍ଦି ଏକାଥରକେ ମଡ଼ମାଡ଼୍ ଫୁଟାଇ ଦେଇ କହିଲା–"ତା'ହେଲେ ଏଥର ରାଜନ୍‍ର ପାଳି ! କ'ଣ ରାଜନ୍ ?–ଅତି ବେଶି ହେଲେ ତିନି ବରଷ–ନହେଲେ ଛ'ଟା ମାସ ଭିତରେ ଖଲାସ କରିଦେବା । ପାଞ୍ଚଶ' ତୋଳା ସୁନାବିସ୍କୁଟ୍ ଜଙ୍ଘରେ ବାନ୍ଧିନେବାକୁ ସେମାନେ ବରାଦ କରିଛନ୍ତି । ସତେଇଶ ତାରିଖ ମାଡ଼୍ରାସ୍ ମେଲ୍‍ରେ ସ୍ପେଶାଲ ବଗିରେ ବସି ଆସିବାକୁ ହେବ । ସେମାନେ କଟକ ଷ୍ଟେସନ୍‍ରେ ଜଗିଥିବେ ତତେ ଧରିବା ପାଇଁ । ସେମାନଙ୍କ ଫଟୋଗ୍ରାଫର୍ ଥିବ । ସେମାନେ ସମସ୍ତେ ପ୍ରୋଗ୍ରାମ୍ ଅନୁସାରେ ଆସିଥିବେ । ତା'ପରେ ତୋର କୌଣସି ଅସୁବିଧା ନାହିଁ । ସେ ଇନସ୍‍ପେକ୍ଟର ସହିତ ତତେ ମୁଁ ତା' ଆରଦିନ ହାଜତରେ ଦେଖାକରିବି । ଖବର୍‍ଦାର, ମୋତେ ସେଠି ଚିହ୍ନିବାର କୌଣସି ଇସାରା ଦେବୁନାହିଁ–କେସ୍‍ଟା ରାମସୁଭଗ ଜରିଆରେ ଇନସ୍‍ପେକ୍‍ଟର ଧରୁଚି । ସମସ୍ତଙ୍କ ପାଇଁ ମୁଁ ଏଥିରେ ନାହିଁ । ଏଇ ଥର ସେମାନଙ୍କ କଥା ଅନୁସାରେ ଧରାପଡ଼ିଗଲେ ଆଉ ଛ'ମାସ ବିଚ୍ ବିଜାରରେ କାରବାର କରି ମାଲ ଉଠେଇଲେ କେହି କହିବାକୁ ନାହିଁ । ତୋର ପୁଅର ଗେରେଜ୍‍କୁ ଟଙ୍କା ପଠାହେବ । ତୋର ଦରମା ମାସକୁ ପନ୍ଦର ଶହ–ଜେଲ୍ ସ୍ପେଶାଲ ଆଉ ପାଞ୍ଚଶ' । ପୂରା ଦୁଇହଜାର ତୋର ବିବି ପାଖରେ ଲୋକ ନେଇ ପ୍ରତି ମାସ ପହଞ୍ଚେଇଦେବେ ।

 

ରାଜନ୍‌ ହେଉଚି ସେଇ ଦରବୁଢ଼ା ଅଧ୍ୟାପକ ପରି ଦିଶୁଥିବା ମାନନୀୟ ଚେହେରାର ବ୍ୟକ୍ତିଟି । ସେ ଗମ୍ଭୀର ହୋଇ କିଛି ସମୟ ବସିଲା । ମୁଲଚାନ୍ଦ୍ ତିଖା ଗଳାରେ କହିଲା, ‘କ୍ୟା ଶୋଚ୍‌ତେ ହୋ ?’’ ରାଜନ୍‌ ସସମ୍ଭ୍ରମେ ଉଠି କହିଲା, ‘‘ନେହୀ ହଜୁର୍‌ ! ଶୋଚତେ ଥେ କୀ ଅଗର ତିନ୍‍ସାଲ ହୋ ଗୟା ତୋ- ଶଶୁରାଲ ମେଁ କ୍ୟା କର୍‌ ସକ୍‌ତେ ହେଁ ?’’ ହେ-ହେ ହୋଇ ମୁଲଚାନ୍ଦ୍‌ ହସିଉଠିଲା–ଆଉ ସବୁ କିନ୍ତୁ ନୀରବ । ତା’ପରେ ଗାଲକଟା ଲୋକଙ୍କୁ ଚାହିଁ କହିଲା, ‘‘ତେରା କ୍ୟା ହୁଆ ? ଜେବ୍‌ ନେହୀ କଟ୍‍ତେ ହେଁ କ୍ୟା ? ତୁମ୍‍ହାରି ପଲଟନ୍ କ୍ୟା କଚ୍ ରହି ହୈ ?"

 

ସେ ଉଠି କହିଲା, "ପଲଟନ୍‌ ତୋ ହରଦମ୍ କାମ୍ କରତି ହୈ ସରକାର ! ମଗର୍ ଶୋଚ୍‍ତେ ହେଁ, ଶାଲୋଁ କୀ ଜେବ ନ କାଟ୍‍କେ ଗଲା କାଟ୍‍ନା ସୁରୁ କର ଦେଁ । ସବ୍ ଶାଲେ ଇସ୍ ମୁଲୁକ୍ କେ ଗରିବ୍ ହେଁ ମାଲିକ, ନହୀଁ ତୋ ଆପ୍‍କେ ସାମ୍‍ନେ ଐସେ ହଜାର ଦୋ' ହଜାର ପେଶ୍ ହି ନହିଁ କରତା ।"

 

‘‘ଆଚ୍ଛା ! ଅରେ ଲଚ୍ଛି ସିଂ ! ତୁ କିତ୍‌ନା ଚାଓ୍ୱଲ ବୋରା ପାର୍‌ କିୟା ?’’

 

"ପାର୍‌ ତୋ ବହୁତ କିୟା, ମଗର୍ ଆଜ୍‍କଲକେ ୟେ ଅଫିସର ଲୋଗ୍ ଭି ବଡ଼େ ନିକମ୍ମେ ହେଁ ଶାଲେ ! ଏକ ଶୋ'କେ ନୋଟ ପର୍ କୱେ ଜୈସେ ବଡ଼େ ସେ ବଡ଼େ ଭି ଲଢ଼ ଯାତେ ହେଁ । ହୋତା କ୍ୟା ହେଁ କି ସୁରୁ ସେ ଆଖିର୍ ତକ ପୈସା ଲଗାନା ପଡ଼ତା ହେଁ ।"

 

ମୁଲଚାନ୍ଦ୍ କିନ୍ତୁ ଅନ୍ୟମନସ୍କ । କିଛି ନ ଶୁଣି ସେ କହିଲା, "ଆଚ୍ଛା ! ତୁମ୍ ଲୋଗ ଯାଓ ଦୋ ନମ୍ବର ଗାଡ଼ି କେ ଲିୟେ; ଔର ରାଜନ୍‌ ତୈୟ ର ହୋ ଯାଓ ।"

 

"ଜୀ ହୁଜୁର୍, ଜୀ ହୁଜୁର୍ ।" କହି ସମସ୍ତେ ଉଠିଲେ, କିନ୍ତୁ ଉଠିଲା ନାହିଁ ସେ ତମ୍ବାତାର ପରି ଟାଆଁ ସା ରୂଢ଼ିଆ ଲୋକଟା । ସେ ପ୍ରାୟ ଉଦାସ ଆଖିରେ ଅପେକ୍ଷା କଲା ଅନ୍ୟମାନେ ପାହାଚବାଟେ ଓହ୍ଲେଇଯିବା ପର୍ଯ୍ୟନ୍ତ ।

 

‘‘କିବ୍‌ବେ–ଆଜି ଭାରି ଗମ୍ଭୀର ହେଇ ବସିଚୁ ଯେ ?’’ –ହସି ପଚାରିଲା ମୁଲଚାନ୍ଦ୍‌ ।

 

"ମୋ ବିଭାଗ ଆଜ୍ଞା ଆଉ କାମ କରିପାରିବ ନାହିଁ । ଏଗୁଡ଼ାକ ଏଭଳି ପାକଳ ଚୋର ଯେ ୟାଙ୍କୁ ଜଗି ଦୈନିକ ଆପଣଙ୍କୁ ଜଣେଇବା, ମୁଁ ଦେଖୁଛି, ମୋ ପାଇଁ କାଠିକର ପାଠ ହେଇଯାଉଚି ।"

 

"ଆବ୍‍ବେ, ତୋର ସେ ମୁଖାଟା ଖୋଲି ଥୁଅ । ହାରାମଜାଦା କେଡ଼େ ଜାସୁସି ଦେଖେଇହଉଚୁ !"

 

ହେଁ ହେଁ ହସି ମୁଣ୍ଡରୁ ମୁହଁରୁ ଖୋଳ ଖସାଇଦେଲା–ଆସିଷ୍ଟେଣ୍ଟ ଇଞ୍ଜିନିୟର ବିମଳବାବୁଙ୍କ ନୌକର ଟୋକା ବୋକା ଢେଗାଆଖିଆ 'ଓଲା' ।

 

"ଆଚ୍ଛା, ଡାକବଙ୍ଗଳା କଥା କ'ଣ ?"

 

"ସେଇ ପୁରୁଣା କଥା । ଗୋଟାଏ ରାତି ଖୁବ ପୂର୍ଣ୍ଣ ଯୋଗ ଶିକ୍ଷା ହେଇଗଲା । ସେଇଠୁ ଫେରିଆସି କିନ୍ତୁ ଚିଡ଼ିଆଟା ଭାରି ଝାଉଁଳି ପଡ଼ିଚି ।"

 

"କାଇଁକି ବେ ? ସେ ମାଲ ତ ସେମିତି ନୁହେଁ !"

 

"ହଜୁର, ଟିକିଏ କଥାଟା ବୁଝିଲେ ହବ ନା । ଗୋଟିଏ ଗୁଜ୍‍ରାଟୀ ପେଶାଦାର ଶିକାରୀକୁ ନେଇ ଦାଢ଼ିଆ ସର୍ଦାର ସେଇଠି କେମ୍ପ ମାରିବା ଖବର ଜୟନ୍ତବାବୁ ଜାଣିଥିଲା । ସେ ଜଙ୍ଗଲୀ ଡାକବଙ୍ଗଳାରେ ବାବୁ ବହୁତ ବେରହମ୍‌ କାମ ହୋଇଗଲା ।"

 

Unknown

‘‘ଚୋପ୍‌ ବେ ଶାଲା, ରହମ୍‌ ଦେଖେଉଚି । ଜୟନ୍ତ ବେଟାର ଖବର କ'ଣ ? –ସେ ଜଙ୍ଗଲ କଣ୍ଟ୍ରାକ୍ଟରି ଖୁଦିରାମକୁ ଦେଲା ନା ନାହିଁ, ଆଉ ସେ ଇସ୍ପାତ୍ ଚଦ୍‌ଦର ପାଇଁ ଏଜେନ୍‌ସିଟା ରାଠୋଡ଼୍‌ ମଲ୍ଲ ପାଇଲା ନା ନାହିଁ ?"

 

ଓଲା ଜାଣେ ଏଗୁଡ଼ିକ ମୁଲଚାନ୍ଦ୍‌ ସୋନ୍ଧିର ଗୁଡ଼ିଏ ନୌକର । ଏମିତି ନୂଆ ନୂଆ ନାଁରେ ବହୁ କାରବାର ଚାଲେ ।

 

‘‘ହଜୁର, ଏଥର ଟିକେ ଅସୁବିଧା ହେଇଯାଇଚି ।"

 

"କାହିଁକି ବେ ?" ଖୁବ୍ ସତର୍କ ହୋଇଗଲା ମୁଲ୍‍ଚାନ୍ଦ୍ । ଅନେଇଗଲା ଓଲାର ଆଖି ଭିତରକୁ । ପଚାରିଲା–"ଠିକ୍ କରି କହ । ଧରାବନ୍ଧା ଦରମା ଏ ଅଫିସରଗୁଡ଼ାଙ୍କୁ ଦିଆହଉଚି କି ନାହିଁ ? ସେ ଖଦଡ଼ିଆ ନେତା ଟଙ୍କା ନେଇ ଉପର ମହଲରେ ବାଣ୍ଟିଲା ନା ନାହିଁ ? ମୁଲଚାନ୍ଦ୍ ସୋନ୍ଧିର କାଗଜ କାହିଁକି ଆଠଘଣ୍ଟାରୁ ଅଧିକ ଲାଗିଲା ? ରେଡ଼୍‍କ୍ରସକୁ ଲକ୍ଷେ, ଅରଭିଲେକୁ ପଚାଶ ହଜାର, ପ୍ରତିରକ୍ଷାକୁ ଦେଢ଼ଲକ୍ଷ ଦିଆହୋଇ କାଗଜବାଲାକୁ ବକ୍‍ସିସ ଦେବା ପରେ ଫଟୋ ବାହାରିବାରେ କାହିଁକି ବିଳମ୍ବ ହେଉଚି, କହ ! ତୁ ହାରାମଜାଦା ମୋ ସାଙ୍ଗରେ ଚାଲକି ଖେଳୁଚୁ-ନାଇଁ ?"

 

କିଛି ଆଉ ଚିନ୍ତା କରିବା ପୂର୍ବରୁ ଓଲା ଗାଲ ଉପରେ ଢାଇକିନା ଚଟ୍‍କଣା ବସିଗଲା; ଓଠ ଫାଟି ରକ୍ତ ବୋହିଆସିଲା । ସେ କିନ୍ତୁ ଫିକ୍‍କିନା ହସିଦେଲା । ଆଖିକଣଗୁଡ଼ିକ ତାର ଲୋଚା ଲୋଚା ହୋଇଗଲା । ଦାନ୍ତସନ୍ଧ।ରୁ କହିଲା–"ହଜୁରଙ୍କ ପାଇଁ ଏ ଗୋଲାମ୍ ? କ'ଣ ନ କରିପାରେ ସରକାର !"

 

ମୁଲ୍‍ଚାନ୍ଦ୍‌ ଧଡ଼ାସ୍‌କିନା ଠିଆହେଇପଡ଼ିଲା–ଖୁବ ସୁନ୍ଦର, ଖୁବ୍‌ ଭଦ୍ର । ଓଲା ଆଉ ନଉଠି ସେମିତି ପଡ଼ିରହିଲା । ସେ ଜାଣିଚି ଯେ ଏମିତି ଗୋଟାଏ ଦିନ ଆସିଯିବ । ତା'ର କଲିକତାରେ ଗରିଆହାଟରେ ସାତଟି କୋଠା, ଦୁଇଟି ଚାଉଳ କଳ, ତିନିଟି ମାଲଗୋଦାମ, ମୁଲ୍‍ଚାନ୍ଦ ଦାଉଁମାରି ମାଡ଼ିବସିଚି ଏ ସମସ୍ତ ସମ୍ପତ୍ତି । ଶେଷରେ ତା'ର ବିବିକୁ ଜବରଦସ୍ତ ଉଠେଇ ମଧ୍ୟ ନେଇଚି । କେହି କିନ୍ତୁ ଜାଣନ୍ତି ନାହିଁ ମୁଲଚାନ୍ଦ୍‌ ନେଇଚି ବୋଲି; ଦୋଷ କରାମତ୍ ମିଆଁ ର । ତାକୁ ଲୋକ ଲଗେଇ ମୁଲ୍‍ଚାନ୍ଦ୍‌ ଖୁନ୍ କରିଛି । ହାମିଦ୍ ସେଇ ଦିନଠୁ ଯାଜପୁରକୁ ଆସି ମୁଲଚାନ୍ଦର ନୌକର ବନିଚି । କିଛି ଦିନ ସେ ଓଲା ସାଜି ବିମଳବାବୁ ଘରେ ଚାକିରି ମଧ୍ୟ କରିଚି । ତା' ଉପରେ କଡ଼ା ନଜର ! ତା' ଭିତରେ କିନ୍ତୁ ନିଆଁ ଜଳୁଚି । ସେ ଦିନେ ନା ଦିନେ ସବୁ ଶୁଝିଦେବ ।

 

ଶୁଝିବା ସମ୍ଭବ ହୋଇପାରୁନାହିଁ । ମୁଲଚାନ୍ଦ୍‌ ତା' ଚାରିଆଡ଼େ ସାତପୁର ପାଚେରି ଘେରେଇ ରହିଛି । ତାକୁ ଚୌଦ ଖୁନ୍ ମାଫ୍ । ସେ ଯାହା ଇଚ୍ଛା ତା' କରିଗଲେ ତାକୁ ଘୋଡ଼େଇବାକୁ ଲୋକ ଅଛନ୍ତି । ସେମାନେ ଜେଲ ଯିବେ, ଫାଶୀରେ ଚଢ଼ିବେ । ସେଭଳି ମେଣ୍ଢାଙ୍କୁ କିଣିବାକୁ ତା'ର ପଇସା ଅଛି । ନୂଆ ଚକ୍‍ଚକିଆ ଶହେଟଙ୍କିଆ ନୋଟ୍ ବିଡ଼ାଏ ଧରି ବାହାରିଗଲେ ତା' ହସ ଆଉ ଚିକ୍‍କଣ ଚେହେରା ମିଶେଇ ସେ ଏ ସାରା ସରକାରକୁ ଆମୂଳଚୂଳ କିଣିନେଇପାରିବ । ସେ ଓଜନ କରି ରଖିଚି କାହାର କେତେ ଦର; କିଏ କେତେଖଣ୍ଡ ନୋଟ୍‍ରେ ନଇଁଯିବ । ଜୟନ୍ତ ବେଟା ଭାବିଚି ଯେ ମୁଲଚାନ୍ଦ୍‌ ତା' ଦୋସ୍ତ । ଶାଲା ବେକୁବ୍ ! ସୋନ୍ଧି ତାକୁ ଘଣ୍ଟାକ ଭିତରେ ହଜମ କରିଦେଇପାରେ । ହାମିଦ୍‌ର ମନେପଡ଼ିଗଲା, କେମିତି ସେ ବାଲିମେଳା କଣ୍ଟ୍ରାକ୍‍ଟ ନପାଇଲା ଦିନ ହସିଥିଲା । ଜୟନ୍ତ ଲାଗିପଡ଼ି ସବୁ ଅଫିସର୍ ଘରକୁ ଯାଇ ଧର୍ସେ କର୍ଷନ ଜୀ ପାଇଁ ଲଢ଼ିବା ସେ ଜାଣିଚି । ସେ ଖବର ହାମିଦ୍ ଆସି ଜଣେଇଚି । ତା' ଦୁଇଦିନ ପରେ ଲଚ୍ଛନ୍ନା ଆସିଚି ବାହାରରୁ । ମୁଲଚାନ୍ଦ୍‌ ଏବେ ଗହୀର ପାଣିରେ ବୁଡ଼ିଚି । ତା'ର ଚାଲ୍ ଜାଣିବା ହାମିଦ୍‌ ପାଇଁ ମଧ୍ୟ ସମ୍ଭବ ନୁହେ ।

 

ସୋନ୍ଧି ନୀରବରେ ସିଗ୍ରେଟ୍‌ କୁହୁଳଉଚି । ବାହାରେ ମେଘର ଗୁରୁଗୁରୁ ଗର୍ଜନ । ହାମିଦ୍ ହାତ ଉଠେଇ ତା' ଓଠରୁ ରକ୍ତର ଧାର ସୁଦ୍ଧା ପୋଛିଦେଉନାହିଁ କି ଆଖିରେ ପଲକ ପକଉନାହିଁ, ସେମିତି ଅନେଇ ରହିଛି ଆଉ ଗୋଟିଏ ରାଜ୍ୟକୁ ।

 

ମୁଲଚାନ୍ଦ୍‌ ସକ୍‌କିନା ଛୁରୀ ଫିଟେଇବା ଭଙ୍ଗୀରେ ଗୋଟାଏ ବିଡ଼ା ଶହେଟଙ୍କିଆ ନୋଟ୍ ଫିଙ୍ଗି ଦେଲା ଟେବୁଲ ଉପରକୁ । ହାମିଦ୍‌ର ଖାଲି ଆଖିକୁଣ କୁଞ୍ଚେଇଗଲା । ସେ ବୋଧହୁଏ ସେମିତି ଟିକିଏ ହସିଦେଲା । ଆହୁରି ବିଡ଼ାଏ ସେମିତି ଫୋପାଡ଼ି ଦେଇ ମୁଲଚାନ୍ଦ୍‌ ଘଣ୍ଟା ଦେଖି ଚାଲିଗଲା ନିଃଶବ୍ଦରେ । ହାମିଦ୍‌ ଚାହିଁନାହିଁ ମୁଲ୍‍ଚାନ୍ଦକୁ କିମ୍ବା ଫୋପଡ଼ା ହୋଇଥିବା ଦୁଇଟା ନୋଟବିଡ଼ାକୁ ।

 

ସେ ଜାଣିଲା ଯେ ମୁଲଚାନ୍ଦ୍‌ ଯେମିତି ତାକୁ କାମରୁ ବରଖାସ୍ତ କରିଦେଇ ଚାଲିଗଲା–ଆମ୍ବ ଖାଇସାରି ଚୋଚଡ଼ା ଚୋପାଟାକୁ ଫିଙ୍ଗି ଦେଇ ସେ ଚାଲିଗଲା । ହାମିଦ୍‍ର ମୁହଁ ଉପରେ ମେଘ ଘୋଟି ଆସିଲା-ଆଖି ଉପରେ ବର୍ଷା-ବିଦ୍ୟୁତ୍‌ ଫାଟିପଡ଼ିଲା । ସେ ଅଣ୍ଟାରୁ ଛୁରୀଟାଏ କାଢ଼ି ନୋଟ୍‌ଗୁଡ଼ାକୁ ହତ୍ୟା କରିଗଲା । ପ୍ରତ୍ୟେକ କାଗଜରୁ ତିନୋଟି ଲେଖାଏଁ ସିଂହ ଅନେଇରହିଲେ । କୌଣସି ନୋଟ୍‍ରୁ ରକ୍ତ ଝରିଲା ନାହିଁ । ହାମିଦ୍‌ ଭିତରେ ଗର୍ଜିଉଠିଲା ଖୁବ୍ ପୁରୁଣା ଗୋଟିଏ ସ୍ପର୍ଦ୍ଧିତ ତୈମୁର୍‍ଲଙ୍ଗ । ଢେଗା ଆଖିଯୋଡ଼ାକ ମନ୍ଦାରପାଖୁଡ଼ା ପରି ଫାଟିପଡ଼ିଲା । ଅନ୍ଧ ଉତ୍‍କ୍ଷିପ୍ତ ହୋଇ ଛୁରୀରେ ସେ ଭୁଷିଦେଇଗଲା ସେ ଆକାଶଟାକୁ, ଟେବୁଲର ଚକ୍‍ଚକ୍ କନା, ସୋଫାର ଗଦି ଫଡ଼ା ଫଡ଼ା ହୋଇ ଓଲାରିଗଲା । ଭୋକିଲା ଶାର୍ଦ୍ଦୁଳଟାଏ ବୁଦାମୂଳକୁ ଝାମ୍ପମାରିଉଠିଲା ତା'ର ଶିକାର ଉପରକୁ । ହାମିଦ୍‌ ଝପଟିଗଲା କବାଟ ଆଡ଼େ । କବାଟ ଆରପଟେ ଖୁବ୍ ଲମ୍ବା ଭିତର ବାରଣ୍ଡା । କିଛି ଦୂରରେ ସିଲ୍‍କ ପଞ୍ଜାବି, ଧୋତି ଓ ସିଗାରେଟ୍ ଧୂଆଁର ଚିକ୍‍କଣ ଲହରିଟିଏ ଭାସିଯାଉଥାଏ । ହାମିଦ୍ ତା' ଜୋତା ଭିତରୁ ହୁଗୁଳି ଆସିଲା; ଜିଭ ବୁଲେଇ ଚାଟିନେଲା ବହଳିଆ ରକ୍ତର ଧାରଟାକୁ-। ନିଗିଡ଼ି ଆସିଲା ସବୁ ଚେତନା ଦୁଇଟା ଅସ୍ଥିର, ଉତ୍ତପ୍ତ, ଝାଳ-ସରସର ଲୋମଶ ଗୋଡ଼ ଭିତରକୁ; ସଣ୍ଢୁ ଆଶି ପରି ଟାଆଁ ସା ଧରିଯାଇଥିବା ଦୁଇଟା ପଞ୍ଝା ଭିତରକୁ । ତରଳ ଫେଣ ଗଜଗଜିଆ ହିଂସ୍ରତା ଆଖିଦୁଇଟାରୁ ଫାଟିପଡ଼ୁଥାଏ, ବିଜୁଳି ପରି ସିକ୍‌ସିକ୍‌ ଝରିଯାଉଥାଏ । ଦାଢ଼ୁଆ ଛୁରୀର ମୁନବାଟେ । କାନ୍ଥ ଦେହକୁ ଲେସିହୋଇ ହାମିନ୍ ଚହଟିଗଲା ମାତ୍ର କେତେଟା ନିଃଶବ୍ଦ ଖେପାରେ-। ଗୋଟିଏ କବାଟ ଫିଟାଇ ମୁଲଚାନ୍ଦ୍‌ ପଶିଗଲାବେଳକୁ ହାମିଦ ଛାଇପରି ତା' ପଛରେ ପ୍ରାୟ ଲାଗିଗଲାଣି ।

 

ସବୁଯାକ ରକ୍ତ ଧପ୍‍ଧପ୍ ହୋଇ ମୁହଁ ଉପରକୁ ଉତୁରି ଆସିଲା । କାନବାଟେ ଝାଇଁ ଝାଇଁ ଧାସ ପିଟିଲା । ପଞ୍ଜରା ଉପରେ ହାତୁଡ଼ି ବାଡ଼େଇ ହେଲା; ସତେ ବା ଝଡ଼ିପଡ଼ିବ ହାଡ଼ଚମର ପାତଳ ପଞ୍ଜୁ ରିଖଣ୍ଡ ।

 

ସେଇଟା ମୁଲଚାନ୍ଦ୍‌ର ଖାସ୍‌ କାମେରା । ସମସ୍ତଙ୍କର ବିଶ୍ୱାସ ଯେ ସେଇଠି ପାଞ୍ଚ ଛଅଟା ଗୁପ୍ତଦ୍ୱାର ରହିଛି । ଦୈବାତ୍‌ କବାଟ ଆଡ଼େ ପଛକରିଦେଇ ଠିଆରହିଛି ମୁଲଚାନ୍ଦ୍‌ । ତା' ମୁଣ୍ଡ ଉପରକୁ ପହଁରିଯାଉଛି ସିଗ୍ରେଟ୍‌ ଧୂଆଁ ର ମୋଟା ମୋଟା କୁଣ୍ଡଳୀ ।

 

ନିଆଁ ର ଶିଖା ଝୋଟଗଦା ଉପରକୁ ଧାପିଗଲା ପରି ହାମିଦ୍‌ ଡେଇଁପଡ଼ିଲା ଏଇ ବୋଧହୁଏ ଛୁରୀଟାକୁ ବସେଇଦେବ ।

 

କିନ୍ତୁ କ'ଣଟାଏ ତାକୁ ଖପ୍‍କିନା ଧରିନେଲା ତଣ୍ଟିରୁ । ତା' ଡାହାଣ କଚଟିଟାକୁ ମୋଡ଼ିନେଲା ତା' କବ୍‍ଜା ଭିତରକୁ । ସକ୍‍କିନା ବୁଲିପଡ଼ିଲା ମୁଲଚାନ୍ଦ୍ । ସେହି ମୁହୂର୍ତ୍ତଟା ଯାହା ସାପ ଚମକିଲା ପରି ତା'ର ଦେହସାରା ଥରିଗଲା । ତା'ପରେ କିନ୍ତୁ ସେ ଖୁବ୍ ସ୍ଥିର, ଅବିଚଳିତ ଠିଆରହିଲା ଧୂଆଁ ର ଫଣା ତୋଳି ।

 

ଉହୁଙ୍କି ଗର୍ଜିଉଠୁଥାଏ ହାମିଦ୍‌; କିନ୍ତୁ ସ୍ୱର ବାହାରି ପାରୁନଥାଏ ତା' ଗଳା ଭିତରୁ । ଗବ୍‍ଗବ୍ ତା' ବୁକୁ ଉପରେ ପାତଳ ଛୁରୀଟାଏ ମୁଠି ପର୍ଯ୍ୟନ୍ତ ବାରମ୍ବାର ବୁଡ଼ିଯାଇ ବାହାରିଆସିଲା-। ଅଜାଡ଼ି ହୋଇଗଲା ରକ୍ତ । ବେକର ଶିର ଦୁହିଁହୋଇ ମୁହଁ ଉପରେ ଫାଟିପଡ଼ିଲା-। ପ୍ରତିବାଦ କରି ଝାଳସରସର ଗୋଡ଼ ଓ ସଣ୍ଢୁ ଆଶି ପରି ହାତ ଦୁଇଟା ଛଟ୍ ଛଟ ହୋଇ ଓହଳିପଡ଼ିଲେ; ହାଣଖିଆ ଛେଳିଟାଏ ପରି କୁଢ଼େଇ ହେଇ ପଡ଼ିଲା ହାମିଦ୍‌ । ତା' ଉପରକୁ ନିଘା ରଖି ଠିଆରହିଲେ ଦୁଇଟା ଗେଞ୍ଜି ପିନ୍ଧା ଲୋମଶ ଛାଇ ।

 

ଧୋବ ଧୋତି ଓ ସିଲ୍‌କ ପଞ୍ଜାବିର ସ୍ନିଗ୍‌ଧ ମାର୍ବଲ ଖମ୍ବ ଉପରେ ଅତି ଧୀରେ ମୁକୁଳି ଯାଉଥାଏ ଧୂଆ ର ତୋରଣ । ହୀରା ମୁଦି ଝଟକୁଥାଏ; ଝଟକୁଥାଏ ସିଗ୍ରେଟ୍‌ର ନିଆଁ । ତଳେ ଝଟକୁଥାଏ ଅଭିଯୋଗ, ପ୍ରତିହିଂସା ଓ କ୍ରୋଧର ଦି'ଖଣ୍ଡ ଜଳନ୍ତା ଅଙ୍ଗାର ପରି ହାମିଦ୍‍ର ପଲକହୀନ ଆଖି ।

 

ଖୁବ୍‌ ଧୀରେ ଭାରି ଭଦ୍ରଭାବରେ ମୁହଁ ବୁଲେଇ ମୁଲ୍‌ଚାନ୍ଦ ପୁଣି ଘଣ୍ଟା ଦେଖିଲା । ସିଗ୍ରେଟ୍‌ ଟଣାଚାଲିଥାଏ । ଛାଇ ଦୁଇଟି ନିଃଶବ୍ଦରେ ନଇଁପଡ଼ି ଘୋଷାରି ନେଇଗଲେ ଝାଳ ଓ ରକ୍ତରେ ସର୍‍ସର୍ ଢେଗାଆଖିଆ ଓଲାଟିକୁ । ଏ ଲଢ଼େଇରେ ସେ ହାରିଯାଇଛି । ତା' ଉପରେ ଗୋଟାଏ ଦୁର୍ମଦ ଚକ ମାଡ଼ିଯାଇଛି । ସେ ପ୍ରତିବାଦ କରିଛି ସାରା ସୃଷ୍ଟି ବିରୁଦ୍ଧରେ । କିନ୍ତୁ ତା'ର ସବୁ ସରିଗଲା, ସେ ସରିଗଲା; ଅଥଚ କେହି ପଦେ ତୁଣ୍ଡ ଫିଟେଇଲା ନାହିଁ ତା' ସପକ୍ଷରେ । ଜଙ୍ଗଲରେ ମିରିଗଟାରେ ନିରୀହ ମାଉଁସ ଲୋଭରେ ତା' ତଣ୍ଟି କଣା କରି ରକ୍ତ ପିଇଗଲେ କାହାର କିଛି କ'ଣ କହିବାର ଥାଏ ? ଅନ୍ଧ, ହିଂସ୍ର, ନିର୍ମମ ଏ ଜଙ୍ଗଲରେ ପରମ୍ପରା; ନଖ, ଦାନ୍ତ, ଲାହୁଡ଼ର ଜୋର୍‍ରେ ଏଠି ଚାଲେ ଜୀବନର ସଂଗ୍ରାମ । ଏଠି ହାମିଦ ହାରିବା କଥା–ଆଜି ନୁହେଁ, ଏମିତି ସେ ବରାବର ହାରିଆସିଛି । .ଢେଗାଆଖିଆ ଲୋକଟିଏ ତ, ଆଉ ବା କ'ଣ ହୋଇଥାନ୍ତା !

 

ପ୍ରତିବାଦ କଲା ପରି ଗର୍ଜିଉଠିଲା ଆକାଶରେ ମେଘ । ମୁଲ୍‌ଚାନ୍ଦ ପୁଣି ଘଣ୍ଟା ଦେଖିଲା-ସେମିତି ତଳକୁ ମୁହଁକରି ଡାକିଲା ‘‘ଲ ଚ୍ଛ ନ୍ନା !’’

 

ଛପ୍‌କିନା ଆସି ସେ ଛାଇରୁ ଗୋଟାଏ ଆଗରେ ଠିଆହୋଇଗଲା ।

 

"ପାଞ୍ଚ୍‌ ମିନିଟ୍‌ ମେ ଗାଡ଼ି ତୟାର କରୋ । କୁଛ୍‌ ଦୂର ଭି ଯାନା ହୈ । ଓ ପାହାଡ଼ୀକେ ଉପର୍‌ ଢଲାନ୍‌ କୋ ପାର୍ କର୍‌କେ ଯାନା ହୈ । ତୁମ୍‌ ଭି ତୟାର୍‌ ହୋ ଯାଓ । ସାଥ୍‌ ଦୋଠା ରିଭଲଭର ଲେକେ ଯାନା ଏକ୍‌ ମେରେ ଲିଏ ।’’

 

ଗୁରୁଗୁରୁ ହୋଇ ମେଘ ପୁଣି ଗର୍ଜିଲା । ମୁହୂର୍ତ୍ତକେ ପାଇଁ ଲଚ୍ଛନ୍ନା ଅନ୍ୟମନସ୍କ ହୋଇ, "ଜୀ ହଜୁର୍" କହି ଆଡ଼ ହୋଇଗଲା । ମୁଲଚାନ୍ଦ୍‌ ସେମିତି ଠିଆରହି ସିଗାରେଟ୍‌ ଶୋଷିଲାଗିଥାଏ ।

 

"ଭାରି ସାହସ ଶଳାର । ରହ, ମୁଁ ତୋତେ ଠିକ୍ ବନେଇଦେଉଛି । ନିମକ୍‍ହାରାମ, କ'ଣ ନା ଧର୍ସେ କର୍ଷନ୍‌ ଜୀ ଟଙ୍କା ଦେଇ ତୋତେ କିଣିଛି–ନା ? ଦେଖ୍‌ଲୁଂଗା ତେରେ କୋ–ତୁ ଆଜି ନା ତା'ଟଙ୍କା ନେଇ ରାଜଧାନୀକୁ ରାତାରାତି ଯିବୁ ? ଆଚ୍ଛା ଠିକ୍‌, ହୈ-ଦେଖ୍‍ଲୁଂଗା !’’

 

ଅଫିସରମାନଙ୍କ କ୍ଲବରେ ଆଜି ଡିନର୍‌-କ୍ରିଷ୍ଣମୂର୍ତ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାକୁ ଡିନର୍‌-। କ୍ରିଷ୍ଣମୂର୍ତ୍ତି ଭଲ ଓଡ଼ିଆ କହନ୍ତି । କହିଲେ ବୁଝିହୁଏ । ତାଙ୍କ ପତ୍ନୀ ଭଲ ଗିଟାର୍ ବଜାନ୍ତି । ତା’ଠୁ ଭଲ ଇଂରାଜୀ କହନ୍ତି, ଗାଡ଼ି ଚଳାନ୍ତି । ସବୁଠୁ ଭଲ ବାଛି ଜାଣନ୍ତି ବିଦେଶୀ ପାନୀୟ । ତାଙ୍କ ସୁପାରିସ ନହେଲେ ମୁଲଚାନ୍ଦ ସୋନ୍ଧି କ୍ଳବକୁ ମାଲ ଯୋଗେଇ ପାରେନା ।

 

ମିସେସ୍ କ୍ରିଷ୍ଣମୂର୍ତ୍ତିଙ୍କ ଡାଡ଼ି ନେଭିରେ କାପ୍‌ଟେନ୍ । ବାପ ସାଙ୍ଗରେ ସେ ଅନେକ କ୍ଳବ୍‍କୁ ଯାଇଛନ୍ତି । ପେ' ଡେ' ମାନେ ଦରମା ପାଇବା ଦିନ ଡିନର୍‌ ତାଙ୍କରି ଅବଦାନ । ସେଦିନ ସବୁ ଅଫିସର ପୁରୁଣା ବାକିଆ ଶୁଝିଦିଅନ୍ତି; ପୁଣି ଅନୁକୂଳ କରନ୍ତି ନୂଆ ହିସାବ । ଆଖିରେ ଯେତେବେଳେ ଖାଲି ସରାବ ଦିଶେ, ଗାଲିଚା ଉପରକୁ ସମସ୍ତେ ଫିଙ୍ଗି ଦିଅନ୍ତି ନିଜ ନିଜ ଗାଡ଼ିର କଞ୍ଚିଥୋଲା, ଫିଙ୍ଗି ଦିଅନ୍ତି ପୁରୁଣା ସଙ୍କୋଚ, କୁ-ସଂସ୍କାର, ଲୋଚାକୋଚା ଅନାଧୁନିକ ସଂସ୍କୃତିଟାକୁ-। ସେତେବେଳକୁ ସେମାନଙ୍କ ପତ୍ନୀମାନଙ୍କ ଆଖିରେ ମଧ୍ୟ ଛଳଛଳ ସରାବ୍‍ର ହୋରିଖେଳ । ସେମାନେ ଗୋଟେଇ ନିଅନ୍ତି ଚାବିଥୋଲା ସାଙ୍ଗରେ ଏକ ନୂଆ ଆଭିଜାତ୍ୟର ସ୍ଵେଚ୍ଛାଚାର । କିଏ କାହା ଭାଗରେ ପଡ଼ିଯାଏ । ଲଟାରି ଉଠାଣ ପରି ରୋମାଞ୍ଚକର ଉତ୍କଣ୍ଠା ଓ ଅନିଶ୍ଚିତତା । ତା' ଆରଦିନ ଚିହ୍ନାଚିହ୍ନି ହୋଇ ଅଦଳବଦଳ ପରେ ଯେ ଯାହା ବସାକୁ ଫେରିବା ପର୍ଯ୍ୟନ୍ତ ଖୁବ୍ ଗୋଟାଏ ନିଃସଙ୍କୋଚ ମନର ଚତୁଷ୍କୋଣ ଉଛୁଳେଇଲା ପରି ଉନ୍ନତ୍ତି ଅନୁଭୂତି ।

 

ମିସେସ୍‌ କ୍ରିଷ୍ଣମୂର୍ତ୍ତି ଚାଲିଯାଉଥିବା କ୍ଳବ ପକ୍ଷରେ ଅପୂରଣୀୟ କ୍ଷତି । ମିସେସ୍ କ୍ରିଷ୍ଣମୂର୍ତ୍ତିଙ୍କର ତୁଳନା ନାହିଁ । ମିସେସ୍ କ୍ରିଷ୍ଣମୂର୍ତ୍ତି ଚାଲିଗଲେ କ୍ଲବରେ ନୈତିକ ବଳ ଭାଙ୍ଗିପଡ଼ିବ ।

 

କିନ୍ତୁ ମିଷ୍ଟର କ୍ରିଷ୍ଣମୂର୍ତ୍ତିଙ୍କ ପାଇଁ ଆଜି ଡିନର୍‌ ହେଇଚି । ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆହେବ । ସେଥିପାଇଁ ଅନେକ ଚର୍ବିଳ କୁକୁଡ଼ା ପର ଛାଡ଼ିଦେଇ ସାତଖଣ୍ଡ ହୋଇ ବାମ୍ଫ ଛାଡ଼ୁ ଛନ୍ତି । ଅନେକ ସ୍ଵିଚ୍‌ ହ୍ୱିସ୍କିର ବୋତଲ ଉପରେ ଜମିଯାଇଚି ହେମାଳ ଧୂଆଁ । ସମସ୍ତେ ମଣ୍ଡଦିଆ କଲର ଉପରେ ବେକଟିମାନ ଠିଆକରି ରଖିଛନ୍ତି । ଜୋତା ଚମକୁଛି, ନିଶ ଚମକୁଛି, ଖୋସା ଚମକୁଛି ବିଭିନ୍ନ ଚିକ୍‍କଣ ଉପଚାରରେ ।

 

ବିଶେଷ ଉତ୍ସବର ପରଦା ଝୁଲୁଛି । ବବୁର୍ଚି ପିନ୍ଧିଛନ୍ତି ଉତ୍ସବର ପୋଷାକ । ଚାରିଆଡ଼େ ପାତଳ ଝରଝର ଆଲୁଅ; କିଣ୍‌ କିଣ୍‌ ପାତଳ କାଚଗ୍ଳାସରେ ସମାରୋହ ।

 

ଧଳା ମୁରୁମ୍‌ ଉପରେ ମଚ୍‌ମଚ୍‌ ହୋଇ ଚାଲିଆସୁଛନ୍ତି ଏମ୍ବାସେଡ଼ର, ଫିଆଟ, ଷ୍ଟାଣ୍ଡାର୍ଡ଼-! ଓହ୍ଲେଇ ଆସୁଛନ୍ତି ଡାକ୍ତର ଘୋଷ, ସୁନିଲିବାବୁ, ଅନିଲବାବୁ, ଶ୍ରୀନ୍ନିବାସନ, ଶାସ୍ତ୍ରୀ, ମିସ୍ତ୍ରି, ଘଡ଼େଇ ଓ ପ୍ରଧାନ । ବିଭିନ୍ନ ବାସ୍ନା, ବିଭିନ୍ନ ରଙ୍ଗ । ମିଷ୍ଟର ମିସେସ୍‌ଙ୍କର ଭିଡ଼ ଅନେକ ।

 

‘‘ହେଲୋ ଶ୍ରୀନ୍ନି ବାସନ୍‌ ପରିଡ଼ା କାହିଁ ?’’

‘‘ହଁ, ହଁ, ପରିଡ଼ା ପରିଡ଼ା, ଜୟନ୍ତ ପରିଡ଼ା କାହିଁ ? ସେ କାହିଁକି ଆଜି ଆସିନାହାନ୍ତି ।

 

ଜଣେ କିଏ ଗ୍ଳାସରୁ ସୋଡ଼କାଏ ଚାପି ଦେଇ କ'ଣ ଆସ୍ତେ କହିଦେଲା । ସେଇ ପାଖରେ ସାତ ଆଠ ଖିଅ ପୁରୁଷ ଏବଂ ନାରୀ କଣ୍ଠର ହସ ହା-ହା, ହି-ହି ହୋଇ ଗୁନ୍ଥି ହୋଇଗଲା; ଛାତରେ ବାଜି, କାନ୍ଥରେ ବାଜି ବୁଣିହେଇଗଲା । ଅନେକ କୌତୂହଳୀ ଚକ୍‌ଚକ୍‌ ଜୋତା ସେଇ ଆଡ଼କୁ ନିବୁଜ ଚିକ୍‍କଣ ଥୋଡ଼ି ଟେକି ପାଖେଇ ଆସିଲେ । ଶୁଣିପାରିଲେ ସେମାନେ ବି ଟିକିଏ ହସିନେବେ ।

 

ଦାବି ହେଲା ଯେ କଥାଟା ପୁଣି କୁହାଯାଉ-ସମସ୍ତଙ୍କ ଆମୋଦ ପାଇଁ କୁହାଯାଉ ।

 

ଜଣେ କହିଲା, "ଜର୍‍ସି‌ ଷଣ୍ଢକୁ ଅଯଥା ଖର୍ଚ୍ଚ କରାହେଉଛି ଶୁଣି ସେ ଯାଇଛନ୍ତି ତଦନ୍ତ କରିବାକୁ ହେ-ହେ-ହେ !!

 

‘‘ଯାଇଛନ୍ତି ଲୁଲୁଂ ଡାକବଙ୍ଗଳାରେ ପୂର୍ଣ୍ଣଯୋଗ ଟ୍ରେନିଂ ଦେବାକୁ ! ହେ-ହେ-ହେ-ହେ ହା-ହା !!

 

‘‘ଯାଇଛନ୍ତି ତାଙ୍କ ବାଲ୍ୟବନ୍ଧୁ ବିଶ୍ୱମ୍ଭର ମଙ୍ଗରାଜକୁ ଖୋଜିବାକୁ ।’’

‘‘ଯାଇଛନ୍ତି ରାଜଧାନୀ କାହାକୁ ମାରିବେ କାହାକୁ ତାରିବେ ।’’

 

ହସର ଜୁଆର ଆଉ ସମ୍ଭାଳିବା କଠିନ । କ୍ଳବ୍‍ର କାନ୍ଥବାଡ଼ ଛାତ ଗାଲିଚା ସବୁ ହୁ–ହୁ, ହେ–ହେ, ହି–ହି ହୋଇ ହସିଲାଗିଛନ୍ତି । ହସିବା ଗୋଟାଏ ଫେସନ । ଏମିତି ହସି ନପାରିବା, ହସି ହସି ପାଖରେ ଯେ ଥାଉ ତା' ଉପରକୁ ଲୋଟି ନପଡ଼ିବା ଗାଉଁଲିଆ ମକୁନ୍ଦିଆ ଅଭ୍ୟାସ ।

 

ନିଶାରେ ହସରେ ସମସ୍ତଙ୍କ ମୁହଁ ଲାଲ-ଜରଜର ।

 

ପଶିଆସିଲା ଜୟନ୍ତ । ତା ଗାଡ଼ି ଆସିବା କେହି ଶୁଣିନାହିଁ । ତା' ମୁହଁ ମଧ୍ୟ ଅସ୍ୱାଭାବିକ ଗମ୍ଭୀର, ଆପାତତଃ କୌଣସି ଜରୁରୀ ପରିସ୍ଥିତିର ନାଲି ଚିଠାଟିଏ ଓହଳି ରହିଛି ତା' ଆଖି ଉପରକୁ-

 

ହସ ଥମିଗଲା । ତା' ପାଖକୁ ଲାଗି ଘେରିଗଲେ ଅନେକ କୌତୂହଳୀ ଜୋତା ସମସ୍ତଙ୍କର ଥୋଡ଼ ଗୋଜିଆ, ଚକ୍‍ଚକ୍ ନିବୁଜ । ଘଣ୍ଟା ଦେଖିନେଇ, ଚାରିଆଡ଼କୁ ଅନାଇ ଅନିର୍ଦ୍ଦିଷ୍ଟ କାନ୍ଥକୁ ସେ ପଚାରିଲା, "କ୍ରିଷ୍ଣମୂର୍ତ୍ତି କାହାନ୍ତି ? ଆଇ ଏମ୍ ସରି ! ମୁଁ ଆଉ ରହିପାରୁନାହିଁ । ଭାରି ଅର୍ଜେଣ୍ଟ, ମୁଁ ଏଇ ସାଙ୍ଗେ ସାଙ୍ଗେ ଚାଲିଲି ।"

 

‘‘କ’ଣ ହେଇଚି ?’’ ‘‘କ’ଣ ହେଇଚି ?’’ ‘‘ମୁଁ ସାହାଯ୍ୟ କରିପାରେ କି’’ ଶିଷ୍ଟାଚାରର ଅଭ୍ୟାସରେ ପଚାରିଦେଇଗଲେ କାନ୍ଥଗୁଡ଼ାକ ।

 

‘‘ନୋ ଥାଂକସ୍‌ ! ଟିକିଏ ଦୟା କରି ମିଷ୍ଟର ମିସେସ୍‌ କ୍ରିଷ୍ଣମୂର୍ତ୍ତିଙ୍କୁ କହିଦେବେ ମୁଁ କାଲି ବରଂ ତାଙ୍କୁ ତାଙ୍କ ଘରେ ଦେଖାକରି ମାଫି ମାଗିନେବି ।’’

 

ସିଗାରେଟ୍‌ର ପାଉଁଶ ପରି ଗଦା ଗଦା ଗୁଡ଼ାଏ ଅସୁସ୍ଥ ନୀରବତା ।

‘‘ଆଚ୍ଛା ମୁଁ ତା’ହେଲେ ଆସେ ।’’

 

ଗୋଟାଏ ନମସ୍କାର ଏବଂ ଗୋଟାଏ ହସକୁ ଚାରିଦିଗକୁ ସ୍ପ୍ରେ କରିଦେଇ ଜୟନ୍ତ ପରିଡ଼ା ଠପ୍‌ ଠପ୍‌ ବାହାରିଗଲା । ଗାଡ଼ି ସାଇଁକିନା ଚାଲିଗଲା ରୋଡ଼ ଉପରକୁ ।

 

କଳା ପେଣ୍ଟ, ଧଳା କାମିଜ୍‌ ପିନ୍ଧି ଗୁଡ଼ିଏ ପ୍ରଶ୍ନବାଚୀ ଠିଆରହିଗଲେ ପରସ୍ପରକୁ ଅନେଇ, ପରସ୍ପରକୁ ଆଉଜି ଆଢ଼ୁଆଳ କରି ।

 

ସେଇ ଝଙ୍କାଳିଆ ବରଗଛମୂଳେ ଗାଡ଼ି ହଠାତ୍‌ ରୋକି ଦେଇ ଜୟନ୍ତ ପରିଡ଼ା କିଛି ହ୍ୱିସ୍କି ସାମାନ୍ୟ ପାଣିରେ ପିଇନେଲା । ସୋଡ଼ା ତା'ର ଭୟଙ୍କର ନାପସନ୍ଦ, ସେଥିରେ ଚାଇଁଟା ମରିଯାଏ-। ତା'ପରେ ଅନ୍ଧାରରେ ଦରାଣ୍ଡି ନେଲା ଉପରତଳ ସବୁଯାକ ମୁଣା–ଚାବି, ଟଙ୍କା ରିଭଲ୍‌ଭର୍ ବାଆସ, ସବୁ ଠିକ୍‌ ଅଛି ।

 

ପିକକିନା ବିଜୁଳି ମାରିଦେଲା । ଘଡ଼ଘଡ଼ି । ଗୁମୁଗୁମୁ ଗର୍ଜିଉଠିଲା ମେଘ ।

 

‘‘ହା-ହା-ହା, ମୁଁ କେଆର୍‌ କରେନା । ସବ୍‌ ସାଲା ଇଡ଼ିଅଟ୍‌ । ସେ ମାଈ ଶାଲା, ବିଶ୍ୱମ୍ଭର-ତା’ ବାପ୍‌ ଶାଲା କୁଆଡ଼େ ଆମର ବି ବାପ୍‌ ଆମେ କୁଆଡ଼େ ବାଷ୍ଟାର୍ଡ଼-ଶାଲା ଏଠି କିଏ ବାଷ୍ଟାର୍ଡ଼ ନୁହେଁ ? ଯଦି ନୁହେଁ ଆମେ ତାକୁ ବାଷ୍ଟାର୍ଡ଼ ବନେଇଦେବା । ହୁଃ ବିମଲ୍‌–ସେ ଆଉ ଗୋଟାଏ ଇଡ଼ିଅଟ୍‌ । ରୋଜିଟା କିନ୍ତୁ ମିସେସ୍‌ କ୍ରିଷ୍ଣମୂର୍ତ୍ତିଠଉଁ ଢେର୍ ଭଲ ଓଃ ଢେର୍‌ ଢେର୍‌ ଭଲ ।’

 

ଗାଡ଼ି ସହର ଛାଡ଼ି ମେନ୍‌ ରାସ୍ତା ଧରିଲାଣି । ଆକାଶରେ ହୁଡ଼ ହୁଡ଼ା ହେଇ ନିର୍ଜଳ ମେଘ ଘେରିଆସିଲାଣି । ପବନ ହାଉ ହାଉ ପଶିଆସୁଚି ଗାଡ଼ି ଭିତରକୁ । ଝଡ଼ଟାଏ ହେଇପାରେ ।

 

‘‘ଧର୍ସେକୁ ଆମ ମନହେଲେ ସବ୍‌ ଦେଇଦବୁ-ତୁ ଶାଲା ମୁଲଚାନ୍ଦ୍‌ ମାରବାଡ଼ି କୋନ୍‌ ହୈ ନାହିଁ କରିବାକୁ । ଧର୍ସେର ସେ ଝିଅଖଣ୍ତକ ! ଆଃ !’ ଗାଡ଼ି ହଠାତ୍‌ ଶହେ କିଲୋମିଟର ଛୁଇଁଗଲା, ପୁଣି କମିଆସିଲା । ସେ ଇଡ଼ିଅଟ୍ ବୁଢ଼ାଟା ନାଁ କ'ଣ–ଜୟରାମ ତା'ର ବି ସେ ରାନିଟା ବଢ଼ିଆ ମାଲ୍‌ ଖଣ୍ଡେ । ଶଳା ତାକୁ ଜଗି ଜଗି ଶେଷକୁ କେଉଁ ଅପନ୍ତରାରେ ନେଇ ଛାଡ଼ିଆସିଲା-ବାଷ୍ଟାର୍ଡ଼ !’

 

‘ଧର୍ସେ କହୁଚ ରାଜଧାନୀରେ ବଙ୍ଗଳା ତୋଳିଦେବ । ମୁଲଚାନ୍ଦ ଯେଉଁଟା ଦେବ ବୋଲି କହୁଚି ତା'ଠୁ ଆହୁରି ବଢ଼ିଆ । ହୋଇପାରେ ଧର୍ସେର ହ୍ୱିସ୍କିଯାକ ଖାଣ୍ଟି ସ୍କ୍‍ଚ- ଆଃ; ଭାରି ଶୋଷ ।’

 

ଗାଡ଼ି ପୁଣି ରହିଗଲା । ଗାଡ଼ି ଭିତରଯାକ ଅଜସ୍ର ଶୁଖିଲା ଶୋଷ । ଜିଭ ତାଳୁକା, ଗଦିର ରେକ୍‍ସିନ୍ ସବୁ ଶୁଖିଲା ଖଡ଼୍‍ଖଡ଼୍ । ଟଳ୍ ଟଳ୍ ଟଳ୍ ହୋଇ ନଇଁଆସିଲା ନିର୍ମଳ ଧାର । ଆକାଶରେ ଅନେକ ମେଘ, ସୁ-ସୁ ପବନ; କିନ୍ତୁ ଟୋପାଏ ବୋଲି ପାଣି ନଇଁଆସୁନାହିଁ । "ନଆସୁ ଶାଲା !' ଗାଡ଼ି ପୁଣି ଚାଲିଲା ।

 

"ହା, ଦେଖାଯାଏଗା । ହାଇଦର୍‌ ବୋଲି ଗୋଟାଏ କିଏ ନୂଆ ଆସିଛି । ସେ କୁଆଡ଼େ ଶଳା ଫାଇଲ ଛାଡ଼ୁନାହିଁ ମାଲ୍‍ପାଣି ନହେଲେ । ଶଳା କ'ଣ କୋଡ଼ିଏ ଖଣ୍ଡରୁ ଅଧିକ ଚାହିଁବ ? ଶଳାକୁ ପୋତିଦେବି । ଦେଖିବା କେମିତି ଛାଡ଼ିବ ନାହିଁ ! ଧର୍ସେ ତ ମନ୍ତ୍ରୀଙ୍କ ଝିଅ–ବିଭାକୁ ନିମନ୍ତ୍ରଣ ପାଇଥିଲା । ସେଇଟା ଗୋଟାଏ ବଡ଼ ପଏଣ୍ଟ–ଶାଲା ହବ ନାଇଁ, ଯିବ କୁଆଡ଼େ ! ଧର୍ସେ ଦେଇଜାଣେ, ଖୁବ୍ ଦେଇଚି, ଏମିତି ଦେଇଚାଲିଥିବ । ଏ ହିରାମୁଦିଖଣ୍ଡ ସମସ୍ତଙ୍କ ଆଖି ଫିଟେଇ ଦେଇଚି । ଶଳେ ମରିଯାଉଛନ୍ତି ସହି ନପାରି । ବବେ, ଯାହାକୁ ଯାହା ମନହେଲା ସେ ଭାବଦୋସ୍ତିରେ ଦେଇଗଲା–ସେଥିରେ କ'ଣ ଦୋଷ ହେଇଗଲା ? ସେ ଶଳା କିନ୍ତୁ ଚାହୁଁ ଚି ଆହୁରି ଦିଅନ୍ତା, ଧର ଗୋଟାଏ ଅଳଙ୍କାର ସେଟ୍ ନା ନା, ଯେଉଁଟା ମୁଁ ରୋଜିକୁ ତା' ଆରଦିନ ଦେଇଥିଲି, ତା' ଚାଇ ଆହୁରି ଦାମୀ କିନ୍ତୁ କାହାକୁ ଦବ ? ଗୋଟାଏ ମିସେସ୍ ପରିଡ଼ା ଥିଲେ ସିନା ହୁଅନ୍ତା ହୁଡ଼ା ହୁଡ଼ା ହସ ନାହିଁ ପାଖରୁ ଗଡ଼ିଆସି ବାହୁ ଦୁଲୁକେଇଦେଲା ।

 

‘ମିସେସ୍‌ ପରିଡ଼ା ହା-ହା-ହା, ନନ୍‌ସେନ୍‍ସ ! ଗାଡ଼ି ଭିତରେ ନିଜ ହସଟା ତାକୁ କେମିତି ଗୋଟିଏ ଶୁଭିଲା ମେଘ ଗର୍ଜିଲା ପରି ଗୁରୁଗୁରୁ ହୋଇ ।

 

"ମୋତେ ବିଭା ହବାକୁ କାଇଁକି ସବୁ ଲଗେଇଛନ୍ତି । ଏମିତି ଗୋଟାକ ସାଙ୍ଗେ ଛନ୍ଦିଦେଲେ ସେ ଶାଳୀ ମୋତେ ଜଗିବ ଆଉ ଏ ସମସ୍ତେ ନିସ୍ତାର ପାଇଯିବେ, ନା ? ମୁଁ ତ କାହାକୁ ଛାଡ଼ିବି ନାହିଁ । ଏ ସମାଜରେ ସାମ୍ୟ ଆସିବ, ସମ୍ପର୍କରେ ଆଉ କିଛି ସଂକୋଚ ରହିବ ନାହିଁ–ସେଥିପାଇଁ ସବୁ ବାଡ଼ବନ୍ଧ ଭାଙ୍ଗିବାକୁ ମୁଁ ପଣ କରିଛି ସମସ୍ତଙ୍କ ଘରେ ଅନ୍ତତଃ ଗୋଟିଏ ଗୋଟିଏ ନମ୍ବରଦାର ବାଷ୍ଟାର୍ଡ଼ ସୃଷ୍ଟି ନହେବା ପର୍ଯ୍ୟନ୍ତ । ସେମାନେ କଥାଟା ବୁଝିପାରୁନାହାନ୍ତି ଯେ ଏଇଟା କେଡ଼େ ସ୍ୱାଭାବିକ, କେତେ ସରଳ, ଆଉ କେତେ ଚମତ୍କାର ! ଏ ଶଳା ବାହ୍ମୁଣିଆଗଣ୍ଡାକ ବେଶି ଅଭିଜାତ ଦେଖାଉଚନ୍ତି । ଗୋଟାଏ ନୁହେଁ, ପୁଞ୍ଜାଏ ବ୍ରାହ୍ମୁଣୀଙ୍କୁ ବେଦିରେ ଜୟନ୍ତ ପରିଡ଼ା ବିଭା ହୋଇ ବସାଘରକୁ ଆଡ଼େଇ ଦେବ । ସେଗୁଡ଼ିକ ସବୁ ଅନେଇ ରହିଥିବେ ମୋର ଅନୁଗ୍ରହକୁ-। ଗେଲକରି କାଖେଇବେ ମୋର ଅସଂଖ୍ୟ ସନ୍ତାନ । ସେଗୁଡ଼ାକର ଅଜା ଚିତାଚଇତିନିଆ ଅମୁକ ଆଚାର୍ଯ୍ୟ, ସମୁକ ଶତପଥୀ ହା-ହା ସରକାରୀ ଚାକିରିରେ ଥାଇ କୁଆଡ଼େ ଗୋଟାକରୁ ଅଧିକ ବିଭା ହେଇପାରିବ ନାହିଁ ! ହୁ-ହୁ ହା-ହା ଗୋଟା ଗୋଟା କରି ଛାଡ଼ପତ୍ର ଦେଇ ବସାଘରେ ବାନ୍ଧିରଖିଲେ ହବ ନାଇଁ ? ସେମାନେ ଝିଅ ଦେବେ ନାଇଁ ? କିଏ ଶାଲା ଦବ ନାଇଁ ? ମୁଁ ବଡ଼ ଅଫିସର । ମୋର ଧନ ଅମାପ, ପ୍ରତିପତ୍ତି ଅମାପ । ମୁଁ ସରକାରକୁ ଶହେଥର କିଣି ଶହେଥର ବିକିଚି; ଆହୁରି ବିକିବି । ଜାପାନ ଗଲି ବାଣିଜ୍ୟଚୁକ୍ତି କରିବାକୁ । ଜର୍ମାନୀ ଯିବି କ'ଣ ଗୋଟାଏ କାରିଗର ଟିମ ଆଣିବାକୁ; ଆମେରିକା ଯିବି; ସରକାରର ଯୋଗ୍ୟ ଅଫିସର, ସରକାରର ପ୍ରତିନିଧି । ମୁଁ ହିଁ ନା ମାଲିକ୍ ! ଶାଲା, ଚନ୍ଦାମୁଣ୍ଡିଆ କ୍ରିଷ୍ଣମୂର୍ତ୍ତି ମୋ'ଠୁ କ'ଣ ସିନିଅର ? ସିନିଅର କ'ଣ ବେ ? ତୁ ଶଳା ଆଗରୁ ଜନ୍ମ ହୋଇଗଲୁ ବୋଲି ? ସେଥିରେ ଶଳା ତୋର କ'ଣ ବାହାଦୁରି ଅଛି ? ପ୍ରତିଭା ତୋର କାହିଁ, ଦେଖା । ତତେ ଶାଲା ଲାଇଫ୍‌ ଡିଭାଇନ୍ ଦେଲେ ତୁ ତାକୁ ପଢ଼ି ବୁଝିପାରିବୁ ? ଶାଲା ଛୋଟ୍‌ଲୋକ୍‌ କାହାଁକା ?

 

ଗାଡ଼ି ପୁଣି ଛପ୍‍କିନା ରହିଗଲା । ଶୋଷ ଜମା ମେଣ୍ଟୁ ନାହିଁ । ଯେତେ ପିଇଲେ ଆଉରି ଆଉରି ତେଜିଉଠୁଚି । ଅସମ୍ଭାଳ ବୈଶାଖୀ ଶୋଷ । ମଣିଷର ଆଦିମ ନାଭିକେନ୍ଦ୍ରରୁ ଏହାର ତୀବ୍ର ଶ୍ୱାସ ଭଉଁରି କାଟି ଉଠିଆସୁଚି । ତାକୁ ଯେତେ ଆବରଣ ଦେଇ ଘୋଡ଼େଇଲେ ମଧ୍ୟ ସେ ମଝିରେ ମଝିରେ ଫୁଟି ବାହାରିପଡ଼ୁଚି । କେତୋଟି ଢୋକ ସରାବ୍‍ରେ କ'ଣ ଏ ଅମାପ ଶୋଷ ମେଣ୍ଟି ପାରେ ? ପାଟିରେ ସରାବ୍ ପଡ଼ୁ ପଡ଼ୁ ରକ୍ତରେ ତାତି ଚଢ଼ିଯାଏ, ମୁଣ୍ଡ ଭିତରେ ଧୂଆଁ ଭରିହୋଇଯାଏ । କିଛି ସମୟ ବୁଡ଼ିଯାଏ ତୃଷାର ଖରଧାର ।

 

‘ମୁଁ କ’ଣ କରିବି ବା ନକରିବି, ସେଥିପାଇଁ ଆଉ ଜଣେ କାହିଁକି ଆଦେଶ ଦେବ ? ନ୍ୟାୟ-ଅନ୍ୟାୟର ନାଲି ନେଳି ପେନ୍‌ସିଲ୍‌ ଧରି ମୋର ଆଚରଣ ବା କଥା ବାର୍ତ୍ତା ଉପରେ ଚିହ୍ନ ମାରିବାକୁ ଏ ଶଳେ କିଏ ? ଏ ସଂସାର ଚତୁର ଲୋକଙ୍କ ପାଇଁ; ବଳୁଆ ଲୋକଙ୍କ ପାଇଁ । ଏଠି ଯେ ଯେତେ ଫାଇଦା ଉଠାଇନେଇପାରିଲା, ପରିସ୍ଥିତିକୁ ନିଜ ଉଦ୍ଦେଶ୍ୟ ହାସଲରେ ଯେତେ ଖଟେଇପାରିଲା–ସିଧାସଳଖ କଥାଟା ଏମିତି ବୁଝିଗଲେ ଆଉ ମାଳି ଗଡ଼େଇବାର ପ୍ରୟୋଜନ ନାହିଁ । ମାଡ଼ ଖାଇ ତା' ଉପରେ ବୃଥା ମଇଲମ ଲଗେଇବା କାହିଁକି ?–ଶାଲା ନ୍ୟାୟ, ଧର୍ମ ! ହାତଗୋଡ଼ ବାନ୍ଧି ମଣିଷକୁ ଘୁଷୁରି କରିବା ପାଇଁ ଏସବୁ ଗୋଟିଏ ଗୋଟିଏ ପଘା ! ବ୍ଲଡ଼ି ଫୁଲ୍‌ସ୍‌, ମନେ ମନେ ଶଳେ ସ୍ୱର୍ଗ ଭୋଗିଯାଉଚନ୍ତି । ମନ୍ଦିରରେ ଖଣ୍ଡେ ପଥରକୁ ଡାକି ଡାକି ଶଳାଙ୍କ ଦିହକ ବିତିଯିବ । ଉଲ୍ଲୁ ! ଭଲ କହିବେ ନାହିଁ, ଭଲ ପିଇବେ ନାହିଁ । ଯେତିକି ଚାରିଆଡ଼ୁ ଖେଞ୍ଚା ଖାଇବେ, ଯେତିକି ଡହଳବିକଳ ହେବେ–ସେତିକି କୁଆଡ଼େ ପୁଣ୍ୟ ହେଇଗଲା ! "ପିଉଥ' ବେ ଚଳେ ଚଳେ ଶୂନ୍ୟ–ତୁମକୁ ଯେ ଠକି ଭଣ୍ଡି ଲୁଟି ଖାଇଯାଉଛନ୍ତି ତାଙ୍କ ପାଇଁ କୌଣସି ବିଳାସ ତ ବାରଣ ନଥିଲା-? ତମକୁ ଅନ୍ଧପୁଟୁଳି ବାନ୍ଧି ନେଇ ଖୁଣ୍ଟ କୁଣ୍ଢେଇ ବସେଇ ଦେଇଛନ୍ତି; ମାରି ଖାଇଯାଉଛନ୍ତି ତୁମର ଧନମାନ; ସମ୍ପତ୍ତି ତାଙ୍କୁ ନର୍କଗତି ହବ ? –ହା-ହା-ହା–ବେହିଆ ଶଳେ ଏତକ ଜାଣିପାରୁନାହଁ ସେ ନର୍କଫର୍କ ସେଇ ଅନ୍ଧପୁଟୁଳିଆ ଖୁଣ୍ଟରୁ ଫାଳେ ? ଆବ୍‍ବେ; ଏଇଠି ସାଉଁଟି ଖାଇଯାଅ; ମନଇଚ୍ଛା ବଞ୍ଚିଯାଅ । ପ୍ରତି ମୁହୂର୍ତ୍ତରେ ଲଦିଦେଇଯାଅ ରୋମାଞ୍ଚର ବଣିଜ । ଯାହା ସୁଆଦ ଲାଗୁଚି ବାଛି ବାଛି ଖାଇଯାଅ । ଯଦି ବାହୁରେ ଜୋର୍ ଅଛି ଭିଡ଼ିଆଣ, ଉଞ୍ଚିଆଣ, ତୋଟିରେ ଗୋଡ଼ ମଡ଼େଇ ମାଡ଼ିଯାଅ । ମୁଁ ମୋର ବିସ୍ତୃତ ଫର୍‍ମାଏସ୍ ସଂସାରଠାରୁ ନେବି; ମୋର ବିସ୍ତର ଇଚ୍ଛା ସବୁ ପୂରଣ କରିବି । ଏ ଜୀବନ ନ ଅଣ୍ଟିଲେ ତାକୁ ବିଜ୍ଞାନରେ ହେଉ, ଯୋଗବଳରେ ହେଉ, ଦଶଗୁଣ, ପନ୍ଦରଗୁଣ, ଶହେଗୁଣ କରି ଶେଷକୁ ଅମର କରି ଭୋଗିବି ନିଜକୁ, ମୋ ଚାରିଆଡ଼େ ଓହଳିରହିଥିବା ଅଜସ୍ର ରସୁଆଳ ଫଳର ସମ୍ଭାରକୁ । –ମଝିରେ ମଝିରେ ଯଦି ମନହେଇଯାଏ ତ କିଛି ସଙ୍ଗୀତ, କିଛି ଯୋଗ ଦର୍ଶନ ମଧ୍ୟ ହ୍ୱିସ୍କି ସାଙ୍ଗକୁ ପିଆଯାଇପାରେ । ଏଠାରେ ଏହାହିଁ ଚରମ ସତ୍ୟ ଏବଂ ଏହାହିଁ ଶେଷ–ୟା'ପରେ ଆଉ ଗୋଟାଏ ବସିଚି ! –ଖମ୍ବଆଳୁ–ମୋ ପାଇଁ ବିଲରେ ଚଷା ଖଟିବ । ସେମିତି ପଞ୍ଝେ ମୋ ପାଇଁ ଶାସ୍ତ୍ର ଲେଖିବେ, ପଢିବେ । ମୋର ମନହେଲା ମୁଁ ଶୁଣିଲି, ପଢ଼ିଲି; ନହେଲା ନାହିଁ । ସେ କିଛି ବାଧ୍ୟବାଧକ ନୁହେଁ । ମୁଁ ବ୍ୟବହାର କରିଜାଣିଲେ ରୋଜି ଭଳି ନଇଁଆସିବ ସବୁ ମନ୍ଦିର-ଦେବତା, ଶାସ୍ତ୍ର ଦର୍ଶନ, ଶାସନ, ସରକାର । ସବୁକୁ ମୁଁ ନୁଆଇଁଆଣି ଶୋଷି ଦେଇ ଛାଡ଼ିଦେଇପାରେ । –ମୁଁ ମେଣ୍ଢା ହୋଇପାରିବି ନାହିଁ; ଗୋଠ ଭିତରେ ସେଇଠି ମୁତି, ହଗି, ଖଣ୍ଡିଏ କୁଟାକୁ ପଞ୍ଝାଏ ଚୋବେଇସାରିଲା ପରେ ମୁଁ ବାକିତକ ଖାଇ ବଞ୍ଚିପାରିବିନାହିଁ । ମୋ ଦାନ୍ତସନ୍ଧାରେ ମାଂସର ଖିଅ ଲାଖି ନ ରହିଲେ, ମୋ ଜିଭରେ ରକ୍ତର ଲୁଣିଆ ସ୍ୱାଦ ନ ଲାଗିଲେ ମୁଁ ବଞ୍ଚିବାକୁ ବଞ୍ଚିବା ମଣେନାହିଁ । ମୁଁ ସିଂହ ପରି ବଞ୍ଚିବି-। ମୁଁ ଆଲେକ୍‌ଜାଣ୍ଡାର । –ଯେତେ ବେଶି ଲୋକଙ୍କ ଉପରେ ସେ ଦଳିଚକଟି ଠିଆହୋଇପାରିଲା, ସେ ସେଇ ଯୁକ୍ତିରେ ବୀର–ସେଇ ଅନୁପାତରେ ବୀର ।

 

ପାହାଡ଼ ଚୂଳରେ ଓହ୍ଲେଇ ଆସିଲା ଗୋଟିଏ ତଳମୁହାଁ ଶାଳଗଛ ପରି ବିଜୁଳି । କଡ଼ କଡ଼ ହୋଇ ଭାଜିପଡ଼ିଲା ବଜ୍ର । ନଦୀଧାର ପରି ପବନର ସୁଅ ମାଡ଼ିଆସିଲା ସୁ-ସୁ ହୋଇ ।

 

ଗାଡ଼ିଭିତରେ ଆଲୁଅ ଟିପିଦେଇ ଘଣ୍ଟାକୁ ଅନେଇଲା ଜୟନ୍ତ ପରିଡ଼ା ।

 

‘ଡାମ୍‌ ଇଟ୍‌ ! ଜମ୍ମା ସାଢ଼େ ଦଶଟା ! ଦେଖିବା,ଏଇଟା ଯାଉ ପାରିହେଇ । ପ୍ରବଳ ଆଗରେ ଲଇଁଯିବା ଜୟନ୍ତର ମୂଳ ନୀତି । ମନ୍ତ୍ରୀଙ୍କ ପି. ଏ. ସହିତ ଆଗରୁ କଥାବାର୍ତ୍ତା ସରିଛି । ସେ ରାତାରାତି ଡକେଇଛନ୍ତି; ନହେଲେ ସରକାର କୁଆଡ଼େ ଦଶଟା ଭିତରେ ଦିଲ୍ଲୀ ବାହାରିଯିବେ । ସେଠାକାର ଗୋଟିଏ ଛୋଟିଆ ବନ୍ଧୁ ମିଳନ ପାଇଁ ଧର୍ସେ ଟଙ୍କା ପାଞ୍ଚହଜାର ଜୁଆ ଲଗେଇଦେଇଛି-। ପାର୍ଟି ଚାଲିଥିବ । ତା'ପରେ ପି. ଏ. ଦେଖାକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇସ୍-ଶାଲା, ରାତି ପାହିଲେ ଆଉ କ'ଣ ସବୁ ଓଲଟିଯାଇପାରେ, ଏଇ ଭୟରେ ଅନ୍ଧାରେ ଅନ୍ଧାରେ ଡକେଇନେବାକୁ ତା'ର ବୋଧହୁଏ ମତଲବ । ଆମର ମଧ୍ୟ ପ୍ରାୟ ସେଇ ମତଲବ, ନୁହେଁ କି ? ତା' ବାହାରେ ଏଠି ଅନ୍ଧାରରେ ବୁଡ଼ାମାରି ସେଠି ଆଲୁଅରେ ବାହାରିବା ମଧ୍ୟ ଗୋଟାଏ ବଢିଆ କାରସାଦି । ଗୋରୁ ସିବା କିଏ ଅଛି ଯେ ଜାଣିଶୁଣି ଦିନ ଦି'ପହରେ ଆଲୁଅଟାକୁ ଅପେକ୍ଷା କରି ବସିଥିବ ?

 

ତେବେ ଏଇ ଟିକକ ପରେ, ଘାଟମଙ୍ଗଳା ନା କ'ଣ–ସେଇଠେଇ ଗାଡ଼ି ରଖିଦେଇ ଅପେକ୍ଷା କରିଗଲେ ହୁଏ । ସାରା ରାତି ପୁଣି ଅଛି ।

 

ଧୂଳି ଓ ପବନରେ ସୁଅ କାଟି ଉଠିଆସିଲା ଜୟନ୍ତ ପରିଡ଼ାର ଫିଆଟ୍‌ ।

 

ସୁଜାତା ଭାଇ ସାଙ୍ଗରେ ବାପଘରକୁ ଆସିବା ବୋଧହୁଏ ପନ୍ଦରଦିନ ହେଇଗଲାଣି । ଦେହ ତଥାପି ଭାରି ଦୁର୍ବଳ । ବେତ ଚୌକିଟି ଉପରେ କ୍ଳାନ୍ତ ସନ୍ଧ୍ୟା ବିତେଇଲାବେଳେ ତା'ର ଉଦାସ ଆଖିଯୋଡ଼ିକରେ ଅତୀତର ଅଗଣିତ ଅତିଥି ରୁଣ୍ଡ ହୋଇଯାନ୍ତି । ସେ ଅସମ୍ଭବ ଭିଡ଼ ଠେଲି, ବର୍ତ୍ତମାନର ଦୁର୍ବଳ ନାବାଳକ ମୁହୂର୍ତ୍ତଗୁଡ଼ିକ ଆଉ ପଶିପାରନ୍ତି ନାହିଁ । କେହି ଜଣେ ଆସି ଠିଆହେଲେ ତାକୁ ଅପେକ୍ଷା କରିବାକୁ ପଡ଼େ ଚିହ୍ନଟ ହେବାକୁ ।

 

ବାପଘର ଉଜୁଡ଼ିଯାଇଛି ! ସାନଭାଇଟା ଏମିତି ନିଶାଖୋର, ଜୁଆଚୋର ଯେ ତାକୁ କିଛି ଅଣ୍ଟୁ ନାହିଁ । ତା’ ତଳ ଭାଇ ସ୍କୁଲ ଛାଡ଼ି ଚାଲିଆସିଲାଣି, ଛୋଟ ଛୋଟ ଚୋରି କରି ମାଡ଼ଖାଇଲାଣି । ବୋଉର ଆଉ ଆଗଭଳି ପିନ୍ଧାପିନ୍ଧି ନାହିଁ; ଅନେକ ସମୟରେ କାନ୍ଦୁଛି । ସେଦିନ ରାତି ନଅଟାବେଳେ ସୁଜାତା କାନରେ ପଡ଼ିଲା–"ହମ୍ ନେହିଁ ମାଗ୍‍ତା କିସୀକୋ' -କାହିଁକି ସେଥିରୁ ଗୋଟେ ମୁଁ ପୋଷିବାକୁ ଯିବି ? ମୋ ପାଖରେ ପଇସା ନାହିଁ ।’’ ଏ ସ୍ୱର ସରୋଜର ।

 

ବୋଉ ଦବାଗଳାରେ କହିଲା, "ଆରେ, କେଡ଼େ ପାଟି କରୁଚୁ ? ସେ ଶୁଣିଲେ କ'ଣ ଭାବିବ ?"

 

‘‘ଭାବିଲେ ଭାସିଗଲା ସେଇଠୁ । ମୋ ପାଖରେ ପଇସା ନାହିଁ ।"

 

ଦୁମୁଦୁମୁ ହୋଇ ଏକମୁହାଁ ସରୋଜ ଚାଲିଗଲା ଘରୁ । ସୁଜାତା ଆଖି ବୁଜି କିଛି ଶୁଣି ନଥିବାର ଅଭିୟନ କରି ପଡ଼ିରହିଲା ।

 

ଘରେ ପଇସା ତ ନାହିଁ । ବେଙ୍କରେ ନାହିଁ ? ଲକ୍ଷେ ଟଙ୍କା ବାପା ରଖିଥିଲେ ନା କ'ଣ-?

 

ବୋଉର ଅଳଙ୍କାର କିଛି ନାହିଁ ? –ଜମିରୁ କିଛି କ'ଣ ଘରକୁ ଆସୁନାହିଁ ?–ବଡ଼ ଆଶ୍ଚର୍ଯ୍ୟ କଥା ।

 

"ବୋଉ, ଟିକିଏ ଶୁଣିବୁ !"

 

ଅପ୍ରସ୍ତୁତ ହେଲା ପରି ଆଖି ପୋଛିଦେଇ ଆସି ଠିଆହେଲେ ମାୟାଧର ରାୟଙ୍କ ବିଧବା ପତ୍ନୀ । –ଏଇନା, ବୟସ ଥିଲାବେଳେ ଚାଲିଗଲେ ଲୋକେ ଲେଉଟିପଡ଼ି ଅନଉଥିଲେ–କ୍ଳବ୍‍ରେ ୟା'ଙ୍କ ସାଙ୍ଗେ ଟିକିଏ କଥା ହେଇପାରିଲେ ବଡ଼ ବଡ଼ ଅଫିସର ନିଜକୁ କୃତାର୍ଥ ମଣୁଥିଲେ-? –ସୁଜାତାକୁ ମୂଳରୁ ଅଭିଜାତ ସମାଜରେ ଚଳିଶିଖିବାକୁ ଏଇ କେତେ ଆଗ୍ରହୀ ଥିଲେ । ଜୟନ୍ତକୁ ପ୍ରଶ୍ରୟ ଦେବା ଲୋକ ମଧ୍ୟ ଏଇ । –ଦେହ ଶୀର୍ଣ୍ଣ । ଆଖି ନଇଁଆସିଲାଣି । ଖଣ୍ଡେ ମୁହଁନଥିବା ଧଳା କସ୍ତା ପିନ୍ଧି ଠିଆ ହେଇଚି ଆଉ କିଛି ନାହିଁ ।

 

ଅଯାଚିତ ଭାବରେ ଗୋଟିଏ ଦୀର୍ଘଶ୍ୱାସ ଦୁହିଁଙ୍କ ମଝିରେ ମୁହୂର୍ତ୍ତେ ଠିଆହୋଇ ଚାଲିଗଲା ।

‘‘କେତେ ପଇସା ଦରକାର, ମୁଁ ଦଉଚି ।

‘‘ଆରେ ନାଇଁ, ସେ ପାଗଳଟା କଥା ଶୁଣିଲୁ କି ? ସେଟା କିଛି ଜାଣେନାହିଁ ।"

 

‘‘ମୋତେ ଆଉ ଲୁଚେଇ ଲାଭ କ’ଣ ? ଖାଲି ସରୋଜର ଜୁଆ ପାଇଁ ତ ସବୁ ନିଅଣ୍ଟ ! ଯଦି ନିଶା ମଧ୍ୟ ଆଉ ଭାଗେ ମାଗିବସେ ତେବେ ସମ୍ପତ୍ତି ସାରିବାକୁ କେତେ ଘଡ଼ି ଲାଗିବ ?"

 

ବୋଉ ସେଇ ଚଉକି ପାଖେ ତଳେ ଆଣ୍ଠେଇପଡ଼ିଲେ । ଝିଅ କୋଡ଼ରେ ଖୁବ୍‌ ଅସରାଏ ଅସହାୟତା ଲୁହର ଜୁଆରରେ ବୋହିଗଲା ।

 

‘‘ତୁ ଆଉ କାନ୍ଦୁଚୁ କାହିଁକି ? କ’ଣ ହବ ? ମୁଁ ଜାଣି ତୋର ବଡ଼ପୁଅ । ମୁଁ ତତେ ପାଖରେ ରହିବି । ମୋର ଢେର୍ ବନ୍ଧୁ ଅଛନ୍ତି । ମୋର କେବେ ଟଙ୍କାର ଅଭାବ ହେବ ନାହିଁ ।’’

 

‘‘ନା, ନା, ନା, ସେ ସବୁ ମିଛ । ତୁ ଆଉ ସେଥିରେ ମାତ୍‍ନା । ମୁଁ ସବୁ ଜାଣେ । ବିଶ୍ଵମ୍ଭର ଘର ଛାଡ଼ି ଚାଲିଗଲେ ଆଜିକି ତିନି ମାସ ହେଇଯିବ । ପିଲାଏ ଗଲେ । ଦିଗମ୍ବର ମଙ୍ଗରାଜଟା ବୁଢ଼ା । ତା' ସମ୍ପତ୍ତିର ଅଧେ ତୋର । ସେଇତକ ତୋର ସମ୍ବଳ । ଆଉ ଏ ବନ୍ଧୁ-ଫନ୍ଧୁ, କ୍ଳବ୍ ସାଙ୍ଗ ସବୁ ଦୁଇଦିନିଆ । ମୁଁ ଜାଣେ ସେମାନଙ୍କ ମତଲବ ।"

 

‘‘ଯା’ ଯା’–ମୁଲଚାନ୍ଦ୍‌ ସୋନ୍ଧି କ'ଣ ମୋତେ ଭୁଲିଯାଇପାରେ ! ଏଇ ଚାହିଁଲେ ସେ ପାଞ୍ଚ ହଜାର ପଠାଇଦେବ ।"

 

"ଉହୁଁ, କେବେ ପଠେଇଥାନ୍ତା–ଏବେ ଆଉ ନୁହେଁ । ସେମାନଙ୍କର ଚାଲବାଜି ମୁଁ ସବୁ ଜାଣେ । ତୁ ଆଉ ସେ କୁହୁଡ଼ି ପହଁର୍‍ନା ମା' ! ତତେ ମୁହିଁ ପୋଡ଼ାମୁହୀଁ ସେମାନଙ୍କ ଗୋଠ ଭିତରେ ଚଳପ୍ରଚଳ ହେବାକୁ ପ୍ରବର୍ତ୍ତେଇ ଥିଲି । ଭୁଲ ମୋର । ମୁଁ ବି ଆଖି ଥାଇ ଦେଖିପାରିନଥିଲି-।"

 

‘‘ହେଃ ତୁ ଗୋଟେ କୋଉ କାଳ ବୁଢ଼ୀ ଭଳି କ'ଣ କଥା କହୁଚୁ ମ' ? ମୁଁ ମୋ ଫ୍ରେଣ୍ଡଗୁଡ଼ାଙ୍କୁ ଜାଣିଲି ନାହିଁ ଯେ ତୁ ବେଶି ଜାଣିଲୁ ? କାଗଜ କଲମ ଆଣିଲୁ, ମୁଁ ତତେ ଦେଖେଇ ଦଉଚି–ତେବେ ଯାଇ ତୋର ବିଶ୍ୱାସ ହବ । ଯା', ଉଠ୍‌ ଯା' ।"

 

‘‘କାଗଜ ? ଏ ଘରେ କାଗଜ ଆଉ କାହୁଁ ଆସିବ ? କଲମ ବା କାହିଁକି ଆସିବ ? ଅଯୋଗ୍ୟ ପୁଅଙ୍କର କାଗଜ-କଲମରେ କ'ଣ ଥାଏ ?" ଫେରିଆସି କହିଲେ, "ଆରେ ସୁଜୁ ଏଠି କାଗଜ-କଲମ ତୁ ଗଲା ଦିନୁ ଆଉ ନାହିଁ ।"

 

‘‘ମୋ ସୁଟ୍‍କେସ୍‍ରେ ଥିବ, ଆଣୁନୁ ! –ଏଠି ଆଉ କ’ଣ ଥାଆନ୍ତା କି ?’’

 

ଲେଖିବା ପେଡ଼୍ ଆଉ ସେଫର୍ସ ଖଣ୍ଡ ନେଇ ବୋଉ ତାକୁ ବଢ଼େଇଦେଲେ । ଆଡ଼େଇ ହୋଇଗଲେ ଘର ଭିତରକୁ; ଯେଉଁଠି ସାଧରଣ ଗୁଜୁରାଣ ମେଣ୍ଟଇବାକୁ ଆଉ ପଇସାଟିଏ ନାହିଁ । ରୋଜଗାର ନାହିଁ । ଗୋଟାଏ ସୁଡ଼ଙ୍ଗରେ ପଶିଲାବେଳକୁ ଆସ୍ତେ ଆଲୁଅ ଲିଭିଆସେ । ଆଗକୁ ନିଛକ ଅନ୍ଧାର–ସବୁ ବୁଡ଼େଇଦେଲା ଭଳି ।

 

‘‘ଡିଅର ଚାନ୍ଦ ମାନେ ହଠାତ୍‌ ଏଠିକି ଆସି ଟିକିଏ ସର୍ଟ ପଡ଼ିଗଲା । ମୋର ବିଶ୍ୱାସ ଇତ୍ୟାଦି ଇତ୍ୟାଦି ।" ଟଙ୍କା ପାଇଁ କାହା ପାଖକୁ ଲେଖିବା ଏଇ ପ୍ରଥମ । ସେଠି ଅଢ଼େଇମାସ ଭିତରେ ବିଶ୍ୱମ୍ଭର ରଖିଥିବା କିଛି ପଇସା ବେଙ୍କରୁ, କିଛି ଚାକିରିରୁ ସବୁ ପୋଛାପୋଛି ହେଇଯାଇଚି ତାକୁ ଆଣିବାରେ ଜୟନ୍ତ ହିଁ ଅନେକ ସାହାଯ୍ୟ କରିଛି; ନହେଲେ ସେ ଟଙ୍କା ମିଳିନଥାନ୍ତା ।

 

ହଠାତ୍‌ ସୁଜାତା ଅନୁଭବ କଲା ଯେ ତା' ମଝିଶିରା ହାତ ଉପରେ କୁଲା କୁଲା ଶୀତ ଅଜାଡ଼ି ହେଇଗଲା । ଛାତ ଉପରୁ କିଏ ତାକୁ ପେଲିଦେଲା । ପାଦ ତିଳପା ସିର୍‌ ସିର୍‌ କରିଉଠିଲା-। ବୁକୁ ଧଡ଼୍ ଧଡ଼୍ ଅଜ୍ଞାତ ଭୟଟାଏ କାହୁଁ ଆସି ତା'ର ନୀରବ ଡେଣା ଝାଡ଼ିଦେଲା ତା' ହାତରେ ବି ଚୁଡ଼ି ନାହିଁ; ମଥାରେ ସିନ୍ଦୂର ନାହିଁ । ଦେହ ଶୀର୍ଣ୍ଣ; ଆଖି ନଇଁଯାଇଚି । ଖଣ୍ଡେମାତ୍ର ଧଳା ମୁହଁ ନଥିବା କସ୍ତା–ଆଉ କିଛି ନାହିଁ ।

 

ସୁଜାତା ଓଠ କାମୁଡ଼ି ସଳଖି ହୋଇଗଲା । ନନ୍‌ସେନ୍‍ସ୍ ! ତା' କଦାପି ହୋଇପାରେନା-! ଏମିତି କ'ଣ ସମ୍ପୂର୍ଣ୍ଣ ପରାଜୟ ମାନି ନେବାକୁ ହେବ ! ନୋ, ନୋ ! ମୋଟେ ନୁହେଁ ! ମୁଁ ଆଜି ଚାଲିଲି । ଏଠି ଏ ଦୁସ୍ଥ ଅବସ୍ଥାରେ ରହିଲେ ହିଁ ମନ ଏଭଳି ନଇଁଯିବ ।

 

ଫର୍‌ଫାର ଚିଠିଟାକୁ ଟିକି ଟିକି କରି ଚିରିଦେଲା ପରେ ସେ ତା' ନିଜ ହାତ ଯୋଡ଼ାକୁ ଦେଖି ଅଟକିଗଲା । ଇସ୍‌ ଏମିତି ଗୁଡ଼ାଏ ଶିର ତ କେବେ ଦିଶୁନଥିଲା ! ଜଣାପଡ଼ୁଚି ଯେମିତି ଏଗୁଡ଼ାକ ଆଉ ଲୁଚିବେ ନାହିଁ । ଢେର୍‌ ଦିନ ଗୋଟାଏ ଚିକ୍‍କଣ ଆଢ଼ୁ ଆଳ ପଛରେ ଏ ସତ୍ୟଗୁଡ଼ିକ ଲୁଚି ରହିବା ପରେ ଏବେ ବିଦ୍ରୋହ କରି ବାହାରି ଆସିଛନ୍ତି । ଏ ବିଦେଶୀ ମନ୍ତ୍ରୀଗୁଡ଼ାକ ଘେରିଥିବା ସମୟରେ ଏ ରାଜ୍ୟର ବନ୍ଧୁ କୁଟୁମ୍ବୀ ପାଖ ନପଶିବା ସ୍ୱାଭାବିକ । ସମସ୍ତେ ଆଡ଼େଇ ହୋଇଯିବେ–ଘେରି ଆସିବ ଶିରାବହୁଳ କେଉଟ ଜାଲ । –ହେ, ହେ, ହେ, ଏମିତି ପେସିମିଷ୍ଟିକ୍ ଚିନ୍ତା ପାଇଁ ଗୋଟିଏ ମାତ୍ର କକ୍‍ଟେଲ୍ ଯଥେଷ୍ଟ । ଡ୍ରେସିଂ ରୁମ୍‍ରେ ବସିଥିଲାବେଳେ କେବେ କେମିତି ତାଙ୍କ ମନରେ ଏଭଳି ଗୋଟାଏ ଦୁରନ୍ତ ଛାଇ ଦର୍ପଣରେ ଏ ଧାରରୁ ସେ ଧାର ଯାଏଁ ଛପ୍‍କିନା ପାରିହୋଇ ଯାଇଛି । ଏଗୁଡ଼ାକ ସବୁ ନିର୍ବୋଧ କଥା–ଯାହାର ବଞ୍ଚିବା ଭଳି କିଛି ଉପାଦାନ ନାହିଁ–ଯେ ମୂଳରୁ ହିଁ ଆସ୍ଥା ହରେଇ ବସିଛି, ତା' ପାଇଁ ଏଇଟା ଗୋଟାଏ ସତ୍ୟ ହୋଇପାରେ । କିନ୍ତୁ ଯାହାକୁ ବାହୁ ମେଲେଇ ସଂସାର ଟାକିବସିଛି; ସେ ଆଦର ସମ୍ମାନର କୁଢ଼କୁ କୁଢ଼ ଗୋଲାପ ଉପରେ ପଦ ଉକୁଟେଇ ଚାଲିଯିବ । –ଏପରି ବିଚାର ସହିତ ତାର ସମ୍ପର୍କ କ'ଣ ? ମଧୁଚକ୍ରର କେନ୍ଦ୍ରରେ ରାଣୀମାଛି ପାଇଁ ବାରବୁଲା ଜଙ୍ଗଲୀ ଜୀବନର ଅନିଶ୍ଚିତତା ନିହାତି ଆବ୍‍ସର୍ଡ଼, ଅବାନ୍ତର । କିନ୍ତୁ ସବୁବେଳେ କ'ଣ ସେମାନେ ସୁଜାତା ପାଖକୁ ଲାଗିଆସିଛନ୍ତି ? ଦଶବର୍ଷ ତଳେ ହୁଏତ ସେମାନଙ୍କ ଭିଡ଼ ସମ୍ଭାଳିବା କଷ୍ଟକର ହେଉଥିଲା । ତା ହସ ଟିକକର ଅନୁଗ୍ରହ ପାଇଁ ଆଖି ପତେଇ ଅନେକ ଭିକ୍ଷୁ ଧାଡ଼ିବାନ୍ଧିଥିବାର ତା'ର ସ୍ପଷ୍ଟ ମନେଅଛି । କିନ୍ତୁ ନିଆଁ ରଡ଼ ଉପରେ ଆସ୍ତେ ପାଉଁଶର ଆସ୍ତରଣ ରେଶମୀ ଚାଦରପରି ମଡ଼େଇ ହେଇଯାଇଛି । ଅନେଇଥିବା ଆଖିରେ ମଧ୍ୟ ଆଉ ନିଆଁ ଦହକୁନାହିଁ । ସେମାନେ ହୁଏତ ଆଉ ସେଭଳି ତାକୁ ଅନଉନାହାନ୍ତି । ମୂର୍ଖଗୁଡ଼ାକ, ମୋଟେ ବୁଝୁନାହାନ୍ତି । ଏତେ ପାଖରେ ଆସି ଠିଆହେଲେ ମଧ୍ୟ ଚିହ୍ନି ପାରୁନାହାନ୍ତି । ହେଲା ଏବେ, ହୁଏତ ଆଉ ଟିକିଏ ପରିପାଟୀ ପ୍ରୟୋଜନ ହେଉଛି କିନ୍ତୁ ସେ ହସିଦେଲେ ଏବେ କ'ଣ ଏମିତି କିଏ ହେଲାଣି ଯେ ସମ୍ଭାଳିଯିବ ? ଇମ୍ପସିବ୍‍ଲ୍ !

 

ସୁଜାତାର ଭୁରୁ ସ୍ପର୍ଦ୍ଧାରେ ତୋଳି ହୋଇଗଲା । ସେ କେପ୍‍ଟେନ୍ ବୁଢ଼ାଟା ତ ଏ ବୟସରେ ପାଟି ପାଣିଚିଆ କରି ଠିଆହେବାର ସେ ଦେଖିଛି ! ହଁ, ସମସ୍ତେ କିନ୍ତୁ ଭୋକିଲା ମଣିଷଗୁଡ଼ିଏ ! ତାଙ୍କ ଭିତରର ଅଲାଜୁକ କ୍ଷୁଧାଟିମାନ ଫୁଙ୍ଗୁଳା ଭିକାରି ପିଲା ପରି ଅନେଇ ରହିଥାନ୍ତି । ଯଥାସମ୍ଭବ କାହାକୁ ହସ ଟିକେ, କାହାକୁ କଥା ପଦେ, ଆଉ କାହାକୁ ବା ଟିକିଏ ସ୍ପର୍ଶ ସେ ବିତରଣ କରିଆସିଛି । ନ କରିବା ଅଶିଷ୍ଟାଚାର, ଅସାମାଜିକ, ଜଙ୍ଗଲୀ ମଫସଲ ଅନ୍ଧ ବିଶ୍ୱାସ-

 

ସେଭଳି କୁଳାଚାରକୁ ଘୃଣାରେ ଠେଲିଦେଇ ସୁଜାତା ପୁଣି ପଶିଗଲା କ୍ଳବ୍‌ ରୁମରେ ଉଷୁମ୍ ଭିତରକୁ । ରୋମେ ରୋମେ ପୁରାତନ ପୁଣି ଚେଇଁଉଠିଲା । ଗୀତ, ନାଚ, ବିଲିଆର୍ଡ଼ ଡାନ୍‍ସ, ଡିନର୍, ପିକ୍‍ନିକ, ମଟରଗାଡ଼ି ହାତଧରା ଓଠଧରା ଟା' ଟା' ସୁଜାତା ଆଖିରେ ଅସଂଖ୍ୟ ନିଆଁ ଝୁଲ । ପାଟି ପାଣିଚିଆ ! ହୁଃ ବୋଉ କହୁଚି ସେମାନେ ସବୁ କେହି ନୁହଁନ୍ତି ! ମିଛ କଥା । ସେମାନେ ହିଁ ବେଶି ଆପଣାର ସୋସାଇଟି ନଥାଇ ମଣିଷ ବଞ୍ଚିବ କେମିତି ? ଓ ଆଇ ସି ! ଯଦି ଜୟନ୍ତ ତାକୁ ନିଜର ବୋଲି କ୍ଳବ୍‍କୁ ନ ନିଏ ? ହେଃ ଦେଖାଯିବ ସେଇଟା ଗୋଟାଏ କ'ଣ ସମସ୍ୟା-! ମୁଲ୍‍ଚାନ୍ଦ ନେବ, ଧର୍ସେ ନେବ । ନହେଲା, ସେ କ'ଣ ନିଜେ ଯାଇପାରିବ ନାହିଁ ? ନା, ସେ ପରା ଅଫିସର ନୁହେଁ ! କୌଣସି ଅଫିସରର ସ୍ତ୍ରୀ ମଧ୍ୟ ନୁହେଁ ! –ହଁ, ସେ ଗୀତ ଗାଇବାକୁ ଯାଇପାରେ ନାଚିବାକୁ ହୁଏତ ଆଉ କାହାର ଗେଷ୍ଟି ହିସାବରେ ସେ ଯାଇପାରେ–ମାନେ ତାର ନିଜର କିଛି ଅଧିକାର ନାହିଁ । ସଟ୍‌ ଆପ୍‌ ! ସେ ଗ୍ରାଜୁଏଟ୍ ସେ ଏସ୍. ପି. ଙ୍କ ଝିଅ ! ହା, ହା, ହା, ସେ ମାନେ ମାନେ ବିଶ୍ଵମ୍ଭର ମଙ୍ଗରାଜଙ୍କ ସ୍ତ୍ରୀ ମାନେ ଜୟନ୍ତ ପରିଡ଼ାଙ୍କ ଫ୍ରେଣ୍ଡ ହା ହା ହି ହି–ସେ କ'ଣ କାହାର ରକ୍ଷିତା ? –ସେ କ'ଣ ସୋସାଇଟି ଗାର୍ଲ ? ସଟ୍‌ ଆପ୍‌ !!

 

ତୁମେ ସବୁ ଆଗକାଳିଆ ମୂର୍ଖ, ଗବା । ସ୍ୱାଭାବିକ, ଆଧୁନିକ ସମ୍ପର୍କ ତୁମେ ବୁଝି ପାରିବ କାହୁଁ ? ସେ ବେଶ୍ୟା ? –ସେ ବହୁଭୋଗ୍ୟା ? –ଓ ହୋ ହୋ–ଆଇ ସି ! ସେଇଟାକୁ ତମେ ଏତେ ଗୁରୁତ୍ୱ ଦଉଚ ନା କ'ଣ ! –ସିଲ୍‍ଲି–ଏବେ ପରା ପର୍‍ମିସିଭ ସୋସାଇଟି ହେଇଗଲାଣି–ମଣିଷ ମନଇଛା ବଞ୍ଚି ଶିଖିଲାଣି ? ତୁମେ କଣ ଜାଣିଚ ? ସେମାନେ ସମସ୍ତେ ନିଜ ପ୍ରୟୋଜନ ପରେ ଆଡ଼େଇ ହେଇଯିବେ–ପାସୋରିଯିବେ ସବୁ ସମ୍ପର୍କ–ଯାଆନ୍ତୁ ସେ କ’ଣ କେଆର କରିଛି ? ସେମାନେ ଚାଲିଗଲେ ଆଉ ଅନେକ ଆସିବେ, ଆଉ ଆସିବେ ଆଉ ଆଉ ଆଉ !

 

କେହି ରହିବେ ନାହିଁ ରହିବାର ପ୍ରୟୋଜନ ନାହିଁ ।

 

ତା' ପରେ ? କେହି ନରହିଲେ ତେଣିକି ସମ୍ପୂର୍ଣ୍ଣ ଏକାକୀ ହଉ, ଏକାକୀ ରହିବ ପାଇଁ ମୁଁ କ'ଣ ଡରିଯାଉଚି ?

 

କେମିତି ଚଳିବ ? ଟଙ୍କା ? ଘର ? ପୋଷାକ ? ଔଷଧ ?. ..ହା, ହା, ହା, ହା

 

ସୁଜାତାର ଆଖି ତରାଟି ହେଇ ରହିଗଲା । କାଠିରେ ଝୁଲୁଥିବା ଶୀତଦିନିଆ କାକର ଓଭରକୋଟ୍‍ଗୁଡ଼ିଏ ନିସ୍ପଦ ଠିଆହେଇଗଲେ–ସୋସାଇଟିର ମଣିଷ ଗୁଡ଼ିକ, ଖୁବ୍ ଦୂରରୁ ଉଠିଆସୁଥିବା ମେଘ ଗୁରୁଗୁରୁ ଗର୍ଜି ଉଠିଥିଲା, "ଆରେ ସୁଜୁ ! ଅନେକ ରାତି ହେଇଗଲା, କ'ଣ ବସି ଲେଖୁଚୁ ?" –ଆର ବଖରାରୁ ବୋଉର ସ୍ୱର ! –ସେ ସ୍ୱର ବି ଲିଭି ଲିଭି ଆସୁଚି–ଲିଭିଯିବ ଦିନେ । ତା'ପରେ ବାକି ଯାହା ରହିଯିବ ତାକୁ ନାଁ ଧରି ଡାକିବାକୁ ଆଉ କେହି ନଥିବେ । ପଉଷର ପତରଝଡ଼ା ପରେ ଅଚିହ୍ନା ଥୁଣ୍ଟାଟାଏ ସେମିତି ନୀରବ ରିକ୍ତତାର କୋହଲା ଭିତରେ ମୁଣ୍ଡ ଟେକି ଠିଆ ରହିଥାଏ–ସ୍ପର୍ଦ୍ଧାରେ ନୁହେଁ, ଅଣାୟତ୍ତରେ, ତା'ର ମଥା ଛିଡ଼ି ପଡ଼େ ନାହିଁ ବୋଲି–ବିଡ଼ମ୍ବିତ, ସମ୍ପୂର୍ଣ୍ଣ ହାରିଯାଇଥିବା, ଲୁଚିଯାଇଥିବା, ବୋହିଯାଉଥିବା ଦୀର୍ଘଶ୍ୱାସଟିକୁ ଆଉଜିଥିବା ସ୍ଥାବରଟିଏ ।

 

ମେଘ ପୁଣି ଗର୍ଜିଥିଲା ।

 

ସୁଜାତାର ଆଖି ନାକ ରୁନ୍ଧି ତାତିଲା ବାଷ୍ପ ବାଟ ପାଉନଥାଏ । ଦିଗନ୍ତ ଛୁଇଁଥିବା ଗୁଡ଼ାଏ ସବୁଜ ଫସଲ ଉପରେ ବିସ୍ତର ଲୁଣିପାଣିର ବନ୍ୟା । ତା ଭିତରେ ଅଜସ୍ର ସ୍ୱପ୍ନ ଉପରୁ ପ୍ରସ୍ତ ହୋଇ ପାଟକନାର ଆସ୍ତରଣ ସବୁ ଖସିପଡ଼ିଲା । ଭିତରର ଲଙ୍ଗଳା ମାଟିର ନିରର୍ଥକ ପିତୁଳାଟିଏ ଯାହାକୁ ସେ ନିଜେ ଟିପ ମଡ଼େଇ ଗଢ଼ିଛି । ଇସ୍, ଏଡ଼େ ବେହିଆ, ଅଲାଜୁକ, ନିମକହାରାମ୍ ହୋଇପାରେ ସଂସାର ! ଆଃ–କି ଭୟଙ୍କର !

 

ସୁଜାତାର ଆଖି ଯୋଡ଼ିକ ଯାହାକୁ ଅପଲକ ଅନେଇଛନ୍ତି ସେ ଗୋଟିଏ ଚୂନ ଧଉଳା ଖାଲି କାନ୍ଥ । ସେଥିରେ ଆଖି, ନାକ, କାନ କିଛି ନାହିଁ । ମନ ଭିତରୁ ପୁଣି ଗୋଟିଏ ସ୍ମୃତିର ଜୁଆର ଆସି ଆଖି ଉପରେ ମଡ଼େଇହୋଇଗଲା । କାନ୍ଥ ଚହଲିଗଲା ! ଦିଶିଗଲା ଘର, ପିଣ୍ଡା, ଜୟରାମବାବୁ, ରୋଡ଼୍, କାର୍, ଜୟନ୍ତ ଏତେଗୁଡ଼ିଏ ପରିଚିତ ଆପଣାର ତରଙ୍ଗଗୁଡ଼ିକୁ ଏକାସାଙ୍ଗରେ ଶୋଷି ନେବାକୁ ତା ଆଖିପତା ଯୋଡ଼ିକ ଅପସରିଗଲେ ଯେତେଦୂର ସମ୍ଭବ । –ସେ ଗହଳି ଭିତରେ ଦୁଇଟି ଭୟାର୍ତ୍ତ ଶିଶୁଛବି ଆଉ ରବି । କେଡ଼େ ଚମତ୍କାର ଦିଶୁଛନ୍ତି ସେ ବଜ୍ଜାତ୍ ଦି'ଟା ! ଆଣିବୁଟି ତୋ ଗାଲ ତୋଡ଼ିଦିଏ । ମୁଣ୍ଡ ଏମିତି ନୁଖୁରା ରଖିବା କ'ଣ ନୂଆ ଫେସନ୍ ? ହାତ ହଲିଗଲା । ସ୍ୱପ୍ନ ଚହଲିଗଲା । ଦୀର୍ଘଶ୍ୱାସଟାଏ ପୁଣି ଜମାଟ ବାନ୍ଧି ଠିଆହେଲା ଚୂନଧଉଳା ଖାଲି କାନ୍ଥଟିଏ ହୋଇ । ବ୍ଳଟିଂ ପେପର୍ ପରି ଏ କାନ୍ଥଟା ସତେ ତା'ର ସବୁଯାକ ରକ୍ତ ଶୋଷିନେବ-। ପଥରରେ କଙ୍କାଳର ଛାଇ ପରି ସେ ସେଥିରେ ଲାଖି ରହିଯିବ ଅନନ୍ତକାଳ ପାଇଁ ।

 

କପାଳ ଉପରେ ଚିକ୍‍ଚିକ୍ ହୋଇ ଝାଳ ଗଜୁରି ଆସିଲା । ସେ କ୍ଳାନ୍ତ ହୋଇ ଆଉଜିପଡ଼ିଲା ଚୌକି ଉପରକୁ । ନଇଁଆସିଲା ହୁଗୁଳା ଆଖିପତା ଦି'ଟା ଲୋଚାକୋଚା ହୋଇ ମଞ୍ଚ ଉପରୁ ଶିଶୁ ଦୁଇଟି ଆଊରି ଓହ୍ଲେଇନାହାନ୍ତି । ସେଇ ପୁଚୁ ପୁଚୁ ଗାଲ, ସେଇ ନୁଖୁରା ବାଳ, ତରା ପରି ପରି ଆଖି । ଛବି ହସୁଚି । ତା ଆଖିର ପିତୁଳା ସୂର୍ଯ୍ୟ କିରଣରେ ଝିଲିମିଲି ଦୁଇଟି ଝରଣା–କେତେ ଗଭୀର, କେତେ ନିର୍ମଳ, କେତେ ଜାଣିବାର ଛବି ସବୁ ବୁଝିଛି । ସେ ସବୁ ଜାଣେ ସେ କିନ୍ତୁ କେବେ କାହାକୁ କିଛି କହିବ ନାହିଁ । ଇସ୍, କେଡ଼େ ଭଦ୍ର ସେ ଝିଅଟା ! ଛବି ତ ଆମର ହୀରାଟାଏ ଦେଖିଲୁ, ଦେଖିଲୁ, ଏ ଶାଢ଼ିଟା ତତେ କେମିତି ମାନୁଚି ଏ ହାର ନେ ଏ ଘଣ୍ଟାଟା ବାନ୍ଧ । ଦେଖି, ଦେଖି ସେମିତି କଣ ଭୁରୁ ସଜାନ୍ତି ! ତୋ'ର ତ ସହଜେ ଟାଣିହୋଇ ରହିଛି ସେ ଯେଉଁ କାଶ୍ମୀରୀ ଝିଅଟା ଗଭର୍ଣ୍ଣର ସାଙ୍ଗେ ଆସିଥିଲା ତା'ରି ଭଳି ! ଆରେ ରହ, ଏତେ ବ୍ୟସ୍ତ କାହିଁକି ହଉଚୁ ? ଟାଇମ୍‌ ହେଇଗଲା ? –କ'ଣ ଡିନର୍ ? କିଏ ? ଜୟନ୍ତ ପରିଡ଼ା ସାଙ୍ଗେ ଯିବୁ ?

 

‘‘ନା, ନା ନୋ, ଆଇ ସେ ଇମ୍ପସିବ୍‌ଲ !’’

ଚିର୍‌ଚିରେଇ ଉଠିଲା ସୁଜାତା ।

 

ଆର ବଖରାରୁ ପାଟି ଶୁଭିଲା, "କିରେ ସୁଜୁ, କ'ଣ ହେଲା ?" ବୋଉ ଆସି ସୁଜାତାକୁ ଦେଖିଲାବେଳକୁ ସେ ଠିଆ ହୋଇ ଠକ୍ ଠକ୍ ଥରୁଚି । କାନ୍ଦିଉଠିଲେ ସେ । ଧୀରେ ନେଇ ସୁଜାତାକୁ ଖଟ ଉପରେ ଶୁଆଇଦେଲେ ।

 

ମେଘ ଗୁରୁଗୁରୁ ଗର୍ଜିଉଠିଲା ।

 

‘‘କ’ଣ ଜୟରାମ ବାବୁ ଘରେ ଅଛନ୍ତି ?’’ କହି ପଶିଆସିଲେ ଅନେକଦିନ ପରେ ବିଦ୍ୟାଧର ରାୟ ।

 

ଭଡ଼ାଘରଟି ଖୁବ୍ ଛୋଟ । ଚାଳ ଖୁବ୍‌ ନୁଆଁଣିଆ ! ମାଛିଅନ୍ଧାର ସମୟ ପାରି ହୋଇଯାଇଥାଏ । ଭିତରେ ଦିକଦିକ୍ ଜଳୁଥିବା ଚୁଲି ଆଲୁଅରେ ହଠାତ୍ ଜଣେ ଅପରିଚିତକୁ ଦେଖି ସେ ସଂକୋଚରେ ଠିଆରହିଗଲେ ।

 

ଭାରି ପାତଳ; ହାଡ଼ୁଆ ମଣିଷଟିଏ; ମେଲା ଦେହ । ଖଣ୍ଡେ ଗେରୁଆ ଗାମୁଛା ପିନ୍ଧିଛି । କିଛି ଧଳା ଦାଢ଼ି । ମୁଣ୍ଡରେ ଗୋଟିଏ ଗେରୁଆ ଠେକା । ଲଇଁପଡ଼ି ଚୁଲି ଫୁଙ୍କୁଚି । ଚୁଲି ଉପରେ ଛୋଟ ରସ ଡିବାଟାରେ କ'ଣ ହୁଏତ ସିଝୁଚି ।

 

"ଏଠି ଜୟରାମ ବାବୁ ନାହାନ୍ତି ? –ପ୍ରଶ୍ନ କଲେ ବିଦ୍ୟାଧର ରାୟ । ଖୁବ୍ ଛୋଟ ହସଟିଏ ଏବଂ ସେଇଭଳି ଛୋଟ ଉତ୍ତରଟିଏ, "ନାହାନ୍ତି" । ବିଦ୍ୟାଧର ରାୟ ଚାଲିଯାଉଥିଲେ–ପୁଣି କଣ ଭାବି ଲେଉଟିଲେ । ସ୍ୱରଟା ତ ଖୁବ୍ ପରିଚିତ । ସେ ଦୋଦୋପାଞ୍ଚ ହୋଇ ଠିଆହେଲେ ।

 

ହଠାତ୍‌ ଚମକିପଡ଼ି କହିଲେ–"କିଏ ? ଜୟରାମବାବୁ !" କହୁ କହୁ ଲଥ୍‍କିନା ବସିପଡ଼ିଲେ ଭୂଇଁ ଉପରେ । ତାଙ୍କ ପାଟି ଓହଳିପଡ଼ିଥିଲା ବିସ୍ମୟରେ ।

 

‘‘ବସନ୍ତୁ, ମୁଁ ଭଲ ଚା’ କରିଜାଣିଲିଣି–କପେ ପିଇ ଯିବେ ।’’

 

ବିଦ୍ୟାଧର ରାୟ ଲେଡ଼ାମାରି ପାଖକୁ ଘୁଞ୍ଚି ଆସି ଅନେଇଲେ । ସରୁଦାଢ଼ି, ଗେରୁଆ ଠେକା, ମଝିରେ ଜୟରାମ ବାବୁଙ୍କ ସେଇ ଆଖି, ସେଇ ହସ ! ବୋଧହୁଏ ତିନି ଚାରି ମାସ ହୋଇଯିବ, ସେ ତାଙ୍କୁ ଦେଖି ନଥିଲେ । ବିଦ୍ୟାଧର ରାୟଙ୍କ ଆଖିକୁ ଲୁହ ଆସିଗଲା । ଓଠ ଥରି ନାକରୁ ପାଣି ବୋହିଗଲା ।

 

ଜୟରାମଙ୍କ ମୁହଁରେ ସେମିତି ନିର୍ମଳ ହସଟିଏ । ସେ ନିଃଶବ୍ଦରେ ତାତିଲା ରସଡ଼ିବାଟିକୁ ଓହ୍ଲେଇ ନେଲେ । ଢାଙ୍କୁଣୀ ଟେକି ଫାଉଁ ଫାଉଁ ଧୂଆଁ ଭିତରୁ କ'ଣ ଦେଖି ପୁଣି ତାକୁ ମଡ଼େଇଦେଲେ ।

 

"ଆଉ ବିଦ୍ୟାଧର ବାବୁ, ଆପଣଙ୍କର ସବୁ ଭଲ ତ ?"

 

"ସେ କଥା ପଛେ । ଆଗ କହିଲେ ଏ ଘଟଣା କ'ଣ ? ଆପଣ କେବଠୁ କେମିତି ଏ ଦୀକ୍ଷା ନେଲେ ? ମତେ ଟିକିଏ କହିଲେ ନାଇଁ !"

 

ପୁଣି ଟିକିଏ ସେମିତି ହସ !

‘‘କହିଥିଲେ ଆପଣ ମଧ୍ୟ ଏ ଠକ ବେଶ ପକେଇଥାନ୍ତେ ନା’ କଣ ?’’

 

ଏମିତି ନିର୍ମମ ଭାବରେ ସତ କହିବା ତାଙ୍କର ଅଭ୍ୟାସ–ଭାବିଲେ ବିଦ୍ୟାଧର ବାବୁ । କିନ୍ତୁ କେମିତି ଗୋଟାଏ ଚମତ୍କାର ଦିଶୁଚି ଲୋକଟା–କ'ଣ ଗୋଟାଏ କିନାରା ପାଇଗଲା ଭଳି ଜଣାପଡ଼ୁଚି । ହସୁଚି କେମିତି ! –ହସିପାରୁଚି, ଏଇ ତ ସବୁଠୁ ବଳି ଆଶ୍ଚର୍ଯ୍ୟ ! –ଆଉ ଚକେ ପାଖକୁ ଲାଗିଆସିଲେ ବିଦ୍ୟାଧର ରାୟ । ତାଙ୍କର ୟା ଭିତରେ ସ୍ୱାସ୍ଥ୍ୟ ଟିକିଏ ଭଲ ହେଇଯାଇଚି ନା କଣ ? ବେଶ୍ ମୋଟା ଦେଖାଯାଉଛନ୍ତି ତ !

 

କିଛି ଚା' ଗୋଟିଏ କପ୍‌ରେ ଢାଳି ତାଙ୍କ ଆଡ଼କୁ ଥୋଇଦେଲେ ଜୟରାମ । ନିଜ ପାଇଁ କିଛି ସେ ଢାଙ୍କୁଣୀଟିରେ ଇଡ଼ି ନେଇଗଲେ ।

 

ବିଦ୍ୟାଧର ରାୟ ତାଙ୍କ ଚଷମା ଭିତରୁ ବିସ୍ମୟରେ ଖୁବ୍‌ ନିଘା କରି ଦେଖୁଥାନ୍ତି ତାଙ୍କୁ–ଅନେକ ବଦଳି ଯାଇଛନ୍ତି ସେ । ସବୁଠୁ ବେଶି ଆଶ୍ଚର୍ଯ୍ୟ ଲାଗିଲା ତାଙ୍କ ମୁହଁରେ ଅନବରତ ଲାଗିରହିଥିବା ସେ ହସଟିକକ । ସେମିତି ଛୋଟ ଗେରୁଆ ଠେକାଟିଏ ପରି ସେ ହସ ।

 

‘‘କ’ଣ, ଗୁରୁ-ଦୀକ୍ଷା ନେଇଗଲେ ?"

 

ବିଦ୍ୟାଧର ରାୟ ସେଇଭଳି ନିର୍ବୋଧ ସମାଜସେବୀ ରହିଗଲେ । କିଛି ସାମ୍ବାଦିକତା ଏବେ ମଧ୍ୟ କରିବାକୁ ଇଚ୍ଛା । ପୁଣି ଅଳ୍ପ ହସିଲେ ଜୟରାମ ! କହିଲେ–"ନା !"

 

"ତେବେ ଏ ସବୁ କ'ଣ ? କାହିଁକି ଗେରୁଆ ପିନ୍ଧିଛନ୍ତି ?"

‘‘ଠକିବାକୁ ଚା’ ପିଅନ୍ତୁ ।’’

 

ଖୁବ୍‌ ପରିଷ୍କାର କଥା ଏବଂ ହସ । କେହି କେବେ କିଛି ସନ୍ଦେହ କରିପାରିବ ନାହିଁ ଯେମିତି ସେଭଳି ଅବିକମ୍ପିତ ସ୍ୱର ।

 

‘‘ଠକିବାକୁ ? କାହାକୁ ?’’

 

"ପ୍ରଥମେ ନିଜକୁ, ତା'ପରେ ବିଶ୍ୱାସରେ ଅନ୍ଧ ଗୁଡ଼ିଏ ନିର୍ବୋଧ ଗରିବ ଲୋକଙ୍କୁ ।" ପଚାରିବା କଥା କିନ୍ତୁ ପଚାରି ପାରୁନାହାନ୍ତି ବିଦ୍ୟାଧର ରାୟ ।

 

ଅଳ୍ପ ହସି ‘‘କ’ଣ ଯାଏ ଆସେ ଆପଣ ଯାହା କଲେ ମଧ୍ୟ ? ନଠକିଲେ ଭଲା ନିରାବରଣ ସତ୍ୟଟାକୁ ନେଇ ଚଳେଇ ହେବ ?"

 

‘‘ମାନେ ?’’

‘‘ଚା’ଟା କେମିତି ହେଇଚି ?

‘‘ଭାରି ଚମତ୍କାର ହୋଇଚି !-କିନ୍ତୁ ନଠକିଲେ କାହିଁକି ଚଳିବ ନାହିଁ ?’’

ସଡ୍‌ ସଡ଼୍‌ ଚା' ଶୋଡ଼କିବା ଶବ୍ଦ । ଆଖି କୁଣରେ କେମିତି ଗୋଟିଏ କୁଞ୍ଚୁକୁଞ୍ଚିଆ ହସ ।

‘‘ଆଚ୍ଛା, ମୁଲଚାନ୍ଦ୍‌ ସୋନ୍ଧି ଆପଣଙ୍କୁ ଗୁମାସ୍ତା ଚାକିରି ପାଇଁ କେତେ ଦିଏ ?"

ବିଦ୍ୟାଧର ରାୟଙ୍କ ଆଖି ତଳକୁ ନଇଁଗଲା । ଭୂଇଁ ଉପରେ ହାତ ଆସ୍ତେ ବୁଲିଗଲା ।

 

‘‘କ’ଣ ଆଉ କରାଯାଏ ? ବଞ୍ଚିବାକୁ ତ ହେବ ! ସବୁ ସତ୍ତ୍ୱେ ବଞ୍ଚିବା ହେଲା ପ୍ରଥମ ସମସ୍ୟା ।"

 

ପୁଣି ଟିକିଏ ହସ । ଚା' ଶୋଡ଼କିବା ଶବ୍ଦ ।

ଏଆଡ଼େ ଲଜ୍ଜାକୁ ଆଡ଼େଇ ସତେ ବା ଚା' ଟିକକ ତଣ୍ଟି ବାଟେ ତଳକୁ ଖସୁନାହିଁ ।

‘‘ଆପଣଙ୍କ ମାଲିକ ସାଙ୍ଗରେ ଜୟନ୍ତ ପରିଡ଼ାଙ୍କର ଆଉ ପଡ଼ୁନାହିଁ ।’’

"ଶୁଣିଚି "

 

ଏତିକିବେଳେ ପଶି ଆସିଲା ଗୋଟିଏ କୁକୁର ପିଲା । ଲାଞ୍ଜ ଟିପ୍‍ଟିପ୍‌ କରି ସେ ଆଗ ବୁହେ ଜୟରାମଙ୍କ ଦେହରେ ନାନା ଭଙ୍ଗୀରେ ଲେସିହୋଇଗଲା । ଅନେକ କଥା ମଧ୍ୟ କହିଗଲା ତା'ର ସେ ନିର୍ବୋଧ କୁଁ-କାଁ ଭିତରେ ।

 

ବାରବୁଲା କୁକୁର ପିଲାଟି–ବୋଧହୁଏ ଦୁଇ ମାସ ହେବ ଆସିଛି ସଂସାରକୁ ।

 

"ହାଁ ହାଁ, ଚା'ରେ ମୁହଁ ମାରିଦବ !" କହି ବିନା କାରଣରେ ନିଜ ଚା'ତକ ଟାଉ ଟାଉ ପିଇପକାଇଲେ ବିଦ୍ୟାଧର ରାୟ । କୁକୁର ପିଲାଟି ଆସ୍ତେ ଜୟରାମଙ୍କ କୋଡ଼ରେ ବସିଗଲା । ଶାନ୍ତ ଶିଶୁଟିଏ ପରି ଥାଳିଆ ଦେଖେଇଦେବାରୁ ସବୁତକ ଚା' ପାଟି ସୁଆଦ କରି ସେ ଚାଟିଦେଲା-

 

ବିଦ୍ୟାଧର ରାୟଙ୍କୁ କଥାଟା ଏତେ ସ୍ୱାଭାବିକ ମନେହେଲା, ଏତେ ପୁରୁଣା ଅଭ୍ୟାସ ପରି ମନେହେଲା ଯେ କିଛି ନକହି ସେ ବି ନିର୍ବିକାର ଅନେଇରହିଲେ ।

 

‘‘ମନେହେଉଚି ଆପଣ ୟା’ ଭିତରେ ଅନେକ ବଦଳିଯାଇଛନ୍ତି ।"

 

‘‘ଆବ୍‌ବେ ଯା, ଏଥର ଖେଳିବୁ । –ଆପଣଙ୍କର କ'ଣ କାମ ଥିଲା ? ମତେ ଦିଅନ୍ତୁ ମୁଁ ସେ କପ୍‍ଟା ଧୋଇଆଣେ ।"

 

‘‘ହାଁ ହାଁ, ବରଂ ଚାଲନ୍ତୁ ମୁଁ ନିଜେ ଧୋଇ ରଖିଦେବି ।"

‘‘ସେଇଠି ଥାଉ ତା’ହେଲେ ପରେ ଦେଖିବା ।"

‘‘ଆଚ୍ଛା ଜୟରାମ ବାବୁ, କେମିତି ସବୁ ଏଭଳି ହେଲା କହିଲେ ?"

‘‘ଆପଣ ତା’ହେଲେ ସାମ୍ବାଦିକତା ଆଉରି ଛାଡ଼ିନାହା ?"

 

‘‘ସେମିତି କିଛି ଭାବିନାହିଁ । ନିଜେ ବୁଝିପାରୁନାହିଁ ବୋଲି ପଚାରୁଚି । ଚାରିଆଡ଼କୁ ଚାହିଁଲେ ମୋତେ ଟିକିଏ ହାଲିଆ ଲାଗିଗଲାଣି । ଦିନେ ଦିନେ ରାତିରେ ନିଦ ହେଉନାହିଁ । ଦେହଟା ମଧ୍ୟ କେମିତି ରୋଗା ହେଇଗଲାଣି । ଆଗକୁ ପଛକୁ ତ କେହି ନାହାନ୍ତି–ଏ ଶଳା ସମାଜଟାକୁ ଭାବିଥିଲି ବଦଳେଇଦେବି । ଗୋଟା ଗୋଟାକୁ ଭିଡ଼ିଆଣି ଗୁଳି କରିଦେବି । ସବୁ ଖସିଗଲେ ।"

 

‘‘ଆପଣଙ୍କର ବକ୍ତୃତା ଦେବାର ଅଭ୍ୟାସ ମଧ୍ୟ ଭାଙ୍ଗି ଗଲାଣି ଦେଖୁଚି ।"

 

‘‘ଠିକ୍‌ ଧରିଛନ୍ତି । ଏବେ କହିଲେ ଦି'ଚାରିଟା ଭାଷଣ ଚଳେଇ ଦେବି ଯେ; କିନ୍ତୁ ଭିତରୁ ଆଉ ଜୋର୍‍ଦେଇ କହିହେଉନାହିଁ । ସବୁ ନାଡ଼ ଶୁଖିଆସିଲାଣି । ସେଇ ନାଡ଼ ମୂଳେ ମନ୍ଦେ ପାଣି ଦେବାକୁ ପରା ମୁଁ ମୁଲ୍‍ଚାନ୍ଦ୍‌ ଘରେ ଗୁମାସ୍ତା ହେଲି !"

 

‘‘ବାଆସ୍‌ ! ମନ୍ଦ କ‘ଣ ? ହଉ ଯାହାହେଉ ଆପଣଙ୍କ ସାଙ୍ଗେ ଟିକିଏ ଦେଖା ହେଇଗଲା-!"

 

‘‘ମାନେ ଆପଣ କ’ଣ କୁଆଡ଼େ ଯିବାର ଯୋଜନା କରୁଛନ୍ତି ?"

‘‘ଏଇ ବାହାରିଲି ପରା !’’

‘‘ବାହାରିଲେ ? କୁଆଡ଼େ ?’’

 

ଚମକି ଉଠିପଡ଼ିଥାନ୍ତେ ବିଦ୍ୟାଧର ରାୟ । ଆଣ୍ଠୁରେ ଭରା ଦେଇ ଗୁରୁଣ୍ଡିଲା ଭଙ୍ଗୀରେ ରହିଗଲେ । ଅନେଇଥାନ୍ତି ଭୟରେ, ବିସ୍ମୟରେ ।

 

‘‘ଗୋଟିଏ ଅନୁରୋଧ ରଖିପାରିବେ ?’’

ପୁଣି ବସିଗଲେ ବିଦ୍ୟାଧର ରାୟ ।

"ନା, ଥାଉ ନହେଲେ !" –ଅଳ୍ପ ହସି ପୁଣି କହିଲେ ଜୟରାମବାବୁ ।

 

‘‘କାହିଁ, କ’ଣ କହୁନାହାନ୍ତି ? କ’ଣ କ’ଣ ??’’ ଅନେକ ବ୍ୟସ୍ତତା ଏବଂ ଉତ୍ସାହ କିମ୍ବା ଉଦ୍‌ବେଗ ବିଦ୍ୟାଧର ରାୟଙ୍କ ସ୍ୱରରେ ।

 

‘‘ଗୁଡ଼ିଏ ବହି ବୋଧହୁଏ ଠୁଙ୍ଗା ପାଇଁ ସେରଦରିଆ ସେମାନେ ବିକିଦେବେ ।’’

‘‘କିଏ ? କେଉଁ ବହି ? ମାନେ ଆପଣଙ୍କର ବହିଯାକ ?"

 

ବିଦ୍ୟାଧର ରାୟଙ୍କର ମନେପଡ଼ିଗଲା ଥାକ ଥାକ ସଜା ହୋଇଥିବା ଜୟରାମଙ୍କର ଅନ୍ତତଃ ହଜାରେ ବହି ।

 

‘‘ଆଚ୍ଛା, ବିଦ୍ୟାଧରବାବୁ, ମୁଁ ତାହାହେଲେ ଆସୁଛି !" ତଥାପି ସ୍ୱର ଖୁବ୍ ସ୍ୱାଭାବିକ, ଆଖିଯୋଡ଼ିକ ହସରେ କୁଞ୍ଚ କୁଞ୍ଚ ।

 

ବିଦ୍ୟାଧର ରାୟ ହଠାତ୍‌ ତେଜିଉଠିଲେ ।

 

‘‘ଅସମ୍ଭବ ଜୟରାମ ବାବୁ ! ଆପଣ ଏ ଭଳି ଆତ୍ମହତ୍ୟା କରିପାରିବେ ନାହିଁ । ଆପଣ ହାରିଯାଇଛନ୍ତି । ଏଭଳି ଟାଣୁଆ ଯୋଦ୍ଧା ହାରିଯିବା ଏବଂ ଏପରି ହାରିଯିବା ଦେଖିଲେ ସହି ହେଉନାହିଁ । ଆପଣ କାହିଁକି ବାହାରିଯିବେ ? –କୁଆଡ଼େ ବା ଯିବେ ? ଆପଣଙ୍କ ଗୁଜୁରାଣ ମେଣ୍ଟାଇବାକୁ ଏ କୁଣ୍ଠିତ ସଂସାର ରାଜି ନୁହେଁ ବୋଲି ଆପଣ ଏମିତି ଆଡ଼େଇ ହୋଇଯିବେ ? ଛାଡ଼ିଦେବେ ଏ ସମସ୍ତ ଭୂଇଁ କେବଳ ଚତୁଷ୍ପଦଙ୍କୁ ତାଙ୍କ ଚରା ଗୋଟାଇବା ସକାଶେ ! ନା, ତା' କେବେ ହୋଇପାରିବ ନାହିଁ । ମୁଁ ଆପଣଙ୍କୁ ଯିବାକୁ ଦେବିନାହିଁ ।"

 

ବିଦ୍ୟାଧର ରାୟ ଭାଷଣ ଦେଉ ନଥିଲେ । କହିବା ଢ଼ଙ୍ଗଟି ହୁଏତ ପୁରୁଣା; କିନ୍ତୁ ସ୍ୱରରେ ଅଜସ୍ର ପାଣି ଭରିରହିଥାଏ । ଆଖିରେ ଅନେକ ଆବେଗର ଧୂଆଁ, ରୋମେ ରୋମେ ଆହତ ଆତ୍ମୀୟତା ।

 

ଜୟରାମଙ୍କ ଓଠ ଶୁଖିନାହିଁ ସତ–କିନ୍ତୁ ମୁହଁର ପରିଧି ପର୍ଯ୍ୟନ୍ତ ଆଉ ସେଭଳି ଲହଡ଼ି ମାରୁନାହିଁ । କେମିତି ଟିକିଏ ଭାବାନ୍ତର ଆସିଗଲା କି ଆଉ !

ବିଦ୍ୟାଧର ରାୟ ଆବେଗର ସୁଅକୁ ରୋଧି ଠିଆ ହୋଇପାରୁନାହାନ୍ତି । ଗୋଟାଏ ମଣିଷକୁ ତେଣ୍ଟାମାରି ତା' କଞ୍ଚା ମାଉଁସ ଦୁହିଁ ଖାଇଯିବେ; ଅଥଚ ସେ ପ୍ରତିବାଦ କରିବ ନାହିଁ ! ସେ ସାଇବ ଠିକ୍ କହିଥିଲା । ତା' ଦେଶରେ ଆମର ନିରନ୍ନ ଅବସ୍ଥା କହିବାରୁ ସେ ଦେଶବାସୀ କୁଆଡ଼େ ଆଖି ଖୋସି ଅନେଇଥିଲେ । କହିଥିଲେ, "ନଖାଇ ନପିଇ ଗଛମୂଳେ ମଣିଷ ସତେ କ'ଣ ବଞ୍ଚିଛି-? କେମିତି ବଞ୍ଚିଛି ?" ସେ ସାଇବପିଲା କିନ୍ତୁ ଖୁବ ଚିହ୍ନିଥିଲା । କହିଥିଲା, "କେବଳ ବଞ୍ଚିନାହିଁ ଯେ, ପରମ ସନ୍ତୋଷରେ ବଞ୍ଚିଛି ! ସେଇଠି ସେମାନେ ଅସନ୍ତୁଷ୍ଟ ହେବା ଶିଖିନାହାନ୍ତି, ପ୍ରତିବାଦ କରିବା ଶିଖିନାହାନ୍ତି । ସେଗୁଡ଼ିକ ଗଛପରି ବଞ୍ଚନ୍ତି । ଡାଳ ମୂଳ ହାଣିଦେଇ ମଧ୍ୟ ସୋରାଏ ସୋରାଏ ପିଲ ପକେଇ ଶୁଖିଯାଆନ୍ତି ।" ଠିକ୍‍ କହିଥିଲା ସେ ! ଆମେ ଗୁଡ଼ିଏ କ୍ଳୀବ । ଉଦ୍ଭିଦ ହେବାର ଅଧିକାର ମଧ୍ୟ ଆମର ନାହିଁ ।

କୁଞ୍ଚ କୁଞ୍ଚ ହସଗୁଡ଼ିକ ପୁଣି ଲହରୀ ମେଲିଗଲେ ।

‘‘କ’ଣ ଘଟଣା ବିଦ୍ୟାଧରବାବୁ ! ଆପଣ ମୋ ସାଙ୍ଗରେ ଯିବାକୁ ଚାହାନ୍ତି ?"

‘‘ଅସମ୍ଭବ ! ମୁଁ ପିଠି ଦେଖେଇ ଏଇଠୁ ଖସି ପଳେଇବି ନାହିଁ; ବରଂ ହାରେ' ଅବା ଜିଣେ ଏମିତି ସାମ୍ନାସାମ୍ନି ଲଢ଼ି ଲଢ଼ି ମରିଯିବି । ଆପଣଙ୍କ ଉପରୁ ମୋର ସବୁ ସମ୍ମାନ ସବୁ ଆସ୍ଥା ତୁଟିଗଲା । ଆପଣ ପଳାୟନପନ୍ଥୀ, ସ୍ୱାର୍ଥପର, ଦୁର୍ବଳ-ଗୋଟିଏ ଜନ୍ତୁ ’’

ଅଗ୍ନ୍ୟୁତ୍ପାତର ଶିଖା ତା' ପାଖରେ ବୋଧହୁଏ ପହଞ୍ଚିପାରୁନାହିଁ । ବହୁ ଉଚ୍ଚରେ ଖୁବ୍ ଥଣ୍ଡା ଆକାଶରେ ତାରାଟିଏ ଅବିଚଳିତ ରହି ମିଟିମିଟି ହସୁଛି । ସେଠି ପହଞ୍ଚିଲେ ହୁଏତ କିଏ ଦେଖନ୍ତା ତା'ର ପ୍ରତ୍ୟେକ ଲହରୀରେ କେତେ ଅଗ୍ନି; ପ୍ରତିଟି ଧୂମବଳୟରେ କେତେ ବିସ୍ଫୋରଣ !

ଜୟରାମ ସଂପୂର୍ଣ୍ଣ ନୀରବ, ନିର୍ଲିପ୍ତ ।

ଗୁଡ଼ାଏ ଡେଣା ବୁଲେଇ ବିଦ୍ୟାଧର ରାୟ କ୍ଳାନ୍ତହୋଇ ବସିପଡ଼ିଲେ । ଚାରିକାନ୍ଥରୁ ଶୀତଳ ନୀରବତା ଘୋଡ଼େଇ ହୋଇ ଆସିଲା । ତାଙ୍କ ଭିତରେ ତାତିରେ ସେ ତଥାପି ଫୁଫୁକାର କରୁଥାନ୍ତି । ନାକପୁଡ଼ା ଫୁଲି ରହିଥାଏ ।

 

କିଛି ସମୟ ମୁହଁ ବୁଲେଇ ଏମିତି ବସିଲା ପରେ ପୁଣି ଶୁଭିଲା ତାଙ୍କ ସ୍ୱର । ସେଥିରେ କିଛି ଶଙ୍କା, ଟିକିଏ ଦୋଦୋପାଞ୍ଚ ଆସିଗଲାଣି; କିନ୍ତୁ ତଥାପି ଖୁବ୍‌ ତେଜା ।

 

‘‘ଆପଣ କ’ଣ ଏମିତି କୁମ୍ଭିପଟୁଆ ବେଶ ପକେଇ ଭିକ ମାଗିବେ ?" ଶେଷ ଦି'ପଦ କହିଲାବେଳକୁ ବିଦ୍ୟାଧର ରାୟଙ୍କ ଆଖିରେ କେବଳ ଦୁଇଧାର ଫୁଟନ୍ତା ଲୁହ ।

 

ଛୋଟିଆ ଦୀର୍ଘଶ୍ୱାସଟାଏ ବୋଧହୁଏ ଶୁଭିଲା । ବିଦ୍ୟାଧର ରାୟ ଫଡ଼୍‍କିନା ବୁଲିପଡ଼ିଲେ ।

 

ଜୟରାମ ସେମିତି ତାଙ୍କୁ ଚାହିଁଛନ୍ତି–ସେମିତି ହସୁଛନ୍ତି ଏବଂ ହସି ହସି କହୁଛନ୍ତି ‘‘ଆପଣ ବୋଧହୁଏ କଥାଟା ସିଧାସଳଖ ନକହିଲେ ଆପଣ ଛାଡ଼ିବେ ନାହିଁ । ଏ ଭେକ, ବଦଳେଇବା ମୂଳତଃ ଆତ୍ମରକ୍ଷା ପାଇଁ । ଏ ବେଶ ଦେଖିଲେ କେହି ଅନ୍ତତଃ ପାଖ ପଶିବେ ନାହିଁ । ଭୟ ହେବ କାଳେ ଶୋଷିଦେବି । ଆମେ ଦରିଦ୍ରତାକୁ ଭୟକରୁନା; ସେଇଟା ଆମ ଚଉଦପୁରୁଷର ସ୍ୱାଧିକାର । ଆମେ ଡରୁ ଦାନକୁ । ଆପଣ ଭାବୁଛନ୍ତି ଏମିତି ଶୁଖୀ ଶୁଖୀ ଭିକ ମାଗି ମାଗି ମୁଁ ମରିବାକୁ ବାହାରିଲି ? ମୋଟେ ନୁହେଁ; ବରଂ ମୁଁ ଖୁବ୍ ଖୋଲାଖୋଲି ଭାବରେ ବଞ୍ଚିବାକୁ ବାହାରିଲି । ଏଠି ଆମେ ଶିଷ୍ଟାଚାର ପିନ୍ଧୁ, ସ୍ୱାଭିମାନ ପିନ୍ଧୁ, ଫେସନ୍ ପିନ୍ଧୁ, ଖାଉ କେବଳ ଗୁଡ଼ିଏ ଅଭ୍ୟାସ; ଗୁଡ଼ିଏ କଣ୍ଟା ଚାମଚ ଓ ଅନେକ ମିଛିମିଛିକା କ୍ଷୁଧା । କହୁ ଗୁଡ଼ିଏ କଞ୍ଚାମିଛ, ଯାହା ଆମ ଆଖିଆଗରେ ଇନ୍ଦ୍ରଜାଲର ଶାଖା ମେଲି ପଲ୍ଲବିଯାଏ; ଗଞ୍ଜେଇ ଧୂଆଁ ପରି ମିଳେଇ ମଧ୍ୟ ଯାଏ । ଆପଣଙ୍କୁ 'ଚୋପ୍‍ବେ, ଧପ୍‍ପାବାଜ୍, ସୁବିଧାବାଦୀ ବାହାପିଆ' କହିବାପାଇଁ ମୋ ଭଳି ମାଇଚିଆ ଫାଇଦା ଆଶାକରୁଥିବା ଚିକ୍‍କଣ ଜାଲିଆଙ୍କର ସାହସ ନାହିଁ ।"

ଜୟରାମଙ୍କ ଆଖିରେ ହସର ମାତ୍ରା ଅନେକ ଊଣା । ବିଦ୍ୟାଧର ରାୟଙ୍କ ମୁହଁ ଓ ଅଲରା ବାଳରେ ତୋଫାନ ଅନେକ ଊଣା । ପୁଣି ଶୁଭିଲା ଜୟରାମ କହୁଛନ୍ତି, "ସାହସ ନାହିଁ କହିବାକୁ ଯେ ଆମର ସହସ୍ରେ ଅଟାଟୋପ ତଳେ ଆମେ ଗୁଡ଼ିଏ କେବଳ ଜନ୍ତୁ । କୌଣସି ପ୍ରକାରେ ଶୋଷି, ଝୁଣି, ଲୁଚେଇ ଦେଖେଇ ବଞ୍ଚିଯିବା ହେଲା ଆମର ଏକମାତ୍ର ସମ୍ଭାବନା । ବାକି ଯାହାସବୁ ଆମେ ଦେଖୁଛୁ ସେ ସମସ୍ତ ଖାଲି ଗୋଟାଏ ଆବରଣ । ଆମ ଗିର୍ଜା, ମସ୍‍ଜିଦ୍, ମନ୍ଦିର, ବିହାର ସବୁଗୁଡ଼ିକ ଚିଲମ୍ ଧୂଆଁ ର ସୃଷ୍ଟି । ଉପରକୁ ନିଶା କାଟି ଅନେଇଲେ କେବଳ ଶୂନ୍ୟ ଆକାଶ ଓ କେତେକ ନିସ୍ପଦ ତାରା । –ତା' ଉପରକୁ ଆହୁରି ଅନେକ ଆକାଶ, ଆହୁରି ତାରା–ଶୀତଳତାର ଗୋଟାଏ ନିଥର ସମୁଦ୍ର ଏବଂ ଗୁଡ଼ିଏ ଫୁଟନ୍ତା ନିଆଁ ଝୁଲ ! ଈଶ୍ୱର ବୋଲିବା ପଦାର୍ଥଟି ଗୋଟିଏ ଶବ୍ଦ, କେବଳ ଯାହାକୁ ଖୋଜିବାକୁ ଆମେ ଅନେକ ସମୟରେ ବ୍ୟାକୁଳ ହେଉ ଏବଂ ପାଉନା, ପାଇପାରୁନା, ପାଇନାହୁଁ ବା ପାଇପାରିବୁ ନାହିଁ ! ସେ କେଉଁଠି ଥାଇ ଯେ ମୁରୁକି ନମାରୁଛି ଏକଥା କହିହେବନାହିଁ । ବର୍ତ୍ତମାନ ସୁଦ୍ଧା କିନ୍ତୁ ମଙ୍ଗଳ ଗ୍ରହର ଭୂତକୁ ଆମେ ମନଇଚ୍ଛା ଚିତ୍ର କଲାଭଳି ତାକୁ ମନଇଚ୍ଛା ଗଢ଼ି ନେଇଛୁ ଏବଂ ଏ ମିଛ ଭୂତଟା ଆମ ଉପରେ ସବାର ହୋଇ ଆମକୁ ନୟାନ୍ତ କରୁଛି । ଆମେ ମଝିରେ ମଝିରେ ବିଦ୍ରୋହ କରୁ; କିନ୍ତୁ ପୁଣି ସେଇ ଭୂତଟିକି ମୁଣ୍ଡେଇନେଲେହିଁ ଭାରି ଦମ୍ଭ ଲାଗେ । ଆମ ହଜାରେ ବର୍ଷର ରକ୍ତକଣିକାଗୁଡ଼ିକ ସୁସ୍ଥ ବୋଧକରନ୍ତି-। ଗୋଟାଏ ଭାରସାମ୍ୟ ଆସିଯାଏ । ତାକୁ କାଢ଼ିନେଲେ ଭୟଙ୍କର ଉଶ୍ୱାସ ଲାଗେ; ଆମକୁ ମନେହୁଏ ଯେ ଆକାଶରୁ ପବନ ସରିଗଲା । ଏତେ ପାତଳ ହାୱାରେ ବଞ୍ଚିବା ହୁଏତ ସମ୍ଭବ ନୁହେଁ-। ଆମେ ସେଇଭଳି ଭଲମନ୍ଦ, ସତମିଛ ନାଆଁ ରେ ଆଉ ଗୁଡ଼ିଏ ଭୂତ ସୃଷ୍ଟି କରିଛୁ, ତାଲିକା କରିଛୁ-। ୟା' ତଳେ ନିରାବରଣ ସତ୍ୟଟି ହେଲା ଆମର ଗୁଡ଼ିଏ ସ୍ନାୟୁ; ଗୁଡ଼ିଏ କ୍ଷୁଧାକୁ କେନ୍ଦ୍ରକରି ସେମାନଙ୍କର ତାଡ଼ନା ଏବଂ ତାଙ୍କୁ ନେଇ ଆମର ଏକମାତ୍ର ସମ୍ଭାବନା ସେମାନଙ୍କ ନିଆଁ ରେ ନିଜକୁ ପୋଡ଼ି ପୋଡ଼ି ଖର୍ଚ୍ଚ କରିଦେବା ।

‘‘ବୁଝିଲି ଆପଣଙ୍କ ବିଦ୍ରୋହ ଭିତିରେଇଯାଇଛି । ଆପଣ ଏଭଳି ସଂପୂର୍ଣ୍ଣ ନାସ୍ତିକ ହୋଇଯିବାର ଯଥେଷ୍ଟ କାରଣ ମଧ୍ୟ ଅଛି । ଆଉ ଯେ କେହି ମଧ୍ୟ ସେଭଳି ହୋଇଥାନ୍ତା । ଏଇ କଥାଟା ତ ମୁଁ ମୂଳରୁ ପ୍ରଚାର କରିଆସିଛି !"

ଜୟରାମଙ୍କ ମୁହଁ ଉପରକୁ ପୂର୍ବଭଳି ଗୁଡ଼ିଏ ଅମାୟିକ ହସର ଲହଡ଼ି ମାଡ଼ିଆସିଲେ ।

‘‘କିନ୍ତୁ ଜୟରାମବାବୁ ! ଆପଣ ଯାହା ହନ୍ତୁ ନା କାହିଁକି, ଆମର ସ୍ନାୟୁମଣ୍ଡଳ ବାହାରେ ଆଉ ଗୋଟିଏ ସତ୍ୟ ନିଶ୍ଚୟ ଅଛି–ସେ ହେଲା ଆମ ଆତ୍ମା "

‘‘ଏଇଟା ମଧ୍ୟ ଆପଣ ବହୁକାଳୁ ପ୍ରଚାର କରିଆସିଛନ୍ତି । ହଉ, ବିଦ୍ୟାଧରବାବୁ, ଆପଣ ଥାଆନ୍ତୁ !"

ୟା ରି ଭିତରେ ଆସିଯାଇଥିବା କୁକୁରପିଲାଟିକୁ କାଖେଇ ଜୟରାମ ଉଠିଲେ ।

‘‘ଆରେ ଆରେ, ଆପଣ କ'ଣ ସତକୁ ସତ ବାହାରିଲେ ନା କ'ଣ ?–ଏ ଘରେ କ’ଣ କୋଲପ ପଡ଼ିବ ନାହିଁ ? ଏ ଜିନିଷପତ୍ର କୁଆଡ଼େ ଯିବ ? ଆଉ ଆପଣଙ୍କ ବହି, ଆସବାବପତ୍ର-ଆଚ୍ଛା-ଏମିତି କ’ଣ ଆରେ !! –ମାନେ ଜୟରାମବାବୁ ?’’

ଲସରପସର ହୋଇ ବିଦ୍ୟାଧର ରାୟ କ'ଣ କହିବେ, କ'ଣ କରିବେ କିଛି ଜାଣିପାରୁ ନଥାନ୍ତି । ଭିତରକୁ ହଠାତ୍ ପଶିଯାଇ ଦେଖିଲେ ସବୁ ସେମିତି ଅଛି–ଖଟିଆ; ବହିଥାକ, ଖଣ୍ଡିଏ ଚାଦର ଓ ସେ ରସ ଡେକ୍‍ଚିଟି । ପରିଚିତ ଆତ୍ମୀୟଟି ପୂର୍ବପରି ଶୋଇରହିଛି । ତା' ଭିତରୁ ଖସି ପଳେଇଛି ଖୁରୁମୁସିଆ ବୁଢ଼ା ଆଙ୍ଗୁଳି ପରି ସେ ପୁରୁଷଟି । ସେ ପୁଣି ଲସରପସର ହୋଇ ବାହାରକୁ ଧାଇଁଆସିଲେ ।

 

ଜୟରାମଙ୍କର ଦୂରେଇଯାଉଥିବା ପିଠିଟି ସେମିତି କୁଞ୍ଚକୁଞ୍ଚ ହୋଇ ନୀରବ ହସି ଚାଲିଥାଏ । ଅନ୍ଧାର ଭିତରେ ଗୋଟାଏ ମୁହୂର୍ତ୍ତ ଅଟକିଗଲା ଅପସରିଯାଉଥିବା ସେ ଛାଇ ।

 

ଜୟରାମ କାଖରୁ ଓହ୍ଲେଇ କୁକୁରପିଲାଟିକୁ ତଳେ ଥୋଇଦେଇ ଆଗେଇଗଲେ । ଆକାଶରେ ଗୁରୁଗୁରୁ ମେଘ ଗର୍ଜିଉଠିଲା ।

 

ନିଧି ଦଳେଇ ଆର ଘରୁ ଏ ଘରକୁ ପଶିଆସିଲାବେଳକୁ କଥା ସରିଆସିଲାଣି । ଆଉ ଥରଟେ ଛବିର ବୋଳିଲା ବୋଳିଲା ହାତଗୋଡ଼ଟିମାନ ଚମକି ଛାଟିହୋଇଗଲା । ତା'ପରେ ତୁଳା ପରି ନରମିଗଲା ସାରା ଦେହ । ବାଞ୍ଛା ଭେଁ ଭେଁ ହୋଇ ରଡ଼ି ଛାଡ଼ି ଉଠିଲା । ନିଧି ବାଉଳି ହେଲାପରି ଛବିର କପାଳ ବୁକୁ ଦରାଣ୍ଡି କହିଲା, "ଆରେ ରହ, ଜରଟା ଓହ୍ଲେଇଗଲାଣି; ପିଲା ଶୋଇଯାଇଛି ହାଲିଆ ହୋଇ ।" ବାଞ୍ଛା କିନ୍ତୁ ତା' ପାଦ ଯୋଡ଼ିକୁ ଧରି ଖଟ-ବାହାରେ ମୁଣ୍ଡ ପିଟିପକାଉଥାଏ । ପାଟି ଶୁଣି ଖାଡ଼ଙ୍ଗା ଆସି ଗହଳି ଆଡ଼େଇ ପଶିଗଲେ । ହାତ ମାରିଦେଇ ମୁଣ୍ଡ ହଲେଇଲେ । ନିଧି ଦଳେଇ ସେଇଠି ନଥ୍‍କିନା ବସିପଡ଼ିଲା । ତା' ଦେହରୁ ଗୋଟାପଣେ ଝାଳ ଫିଟିଯାଉଥାଏ । ଗାଆଁ ର ସେତକ ଲୋକ ବାଉଳି ହେଲାପରି ମଝିରେ ମଝିରେ ଚମକି ଭାବୁଥାନ୍ତି, "ଓହୋ, ହରି ! କେଡ଼େ କଥା ହେଇଗଲା ! ବାଳକହତ୍ୟାଠାରୁ ବଳି ପାପ ନାହିଁ–ବାଚାଳ ଅବସ୍ଥାରେ ବୁଢ଼ା ପିଲାଟାକୁ ସ୍ଵହସ୍ତରେ ମାରିଦେଲା !"

 

ଗୋଟାଏ କିଏ ହଠାତ୍ ମନେପକେଇଦେଲା, "ଆରେ ସେ ଘରେ ମଡ଼ା ପଡ଼ିଲା, ଆର ପିଲାଟିକି ଉଠେଇଆଣ ।"

 

ଦି'ଜଣ ପଶିଲାବେଳକୁ ଖଟର ଗୋଡ଼ ପାଖରେ ଧକଉଛି ବାଞ୍ଛା । ମୁଣ୍ଡ ପାଖକୁ କାନ୍ଥକୁ ଆଉଜି ପଥର ପରି ନିଶ୍ଚଳ ହୋଇ ବସିଛି ନିଧି ଦଳେଇ । –ଛବି ଉପରକୁ ଓହଟି ପଡ଼ି ରବି ତା' କାଗଜର ମୁକୁଟଟା ତାକୁ ପିନ୍ଧେଇ ଦେଉଛି । ସେ ଦି'ଜଣ ଥମି ଠିଆ ହୋଇଗଲେ ।

 

ରବି ପିନ୍ଧେଇଦେଇ ଛବିର ହାତଟି ଧରି ଧୀରେ ଭିଡ଼ିଲା । ଖୁବ୍ ଧୀରେ ନଇଁପଡ଼ି ଫିସ୍ ଫିସ୍ କହିଲା, "ତୁ ଉଠ୍ ଲୋ ଛବି, ଆମେ ଏଠୁ ଜେଜେ ପାଖରୁ ପଳେଇବା । ଆମ ଜୟନ୍ତ ମଉସା ଭାରି ଭଲ । ମୁଁ ଆଉ ତାଙ୍କୁ କେବେ କିଛି କହିବି ନାହିଁ ଆମକୁ ଆଉ କେହି ଭଲପାଆନ୍ତି ନାଇଁ !" ତା' ଛୋଟ ଛୋଟ କଥାଗୁଡ଼ିକରୁ ଲୁହ ଥୋପି ପଡ଼ୁଥାଏ ।

 

ଦୁଆରବନ୍ଧ ପାଖରେ ଠିଆହୋଇ ସେମାନେ ଅଧେ କଣ ଶୁଣିଲେ; କିନ୍ତୁ ସବୁ ବୁଝିଗଲେ । ସାହସ ହେଲାନାହିଁ ପିଲାକୁ ସେଇଠୁ ଆଡ଼େଇ ଘେନିଯିବାକୁ ।

 

ବୁଢ଼ାକୁ ତେଣେ ଅକସ୍ମାତ୍‌ ଜର ଛେଚିଦେଲା । ବାଉଳିଚାଉଳି ଆହୁରି ବଢ଼ିଗଲା । ପାଟିତୁଣ୍ଡ କରି ବୁଢ଼ା ଘରର ସବୁ ମହତ ପଦାରେ ପକେଇଦେଉଥାଏ । ଗାଆଁ ର ସେତକ ଲୋକ ଜବ୍‍ତ ହୋଇ ଶୁଣୁଥାନ୍ତି; ଶୁଣୁଥାନ୍ତି ବାହାରେ କଡ଼ କଡ଼ ହୋଇ ଭାଙ୍ଗି ପଡ଼ିଥିବା ଘଡ଼ିଘଡ଼ିକୁ ! ଇସ୍ ଦିଗମ୍ବର ମଙ୍ଗରାଜ ପରି ଲୋକ, ଏ କୋଡ଼ିଏ ଖଣ୍ଡ ମୌଜାରେ ତା' ମୁଣ୍ଡ ହଲିଲେ ଭୂଇଁ ହଲୁଥିଲା, ତା'ର ଦେଖ ସବୁ କେମିତି ସରିଆସୁଛି, ଉଜୁଡ଼ିଆସୁଛି ସଂସାର । –ଓହୋ, ପାପ କରି କେହି ତାକୁ ଲୁଚେଇ ପାରିବନାହିଁ । ସାପ ମୁଣ୍ଡ କାଢ଼ିଲା ପରି ସେ ବଳେ ଉଭାରି ଆସି ଠିକଣାବେଳେ ଚିହ୍ନାପକେଇଦେବ ।

 

ଜଣେ ସହଣିକପଣିଆରେ ସେ ଅନ୍ଧାରରେ କହିଲା, "ଆମେ ଏବେ କେଉଁ ସାଧୁ କିଓ-? ଏଇ ବୁଢ଼ା, ବଅସ ଥିଲାବେଳେ କ'ଣଟାଏ କରିଦେଲା ବୋଲି ନାକରେ ଦଉଡ଼ି, ବେକରେ ପଘା ହେଇସାରିଲାଣି । କେତେ ଲୋକ କେତେ ପାପ କରି ଡିଆଁ ମାରୁଛନ୍ତି । ଏ ଭଲା ତିରିଶ ବର୍ଷ ଧରି ଉପରକୁ ମୁହଁ ତୋଳି ଚାହିଁଛି ? ଭିତରେ ଭିତରେ ଜଳିଯାଇଛି ଲୋକଟା–ତାକୁ ଶେଷକୁ ଏଇ ଦଶା ଥିଲା !"

 

ଗଁ-ଗଁ ହୋଇ ଦିଗମ୍ବର ମଙ୍ଗରାଜ ଗୋଡ଼ ଛାଟିଲେ। ସମସ୍ତେ ଜାଣିଲେ ପାଟି ପଡ଼ିଗଲା-। ମାତ୍ର ମଟମଟ ଚାହିଁ କ'ଣଟାଏ ପଚାରିବାକୁ ହେଉଥାନ୍ତି । ପାଟି ଖନି ମାରିଯାଉଥାଏ । ହେଡ଼ମାଷ୍ଟ୍ରଟି ଅନୁଭବୀ ଲୋକ । ସେ ତାଙ୍କ ଡାହାଣ ହାତ ଗୋଡ଼ ଟେକି ଖଟରେ ଧୀରେ ଥୋଇଦେଲେ । ନିଃଶ୍ୱାସଟିଏ ମାରି କହିଲେ, "ବୁଢ଼ାଙ୍କ ଅଙ୍ଗ ପଡ଼ିଗଲା । ଡାହାଣ ଅଙ୍ଗ ପକ୍ଷାଘାତ ହେଇଗଲା । ଆଉ ପ୍ରାଣକୁ ଆଘାତ ନାହିଁ; ମାତ୍ର ବିଷମ ବିପତ୍ତି ଏଣିକି ଆସିଗଲା । ବୁଢ଼ାକୁ ଟେକପାଳ କରିବ କିଏ ?"

 

ଅନ୍ଧାରରୁ ପୁଣି ଜଣେ କହିଲା, "ଓହୋ, ହରି, ସେ ଦୁର୍ଦ୍ଦଶା ଶତ୍ରୁକୁ ନୋହୁ ! ସିନ୍ଦୂରା ମାଆଟା ସାତବର୍ଷ ଖଟରେ ପଡ଼ି ପଡ଼ି ପୋକ ହେଇଗଲା । ସେଡ଼େ ବଡ଼ ବଉଁଶ ଲାଗି ଲାଗି କଣ୍ଟା ହେଇଗଲେ । ସେ ରୋଗ ଜାଣ, ଜିଅନ୍ତାରେ ନର୍କଭୋଗ ସରିକି । ବୁଢ଼ା କର୍ମରେ ଆହୁରି ବହୁତ ଭୋଗିବାକୁ ବାକି ଅଛି ।"

 

ମାଷ୍ଟ୍ରେ ତାଙ୍କ ପେଡ଼ିପୁଟୁଳା ଏକାଠି କଲେ ।

ମେଘ ଗୁମୁଗୁମୁ ହୋଇ କୁହାଟିଦେଲା ।

 

ସମସ୍ତଙ୍କୁ ଲାଗିଲା ତାଙ୍କୁ କିଏ ପଘାରେ ଘୋଷାଡ଼ି ଏପଟ ସେପଟ କରୁଛି । ସେ ଯାଇପାରୁନାହାନ୍ତି କି ରହିପାରୁନାହାନ୍ତି ।

 

"ଓଃ, ଏ ମେଘଟା ଏମିତି ଟେକିଛି, ତିଳତାଳ ବର୍ଷିବା କଥା–ବର୍ଷିବ ନା ନାହିଁ କେଜାଣି-?"

 

ନିଧି ଦଳେଇ ହାଲିଆ ହେଲାପରି କହିଲା, "ସାନସାଆନ୍ତେ କେତେବେଳକୁ ଫେରୁଛନ୍ତି କେଜାଣି ?"

 

ସେଡ଼େ ବଡ଼ ପଥରଘରେ ଭୟଙ୍କର ଗୁଳୁଗୁଳି । ବର୍ଷିଦେଲେ ଉଶ୍ୱାସ ହେଇଯାଆନ୍ତା । ବୁଢ଼ାଟା ଏମିତି ମରିଯାଇଥିଲେ ଉଶ୍ୱାସ ଲାଗିଥାନ୍ତା । ଏ ପଥର କାନ୍ଥଗୁଡ଼ିକ ଫାଳ ଫାଳ ହୋଇ ଫାଟିପଡ଼ିଥିଲେ, ବୁଣିହେଇଯାଇଥିଲେ ଏ ଗୁଳୁଗୁଳିରେ ଭଲଲାଗିଥାନ୍ତା । ବିଜୁଳି ଗାର ଉପରେ ନିଘଞ୍ଚ ଆକାଶଟା ଚିରୁଡ଼ା ଚିରୁଡ଼ା ହୋଇଯାଇଥିଲେ ଟିକିଏ ପାଣି ବୋଧହୁଏ ଝରିଆସିଥାନ୍ତା ।

 

ପାହାଡ଼ର ତୀଖ ଉଠାଣି ଉପରକୁ ପବନମୁହାଁ ଉଠିଗଲା ଗାଡ଼ିଖଣ୍ଡ । ଘାଟମଙ୍ଗଳାଙ୍କ ଆସ୍ଥାନ ଆଗକୁ ଖଣ୍ଡେ ଛୋଟ ସମତଳ ଜାଗା–ସେଇଠି ଯାଇ ଏକାଥରକେ ପହଞ୍ଚି ଅଟକିଗଲା । ସ୍ଥାନଟି ଜୟନ୍ତ ପରିଡ଼ାର ଅପରିଚିତ ନୁହେଁ । ବାଁକୁ ପ୍ରାୟ ପାଞ୍ଚ ମାଇଲଠେଇ ମଙ୍ଗରାଜ ଘର ଗାଁ । ଅନ୍ଧାରରେ ସେଆଡେ଼ କିଛି ଦିଶୁନାହିଁ, କିନ୍ତୁ ଦିଶିଯାଉଛି ସେଇ କୁଷ୍ଠାଶ୍ରମ, ସେଇ ଗୋରାକବର–ଆଖପାଖର ଯେତେସବୁ କୋଳି ଗଛ ଓ ଅନ୍ଧାରରେ ଜଳା ଫିଟେଇ ଚିକ୍‍ଚିକ୍‌ ଅନେକ ସ୍ମୃତି–‘‘ମଙ୍ଗରାଜ ବୁଢ଼ା ତା’ ମେର୍‌ଦା ଘରେ କୋଲପ ପକାଇ ଶୋଇଥିବ । ଶଳା ସେଇଟା କୁଆଡ଼େ ଆମ ବାପ ! ପିଉଥିବା ସିଗ୍ରେଟ୍ ଖଣ୍ଡ ଚୋବେଇ ହୋଇଗଲା । କୋଇ ବାପ୍‌ ନେହି ! ଢେର୍ ଶୁଝିଦେଲିଣି, ଆଉରି ଶୁଝିବି । ସୁଜାତାର କ'ଣ ଆଉ ଦୁଇ-ଚାରିଟି ମଙ୍ଗରାଜ-କୁଳ-ଚନ୍ଦ୍ରମା ହେବେନାହିଁ ? ଜୟନ୍ତ ପରିଡ଼ା ସାତ ପୁରୁଷକୁ ସେ ଘରେ ଚେର ମେଲିଦେବ । ଏଥର ସେ ମିସ୍‌ହାପ୍‍ଟା ନହେଇଥିଲେ ଅବଶ୍ୟ ସୁଜାତା ଦେବୀଙ୍କର ପୁଅଟିଏ ହେଇଥାନ୍ତା–ହଉ ଦେଖିବା ! ସେଇଟା ରୋଗିଣୀ ହେଇଯିବାରୁ ମାଲ୍ ଆଉ ସେତେ ମନ ଧରୁନାହିଁ । ତଥାପି କର୍ତ୍ତବ୍ୟରେ ଅବହେଳା ନକରିବା ପରମ ଧର୍ମ । ନିଜର ଛଳ ବିଦ୍ରୂପରେ ଜୟନ୍ତର ଆମୋଦିତ କାନ୍ଧ ଯୋଡ଼ିକ ଅଳ୍ପ ଦୋହଲିଗଲା । ବୁଢ଼ାର ଆଉ ଗୋଟାଏ ପୁଅ କ'ଣ ଡାକ୍ତରୀ ପଢ଼ୁଚି । ସେ ଶଳାଟିକି ଗୋଟାଏ ଡାକ୍ତରାଣୀ ଖଞ୍ଜି ଦେଲେ କେମିତି ହୁଅନ୍ତା ? ମୀନା କହୁଥିଲା ସେ ମଧ୍ୟ କ'ଣ ସେଇଆ ପଢ଼ୁଛି । ବାଃ ଚିରକାଳ ଜୟନ୍ତ ପରିଡ଼ା ମଙ୍ଗରାଜ ଖାନ୍‍ଦାନ୍‍ରେ ପିତୃକୁଳ ହୋଇ ରହିଥିବ । ମୀନା ଡାକବଙ୍ଗଳାକୁ ଆସିଛି ହୋଟେଲକୁ ଆସିଛି । ସେ ଚମତ୍କାର ଦିଶେ । ଚମତ୍କାର ହସେ । ଅତି ଚମତ୍କାର ବେକରେ ବହୁ ବେଢ଼େଇ ଓହଳିଯାଇପାରେ । ମୀନା ସୁନ୍ଦରୀ ! ମୀନା ଭାରି ନରମ "

 

ଜୟନ୍ତ ପରିଡ଼ାର ପ୍ରତ୍ୟେକ ସ୍ନାୟୁ ସ୍ଫୀତ ହୋଇଉଠିଲା, ଥରିଗଲା ସାରା ଶରୀର–ତାଳୁଠାରୁ ତଳିପାଯାଏଁ ।

 

ଝଙ୍କା ପବନ ସାରା ଜଙ୍ଗଲକୁ ମନ୍ଥି ବୋହିଗଲା । ଜୟନ୍ତ ପରିଡ଼ାର ଆଖି ଉପରକୁ ଜରିଆସିଲା ଗଭୀର ନିଶା–ନାନା ଜାତିର, ନାନା ସ୍ୱାଦର ନିଶା ।

 

ପବନ କ'ଣ ଏତେ ଜୋର୍‌ରେ ବୋହୁଛି ! –ଗୋଟାଏ ଝଡ଼ ପାହାଡ଼ ଗୁମ୍ଫା ଭିତରେ ପଶି ଗୁମୁଗୁମୁ ଗର୍ଜୁଛି । ବିଜୁଳିଟା ମଧ୍ୟ କାହିଁକି କେଜାଣି ଲିଭୁନାହିଁ । ଶବ୍ଦ ଆହୁରି ବେଶି ତେଜିଗଲା–ଆଲୁଅ ଆହୁରି ଜଳିଉଠିଲା–ଜୟନ୍ତର ଘୁମେଇ ଆସୁଥିବା ହୋସ୍ ଉପରକୁ କଣ ଟିକିଏ ଛୁଇଁଦେଲା । ସେ ଆଖି ମଟମଟ କରି ଅନେଇଲା । ବୁଜି ହୋଇ ଆସୁଥିବା ବୁଦ୍ଧିର ଫାଟକଯାକ ଜରୁରୀ ପରିସ୍ଥିତିରେ ପୁଣି ଫିଟିଗଲେ । ସନ୍ତ୍ରୀ ଜଗିଲେ । ଚଷମା ଲଗେଇ ଅସଂଖ୍ୟ କିରାଣି ନଇଁପଡ଼ିଲେ ଫାଇଲପତ୍ର ହିସାବ ଉପରକୁ ।

 

ଖଣ୍ଡେ ଗାଡ଼ି ଚଢ଼ାଣି ଉଠିଆସି ତା' ଫିଆଟ ପାଖରେ ନିଃଶବ୍ଦରେ ଠିଆହୋଇଗଲା ।

 

ଛପ୍‌କିନା ଗୋଟାଏ କଳା ଛାଇ ଜୟନ୍ତ ପରିଡ଼ାର ଟ୍ରେଜେରି ପଛଆଡ଼େ ଲୁଚିଗଲା ଏବଂ ଏତିକିବେଳେ ଲିଭିଗଲା ସମଗ୍ର ଘରର ଆଲୁଅ ।

 

ତାଳୁ ଉପରୁ ଗୋଟାଏ ନିଆଁ ହୁଳା ଖସିଗଲା । କପାଳ ଜକେଇଗଲା ଝାଳରେ । ଅଚାନକ ଖୁବ୍ ପରିସ୍ରା ମାଡ଼ିଲା । ଶୀତକଣ୍ଟା ମାଡ଼ିଗଲା ଦେହସାରା । ଜୟନ୍ତ ବିପଦକୁ ଡରେନା; କେବଳ ତୀବ୍ର ଭାବରେ ଅନାଏଁ–ଚୋଟ ମାରିଦେବ ନା ବିଜୁଳି ପରି ଅନ୍ତର୍ଦ୍ଧାନ ହୋଇଯିବ । ଫଣା ତୋଳି ଅନେଇଲେ ସେ ଚମତ୍କାର ଦିଶେ, ଭୟଙ୍କର ମଧ୍ୟ ଦିଶେ ।

 

ସିଗ୍ରେଟ୍‌ ଖଣ୍ଡେ ଲଗେଇବାର ଅଳ୍ପ କେତୋଟି ମୁହୂର୍ତ୍ତ ମଧ୍ୟରେ ସବୁ ପ୍ରକାର ସମ୍ଭାବନା ଭାବିଗଲା ଜୟନ୍ତ । ଏ ଗାଡ଼ିଟା କାହାର ? ହୋଇପାରେ କ୍ରିଷ୍ଣମୂର୍ତ୍ତି ପଠେଇଛିମାନେ ମିସେସ କ୍ରିଷ୍ଣମୂର୍ତ୍ତି ତ ମୋତେ ନଦେଖିଲେ ରହିପାରେ ନାହିଁ–ଏ ଶଳେ ବୋଧେ ଠିକ୍ ବୁଝେଇପାରିନାହାନ୍ତି-। ଉଁ-ହୁଁ ! –ସେ ଭିତରୁ କାହିଁକି କେହି ବାହାରୁନାହାନ୍ତି ? ଧର୍ସେ କ'ଣ ଗୋଇନ୍ଦା ପଠାଇଛି ମୋତେ ଜଗିବାକୁ ? ବାଷ୍ଟାର୍ଡ଼-ମୁଁ ତା’ କାମ କରୁଚି କି ନକରୁଚି ସେ ଜାଣିବାକୁ ଚାହେଁ ! ଶଳା ପଇସାଗଣ୍ତେ କ’ଣ ଦେଇଚି ବୋଲି-ହାରାମ୍‌ଜାଦା, ସୁଅର୍‌କା ବଚ୍‌ଚା- ନହେଲେ ଏଇଟା ବୋଧେ ମୁଲଚାନ୍ଦ୍‌ ସୋନ୍ଦି ଇସ୍‌, ତା’ହେଲେ ତ କଥାଟି ବଡ଼ ସିରିଅସ୍‌ ! ଆଚ୍ଛା, ଦେଖାଯାଏଗା ?

 

ଗାଡ଼ିର କବାଟା ଫିଟେଇଲା ବେଳକୁ ଭିତର ଆଲୁଅ ଜଳିଉଠିଲା । ପ୍ରାୟ ସେତିକିବେଳେ ଜଳିଉଠିଲା ଆରଗାଡ଼ିର ଆଲୁଅ । ଦରମେଲା କବାଟ ପାଖକୁ ଉହୁଙ୍କି ଆସୁଛି ମୁଲଚାନ୍ଦ୍ ସୋନ୍ଧି । ଆଗରେ ଅପରିଚିତ ଗୋଟାଏ ଲୋକ । ବାହାରେ ବିକଟାଳ ପବନ ଘୁ-ଘୁ ହେଇ କବାଟକୁ ପେଲିପକାଉଥାଏ । ଜୟନ୍ତ ପରିଡ଼ା ମୁହୂର୍ତ୍ତକେ ଠିକ୍ କରିନେଲା କ'ଣ କରିବ ?

 

ପରମୁହୂର୍ତ୍ତରେ ଶୁଭିଲା ମୁଲଚାନ୍ଦ୍‍ର ଦରମେଲା ଫାଟକ ପାଖରୁ ଜୟନ୍ତ ପରିଡ଼ା ବତାସି ଶବ୍ଦକୁ ଟପିଗଲା ଭଳି କହୁଛି–‘‘ଆସେ ୟାର୍‌-ମୁଲଚାନ୍ଦ୍‌ ! ତୁମ୍‌ କୈସେ ଇସ୍‌ ଆଁ ଧିମେ ଇଧର୍‌ ? ହମ୍‌ ଗରିବ୍‌ ଆଦ୍‍ମି, ରୋଟି କେ ଲିୟେ ସବ୍‌ କୁଛ୍‌ କର୍‌ ସକ୍‌ତେ ହେଁ । ମଗ୍‌ର ତୁମ୍‌ ଶାଲେ ଯୈସେ କରୋଡ଼୍‌ପତିକୋ କ୍ୟା ଜରୁରତ୍ ହୈ ମହଲ୍‌ ସେ ବାହାର ନିକଲନେକୋ ? ହୁକୁମ୍‌ କେ ଉପର୍ ସବ୍‌ ବନ୍‌ ସକ୍‌ତା ହୈ । ଅନ୍ଦର୍‌ ଆ ସକ୍‌ତେ ହେଁ ?’’

 

ୱାଃ, ଚିଡ଼ିଆ ଏକଦମ୍ ଅନ୍ଦର । କିନ୍ତୁ ଶୁଭିଲା–ହାଁ ହାଁ, କ୍ୟୋଁ ନେହିଁ !

 

କବାଟ ପଡ଼ିଲା । ଅନ୍ଧାରର କଳା ଗାରଟିଏ ନିଃଶ୍ୱାସ ରୋଧି ଥମିଗଲା । ଅନେକ ଛାଇ ପହଁରିଗଲେ । ଦରାଣ୍ଡି ବୁଲିଗଲେ ଗୁଡ଼ାଏ ଫୁଙ୍ଗୁଳା ହାତ । ଅସ୍ୱସ୍ତିରେ ଜଣେ କିଏ ଗଳା ଖଙ୍କାରିଦେଲା । ଆଲୁଅ ଜଳିଗଲା । ସୁଇଚ୍‍ପାଖରୁ ଅପସରିଗଲା ଖୁବ୍ ନିଘଞ୍ଚ ଲୋମଶ ହାତଟାଏ-। ନୂଆ ଡ୍ରାଇଭର ହେଇଥିବ । –ତିନିମାସ କିଛି କମ୍ ସମୟ ନୁହେଁ !

 

ମୁଲଚାନ୍ଦ୍‌ ଗୋଟାଏ କୋଣକୁ ଆଉଜି ଅନେଇ ରହିଛି । ହଠାତ୍ ତା' ଜଙ୍ଘ ଉପରେ ଚାପୁଡ଼ାଟାଏ ମାରିଦେବାରୁ ସାରା ଗାଡ଼ି କେମିତି ଗୋଟାଏ ଚମକିପଡ଼ିଲା । ବୁଲିପଡ଼ିଲା ନୂଆ ଡ୍ରାଇଭରର ମୁହଁ । ଇସ୍. କି ଆଖି !

 

ଜୟନ୍ତ କିନ୍ତୁ ଦେଖି ନଦେଖିଲା ପରି କହିଲା–"ସତ କହୁଚି ମୁଲଚାନ୍ଦ–ତୁ ମୋତେ ଭୁଲ ବୁଝିଯାଇଛି । ପହିଲେ ପହିଲେ ତୁ ଯେମିତି କରଛଡ଼ା ଦେଲୁ, ମୁଁ ଭାବିଲି ଏଇଟା ଗୋଟାଏ ନବରଙ୍ଗ; ସବୁ ଫେର୍ ଠିକ ହୋଇଯିବ । କିନ୍ତୁ ଦେଖୁ ଦେଖୁ ସବୁ ତୁଟେଇଦେଲୁ । ଆସିଲୁ ମଧ୍ୟ ନାହିଁ । ବହୁ ଚିଡ଼ିଆ ଧରାପଡ଼ିଲେ; କିନ୍ତୁ ସତ କହୁଛି ଦୋସ୍ତ, ସେଦିନ ଭଳି ମଜା ଆଉ ମିଳିଲା ନାହିଁ । ଏମିତି ବକ୍ତ୍‍ରେ ଆସି ପହଞ୍ଚିଲା, ଏଇ ଶାଲା ଧର୍ସେ । ତୁ ତ ଜାଣୁ ମୁଁ ହାରାମି ଭାରି ବଦଖର୍ଚ୍ଛୀ ଲୋକ । ମାସକୁ ହାରାହାରି ଟଙ୍କା ତିନିହଜାର ଉଡ଼ିଯାଏ । ଆଉ ଯାହା ଦରମା ତୁ ତ ନିଜେ ଜାଣୁ । ମଗର ଇମାନ୍‍ସେ ସତ କହୁଛି ଟଙ୍କାଫଙ୍କା ପାଇଁ ମୁଁ ସେ ଶଳା ପାଖକୁ ଯାଉନାହିଁ । ମୁଁ ଯାଉଛି ଆଉ ଗୋଟେ ମତ୍‍ଲବରେ । ତା' ଘରେ ଯେମିତି ଖଣ୍ଡେ ବାଦ୍‍ଶାହୀ ମାଲ୍ ଅଛି ଆଉ ସାରା ଦୁନିଆରେ ସେମ୍‍ତି ନଥିବ । ଶଳା ତାକୁ ତାଲା ମାରି ରଖିଛି । ବସିଛି ୟା'ରି ଭିତରେ ସାଦି କରି ପଠାଇଦେବ । ମାଙ୍ଗାଲୋରରେ କାହା ସାଙ୍ଗରେ ଅଧକୋଟି ଟଙ୍କାରେ କାରବାର ପକ୍‍କା କରିଛି । ମୁଁ ଭାବିଥିଲି ଆଜି ଧାଁଦଉଡ଼ କରି ତା' କାମଟା କରିଦେଇଥିଲେ ତା'ର ବିଶ୍ୱାସ ଜମିଯାଇଥାନ୍ତା । ତା'ପରେ ଚିଡ଼ିଆ ଉପରେ ହାତ୍ ପକାଇବା ସହଜ । ଏଇ ମାସେ ଭିତରେ ତାକୁ ନଧରିଲେ ସେ ଉଡ଼ିଯିବ । ତା'ହେଲେ ମୁଁ ସତ କହୁଛି, ମୁଁ ଦଉଡ଼ି ଲଗେଇଦେବି । ମୁଁ ଶାଲା ସବୁ ନାମଜାଦା ବିଷ ଜହର ଆଣି କକ୍‍ଟେଲ କରି ପିଇଯିବି ।

 

ମୁଲଚାନ୍ଦର ଖମ୍ବପରି ଗମ୍ଭୀରତା ବୋଧହୁଏ ସାମାନ୍ୟ ନରମିଗଲା । ଚିତ୍ରିତ ଆଖିଡୋଳା ଦୁଇଟା ଟିକିଏ ଚହଲିଗଲା ।

 

‘‘ଆଜ୍‌ ଆପ୍‌ କିଧର ଯା ରହେ ହୈ ?’’

 

ଗାଡ଼ି ପ୍ରତ୍ୟେକ ଗଣ୍ଠିରେ ଭିଡ଼ି ହୋଇଗଲା ସତର୍କତାରେ, ଡ୍ରାଇଭରର ବେକ ମୁଣ୍ଡା ପର୍ଯ୍ୟନ୍ତ । ରସିକତା ନାହିଁ, ଆତ୍ମୀୟତା ନାହିଁ । ରୋକଡ଼ ବିଡ଼ା ବିଡ଼ା ଗଣିଲା ବେଳର ବ୍ୟବସାୟୀ ଶଳା ।

 

ଗୋଟାଏ ପ୍ରକାଣ୍ଡ ବିଜୁଳି ଚମକିଗଲା । ପବନରେ ଅଜସ୍ର ମୂଳି କାଚ ଉପରେ ତୁମୁଳ ବିଦ୍ରୋହ ବର୍ଷା କରିଗଲେ । ଜୟନ୍ତ ସେଇ ସିଗ୍ରେଟ୍‍ରୁ କଳେ ଫୁଙ୍କି କହିଲା, "ଯାଇଥାନ୍ତି, ଆଉ ଯିବିନାହିଁ । ହେଃ, ସେ ଶଳା କ'ଣ ଲାଇସେନସ ପାଇବ ବୋଲି ବର୍ଷା ବତାସିରେ କିଏ ଯିବ ?" କିଛି ସମୟ ଧୂଆଁ ଛାଡ଼ି, "ଆଜି ଯାଉ ନାହିଁ କି ଆଉ କେବେ ଯିବି ନାହିଁ । ତା' ସାଙ୍ଗେ ମତଲବ୍ ସେଇ ମାଲଖଣ୍ଡକ । ମୁଲଚାନ୍ଦ ଭାଇ, ତୁମ୍ ୟାର କୁଛ୍ ସମଝୋ–ମଦତ୍ କରୋ, ନହିଁ ତୋ ହମ୍ ଜାନ୍ ଦେ ଦେଗା ।"

 

‘‘ଉସ୍‌କି ବଡ଼ି ବେଟୀ ଖୁବ୍‌ସୁରତ୍‌ ହୈ; ମଗର ତୁମ୍ ଶାଲେ ନମକହରାମି କରେଗା ।" ତିନି ମାସର ଶୁଖିଲା ଖୋଳଟାଏ ବୋଧହୁଏ ହେଇ ଝଡ଼ିଗଲା ନା କ'ଣ ?

 

‘‘ହିହି ହିହି ।" ହସର ପ୍ରଗଳ୍‍ଭ ଲହରୀ କେତୋଟି ନିଶାରେ ଟଳିଟଳି ଲୋଟିପଡ଼ିଲେ ।

 

"ଆରେ ଆରେ, ମୁଲଚାନ୍ଦ ବି ଶେଷକୁ ବେକୁବ୍ ବନିଗଲା; ଆବ୍‍ବେ; ନମକହାରାମି କ'ଣ ? କିଏ ତତେ ଗୁଡ଼ାଏ ପୁରାଣ ଶାସ୍ତର ପିଆଇ ଦେଇଚି ! ସେ ସବୁ ଫାଲତୁ କମ୍‍ଜୋର୍ ମାଇଚିଆ କଥା । ଆରେ ତାକତ୍ ଅଛି ତ ଦାନ୍ତ ଲଗେଇ ସଂସାରକୁ ଶୋଷିଯାଅ । ମଉଜ କର । ଯେ ଭୋକ ଦେଇଚି, ସେ ଶାଲା ଖାଇବାକୁ ମାଲ ବି ଥୋଇଚି । ତାକୁ ଭୋଗ କରି ନପାରିଲେ ନିଜେ ନିକମ୍ମା । ୟା ପରେ କ'ଣ ଅଛି, କିସିକୋ ମାଲୁମ ନେହିଁ । ଏ ହିଁ କେବଳ ମୌକା । ୟାକୁ ଛାଡ଼ିଦେଲେ ଗଲା । ତୁ ମୁଲଚାନ୍ଦ ଯଦି ହାତ ମିଳେଇ ଦିଅନ୍ତୁ ନା ଦୋସ୍ତ, ଦୁଇଟା ଦିନରେ ମତ୍‍ଲବ ହାସଲ ହୋଇଯାନ୍ତା । ତୁ ମତେ ଯାହା କହ, ଜୋତା ମାର ପଛେ–ମୁଁ କହିବି ତୁ ଶାଲା ଏମିତି ମାମଲାରେ ଭାରି ଲାଜକୁରା । ଆବେ, ମରଦ୍ ହେଇ କ'ଣ ଏମିତି ଲାଜଉଚୁ ? ଦୋସ୍ତ ! ତତେ ମୁଁ ଗେରେଣ୍ଟି ଦଉଚି, ତୁ ଥରେ ତାକୁ ଦେଖିଦେଲେ ଯଦି ମାତି ନଯିବୁ–ମୁଁ ଶାଲା ଏଇ ଆଙ୍ଗୁ ଠିଟାକୁ କଲମ କରିଦେବି ।"

 

ମୁଲଚାନ୍ଦ ଜୁଆଖେଳର ଶେଷ ମୁଠା ଖୁବ୍ ନିଘା କରି ବିଚାର କରିନେଲା ସିଗ୍ରେଟ୍ ଲଗେଇବାର ବାହାନାରେ । "ଆଚ୍ଛା, ତୁମ୍ ଅଗର୍ କହତେ ହୋ ତୋ ଦେଖେଙ୍ଗେ ।" ଇ ଇ ଗୁଡ଼ାଏ ସିତ୍କାର ବିକାରରେ ଜୟନ୍ତ ହାତ ଗୋଡ଼ ମୁଦା କରି ପବନକୁ ଚାପିଦେଇଗଲା–"ୟା' ପାଇଁ ଗୋଟାଏ ଉତ୍ସବ ହବ । ରହ; ମୁଁ ମାଲ୍ ନେଇ ଆସୁଚି ।"

 

ତା ହାତକୁ ଖପ୍‌କିନା ଧରି ତାକୁ ବସେଇଦେଲା ମୁଲଚାନ୍ଦ ! ପାଖରେ ଗୋଟିଏ ଚମତ୍କାର ଝୋଲାରୁ ବାହାରିଲା ଝିଲ୍‍ଝିଲ୍ ଗୋଟିଏ ବୋତଲ ।

 

ତାକୁ ଦେଖିଦେଇ ଜୟନ୍ତ ବୋତଲର ବେକ ପାଖରେ ଗୋଟାଏ ଚୁମା ମାରିନେଲା । ତା'ପରେ କାଖରେ ତାକୁ ଚାପିଧରି ଦାନ୍ତ ଜାବି ଗେଲ କରିନେଲା–"ଇ ହି ହି ହି ହି ୟ."–ଦାନ୍ତସନ୍ଧାରୁ ଛିଟିକି ପଡ଼ୁଥାଏ ହସ ଆଉ ଗୁଡ଼ିଏ କ'ଣ ଆମିଷାକ୍ତ କ୍ଷୁଧାର ବଜ୍‍ବଜିଆ ଫେଣ ସହିତ-

 

କିଛି ସମୟ କିଣ୍‌କିଣ୍‌ କାଚ ଓ ଟଳ୍‍ଟଳ୍‌ ସରାବ୍‍ର ପରିଚିତ ଶବ୍ଦ ଭିତରେ ଆସ୍ତେ ଫୁଟିଉଠିଲା ଗୋଟାଏ ପ୍ରକାର ହସ । ଗୋଟାଏ ଖୁବ ନରମ ମାଂସପିଣ୍ଡକୁ ମଝିରେ ରଖି ଦୁଇଟି ଭୋକିଲା ମନ ମାତିଉଠିଲେ । ହୁଗୁଳିଗଲା ସାରା ଗାଡ଼ିର ଭିଡ଼ି ହୋଇ ରହିଥିବା ଗଣ୍ଠି । ଡ୍ରାଇଭରର ଟାଆଁ ସା ବେକମୁଣ୍ଡା ବାଳଗୁଡ଼ିକ ନଇଁଗଲା । ଜାଗ୍ରତ ପ୍ରହରୀଗୁଡ଼ାକ ଘୁମେଇପଡ଼ିଲେ-। ଦୁଇଟି ପିସ୍ତଲ ଅବସରପ୍ରାପ୍ତ ଏସ୍. ପି.ଙ୍କ ପରି ପାଟି ମେଲେଇ ଶୋଇ ଗଲେ । ତାଙ୍କ ଭିତର ବାରୁଦଯାକ ସବୁ ଓଦା; ନିଆଁ ଧରିବାର ଅବକାଶ ଆଉ ନାହିଁ । ବୋତଲ ବୋତଲ ସରାବ୍‌ରେ ଯୋଡ଼ିକଯାକ ଓଦା ସରସର ।

 

ବାହାର ଝଡ଼-ବତାସିର ଉଜାଣି ଉପରେ ଲହରୀ ମଡ଼େଇ ଦୁଇଟି ବିଜେତାଙ୍କ ସ୍ୱର ଶୁଭୁଥାଏ । ସେଥିରେ ଧର୍ସେ କର୍ସନ୍‌କୁ ମିଶେଇ ଆଉ ବହୁ ତଥାକଥିତ ସମ୍ଭ୍ରାନ୍ତଙ୍କର ଇଜ୍ଜତ୍ ନିଆହେଉଥାଏ । ମନ୍ଦିରରୁ ଦେବବିଗ୍ରହ ନର୍ଦମା ଉପରକୁ ଗଡ଼ିଆସୁଥାନ୍ତି । ସାରା ପୃଥିବୀରେ କେବଳ ଜନ୍ତୁ । ସମାଜର ପାଚେରି ଭାଙ୍ଗି ଗୁଡ଼ିଏ ବାପ, ଭାଇ; ଝିଅ, ଭଉଣୀ; ମା, ପୁଅ ନିଷିଦ୍ଧ ଅଞ୍ଚଳରେ ଅନ୍ଧାର ଭିତରେ ଚାରି ଟାପୁ ଉପରେ ବିଚରଣ କରୁଛନ୍ତି । ସାରା ଆକାଶ ଗୁଡ଼ାଏ ମୃତ ପାଉଁଶ ଓ ଅଙ୍ଗାରରେ ଭରପୂର । ପୃଥିବୀ ଟେଳାଏ କାଦୁଅ ମାତ୍ର । ମଣିଷର ନଗ୍ନ ଦେହ କେବଳ ସହସ୍ର ଶିଖା କ୍ଷୁଧାର ମନ୍ଦିର । ଶତ୍ରୁ ସଂହାର ଏକମାତ୍ର ନ୍ୟାୟ । ବିଭିନ୍ନ ପ୍ରକାର ଆହାର ପାଇଁ ବଞ୍ଚିବା ଏକମାତ୍ର ଧର୍ମ । ପ୍ରତିଦିନ ପାହାନ୍ତାରେ ଶହ ଶହ ନିରୀହ ଛେଳିଙ୍କୁ ହାଣିଲେ ଆକାଶ ଛିଣ୍ଡି ପଡ଼େନାହିଁ । ସେହିପରି ନିରୀହ ମଣିଷଗୁଡ଼ାକୁ ନିଜ ସୁବିଧା-ସ୍ଵାଚ୍ଛନ୍ଦ୍ୟ ପାଇଁ ହତ୍ୟା କଲେ ସୃଷ୍ଟି ଗୋଡ଼ିମାଟି ହୋଇଯିବ ନାହିଁ । ନ୍ୟାୟ ନିଶାପ ପାଇଁ ଆକାଶରେ ଗୋଟାଏ ଭୂତକୁ ଡରିବା ବୋକାମି । ଯାହା ହେବ ଏଇଠି ହେବ; ବାକି ଉପର ତଳ ସବୁ ମିଛ । ନିଜେ ସ୍ୱେଚ୍ଛାରେ ବାଘ ବଞ୍ଚିଲାପରି ବଞ୍ଚିବା ପାଇଁ ଯାହା କରିବ, ତାହା ଠିକ୍ । ଛନଛନିଆ ମିରିଗଟାଏ ଯଦି ପଟାଳିଆ ହାବୁଡ଼ରେ ପଡ଼ିଗଲା ତାହା ତାର ଦୁର୍ଭାଗ୍ୟ । ଯଦି ସ୍ୱର୍ଗଫ୍ୱର୍ଗ କିଛି ଥାଏ, କେନ୍ଦୁପତ୍ର ବା ମଦ ଠିକା ପରି ତା' ଲାଇସେନ୍‍ସ ମଧ୍ୟ ମୋଟା । ପଇସା ଦେଇ ନିଲାମରେ କିଣିହୋଇଯିବ । ତିଳକଧାରୀ ପୂଜକ ପଇସା ପାଇଗଲେ ଖୋଦ୍ ଇନ୍ଦ୍ରପୁରକୁ ଟିକଟ୍ ଦେଇଦେବ । ଏ ସବୁ ଗୋଟାଏ ଭାଣ୍ଡ କାରଖାନା । କେହି କାହା ପାଇଁ ଦାୟୀ ନୁହନ୍ତି । ଏଣୁ ଏ ଅନ୍ଧାର ଭିତରେ ଯାହା ପାରୁଚ ଖାଇଯାଅ-। ଏଭଳି ରାମରାଜ୍ୟ ସୁଯୋଗ ବହୁ ଭାଗ୍ୟରେ ଥିଲେ ଥରେମାତ୍ର ଯୁଟିଯାଏ ।

 

କାଚବାଡ଼ ସେପଟେ ସେଇପରି ଭାଙ୍ଗି ପଡ଼ୁଛି ଅନେକ ସବୁଜ ଡାଳ । ଶୋଇଯାଉଛନ୍ତି ଉଞ୍ଚ ଉଞ୍ଚ ମାନନୀୟ ବନସ୍ପତି । ଗଛଗୁଡ଼ିକର ହାହାକାର କାହାରି ପାଖରେ ପହଞ୍ଚିପାରୁନାହିଁ । ଅବାଧ, ନିରଙ୍କୁଶ ମାଡ଼ିଚାଲିଛି ଦୁର୍ମଦ ପ୍ରବଳ ଗୋଟାଏ ଅଶ୍ଵାରୋହୀ ଝଡ଼ । ଉପରକୁ ଅନେଇଲେ ସେଇ ଝଡ଼ର ଅକଳନ୍ତି କଳାପିଠିଆ ଥାଟ ହିଁ ସମଗ୍ର ଜଗତକୁ ଘୋଡ଼େଇ ରଖିଛି । ରହି ରହି ବିଜୁଳି ମାରୁଚି ଏବଂ ରହି ରହି ହାଇମାରୁଛି ଲଚ୍ଛନ୍ନା । ବେପରୁଆ ଢଙ୍ଗରେ ସେ ହୁଏତ କହୁଛି–"ମୁଁ ମାରିପାରେ, ମୁଁ ତାରିପାରେ–ଏ ସୃଷ୍ଟି ମୋର ଖେଳଘର ।

 

ନିର୍ଜନ ଗିରିସଙ୍କଟ ଭିତରେ ସୁଜାତାକୁ ବାଟ ଦିଶୁନାହିଁ । ବୋଉ କିଛି କିଛି ଜାଣନ୍ତି, ସେ କ୍ଷୁଧିତ ନିର୍ମମ ପ୍ରଦେଶରେ ଜୀବନ କିପରି ଏକ ଛକାପଞ୍ଝା ସଂଗ୍ରାମ । ପୁଷ୍ପିତ ବନଫୁଲର ଅଯତ୍ନ ସମାରୋହ ଭିତରୁ ହଠାତ୍ ଖସିଆସି ଶୁଖିଲା କାନ୍ତାର ଓ ତାତିଲା ପଥର ଚଟାଣଗୁଡ଼ାକୁ ସୁଜାତା ଗ୍ରହଣ କରିପାରୁନାହିଁ । କାନ୍ଥକୁ ଅନେଇଦେଲାବେଳକୁ ଦିଶୁଚି ଯେ ଦିଗ୍‍ବଳୟର ପ୍ରାରମ୍ଭରୁ କେଉଁଠି ହେଲେ ପାଖୁଡ଼ାଏ ଫୁଲ ନଥିଲା; ସବୁବେଳେ ଏଇ ବାଲି ଓ ଝରଣାର ମୃତ୍‌ପିଣ୍ଡ । ଏ ଉତ୍ତପ୍ତ ଭୂଇଁରେ କାହାରି ଉପରକୁ ଆଉଜିପଡ଼ିବା ସମ୍ଭବ ନୁହେଁ । ବୋଉ ନିଜେ ଜଣକ ଉପରକୁ ଏବେ ଖୁବ୍ ସନ୍ତର୍ପଣରେ ଆଉଜି ରହିଛି–ଏଣୁ ସୁଜାତା ପାଇଁ ଆଉ ଆଶା ନାହିଁ । ଭାଇ ହେଲେ କ'ଣ ସବୁବେଳେ ତୋଳିଧରିଥିବ ! ଏ ଛାତ ତଳେ ସେ ତା'ହେଲେ ମାତ୍ର କେତେଦିନର କୁଣିଆ । ଏଠି ହୁଏତ ଭାତ ଖାଇଲେ ଗୁଣ୍ଡା ଗଣାଯାଏ । ଏ ମାଟି ଉପରେ ବିବାହିତା ଝିଅର ଅଧିକାର ନାହିଁ-। ଭାଇର ରୋଜଗାର ଖାଇବାକୁ ଭଉଣୀ ଏଠି ରହିପାରିବ ନାହିଁ ଏ ଘରେ ସେ କିଏ ? କାନ୍ଥବାଡ଼ ଲଗାତ୍‌ କରଛଡ଼ା ଦେଇ ପଚାରିଚାଲିଛନ୍ତି ।

 

ସୁଜାତାର ସମଗ୍ର ଆକାଶରୁ ପବନ ସରିଆସିଲା । ସାରା ମେଘ ସମ୍ଭାର ସବୁ ମିଳେଇ ଗଲା । ଜୋର୍ ଦେଇ ଆଉ ଠିଆ ରହିବା ସମ୍ଭବ ହେଲାନାହିଁ । ଇସ୍‌, ଏ ଅପରିଚିତ ହାତରେ ତା'ର କଉଡ଼ି ସରିଯାଇଛି ! ସେ ଗଛମୂଳେ ଠିଆରହି ଏକଦା ପରିଚିତ ମୁହଁଗୁଡ଼ିକୁ ଖୋଜିଲାଗିଛି । ସେଇ ଜାମା, ସେଇ ଗାଡ଼ି, ସେଇ ନାଆରେ ଗୁଡ଼ିଏ ଅଚିହ୍ନା ଲୋକ ତାକୁ ଅନେଇଦେଇ ଚାଲିଯାଉଛନ୍ତି, ନାଁ ସୁଦ୍ଧା ପଚାରି ଦେଉନାହାନ୍ତି । ଆଶ୍ଚର୍ଯ୍ୟ ସେମାନେ କ'ଣ ଏତେ ଚଞ୍ଚଳ ଭୁଲିଗଲେ ! ଭେନିଟି ବେଗ୍ ହଲେଇ ସେ ସମୟ-ସମୟରେ ଟା' ଟା' କଲେ ମଧ୍ୟ କେହି ଦେଖୁନାହାନ୍ତି । କିନ୍ତୁ ସେଇଟା କ'ଣ ଭେନିଟି ବେଗ୍ ? ସେଇଟା ପରା ଖଣ୍ଡେ ଟିଣଡ଼ବା ସେଥିରେ ବାରମିଶା ଚାଉଳ ଦି'ମୁଠା ଝଣ୍‍ଝଣ୍ ହେଉଛି ! ସେ ଶିରାବହୁଳ ଚମ ଧୁଡ଼୍ ଧୁଡ଼୍ ହାତରେ ଘଣ୍ଟା ନାହିଁ, କାଚ ନାହିଁ, ବିଭିନ୍ନ କ୍ରିମ୍‍ର ପ୍ରଲେପ ନାହିଁ । ଇସ୍ ! ନିଜର ସମଗ୍ର ଅସ୍ଥି ଚର୍ମକୁ ନେଇ ସେ ଘାଉରି ଖାଇଗଲା । ମାତ୍ର ସତ୍ୟ ସେମିତି ଅବିଚଳିତ ବତିଖୁଣ୍ଟଟିଏ ପରି ନିର୍ବିକାର ଠିଆରହିଲା । ସୁଜାତା ଦେହରୁ ଗୋଟା ଗୋଟା ଝାଳ ନିଗିଡ଼ିଗଲା ! ବୋଉ ମୁହଁ ପୋଛିଦେଇ ପିଠି ଆଉଁସି ଦେଉଥାଆନ୍ତି । ସେ ବି ସେଇଭଳି ଅସହାୟା ନିଆଶ୍ରୀଟିଏ ନା !

 

ମେଘ ଗୁରୁଗୁରୁ ଗର୍ଜୁଛି; କିନ୍ତୁ ଟୋପାଏ ବୋଲି ପାଣି ଝରିନାହିଁ । ପବନ ମଧ୍ୟ ଜବତ୍ କରି ରୁନ୍ଧିରଖିଛି । ଅଜାଡ଼ିଦେବାକୁ ବା ଫିଟି ବୁହାଇଦେବାକୁ ଏତେ ବଡ଼ ଆକାଶର କେମିତି ଗୋଟାଏ କାର୍ପଣ୍ୟ ଆସିଯାଇଛି । ସେ ଚାହେନା ଏ ଭୂଇଁରେ କାହାକୁ କିଛି ଦେବାକୁ । ଏଇ ଆକାଶ ତ ପୁଣି ଢେର୍ ବର୍ଷିଛି, ଖୁବ୍ ନଇଁଆସିଛି ଧାର ଧାର ଶୀତଳ ସ୍ପର୍ଶ ନେଇ । ଏବେ କିନ୍ତୁ ଅପରିଚିତ ପରି କାହିଁ କେତେ ଦୂରରେ ଆଡ଼େଇ ଠିଆ ରହିଛି କାହିଁକି ?

 

ମେଘ ଗର୍ଜିଲା ଏବଂ ଘର ଭିତରକୁ ପଶିଆସିଲା ସରୋଜ । ସେ ବୋଧହୁଏ ଏମାନଙ୍କୁ ନଚାହିଁ ସିଧା ଭିତରକୁ ଚାଲିଯାଇଥାନ୍ତା; କିନ୍ତୁ କେଜାଣି କାହିଁକି ମୁହୂର୍ତ୍ତେ ଠିଆହୋଇଗଲା । ସେଇଠୁ ବୁଲିପଡ଼ି ପଚାରିଲା–"କଣ ହେଲା ?"

 

ପ୍ରଶ୍ନଟି ସେଇ ଦିଗରେ କାହାରି ଦେହରେ ନବାଜି କାନ୍ଥରୁ ଲେଉଟି ଆସିଲା । ଚାରୋଟି ଆଖି ଅପେକ୍ଷା କଲେ । କାହାକୁ ଚାହିଁ ସରୋଜ ସେ ପ୍ରଶ୍ନର ଧାରକୁ ବାଗେଇବ ? ଥରେ ସୁଜାତାକୁ ସେ ଚାହିଁଦେଇ ବୋଉକୁ ଅନେଇଲା ।

 

"ତା ଦେହକୁ ଆଉରି ବଳ ଆସିନାହିଁ । ତୁ ଗଲା ଉତ୍ତାରୁ କ'ଣ ଗୁଡ଼ାଏ ସବୁ ଭାବନା କଲା ଯେ ମନ ଘାଣ୍ଟି ହେଲା । ଚେତା ବୁଡ଼ିଗଲା ପରି ହେଇଥିଲା । ଏବେ ଟିକିଏ ସାଷ୍ଟମ ହେଲାଣି-।"

 

ସୁଜାତାର ଆଖି ତଳେ, ନାକ ମୂଳେ, କପାଳ ଉପରେ ଟୋପା ଟୋପା ଝାଳ ସରୋଜକୁ ଦିଶିଲା । ହଠାତ୍‌ ଶୁଭିଲା ସରୋଜ କହୁଚି–"ଆଚ୍ଛା, ଏମିତି ଆଉ କେତେ ଦିନ ଚାଲିଥିବ ! ଲୋକ ତ ପୁଣି ହସ୍‌ପିଟାଲରୁ ଆସି ସୁସ୍ଥ ହେଇଯାଉଛନ୍ତି-ୟା’ର ଏମିତି କାଇଁକି ଚାଲିଚି ! ହଁ, ମୁଁ ଆଜି ଡ଼ିସ୍‌କସ୍‌ କରୁଥିଲି-ମଙ୍ଗରାଜ ବୁଢ଼ା ମରୁ ନମରୁ ତା’ ଜମିରୁ ତା’ ପୁଅ ଭାଗ ନେଇ ପାରିବ । ପୁଅନଥିବା ଅବସ୍ଥାରେ ତା’ ସ୍ତ୍ରୀ ପିଲା ସବୁ ଭାଗ ନେବେ । ବିଶ୍ୱମ୍ଭର ତ ଚାରିପାଞ୍ଚିରୁ ଗଲା । ସେ ଯାହା କୀର୍ତ୍ତି ଅର୍ଜିଛି, ଟାଉନ୍‍ରୁ ଆସି ଆମ ଗାଁଦାଣ୍ଡରେ ପଡ଼ୁଚି । ମୁଣ୍ଡ ତଳକୁ ପୋତି ଚାଲିବାକୁ ପଡ଼ୁଚି । ସେଇଟା କୁ'ଠି ମରିଗଲା ବୋଲି ଖବର ପହଞ୍ଚିଗଲେ ମଣିଷକୁ ଉଶ୍ୱାସ ଲାଗନ୍ତା ।"

 

"ଚୋପ୍‌, ନାଲାଏକ, ଜୁଆଚୋର, ମଦୁଆ କାହାଁକା ! ସଟ୍ ଅପ୍ !!" ସୁଜାତାର ଆଉ କହିବାକୁ ବୁକୁରେ ପବନ ନଥିଲା । ଗୁଡ଼ାଏ ଫୁଟନ୍ତା ଲୁହ ନାକବାଟେ ଡବଡ଼ବ ନିଗିଡ଼ି ଆସିଲା । ଆଖି ଖୋସି ହୋଇ ରହିଗଲା । ପାଟି ମେଲା ହୋଇ ରହିଗଲା । ବେକଠାରୁ ବୁକୁ ପର୍ଯ୍ୟନ୍ତ ବୋଉ ସାଉଁଳିଦେଇଗଲେ । ସରୋଜ ନିର୍ବିକାର ଠିଆହେଇଥାଏ ।

 

"ଏଇଟା ଏମିତି କାଇଁକି ହଉଚି ? ମୁଁ କ'ଣ ଏ ସାବିତ୍ରୀକୁ ଚିହ୍ନି ନାହିଁ, ନା ଟାଉନ୍‍ରେ କିଏ ୟା କଥା ନଜାଣି ରହିଚି ? ଭାଗ୍ୟରେ ଥିଲା ତ କିରାଣିଟାକୁ ବାହା ହେଲୁ । ତାକୁ ଛାଡ଼ି କାହିଁକି ଅଫିସରମାନଙ୍କୁ ଏତେ ନଜର ଶୁଣେ ? –ଯାହା ଅପଦସ୍ଥ, ବେଜିତ୍ କରିଛି ସେ ବିଶ୍ଵମ୍ଭରଟାକୁ, ନାହିଁ ନଥିବା କଥା । ଆଉ କ'ଣ ମଡ଼ର୍ଣ୍ଣ ମାଇକିନିଆ ନାହାନ୍ତି ! ଲୋକଙ୍କ ଏକୁଟିଆ ଘରେ ମଦ ଖାଇ ରାତିସାରା ଗଡ଼ିବା, ଆଉ ବାର ବେଜିତ୍‌ କାମ କରିବା, ତାଙ୍କଠଉଁ ମୁଦିଟାଏ, ମାଳିଟାଏ ନେବା କ'ଣ ବେଶ୍ୟାଗିରି ନୁହେଁ ? ଏବେ ପତିଦେବଙ୍କୁ ମର ବୋଲି କହିଲେ ବାଧିଯାଉଛି !"

 

‘‘ଆରେ ରହ ! ବେଶି ଗୁଡ଼ାଏ କୁହାଳିଆ ହେଇଯାଉଚି ! ତୋ’ ଅବସ୍ଥା କ’ଣ ତୋ ଆଖିକୁ ଦିଶୁନାହିଁ ?’’

 

"ତୁ ଚୁପ୍‌କର ! ତୁଇ ତାକୁ ବିଗାଡ଼ିଚୁ । କ'ଣ ନା' ସବୁ ଗ୍ରାଜୁଏଟ୍‌ ହେଇଗଲେ–ସାଇବାଣୀ ହେଇଗଲେ । ତୋରି ଦେଖା-ଶିଖାରେ ତ ଝିଅମଣିଙ୍କ ମୁହଁ ଏମିତି ଉପରକୁ । ଯାହା ଫିଙ୍ଗା-ଫୋପଡ଼ା ସହି, ବାର ବେଜିତ୍ ସହି ସେ ନିଲଠିଆ ଏ ସୁନ୍ଦରୀ ଏସ୍‍.ପି.ଙ୍କ ଝିଅଙ୍କ ଶରଣ ପଶିଥିଲା, ବହୁ ଆଗରୁ ୟାକୁ ସେ ହାଣିଦେଇଥାନ୍ତା, ନହେଲେ ନିଜେ ହାଣି ହେଇ ଯାଇଥାନ୍ତା । ଏବେ ତିନିମାସ ହେଲା ବାବନାଭୂତ ହେଇ ଲାପତା' ବୁଲୁଚି, କି କେଉଁଠି ପଡ଼ି ମଲାଣି । ଏଣେ ଆମ ସତୀଙ୍କ ତେଜ କହିଲେ ନ ସରେ । ହୁଃ !

 

ଅସମ୍ଭବ !! –ଏଇଟା ବୋଧହୁଏ ଗୋଟାଏ ଦୁଃସ୍ୱପ୍ନ ! ଗୋଟାଏ ହାତରେ ଭରାଦେଇ ସୁଜାତା ଅନେଇଲା ସରୋଜକୁ ! ବୋଉ ତଳକୁ ମୁହଁ ପୋତି ବସିଛନ୍ତି ପଥର ପରି । ସୁଜାତାର ମନହେଲା କେବଳ ଚପ୍‍ପଲ ମାରି ଏ ଅଭଦ୍ରର ମୁହଁ ବନ୍ଦ କରିଦେବ । କିନ୍ତୁ କାହିଁକି କେଜାଣି ଭିତରୁ ଆଗ ଯେମିତି ଫଣା ତୋଳି ଉଠୁଥିଲା, ତା ଆଉ ଘୁଞ୍ଚୁ ନାହିଁ । ଦୁର୍ଦ୍ଧର୍ଷ, କର୍କଶ ପୁରୁଷର ରୂପ ପ୍ରଥମଥର ପାଇଁ ଦେଖିଦେଇ ହୁଏତ ନଇଁଗଲା ଭୟରେ ବା ଘୃଣାରେ ନୁହେଁ ; ବରଂ ସମ୍ଭ୍ରମରେ, ପ୍ରେମରେ ! ଏଭଳି ପେଶିହୋଇଯିବାପାଇଁ, ଦଳି-ଚକଟି ହୋଇଯିବା ପାଇଁ ହୁଏତ ପ୍ରତ୍ୟେକ ନାରୀର ଗୋପନୀୟ ଇଚ୍ଛାଟିଏ ଥାଏ । ପ୍ରବଳ ପୁରୁଷ ପାଖରେ ହାରିଯିବା ପାଇଁ ସେ ଅନବରତ ଚାହିଁରହେ । ଏପରି ମୁକାବିଲାରେ ନାରୀ ନିଜକୁ ସାର୍ଥକ, କୃତକୃତ୍ୟ ବୋଧକରେ । ଅନେକ ଉପରୁ ଗୁମୁଗୁମୁ ଗର୍ଜୁଥିବା ମେଘକୁ ଚାହିଁ ଶୂନ୍ୟଗର୍ଭା ନଦୀ ସତେ ବା ତା'ର ଶୁଖିଲା ଶଯ୍ୟାର ରେଣୁ–ରେଣୁରେ ପରାସ୍ତ ହେବାର ଆନନ୍ଦକୁ ଅପେକ୍ଷା କରିଥାଏ ।

 

ସୁଜାତା ପରାସ୍ତ-କ୍ଳାନ୍ତ-କିନ୍ତୁ ଗଭୀର ଭାବରେ ଆଶ୍ୱସ୍ତ ! ନିର୍ଜନ ବାଲି ଓ ପଥର-କାନ୍ତାର ଭିତରେ, ହୋଇପାରେ ଏଇଟା ଗୋଟାଏ କର୍କଶ ଚଟାଣ, ତଥାପି ୟାର ରୁକ୍ଷ ଦାଢ଼ୁଆ ବାହୁ ଉପରକୁ ଆଉଜି ହେଉଛି । ଏଇ ରୁକ୍ଷତା, ଏଭଳି ପୁରୁଷପଣିଆ ଆଗରୁ ପାଇପାରିଥିଲେ, ଏଇଭଳି ମୁହାଁମୁହିଁ ପରାସ୍ତ ହୋଇଥିଲେ ସୁଜାତା ନିଜକୁ କୃତାର୍ଥ ମଣିଥାନ୍ତା ।

 

"ସଟ୍‌ ଅପ୍‌ ! ମୁଁ କ’ଣ ତୋର ପୋଇଲୀ ବୋଲି ଭାବିଛୁ ? –ତୋ'ର ଅଣ୍ଡିରାପଣିଆ ଆଉ କାହାପାଖରେ ଦେଖେଇବୁ । ମୁଁ ବର୍ତ୍ତମାନ ଚାଲିଲି !" ଯଥାସମ୍ଭବ ପାଟିକରି ସୁଜାତା ନିଜ ଫଣା ତୋଳିଲା । ସରୋଜ ସେଇଭଳି ନିଷ୍କର୍ମ, ସେମିତି ରୋକ୍‍ଠୋକ୍ ।

 

ବିଶି ଆଙ୍ଗୁଠିରୁ ଗୋଟାଏ ଚାବି ଝୁଲେଇ ସେ କହିଲା-ତା’ଲ ବନ୍ଦ୍ ! ଏଭଳି ସୁଜାତା ଦେବୀ ପଳେଇଲେ କେମିତି ଆମ ଗୁଜୁରାଣ ମେଣ୍ଟିବ ! –ଶୁଣ୍ ସୁଜୁ ଅପା ! ତତେ ଏଇଠି ରହିବାକୁ ହେବ । ସେ ମଙ୍ଗରାଜଠୁ ଅଧେ ଜମି ନାଲିଶ୍ କରି ଆଣିବାକୁ ହେବ । ମୁଁ ଭାବିଛି ଗୋଟାଏ ବଡ଼ ଫାର୍ମ କରିବି ! ତୁ ଏଇଠି ସୁନା ଝିଅପରି ରହ, ନହେଲେ ଅବସ୍ଥା ଭଲ କରିବି ନାହିଁ, କହିଦେଉଚି-ସାବଧାନ୍‌ ! ଘଇତାଶଳା ମାଇଚିଆ ତ, ପୋଷି ରଖି ପାରିଲା ନାହିଁ ! ଶଳା କ'ଣ ଦୁଇଶ' ଏକର ଜମି ଥାଉ ଥାଉ ତୁ ଭିକ ମାଗିବୁ, ନା ଆମେ ମରିବୁ ? ତଣ୍ଟିରେ ଗୋଡ଼ ମଡ଼େଇ ମୁଁ ଓଟାରି ଆଣିବି । ତୁ ଶାଲା ଯଦି ଉଁ-ଚୁ କରିଚୁ ଜାଣିଥା !" –କହି ସରୋଜ ଦୁମ୍‍ଦୁମ୍ ହୋଇ ଶିଡ଼ି ଉପରକୁ ଉଠିଗଲା ।

 

ଯୋଡ଼ିଏ ନାରୀ ପ୍ରଳାପ କଲାପରି କାନ୍ଦିଉଠିଲେ–ସ୍ଵରର ପ୍ରଥମ ଲହରରେ । –ପୁଣି ନିଦରେ ବିଳିବିଳେଇଲା ପରି ହି-ହି ହୋଇ ହସିଉଠିଲେ । ଅପାଠୁଆ, ନିକମ୍ମା-ପୁଅ କହୁଚି ଫାର୍ମ କରିବ–ଶହେ ଏକର ଭୂମି ଆଣିବ–ସତେ ବା ଅନ୍ଧାରରେ ପହଁରିଲାବେଳେ ଗୋଟାଏ କିନାରା ମିଳିଗଲା !

 

ପୁଅ ଆଇ. ଏ. ଏସ୍‌ ପାଇଗଲା ହି ହି ହି ହି

"ପାଗଳ !’’ ଅଜସ୍ର ସନ୍ତୋଷରେ ବୋଉ ଉବୁଡ଼ୁବୁ !

 

ସରୋଜଟା ସବୁଠୁ ବଳୁଆ । ସେ କାହାକୁ ମାନିବନାହିଁ । ସେ ଜବରଦସ୍ତ ତା' ଅପାକୁ ଏଠି ରଖିବ ଜବରଦସ୍ତି–ଆଃ କେତେ ଆପଣାର, କେତେ ଟାଣ, କେତେ ନିର୍ଭରଯୋଗ୍ୟ ଏ ବଳିଷ୍ଠ ଘେର ! ଆଃ, ଅଧେ ଜମି ଭାଗ ଆସିବ ନିଶ୍ଚୟ କଥା, ମୁଁ କ'ଣ ଆଉ ଭିକ ମାଗିଥାନ୍ତି–ହା ହା .ହି ହି ହି ହି !

 

"ଦେଖିଲୁ ନା ସୁଜୁ ! ଏଇଟା ହୁଣ୍ଡା, ଏକବୁଝା ସିନା, ତା' ମନ ଭିତରେ ସେମିତି କିଛି ନାହିଁ । ମୁଖୁରାଟା–ଯାହା ପାରିଲା କହିପକାଏ, ଆଗପଛକୁ ବିଚାର କରେନାହିଁ ।" ସୁଜାତାର ଆଖିପତା ତଳୁ ନିଗିଡ଼ିଗଲା ଅନେକ ସଞ୍ଚିତ ଅଶ୍ରୁ । ଗଭୀର ଆଶ୍ଵସ୍ତିର ନିଃଶ୍ୱାସଟିଏ ମଧ୍ୟ ଆସ୍ତେ ନିଗିଡ଼ିଗଲା ଓଦା ସରସର ବୁକୁ ଉପରକୁ । ବୋଧହୁଏ ଏଇ ପାଞ୍ଚ ମିନିଟରେ ସୁଜାତା ଶୋଇଯିବ-!

ବୋଉ ଉଠିଲେ ରୋଷଘରକୁ ।

ଚାରିଆଡ଼ୁ ନିବୁଜ କରି ରୁନ୍ଧି ରଖିଥିବା ଗୁଳୁଗୁଲିରେ ଅନେକ ପୁରୁଷାକାର । ଏ ଟାଣ ଚାରିକୋଣିଆ କାନ୍ଥ, ଏ ଦୋଫାଳ କବାଟ, ଏ ଗୋଟାଳିଆ ପିତଳ ତାଲା, ସବୁ କେମିତି ନିସନ୍ଧି ମାଂସପେଶୀ ପରି ଆବୋରି ରହିଛନ୍ତି; ଭିତରକୁ ମାଛି ପଶିପାରିବ ନାହିଁ । ଏମିତି ସିନା ନିଜର କରି ରଖାଯାଏ ! ଜମି ଧାଡ଼ି ଧାଡ଼ି, ବହୁଦୂର ପର୍ଯ୍ୟନ୍ତ–କୋଠାବାଡ଼ିର ସାଆନ୍ତାଣୀ, ପୋଇଲୀ ପରିବାରୀ ସାଆନ୍ତପୁଅ କ'ଣ ଫେରିବେ ନାହିଁ ! ବିଶ୍ଵମ୍ଭର ମୁହଁ ରେ ଗୁଡ଼ାଏ ରୂଢ଼ ହାତରେ ସେଇଟା ବୋଧହୁଏ ଗୋଟାଏ ଚାବୁକ୍ ! –ଦାନ୍ତ କଡ଼ମଡ଼ କରି ଆଖି ତରାଟି ସେ ହାଙ୍କି ଦେଇ ଯାଉଛି ପଚ୍‍ପଚ୍ । ସୁଜାତାର ଦେହ ନାଲି ଜରଜର ନେଳା ଫାଟିପଡ଼ୁଚି–ଚୁଟି ଘୋଷାରି, ହାତଗୁଡ଼ାକ ତାର ଲୁହାପରି ବାହୁ ଭିତରେ ପକେଇ କଡ଼ମଡ଼ ଭାଙ୍ଗି ଦେଇଯାଉଛି ଓଃ, ଏଭଳି ବର୍ଷିଗଲେ ସିନା ହୁଏ ! ଜବଦ୍ ହେଇ ଦୂର ଆକାଶରେ ଖାଲି ଗୁରୁଗୁରୁ ଗର୍ଜିଲେ ସେ କି ପୁରୁଷପଣିଆ ! –ଘରର ମାଲିକ ଦେହରୁ ଶ୍ରମଝାଳ ନିଗିଡ଼ିଯାଉଛି–ସୁଜାତା ପୋଛିପକାଉଛି କାନିରେ । ତା'ର ରୋମେ ରୋମେ ପୀଡ଼ାର ଆନନ୍ଦ ସେ ଅପେକ୍ଷା କରିଛି ବିଶ୍ଵମ୍ଭର ଖାଇସାରି ଉଠିଗଲେ ସେଇଠି ଦି'ମୁଠା କ'ଣ ଖାଇବାକୁ । ଓଃ, ସେଇଟା ତା'ହେଲେ ବିଶ୍ଵମ୍ଭର ନୁହେଁ । ସେ କ'ଣ ଜୟନ୍ତ ନା ସରୋଜ ? !!

ଏଣିକି ମେଘ ଗର୍ଜିଲେ କିଛି ଯାଏ–ଆସେ ନାହିଁ । ସୁଜାତାର ଆଦିମ ନାରୀ ଗହୀର ନିଦ ଭିତରକୁ ବୁଡ଼ା ମାରିଯାଇଛି । ସେଠି ସବୁ ଅନ୍ଧାର । କେବଳ ଛୁଇଁଲେ ଜଣାଯାଉଛି କେଉଠି ମସୃଣ, କେଉଁଠି ଟାଆଁ ସା ।

ରୋଷଘରେ ସରୋଜ ଟହଟହ ହସୁଛି; ହୋଇପାରେ ମେଘ ବି କେଉଁଠି ଗର୍ଜୁଛି ।

ସୋମନାଥ ଟୋକା ଲୋକ । ଗୋଟାଏ ଧଡ଼୍‌ସରେ ସେ ସାଇକେଲ ଧରି ଅନ୍ଧାର ଭିତରେ ମାଡ଼ିଆସିଛି । ଦେଖିବାକୁ ତର ନାହିଁ; କେଉଁଠି ସାପଟାଏ ଫଣା ଟେକି ରହିଛି ବା ହୁଳୁହୁଳଟାଏ ଗଛ ଉପରୁ ଡେଣା ଝାଡ଼ି ଡାକିଦେଇଛି, "ଯିବୁ ଯିବୁ–ଥିବୁ ଥିବୁ !" ଶଗଡ଼ଗୁଳାରେ ନରମ ଧୂଳି କାଟି ସାଇକେଲ ଗଡ଼ିଚାଲିଛି । ମଝିରେ ମଝିରେ ପାଖ ହୁଡ଼ାରେ ଘଷିହେଇ ଟଳମଳ ହେଇଯାଉଛି; କିନ୍ତୁ ଚାଲିଛି । ସୋମନାଥ ମୁଣ୍ଡ ଭିତରେ ସବୁ ଗୋଳମାଳିଆ ଧରିଯାଇଛି । –ଛବିଟାକୁ ବାପା ଏମିତି ତୋଟି ଚିପି ସତେ ମାରିଦେଲେ ନା । ପାଦ ତଳିପା ସିର୍‍ସିର୍ କରିଯାଉଛି । ଅକସ୍ମାତ୍‌ ତାକୁ ଝାଡ଼ା ମାଡ଼ିଲା ପରି ଅସମ୍ଭାଳ ଲାଗିଯାଉଛି, ଦୁଲ୍‍ଦୁଲ୍ ହେଇ ବୁକୁ ଉପରେ ବାଡ଼େଇ ହେଇଯାଉଛି ଗୋଟାଏ କ୍ଳାନ୍ତ କଲିଜା । –ଇସ୍, କେଡ଼େ ସାଂଘାତିକ କଥା, ଯଦି ଛବି ସତକୁ ସତ ମରିଯାଏ ! –ସାଇକେଲ ଏ ହୁଡ଼ାରେ ସେ ହୁଡ଼ାରେ ବାଡ଼େଇହୋଇ ବୋଧହୁଏ ପଡ଼ିଯାଇଥାନ୍ତା । କିନ୍ତୁ ସୋମନାଥ ଭାରି ପୁରୁଣା ଚଢ଼ାଳି–ସେ ଆଗେଇ ଚାଲିଛି । ତା' ଜୀବନର ସବୁ ଦୁର୍ଯ୍ୟୋଗ ଆକାଶରେ ଜମିଯାଇଛି, ନିରନ୍ଧ୍ର ଅନ୍ଧାରରେ ।

 

ଘାଟମଙ୍ଗଳା ଛକ ଉପରକୁ ଏ ଶଗଡ଼ଦଣ୍ଡାର ଉଠାଣି ସେତେ କଷ୍ଟ ନୁହେଁ । ସେଠି ପହଞ୍ଚିଲେ ସେ ବାଁକୁ ମୋଡ଼ି ଓହ୍ଲେଇଯିବ ସରକାରୀ ରାସ୍ତାରେ ପ୍ରାୟ ପାଞ୍ଚ ମାଇଲ । ବାକି ବାଟତକ ମଧ୍ୟ ସେହିଭଳି ସହଜ । କିଏ ଗୋଟାଏ କହୁଥିଲା, ଭାଉଜଙ୍କ ଦେହବ୍ୟସ୍ତ ପରେ ସେ ତାଙ୍କ ବାପଘରକୁ ପଳେଇଛନ୍ତି –ସେଇଭଳି ଶୁଣିବାକୁ ମିଳୁଛି ଯେ ଭାଇନା ମଧ୍ୟ ତିନିମାସ ହେବ ଦିଶୁନାହାନ୍ତି । କିଏ କହୁଛି ସେ ତୀର୍ଥ କରି ଚାଲିଗଲେ, ବାବାଜି ହେଇଗଲେ ମେଡ଼ିକାଲ କଲେଜରେ ବାବାଜିଟାକୁ ଲଙ୍ଗଳା କରି ମାଡ଼ ଚଢ଼େଇବା କଥା ମନେପଡ଼ିଗଲା । ସୋମନାଥର ଫାଳେ ଗାଲ କୁଞ୍ଚେଇଗଲା ହସରେ । –ଆଉ କିଏ କହୁଛି ସେ ପାଗଳ ହୋଇଗଲେ । ସେମିତି ଦାଢ଼ି ଛାଡ଼ି ଶ୍ମଶାନରେ ବୁଲିବାର କିଏ ପୁଣି ଦେଖିଛି ।

 

ଆରେ ହେ, ଭାଇନା ତ ସତେ ଟାଉନରେ ନାହାନ୍ତି, ତାଙ୍କୁ କ'ଣ ଏ ବର୍ଷା ବତାସିରେ ରାତିରେ ଖୋଜି ମୁଁ ନେଇପାରିବି ? ପହଞ୍ଚିଯିବି ହୁଏତ ତାଙ୍କ ଘରେ; କିନ୍ତୁ ସେ ସରକାରୀ ଘର ହୁଏତ ଆଉ କିଏ ପାଇସାରିବଣି । –ରହିବି କେଉଁଠି ? ଘରେ ଥିଲେ ଭଲା କିଛି କରିହେଇଥାନ୍ତା; ଏବେ ନା ଏକୂଳ, ନା ସେକୂଳ ।

 

ଗୁଡ଼ାଏ ମେଘ ଓ ଅନ୍ଧାର ସୋମନାଥର ଆଖି ଉପରେ ପରଳ ମଡ଼େଇ ଦେଇ ଉଭାହେଲେ । ତା ଖପୁରି ଭିତରେ ମଧ୍ୟ ସେଇ ମେଘ ଓ ଅନ୍ଧାର । କଡ଼କଡ଼ ହୋଇ ଓହ୍ଲେଇ ଆସିଲା ବିଜୁଳି ଏବଂ ତା' ସାଙ୍ଗକୁ ଅତି ପ୍ରଚଣ୍ଡ ଗୋଟାଏ ପବନ । ଡାହାଣ ପାଖରୁ ମନହେଲା ସୋମନାଥକୁ ଧକ୍‍କାଟାଏ ମାରି ତଳେ ପକେଇଦେଲା । ଆଖି ନାକ ରୁନ୍ଧି ହୋଇଗଲା ଧୂଳିରେ । ବାଟ ଶହେ ଖୋଜକୁ ଅତି କଷ୍ଟରେ ସୋମନାଥ ପାରିହେଇ ଚାଲିଆସିଲା ଇଟା-କାନ୍ଥର ସେ ଚାରିକୋଣିଆ ମନ୍ଦିର ପାଖକୁ; ଯେଉଁଠି ସେ ବଳିପ୍ରଥା ବନ୍ଦ କରିବାକୁ କୋଡ଼ିଏ ଜଣ ଛାତ୍ରଙ୍କୁ ଆଣି ଧର୍ମଘଟ କରିଥିଲା । ଛେଳିଗୁଡ଼ିକ ସେଦିନଠୁ ତାକୁ ନିଜର ଆତ୍ମୀୟ ପରି ବୋଧ ହୁଅନ୍ତି । ସେ କିନ୍ତୁ ଏସବୁ ସତ୍ତ୍ୱେ ଖୁବ୍ ମାଂସ ଖାଏ । ମେଡ଼ିକାଲରେ ନାଁ ଲେଖାଇଲା ଦିନୁ ଦୁଇଓଳି ଲାଗୁଆଣି । ସେ ଏଣିକି କହେ ଯେ ଛେଳି ନିଶ୍ଚୟ ହଣାଯାଉ; କାରଣ ମାଂସ ଖୁବ୍ ସାରବାନ୍ ଖାଦ୍ୟ । କିନ୍ତୁ ଏମିତି ଧର୍ମ ନାଁରେ ସେଗୁଡ଼ିଙ୍କୁ ଏଠି ବାନ୍ଧ ହାଣିବାର ପ୍ରୟୋଜନ ନାହିଁ ।

 

ସୋମନାଥ ସାଇକେଲ ଖଣ୍ଡ କାନ୍ଥକୁ ଆଉଜେଇ ଦେଇ ଉଠିଆସିଲା ଉପରକୁ । ଗମ୍ଭୀରାରେ ଦୀପଟିଏ ବୋଧହୁଏ ଦିକ୍‌ଦିକ୍‌ ଜଳୁଥିଲା–ଘାଟମଙ୍ଗଳାର ଦିଓଟି ରୂପା ଆଖି ସେଇ ଅନ୍ଧାରରେ ସୁଦ୍ଧା ବିରାଡ଼ି ଆଖିପରି ଦିଶୁଥାଏ । ସୋମନାଥ ମନେ ମନେ ହସିଲା, ଘାଟମଙ୍ଗଳା ଅନେଇଛି । କେତେ ଅନ୍ଧବିଶ୍ୱାସର କୁଢ଼ କୁଢ଼ ଅରମା ପଥର ପାଲଟିଗଲାଣି ଏ ଗୁମ୍ଫା ଭିତରେ । ସଂଖ୍ୟାହୀନ ଛେଳି, ମେଣ୍ଢା, ପାରା, କୁକୁଡ଼ାଙ୍କ ରକ୍ତରେ ପଥରଖଣ୍ଡ ଜିଇଁଉଠିଲାଣି ବୋଧହୁଏ; ବତୁରିଗଲାଣି, ଛୁଇଁଲେ ଲତ୍‍ପତ୍ ଲାଗିପାରେ । ମୁହଁଖଣ୍ଡ ଜଉ କରାଳ ଦେଇ ଜଣେ କବାଟ ପକେଇ ବନକ୍ କରେ । ଆଖି ଯୋଡ଼ାକୁ ତରାଟିଲା ପରି ଚିତ୍ର କରେ । ଚାରିଟା ହାତ ଖଞ୍ଜି ଖଣ୍ଡା ଖର୍ପର ଧରେଇଦିଏ । ଏଇଠି ଲୋଟିପଡ଼ନ୍ତି ଭକ୍ତବୃନ୍ଦ । ଦେବୀଙ୍କୁ ପାଣିଛଡ଼େଇଦେଇ ମଦ ଖାଆନ୍ତି-। ଛେଳି ମୁଣ୍ଡଟାକୁ ମନ୍ଦାର ଫୁଲ, ସିନ୍ଦୂର, କିଛି ବେଲପତ୍ର ଏବଂ ଅରୁଆ ଚାଉଳ ସାଙ୍ଗରେ କାନ ଧରି ଟେକିନିଏ ପୂଜକ । ତା' ଥାଳି ଉପରୁ ହଳେ ସ୍ଥିର କସରା ଆଖି ଆସ୍ଥାନ ଉପରୁ ହଳେ ସେହିପରି ସ୍ଥିର ରୂପା ଆଖି ପରସ୍ପରକୁ ଅନାନ୍ତି । ଉଭୟେ ଅନ୍ଧ । ତାଙ୍କ ଚାରିପଟେ ନିର୍ବାକ୍ ଇଟା କାନ୍ଥ । ବାହାରେ କୁଢ଼ କୁଢ଼ ପଥର ଏବଂ ଅରଣ୍ୟ ।

 

ସୋମନାଥ ବୋଧହୁଏ ପୁଣି ଚମକିପଡ଼ି ଭାବିଲା ଘରକଥା । ତଳକୁ ମୁହଁପୋତି କିଛି ସମୟ ଠିଆହୋଇଗଲା । ବାହାରେ ବତାସି ମାଡ଼ିଆସିଲା । ମୁହଁ ଟେକିଲାବେଳକୁ ସେ ଖୁବ୍ ଖୋଲାଖୋଲି ସେଇ ତନୁପାତଳୀ ଗୋରୀ ଝିଅଟି କଥା ଭାବୁଥାଏ, ଯାହାକୁ ଦିନେ କଲେଜରେ ନଦେଖିଲେ ତାକୁ ଖୁଜୁରୁମୁଜୁରୁ ଲାଗେ । କ'ଣ କରାଯାଏ-ତା'ର ଏଥିରେ ଦୋଷ କ'ଣ ? ଝଡ଼ ବତାସି କ'ଣ କାହାର ହାତକଥା ହେଇଛି ?

 

ହଠାତ୍‌ ଛପକିନା ଲାଗିଲା ଯେମିତି ଆଉ ଜଣେ କେହି ସେ ଭିତରେ ଅଛି । ସୋମନାଥ ଚାରିଆଡ଼କୁ ନିଘା କଲା । ବିଜୁଳି ମଧ୍ୟ ଝଲ୍‌ଝଲ୍‌ ଚମକିଗଲା; କିନ୍ତୁ କେହି ଦିଶିଲେ ନାହିଁ । ସେ ଆସ୍ତେ ଯାଇ ଗୋଟାଏ ଖୁଣ୍ଟକୁ ଆଉଜି ଠିଆହେଲା । ହାତଯୋଡ଼ିକ ପକେ୍‌ଟ ଭିତରେ ଆଖି ଦରବୁଜା ମନ କେବଳ ସ୍ମୃତିରେ ବୋଝେଇ ବୋଇତ–କେବେ ଏ କୂଳରେ ତ କେବେ ସେ କୂଳରେ ନଙ୍ଗର ପକଉଛି । ଚେମି କଥା ତା'ହେଲେ ସତ । ଜୟନ୍ତ ପରିଡ଼ା ତ ଆମର ଖୋଦ୍ ଭାଇ–ତାକୁ ପରିଡ଼ା ନଡ଼ାକି ମଙ୍ଗରାଜ ଡାକିଲେ କେମିତି ହୁଅନ୍ତା ? ଆମ ଭାଉଜଟା ବୋଧହୁଏ ଖରାପ ଲୋକ । ଜୟନ୍ତ ସାଙ୍ଗରେ ତାର ଆଗରୁ–ମାନେ ମେରେଜ୍ ଆଗରୁ–କିଛି ଲଭ୍ ଥିଲା । ଏବେ ବି ତା' ସାଙ୍ଗରେ ଲଟରପଟର ହେଉଛି ବୋଲି ସବୁ କହୁଛନ୍ତି । ମାର୍ ଗୋଲି–ଏ ଗୋଟାଏ କଥାର କଥା ଯେ ଏଥିରେ ସୃଷ୍ଟି ଲେଉଟିପଡ଼ୁଛି ! ମେଡ଼ିକେଲ୍‍ରେ କ'ଣ ଏବେ ନହେଉଛି ! କିନ୍ତୁ ସେ ଶଳା ଜୟନ୍ତ ଖୋଲାଖୋଲି ଆସି ଏମିତି ଆମ ଇଜ୍ଜତ୍ ସାଙ୍ଗରେ ଖେଳିବ ନା ? ଆମ ଭାଇନାଟା ବୋଧହୁଏ ସତକୁ ସତ ମାଇଚିଆ । ଭିତରେ ଖାଲି ଗରଗର ହେଉଥିବ, ଉପରକୁ ଫିଟିଆସିବାକୁ ବଳ ନାହିଁ । ଏଥର ତାକୁ ପାଇଲେ କହିବି । ଦୁହେଁ ମିଶି ସେ ବାଷ୍ଟ।ର୍ଡ଼କୁ ପାନେ ଦେବାକୁ ହେବ ।

 

ଏତିକିବେଳେ ଗୋଟାଏ ଗାଡ଼ିର ଆଲୁଅ ସେପାଖ ଗଡ଼ାଣିରୁ ଗର୍ଜି ଗର୍ଜି ଉଠିଆସିଲା । ମୋଡ଼ପାଖ ଗୋଟାଏ ପ୍ରକାଣ୍ଡ ପଥର ଉହାଡ଼ରେ ଝଡ଼-ବତାସରୁ ବଞ୍ଚିବା ପାଇଁ ବୋଧହୁଏ ଠିଆହୋଇଗଲା । ତାକୁ କହିଲେ ସେ କ'ଣ ଆଉ ଥରେ ଟାଉନକୁ ଫେରନ୍ତା ନାହିଁ ? ଏମିତି ଦୁଇଟା ସିରିୟସ୍ କେସ୍ ପାଇଁ ଡାକ୍ତର ଡାକିବାକୁ ଅଛି ବୋଲି କହିଲେ କ'ଣ ଶୁଣନ୍ତା ନାହିଁ ? ମିଛ କଥା; ଆଜିକାଲି କେହି କାହା କଥା ଶୁଣୁନାହାନ୍ତି–ଯେ ଯାହା ପାଇଁ ବ୍ୟସ୍ତ । ତା' ନିଜର ସେମିତି ଜରୁରୀ କାମ ପଡ଼ିନଥିଲେ ସେ ଭଲା ଟାଉନରୁ ଏତେ ରାତିରେ ଏମିତି ଝଡ଼-ବତାସରେ ବାହାରିଥାନ୍ତା ? ଧର ବା ସେ ରାଜି ହୋଇଗଲା ଫେରିବାକୁ–କେଉଁ ଡାକ୍ତର ଏମିତି ପାଗରେ ଫିଜ୍ ଗଣ୍ଡେ ପାଇଁ ମଫସଲ କେସ୍ ଦେଖିବାକୁ ଯିବ ? ତାକୁ ନେବି ଅବା କେମିତି ? ଏସବୁ ହେଲାପରି ଦିଶୁନାହିଁ; ତଥାପି ପଚାରିଦେଲେ କ୍ଷତି କ'ଣ ? –ପବନ ଧୂଳି ସମୁଦ୍ର ପରି ଲାଞ୍ଜ ଛାଟି ସୁ-ସୁ ଗର୍ଜିଲା । ପାହାଡ଼ ଚୂଳଖଣ୍ଡ ବୋଧହୁଏ ଝଡ଼ିପଡ଼ିବ ଏ ଘାଟମଙ୍ଗଳା ସମେତ । ଏ ଝଡ଼ ଥମିଲେ ସିନା ଯାହା ହୁଅନ୍ତା–ଏ ତ କ'ଣ ବେଳୁବେଳ ତେଜୁଛି ! ସୋମନାଥ ଆଖିବୁଜି ସେଇଠି ବସିପଡ଼ିଲା-। ଏଭଳି ମୁହୂର୍ତ୍ତରେ ମଣିଷ ହାତରେ ଭଲା କିଛି ହୁଏ ! ମଶା ମାଛି ପରି ସେ ମଧ୍ୟ ଅସହାୟ; ଅପେକ୍ଷା କରେ ।

 

କଡ଼୍‌ କଡ଼୍‌ କଡ଼୍ ଝପାସ୍ ! ଆଉରି ଗଛଟାଏ ଶୋଇଗଲା । ଦେଖାଯାଉ ଏ ଖଣ୍ଡପ୍ରଳୟ ପରେ କିଏ ରହୁଛି, କିଏ ଯାଉଛି । କିନ୍ତୁ ଏତେ ବିଜୁଳି ଘଡ଼ଘଡ଼ିରେ ଟୋପାଏ ହେଲେ ବର୍ଷା କାହିଁକି ପଡ଼ୁ ନାହିଁ !

 

ସୋମନାଥ ବତାସିର ହାଉ ହାଉ ଗର୍ଜନରେ କିଛି ଶଙ୍କି ଗଲା । ହଠାତ୍ ସେ ବୋଧକଲା ଯେ ସେ ନିହାତି ଏକୁଟିଆ, ତା' ପାଖରେ କେହି ନାହିଁ । ତାକୁ ଛନ୍‌ଛନ୍‌ ଲାଗିଲା । ସେ ସେଇ ଅନ୍ଧାରରେ ଚାରିଆଡ଼କୁ ଡରିଲା ଆଖିରେ ଅନେଇଲା । ଗୁଡ଼ାଏ ଶବ୍ଦ ହାଉଳିଖାଇ ଶୂନ୍ୟରେ ଉଡ଼ିଯାଉଥାନ୍ତି । ତାକୁ ବୋଧହେଲା ଯେ ସେମାନେ ସମସ୍ତେ ସେଇ ଘାଟମଙ୍ଗଳା ପରି କ୍ଷୁଧିତ ଗୁଡ଼ିଏ ଦେବତା । ତାଙ୍କୁ ଛେଳି, ମେଣ୍ଢା, ପାରା, କୁକୁଡ଼ା ହାଣି ରକ୍ତର ପାରଣାରେ ସନ୍ତୁଷ୍ଟ କରିବାକୁ ହେବ । ସୋମନାଥର ମଞ୍ଜ ସିର୍‌ସିର୍‌ ହୋଇ ଥରିଲା । ତା'ର ତଳିପାଠାରୁ ତଳିପେଟ ପର୍ଯ୍ୟନ୍ତ ନାଡ଼ ସାଙ୍କୁଡ଼ିଗଲା । ସେ ବାରମ୍ବାର ଛେପ ଢୋକି ବୁଲି ବୁଲି ପଛକୁ ଅନେଇଲାଗିଥାଏ–ରହି ରହି ଛପ୍‍ଛପ୍ ଗୁଡ଼ିଏ କୁଣ୍ଠିତ ପାଦଶବ୍ଦ ବତାସିରେ ବିଛେଇ ହୋଇଗଲା ପରି ଲାଗୁଥାଏ । ଯେକୌଣସି ମୁହୂର୍ତ୍ତରେ ଆଢ଼ୁଆଳ ପଛରୁ ଘାଉଁକିନା ହୁଏତ କ'ଣଟାଏ ମାଡ଼ିଆସିବ; ଝାମ୍ପି ପଡ଼ିବ ହିଂସ୍ର, ଲୋମଶ, ଖୁବ୍ ଓଜନିଆ ଦାଢ଼ୁଆ ଗୋଟାଏ କିଛି ?

 

"ହେ ହେ ! ଗାଉଁଲିଆ, ବଗା ନା କ'ଣ ? ଏମିତି ଡରିଲେ କ'ଣ ମେଡ଼ିକାଲ୍ ପାଠ ପଢ଼ାହୁଏ ? ସେଠି ପରା ମୁର୍ଦ୍ଦାର କାଟିବା ଆରମ୍ଭ ହେଇଯିବ ଏ ବର୍ଷ ! ଡରିଲେ ତ ପୁରୁଣାକାଳିଆ ଅନ୍ଧ ! କାହାକୁ ନଡ଼ରି ଆଗେଇଯିବା ହେଲା ଆଧୁନିକ । ଖାତିର ନାହିଁ । ଶାଲା ଦବେଇ ମାଡ଼ିଯିବ ଯେ ଆଗରେ କେହି ରହିପାରିବେ ନାହିଁ ! ସେମିତିଆ ଏବେ ଜୟନ୍ତ ପରିଡ଼ାଟା ଏଡ଼େ ବଡ଼ଲୋକ । ସେ ଯାହା ଚାହୁଁଛି ତା' କରିପାରୁଛି । ତା'ର କିନ୍ତୁ ମୁକାବିଲା କରିବାକୁ ପଡ଼ିବ । ତାକୁ ଚୁଟି ଘୋଷାରି ଆଣି ଖତମ୍ କରିବାକୁ ହେବ । ତା'ରି ଲାଗି ନା ଆମ ଘର ଖିନ୍‍ଭିନ୍ ହେଇଗଲା ! –ତାକୁ ଏମାନେ କେହି ପାରିବେ ନାହିଁ ମୁଁ କିନ୍ତୁ ତାକୁ ସାବାଡ଼୍ ବନେଇଦେବି । ମୋର ବାଇସେପ୍ ଟାଣିଦେଲେ କେହି ମୋତେ ପାରିବେ ! ରହ, ଏଇ ସମସ୍ୟା ଟିକିଏ ସୁଧୁରିଯାଉ; ମୁଁ ଦେଖିନେଉଛି-। ଶାଲା ବାଷ୍ଟାର୍ଡ଼, ଗୁଣ୍ଡା ଦେଖେଇଚି । ଭାଇନାଙ୍କୁ ଡରେଇ ଚମକେଇ ସବୁ କରିନେଲୁ ବୋଲି ସବୁଠେଇଁ କ'ଣ ତାହା ଚଳିବ ! –ମାଡ଼ିଆସିବେ ସାରା ମେଡ଼ିକେଲ୍ ପିଲା । ପନ୍ଦରଟାକୁ ବାଛି ବାଛି ନେଇ ଚାଲିଆସିଲେ ସବୁ ଠିକ୍ ହେଇଯିବ । ସେଦିନ ଗୋଟାଏ ଡି.ଆଇ.ଜି.କୁ ହଗାତ୍‍ନଗାତ୍ କରି ଛାଡ଼ିଦେଲୁ; ଏ ଶଳା କେତେ ଦେଖେଇବ । –ମୋ ଭାଇ ନ ପାରିଲା; ମୁଁ ପାରିବି । ସେ ମୋ ଭାଇ–ଯାହାହେଲେ ସୁଦ୍ଧା ସେ ମୋ ଭାଇ !"

 

ସେଇଭଳି ଛପ୍‌ ଛପ୍‌ ପାଦଶବ୍ଦ । ରହି ରହି ଗୋଟାଏ କ'ଣ ଖସ୍ ଖସ୍ । ବତାସି ବଜ୍ରର ଗୁରୁଗମ୍ଭୀର ସଙ୍ଗୀତ ଭିତରେ ଏଇଟା କେମିତି ଗୋଟାଏ ବେତାଳିଆ ବେସୁରା ଚମକ ।

 

"ସୋମନାଥ ମଙ୍ଗରାଜ ବଢ଼ିଆ ପିଲା ସେ ଏଥର ସ୍ପୋର୍ଟସରେ ଚମ୍ପି ଆନ୍ ହେବ । ତୁ ଯାହା କହ ସରୋଜ, ତୁ ସେ ମଙ୍ଗରାଜକୁ ଲଭ୍ କରି ଲୁଚଉଛୁ । ସୋମନାଥ ଜମିଦାର୍‍କା ବଚ୍ଚା–ସେ କ'ଣ ଚାକିରିକୁ ଖାତିର କରିଛି ? –ସେ ଲକ୍ଷେ ଟଙ୍କାର କ୍ଲିନିକ୍ କରି ଏହି ମେଡ଼ିକାଲ୍ ସାମନା କୋଠା କିଣିବ ସେ ବିଲାତ ଯିବ ସେ ରିସର୍ଚ୍ଚ କରିବ । ତା'ର ଫରେନ୍ କାର୍ ଆସିବ ସେ ସାରା ପୃଥିବୀରେ ବଡ଼ଡ଼ାକ୍ତର ହେବ । –ଇସ’ ଇସ ବତାସିର ହୁ-ହୁ ପହଁରିଯାଉଥିବା ଜଟା ଉପରଯାକ ଅଜସ୍ର ସ୍ୱପ୍ନ ।

 

ଆଉ ଜୟନ୍ତ ପରିଡ଼ା ! –ଶାଲା ବାଷ୍ଟାର୍ଡ଼ ! ସେ ଗୋଟାଏ କ'ଣ ତା'ର ପତ୍ତା ରହିବ ନାହିଁ ସେତେବେଳକୁ । ଦେଖାଯାଉ । ବର୍ତ୍ତମାନ ମୋତେ ଫେରିଯିବାକୁ ହେବ, ଡାକ୍ତର ମିଳିବା ସମ୍ଭବ ନୁହେଁ । ଏତେ ରାତିରେ କେହି ଯିବାକୁ ରାଜି ହେବେନାହିଁ । ଫେରିଯିବି । ଆସି ଭାରି ଭୁଲ ହୋଇଗଲା । ଛବିର ଅବସ୍ଥା ନିହାତି ଖରାପ’ –ପୁଣି ମଞ୍ଜ ସିର୍‍ସିର୍ ହୋଇ ଥରିଲା । ତଳିପାଠାରୁ ତଳିପେଟ ପର୍ଯ୍ୟନ୍ତ ନାଡ଼ ସାଙ୍କୁଡ଼ିଗଲା । ଅନେକ ନିରୀହ ଚତୁଷ୍ପଦଙ୍କର ଲୋମଶ କବନ୍ଧ ସେ ଅନ୍ଧାରରେ ଖସ୍‌ଖସ୍‌ ହୋଇ ବିଚରଣ କଲେ ।

 

ହଠାତ୍‌ ସେଥିରୁ ଗୋଟାଏ ଖୁବ୍‌ ନିକଟରେ ଚିତ୍କାର କରିଉଠିଲା । ଚିତ୍କାର କରିଉଠିଲା ସୋମନାଥ ମଙ୍ଗରାଜ । ଗୁଡ଼ାଏ ବିଚ୍ଛିନ୍ନ ଅଙ୍ଗ ସେ ଅନ୍ଧାରରେ ଛଟ୍‍ଛଟ୍ ହୋଇ ଡେଇଁଲେ । ଗୋଟାଏ ପାଞ୍ଚଆଙ୍ଗୁଳି ହାତ ଖେପାମାରି ମାଂସରକ୍ତ ପଥର ଦରାଣ୍ତି ଖୋଜିଲା ବଳିର ମୁଣ୍ତଟାକୁ !!

 

ହିସ୍‌ ହିସ୍‌ ହେଇ ପଥରଖୋପର ଦାନ୍ତସନ୍ଧାରୁ ବଳହ ଅନ୍ଧାର ଭିତରକୁ ଗୁଡ଼ାଏ ଶବ୍ଦ ଫଣା ନୁଆଇଁ ଗଳିଯାଉଥାନ୍ତି–ତାପରେ' "ଆଜି ପାଇଛି ତୁ ମୋ ସାଙ୍ଗରେ ଖେଳ ଖେଳୁଛୁ ନାଇଁ ! ଶଳା, ଗାଡ଼ି ଥୋଇଦେଇ ଏଠିକି ଖସିଆସିଛି ଶଳା, ତୋ’ ଅଣ୍ତିରାପଣିଆଁ, ତୋ’ ଅଫିସରପଣିଆଁ ଏତିକି ନାଁ–ହିଃ–ହିଃ-ହିଃ-ହିଃ ଜୟନ୍ତ ପରିଡ଼ା-ହେଁ ଶାଲା ହେଁ ।’’

 

ଗୋଟାଏ ଓଜନିଆ କଟାମୁଣ୍ଡର ଚୁଟି ତା'ର ଠକ୍ ଠକ୍ ଥରୁଥିବା ମୁଠାରେ ଚାପିଧରି ବିଶ୍ଵମ୍ଭର ମଙ୍ଗରାଜ ଧସି ହେଉଥାଏ ଅନ୍ଧାରରେ । ଏ କାନ୍ଥରୁ ଯାଇ ସେ କାନ୍ଥରେ ଛେଚି ହେଉଥାଏ । ଘାଟମଙ୍ଗଳା ଗମ୍ଭୀରା ଭିତରକୁ ବାଟ ମିଳୁନାହିଁ ତା'ର ଗୋଡ଼ ଯୋଡ଼ାକରେ ହେମାଳ ଚଢ଼ିଯାଇଛି । –ସେ ସେଇଠି ଲଥ୍‍କିନା ବସିପଡ଼ିଲା । ତା' ପାଖରେ ଦୁମ୍‍କିନା ଛେଚିହେଲା କଟାମୁଣ୍ଡଟା

 

ବତାସିର ସ୍ୱର ବଦଳିଗଲା । ହୁଏତ ବର୍ଷା ମାଡ଼ିଆସିଲା । ଆଖି ଉପରକୁ ଘୋଡ଼େଇ ହୋଇ ଆସୁଥିବା ଧୂଆଁ ଟେକି ବିଶ୍ଵମ୍ଭର ଅନେଇଲା ରୋଡ଼ ଉପରେ ହାଉହାଉ ଆଲୁଅ । ଯୋଡ଼ାଏ ଗାଡ଼ି ସାଉଁ ସାଉଁ ଗର୍ଜି ତଳମୁହାଁ ମୋଡ଼ିହେଇ ଠିଆହେଲେ ।

 

ଗୋଟାଏ ଅର୍ଘା ମଣିଷ ଘାଟମଙ୍ଗଳା ଆଡ଼କୁ ମୁହଁକରି ଗୋଡ଼ ଓସାରି ଠିଆହୋଇଗଲା-। ବିଶ୍ଵମ୍ଭରର ପିଞ୍ଜରା ଦି'ଖଣ୍ଡ ବୋଧହୁଏ ଝଣ୍‍ଝଣ୍ ହୋଇ ଝଡ଼ିପଡ଼ିଲା ଏଇ ତ ଜୟନ୍ତ ପରିଡ଼ା, ଏଇଆଡ଼େ ମୁହଁ କରି ପରିସ୍ରା କରୁଛି !! ଗାଡ଼ି ଭିତରେ ବସି ସିଗ୍ରେଟ୍‌ ଟାଣୁଛି ମୁଲଚାନ୍ଦ ସୋନ୍ଧି ।

 

ରୁନ୍ଧି ହୋଇ ଆସିଲା ବିଶ୍ଵମ୍ଭରର ଶ୍ୱାସନଳୀ । ଗୋଟାଏ ଚିତ୍କାର ତା'ର ସହସ୍ରେ ନାଡ଼ିର ଅନ୍ଧାର ଭିତରେ ବାଟ ନପାଇ ହାବୁକା ଖାଇ ମରି ଶୋଇଗଲା । ବିଶ୍ଵମ୍ଭର କ'ଣଟାଏ ଘୋଷାରିଆଣିଲା ମଟରଗାଡ଼ିର ଛିଟିକା ଆଲୁଅକୁ । ଦର୍ପଣ ଉପରେ ମୁହଁ ଯୋଖି ନିଜକୁ ନିଜେ ସେ ଚିହ୍ନି ପାରୁନାହିଁ–ସୋମନାଥଟା ଅବିକଳ ତା’ଭଳି ତ-ତା’ ଜିଭ ବାହାରି ପଡ଼ିଛି । ବୋଦା ଆଖିପରି ତା' ଡୋଳାଯୋଡ଼ାକରେ ପଲକ ନାହିଁ । ତା' କଟାମୁଣ୍ଡଟାକୁ ସେ ଟେକିପାରୁନାହିଁ ।

 

ଘାଇଁ ଘାଇଁ ହେଇ ଯୋଡ଼ାଏ ମଦୁଆ ବଳୁଆ ଗାଡ଼ି ବତାସକୁ ପଛରେ ପକେଇ ଓହ୍ଲେଇ ଗଲେ । ବିଶ୍ଵମ୍ଭରର ତରାଟିରହିଥିବା ଆଖିଦିଓଟିରୁ ଛପ୍ କରି ଆଲୁଅ ଲିଭିଗଲା

 

ଗୋଟିଏ ସୁରରେ ଅନେକ ରାତି ପର୍ଯ୍ୟନ୍ତ ହୁଏତ ସେଇ ଧୂଳିଝଡ଼ ବୋହିଥିବ । ବୋହିଯାଇଥିବ ବହଳିଆ ମଣିଷରକ୍ତର ଚିକ୍‍କଣ କଳା ସାପଟାଏ ଘାଟମଙ୍ଗଳାର ଗମ୍ଭୀରା ଭିତରକୁ ।

 

ଏଡ଼େ ବଡ଼ ମେଘ, ଏତେ ପବନ, ଏତେ ବିଜୁଳି ସତ୍ତ୍ୱେ ଟୋପାଏ ସୁଦ୍ଧା ପାଣି ଏ ଉତ୍ତପ୍ତ ପାହାଡ଼ଟା ଉପରେ ବର୍ଷିଲା ନାହିଁ । ସମଗ୍ର ଅରଣ୍ୟରୁ ନୀରବରେ ଟୋପା ଟୋପା ଲସା ଝରିଚାଲିଛି କୁଢ଼ କୁଢ଼ ଡାଳପତ୍ରର ଶ୍ମଶାନ ଭିତରେ । କାହାରି ଆଉ ତିଖ ନାହିଁ । ସବୁ ମଥାନ ଝଡ଼ିପଡ଼ିଛି । ଗୋଟାଏ ଝଡ଼ର ପ୍ରାଗୈତିହାସିକ ହାତୀଥାଟ ମାଡ଼ିଯାଇଛି, ଆଖିବୁଜା । ଚାରିଆଡ଼େ କେବଳ ନିରୀହ ବନସ୍ପତିର କ୍ରନ୍ଦନ ଏବଂ ଧୂଳି ।

 

ଆକାଶ ଉପରସାରା ଢିମା ଢିମା ନିର୍ଜଳ ମେଘର ମୁଖା । ଅସମ୍ଭାଳ କମ୍ପ ସ୍ଥିର ହୋଇଗଲା ପରେ ଗୋଟାଏ ପ୍ରଖର ଜ୍ୱର ତା' ଉପରକୁ ମାଡ଼ିଆସୁଛି । ସେ କ୍ଳାନ୍ତ, ନିଶ୍ଚେଷ୍ଟ, ସଂପୂର୍ଣ୍ଣ ପରାସ୍ତ ଫିଟିପଡ଼ିଥିବା ଗଡ଼ାଏ ପିଙ୍ଗଳ ଜଟା ପଛରୁ ଅନେକବେଳୁ ସରୁ ଜହ୍ନଟାଏ ବୋଧହୁଏ ଉଇଁଆସିଛି । ଘଣାପେଲା ବଳଦ ମୁହଁ ପରି କ୍ଷୀଣ, ନିଷ୍ପ୍ରାଣ ସୋରାଏ ଜହ୍ନ ! ତାକୁ ଗୋଟାଏ ଘେରା ବୁଲିଯିବାକୁ ହେବ ! –ଇସ୍ପାତ୍ କାରଖାନାର ତମ୍ବାଳିଆ ତାତିଲା ବାମ୍ଫ ଉପରେ ଥରେ ଶ୍ୱାସ ରୋଧି ପହଁରିଯିବାକୁ ହେବ ।

 

ଜୟରାମଙ୍କୁ ଖୁବ୍‌ ଶୋଷ । ଝଡ଼ ବତାସି ବେଳେ ପଥର ଖୋପଟି ବେଶ୍ ବାହୁ ବେଢ଼େଇ ପେଟତଳେ ତାଙ୍କୁ ଘୋଡ଼ାଇ ରଖିନେଲା । କିନ୍ତୁ ଏବେ ସେ ଭିତରେ ଅସହ୍ୟ ଶୋଷ, ଅନେକ ଉଷ୍ମା । ବାହାରେ ତୃଷାତୁର ପାହାଡ଼ର ଶୁଖିଲା ଜିଭ ଲମ୍ବି ଆସିଛି–ଘାଟ ରାସ୍ତାର ସର୍ପିଳ ଗଡ଼ାଣି । ଏ ମୁଣ୍ଡିଆ ଗୋଟାଯାକ ନୀରବରେ ଧକଉଛି । ମଳିଛିଆ ଜହ୍ନ-ଆଲୁଅରେ ପାହାନ୍ତାର ମରୀଚିକା । ଜୟରାମଙ୍କ ଚାଲିବା ଭଙ୍ଗୀରେ ଆଦୌ ଉଦ୍‍ବେଗ ନାହିଁ; ଟାଉଟାଉ କୌଣସି ସଂକଳ୍ପର ତାଡ଼ନା ନାହିଁ । ଉପରକୁ ଚଢ଼ିଲା ଭଳି ସେ ଓହ୍ଲେଇ ମଧ୍ୟ ପାରିଥାନ୍ତେ । ଏଇ ଖରୁମୁସିଆ ମଣିଷଟି ହୁଏତ ପିରାମିଡ଼ଠାରୁ ବି ପୁରୁଣା, ଯେ କି ପ୍ରତିଟି ପାହୁଣ୍ଡରେ ଅଗଣିତ ଶତାବ୍ଦୀ ପାରିହୋଇ ଆସିଲାଣି । –ପାରିହୋଇ ଆସିଲାଣି ଅନେକ ଅଚିହ୍ନା କଙ୍କାଳର ସ୍ଥୂପ, ବାରମ୍ବାର କ୍ରୁସେଡ଼୍, ଜେହାଦ ଓ ଧର୍ମଯୁଦ୍ଧର ଅନେକ ପାଚେରି !

 

ଜଙ୍ଗଲିଆ ରାସ୍ତା । ବାଘ ସାପର ବଣ । ହିଂସ୍ର ଜନ୍ତୁ ଥିବେ ଅନେକ

 

ହଅ ! ଥାଆନ୍ତୁ ! ସେ କୋଉଠି ନାହାନ୍ତି ଯେ ! ଜୟରାମ ନିଜେ ଯୋଡ଼ାଏ ଗୋଡ଼ ଟେକି ଚାଲୁଛନ୍ତି ବୋଲି କ'ଣ ଜନ୍ତୁ ନୁହଁନ୍ତି ?

 

ସେଥିରୁ ଗୋଟାଏ ହୁଏତ ଭୋକିଲା, ଛକି ବସିଛି । ସଜ ଉଣ୍ଡି ଘାଉଁକିନା ମାଡ଼ିଆସିବ ।

 

ହେଃ ହେ ସେଇଟା କୋଉ ନୂଆ କଥା ! ଜନ୍ତୁ ମାତ୍ରେ ତ ସେଇଭଳି । ଭୋକ ଶୋଷ ମେଣ୍ଟାଇଲାବେଳେ ଝାମ୍ପ ମାରିବାକୁ ହିଁ ହୁଏ । ତାକୁ ରୋଧିବା ବରଂ ଅସ୍ୱାଭାବିକ ।

 

ରଟ୍‌ମଟ୍‌ ଚୋବାଇ ଖାଇଯିବ । ଗେରୁଆ ଠେକାଟିକୁ ହୁଏତ ଆଡ଼େଇଦେଇପାରେ ।

କିନ୍ତୁ ଚୋବେଇ ଖାଇଯିବ ନିଶ୍ଚୟ !

 

ସେଥିରେ କ'ଣ ସନ୍ଦେହ ଅଛି । ଜୟରାମଙ୍କର ତ ଦାନ୍ତ ସେମିତି ଟାଣ ନୁହେଁ, ନଖ ସେତେ ଦାଢ଼ୁଆ ନୁହେଁ । ସେଇଭଳି ଗୁଡ଼ିଏ ଶଶା, ଗୁଡ଼ିଏ ମିରିଗଙ୍କୁ ସେ ଚୋବେଇ ଖାଇଯାଏ । ସେମାନେ ମଧ୍ୟ ଦୂବଟିଏ, ଘାସଟିଏ ଖୁଣ୍ଟି ମନ୍ଦା ବଢ଼େଇ ଚାଲିଥାନ୍ତି ସେ ନିର୍ବିରୋଧ ତାଙ୍କୁ ଖାଇବ ବୋଲି । ତାକୁ ଭୋକ ହୁଏ । ସେ ପାଞ୍ଚଟା ମୁହଁ ମେଲେଇ ହେଣ୍ଟାଳ ଛାଡ଼େ । ତାର ଭୋକ ମେଣ୍ଟାଇବା, ତାକୁ ପାଳି ପୋଷି ଭୟଙ୍କର କରି ରଖିବା ଏ ଶଶା ମିରିଗଗୁଡ଼ିକଙ୍କର ଦାୟିତ୍ୱ ! ଏଡ଼େବଡ଼ ଜିଭରେ ଗୁଡ଼ାଏ ରକ୍ତ କରାଳ, ଆଖିରେ ନିଆଁ ର ରଙ୍ଗ, ପଥରର ମାଂସପେଶୀରେ ଅସୀମ ଶକ୍ତି–ପଥର ଗୁହା ଭିତରେ ସେ ପଶୁଙ୍କର ରାଜା, ପଶୁଙ୍କର ଦିଅଁ !

 

ହେ ! ହେ ସର୍ବଶକ୍ତିମାନ୍‍ଙ୍କୁ ଭୋକ କଲେ ସେ ଅବଶ୍ୟ ଚୋବେଇବେ ! ସେଥିରେ ଜୟରାମଙ୍କର ଆପତ୍ତି କରିବାର କ'ଣ ଅଛି ! –ଏଇଟା ମୌଳିକ ଜୀବନର ଧର୍ମ । ସେ ପୁଣି ତ ଧରିବତାର, ଯେହେତୁ ସେ ଶକ୍ତିମାନ୍ !! –ବାଟରେ ବର୍ଷିପାରେ । –ଆକାଶଯାକ ଏବେ ବି ହୁଡ଼ା ହୁଡ଼ା ମେଘ ପଇଁତରା କାଟୁଛନ୍ତି !

 

ହ-ଅ-ଅ ! ଏ ମେଘରେ ପାଣି ଅଛି ଯେ ବର୍ଷିବ ! ଏ ମେଘ ପେଟରେ ଖାଲି ପେଟେ ଲେଖା ଶୁଖିଲା ଧୂଳି । ବର୍ଷିଲା ମେଘ କୁଆଡ଼େ ଖୁବ୍ ତଳକୁ ନଇଁଆସେ । ହଁ ଆସେ । ସେ ତା' ନିଜ ପ୍ରୟୋଜନରେ ନଇଁଆସେ । ଏଠି ଦେଢ଼ଲକ୍ଷ ଜନ୍ତୁ ଖରାରେ ଜଳିଗଲେ ତା'ର ବିଚଳିତ ହେବାର କିଛି ନାହିଁ । କିନ୍ତୁ ଯେତେବେଳେ ଆସେ ସେତେବେଳେ ତା'ର ନଆସିବାର ଉପାୟ ନାହିଁ-। ତା'ଠାରୁ ଆହୁରି ପ୍ରବଳ ଗୋଟାଏ ପବନ ହୁଏତ ତାକୁ ତଡ଼ିଆଣି ପାହାଡ଼ ଦେହରେ ପିଟିଦିଏ, ପେଶିଦିଏ, ଚିପୁଡ଼ିଦିଏ ତାର ସମସ୍ତ ଦୋରୁଅ ।

ପ୍ରବଳ ପାଖରେ ନଇଁଯିବାକୁ ହିଁ ହୁଏ । ତା ପୂର୍ବରୁ ଯୁଦ୍ଧ କରିବା ନକରିବା ଗୋଟାଏ ପ୍ରକାର ରୁଚି । କ୍ଷମା, ଦୟା, ଉଦାରତା ଶକ୍ତିଶାଳୀର ସାମୟିକ ଖିଆଲ୍ । ସମ୍ମାନ, ସମ୍ଭ୍ରମ; ବିନୟ, ବିଚାର ସଂପୂର୍ଣ୍ଣ ପରାସ୍ତ ଓ ଦୁର୍ବଳର ଆଶ୍ଵସ୍ତି । ସ୍ୱାର୍ଥ ହିଁ ଏକମାତ୍ର ସତ୍ୟ କୀଟଠାରୁ ଗଣ୍ଡାର ପର୍ଯ୍ୟନ୍ତ-। ପରମାର୍ଥ ତା'ର କଳ୍ପିତ ଛାୟାବିମ୍ବ । ନିଜକୁ ନିଜେ ହତ୍ୟା କରିବାରେ ମଣିଷକୁ ଗୋଟାଏ ପ୍ରକାର ସୁଖ ମିଳେ । ସେଇଭଳି ପ୍ରାୟ ସୁଖ ମିଳେ ନିଜକୁ ବିଡ଼ମ୍ବିତ କରିବାରେ; ଗୁଡ଼ିଏ କଳ୍ପିତ ସ୍ୱର୍ଗ ଏବଂ ଈଶ୍ୱରର ଚୋରାବାଲି ଭିତରେ ବୁଡ଼େଇ ନେବାରେ । ପରାସ୍ତ–ଗୋଷ୍ଠୀ ନିଜକୁ ହତ୍ୟାକରି ବିଜୟର ସ୍ୱାଦ ଚାଖେ, ଜିଭକୁ କାମୁଡ଼ିଦେଇ କଞ୍ଚା ରକ୍ତକୁ ଶୋଷେ; କିନ୍ତୁ ବିଜେତା-ଗୋଷ୍ଠୀ ଅନ୍ୟକୁ ସେଇ ବିଡ଼ମ୍ବନାରେ ବୁଡ଼େଇବାରେ ସୁଖପାଏ । ନଈପାଣିକୁ ଗୋଟି ଗୋଟି କରି ଶିଶୁ ଫୋପାଡ଼ି ସେମାନଙ୍କର ବଞ୍ଚିବାର ଚରମ ପ୍ରୟାସ ଦେଖି ଭୟତ ହୁଏ, ସହରରେ ନିଆଁ ଲଗେଇଦେଇ ବେହେଲା ବଜାଏ !

ଈଶ୍ୱର ସେଇ ବିଜେତା ଗୋଷ୍ଠୀର ଅଧିନାୟକ ।

ଈଶ୍ୱରଙ୍କର ଅବମାନନା କରିବା କିଛି ନିରାପଦ କଥା ନୁହେଁ !

ତା’ ଆଉ କିପରି ହୁଅନ୍ତା ? ମାରୁଆଡ଼ି ମାଲିକ ନାଁରେ ଦୁଇପଦ ସତ କହିଦେଲେ ତ ନିସ୍ତାର ମିଳୁନାହିଁ; ଏ ତ ସହଜେ କାଳସର୍ପ–ଯାହାକୁ କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରିମରି ! ତୁମ ଈଶ୍ୱର ପଦାର୍ଥଟି ମୂଳତଃ ନାହିଁ; କାରଣ ଜୀବନର ଏ ଅଦ୍ଭୁତ ନଳୀଟି ଦୁଇପାଖେ ମେଲା । ତାର ଏପାଖ ସେପାଖ କେବଳ ଶୂନ୍ୟ । ମଝିରେ ଗୋଟିଏ ଅଫୁରନ୍ତ ସଂଗ୍ରାମ । ପ୍ରତି ମୁହୂର୍ତ୍ତରେ ଲଢ଼ିବା, ଯଥାଶକ୍ତି ନିଜକୁ ବଞ୍ଚେଇ ରଖିବା ହେଉଛି ଚରମ ଦାୟିତ୍ୱ । ବେଳେବେଳେ ସେଇଟା ଅଧିକାର ପରି ଦିଶେ, ପଞ୍ଝା ଆଗରେ ନଖ ଚମକୁଥିବା ପର୍ଯ୍ୟନ୍ତ ! ନହେଲେ ଏ କୁଣ୍ଠିତ ସଂସାରରୁ ବଞ୍ଚିବାର ଉପାଦାନ ଆଦାୟ କରିବା ଭୟଙ୍କର ଦାୟିତ୍ୱ । –ତା' ଉପରେ ଧର୍ମ, ସମାଜ, ଜାତି, ସଭ୍ୟତା ଏବଂ ସେଇଭଳି ଆଉ ଦେଢ଼ଲକ୍ଷ ଆଳରେ ଅସଂଖ୍ୟ ଦାୟିତ୍ୱ ମଡ଼େଇ ଦିଆହୁଏ । ଜନ୍ତୁ ବଞ୍ଚିଯାଏ; ମଣିଷ ବଞ୍ଚିବା କିନ୍ତୁ ଢେର୍‌ କଷ୍ଟ !

ଉପରେ ତ ପୁଣି ଦେଖିବାକୁ ଜଣେ ଅଛି !

ହେ, ହେ ଏ ଉପର ତଳ ଜ୍ୟାମିତି ଆଉ କେତେ ଦିନ ଚାଲିଥିବ ! ତଳେ ବା ଉପରେ କେହି କୋଉଠି ନାହିଁ । ଅତୀତ ଭବିଷ୍ୟତ୍ ମଧ୍ୟ ଖାଲି ଅନୁମାନ କଥା । ଏଇ ଗୋଟିଏ ମାତ୍ର ମୁହୂର୍ତ୍ତ ଅବଶ୍ୟ ସତ୍ୟ, ବାକି ସବୁ ଝାଳବୁହା ନିରର୍ଥକ ବ୍ୟାୟାମ । ଏ ତାରାଗୁଡ଼ାକ ଖାଲି ଜ୍ୱଳନ୍ତ ଅଗ୍ନି ପିଣ୍ଡ–ଜଳୁଛନ୍ତି, ଘୁରୁଛନ୍ତି, ଝରିଯାଉଛନ୍ତି କୁଢ଼ କୁଢ଼ ଶୀତଳ ପାଉଁଶ ଭିତରେ । ଏ ସମସ୍ତଙ୍କୁ ଖୁବ୍ ପ୍ରବଳ ଗୋଟାଏ କେହି ଚୋବେଇ ଖାଇଯାଏ । ପ୍ରକାଣ୍ଡ ଗୋଟାଏ ରକ୍ତାକ୍ତ କୃଷ୍ଣ ଜିଭ ଉପରେ ଇଡ଼ିହେଇଯାଏ ସମଗ୍ର ବିଶ୍ୱର ଚିରନ୍ତନ ରକ୍ତଧାର । ଏହାକୁ ହିଂସ୍ର କହିବାକୁ କାହାର ସାହସ ନାହିଁ; ବରଂ ତା'ର ଅକଳନୀୟ ବିପୁଳତାରେ ବିହ୍ଵଳ ହୋଇ ତାକୁ ମଙ୍ଗଳମୟ ବୋଲି ସମ୍ବୋଧନ କରାହୁଏ । ତା'ର ଆଲୋକ ନାହିଁ । ସେ ଅତି ଆଦିମ ଗୋଟାଏ କୃଷ୍ଣବିନ୍ଦୁ । –ନିହାତି ଯଦି ସେଇ ଈଶ୍ୱରଟିର ସଂଜ୍ଞା ନିରୂପଣ କରାଯାଏ ସେ ହେବ ଗୋଟିଏ ଅତି ବୃହତ୍ ଶ୍ୱେତବୃତ୍ତ-ଯାହାର କେନ୍ଦ୍ର ଘନ ତମିସ୍ରାର କୃଷ୍ଣଗର୍ତ୍ତ ।

ଇସ, ଅକୃତଜ୍ଞ ମାନବ-ସମାଜକୁ କ୍ଷମାକର ହେ ପିତଃ-ଏ ନିମକହାରାମିକୁ କ୍ଷମାକର । ଏ ଅଜ୍ଞ ଜାଣନ୍ତି ନାହିଁ କ'ଣ କହୁଛନ୍ତି, କ’ଣ ବା କରୁଛନ୍ତି ! ଏ ଖଳକାମୀଗୁଡ଼ିଙ୍କୁ କ୍ଷମାକର, କ୍ଷମାକର ଏ ନିରୀଶ୍ୱରବାଦୀଙ୍କୁ !!

 

ହି ହି, ହେ, ହେ, ହେ !!

 

ଖରମୁସି ମଣିଷଟି ପାହାଡ଼ଚଢ଼ା ଭିତରେ ହସିପକାଇଲା । ଜୟରାମ ହସିପକେଇଲେ-। ତାଙ୍କୁ ଶୁଭିଲା ଆଉ କିଏ ହସିଲା ଏଇ ପଥର ଭିତରୁ ସେଇ ଅନ୍ଧାର ଅରଣ୍ୟ ଭିତରୁ ହୁଏତ; ଏ ସାପୁଆ ରାସ୍ତା ବା ସେ ତମ୍ବାଳିଆ ମେଘ ଭିତରୁ । ହସର ପ୍ରତିଧ୍ୱନି ଖସ୍‍ଖସ୍ ହୋଇ ପାହାଡ଼ ଦାଢ଼ରେ ତାଙ୍କ ସାଙ୍ଗରେ ସହଯାତ୍ରୀ ପରି ଚାଲିଛି, ଶୁଖିଲା ପତ୍ର ଉପରେ ସନ୍ତର୍ପଣରେ ପାହୁଲ ପକେଇ ଚାଲିଛି ।

 

ଏ ମେଘରେ ଯେମିତି ପାଣି ନାହିଁ, ଏ ରାତିର ସେମିତି ସକାଳ ନାହିଁ । ସୂର୍ଯ୍ୟଟାର ବହୁକାଳୁ ମୃତ୍ୟୁ ଘଟିଯାଇଛି । ଏଇଟା ତା'ହେଲେ ଶେଷକଥା ? ଏଇଟାହିଁ ସତ୍ୟ ? ଏଇ ନୀରବତା,ଏଇ କବର, ଏଇ ଅନ୍ଧାର ??

 

ସତ୍ୟ । ବାଃ, ସେଇ କୁକୁରପିଲାଟିକୁ ଅଇଁଠା ଚା' ଟିକିଏ ଦେଇଦେଲେ ପାଖ ଛାଡ଼େ ନାହିଁ । ତୁଳି ଧରି ଯେମିତି ଇଚ୍ଛା ସେମିତି ରଙ୍ଗ କରିଦେଲେ କେବଳ କୁଁ କୁଁ ହେଇ ଦିହମୁଣ୍ଡ ଚାଟିପକାଏ, ପ୍ରତିବାଦ କରେନାହିଁ । ତାକୁ କିନ୍ତୁ ସବୁବେଳେ କାଖେଇ ବାଟ ଚାଲିବା କଷ୍ଟ । ଦୂର ଯାତ୍ରାବେଳେ ତାକୁ ଗାଁମୁଣ୍ଡରେ ଓହ୍ଲେଇ ଦେଇ ଆସିବାକୁ ହୁଏ । ସେ ବି ପଛେଇଯାଏ । –ନିର୍ଜନ ରାସ୍ତାରେ ବାଟୋଇ ପାଇଁ ବାକି ଯାହା ରହିଯାଏ ତାହା ବୋଧହୁଏ ଏଇ ନୀରବତା ଓ ଅନ୍ଧାର । –ଆତ୍ମାଟି ତା'ର ଗୋଟିଏ ନିଥର ମୃତସାଗର–ତା ଉପରଦେଇ କୌଣସି ଚଢ଼େଇ ଏପାରି ସେପାରି ଉଡ଼ିଯାଇ ପାରେ ନାହିଁ !

 

ନିଝୁମ ଅରଣ୍ୟ ଖୁବ୍‌ ନୀରବ ରହି ନିଃଶ୍ୱାସ ମାରେ । ସେଇଭଳି ନିରବ ରହି ବଞ୍ଚେ । ଏଠି ବଞ୍ଚିବା ଅର୍ଥ କୋଳାହଳ ନୁହେଁ ।

 

ଅରଣ୍ୟ ପୁଣି ଘାଉଁ ଘାଉଁ ଗର୍ଜିଉଠେ । ଆଗ୍ନେୟଗିରିଟାଏ ହଠାତ୍ ସୁ-ସୁ ହୋଇ ନିଆଁ ବର୍ଷେ । ଦୁଲୁଦୁଲୁ ହୋଇ କମ୍ପିଯାଏ ସାରା ଅରଣ୍ୟ । ମରିବା ଏଠି ବଞ୍ଚିବାଠୁ ଆହୁରି ସ୍ୱାଭାବିକ, ଆହୁରି ସହଜ !

 

ଜୟରାମ ଚାଲିଛନ୍ତି । ଅପରାଜୟ ଖୁରୁମୁସିଆ ମଣିଷଟି ସବୁ ସତ୍ତ୍ୱେ ଚାଲିଥିବ । ଗୁଡ଼ିଏ ଛେଳି, ଗୁଡ଼ିଏ ଶଶା-ମିରିଗଙ୍କ ସମେତ ସେ ବି ହୁଏତ ଖାଦ୍ୟଶସ୍ୟ ପରି ବଞ୍ଚିରହିବ–ସୃଷ୍ଟିର ଶେଷ ପର୍ଯ୍ୟନ୍ତ ।

 

ଗୁଡ଼ିଏ ଧଳା ବୃତ୍ତ ସେମାନଙ୍କର କଳା କଳା କେନ୍ଦ୍ରରୁ ଅପଲକ ଅନେଇ ରହିଛନ୍ତି । ଆଦିମ ଜିଙ୍ଘାସାର କଟାସ ସେମାନେ । ମୌଳିକ କ୍ଷୁଧାର ଗୁଡ଼ିଏ ଶୂନ୍ୟ ଗର୍ତ୍ତ ।

 

ମେଘାଚ୍ଛନ୍ନ ଆକାଶ ଗୋଟିଏ ନିରବ ନିସ୍ପଦ ବଧ୍ୟଭୂମି ।

ସମଗ୍ର ଅରଣ୍ୟ ଗୋଟିଏ ଲୋମଶ ନିଶ୍ଚଳ ଅସହାୟତା ।

 

ଦୁଇଟି ମୋଡ଼ାଣି ଉଠିଗଲେ ଘାଟମଙ୍ଗଳା । କିନ୍ତୁ ଏତେ କ୍ଷୁଧା, ଏତେ ହିଂସ୍ରତା ଭିତରେ ଗୋଟିକୁ ବି ବେଳ କାହିଁ ?

 

ଜୟରାମଙ୍କର ସେ ଅହିଂସ୍ର ଶୋଷଟି ମେଣ୍ଟିବାର ନୁହେ !

ତାଙ୍କର ସେ ଅଦ୍ଭୁତ ହସଟି ମଧ୍ୟ ଲିଭିବାର ନୁହେଁ !

 

ହେ ପିତଃ ! କ୍ଷମାକର ନାହିଁ ଏ କ୍ଷୁଧାର୍ତ୍ତ ଚତୁଷ୍ପଦଗୁଡ଼ିକୁ । ସେମାନେ ଖୁବ୍‌ ଜାଣନ୍ତି ସେମାନେ କ’ଣ କରନ୍ତି !!

 

କଚେରି ପାଖ ବଟଗଛମୂଳେ ଜନତା ପୁଣି ଥରେ ଏକାଠି ହୋଇଛନ୍ତି । ଚେନାଚୁର୍‍ବାଲା ସନ୍ତର୍ପଣରେ ଘେରା ମାରୁଚି, ବେଳ ଉଣ୍ଡି ଡାକ ଛାଡ଼ିବ ।

 

‘‘କ’ଣ ହେଲା ?’’ ‘‘କୋଉଠି ?’’ ‘‘କିଏ ?’’ ‘‘ଜୟରାମ କିଏ ?’’ ‘‘ସେ କ’ଣ ଏଇଠିକା ଲୋକ ?’’ ଆଗ୍ରହୀ ଜନତା ତା’ର ଗୁଡ଼ିଏ ପ୍ରିୟ ପ୍ରଶ୍ନ ପଚାରିଲାଗିଛି ।

 

କିଏ ଜଣେ ଠିଆହୋଇ ବିଜ୍ଞାପନ ଗଳାରେ ଘୋଷଣା କଲେ–"ଭାଇମାନେ, ମୁଁ ବର୍ତ୍ତମାନ ପରମସାଧକ, ଆଜନ୍ମ ବ୍ରହ୍ମଚାରୀ ଶ୍ରୀଯୁକ୍ତ ଜୟନ୍ତ ସୁନ୍ଦର ପରିଡ଼ାଙ୍କୁ ଅନୁରୋଧ କରିବି ସେ ଆମକୁ କିଛି ଉପଦେଶ ଦେବେ ।"

 

କିଛି କରତାଳି ପରେ–‘‘ଭାଇମାନେ, ମୁଁ ଉପଦେଶ ଦେବାକୁ ଆସିନାହିଁ; ଆସିଛି ଉପଦେଶ ନେବାକୁ । ଆପଣମାନେ କହନ୍ତୁ, ଆପଣ ଆପଣଙ୍କର ପରମପ୍ରିୟ ମହାପୁରୁଷଙ୍କର ସ୍ମୃତିରକ୍ଷା କରିବେ କି ନା ! –ଜୟରାମଙ୍କ ସାଧନା ଆପଣମାନଙ୍କର କଲ୍ୟାଣ ପାଇଁ, ସମଗ୍ର ମାନବଜାତି ପାଇଁ । ସେ ଯେଉଁ ନୂତନ ମାର୍ଗ ଆମକୁ ଦେଖାଇଛନ୍ତି, ତାହା କେବେ କେହି ଜାଣି ନଥିଲେ । 'ନୀରବ ରହ । "କ୍ଷୁଧା-ତୃଷାରେ ବିଚଳିତ ହୁଅ ନାହିଁ ।' 'ଦରିଦ୍ରତା ସାଧନାର ପ୍ରଥମ ସୋପାନ, ତାକୁ ଗ୍ରହଣ କର ।' –ଏସବୁ ତାଙ୍କର ମହାନ୍ ବାଣୀ । ମୁଁ ଆପଣମାନଙ୍କୁ ଯାହା ଦେଖାଇବି, ଆପଣମାନେ ତାହା ବିଶ୍ୱାସ କରିପାରିବେନାହିଁ ।"

 

ଗୋଟିଏ ଟ୍ରେ' ଉପରୁ କନା ଆଡ଼େଇ ଦେଇ ସେ ଟେକି ଧରିଲା । ହଠାତ୍‌ ଜଣାଗଲା କଟାମୁଣ୍ଡଟାଏ । କିନ୍ତୁ ତା'ପରେ ସମସ୍ତେ ଦେଖିଲେ ଯେ ସେଇଟା ଗୋଟିଏ ଗେରୁଆ ପଗଡ଼ି ।

 

‘‘ଆପଣମାନେ ବିଶ୍ୱାସ କରିପାରିବେ ନାହିଁ ଯେ ଏ ପଗଡ଼ିଟି ମହାତ୍ମାଜୀଙ୍କର ସିଦ୍ଧି ପଗଡ଼ି । ତାଙ୍କର ଭକ୍ତମାନଙ୍କ ପାଇଁ ସେ ଅନୁଗ୍ରହ କରି ଏଇ ସନ୍ତକଟି ଛାଡ଼ିଯାଇଛନ୍ତି । ଏହା ଆମ୍ଭମାନଙ୍କର ପରମ ସୌଭାଗ୍ୟର ବିଷୟ । ବର୍ତ୍ତମାନ ଆପଣ ଆପଣଙ୍କର ଯଥାଶକ୍ତି ଜୟରାମ ସ୍ମୃତିମନ୍ଦିର ପାଇଁ ଦାନ କରନ୍ତୁ ।"

 

ଉପରମୁହାଁ ଖୋଲା ପଗଡ଼ିଟି ଆକାଶକୁ ଭିକ୍ଷାକଲା । ରାସ୍ତାକଡ଼ର ଯାଦୁକର ଟୋପି ଉପରକୁ ଯେଉଁ ଜନତା ଚାରଣି ଫିଙ୍ଗି ଆସିଛି ସେ କିଛି ଦୋ'ପଇସି ପକାଇଲେ । ଜୟନ୍ତ ପରିଡ଼ା ପଗଡ଼ିଟାକୁ ଛାଟିଆଣି ଚିତ୍କାର କଲା–"ଏ ଖଣ୍ଡ ଏବେ ନିଲାମ ହେବ । କାହାର ଭାଗ୍ୟ ଅଛି ସେ ମହାତ୍ମାଙ୍କ ସିଦ୍ଧି ପଗଡ଼ି ତା' ଘରେ ରଖି ପୂଜା କରିପାରିବ ! ଡାକନ୍ତୁ ଦୁଇଶ’ ମାତ୍ର ଦୁଇଶ’ ଚାରିଶ ଡାକନ୍ତୁ, ମାତ୍ର ଚାରିଶ’-ହଜାରେ-ସାବାସ୍ ! ଆମେ ଜାଣୁ ଭକ୍ତ କେବେ ଛାଡ଼ିବେ ନାହିଁ ହଜାରେ ହଜାରେ ଏକ ହଜାରେ ଦୁଇ କୁଣ୍ଠା କାହିଁକି ? ଏ ଟଙ୍କା ଆପଣଙ୍କର ଗଛ ହୋଇ ଫଳିବ । ଆପଣ ଏହାଦ୍ୱାରା ପ୍ରତ୍ୟକ୍ଷ କୃପା ଲାଭ କରିବେ । ଆପଣଙ୍କ ଶରୀରକୁ ଜ୍ୟୋତି ଚହଟି ଆସିବ । ଡାକନ୍ତୁ, ହଜାରେ ଦୁଇ ହଜାରେ ଦୁଇ ଏକହଜାର ପାଞ୍ଚଶ’ ’’

ସଭାର ଶେଷଆଡ଼ୁ କିଛି କୁଣ୍ଠିତ ବଜାର ଝୋଲା ପରସ୍ପରକୁ ପାଖେଇ ଆସିଲେ । ‘‘ଚାଲୁନ ! ଏ ଆରକ ଭାଣ୍ତ୍‌ କାରଖାନା ! ତଳବଜାରରେ ବୋଇତାଳୁ ଶଗଡ଼ ଲାଗିଛି ।’’

ଖୁସ୍‌ଖାସ୍‌ ଦେଖାଦେଖି ଆସ୍ତେ କିଛି ନଜାଣିଲା ପରି ଲୋକେ ଖସିଲେ । ଜନତାର ସରୁ ଲାଞ୍ଜ ଆସ୍ତେ ଲମ୍ଵି ଗଲା, ଘେରିଗଲା ତଳବଜାରର ବୋଇତାଳୁ ଶଗଡ଼ ଚାରିଆଡ଼େ ।

‘‘କିଲୋ ଆଠଣା ମାତ୍ର ପଚାଶ ପଇସା ରାଣୀ କଖାରୁ, ମିଠା କଖାରୁ ଏମିତି ଶସ୍ତା କେବେ ନଥିଲା.’’

ଠୁଙ୍ଗା ବେପାରୀ ଦାମ ସାହୁ ଗାମୁଛା ଝାଡ଼ି ଉଠିଲା । ଆଗରେ ମୋଟିଆ ବୋଝ ଧରି ଚାଲିଥିଲେ ।

‘‘ଆଚ୍ଛା କାଲୁ, ଏ ଘରଟା ଟିକିଏ ଓଳେଇଆଣି କବାଟ ଆଉଜେଇ ଦେବୁ ! ମୁଁ ଘର ମାଲିକକୁ ଡାକି ଯାଉଛି, ଦେଇଦେବା ।"

ବିଦ୍ୟାଧର ରାୟ ଆଖିରେ, ତାଙ୍କ ବେତାଳିଆ ପାଣିମିଶା ପବନରେ ଗୁଡ଼ାଏ ଆଉ କ'ଣ ଅବୁଝା କଥା ଫାଟିପଡ଼ୁଛି ।

ତାଙ୍କ ଖଦଡ଼ ଜାମାତଳେ ଗେଞ୍ଜି ନାହିଁ, ବୁକୁରେ ବୋତାମ ନାହିଁ । ତାଙ୍କ ମୁହଁରେ ଅନେକ ଧଳା ରୂଢ଼ । ତାଙ୍କ ଚଷମାର କାଚ ଦୁଇଟି ଢଳଢ଼ଳ ।

ସେ ବୁଲିପଡ଼ି ଚାଲିଗଲେ ।

କାଲୁ ଭାବିଲା ଯେ ଏ ପଟୁଆରବୁଢ଼ା ଆଉ ତା' ଝୋଲା କାହିଁକି ଧରୁନାହିଁ ? ସେ ଆଠଦଶ ବର୍ଷର ଅନେକ ନରମ ଦିନଗୁଡ଼ାକ ଉପରେ ଛାଞ୍ଚୁଣୀ ମାରି ଓଳେଇଆଣୁଥାଏ । ତା' ଭିତର ଗୋଟାସାରା ଆଞ୍ଚୁଡ଼ି ହେଇଯାଉଥାଏ ! ତାକୁ ଶୁଭିଲା, ତା ବାବୁ ତାକୁ ପଚାରୁଚି, "କିରେ, ତୋ ଭାତପାଳି କେବେ ?

ସେ ଛାଞ୍ଚୁଣୀମୁଠାଟା ଫିଙ୍ଗି ଦେଇ ଗୋଟେଇଧରିଲା ସେଇ କାଳିଆ ରସଡ଼େକ୍‌ଚି ଖଣ୍ଡ-। ତା ଭିତରେ ମୁହଁ ପୂରେଇ ସେ କ'ଣ ଦେଖୁଚି । ତା ଚକିରେ ଜଳା ଫିଟିଚି ନା ନାହିଁ ?

–ଇସ୍‌, ଏମିତି ମୁହଁ ଘୋଡ଼େଇ ଏଇଟା କାନ୍ଦୁଚି କାହିଁକି ?

ଘର ଭିତରେ ଅନେକ ଧୂଳି, ନିରବତା ଓ ଅନ୍ଧାର !

ବାହାରେ ସେଇ ଆଦିମ ସତ୍ୟ; ସେଇ ଆଦିମ କ୍ଷୁଧା-କାହାରିକୁ ତର ନାହିଁ ବଞ୍ଚିବାକୁ ବା ମରିବାକୁ । ଇସ୍‌– !!

Image